Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amulya Kumar Panda

Inspirational

1.0  

Amulya Kumar Panda

Inspirational

ମହାପ୍ରଭୁଙ୍କମହାଲୀଳା (ରଥଯାତ୍ରା)

ମହାପ୍ରଭୁଙ୍କମହାଲୀଳା (ରଥଯାତ୍ରା)

12 mins
7.7K


କରୁଣା ବରୁଣାଳୟ ଜଗତର ନାଥ ମହାପ୍ରଭୂଙ୍କର ଲୀଳା ଅପାର । ପବିତ୍ର ରଥଯାତ୍ରା ଅବସରରେ ଶାସ୍ତ୍ର ,କିମ୍ବଦନ୍ତୀ ତଥା ବିଭିନ୍ନ ଗବେଷକ ଓ ପତ୍ରପତିିକା ଇତ୍ୟାଦିରୁ ସଂଗୃହୀତ ' ରଥଯାତ୍ରା' ର ସ୍ବତନ୍ତ୍ର ଉପସ୍ଥାପନା ।

ରଥଯାତ୍ରା ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣା l ପୁରୀ ତଥା ଦେଶ ବିଦେଶରେ ପାଳିତ ହୋଇ ଆସୁଥିବା ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପର୍ବ । ଅଧୁନା ଏହା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରାର ମଧ୍ୟରେ ପ୍ରଧାନ ।ଏହା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ । ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ । ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ । ଏହାକୁ ଗୁଣ୍ଡିଚା ପଞ୍ଚକ କୁହଯାଏ । ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି। ଋକ୍ ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ । ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ । ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ । ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା। ଯେଉଁ ସବୁ ରଥଯାତ୍ରାର ଉଲ୍ଲେଖ ହେଇଛି ସେଥି ମଧ୍ୟରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ସବୁଠାରୁ ଅଧିକ ଜନାଦୃତ ଓ ପ୍ରସାରିତ । କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ ପରିବ୍ରାଜକ ଫାଇୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି । ଏହି ରଥ ଯାତ୍ରା ର ନାମ କରଣ ର ମଧ୍ଯ କିମ୍ବଦନ୍ତୀ ଅଛି l

#ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା ।

#ଆଡ଼ପମଣ୍ଡପ_ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା ।

#ଜନ୍ମବେଦୀବାଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପମଣ୍ଡପଠାରେ ହୋଇଥିବାରୁ ଜନ୍ମ‌ବେଦୀ ବା ଅନ୍ତର୍ବେଦୀ ଯାତ୍ରା ।

#ଦଶାବତାର_ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଦଶାବତାର ଯାତ୍ରା ।

#ପତିତପାବନ_ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ପତିତପାବନ ଯାତ୍ରା ।

#ନବଦିନାତ୍ମକ_ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ନବଦିନାତ୍ମକ ଯାତ୍ରା ।

#ଗୁଣ୍ଡିଚା_ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହା ଗୁଣ୍ଡିଚା ଯାତ୍ରା ।

ପୌରାଣିକ ତଥ୍ୟ ଓ କିମ୍ବଦନ୍ତୀ ତଥା ପୌରାଣିକ ଆଖ୍ୟାୟିକା ଅନୁଯାୟୀ, ଜାରା ଶବର ଶରରେ ପ୍ରାଣ ଛାଡ଼ିଲେ ଦ୍ଵାରକାଧିପତି ଶ୍ରୀକୃଷ୍ଣ । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବଗଣ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ, କାରଣ ଅଗ୍ନିର ଦାହିକା ଶକ୍ତି ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ଵରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନ ଥିଲା । ଶୂନ୍ୟବାଣୀ ହେଲା- କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ ପାଣ୍ଡବମାନେ ତାହାହିଁ କଲେ। ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ଵୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ। ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏ ଦ୍ଵାର ଖୋଲାଯିବ ନାହିଁ । ମାତ୍ର ପନ୍ଦର ଦିନ ପରେ ଦ୍ଵାର ଖୋଲାଗଲା ମୂର୍ତ୍ତିନିର୍ମାଣ କରୁଥିବା ବୃଦ୍ଧ ଉଭାନ ହୋଇଗଲେ । କେବଳ ଅଧାଗଢା ମୂର୍ତ୍ତି ରହିଗଲା ଅଧାଗଢ଼ା ମୂର୍ତ୍ତିକୁ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ : ହେ ରାଜା, ବର୍ଷକୁ ଥରେ ଜନ୍ମଭୂମିକୁ ଆଣିବ। ସେଥିପାଇଁ ଶ୍ରୀଜୀଉମାନେ ଗୁଣ୍ଡିଚାଘରକୁ ବୁଲି ଯାଆନ୍ତି ଓ ବାହୁଡ଼ନ୍ତି।

ବିଭିନ୍ନ ପୁରାଣରେ ମହାପ୍ରଭୁମାନଙ୍କର ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ଵର ଏକ ସହସ୍ର ଅଶ୍ଵମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ । ତେଣୁ ପୁରାଣ ମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ l

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ନିମ୍ନରେ ସେହି ବିବରଣୀର ସାରମର୍ମ ଉଲ୍ଲେଖ କରାଯାଇଛି - ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ । କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଆଜ୍ୟଧାରଯୁକ୍ତ ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ । ଆଚାର୍ଯ୍ୟ ପତଗଧ୍ଵଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ଵନି କରାଇବେ । ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ଵଗୃହକୁ ଫେରିବେ । ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ଵଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ । ସ୍କନ୍ଧ ପୁରାଣ ଅନୁସାରେ - ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ । ଗରୁଡଧ୍ଵଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମିକା ଯାତ୍ରା କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ଵିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା l

ଚୈତନ୍ୟ ଚରିତାମୃତ ଗ୍ରୀନ୍ ଅନୁସାରେ ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ଵାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ । ପୁନଶ୍ଚ ଉକ୍ତ ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ , ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା। ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ। ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା। ରଥଗୁଡିକ ଉଜ୍ଜ୍ଵଳ ଦର୍ପଣ ଓ ଶହ ଶହ ଚାମର ଦ୍ଵାରା ସଜ୍ଜିତ ହେଉଥିଲା। ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା। ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ର ଦ୍ଵାରା ସୁଜ୍ଜିତ ହେଉଥିଲା। ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା। ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କ ଦ୍ଵାରା ହେଉଥିଲା। ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀ ଦ୍ଵାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ଵଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା ।

ନୀଳାଦ୍ରି ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିର କୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ଵାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା । ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ । ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ଵର୍ଣପୁରୀ ନିର୍ମାଣ କରିଥିଲେ । ସେହିଠାରେ ଦୁଇ ସ୍ଵର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ l ଅର୍ଥାତ ସ୍ଵର୍ଣପୁରୀରେ ଦେବଦୂତ ଦ୍ଵୟ ନାନା ରୁଚିର ଅଳଙ୍କାର ମାନ ସଂଯୁକ୍ତ କରି ରଥ ତିନୋଟି ନିର୍ମାଣ କରିଥିଲେ ।ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ଵାରା ସଜାଇଥିଲେ । ସେଥିରେ ନାନା ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଇଥିଲେ । ରଥର ଚକ ଗୁଡାକ ଲୁହାରେ ତିଆରି କରିଥିଲେ । ରଥଚକର ଅର ଗୁଡିକ ସୁନାରେତିଆରି କରିଥିଲେ । ସୁନା ଚକ ବେଶ ଆକର୍ଷକ ଥିଲା । ରଥ କେବଳ ରତ୍ନ ଏବଂ ସ୍ଵର୍ଣ ଅଳଙ୍କାର ମାନ ଲଗାଯାଇନଥିଲା , ଏହାର ଚାରିପଟେ ନାନା ଅବତାର ମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା । ସେଗୁଡିକୁ ପାର୍ଶ୍ଵ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ । ସୁନା ରେ ଘୋଡା ନିର୍ମାଣ କରି ରଥରେ ସଂଯୋଗ କଲେ । ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ଵଳ ଆକୃତି ର ଦୁଇଟି ନିଧି ସେହି ରଥ ରେ ମଣ୍ଡିତ କଲେ । ତିନି ଲୋକ ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରଯାଇଥିଲା । ସେଥିମଧ୍ୟରୁ -ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି "ଗରୁଡ ଧ୍ଵଜ",

ଜଗତଜନନୀ ମା' ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ "ପଦ୍ମ ଧ୍ଵଜ", ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ "ତାଳ ଧ୍ଵଜ" l

ରଥ ତିନୋଟି ନିର୍ମାଣ ହେବ ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣ ର ପତାକା ସଂଯୋଗ କରାଯାଇଥିଲା । ନାନା ଶୁଭଗୁଣରେ ଅନ୍ଵିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥ କୁ ଦେଖି ସମସ୍ତେ ଚକିତ ହୋଇଥିଲେ । ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା ।

ହିନ୍ଦୁ ଜ୍ୟୋତିଷିକ ତତ୍ତ୍ଵରେ ଗ୍ରହଜଗତ ନଅଗୋଟି ଗ୍ରହଙ୍କୁ ନେଇ ଗଠିତ, ଯଥା- ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ । ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟ ଜ୍ୟୋତିଷିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ । ଆଷାଢ଼ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ରଥାରୁଢ଼ ହୋଇ ଶ୍ରୀମନ୍ଦିର ଛାଡ଼ି ଘୋଶଯାତ୍ରାରେ ନବଦିନ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଆଷାଢ଼ ଶୁକ୍ଳ ତୃତୀୟାଠାରୁ ଆଷାଢ଼ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥ ଚଢ଼ି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ଘୋଷଯାତ୍ରାସହ ନବଗ୍ରହଙ୍କ ଘନିଷ୍ଟ ସମ୍ପର୍କ ରହିଛି । ଶ୍ରୀଜଗନ୍ନାଥଙ୍କ ଏହି ନବଦିନ ଯାତ୍ରା ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରିଥାଏ । ସପ୍ତାହକର ସାତଦିନ ଗ୍ରହମଣ୍ଡଳର ଗ୍ରହମାନଙ୍କ ନାମରେ ନାମିତ । ରବିଙ୍କ ଉଦ୍ଦେଶ୍ୟରେ ରବିବାର, ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସୋମବାର, ମଙ୍ଗଳଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର, ବୁଧଙ୍କ ଉଦ୍ଦେଶ୍ୟରେ ବୁଧବାର, ଦେବଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଗୁରୁବାର, ଶୁକ୍ରଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଓ ଶନିଙ୍କ ଉଦ୍ଦେଶ୍ୟରେ ଶନିବାର । କିନ୍ତୁ ଅନ୍ୟ ଦୁଇଗ୍ରହ, ଯଥା ରାହୁ ଓ କେତୁ ଛାୟାଗ୍ରହ ହେତୁ ଏମାନଙ୍କର କୌଣସି ସ୍ଵତନ୍ତ୍ର ବାର ନାହିଁ । ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ସାତଦିନ ରହନ୍ତି ଏବଂ ସପ୍ତାହର ପ୍ରତ୍ୟେକ ବାରକୁ ଆବୃତ୍ତ କରନ୍ତି । ଆଷାଢ଼ ମାସର ତୃତୀୟା ତିଥି ଯେଉଁଦିନ ପଡ଼ିବ ସେହିଦିନ ଶ୍ରୀଜଗନ୍ନାଥ ସେହିବାରର ପ୍ରତୀକଗ୍ରହ ରୂପେ ପୁଜା ପାଆନ୍ତି । ମନେକର ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥି ଘୋଷଯାତ୍ରା ଦିନ ରବିବାର ହେଲେ ତୃତୀୟା ସୋମବାର ହେବ ଏବଂ ତୃତୀୟାଠାରୁ ଶ୍ରୀଜଗନ୍ନାଥ ଆଗାମୀ ରବିବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପ୍ରତ୍ୟେକ ଗ୍ରହଙ୍କ ନିର୍ଦ୍ଧିଷ୍ଟ ସେହି ଗ୍ରହଙ୍କ ସ୍ଵରୂପ ଭାବରେ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି । ସୋମବାର ଦିନ ଚନ୍ଦ୍ରଙ୍କ ସ୍ଵରୂପ, ମଙ୍ଗଳବାର ଦିନ ମଙ୍ଗଳଙ୍କ ସ୍ଵରୂପ, ବୁଧବାର ଦିନ ବୁଧଙ୍କ ସ୍ଵରୂପ, ଗୁରୁବାର ଦିନ ବୃହସ୍ପତିଙ୍କ ସ୍ଵରୂପ, ଶୁକ୍ରବାର ଦିନ ଶୁକ୍ରଙ୍କ ସ୍ଵରୂପ, ଶନିବାର ଦିନ ଶନିଙ୍କ ସ୍ଵରୂପ ଓ ରବିବାର ଦିନ ରବିଙ୍କ ସ୍ଵରୂପ ଭାବରେ ପୂଜା ପାଆନ୍ତି । କିନ୍ତୁ ରାହୁ ଓ କେତୁ ଏ ଦୁଇ ଗ୍ରହଙ୍କ ସ୍ଵତନ୍ତ୍ର ବାର ନଥିବା ହେତୁ ପ୍ରଥମ ଗୁଣ୍ଡିଚା ଘୋଷଯାତ୍ରା ଓ ଶେଷ ବାହୁଡ଼ା ଏ ଦୁଇ ଦିବସକୁ ରାହୁ ଓ କେତୁଙ୍କ ପାଇଁ ନିର୍ଦ୍ଦିଷ୍ଟ ବୋଲି ନିର୍ଣ୍ଣୟ କରାହୁଏ । ଏକସପ୍ତାହ ବ୍ୟାପି ଗୁଣ୍ଡିଚାରେ ରହଣୀ କାଳ ଚନ୍ଦ୍ରଙ୍କଠାରୁ ଆରମ୍ଭ କରି ରବିଙ୍କ ପର୍ଯ୍ୟନ୍ତ ସପ୍ତଗ୍ରହକୁ ସୂଚେଇଲା ଭଳି ଦୁଇ ଯାତ୍ରାକୁ ସାଙ୍କେତିକ ଭାବରେ ରାହୁ ଓ କେତୁଙ୍କୁ ସୂଚାଇ ନବଦିନ ବ୍ୟାପି ଯାତ୍ରା ନବଗ୍ରହକୁ ସମ୍ପୂର୍ଣ୍ଣ କରେ ।

ରଥ ନିର୍ମାଣର ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ସମଗ୍ର ଭାରତ ବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରନୁମୋଦିତ। ରଥ ନିର୍ମାଣ ସମ୍ବନ୍ଧରେ ମାନସାର ସଂଗ୍ରହାଦି ଗ୍ରନ୍ଥମାନଙ୍କରେ ସବିଶେଷ ବିଧି ବିଧାନ ରହିଛି। ଶିଳ୍ପସାର ସଂଗ୍ରହ ପୋଥିରେ ୨ୟ ଖଣ୍ଡରେ ରଥର ମୂଳରୁ ଚୂଳ ପର୍ଯ୍ୟନ୍ତ ମୋଟ ୨୭ ଭାଗ କରାଯାଇଛି। ପ୍ରତ୍ୟେକ ଭାଗକୁ ଚଉଠା ଓ ଚଉଠା ଦେଢ଼ ଭାଗକୁ ଅଙ୍ଗୁଳ ବା କଳା କୁହାଯାଏ। ରଥର ତଳ ଚକଡାର ଦୈର୍ଘ୍ୟ ୨୭ ଚଉଠା। ଏହି ଚକଡାକୁ ୯ ଭାଗ କରି ୧୦ ଧାରଣା ପକାଯାଏ। ପ୍ରଥମ ୬ ଧାରଣାର ଲମ୍ବ ୨୭ ଚଉଠା, ୨ୟ ଧାରଣାର ଲମ୍ବ ୨୧ ଚଉଠା ଓ ୩ୟ ଧାରଣାର ଲମ୍ବ ୧୫ ଚଉଠା। ମୁହାଣର ଲମ୍ବ ୧୫ ଚଉଠା,କୁଡୁକାର ଲମ୍ବ ଧାରଣ ମହଲାକୁ ୩ ଚଉଠା, ଏପରି ଚାରି କୋଣରେ ୮ କୁଡୁକା ଦେବ। ବଡ଼ ଦୁଇ ଅଖ ଲମ୍ବ ୩୦ ଚଉଠା, ଛୋଟ ଦୁଇ ଅଖ ଲମ୍ବ ୨୪ ଚଉଠା। ଏହି ଏକ ଚଉଠାକୁ ୧୨ ଭାଗ କରାଯାଏ। ୧୭ ଚଉଠ ୮ ଅଙ୍ଗୁଳରେ ବଡ଼ ଅଖ ଦୁଇ ଗୋଟି ପୁଡା ଡାଇ ହାଣିବ। ଗୁଳିର ଉଚ୍ଚ ୫ ଚଉଠ ୮ ଅଙ୍ଗୁଳ ଗୁଳି ବହଳ ଛାଡି ଛାଡି ଅଖରେ କାନ କିଳା ବିନ୍ଧ କରିବ । ମୁହାଣକୁ ଗୁଳି ନିଶ୍ଵାସ ୮ ଅଙ୍ଗୁଳ ଛାଡି ଧାରଣାରେ ଅଖର କାବିଳା କଣ୍ଟା ବିନ୍ଧ କରିବ । ମୁହାଣ ମଝାଲକୁ ୮ ଚଉଠ ୪ ଅଙ୍ଗୁଳ ଛାଡି ବଡ଼ ଅଖ କାବିଳା ବିନ୍ଧ ଧାରଣାରେ କରିବେ । ୧୦ ବାହି ପ୍ରକାରେ ଗୋଜଫୁଲି କରି ଜଳନ୍ତରିଆ ଖୋଜ ବିନ୍ଧ କରିବ । ଧାରଣା ବାହି ଉପରେ ଜିଆ ୮ ଚଉଠରେ ନାଇକା ବିନ୍ଧ କରିବ। ନାଇକା ପାଖ ଜଳନ୍ତରିଆ ଖିଜ ୪ ଚଉଠ ୧୨ଅଙ୍ଗୁଳ ଉଚ୍ଚ ଖୁସି କରିବ । ଏଥି ଉପରେ ଛନ୍ଦା ପକାଇବ। ଚକଡା ଚାରିପାଖ ଧାରଣାକୁ ଛନ୍ଦାକୁ ଟୀକା କରିବ। ଧାରଣା ଉପରଠାରୁ ଜିଆ ମିଶି ନାଇକା ୧୪ ଚଉଠ ରଖି ଖୁସି କରିବ। ସିଂହାସନର ଉଚ୍ଚ ୧୨ ଅଙ୍ଗୁଳ କରିବ। ଜିଆ ବହଳ ୧୨ ଆଙ୍ଗୁଳ କରିବ। ଓସାର ୧ ଚଉଠା ନାଇକା ଉପରେ ୮ଚଉଠାଇ ଚଉତାଳ କରିବ। ପ୍ରଥମେ ଭୂଇଁ ଲଦିବ। ଭୂଇଁ ବହଳ ୫ ଅଙ୍ଗୁଳ ଫୁଲି ଠାରୁ ଭୂଇଁ ଅଁଳା, ୨ ଚଉଠ ୪ ଅଙ୍ଗୁଳ। ଭୂଇଁ ମଝାଲ ସୂତା ଠାରୁ ୨ ଅଙ୍ଗୁଳ ରଖି ଗୈ ହାଣିବ। ପାଖୁଡା ୩ ଚଉଠ ୪ ଅଙ୍ଗୁଳ, କୋଣ ପାଖୁଡା ୧ ଚଉଠ ୪ ଅଙ୍ଗୁଳ, ଫୁଲି ଠାରୁ ୧ ଚଉଠ ଲେଖା ଛାଡି ଦୁଇ ପାଖୁଡା ବସାଇବ। ଏହି ପରି ଚାରିପାଖେ ୧୬ ଗୋଟି ପାଖୁଡା ମାରିବ। ଫୁଲି ଠାରୁ ୧ ଚଉଠ ୨ ଅଙ୍ଗୁଳ ଲେଖାରେ ହଂସପାଦି ପକାଇ ୧ ଚଉଠ ଉଚ୍ଚରେ ଚଢେଇ ଖୋଜ ବସାଇବ। ଏଥି ଉପରେ ପାଖୁଡା ହଂସ ପାଦି ମାରିବ। ଚାରି ପାଖେ ହାରାମାଳି ମାରିବ। ଏଥି ଉପରେ ୬ ଚଉଠରେ ବିନ୍ଧ କରି ୮ ଅଙ୍ଗୁଳ ଛାଡି ଓରା ପକାଇବ। ଏହ ପରେ ୨ୟ ଭୂଇଁ, ୨ୟ ପାଖୁଡା ମାରିବ। ଏପରି ଚାରିଦିଗେ ୧୨ ପାଖୁଡା ମାରିବ। ତୃତୀୟ ପୁର ଭୂଇଁ ଚଉତାଳ ୬ ଚଉଠରେ ବସିବ। ପ୍ରଥମେ ପଟଳ ଲମ୍ବ ୮ ଚଉଠ,ରାହା କାଟଣ ଶେଷ ଠାରୁ ୧୪ ଅଙ୍ଗୁଳ ଉଚ୍ଚ, ୨ୟ ରାହା ମଧ୍ୟ ୧୨ ଅଙ୍ଗୁଳ ଉଚ୍ଚରେ କାଟଣ ହେବ। ଏହି ପରି ଚାରିପାଖ ପଟଳ କରିବ। ପ୍ରଥମ ସାତପୁର ପଟଳ ଉଚ୍ଚ ୨ ଚଉଠ, ସାତପୁରରେ କୋଣ ଓରା ପକାଇ ପଟଳ ଲଦିବ। ପଟଳ ଭୂଇଁ ଉପରଠାରୁ ବଡ଼ ଖୋଜ ମଧ୍ୟ ଚୌତାଳରେ ୨ ଚଉଠ ୧୨ ଅଙ୍ଗୁଳ ରଖି ବସାଇବ। ଏଥି ଉପରେ ପାରାଭାଡି ଭୂଇଁ ୩ ଚଉଠ ୮ଅଙ୍ଗୁଳରେ ଚଉତାଳ କରି ବସାଇବ। ପ୍ରଥମ ସାତପୁର ପଟଳ ଉପରେ ପଟଳ ଭୂଇଁ ଲଦା ହେବ। ୨ୟ ରାହା ୨ ଅଙ୍ଗୁଳ ଲେଖାରେ ପୁରକୁ ପୁର ସାତପୁର କାଟିବ। ୨ୟ ସାତପୁର ପଟଳ ୨ ଚଉଠ କରିବ। ଏଥି ଉପରେ ୧ ଚଉଠ ଉପରେ ମାଙ୍କଡ଼/ଛନ୍ଦା ଦୁଇଗୋଟି ଚଉତାଳ କରି ପକାଇବ। ଦଧିନଉତି ୨ ଚଉଠ ଉଚ୍ଚରେ ମାଙ୍କଡ଼ଛନ୍ଦା ଉପରେ କଳସ ଚକ୍ର ପତାକା ହେବ । କଳଶା ଶିଖା ଠାରୁ ପାରାଭାଡି ଭୂଇଁ ତଳ ପର୍ଯ୍ୟନ୍ତ ଦଖିନଉତି ଖୋଜ ହେବ। ରଥପାଦ ଦେଶରୁ ଶୀର୍ଷଦେଶ ପର୍ଯ୍ୟନ୍ତ ଥିବା ଅଂଶ ଗୁଡିକ ମଧ୍ୟରେ ଚକ, ଦଣ୍ଡି, ଅର,ବାଙ୍କି,ହଂସପଟା,କଣି,ଶଙ୍ଖଦ୍ଵାର,ଜାଲି,ଗାଈପଟା,ସିଂହାସନ,କନକ ମୁଣ୍ଡେଇ, ଭୂମି,ଷୋଳ ନାହକ,ମଗରଦଣ୍ଡା, ବସନ୍ତ, ଦୁଆରଘୋଡା, ସାରଥୀ ପୀଡ଼,କୁମ୍ଭପଟି,ରାହୁପଟି,ଆଠ ନାହାକା, ପୀଢ଼,ଋଷିପଟା,ଦଣ୍ଡା, ପାରାଭାଡି,ଖପୁରୀ,ପାଦ, ଓଲଟ ଶୁଆ,ଦଧିନଉତି,କଣ୍ଠି,ଦଣ୍ଡ,ଚକ୍ର ଓ କେତନ । ଶିଳ୍ପ ଶାସ୍ତ୍ରାନୁଯାୟୀ ରଥର ଅଙ୍ଗ ଗୁଡିକୁ ସାଧାରଣତଃ ୧୩ଟି ମୂଖ୍ୟ ଅଙ୍ଗରେ ବିଭକ୍ତ କରାୟାଇଛି। ଯଥା- (୧) ଚକ୍ରପୀଠ, (୨) ଅରଦଣ୍ଡା,(୩)ଗଗରା,(୪) ମୂଳନାଭ,(୫) ବରାଣ୍ଡି,(୬) ହଂସପଟା, (୭) ରଥଗର୍ଭ,(୮) ପାରାଭାଡି,(୯) କଳସ ପୀଠ, (୧୦) ଦଧିନଉତି, (୧୧) କର୍ଣ୍ଣଅଳା,(୧୨) ଧାତୁ କଳସ ଓ (୧୩) ଆୟୁଧ ଧ୍ଵଜା।

ରଥଖଳାରେ ରଥ ନିର୍ମାଣ କାମ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ, କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା, ୨୦୧୨ ମସିହାଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି । ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ନନ୍ଦିଘୋଷ। ସେହି ପରି ଶ୍ରୀବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ ଓ ଶ୍ରୀସୁଭଦ୍ରାଙ୍କ ରଥର ନାମ ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ଵଜ। ସମ୍ପ୍ରତି ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ତୋନୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବେ ସମ୍ପାଦିତ ହୋଇଥାଏ। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ଵତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ। କେତେକ ନିର୍ଦ୍ଦିଷ୍ଟ ତିଥିରେ ତିନି ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯଥା - ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ ଶୋତ୍ରୀୟ ବ୍ରାହ୍ମଣମାନଙ୍କ ଦ୍ଵାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ ଯଜ୍ଞ ଓ ଆନୁସଙ୍ଗିକ ପୂଜା, ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜାପଣ୍ଡା ତିନି ରଥ ନିର୍ମାଣର ଅନୁକୂଳ ନିମନ୍ତେ ଅଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ଵକର୍ମା ମହାରଣା, ରୂପକାର , ଭୋଇ ଇତ୍ୟାଦି ସେବକମାନେ ଶାଢୀ ବନ୍ଧାଇ ଥାନ୍ତି। ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ଵାର ସମ୍ମୁଖରେ ରଖାଯାଏ।

ବହୁ ପ୍ରାଚୀନ ସମୟରୁ ମହାପ୍ରଭୁମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସୁଥିଲା। ଏହି କାଠସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ ୧୦କି.ମି ଦୂର ମାଳତିପାଟପୁର ନିକଟସ୍ଥ କାଠ ପୋଲ ଠାରୁ ଏହି କାଠଗୁଡିକ ଶଗଡ଼ରେ ବୁହା ଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥକାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ l ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଅଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥଖଳାଠାରେ ରଖାଯାଉଛି।

ତେବେ ପ୍ରଭୁ ଜଗନ୍ନାଥ ଙ୍କ ଲୀଳା ମଣିଷ ଅଗୋଚର, ତାଙ୍କ ବିଷୟରେ ଗବେଷଣା ଆହୁରି ରହସ୍ୟ ଯୁକ୍ତ l ଛାର ମାନବ କଣ ବା ଜାଣିବ ମହାପ୍ରଭୁଙ୍କ ମହା ଲୀଳା l

ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ଉପସ୍ଥାପନା :- #ଅମୂଲ୍ୟକୁମାରପଣ୍ଡା

ଅରଙ୍ଗାବାଦ୍ , ବରୀ , ଯାଜପୁର 755003 ଓଡିଶା


Rate this content
Log in

Similar oriya story from Inspirational