Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁନା ଓ ଭୂତ
ମୁନା ଓ ଭୂତ
★★★★★

© Bismita Sahoo

Children Stories Horror

4 Minutes   602    47


Content Ranking




ବୁଢ଼ୀ ଅସୁରୁଣୀ ଅଣ୍ଟା ଯାଏଁ ଲମ୍ବା ପାଚିଲା ବାଳକୁ ଖୋଲା କରିଦେଇ ରଡ଼ ରଡ଼ କରି ଜଳୁଥିବା ଚୁଲି ଭିତରେ ନିଜ ଗୋଡ଼ ଦୁଇଟା ପୁରେଇ ନିଆଁ ପୁଆଉଁଥାଏ। ମଝିରେ ମଝିରେ ବଶୀଭୂତ କରି ଆଣିଥିବା ସୁନ୍ଦୁରିଆ ରାଜକୁମାରଙ୍କୁ ମାରି ତାଙ୍କ ସୁଠାମ ହାତଗୁଡ଼ିକୁ ଚୁଲିରେ ସେକି କଡ଼କଡ଼ କରି ଚୋବାଉଥାଏ। ସେ......  


ଜେଜୀକୁ ଆଉ ଗପ କହିବାକୁ ନ ଦେଇ ମୁନା କହିଲା ତୁ ସଦାବେଳେ ଅସୁରୁଣୀ ଗପ କଣ କହୁଛୁ? ଟିକେ ଭୂତ ଗପ କହୁନୁ ମୁଁ ଶୁଣିବି।


ଜେଜୀ କହିଲେ ଏଇ ଭୂତ ଫୁତ ଗପ ତାଙ୍କୁ କିଛି ଆସେନି। ହେଲେ ସେ ଆଜି ତାଙ୍କ ଅଙ୍ଗେନିଭା କଥା କହିବେ। ଜେଜୀ ଆରମ୍ଭ କଲେ-

ସେତେବେଳେ ମୋର ନୂଆ ନୂଆ ବାହାଘର ହେଇଥିଲା। ଏ କାଳ ପରି ଘର ଭିତରେ ଆମେ ଝାଡ଼ା ପରିସ୍ରା ଯାଉନଥିଲୁ। ବୋହୁ ଭୁଆସୁଣିଏ ରାତି ନ ପାହୁଣୁ ଲୋଟା ଧରି ବିଲମାଳକୁ ଯାଉଥିଲୁ। ସେଠି ନିତ୍ୟକର୍ମ ଶେଷ କରି ପୋଖରୀରେ ଗାଧେଇ ହାତେ ଓଢଣା ଦେଇ ସିନ୍ଦୁରା ଫାଟିବା ପୂର୍ବରୁ ଘରେ ପହଞ୍ଚୁଥିଲୁ। ଆର ସାହିର ବେଙ୍ଗମା ମୋର ସବୁଠୁ ଭଲ ସାଙ୍ଗ ଥିଲା। 


       ବାଡ଼ିପଟ ତେନ୍ତୁଳି ଗଛ ପାଖରେ ଆମ ଢ଼ିଙ୍କିଶାଳ ଥିଲା। ଗାଁ ମାଇପିଏ ସକାଳୁ ସକାଳୁ ଧାନ କୁଟିବା ପାଇଁ ଧାଡ଼ି ବାନ୍ଧନ୍ତି। ସେଥିପାଇଁ ମୋ ଶାଶୁଙ୍କର  କଡ଼ା ହୁକୁମ କେହି ଆସିବା ପୂର୍ବରୁ ଯେମିତି ଧାନକୁଟା କାମ ସରି ଯାଇଥିବ। ପ୍ରତିଦିନ ବେଳ ବୁଡ଼ିଲା ବେଳକୁ କଣ ମୁଠାଏ ଖାଇଥିବି ଯେ ସକାଳେ ପୋଖରିପାଣି ଗଲା ପରେ ମୋ ପେଟ ଭୋକରେ ଆଉଟୁ ପାଉଟୁ ହୁଏ। ବଳ ପାଏନି ଢ଼ିଙ୍କିରେ ଧାନ କୁଟିବାକୁ। ତେଣୁ ବେଙ୍ଗମା ଆର ସାହିର ବୋହୂ ହେଲେବି ମୋତେ ସାହାଯ୍ୟ କରିବା ପାଇଁ ଆସେ। ମୋ ଦିନ ଗୁଡ଼ିକ କେଡ଼େ ସୁରୁଖୁରୁରେ କଟି ଯାଉଥିଲା। ସେଦିନ ସନ୍ଧ୍ୟାବେଳେ ଲୋଟା ଧରି ବିଲକୁ ଗଲାବେଳେ ବେଙ୍ଗମା କହିଲା ତାର ଜର ହେଇଛି। ଚାଲିବାକୁ ବଳ ପାଉନି। ତେଣୁ କାଲି ପୋଖରୀ ତୁଠକୁ ଗାଧେଇବା ପାଇଁ ଆଉ କାହାକୁ ଡାକିବାକୁ। 


      ହେଲେ ମୁଁ ତ ବାହାହେଇ ଆଇଲାଠୁ ଆଉ କାହାସଙ୍ଗେ ପୋଖରୀକୁ ଯାଇନି। କାହାକୁ ଡାକିବି କି ମୋ ଶାଶୁଙ୍କୁ ଉଠେଇବି ବୋଲି ଶୋଇ ଶୋଇ ଭାବୁଛି କିଏ "ସେବ" "ସେବ" ବୋଲି ରାତି ଅଧରୁ ଡାକ ଛାଡିଲା। ଭଲ କି କାନେଇଲି। ଆରେ ଇଏ ତ ବେଙ୍ଗମା। ଛୋପରି କୋଉଠିକାର? ଆସିବନି ବୋଲି କହୁଥିଲା ଦେଖିଲା ବେଳକୁ ରାତି ନ ପାହୁଣୁ ହାଜର। ଭଲ ହେଲା। ମୋର ଚିନ୍ତା ଗଲା। ଏହା କହି ଲୋଟା ଧରି ତା ସାଥିରେ ବହାରିଗଲି। ବେଙ୍ଗମା ହାତେ ଓଢଣା ଦେଇଥିଲା। ମୁଁ ତାକୁ ପଚାରିଲି ତୋର ଜର ଭଲ ହେଲା କି'ଲୋ?


ସେ କହିଲା-ହୁଁ


ମୁଁ କହିଲି-ତୋତେ ହାଲିଆ ଲାଗୁଥିବ


ସେ କହିଲା-ହୁଁ


ମୁଁ କହିଲି -ଠିକ୍ ଅଛି ଆଜି ଆଉ ଧାନ କୁଟିବାନି


ସେ କହିଲା-ହୁଁ


ମୁଁ ଘରେ ପହଞ୍ଚିଲି। ଦେଖିଲି ମୋ ପଛେ ପଛେ ବେଙ୍ଗମା। ଏଇନା ମନା କରୁଥିଲା। ଧାନ କୁଟିବାକୁ ବଳ ପାଇବନି ବୋଲି କହୁଥିଲା ପୁଣି ହାଜର ହେଇଗଲା। ମୋତେ କେତେ ଭଲ ପାଉଛି। 

ଧାନ ଦି ଗଉଣୀ ନେଇ ଆସିଲି। ମୁଠେ ମୁଠେ କରି ଭରାଣ୍ଡି ଗାତରେ ପକେଇଲି। ଖାଲି ଢାପ ଢାପ କରି ଢ଼ିଙ୍କିଲାଞ୍ଜକୁ ବେଙ୍ଗମା ବାଡ଼ଉଥାଏ। 


ମୁଁ କହିଲି- ଆଲୋ ଦେଖିକି। ତୁ ମୋ ହାତକୁ ଆଜି ଚୁନା କରିଦେବୁ କି?


ସେ କହିଲା-ହୁଁ


ତାକୁ ଜର ହେଇଛି ବୋଲି ବୋଧେ କିଛି କଥା ନ କହି ହୁଁ ହୁଁ କରୁଛି ବୋଲି ଭାବିଲି।


ମୁଁ ପଚାରିଲି- ଉଷୁଧ ଖାଇଛୁ?


ସେ କହିଲା-ହୁଁ


   ସକାଳ ପାହି ଆସୁଥାଏ। ପ୍ରତିଦିନ ଆମେ ଦି ଗଉଣୀ ଧାନ କୁଟନ୍ତି। ସେଦିନ ଦଶ ଗଉଣୀ ସରିଲାଣି। ଜରୁଆ ଦେହରେ ବେଙ୍ଗମା ସେମିତି ରଝ ରଝ କରି ଢ଼ିଙ୍କିକୁ ବାଡେଇ ଚାଲିଥାଏ। ବାହାର ବସ୍ତାରେ ଆଉ ଧାନ ନ ଥିଲା। ତେଣୁ ମୁଁ ଘର ଭିତରକୁ ଗଲି ଧାନ ଆଣିବାକୁ। ଧାନ ଦି ଗଉଣୀ ନେଇ ବାଡ଼ିପଟକୁ ଆସିଲା ବେଳକୁ ବେଙ୍ଗମା ଦୌଡ଼ି ଆସି ମୋତେ କୁଣ୍ଢେଇ କହିଲା- ସେବ ଲୋ କଣ କରିବି। ଏ ଜର ମୋତେ ବଡ଼ ହିନସ୍ତା କଲା। ଆସି ପାରିଲିନି ବେଇଗି। ତୋ ଶାଶୁଠୁ ତୁ ଆଜି ମାଡ଼ ଖାଇବୁ। ଚାଲ ବେଇଗି ଧାନ କୁଟିଦେବା।


    ମୁଁ ତା କଥା ଶୁଣି ଭୟରେ ଚେତା ବୁଡ଼ିଗଲା। ମୋ ମୁହଁରେ ପାଣି ଛିଟା ମାରିଲାରୁ ମୁଁ ଉଠି ବସିଲି ଓ ଗଡ଼ଗଡ଼ କରି ସବୁକଥା ଶାଶୁଙ୍କୁ କହିଲି। ସେ ମୋ କଥା ଶୁଣି ପରତେ ଗଲେନି କିନ୍ତୁ କୁଟା ଚାଉଳର ପାହାଡ଼ ଦେଖି ମୋତେ ଜାବୁଡି ଧରିଲେ। ମୋ ବୋହୂକୁ ଆଜି ଭୂତ ମାରିଦେଇଥାନ୍ତା କହି ମୁଣ୍ଡ କୋଡ଼ିବାକୁ ଲାଗିଲେ। ଲୋକ ଲଗେଇ ସେ ତେନ୍ତୁଳି ଗଛକୁ ହଣେଇଲେ। ଏଇ ତେନ୍ତୁଳି ଗଛରୁ ଭୂତ ଆସି ତାଙ୍କ ବୋହୁ ସାଙ୍ଗେ ଏପରି କାଣ୍ଡ ଭିଆଇଛି ବୋଲି କହିଲେ। 


    ମୁନା କହିଲା ଜେଜୀ ଯଦି ସିଏ ଭୂତ ଥିଲା ଓ ତୋର ପ୍ରତ୍ୟେକଟି କଥାର ଉତ୍ତର ହୁଁ ରେ ଦେଉଥିଲା ତେବେ ତୋ ନାଁ ଧରି ସେ ତୋତେ ଡାକିଲା କେମିତି?

ଜେଜୀ କହିଲେ ଆରେ ବାଇୟା, ଭୂତ ମାନେ ଅନ୍ୟର କଣ୍ଠ ସ୍ୱରରେ ଆମକୁ ଡାକି ପାରନ୍ତି କିନ୍ତୁ ତା ଛଡା ଆଉ କିଛି କଥା କହିପାରନ୍ତିନି। 


   ଜେଜୀଠୁ ଭୂତ ଗପ ଶୁଣି ମୁନା କହିଲା ଜେଜୀ ତୁ ସିନା ଡରୁକୁରିଟା ନକଲ କଥାକୁ ଜାଣି ପାରିଲୁନି ହେଲେ ମୋତେ କେହି ବି ଭୁଲେଇ ପାରିବେନି। ମୁଁ ବାପା, ମା, ଭାଇ ସମସ୍ତଙ୍କ କଣ୍ଠସ୍ୱରକୁ ଚିହ୍ନିପାରେ। ରୋଷେଇଘରୁ ମା ପାଟି କଲେ "ବହୁତ ଗପ ଶୁଣିଲୁଣି। ରାତି ଆଠଟା ବାଜିଲାଣି। ଯା ଏଥର ପାଠ ପଡ଼ିବୁ"।


   ମୁନା ହଁ ହଁ କହି ତା ପଢ଼ାଘରକୁ ପଶିଗଲା। ସାହିତ୍ୟ ବହି ଧରି ଚିଆରରେ ବସି ଭାବୁଛି ସତରେ ଯଦି ତା ସହିତ ଏପରି ହେବ , ତା ନାଁ ଧରି ଭୂତ ଡାକିବ ଓ ସେ ଭୂତକୁ ଚିହ୍ନି ନ ପାରି ତା ସହିତ ପଳେଇବ। ପରେ ଭୂତ ନିଶ୍ଚୟ ତା ତଣ୍ଟି କଣା କରି ରକ୍ତ ଢକ ଢକ ପିଇଯିବ। 


    ଡରରେ ତା କଲିଜା ଥରିବାକୁ ଲାଗିଲା। ପାଦ ଝିମଝିମ ଓ ଦେହ ଶୀତେଇ ଉଠିଲା। ସେ ଡରରେ ଖଟରେ ଶୋଇ ପଡ଼ି ଚଦର ଟାକୁ ମୁହଁ ଯାଏଁ ଭଲରେ ଢାଙ୍କି ଦେଲା। ଯେମିତି ଭୂତ ତା ଚେହେରା ଦେଖି ପାରିବନି। 


     -"ମୁନା"  "ମୁନା"


କିଏ ଜଣେ ଡାକିଲା। ସେ ଭଲକି କାନେଇଲା। ନା ଇଏ ତ ମା, ବାପା, କି ଭାଇର କଣ୍ଠସ୍ୱର ନୁହେଁ। ଜେଜୀର ତ ଜମା ନୁହେଁ। ଏତେ ରାତିରେ ତାକୁ କିଏ ଡାକିଲା? ଭୟରେ ଝାଳରେ ସେ ସୁଡୁବୁଡୁ ହେଇଗଲାଣି।


   -"ମୁନା"  "ମୁନା"


ସ୍ୱରଟି ଆହୁରି ପାଖେଇ ଆସିଲା। ସେ କଣ କରିବ ଜାଣିପାରିଲାନି। ତା ସାଙ୍ଗ ଶିଖେଇଥିବା ମନ୍ତ୍ର 


        "ଜଲତୁ ଜଲାଲ ତୁ

        ଆଇ ବଲାକୁ ଟାଲତୁ"


ବଡ଼ ପାଟିରେ ଗାଇବାକୁ ଲାଗିଲା। ଚଦର ଭିତରେ ଥାଇ ଆଖି ବନ୍ଦ କରି ଚିଲ୍ଲେଇଲା -ମା ମୋତେ ବଞ୍ଚା...!


  ହଠାତ ତା କୋଠରୀର କବାଟ ଟି କେଁ କେଁ କରି ଅପଣାଛାଏଁ ଖୋଲିଗଲା। ସରର୍ ସର୍ କରି ତା ଘୋଡେଇଥିବା ଚଦରଟି ତଳେ ପଡ଼ିଗଲା। ମୁନା ସେମିତି ଆଖି ବନ୍ଦ କରି ତକିଆଟିକୁ ତା ମୁହଁରେ ଚାପିଧରିଲା। ପୁଣିଥରେ ତାର ଯେତିକି ବଳ ଅଛି ସେତିକି ଜୋରରେ ପାଟି କଲା...


-ମୋତେ ବଞ୍ଚାଅ। ଭୂତ ମୋତେ ନେଇଯାଉଛି !


 ଠୋ କିନା ଗୋଟେ ଚଟକଣି ସିଧା ତା ଗାଲରେ ବସିଗଲା। ମୁନା ଆଖି ଖୋଲି ଦେଖିଲା ବାପା ବଡ଼ବଡ଼ ଆଖିରେ ତାକୁ ଚାହିଁଛନ୍ତି। 


-ବାରମ୍ବାର ମନା କରୁଛି ଜେଜୀ ନାତି ସେ ବାଜେ ଭୂତ ଗପଗୁଡ଼ିକ କୁହା କୁହି ହୁଅନି। ଦେଖିଲୁତ ଏତେ ଭୂତଗପ ଶୁଣିବାର ପରିଣତି କଣ ହେଲା?


  ମୁନା ବାପାଙ୍କୁ ଭଲରେ ଚାହିଁଲା। ସେ ଯାଏଁ ତା ଛାତି ଧଡ଼ଧଡ଼ ବନ୍ଦ ହେଇନଥାଏ। ଆରେ ଏ ତ ସତରେ ବାପା। ହେଲେ ତାଙ୍କ ଆବାଜ ଏମିତି କଣ ଶୁଭୁଛି? 

ବାପା କହିଲେ- ଆରେ ଖେଚଡ, କାଲି ରାତିରେ ଗରମ ଲାଗିଲା ବୋଲି ଦି ଥର ଗାଧେଇ କୁଲର ସାମ୍ନାରେ ଶୋଇ ପଡ଼ିଲି। ଥଣ୍ଡା ପବନ ବାଜି ମୋ ତଣ୍ଟିଟା ବସି ଯାଇଛି ଓ ଏପରି ଘାଗେଡା ଶୁଭୁଛି।


    ମୁନା ନିଜ ଗାଲକୁ ଆଉଁସି ଭାବୁଥିଲା ଯଦି ମିଛି ମିଛିକା ଭୂତ ଏତେ ଜୋରରେ ଚଟକଣି ମାରୁଛି ତେବେ ସତ ସତିକା ଭୂତ ତ ସତରେ କଡ଼ମଡ଼ କରି ତା କଅଁଳିଆ ହାଡ଼ ଗୁଡିକୁ ଚୋବେଇଯିବ।


(ବିସ୍ମିତା)

ଜେଜୀ ମୁନା ଭୂତ

Rate the content


Originality
Flow
Language
Cover design

Comments

Post

Some text some message..