Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାନସିକ
ମାନସିକ
★★★★★

© Chinmayee Barik

Inspirational

4 Minutes   7.3K    18


Content Ranking

             ହଁ,ଶୁଣିଲି...ପ୍ରବୀଣର ଦେହ ଖରାପ । ଅତରଛିଆ ଦୌଡିଲି ତା ଘରକୁ । ପ୍ରବୀଣ ମୋ ସାଙ୍ଗ ।ଘରକୁ ଗଲେ କେତେବେଳ କେମିତି ଦେଖାହୁଏ କିନ୍ତୁ ସେଦିନ ତା ଖବର ଶୁଣି ଆଉ ରହି ପାରିଲିନି ।ଆମ ଘର ସାମ୍ନାରେ ତା ଘର । ବୋଉ କହିଲା ..ଦେଖିକି କଥା ହେବୁ ।ତୁ ତ ବଜର ବଜରିଆ ଝିଅଟେ ।ମୋ ମୁହଁଟା ଟିକେ ଆମ୍ବିଳା ହୋଇଗଲା ।ସବୁବେଳେ ବୋଉର ଏମିତି କଥା । ମୁଁ ଯେ ବଡ ହୋଇଗଲିଣି ଏ କଥା ତାକୁ ମାଲୁମ ପଡେନି ବୋଧେ । ଧେତ୍ ତେରିକା କହି ବାହାରି ଗଲି ପ୍ରବୀଣ

ଘରକୁ ।

ପ୍ରବୀଣ ବସିଥିଲା ଗୋଟେ ଚେୟାର ଉପରେ । ପେଟ ଯାଇ ପିଠିରେ । ଆଖିରେ ପୋଷେ ଚାଉଳ ଧରିବ ।ଗାଲ ଠକରା ।ତାର ଷ୍ଟାଇଲ୍ କରା ଶାହାରୁଖ ଖାଁ ପରି ଚୁଟି ଅଧା ଖସି ଗଲାଣି । ବେକଟା ଲମ୍ବି ଯାଇଛି ।ତାକୁ ଦେଖୁ ଦେଖୁ ମୁଁ ଥମ୍ କରି ବସି ପଡିଲି ପାଖ ଷ୍ଟୁଲ୍ ରେ ।

- ହାଁ,ହାଁ.....ପଡିଯିବୁ ଯେ ଧିରେ ..ଏ.... ଖାପଛଡା କଥା ଗୁଡା ବାହାରି ଆସିଲା ତା ମୁହଁରୁ ।

-ଉଁ..ହଁ,ଠିକ୍ ଅଛି ମୁଁ ।କହିଲି ଅନ୍ୟ ମନସ୍କ ଭାବରେ ।

ମୋତେ ଦେଖି ତା ଆଖିରେ କୋଟିଏ ଯୁଗର ଖୁସି ଝଲକୁ ଥିଲା ।ମୁଁ କିନ୍ତୁ ଦେଖି ପାରୁଥିଲି ତା ହଳଦିଆ ଆଖି ଭିତରୁ ଘୁଣ ଲାଗି ଯାଇଥିବା ତା ଅକୁହା କଥାଟିକୁ ।ହଁ,ତାର ଲିଭର୍ ଇନ୍ଫେକ୍ସନ ହୋଇଛି ।ଦଣ୍ଡିସ୍ ହେଇଛି ।ଅନେକ ଡାକ୍ତର ଦେଖାଇ ସାରିଲାଣି ।ବାଙ୍ଗାଲୋରରୁ ଥରେ ଅପରେସନ ହୋଇ ଆସି ସାରିଲାଣି ।ଡାକ୍ତର କହୁଛନ୍ତି ରିକଭରି ହେବ ଧିରେ ଧିରେ ।ପେସେନ୍ସ ରଖ ।

ହଁ,ପେସେନ୍ସ ହିଁ ତ ରଖିଛି ସେ । ତା ସ୍ତ୍ରୀ ମିତା ଆଉ ବୁଢା ବାପା ମା ବି ରଖିଛନ୍ତି ।ଆଗକୁ ବି ଦୁଇଟି ଗୁରୁଣ୍ଡୁଥିବା ଝିଅ ଦୁଇଟା ବି ।

ଗୋଟିଏ ମାତ୍ର ରୋଜଗାରିଆ ପୁଅ ଆଜି ବେରୋଜଗାର ଆଉ ରୋଗୀ ହୋଇ ଖାଲି ଆକାଶକୁ ଅନାଇ ଥାଏ ।ବୋଧ୍ ହୁଏ ଆକାଶ ଛାତିରୁ ସେ କିଛି ଅଣ୍ଡାଳୁ ଥାଏ । କଣ ଅଣ୍ଡାଳେ ସେ ? ପଚାରିବାକୁ କାହାରି ଜୁ ନାହିଁ ।ସମସ୍ତେ ଯନ୍ତ୍ର ଭଳି କାମ କରୁଥାଆନ୍ତି ଚୁପ୍ ଚାପ୍ ହୋଇ ।

ବୋଧ୍ ହୁଏ ସମସ୍ତେ ପରସ୍ପରକୁ କିଛି ଲୁଚାଇବାର ପ୍ରୟାସରେ...

କିଛି ସମୟ ପରେ ମୁଁ କହିଲି ..କେମିତି ଅଛୁ କହ?

-ଯାଃ..ମୋତେ ଦେଖି କିଛି ବୁଝିପାରୁନୁ?ଅତି ଫୁଲେଇ ହେଉଛୁ??

କଥାଟା ଏଇଆ ଥିଲା ଯେ ମୁଁ କଣ କହିବି କଣ ପଚାରିବି ଜାଣି ପାରୁ ନ ଥିଲି ।

ହଠାତ୍ ସେ ହସି ଉଠିଲା ।କହିଲା ହେଇ ଦେଖ୍ ଦେଖ୍ କିସୁନ୍ଦର ପ୍ରଜାପତି?ମୁଁ ଆଶ୍ଚର୍ଯ୍ୟ ହେଲି ।ପଚାରିଲି ତୁ କଣ କେବେ ପ୍ରଜାପତି ଦେଖି ନ ଥିଲୁ କି ?ସେ କହିଲା ..ଦେଖିଥିଲେ ବି ତା ସୁନ୍ଦରତାକୁ କେବେ ଉପଭୋଗ କରିନି ।ଏବେ ମୋତେ ଲାଗୁଛି ପୃଥିବୀଟା ଭାଆରୀ ସୁନ୍ଦର ।ଫୁଲ ଫୁଟୁଛି,ସକାଳ ହେଉଛି,କୋଇଲି ଗାଉଛି,ଆମ୍ବ ଗଛରେ ବଉଳ ଧରିଛି,ଗାଈ ହାମାମା ରଡି ଦେଉଛି ...ଏସବୁ ...ଏସବୁ ଶୁଣିଥିଲି ହେଲେ ଅନୁଭବ କରି ନ ଥିଲି ରେ ...ଏଇନା ସବୁ ଦଖୁଛି । ଅନ୍ଧ ଆଖି ପାଇଲା ପରି ଲାଗୁଛି । ଇସ୍...କି ସୁନ୍ଦର ପୃଥିବୀ ।ଏଇ ତୋର ମନେ ଅଛି ନା ଆମେ ଗାଉଥିଲେ..କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର...।ସେ ମୋତେ ପୁଣି ତରାଟି ଅନାଇଲା..କହିଲା ...ଆରେ ହେଇ..ତୋର ଏତେ ସୁନ୍ଦର ଘଂଚ ଚୁଟି ।କେବେ ତ ମୋ ଆଖି ପଡିନି ,ଆଜି ଦେଖୁଛି ..ହଁ ସତେତ...

ମୁଁ ହତବାକ ହୋଇ ଶୁଣୁଥାଏ ତା କଥା । ଲାଗୁଥାଏ ମୋ ନିଃଶ୍ୱାସ ବନ୍ଦ ହୋଇ ଯିବକି?

ଏହା ଭିତରେ ସେ ଡାକ ପକାଇଲା ତା ସ୍ତ୍ରୀ ମିତାକୁ ।କହିଲା ମୋ ସାଙ୍ଗ ଆସିଛି, ତୁ କଣ ଚା ଟିକେ ବି ଦେବୁନି ?କୁଆଡେ ଲୁଚିଛୁ ଯେ??

ମିତା ଆସିବା ଆଗରୁ ସେ ମୋ ପାଖକୁ ଘୁଂଚି ଆସିଲା ।ତା ଶିରାଳ ହାତରେ ମୋ ହାତକୁ ଧରି ପକାଇଲା ଓ କହିଲା ..ଡାକ୍ତର କହିଛି ବେଶୀରେ ବେଶୀ ଆଉ ମୋଟେ ଦୁଇମାସ ।କିଛି ଚାଂସ୍ ନାହିଁ ଆଉ ।ମିତାକୁ ଡାକ୍ତର କହିଲା ବେଳେ ମୁଁ ଶୁଣିଛି ଏ କଥା ।ଦେହରେ ଖୁବ୍ କଷ୍ଟ ।ରାତି ସାରା ଯନ୍ତ୍ରଣାରେ ଶୋଇ ପାରୁନି ।କିନ୍ତୁ ମୁଁ ବଂଚିବାକୁ ଚାହେଁ ରେ ।ଟିକେ ଜୀବନ ଚାହେଁ...ମିଳିବନି ଟିକେ ଜୀବନ ମୋତେ?

ମିତାର ପାଦ ଖସ ଖସ ଶୁଣି ସେ ଧଡାସ୍ କରି ଚୁପ୍ ରହିଗଲା ।ମୋ ଭିତରେ ଥିବା ହାବୁଚାଏ କୋହର ଆଗ୍ନେୟ ଗିରି ଯେମିତି ବାହାରି ଆସୁଥିଲା ...ବଡ କଷ୍ଟରେ ମାଡିମୁଡି ଢୋକି ପକାଇଲି ତାକୁ ।

ମିତା ଆସିଲା ହସ ହସ ମୁହଁରେ ଚା ଆଉ ଗୁଡ୍ ଡେ ବିସ୍କୁଟ୍ ନେଇ ।ମଥାରେ ଦାଉ ଦାଉ ସିନ୍ଦୂର ଟୋପା ।ଇସ୍..ଦେଖି ପାରିଲିନି ଆଉ ।ମିତା ହସି ହସି କହିଲା ..ଅପା ତୁମ ସାଙ୍ଗ ଭାରୀ ଛାନିଆ ଲୋକ ।ଡାକ୍ତର କହିଛନ୍ତି ଭଲ ହୋଇଯିବେ ।ଆଉ ଇଏ ଖାଲିଟାରେ ବ୍ୟସ୍ତ ।ମୁଁ ଆଦୌ ବ୍ୟସ୍ତ ନୁହେଁ ।ସବୁ ଠିକ୍ ହେବ ।ମୁଁ ବୁଢୀ ଠାକୁରାଣୀ ପାଖରେ ମାନସିକ ରଖିଛି ।ସବୁ ଠିକ୍ ହେବ ମ ଅପା ..ଦେଖିବ ।

ବହୁତ ଡେରୀ ହୋଇ ଯାଇଥିଲା ।ଫେରିବାକୁ ବାହାରିଲି ।ମିତା ମୋତେ ଏକ ପ୍ରକାର ଟାଣି ତା ଠାକୁର ଘରକୁ ନେଇଗଲା ।ନଡିଆଟେ ଦେଖାଇ କହିଲା ..ଅପା ନଡିଆ ଠାକୁରାଣୀ ପାଖରେ ବାଡେଇବା ଦାୟିତ୍ୱ ତୁମର ।ଯେତେବେଳେ ଡାକିବି ଆସିବ ଟିକେ ।ତା ମାନସିକ କଥା ବି କହିଲା ।

ମୁଁ ଫେରିଲି କିନ୍ତୁ ମୋ ଦେହରେ ଆଉ ଆତ୍ମା ନ ଥିଲା ।ଆସି କଚାଡି ହେଲା ଭଳି ଖଟରେ ପଡିଗଲି ।

---------------********----'------'**********----'---------

ଠିକ୍ ପାଂଚ ଦିନ ପରେ ହଠାତ୍ ଦିନେ ମିତା କବାଟ ବାଡେଇଲା । ମୁଁ କବାଟ ଖୋଲି ତାକୁ ଅନାଇଲି । ତା ମୁହଁ ଦେଖି ତୁରନ୍ତ ତା ପଛେ ଧାଇଁଲି ତା ଘରକୁ ।

ସବୁ ସରି ଯାଇଥିଲା ।ପ୍ରବୀଣ ଶୋଇଯାଇଥିଲା ଶାନ୍ତିର ନିଃଶ୍ୱାସ ନେଇ ।ବୁଢା ବାପ ମା ବେହୋସ୍ ଆଉ ପ୍ରିୟ ପରିଜନଙ୍କର ବିକଳ ପ୍ରଳାପ ।ଝିଅ ଦୁଇଟି ସମସ୍ତଙ୍କୁ ଅନାଉଥିଲେ ମଟମଟ ହୋଇ ।

କଣ ଆଉ କରିବାର ଥିଲା ମୋର ।ଅନେକ ତ କାନ୍ଦି ସାରିଥିଲି ଆଗରୁ ।ଆଜି ଗୋଟିଏ କାମ ବାକି ଅଛି ।ଠାକୁର ଘରକୁ ପଶି ନଡିଆଟା ଧରି ଏକ ମୁହାଁ ହୋଇ ଚାଲିଲି ବୁଢୀ ଠାକୁରାଣୀ ପାଖକୁ ...ଗଲା ବେଳେ ମିତାକୁ ଥରେ ଅନାଇଲି ।ସେ ନିଃ ସଙ୍କୋଚରେ ପ୍ରବୀଣର ହିମଶୀତଳ ଗାଲରେ ଆଙ୍କି ଦେଉଥିଲା ତୃପ୍ତିର ଶେଷ ଚୁମ୍ବନଟିଏ...

ନା,....ଆଉ ଧେର୍ଯ୍ୟ ନ ଥିଲା ମୋର କିଛି ଦେଖିବାକୁ ।ନଡିଆଟି ହାତରେ ଧରି ଗଲା ବେଳେ ମନେ ପଡୁଥିଲା ସେଦିନ କହିଥିବା ମିତାର ଶେଷ ପଦକ। ସେ ମାନସିକ କରିଥିଲା ଯେ ପ୍ରବୀଣ ଯଥା ଶୀଘ୍ର ଭଲ ହେଇଯାଉ ।ଆଉ ଯଦି ଭଲ ନ ହୁଏ ଓ ମୃତ୍ୟୁ ଯଦି ସୁନିଶ୍ଚିତ ତେବେ ଦୁଇ ମାସ କାହିଁକି... ଯଥା ଶୀଘ୍ର ତାର ମୃତ୍ୟୁ ହେଉ ।

ଆଉ ବୁଢୀ ଠାକୁରାଣୀ ତାର ଦ୍ୱିତୀୟ କଥାଟିକୁ ହିଁ ମଂଜୁର କରିଥିଲେ ....

ମାନସିକ ଅନ୍ଧ ବୋଉ

Rate the content


Originality
Flow
Language
Cover design

Comments

Post

Some text some message..