Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗେଣ୍ଡା
ଗେଣ୍ଡା
★★★★★

© Priyadarshini Mishra

Inspirational Others

3 Minutes   320    42


Content Ranking

ମିଶ୍ରବାବୁ ଏକୁଟିଆ ବସି ଚିନ୍ତା କରୁଥିଲେ, ଯଦି ତାଙ୍କର କ୍ଷମତା ଥା’ନ୍ତା ତା’ହେଲେ ସେ ନିଜ ଚତୁଃପାର୍ଶ୍ଵରେ ଗେଣ୍ଡା ଭଳି ଖୋଳଟିଏ ତିଆରି କରିଥା’ନ୍ତେ । ଅନ୍ତତଃ ସେ ଖୋଳଭିତରେ ରହି ପୁଅ ସନ୍ଦୀପର ରୁକ୍ଷ ବ୍ୟବହାରରୁ ରକ୍ଷା ପାଇପାରନ୍ତେ । ପୁଣି ସେ ନିଜକୁ ପ୍ରଶ୍ନ କରୁଥିଲେ , ଏହା କଣ ସମ୍ଭବ ? ନା’ କଦାପି ନୁହେଁ । ସୁଶୀଳା ଦେବୀଙ୍କ ମୃତ୍ୟୁ ସମୟରେ ତାଙ୍କୁ କଥା ଦେଇଥିଲେ ସର୍ବଦା ପୁଅ ପାଖରେ ରହିବେ । କେବେ ମଧ୍ୟ ତାକୁ ନିଜଠାରୁ ଦୂର ହେବାକୁ ଦେବେ ନାହିଁ । କିନ୍ତୁ ଅଫିସରୁ ଫେରି ସନ୍ଦୀପ ଯେଭଳି ତାଙ୍କ ସହ କଥାବାର୍ତ୍ତା କରୁଛି ଧିରେ ଧିରେ ତାହା ତାଙ୍କୁ ଅସହ୍ୟ ଲାଗିଲାଣି । ବୋହୂ ଲିଜା ମଧ୍ୟ କିଛି କହୁନାହିଁ ପୂର୍ବରୁ ସନ୍ଦୀପକୁ ସବୁକଥାରେ ଆକଟ କରୁଥିବା ଲିଜା ଏବେ ସମ୍ପୂସଂପୂର୍ଣ୍ଣ ଚୁପ । ଏପରି କାହିଁକି ହେଉଛି ମିଶ୍ରବାବୁ କିଛି ବୁଝିପାରୁନାହାନ୍ତି ।

ଖାନଦାନି ଜମିଦାର ଘରର ପୁଅ ମିଶ୍ରବାବୁ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ବାପା ମାଆଙ୍କର ଏକମାତ୍ର ପୁଅ ଭାବରେ ଧନ ଓ ପ୍ରାଚୁର୍ଯ୍ୟରେ ତାଙ୍କର ପିଲାବେଳ କଟିଥିଲା । ପାଠପଢାରେ ଧୁରୀଣ ମିଶ୍ରବାବୁ ଯୁବାବସ୍ଥାରେ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ଯୋଗ ଦେବାପରେ ସୁଶୀଳା ଦେବୀଙ୍କୁ ନିଜର ଜୀବନସାଥି ରୂପେ ପାଇ ଅତ୍ୟନ୍ତ ଆନନ୍ଦିତ ଥିଲେ । ପୁଅ ସନ୍ଦୀପର ଜନ୍ମ ପରେ ତାଙ୍କର ଆନନ୍ଦ ବହୁଗୁଣିତ ହୋଇଥିଲା । ସନ୍ଦୀପ ମଧ୍ୟ ଜେନ ସୁପୁତ୍ର ଭାବେ ବାପା ମାଆଙ୍କର ଶ୍ରବଣ କୁମାର ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ପରିବାରର କେନ୍ଦ୍ର ସୁଶୀଳା ଦେବୀ ସୁଚାରୁ ରୂପେ ସବୁ ଦାୟିତ୍ଵ ନିର୍ବାହ କରୁଥିଲେ । ଧନ, ସମ୍ପତ୍ତି, କ୍ଷମତା ପ୍ରତିପତ୍ତି ସମସ୍ତର ଅଧିକାରୀ ମିଶ୍ରବାବୁ ପିତା ମାତାଙ୍କ ମୃତ୍ୟୁ ପରେ ଭୁବନେଶ୍ବରରେ ଘର ତିଆରି କରି ରାଜଧାନୀର ସ୍ଥାୟୀ ବାସିନ୍ଦା ହୋଇଗଲେ । ଶିଶୁ, କିଶୋର, ଯୁବ, ପ୍ରୌଢ ଅବସ୍ଥା କେତେବେଳେ କେମିତି କଟିଗଲା ଜଣାପଡିଲା ନାହିଁ । ପୁଅ ସନ୍ଦୀପ ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଓଡିଶାରେ ହିଁ ନିଯୁକ୍ତ ହେଲା । ତା’ପରେ ସୁଶୀଳା ଦେବୀ ଓ ସେ ମିଶି ଲିଜାକୁ ବୋହୂ କରି ଘରକୁ ଆଣିଲେ । ସର୍ବଗୁଣସମ୍ପର୍ଣ୍ଣା ଲିଜା ସୁଶୀଳା ଦେବୀଙ୍କର ଛାଇ କହିଲେ ଭୁଲ ହେବ ନାହିଁ । ସବୁ ଠିକ ଚାଲିଥିଲା । ହଠାତ ସୁଶୀଳା ଦେବୀ ହୃଦଘାତ ଯୋଗୁଁ ମିଶ୍ରବାବୁଙ୍କୁ ଏକୁଟିଆ କରି ଚାଲିଗଲେ । ତା’ପରେ ସବୁ ବଦଳିଗଲା ।

ଅତୀତକୁ ଫେରି ଚାହିଁଲେ ଆଖି ପାଉନାହିଁ । ଦିନଗୁଡିକ କେତେ ସୁଖରେ କଟିଥିଲା । କିନ୍ତୁ ସୁଶୀଳା ଦେବୀଙ୍କ ଦେହାନ୍ତ ପରେ ମିଶ୍ରବାବୁଙ୍କୁ କିଛି ଭଲ ଲାଗୁନଥିଲା । ସକାଳେ ଲିଜା ଲଫିଙ୍ଗ କ୍ଳବକୁ ନେଇଯାଏ । ସେଇ ସମୟତକ ସେ ଘରୁ ବାହାରନ୍ତି । ନାତି ଟୋକା ଚିଣ୍ଟୁ ସହ ଖେଳିବା ବେଳେ ସମୟ ଜଣା ପଡେ ନାହିଁ । କିନ୍ତୁ ଅନ୍ୟ ସମୟତକ ସେ ନିଜ କୋଠରୀ ଭିତରେ ନିଜକୁ ଆବଦ୍ଧ କରି ରଖନ୍ତି । ଏଇ ପନ୍ଦର ଦିନ ହେବ ସନ୍ଦୀପର ବ୍ୟବହାର ମଧ୍ୟ ତାଙ୍କ ପ୍ରତି ବଦଳିଯାଇଥିବା ସେ ଲକ୍ଷ୍ୟ କରୁଥିଲେ । ସନ୍ଦୀପ ଅଫିସରୁ ଫେରିବା ପରେ କିଛି ନା କିଛି ଜିନିଷ ଆଣିବା ପାଇଁ ମିଶ୍ରବାବୁଙ୍କୁ କହୁଛି । ଅଫିସରୁ ଫେରିବା ବେଳେ ସେ ନେଇ ଆସିପାରିଥା’ନ୍ତା କିନ୍ତୁ ସେ ସେପରି କରୁନାହିଁ । ଘରେ ପହଞ୍ଚି ମିଶ୍ରବାବୁଙ୍କୁ କହୁଛି । ମିଶ୍ରବାବୁଙ୍କ ଇଚ୍ଛା ନ ଥିଲେ ମଧ୍ୟ ପୁଅ କଥାରେ ବାଧ୍ୟ ହୋଇ ଯାଆନ୍ତି । ଆଜି ମନା କରିଦେଇଥିଲେ । ସନ୍ଦୀପ ସଙ୍ଗେ ସଙ୍ଗେ କହିଥିଲା, ସେ ଅଫିସରୁ କ୍ଳାନ୍ତ ହୋଇ ଫେରିଛି ତେଣୁ ବାପା ହିଁ ଯିବେ । ଏକ ରକମ ବାଧ୍ୟ କରିଥିଲା ମିଶ୍ରବାବୁଙ୍କୁ ଯିବାପାଇଁ । ମିଶ୍ରବାବୁଙ୍କୁ ଭାରି ବାଧିଥିଲା । ତଥାପି ସେ ଯାଇଥିଲେ । ଘରକୁ ଫେରି ନିଜ କୋଠରୀ ଭିତରେ ଗେଣ୍ଡା ଖୋଳ ବିଷୟରେ ଚିନ୍ତା କରୁଥିଲେ । ସେହି ସମୟରେ ଚିଣ୍ଟୁ ଆସି କହିଲା ଜେଜେ ଚାଲ ଆଇସକ୍ରିମ ଖାଇବାକୁ ଯିବା । ଚିଣ୍ଟୁର କଥା କାଟି ନପାରି ମିଶ୍ରବାବୁ ବାହାରିଲେ । ସେ ସମୟରେ ଲିଜା ଓ ସନ୍ଦୀପର କଥା ତାଙ୍କ କାନରେ ପଡିଲା । ଲିଜା ସନ୍ଦୀପକୁ କହୁଥିଲା, “ବାପା ଫିଲ କରୁଛନ୍ତି । ତୁମେ ତାଙ୍କୁ କାହିଁକି ପ୍ରତିଦିନ ସନ୍ଧ୍ୟାରେ ବଜାର ଯିବାପାଇଁ ବାଧ୍ୟ କରୁଛ” ସନ୍ଦୀପ କହିଲା, “ ଲିଜା ମୁଁ ମଧ୍ୟ ସେପରି ଚାହୁଁନାହିଁ । କିନ୍ତୁ ବାପା ଘରୁ ନ ବାହାରି କେବଳ ମାଆକୁ ଝୁରୁଛନ୍ତି । ତାଙ୍କ ଦେହ ଖରାପ ହୋଇଯିବ । ସେ ବାହାରକୁ ଯିବା ନିହାତି ଆବଶ୍ୟକ । ମୁଁ ତାଙ୍କର ପୁଅ ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ତାଙ୍କୁ ଅସମ୍ମାନିତ କରିବା , ତାଙ୍କ ମନକୁ କଷ୍ଟ ଦେବା ମୋର ଇଚ୍ଛା ନୁହଁ । ସେ କେବଳ ଜୀବନରେ ହତୋତ୍ସ।ହିତ ନ ହୁଅନ୍ତୁ ତାହା ମୁଁ ଚାହେଁ । “

ବର୍ତ୍ତମାନ ଘରୁ ଚିଣ୍ଟୁ ସହ ବାହାରିଲା ବେଳେ ମିଶ୍ରବାବୁ ଚିନ୍ତା କରୁଥିଲେ , ସନ୍ଦୀପ ତାଙ୍କ ବିଷୟରେ କେତେ ଭାବୁଛି । ସେ କିନ୍ତୁ ତାକୁ ଭୁଲ ବୁଝିଥିଲେ । ବୃଦ୍ଧାବସ୍ଥାରେ ସୁଶୀଳା ଦେବୀ ଗଲାପରେ ତାଙ୍କ ରାସ୍ତା ସରିଯାଇଛି ଭାବି ନିଜକୁ ଗେଣ୍ଡା ଖୋଳ ଭିତରେ ଆବଦ୍ଧ କରିବାକୁ ଚାହୁଁଥିଲେ । ସନ୍ଦୀପର ରୁକ୍ଷ ବ୍ୟବହାର ପଛରେ ତା’ର ତାଙ୍କ ପ୍ରତି ଥିବା ଚିନ୍ତା ସେ ଜାଣିପାରିନଥିଲେ । ତାଙ୍କ ଜୀବନର ଶେଷ ପାହାଚ ଆସିନାହିଁ । ସନ୍ଦୀପ ପାଇଁ ତାଙ୍କୁ ଆହୁରି ଅନେକ ପାହାଚ ଅତିକ୍ରମ କରିବାକୁ ଅଛି । ଏସବୁ ଚିନ୍ତା କରୁକରୁ ଚିଣ୍ଟୁକୁ ଆଇସକ୍ରିମ ଖୁଆଇ ସେ କେତେବେଳେ ଘରେ ପହଞ୍ଚିଯାଇଥିଲେ ନିଜେ ଜାଣି ପାରିନଥିଲେ । ମିଶ୍ରବାବୁ ନିଜକୁ ହାଲୁକା ଅନୁଭବ କରୁଥିଲେ । ସେହିଦିନଠାରୁ ସନ୍ଦୀପ ଓ ଲିଜା ମଧ୍ୟ ମିଶ୍ରବାବୁଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲେ ।

ମିଶ୍ର ବାବୁ ଲିଜା ଜମିଦାର

Rate the content


Originality
Flow
Language
Cover design

Comments

Post

Some text some message..