Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆକାଶେ ଆଷାଢ଼
ଆକାଶେ ଆଷାଢ଼
★★★★★

© ସତ୍ୟବତୀ ସ୍ୱାଇଁ

6 Minutes   350    12


Content Ranking

ତୁ ମନେ ପଡୁ ନିରୋଳା ମୁହୂର୍ତ୍ତରେ।ଶୁନ୍ ଶାନ୍ ଘରେ।ନିଛାଟିଆ ମନ ଘର ଥିଲା ବେଳେ।ତୋ ସଂଗେ ବିତେଇଥିବା ସମସ୍ତ ସମୟ ମୋତେ ଗ୍ରାସ କରନ୍ତି,ଯେତେବେଳେ କାମରୁ ଫୁରସତ ମିଳେ।ଦାୟିତ୍ୱ ସାମାନ୍ୟ କୋହଳ ହୋଇଯାଏ,କିଛି ବି ଗୋଳମାଳିଆ ଟେନସନ୍ ମୁଣ୍ଡରେ ନଥାଏ।

ତୁ ମନେ ପଡୁ ବେଶୀ ସମ୍ପୂର୍ଣ୍ଣ ଏକାକୀ ମୁଁ ଯେବେ ମୋ ଭିତରେ ବିଚରଣ କରୁଥାଏ।

ତୁ ମନେ ପଡୁ ମୋ ସ୍ତ୍ରୀ ତା ବସ୍ ସହ ଟୁର୍ ରେ ବା ତା ବାପଘର ଯେବେ ଯାଏ।

ପାର୍କର ସେଇ ନିର୍ଦ୍ଧିଷ୍ଟ ବେଞ୍ଚରେ,ଦିଶେ ତୋ ମୋ ଯୁଗଳ ମୂର୍ତ୍ତି।ମୁଁ ଟିକେ ଛୁଏଁ ସେଇ ବେଞ୍ଚ।ଅନୁଭବ କରେ ଗୋଟେ ଅଦ୍ଭୁତ ଉନ୍ମାଦନା।

ଫେସବୁକ୍ ରେ ତୋତେ ଖୋଜେ।

ବହି ଅକ୍ଷରରେ ତୋ ମୁହଁ ଜଳ ଜଳ ଦିଶେ।ତୋତେ ବହି ପଢିବାକୁ ଭଲ ଲାଗେ ସେଇଥି ପାଇଁ ଏ ଅଭ୍ୟାସ ଟି ଆଜିଯାଏ ବାନ୍ଧି ରଖିଛି ମୋ ଭିତରେ।ପେଶାରେ ଡାକ୍ତର।ନିଶା କିନ୍ତୁ କେବଳ ତୋ ପାଇଁ ବହି ପଢିବାରେ।

ତୋର ମହୁମାଛି ଗୁଣ।ପ୍ରଜାପତି ରଙ୍ଗ।ଖୋଲା ସମ୍ପର୍କରେ ତୁ ବିଶ୍ୱାସ ରଖୁ।ବୁଢା ,ହଡା ସଭିଙ୍କ ସାଥିରେ ହସିବା ବସିବାରେ ତୋତେ କିଛିବି ଫରକ ପଡେନି।ଡେଟିଂ, ଚାଟିଂ,ବୋଟିଂ ତୁ ଯା ସାଙ୍ଗେ ବି କରି ପାରୁ।ବାର୍ ,ପାର୍ଟି,କ୍ଳବ୍,ଡ୍ରିଙ୍କ୍ଙ୍ଗ୍ ତୋର ରୀତିମତ ସଉକ।ଥରେ ଅଧେ ମୋତେ ବି ଟାଣି ନେଇଛୁ ସେଇ ବଦନାମ ଗଳିକୁ ହାତ ଟାଣି।କହିଛୁ"ହେ ଜୟ !ଏ ଯୌବନ,ଏ ସମୟ,ଏ ଉନ୍ମାଦନାକୁ ମନ ଭରି ପିଅ।କାଲିକୁ ଖୋଜିଲେ ମିଳିବନି ଆସ ଝୁମ୍ ନାଚ।ପିଅ ପିଆଅ।ମାପ ଦେହର ତାତି।"

ମୋତେ ଭାରି ଘୃଣା ଲାଗେ ତୋର ଏପରି କଦର୍ଯ୍ୟ କାର୍ଯ୍ୟ କଳାପ ରେ' ଇଜି'।କେଜାଣି ତୋ ନାଁ ଟା କିଏ ଇଜି ଦେଲା।ପିଜି କରୁଥିବା ଡାକ୍ତର ମୁଁ ଜୟଜିତ୍ ତୋତେ ଜମାରୁ ଇଜି ବୋଲି ଭାବୁ ନାହିଁ।ତୁ ଉପେନ୍ଦ୍ର ଭଞ୍ଜ ଙ୍କ କ୍ଳିଷ୍ଟ ସାହିତ୍ୟ,କିନ୍ତୁ ଭାରି ପଢିବାକୁ ଇଛାଟିଏ ହେଉଥିବା ଖରା ଦିନିଆଁ ଶୋଷ ପରି।ତୁ ଏତେ ଦୁର୍ବୋଧ୍ୟ,ଏତେ ଦୃଗମ୍ୟ।ମୁଁ ସବୁ ବୁଝୁ ଥିଲି ତେବେ ବି ଗୋଡାଉଥିଲି ତୋ ପଛରେ।ମୁଁ ବୁଝିଥିଲି ତୁ ମୋତେ ଇୟୁଜ କରୁଛୁ।କଣ ହେବ ସବୁ ବୁଝି ଲେ ବି ତୋତେ ଦେଖିଲେ ସବୁ ଅଣଦେଖା ହୋଇ ଯାଉଥିଲା।।ଫାଇଦା ପାଇଁ,ପଇସା ପାଇଁ ତୁ କାହା ପାଖେ ବି ନିଜର ସର୍ବସ୍ୱ ଅଜାଡି ଦେଇ ପାରୁ ବିନା ଦ୍ବିଧାରେ।

କେବେ ଯଦି ପଚାରେ ତୁ ଏମିତି କାହିଁକି କରୁଛୁ?ଦେହ ସହ ଖେଳ ଖେଳୁଛୁ।ସେଇ ଦେହ ଟାକୁ ମୁଁ କେମିତି ଗ୍ରହଣ କରିବି?ତୁ ଯା ତୋ ରାସ୍ତାରେ, ମୋତେ ମୋ ରାସ୍ତାରେ ଯିବାକୁ ଦେ ଇଜି।ସେ ମୋ ବେକ ଚାରି ପଟେ ହାତ ଛନ୍ଦି ଗାଲରେ ତା ଗାଲ ରଖି କୁହେ,ଏ ଦେହରେ କଣ ଅଛି?ପଚିଯିବ ଦିନେ।ହେଲେ ମୋ ମନ ସେମିତି ଚମକୁଥିବ।ସେଇଟା କେବଳ ଜୟର।ମୁଁ ଯେବେ ମରିଯିବି କାଟି କୁଟି ଦେଖିବ ସେଠି ଖାଲି ହିଁ ଜୟ,ଜୟ ଲେଖା ଥିବ।

ମୁଁ ଅଭିମାନ କରି କୁହେ ତୋତେ କେମିତି ବୁଝାଇବି ତୋ ମନ ସହ ତୋ ଦେହରେ ବି ଜୟ ଲେଖା ହେଲେ କେତେ ଖୁସି ହୁଅନ୍ତୁ ମୁଁ। ।ମନ ଟାକୁ ଦେଖି ପାରୁନି।ସେଇ ଟାକୁ ମୋ ହାତେ ଦେଇ ଦେଉଛୁ।ଯେଉଁ ଶରୀର ଟାକୁ ଦେଖୁଛି,ଛୁଉଁଛି,ଯାହାର ବାସ୍ନା ମୋତେ ପାଗଳ କରୁଛି ସେଇଟାକୁ ଆଉ କାହାକୁ କେମିତି ବାଢି ଦେଉଛୁ ଅକାତରେ!!ତୋତେ ଛୁଇଁବା ଛାଡ଼ ତୋତେ କିଏ ଅନେଇଁଲେ ବି ମୋ ଦେହେ ବିଷ ଚରିଯାଏ।ତୁ ସେ ବାର ଡ୍ୟାନ୍ସ କରେନି ଆଉ ଇଜି।ତୁ ବି ଜଣେ ମେଧାବୀ ଛାତ୍ରୀ କାହିଁକି ଖେଳୁଛୁ ଲୁଚକାଳି ନିଜ ସହ!!

ହେ !ଏତେ ସେଣ୍ଟି ହୁଅନି ମ୍ ଜୟ।ତୁମେ ସବୁ ପୁରୁଷ ଠୁ ଅଲଗା।ତୁମେ କଅଁଳ ମାଂସ ପାଇଲେ ବି ତୁମ ଦେହରେ ନିଆଁ ଲାଗେନି।ସେଇଥି ପାଇଁ ତ ଇଜି ତୁମ ପାଖେ ଧରା ଦିଏ। ଯେଉଁ ଇଜିକୁ ଧରିବାକୁ ସାରା ସହର ପ୍ରସ୍ତୁତ ,ସେଇ ଦୁର୍ଲ୍ଲଭ ଝିଅ ଟି ତୁମ ପାଖେ ନିଜକୁ ଅଜାଡେ।ଦେହ ନୁହେଁ ମନ ଦିଏ।ଯିଏ ସବୁରି ଉର୍ଦ୍ଧେ।

ଜୟ ମୋ କାର୍ଯ୍ୟ କଳାପ ତୁମକୁ ଖୁବ୍ ଆଘାତ ଦେଉଛି ନା ଠିକ୍ଅଛି ଆଉ ଇଜି ତୁମ ପାଖକୁ ଆସିବନି ତୁମେ ଭଲ ଲାଗୁଥିଲ,ସତ ଖୁସି ଟିକେ ତୁମ ପାଖରୁ ମିଳେ ବୋଲି ତୁମ ସହ ଯୋଡି ହୋଇଥିଲି।ନାଇଁ ଏବେ ତୁମେ ମୋତେ ଘୃଣା କରୁଛ,ଆଉ ଆସିବିନି।ତୁମେ ଖୁସିରେ ରୁହ।କିନ୍ତୁ ବାର୍ ଡ୍ୟାନ୍ସ ଛାଡିବା ମୋ ଦେଇ ଏକବାର ଅସମ୍ଭବ।ମୁଁ ଜାଣିନି କେତେ ଦିନ ଏମିତି ନାଚୁଥିବି, ତୋଷୁଥିବି ଅନ୍ୟ ମାନଙ୍କ କାମନା ପରିତୁପ୍ତି ପାଇଁ।

ଏତକ କହି ଫିକକ୍ କିନା ହସି ଦେଇ ଲାଉ ହୋଇ ପଡୁ ମୋ ଉପରେ।ତୋର ତତଲା ନିଃଶ୍ବାସ ମୋତେ ଆଉ କିଛି କହିବାକୁ ତର ଦିଅନ୍ତି ନାହିଁ।ମୁଁ ତୋତେ ଟାଣି ଆଣି ନଥ୍ କରି ତଳେ କଚାଡି ଦିଏ,କିନ୍ତୁ ଧୀରେ,କାଳେ ତୋତେ କାଟିବ!

ତୁ ଆହୁରି ଜୋରେ ହସି ଉଠୁ।କହୁ ଜୟ ତୁମେ ଖେଳୁଆଡ଼ ନୁହଁ।ଜାଣିନ କେମିତି ଖୁସି କରିବାକୁ ହୁଏ ଗୋଟେ ଝିଅକୁ।ତୁମେ ବରଫ।ଏଇ ଦେଖୁନ ମୁଁ ଶହେ ଭୋଲ୍ଟେଜରର ବତୀ ତୁମେ କେମିତି ଜିରୋ ନୀଳ୍ ଲାଇଟି।ତୁମେ ଜଳନି କି ଜାଳି ପାରନି।ଦେହ ନକ୍ସାକୁ ତୁମେ ଜାଣିନ,ବୁଝିନ।ଏଣୁ ମନ ନେଇ ସନ୍ତୁଷ୍ଟ ରୁହ।ତୁମେ କେବଳ ଇଜିକୁ ଜାଣିଛ ଜଣେ ଛାତ୍ରୀ ହିସାବରେ।ଆଉ କଣ ଜାଣିଛ କି?ଏଣୁ ମନ ନେଇ ଖୁସି ରହିବ ତ ମୋ ସାଙ୍ଗ ହୁଅ, ନଚେତ ଛାଡି ଦେଲି ଆଜିଠୁ ତୁମକୁ ଯାଅ ତୁମେ ଇଜି ଜୀବନ ପରିଧିରୁ ମୁକ୍ତ।

ସତକୁ ସତ ଇଜି ଆଉ ଦେଖା ଦେଲାନି ଜୟ ଜୀବନରେ।ଜୟ କିନ୍ତୁ ଆତ୍ମାରୁ ଭଲ ପାଉଥିଲା ତାକୁ।ନାସିକ୍ ରେ ପିଜି ତାପରେ ପିଏଚଡ଼ି କରୁଥିଲା ଜୟ। ବାଣୀ ବିହାର ସାଇକୋଲୋଜି ଶେଷ ବର୍ଷ ଛାତ୍ରୀ ଥିଲା ଇଜି।ଫୋନ୍ ନମ୍ବର ବୋଧେ ବଦଳେଇ ଦେଇଥିଲା ଆଉ ଯେତେ ଖୋଜିଲା ପାଇଲାନି ଜୟ ତାକୁ।କଲେଜରୁ ଆଡ୍ରେସ୍ ନେଇ ଯାହା ବୁଝିଲା ସେଥିରେ ଜୟ ହୋସ୍ ବୁଡ଼ିଗଲା।

ଚାରି ବଖରା କୋଠା ଘର।ସେଠି ତିନି ଟା ପ୍ରାଣୀ ବଞ୍ଚୁଥିଲେ ଇଜି ଉପରେ ଭରସା କରି।ଜଣେ ବାପା ହାଇ ଡାଇବେଟିସ୍ ରୁ କିଡନ୍ ଓ ଆଖି ନଷ୍ଟ ଯାହାର,ଜଣେ ବୋଉ ଓଭାରୀ କ୍ୟାନ୍ସର ରୋଗୀ ଲାଷ୍ଟ ଷ୍ଟେଜ,ଓ ଆଉ ଗୋଟିଏ ଛୋଟ ଭାଇ ପୋଲିଓ ଗୋଡ଼।ଇଜି ପଢିବା ସହ ବାର୍ ଡ୍ୟାନ୍ସ କରିବାର ଏକମାତ୍ର କାରଣ ଥିଲା;ସେଇ ରୋଜଗାରରେ ସେ ଖାଇବା ଓ ଔଷଧ ଯୋଗାଡ଼ କରୁଥିଲା।ପାଠ ନ ସରିଥିବା ଝିଅଟି ଏତେ ମୋଟା ଅଙ୍କ ଆଉ କେଉଁ କାମରୁ ବା ରୋଜଗାର କରି ପାରିଥାନ୍ତା।ଝିଅଟି ଭାରି ଭଲ ଝିଅ ବାବୁ।ବାପା ମା ଓ ଭାଇ ପାଇଁ ନିଜକୁ ବହୁ କଷ୍ଟ ଦେଇଛି।ଆମେ ଏସବୁ ଜାଣୁ।ହେଲେ ଘୃଣା ପରିବର୍ତ୍ତେ ମୁଣ୍ଡ ନଇଁଯାଏ ଝିଅ ଟି ପାଖେ।ଭାରି ସାହାସୀ।ଏକା ଏକା କୁଆଡେ କୁଆଡେ ବୁଲାଇଛି ରୋଗୀଣା ବାପା,ମା ଓ ଭାଇକୁ।ଦିଲ୍ଲୀ, ମୁମ୍ବେଇ ନେଇଛି ବି।ପାଞ୍ଚ ବର୍ଷ ତଳେ ମା, ପରେ ପରେ ବାପା ଆଖି ବୁଜିଲା ପରେ ଭାଇକୁ ନେଇ ଇଜି କୁଆଡେ ଯାଇଛି।ଆଉ ସେବେଠୁ ଆସିନି ଗାଁ କୁ।ବାବୁ ଇଜିର ସନ୍ଧାନ ପାଇଲେ କହିବ ତାଙ୍କ ଗାଁ ଲୋକେ ତାକୁ ଦେଖିବାକୁ ଚାହିଁ ବସିଛନ୍ତି।।

ଜୟ ଏ କଥା ଜାଣିବାରେ ଯଥେଷ୍ଟ ଡେରି କରିଦେଲା।ସେ କଣ ଭାବୁଥିଲା??ବାର୍ ଡ୍ୟାନ୍ସ କରେ ମଝିରେ ମଝିରେ ଆଠ, ଦଶ ଦିନ କୁଆଡେ ଚାଲିଯାଏ।ଜୟ ଭାବେ କା ସଙ୍ଗେ କେଉଁ ହୋଟେଲ ରେ ଦେହ ସୁଖ ମେଣ୍ଟାଉଥିବ ବୋଲି।ଇସ୍!କି ଭୁଲ କରିଛି ଜୟ।ଅତନ୍ତଃ

ଥରେ ହେଲେ ଇଜି ଦୁଃଖ ସୁଖ ବୁଝି ଥାନ୍ତା।କେବଳ ଅନୁମାନ ଓ ସନ୍ଦେହ କଲା ସେ ଇଜିକୁ।ଛିଃ ଜୟ ଛି।ନିଜକୁ ଧିକାର କଲା ସେଦିନ ଜୟ।ଇଜି ଠିକ୍ କହୁଥିଲା ଦେହ ଓ ଦାହ ସର୍ବସ୍ୱ ମଣିଷର ଲାଳସା ଥାଏ।କିନ୍ତୁ ମନ !ସେ ସର୍ବଥା ପବିତ୍ର।ଆହା ଇଜି କେତେ ଦୁଃଖର ପାହାଡ଼ ବୋହି ଏକା ଏକା ଚାଲୁଥିଲା!

ବାସ୍ ଇଜି ଅଧ୍ୟାୟ ସେବେଠୁ ବନ୍ଦ।କିନ୍ତୁ ମନ ଖୋଜେ ଇଜିକୁ। ଇଜିର ଫିକ୍ କିନା ହସ ମୁହଁଟି ଦିଶିଯାଏ।ଇଜି ମନସ୍କ ଜୟ ନୀରବରେ କେବଳ ତାର ସୁଖ ଖୁଡି କାମନା କରି।ଯେଉଁଠି,ଯେମିତି ଥାଉ ଭଲରେ ଥାଉ ତା ଇଜି।ଭାବେ ଦେଖା ହେଲେ ପଚାରିଥାନ୍ତା କାହିଁକି ନିଜ ବିଷୟର ଏତେ ବଡ଼ ସତ୍ୟ ଲୁଚାଇ ଥିଲା ସେ।ଯେବେ ପଚାରେ ଜୟ ତା ଘର ବାପା ମା ବିଷୟରେ ଇଜି ତାକୁ ମିଛ କାହିଁକି କହୁଥିଲା ସେ ଅନାଥ।କାହିଁକି କହୁଥିଲା ଏମିତି!!ଅନାଥ ଶୁଣିଲା ପରେ ବେଶୀ କିଛି ପଚାରିଲେ କାଳେ ଇଜିକୁ କଷ୍ଟ ହେବ ଭାବି ଜୟ ତୁନି ରହିଥିଲା।ହେଲେ .... ସାର୍ !ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଡାକିଲେ ନର୍ସ ଅପେରେସନ୍ ଟେବୁଲ ରେଡି ସାର୍।ଆଜି ଡଃ ଥୋମାସ୍ ଙ୍କ ସହ ଆପଣଙ୍କର ତିନି ନମ୍ବର ପେସେଣ୍ଟର ଅପେରେସନ୍ ଅଛି ସାର୍।

ଓଃ ୟସ୍ ୟସ୍।ଭାବନା ବକ୍ସ୍ ବନ୍ଦ କରି ଅପେରେସନ୍ ଥିଏଟେରକୁ ଚାଲିଲେ ଡ଼ଃ ଜୟ ଜିତ୍।ସାଙ୍ଘାତିକ କେସ୍।ସମସ୍ତ ରିପୋର୍ଟ ଦେଖାଇଛନ୍ତି ଡଃ ଥୋମାସ ଡଃ ଜୟଙ୍କୁ।।ବିଚରା ରୋଗୀଟି ଯେ ବଞ୍ଚିବା ନିଶ୍ଚିନ୍ତ ମୁସ୍କିଲ ଜୟ ରିପୋର୍ଟ ଦେଖି ଜାଣିଥିଲେ।ଏଡ୍ସ ରୋଗରେ ଆକ୍ରନ୍ତ ପୁଣି ବ୍ରେନ ଟ୍ୟୁମର।ଡ଼ଃ ଥୋମାସ୍ ବିଖ୍ୟାତ ନିରୋଲିଜିଷ୍ଟ୍।ସହଭାଗୀତା କରିବେ ଯୁବ ନିରୋଲୋଜିଷ୍ଟ୍ ଡଃ ଜୟ ଜିତ୍ ତ୍ରିପାଠୀ ।ଏପରି ରୋଗୀଙ୍କ ପ୍ରତି ଅହେତୁକ ମମତା ଜାଗେ ଡଃ ଜୟଙ୍କର।କିଛି ରୋଗୀ ବି ଭଲ ହୋଇ ଯାଆନ୍ତି।ତିନି ନମ୍ବର ପେସେଣ୍ଟକୁ ଦେଖି ନାହାନ୍ତି ସେ।ତଥାପି ଡଃ ଜୟ ପେସେଣ୍ଟ ପାଇଁ ଈଶ୍ୱରଙ୍କୁ ଡାକିଲେ ହେ ପ୍ରଭୁ ବଞ୍ଚାଇଦିଅ ରୋଗୀଟିକୁ।ଏଇଟା ପ୍ରତି ଅପେରେସନ୍ ପୂର୍ବରୁ ନିଜକୁ ସବୁରି ଉପରେ ଥିବା ବଡ଼ ଡାକ୍ତରଙ୍କ ପାଖେ ସମର୍ପଣ କରି ଅପେରେସନ୍ ଥିଏଟର କୁ ଯାଆନ୍ତି ଡଃ ଜୟ।

ଡ୍ରେସ ଅପ୍ ହୋଇ ଡଃ ଜୟ ଅପେରେସନ୍ ଥିଏଟରକୁ ଗଲେ। ପେସେଣ୍ଟ୍ ଦେଖି ହତ ବାକ୍ ହୋଇଗଲେ।ଏ କଣ!ଅପେରେସନ୍ ବେଡ଼ରେକିଏ ଶୋଇଛି !!!ତାଙ୍କ ହୃଦୟର କୋମଳ ସ୍ଥାନରେ ବସିଥିବା ଝିଅ ଇଜି ଛୋଟରାୟ!!ଓ ଭଗବାନ!ଏତେବଡ଼ ଫରେନ ଫେରନ୍ତା ଡାକ୍ତର ଦୋହଲି ଗଲେ।ଇଜିକୁ ସେ ଦେଖିବାକୁ ଚାହୁଁ ଥିଲେ।ଜାଣିବାକୁ ଚାହୁଁଥିଲେ ସେ କେମିତି ଅଛି ,କଣ କରୁଛି।କିନ୍ତୁ ଏମିତି ଭାବେ ଇଜି ସହ ଦେଖା ହୋଇଯିବ ଏ ଜୟର କଳ୍ପନା ବାହାରେ ଥିଲା।ପ୍ରତିଦିନ ଦେହ ମୁଣ୍ଡ କାଟୁଥିବା ଡଃ ଜୟ ଆଜି କେମିତି ଟିକେ ଦୁର୍ବଳ ହୋଇ ପଡ଼ିଲେ।

ଇଜି.....ଇଜି ଡାକ ଟିଏ ମନ ଭିତରୁ କିଏ ଯେପରି ଡାକୁଥିଲା।ଡଃ ଜୟ ଙ୍କ ଆଖିରେ ଆଷାଢ଼।ନିଶା ଇଂଜେକ୍ସନ ନେଇ ଆଖି ବୁଜି ହୋଇଯିବା ପୂର୍ବରୁ ଇଜି ଚିହ୍ନି ପାରିଲା ବୋଧେ ଜୟଙ୍କୁ। ଆଃ କି କରୁଣ ଚାହାଣୀ!!କଣ କହିବି କହିବ ହେଉଥିଲା ଇଜି ନିଶାରେ ଆଖି ମୁଦି ହୋଇଗଲା। ଗଳି ପଡିଲା ଲୁହ ଦୁଇଧାର ଗାଲ ଦେଇ କାନ ମୂଳ ପର୍ଯ୍ୟନ୍ତ।ସରାଗରେ ଇଜି ଲୁହ ଧାର ପୋଛି ଦେଉ ଦେଉ ପ୍ରସିଦ୍ଧି ଲାଭ କରିଥିବା ନାଁ କରା ଡଃ ଜୟ ଙ୍କ ଆଖିରେ ଆଖିଏ ମେଘ ଘୋଟିଗଲା।ଇଜି ହାତ ପାପୁଲିରେ ନିଗିଡି ପଡିଲା ଡଃ ଜୟଙ୍କ ଆଖିର ଦୁଇଟୋପା ଅଶ୍ରୁର ବର୍ଷା ବିନ୍ଦୁ।ହଲିଗଲା ଇଜିର ହାତ।ଡଃ ଜୟ ନିର୍ବାକ।ଇଜିର ନିଃସ୍ତେଜ ଶରୀର ବି ଜୟର ଲୁହକୁ ଅନୁଭବ କରି ପାରୁଛି ଏବେ ବି।

ଅପରେସନ ଆରମ୍ଭ ହୋଇଗଲା।ଡଃ ଜୟଙ୍କୁ ଲାଗୁଥିଲା ସେ ନିଜ ହାତରେ ନିଜ ମୁଣ୍ଡ ଟି କାଟୁଛନ୍ତି ଅତି ନିର୍ଦ୍ଦୟ ଭାବେ.....

*Satyabati swain, balikuda,jagtsinghpur*

ଆଷାଢ଼ ଟେନସନ୍ ଯୁଗଳ ମୂର୍ତ୍ତି

Rate the content


Originality
Flow
Language
Cover design

Comments

Post

Some text some message..