ଓଡ଼ିଆ ଗଳ୍ପ ଓ କବିତା - ୧

Children


2  

ଓଡ଼ିଆ ଗଳ୍ପ ଓ କବିତା - ୧

Children


ଜହ୍ନମାମୁଁ -166

ଜହ୍ନମାମୁଁ -166

3 mins 7.3K 3 mins 7.3K

ଅତି ଭକ୍ତି

ସୁଶୀଳ ଦେଶର ରାଜା ସର୍ବୋତ୍ତମ ଥିଲେ । ଥରେ ତାଙ୍କର ସନ୍ଦେହ ହେଲା କି ନିଜର ପ୍ରିୟ ସେବକମାନଙ୍କ ମଧ୍ୟରୁ କେହି ଗୁପ୍ତଚର ଅଛି । କାରଣ ଅନ୍ତଃପୁରରେ ଯାହା ଘଟୁଛି ତାହା ତୁରନ୍ତ କିପରି ପଡୋଶୀ ରାଜ୍ୟର ରାଜା ନିଦ୍ରାପ୍ରିୟଙ୍କୁ ଜଣାପଡୁଛି? ଶତ୍ରୁକୁ ନିଜ ରାଜ୍ୟ ବିଷୟରେ ଖବର ଦେବା ଏକ ବିଶ୍ୱାସଘାତକତାର କାର୍ଯ୍ୟ । ଏହାକୁ ଅତିଶୀଘ୍ର ବନ୍ଦ କରିବାକୁ ହେବ । କାରଣ ନିଦ୍ରାପ୍ରିୟ ବେଶି ବଳଶାଳୀ ରାଜା ନଥିଲେ ମଧ୍ୟ ହଠାତ୍ ଯଦି ସେମାନେ ରାଜ୍ୟ ଆକ୍ରମଣ କରି ବସିବେ ତେବେ ଅଯଥାରେ ଗୁଡାଏ ଲୋକକ୍ଷୟ ହେବ ।

ସର୍ବୋତ୍ତମ ଭାବିଲେ କି ନିଜେ ଚେଷ୍ଟାକରି ଖୋଜିବେ କିଏ ସେହି ଗୁପ୍ତଚର । ସେଥିପାଇଁ ସେ କିଛିଦିନ ଧରି ସେବକମାନଙ୍କ ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଥା’ନ୍ତି । କିନ୍ତୁ ନିଜ କାର୍ଯ୍ୟରେ ସେ ସଫଳତା ପାଇଲେ ନାହିଁ । ତା’ପରେ ରାଜା ଦେଖିଲେ ସମସ୍ତ ସେବକ ବଡ ଭକ୍ତିର ସହିତ କାର୍ଯ୍ୟ କରୁଛନ୍ତି । ସେଥିରୁ ରାଜଦ୍ରୋହୀକୁ ବାଛିବା ତାଙ୍କ ପାଇଁ ବଡ କଷ୍ଟକର ହେଲା ।

ରାଜା ଏ ବିଷୟରେ ଅନେକ ଚିନ୍ତା କଲେ ଶେଷକୁ ତାଙ୍କ ମନରେ ଏକ ଭଲ ଉପାୟ ଜୁଟିଲା । ରାଜା ଜାଣିଥିଲେ ବିଦୁଷକ ଯେ କେବଳ ମନୋରଞ୍ଜନ କରନ୍ତି ତାହା ନୁହେଁ; ତାଙ୍କର ବୁଦ୍ଧି ଅତି ତୀବ୍ର ଓ ବିବେଚନା କରିବା ଶକ୍ତି ଅତି ଗଭୀର । ତେଣୁ ରାଜା ତାଙ୍କ ମନେ ମନେ ଠିକ୍ କଲେ ଏ ସମସ୍ୟାଟି ବିଦୁଷକଙ୍କ ଆଗରେ ସେ ଉପସ୍ଥାପିତ କରିବେ । ସମୟ ଓ ସୁଯୋଗ ଦେଖି ଦିନେ ରାଜା ବିଦୁଷକଙ୍କ ସହିତ ଏକାନ୍ତରେ ଦେଖା କରିବାକୁ ଡାକିଲେ । ବିଦୁଷକ ବୁଝିପାରିଲେ ରାଜ୍ୟର ଏପରି କିଛି ସମସ୍ୟା ଉପୁଜିଛି ଯାହାକୁକି ରାଜା ସମସ୍ତିଙ୍କ ଆଗରେ କହିପାରୁ ନାହାଁନ୍ତି ।

ରାଜା ବିଦୁଷକଙ୍କୁ ଦେଖିବା ମାତ୍ରେ ପଚାରିଲେ, “ବୁଦ୍ଧିମାନ ଶିରୋମଣି, ଏବେ କୁହ ମୁଁ ତୁମକୁ ଏଠାକୁ କାହିଁକି ଡକାଇଛି?”

ବିଦୁଷକ କହିଲେ “ମଣିମା, ମୁଁ କେତେଦିନ ହେବ ଲକ୍ଷ୍ୟ କରି ଦେଖୁଛି ଯେ ମୁଁ ଯେତେ ମନୋରଞ୍ଜନ କରିବା ପାଇଁ କଥା କହୁଛି ତାହା ସବୁ ନିଷ୍ଫଳ ହେଉଛି । ଆପଣଙ୍କ ଶ୍ରୀମୁଖ ଶୁଖିଲା ଲାଗୁଛି । ମନେହୁଏ ଛାମୁ କିଛି ଏକ ବଡ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।”

“ଠିକ୍ କହିଛ । ସମସ୍ୟା ନିଶ୍ଚୟ ଜଟିଳ ଆଉ ତମେ ତାକୁ ସମାଧାନ କରିବ ବୋଲି ତୁମକୁ ମୁଁ ଏଠାକୁ ଡକାଇଛି । ଆମ ରାଜବାଟିର ଅନ୍ତଃପୁରର ସେବକମାନଙ୍କ ମଧ୍ୟରେ କେହି ରାଜଦ୍ରୋହୀ ଥିବାର ମୋର ଅନୁମାନ । ତାଙ୍କୁ ବାହାର କରିବାକୁ ହେବ ଓ ଦଣ୍ଡ ଦେଇ ଏଠାରୁ ତଡି ଦେବାକୁ ହେବ । ତେବେ ଅନ୍ୟାନ୍ୟ ପ୍ରଲୁବ୍ଧ କେହି ବ୍ୟକ୍ତି ଗୁପ୍ତଚର କାମ କରିବାକୁ କେବେବି ଏତେ ସାହସ କରିବ ନାହିଁ ।”

ଗୁରୁଦାସ ଅଳ୍ପ ହସି କହିଲେ, “ପ୍ରଭୁ, ଏହା ତ ଅତି ସହଜରେ କରାଯାଇ ପାରିବ । ଯଦି ପ୍ରକୃତରେ ଅନ୍ତଃପୁରରେ କେହି ଗୁପ୍ତଚର ଥାଏ ତ ମୁଁହିଁ ତାକୁ ବାହାର କରିଦେବି । ଆପଣ ସେଥିଲାଗି ଆଉ ମୋଟେ ଚିନ୍ତା କରନ୍ତୁ ନାହିଁ ।” ତା’ପରେ ଅନ୍ତଃପୁରର ସମସ୍ତ କର୍ମଚାରୀଙ୍କୁ ରାଜାଙ୍କ ପାଖରେ ଉପସ୍ଥିତ ହେବା ପାଇଁ ଆଦେଶ ଦିଆଗଲା । ସମସ୍ତେ ଆସିଲେ ।

ଗୁରୁଦାସ କହିଲେ, “ତୁମେ ସବୁ ଜାଣିଛ ଯେ ଦେଶକୁ ଶାସନ କରିବାରେ ରାଜାଙ୍କୁ କେତେ ସମସ୍ୟା ଭିତର ଦେଇ ଯିବାକୁ ହୁଏ । ରାଜାଙ୍କୁ ଶାନ୍ତିରେ ଟିକିଏ ଶୋଇବାକୁ ବା କ୍ଳାନ୍ତିହରଣ କରିବାକୁ ସାହାଯ୍ୟ କରିବା କ’ଣ ଆମର କର୍ତ୍ତବ୍ୟ ନୁହେଁ? କିନ୍ତୁ ସେଥିପାଇଁ ତାଙ୍କ ମନରେ ଦୃଢ ବିଶ୍ୱାସ ରହିବା ଉଚିତ୍ ଯେ ତାଙ୍କ ସେବକମାନେ ପ୍ରକୃତରେ ରାଜଭକ୍ତ ଓ ବିଶ୍ୱସ୍ତ । ଏହା ମଧ୍ୟ ରାଜାଙ୍କର ସୌଭାଗ୍ୟ ଯେ ତୁମପରି କର୍ମଚାରୀ ତାଙ୍କୁ ମିଳିଛନ୍ତି । ଏବେ ମୁଁ ଚାହେଁ ରାଜାଙ୍କୁ ପ୍ରଦକ୍ଷିଣ କରି, ପ୍ରଣାମ କରି, ତାଙ୍କୁ ତୁମର ରାଜଭକ୍ତି ପ୍ରଦର୍ଶନ କର ।”

ସେତେବେଳେ ସେଠାରେ ଛଅଜଣ କର୍ମଚାରୀ ଥିଲେ । ସେଥିରୁ ଦୁଇଜଣ ତୁରନ୍ତ ବାହାରି ଆସି ରାଜାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କଲେ ଓ ରାଜାଙ୍କୁ ପ୍ରଦକ୍ଷିଣ କଲେ । ରାଜା ଚୁପ୍ଚାପ୍ ଏସବୁ ନାଟକ ଦେଖୁଥା’ନ୍ତି ।

ଗୁରୁଦାସ ଅନ୍ୟମାନଙ୍କୁ ଚାହିଁ ପଚାରିଲେ, “ତୁମର ସବୁ କ’ଣ ହେଲା? ରାଜାଙ୍କୁ ତୁମର ଭକ୍ତି ପ୍ରଦର୍ଶନ କରିବାରେ ଏତେ ଅନିଛୁକ?” ତଥାପି ମଧ୍ୟ ସେମାନେ କିଛି କହିଲେ ନାହିଁ । ଗୁରୁଦାସ ରାଗିଯାଇ କହିଲେ, “ଶୀଘ୍ର ଯାଇ ରାଜାଙ୍କୁ ସମ୍ମାନ ଦେଖାଅ ନହେଲେ ତୁମକୁ ସବୁ ଶୁଳିରେ ଚଢାଇବି ।” ଏପରି ଧମକାଇବା ପରେ ସେମାନେ ଜଣକ ପରେ ଜଣେ ଯାଇ ରାଜାଙ୍କୁ ପ୍ରଣାମ କରି ପ୍ରଦକ୍ଷିଣ କଲେ । ତା’ପରେ ସେ ରାଜାଙ୍କୁ କହିଲେ, “ମହାରାଜ ଆପଣଙ୍କ ସେବକମାନଙ୍କ ମଧ୍ୟରୁ ପ୍ରଥମ ଦୁଇଜଣହିଁ ଗୁପ୍ତଚର । ତେଣୁ ସେମାନଙ୍କୁ ଯାହା ପରୀକ୍ଷା କରିବାର କଥା କରନ୍ତୁ ।”

ରାଜା ପଚାରିଲେ, “କିନ୍ତୁ କିପରି?”

ଗୁରୁଦାସ କହିଲେ, “ମହାରାଜ, ଯେଉଁମାନେ କପଟୀ ଓ ଦ୍ରୋହୀ ସେମାନେ ତାଙ୍କ ଅସଲ ରୂପକ ଘୋଡାଇବା ପାଇଁ ବେଶି ଭକ୍ତି ଦେଖାନ୍ତି ।”

ରାଜା ପଚାରିଲେ, “ବାକି ଚାରିଜଣଙ୍କ କଥା କ’ଣ?”

ବିଦୁଷକ କହିଲେ, “ସେମାନେ ସମସ୍ତେ ନିର୍ଦୋଷ । ସେମାନେ ରାଜଭକ୍ତ ସେସବୁ ପ୍ରମାଣ କରିବାକୁ ସେମାନେ ଚାହାଁନ୍ତି ନାହିଁ । ଆମର ଏକ ପ୍ରବାଦ ଅଛି “ଅତି ଭକ୍ତି ଚୋରର ଲକ୍ଷଣ ।”

ତା’ପରେ ରାଜା ସେମାନଙ୍କୁ ଶୀଘ୍ର ପରୀକ୍ଷା କରି ଦେଖିବାକୁ ରାଜକର୍ମଚାରୀଙ୍କୁ ଦାୟିତ୍ୱ ଦେଲେ । ସେମାନଙ୍କୁ ପରୀକ୍ଷା ନିରୀକ୍ଷା ଓ ପ୍ରଶ୍ନୋତ୍ତର କରିବା ପରେ ସେମାନେ ନିଜେ ନିଜ ଦୋଷସବୁ ସ୍ୱୀକାର କଲେ ।

ରାଜା ସେହି ଦୁଇ ଦେଶଦ୍ରୋହୀଙ୍କୁ କିଛି ରାସ୍ତାଖର୍ଚ୍ଚ ଦେଇ ଚିରଦିନ ଲାଗି ସେମାନଙ୍କୁ ଦେଶରୁ ତଡିଦେଲେ । ତା’ପରେ ଗୁରୁଦାସଙ୍କୁ ବହୁତ ପ୍ରଶଂସା କରି ରାଜା ତାଙ୍କୁ ଅନେକ ପୁରସ୍କାର ଦେଲେ ।


Rate this content
Originality
Flow
Language
Cover Design