Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗଛ
ଗଛ
★★★★★

© Subal Mohapatra

Inspirational

9 Minutes   15.0K    9


Content Ranking

ଗଛ

ସୁଵଳ ମହାପାତ୍ର




"ଆରେ ରହ, ବୁଢା ସୁକୁ ସୁକୁ କଲାଣି। ଆଉ ଦଶ ପନ୍ଦର ମିନିଟ ମାତ୍ର। ଏମିତି ତ ଘଣ୍ଟେ ଅପେକ୍ଷା କଲୁଣି, ଆଉ କିଛି ସମୟ କୁ ଏମିତି କଣ ହଉଛୁ? କାଠ ଅଣା ସରିଛି। ବାକି ଯୋଗାଡ ଯନ୍ତ୍ର ବି ସରିଛି। ଆମେ ସବୁ ଶୁଖିଲା କାଠ କ୍ଲବ ଘରେ ରଖିଛୁ। ନହେଲେ ଏ ବର୍ଷା ରେ ମଡ଼ା ପୋଡିବାକୁ ଶୁଖିଲା କାଠ କୁଆଡୁ ମିଳିବ? କିଛି ସମୟ ରହ। କାମ ସାରିଦେଇ ଯିବା। " 

"ଯାଉଛି ପରେ ଆସିବି" ବୋଲି ମକରା କହିବାରୁ, ଏକା ନିଶ୍ୱାସ ରେ ଏତକ କହିଗଲା ମଣି। 


******


ସକାଳ ପହରୁ ବୁଢା ପଡିଛି । ପଞ୍ଚାନବେ ବର୍ଷ ବୟସ। ଘନ ଘନ ନିଶ୍ୱାସ ନଉଛି। ମଝିରେ ମଝିରେ ଦୀର୍ଘଶ୍ବାସ ନଉଛି, କିଛି ସମୟ ନିଶ୍ୱାସ ଅଟକି ଯାଉଛି, କିନ୍ତୁ ଜୀବ ଛାଡ଼ୁନି। ପୁଣି ଚାଲୁଛି। ସକାଳୁ ସକାଳୁ ଖବର ପାଇ ଘର ଲୋକ, ବନ୍ଧୁ ବାନ୍ଧବ ସବୁ ଏକାଠି ହେଇଛନ୍ତି। ଆସି ରାତି ଦଶ ହେଲାଣି। କିନ୍ତୁ ବୁଢା ଯିବ, ଯିବ ବୋଲି ଯାଉନି। ପୁଅ, ଝିଅ, ନାତି , ନାତୁଣୀ, ସମସ୍ତେ ଅସ୍ତ ବ୍ୟସ୍ତ ହୋଇ ସାରିଲେଣି। ସାଇ ଭାଇ, କିଛି ଲୋକଙ୍କ ଭିତରେ ବିଚାର ବିମର୍ଷ ବି ହେଲାଣି। ବୁଢା କିଛିଗୋଟେ ଭୁଲ କରିଛି। ନହଲେ ଏତେ କଷ୍ଟ ପାଉଛି କିଆଁ? ସତ କହିଦେଲେ ଜୀବ ଛାଡି ଯାଆନ୍ତା। କିଛି ଲୋକ, ଘର ଲୋକଙ୍କୁ ଆସି ବୁଝେଇଲେଣି। ପଚାର, କଣ ଭୁଲ କରିଛି, ନହେଲେ ଜୀବ ଛାଡିବନି। ଏମିତି ହିଁ ହଉଥିବ। ପଚାର, କଣ ଆଉ ଇଚ୍ଛା ରହିଗଲା କି? କହୁ ସେ। ନହେଲେ ମରିବନି। 


ଘର ଲୋକବି, ବାହାର ଲୋକଙ୍କ କଥାରେ କାନ ପାଖକୁ ଯାଇ ପଚାରି ସାରିଲେଣି। ବୁଢା, ଖାଲି ବାପା, ମା ବ୍ୟତୀତ ଆଉ କିଛି କହୁ ନଥାଏ। ପଚାରି ପଚାରି ଥକି ଗଲେଣି। ନା ବୁଢା କିଛି କହୁଛି ନା ଜୀବ ଛାଡ଼ୁଛି। 


******

ବୁଢା ଦେଖି ପାରୁଛି ପୂର୍ବ ପୁରୁଷ ମାନଙ୍କୁ। ଆହୁରି ବି ଦେଖି ପାରୁଛି ଉତ୍ତର ପୁରୁଷ ମାନଙ୍କୁ ସେଇ ଗୋଟିଏ ଜାଗାରେ। ଖଟ ଚାରିପଟେ ବେଢ଼ି ଠିଆ ହୋଇଛନ୍ତି, ବାପା ମା, ସାଙ୍ଗ ସାଥି, ଗାଁ ଲୋକ ସବୁ। ଯେମିତି ସମସ୍ତେ ଆଜି ଆର ପାରିରୁ ଆସିଛନ୍ତି ୟାଙ୍କୁ ସଂଖୋଳି ନେବା ପାଇଁ। ପୁଅ, ବୋହୁ, ନାତି, ନାତୁଣୀ, ଉତ୍ତର ପୁରୁଷ ସବୁ ପର ପାରିକୁ ଠେଲିବାକୁ ବ୍ୟଗ୍ର। ମରଣ ର ଶେଷ ଶଯ୍ୟା ରେ ବୁଢା ହିସାବ କରୁଛି ଲାଭ କ୍ଷତି ର। କଣ ଆଣିଥିଲା ? କଣ ନେଇକି ଯିବ?


ଜିତୁ ମର୍ଦ୍ଦରାଜ I ନାଁ ଟା ଶୁଣିବାକୁ ଯେମିତି ଶରୀର ବି ସେମିତି ଥିଲା I ବାଘ ପରି ଫୁଲିଲା ଫୁଲିଲା ନିଶ, ଚଉଡା ବାହୁ, ଛଅ ଫୁଟ ର ହଟ୍ଟା କଟ୍ଟା ମଣିଷ ଟା ଆଜି ମୃତ୍ୟୁ ଶଯ୍ୟା ରେ। ନାଁ ଟା "ଜିତୁ ମର୍ଦ୍ଦରାଜ" ରୁ "ବୁଢା" ହୋଇଯାଇଥିଲା କେଉଁକାଳୁ। ଏବେ ଲୋକ ମଡା ଡାକିବା ଆରମ୍ଭ କଲେଣି। ଖାଲି ଜୀବନ ଟା ଅଛି ବୋଲି, ବାପା, ଜେଜେ କରୁଛନ୍ତି। ନିଶ୍ୱାସ ବନ୍ଦ ହୋଇଗଲେ ମଡା ଉଠା, ମଡା ପଡିଛି ବୋଲି ରଖେଇ ବସେଇ ଦେବେନି। ସତରେ କଣ ମଣିଷ ଏ ଶରୀର ଛାଡିଦେଲା ପରେ ମଡା ହେଇଯାଏ? 


ଲାଭ କ୍ଷତି ର ହିସାବ ଛିଂଡୁ ନଥିଲା ବୁଢ଼ାର। ସେପଟେ କାଳିଆ କାଳିଆ ମଣିଷ ଦି ଜଣ ଦେଖାଗଲେ। ଏମାନେ କିଏ? କାହିଁ ମୋ ଜୀବନ କାଳ ଭିତରେ ତ ମୁଁ କେବେ ଏମାନଙ୍କୁ ଦେଖିନି। ତେବେ? ଏମାନେ କଣ ଯମଦୂତ? କଳା କଳା ମସ୍ତବଡ ମଣିଷ ଦୁଇଜଣ ଖଟ ପାଖରେ ଆସି ଠିଆ ହୋଇଗଲେ। ତଡିତ ବେଗରେ ସିନେମା ର ରିଲ ଘୁରିଲା ପରି ବୁଢା ର ରିଲ ଘୁରିଗଲା ପଛକୁ, ଜୀବନ ପୂର୍ବର, ଜୀବନ ର ଦୃଶ୍ୟ ସବୁ ସେ ଦେଖିବାକୁ ଲାଗିଲା।


******


-- ଆଛା, ତେବେ ତୁ ଠିକ କରିଛୁ ମର୍ତ୍ତ୍ୟ କୁ ଯାଇ ଘେରେ ବୁଲି ଆସିବୁ?...ସ୍ବର୍ଗପୁରୀ ରେ ପରମାତ୍ମା ଏକ ଆତ୍ମା କୁ ପଚାରିଲେ...

-- ହଁ, ଭଗବାନ।

-- କେଉଁ ରୂପ ନେବୁ ବୋଲି ଭାବିଛୁ?

-- ସେଠି ମଣିଷ ତ ଶ୍ରେଷ୍ଠ ଜୀବ। ତେଣୁ ମଣିଷ ଜନ୍ମ ନେବି। 

-- କଣ କଣ କରିବାର ଅଛି, ସବୁ ମନେ ଅଛି ତ? 

-- ହଁ, ଭଗବାନ। 

-- ଠିକ ଅଛି ତେବେ....ତଥାସ୍ତୁ....


ଆଖି ବନ୍ଦ କରି ଖୋଲିଲା ବେଳକୁ ସ୍ବର୍ଗ ର ଦ୍ବାର ଖୋଲା। ଆତ୍ମା ଏବେ ବାହାରକୁ ଆସି ଠିଆ ହେଲା। ତାକୁ ହିଁ ଠିକ କରିବାର ଥିଲା କେଉଁ ବାପା ମା ଙ୍କ ଗର୍ଭ କୁ ସେ ବାଛିବ। ସେ ବାଛିଥିଲା ମର୍ଦ୍ଦରାଜ ପରିବାର କୁ। ମା ପେଟରୁ ଠିକ କରି ସାରିଥିଲା ଜୀବନ ଭିତରେ କଣ କଣ କରିବାର ଅଛି ବୋଲି। 


କୁଆଁ କୁଆଁ ରାଵ ଦେଇ ଯେତେବେଳେ ଭୂମିଷ୍ଠ ହେଲା, ସତରେ ଏ ଦୁନିଆଁ କୁ ଦେଖି ଆଚମ୍ବିତ ହୋଇ ଯାଇଥିଲା। କେତେ ସ୍ବାର୍ଥପର ଏ ଲୋକ ମାନେ। ପୃଥିବୀ ର ଶ୍ରେଷ୍ଠ ଜୀବ ମଣିଷ। କିନ୍ତୁ ନା ଅଛି ଜିବେଦୟା ନା ଅଛି ଭଲ ପାଇବା। ଖାଲି ମୁଁ, ମୁଁ, ଆଉ ମୋର, ମୋର ର ଚିତ୍କାର। ଟିକେ ବଡ ହେଇଗଲେ ସେ ଶିଖେଇବ ଏ ଦୁନିଆଁ କୁ ନିସ୍ବାର୍ଥପରତା, ଭଲ ପାଇବା ଏମିତି ଆହୁରି କେତେ କଣ। ଏମାନେ ନିର୍ବୋଧ ଗୁଡାକ ସବୁ। କଣ ପାଇଁ ଆସି କଣ କରୁଛନ୍ତି। କେମିତି ମାୟା ଭିତରେ ପଶି ରହି ପାରୁଛନ୍ତି? ଏବେ ତ ଛୁଆ ଅଛି। ପାଟି ବି ଖୋଲିନି ତା'ର। ସେ କଣ ଶିଖେଇ ପାରିବ ଏସବୁ ଏମାନଙ୍କୁ?? ବଡ ହେଉ ହେଉ ସେ ଭୁଲି ଯାଇଥିଲା ଏ ସବୁ। ନିଜେ ଟାଣି ହୋଇଯାଇଥିଲା ମାୟା ଭିତରକୁ। ମୁଁ, ମୋର ଭିତରେ ହଜି ଯାଇଥିଲା ସେ। 


******


ଏବେ ମରଣ ବେଳେ ମନେ ପଡୁଛି। କେତେ କାମ ତାକୁ କରିବାକୁ ଥିଲା। ଏବେ କରୁଛି କଣ? କରିଛି କଣ?? ମଇଁଷି ପରି କାଳିଆ ଲୋକ ଦି ଟା ତା'କୁ ନେବାକୁ ଆସିଛନ୍ତି। ମର ଶରୀର ପଡି ରହିଲା ଶେଯ ଉପରେ। ଆତ୍ମା ବାହାରି ଗଲା। ଶରୀର ରୁ ବାହାରିଲା ପରେ ଉଶ୍ୱାସ ଲାଗୁଥିଲା ତାକୁ। ଦେହ ହାତ ର ପୀଡା ନଥିଲା। ଖୁଁ ଖୁଁ କାଶ ବି ବନ୍ଦ ହୋଇଯାଇଥିଲା। ଆସ୍ତେ ଆସ୍ତେ ବାହାରକୁ ଆସିଲା ସେ। ଏବେ ସେ ନିଜେ ନିଜେ ଉଠି ତାଙ୍କ ସହ ଚାଲିବାକୁ ଲାଗିଲା। କେଜାଣି କାହିଁକି ଥରେ ପଛକୁ ଚାହିଁବାକୁ ଇଛା ହେଲା ତା'ର....


 ଏ ଦୁନିଆଁ ରୁ ଶରୀର ଛାଡି ସାରିଲା ପରେ ଆତ୍ମା ପାଖରେ କିଛି ସମୟ ଥାଏ, ଯେଉଁଠି ସେ ଦେଖି ପାରିବ କିଛି ସମୟ ପୂର୍ବରୁ ମାୟା ଲଗେଇଥିବା ବାପା, ମା, ବନ୍ଧୁ , ବାନ୍ଧବ, ସାଙ୍ଗ ସାଥୀ, ପାଖ ପଡୋଶୀ ମାନଙ୍କ ପ୍ରକୃତ ରୂପ। ମାୟା ଭିତରେ ଥିଲାବେଳେ ସେ ପ୍ରାୟ ଅନୁଭବ କରିଛି ମୁହଁ ଉପରେ ଥିବା ମୁଖା ଟିକୁ। କିନ୍ତୁ ଏବେ ସେ ଖାଲି ରେ ବି ଦେଖି ପାରିବ ପ୍ରକୃତ ରୂପ ଦୁନିଆଁ ରେ ଥିବା ସବୁ ଲୋକଙ୍କର। 


ସେ ବି ଦେଖିବାକୁ ଲାଗିଲା। ଛଳନା ର ମୁଖା ସବୁ କୁ ସେ ସ୍ପଷ୍ଟ ଭାବେ ଦେଖି ପାରୁଥିଲା। କିଏ ଉପରେ ଉପରେ ଛାତି ବାଡେଇ କାନ୍ଦୁଥିଲା ତ କିଏ ବୁଢା ଗଲା ଭଲ ହେଲା ବୋଲି କହୁଥିଲା। ସେ ଦେଖି ପାରୁଥିଲା, ତା ସହ ସଂଶ୍ଳିଷ୍ଠ ସବୁ ଲୋକଙ୍କୁ, ସେମାନଙ୍କ ବାହାର ଆଉ ଭିତର ଚେହେରା ସବୁକୁ। ଛି....ଏତେ ଘୁଅ ଏମାନଙ୍କ ମନରେ..... 


ମଣି, ମକରା, ନାତି ଓ ଅନ୍ୟ ବନ୍ଧୁ ବାନ୍ଧବ ମାନେ ତା'ର ମର ଶରୀର କୁ କୋକେଇ ରେ ବାନ୍ଧି ଶ୍ମଶାନ ନେଇ ଯାଉଥିଲେ। ଯେଉଁ ଘର ଦିନେ ତା'ର ଥିଲା, ଛାତି ଫୁଲେଇ ଏଇଟା ମୋ ଘର ବୋଲି କହୁଥିଲା, ସେଇ ଘରେ ଗୋବର ପାଣି ପକେଇ ସଫା କରି ଭୂତ କିଳେଇବାର ବିଧି ଚାଲିଥିଲା। 


ମୁହଁ ବୁଲେଇ ଚାଲିବାକୁ ଲାଗିଲା ସେ....କୁଆଡେ? ମନେ ପଡିଯାଉଥିଲା ପୁଣି ଫେରି ଯିବାକୁ ହେବ, ପରମାତ୍ମାଙ୍କ ପାଖକୁ, ଯେଉଁଠୁ ସେ ଆସିଥିଲା। କିନ୍ତୁ କଣ କହି ମୁହଁ ଦେଖେଇବ? ତାକୁ ଆସିବା ପୂର୍ବରୁ ଯାହା କୁହାଯାଇଥିଲା, ସେସବୁ ସେ ଭୁଲିଗଲା? ସେତକ ତ ମାନି ନଥିଲା, ବାକି ନିୟମ ବିରୁଦ୍ଧ କାମ ବି ସେ କରିବାକୁ ପଛେଇ ନଥିଲା। କେତେ ପାପ କରିଛି ସେ। ମାୟା ଭିତରେ ରହି ଅନ୍ଧ ହୋଇ ଯାଇଥିଲା। ମୁଁ , ମୋର ବ୍ୟତୀତ ଆଉ କିଛି ଦେଖି ନଥିଲା ସେ। ଏବେ କଣ ଜବାବ ଦେଵ??


******


ଜନ୍ମ ପରେ ପରେ ତା ନାଁ ରଖା ଯାଇଥିଲା ଜିତୁ। ଜିତୁ ମର୍ଦ୍ଦରାଜ। ବାପା ଜମିଦାର। ସେ ଜମିଦାର ଘର ର ଏକୋଇରବଳା। ଉପରେ ଦୁଇ ଭଉଣୀ। ଛୋଟ ବେଳୁ ହିଁ ଏ ଅହଂକାର ତା ମନ ରେ ବସା ବାନ୍ଧିଥିଲା। ନିମ୍ନ ଜାତି କିମ୍ବା ମଳି ମୁଣ୍ଡିଆ ଛୁଆଙ୍କ ସହ ସେ ମିଶିବାକୁ ଭଲ ପାଉ ନଥିଲା। ସ୍କୁଲ ରେ ସମାସ୍କନ୍ଦ ପିଲା ନହେଲେ ସାଙ୍ଗ ହେଉ ନଥିଲା। ତା ସହ ଦୁଷ୍ଟାମୀ ବହୁତ କରୁଥିଲା। ଆଜି ପଥର ମାରି କାହାର ତାଡି (ଖଜୁରୀ ରସ) ହାଣ୍ଡି ଭାଙ୍ଗିଲାଣି ତ କାଲି କେଉଁ ବୁଢ଼ୀ କୁ ରାସ୍ତା ରୁ ତଳକୁ ପେଲି ଦେଲାଣି। ଆଜି କାହା କୁଟା (ପାଳ) ଗଦା ରେ ନିଆଁ ଲଗେଇ ଦେଲାଣି ତ କାଲି କେଉଁ ଦରିଦ୍ର ପିଲାକୁ ପିଟି ସାର୍ଟ ପେଣ୍ଟ ଚିରି ଆସିଲାଣି। ଏ ଭିତରେ ତା ମନରେ ଗର୍ବ ବସା ବାନ୍ଧି ସାରିଥିଲା। ସେ ମର୍ଦ୍ଦରାଜ ଘର ଛୁଆ। ଜମିଦାର। ସମସ୍ତେ ତା କଥା ଶୁଣିବେ। ସେ କାହା କଥା ବି ଶୁଣିବନି। ସାହସ ଆହୁରି ବଢ଼ି ଯାଇଥିଲା, ଯେଉଁଦିନ ପିଲାଙ୍କ କଳି ଭାଙ୍ଗିବାକୁ ଆସିଥିବା ମାଷ୍ଟ୍ରକୁ ସେ ହାତ ଉଠେଇଥିଲା। ବାପା ପିଠି ଥାପୁଡ଼େଇ କହିଥିଲେ, ତୁ ହିଁ ଠିକ ଜମିଦାର ହେବୁ। ତା ପରଠୁ କେବେ ବିଦ୍ୟାଳୟ କୁ ନଯାଇ ମଧ୍ୟ ସେ ଦଶମ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଇଥିଲା। 


କଲେଜ ରେ ନାଁ ଲେଖେଇଲା ପରେ ସବୁ ଯେମିତି ତା ଗୋଡ଼ ତଳେ ଥିଲେ। କେବେ କେଉଁ ଝିଅ କୁ କମେଣ୍ଟ ମାରିବା ଠୁ ଆରମ୍ଭ କରି, ପିଲାଙ୍କୁ ପିଟିବାର ଘଟଣା ତା ପାଇଁ ସବୁଦିନିଆଁ ହୋଇଗଲା। କଲେଜ ର ଝିଅ ମାନେ ତା ପାଇଁ ଖେଳନା ଥିଲେ। ଭଲ ପାଇବାର ବାହାନା କରି କେତେ ଝିଅଙ୍କ ଜୀବନ ସେ ନଷ୍ଟ କରିଥିଲା ତା ର କୌଣସି ହିସାବ ନଥିଲା। 

କଲେଜ ସରିବା ପରେ ଗାଁ ରେ ସେ ଜମିଦାର ହୋଇ ସାରିଥିଲା। ବାପା ଆର ପୁର କୁ ଯାଇ ସାରିଥିଲେ। ମା ବୁଝେଇ ବୁଝେଇ ଥକି ଯାଇଥିଲା। ବାହାବେଦୀ ରୁ ସେ ଗୋଟେ ଝିଅ କୁ ଉଠେଇ ଆଣିଥିଲା ଆଉ ଏ ବିଷୟ ରେ କେହି ପୋଲିସ କଂପ୍ଲେନ ଦେବାକୁ ବି ସାହସ କରି ନଥିଲେ। ଚିନ୍ତା ରେ ମା ଚାଲିଯାଇଥିଲା ଆରପୁର କୁ। 

ବାହାଘର ପରେ ବି ପ୍ରକୃତି ବଦଳି ନଥିଲା ତା'ର। ଘରେ ସ୍ତ୍ରୀ କୁ ବାଡେଇବା ଠୁ ଆରମ୍ଭ କରି ମଦ ନିଶା ରେ ରାତିଅଧରେ ୟା ତା ଘରେ ପଶିବାକୁ ସେ ତା ଅଧିକାର ବୋଲି ଧରି ନେଇଥିଲା। ଗାଁ ଲୋକ ଅତିଷ୍ଠ ହୋଇ ଯାଇଥିଲେ। ପ୍ରଥମ କରି ଝିଅ ହେବାରୁ, ସ୍ତ୍ରୀ କୋଳ ରୁ ଝିଅ କୁ ଛଡେଇ ନେଇ, ଅନାଥ ଆଶ୍ରମ ରେ ରଖେଇ ଥିଲା। ପଛ କୁ ପଛ ପୁଅ ଦୁଇଟି ପାଇ ଶାନ୍ତ ହେଲେ ବି, ପୁଅ ମାନଙ୍କୁ ନିଜ ପରି କରି ଗଢି ତୋଳିଥିଲା। ପୁଅ ମାନେ ବଡ ହୋଇଯିବାପରେ, ବାପ ପୁଅ ଏକାଠି ବସି ଘରେ ମଦ ପିଇବାରେ ଲାଜ ସରମ ନଥିଲା। ଗରିବ ଚାଷୀ ମାନଙ୍କଠୁ ଜମି ଛଡେଇ ନିଜ ନାଁ ରେ କରିବାରେ ସେ ତା ଜମିଦାରୀ ବୋଲି ଭାବୁଥିଲା। କେତେ ଭୁଲ ସେ କରିଛି, କେତେ ପାପ ଅର୍ଜିଛି, ଆଜି ମନ ବିତୃଷ୍ନା ରେ ଭରି ଗଲେବି, ସବୁ ପାର୍ଥିବ ଜିନିଷ ଛାଡି, କେବଳ ପାପତକ ମୁଣ୍ଡେଇ ସେ ଚାଲିବା ରେ ଲାଗିଥିଲା। ଗୋଟେ ପରେ ଗୋଟେ ପାପ ମୁହଁ ସାମ୍ନା କୁ ଆସି ତାକୁ ମନେ ପକେଇ ଦେଉଥିଲେ ସେଦିନ ଗୁଡିକ। ଏବେ ସେ ଲାଜ ରେ ସଢ଼ି ଯାଉଥିଲା। ପରମାତ୍ମାଙ୍କୁ କଣ ଉତ୍ତର ଦେଵ ସେଇ କଥା ଭାବୁ ଭାବୁ ସେ ସ୍ବର୍ଗ ର ଦ୍ବାର ପାଖରେ ପହଞ୍ଚି ସାରିଥିଲା।


******


ସ୍ବର୍ଗର ଦ୍ବାର ତ ଫିଟି ନଥିଲା ତା ପାଇଁ, କାରଣ ପାପର ଭାର ଥିଲା ତା ମୁଣ୍ଡ ଉପରେ I ମୁଣ୍ଡ ଉପରେ ପାପର ଭାର ଥିଲେ ସ୍ୱର୍ଗ କୁ ଅନୁମତି ମିଳେନାହିଁ I ଆତ୍ମା ସବୁ ପାପ ର ପ୍ରାୟଶ୍ଚିତ କରି ସାରିବା ପରେ ହିଁ ଭିତରକୁ ଯାଇ ପାରିବ I  କିନ୍ତୁ ଭଗବାନ ଆସି ଅପେକ୍ଷା କରିଥିଲେ ତାକୁ, କିଛି ପ୍ରଶ୍ନ ର ଉତ୍ତର ପାଇଁ....


-- ଆସିଗଲ?

-- ହଁ, ଆଜ୍ଞା!! ମୁଣ୍ଡ ତଳକୁ କରି କହିଲା ସେ। 

-- ଯେଉଁ କାମରେ ଯାଇଥିଲ, ତାହା କରିକି ଆସିଛ?

-- ଚୁପ ରହିଲା ସେ.....

-- ମୋ ପାଖରେ ତୁମ ପୁରା ପାପ ପୁଣ୍ୟ ର ହିସାବ ଅଛି। ତୁମର ପାପ ଅନୁସାରେ ପୁଣି ତୁମକୁ ମର୍ତ୍ତ୍ୟ ରେ ଜନ୍ମ ନେବାକୁ ପଡିବ ଓ ପାପ ର ପ୍ରାୟଶ୍ଚିତ କରିବାକୁ ପଡିବ। ଜାଣିଛ ତ?

-- ହଁ , ଆଜ୍ଞା। 

-- ତେବେ ପ୍ରାୟଶ୍ଚିତ କେମିତି କରିବ? କେଉଁ ଜନ୍ମ ନେବ ବୋଲି ଭାବିଛ?


ଏବେ ସେ ଚିନ୍ତା କରିବାକୁ ଲାଗିଲା। କେଉଁ ଜନ୍ମ ନେବ ସେ? ଯେ କୌଣସି ଜନ୍ମ ନେଲେ ବି ତା ପାପ ଭାର ଏତେ ଶୀଘ୍ର କମିବ ବୋଲି ଆଶା ନାହିଁ। ଯେ କୌଣସି ପ୍ରାଣୀଯୋନି ରେ ଜନ୍ମ ନେଲେ ବି ବହୁତ ଗୁଡ଼େ ପାପ ହେତୁ ତାକୁ କେତେ ହଜାର ବର୍ଷ ଲାଗିଯିବ ପାପକ୍ଷୟ ପାଇଁ ଜଣାନାହିଁ। ତେବେ? ଗୋଟିଏ ରାସ୍ତା ତାକୁ ଦେଖାଗଲା। କିନ୍ତୁ ରାସ୍ତା ବହୁତ କଠିନ। ଜୀବନ ସାରା ଗୋଟିଏ ଜାଗାରେ ଠିଆ ହୋଇ ରହିବାକୁ ପଡିବ। ଉପରେ କିଏ ଏକ, ଦୁଇ କଲେ ବି ତାକୁ ସାଦରେ ଗ୍ରହଣ କରିବ। କାହା ଉପରେ ରାଗିବାର କୌଣସି ଅଧିକାର ତା'ର ରହିବନି। ଯିଏ ବି ଯାହା ଚାହିଁବ ତା ସହ କରି ପାରିବ। ଆଉ ମୂଳ କଥା ହେଲା, ବୁଢା ହେବା ପୂର୍ବରୁ ଯଦି ମରି ଯାଏ ତେବେ ପାପ ଭାର ଅଳ୍ପ କମିବ। ବୁଢା ହୋଇ ମରିଗଲେ କିମ୍ବା ପ୍ରାକୃତିକ ମୃତ୍ୟୁ ରେ ହିଁ ଏକାବେଳେ ପଚାଶ ପ୍ରତିଶତ ପାପଭାର କମିବାର ଉଦାହରଣ ଅଛି....କିନ୍ତୁ ଏତେ କଷ୍ଟ ସେ ସମ୍ଭାଳି ପାରିବ ତ? ପୁଣି ଏବେ ମର୍ତ୍ତ୍ୟ ରେ ଏ ମଣିଷ ମାନେ ଯେମିତି, ତାକୁ ବୁଢା ହେବାଯାଏଁ ବଞ୍ଚିବାକୁ ଦେବେ ତ? ନିଜେ ମଣିଷ ଥିବାବେଳେ ଏମିତି କେତେ ଗଛ କାଟିଛି ସେ। ତେବେ ୟା ବ୍ୟତୀତ ଆଉ ଯେ କୌଣସି ଜନ୍ମ ନେଲେ ପାପ କମେଇବା ଲାଗି ହଜାର ହଜାର ବର୍ଷ ଲାଗି ଯାଇ ପାରେ। ତେବେ ସେ ଗଛ ଜନ୍ମ ନେବା ପାଇଁ ନିଷ୍ପତ୍ତି ନେଲା। 


-- ଆଜ୍ଞା ଗଛ ଜନ୍ମ ନେବି। 

-- କଷ୍ଟ ସହି ପାରିବ ତ?

-- ପ୍ରାଣପଣେ ଚେଷ୍ଟା କରିବି ଆଜ୍ଞା

-- ତଥାସ୍ତୁ....


ପୃଥିବୀ ପୃଷ୍ଠ କୁ ଆସି ସେ ଅପେକ୍ଷା କଲା ମଞ୍ଜି ମାନଙ୍କର ଅଙ୍କୁରୋଦଗମ ପାଇଁ କିନ୍ତୁ..... ମଞ୍ଜି ଅଙ୍କୁରୋଦଗମ ହେବା ପୂର୍ବରୁ କିଛି ଗଛ ମଣିଷ ମାନଙ୍କ ଶିକାର ହୁଅନ୍ତି। କିଛି ଚାରା ମାନଙ୍କୁ ବିନା କାରଣ ରେ ଓପାଡ଼ି ଦିଆ ଯାଏ । କିଛି ଛୋଟ ଛୋଟ ହେଲା ପରେ ମଣିଷଙ୍କ ଶିକାର ହୁଅନ୍ତି। କିଛି ଗଛ ଯୌବନ ରେ ହିଁ ମଣିଷ ମାନଙ୍କ ଦ୍ବାରା ବଳି ପଡନ୍ତି, କିଛି ବୁଢା ବେଳକୁ ଶିକାର ହୁଅନ୍ତି। ଏମାନଙ୍କର ବଞ୍ଚିବା, ମରିବା ସବୁ ମନୁଷ୍ୟ ଉପରେ ନିର୍ଭର କରେ। କିଛି ଲୋକ ବଡ ବଡ ବୃକ୍ଷ ମାନଙ୍କୁ ବି ଧରାଶାୟୀ କରି ପକାନ୍ତି। କେବେ ରାସ୍ତା ଚଉଡା କରିବାର ବାହାନାରେ କେବେ ଅବା ଚୋରା କାଠ ବିକ୍ରି ପାଇଁ। 


******


ଗଛ ର ଜନ୍ମ ଟିଏ ନେବାକୁ ତାକୁ ବହୁତ ବର୍ଷ ଅପେକ୍ଷା କରିବାକୁ ହେଲା। ତା ପୂର୍ବରୁ ବହୁତ ଆତ୍ମା ଲାଇନ ଲଗେଇଥିଲେ । କିଛି ଆତ୍ମା ତ ଥରେ ଜନ୍ମ ନେଇ ପାପର ପ୍ରାୟଶ୍ଚିତ କଲାବେଳେ ମଝିରୁ ଜୀବନ ତ୍ୟାଗ କରି ଅଳ୍ପ ପ୍ରାୟଶ୍ଚିତ ପରେ ଆଉ ଥରେ ଲାଇନ ରେ ଥାନ୍ତି। ଏସବୁ ଦେଖୁ ଦେଖୁ ହୋସ ଉଡି ଯାଉଥାଏ ତା'ର । ଉପରକୁ ଚାହିଁ ପରମାତ୍ମା କୁ ମନେ ପକାଉଥାଏ ସେ..., "ହେ ପ୍ରଭୁ ଆଉ କେତେଦିନ?? ଏ ଭିତରେ ଶହ ଶହ ବର୍ଷ ଅତିକ୍ରମ କରି ଚାଲିଥାଏ....   


--ସମାପ୍ତ--



ସମସ୍ତଙ୍କୁ ଅନୁରୋଧ:- ତେବେ ଚାଲନ୍ତୁ, ଆଜିଠୁ ସାବଧାନ ହେବା I ଗଛ କଟା ବନ୍ଦ କରିବା। କମ ସେ କମ ନିଜ ପାଇଁ, ଆମ ଉତ୍ତର ପୁରୁଷଙ୍କୁ ଏ ବିଷୟ ରେ ଅବଗତ କରିବା I ନିଜ ସ୍ୱାର୍ଥ ପାଇଁ ହେଲେବି ୟା ଦ୍ୱାରା କିଛି ପୂର୍ବ ପୁରୁଷ ଉପକୃତ ହେବେ I ପୂର୍ବ ପୁରୁଷ ଙ୍କୁ ଶୀଘ୍ର ରୁ ଅତିଶୀଘ୍ର ତାଙ୍କ ପାପରୁ ମୁକ୍ତି ଦେବାକୁ ଚେଷ୍ଟା କରିବା। କିଛି ନୂଆ ଗଛ ଲଗେଇବା ସହ ଗଛ ର ଯତ୍ନ ନେବା। ସବୁ ଗଛ କୁ ଆମ ନିଜ ପୂର୍ବ ପୁରୁଷ ଭଳି ମାନିବା। ଗଛଟିଏ, ନିଜେ ନିଜେ ମରିବା ଯାଏଁ ତାକୁ ନ କାଟି ବଞ୍ଚିବାକୁ ଦେବା। 


ଆମ ଜୀବନ କାଳ ଭିତରେ ଆମେ ଶହ ଶହ , ହଜାର ହଜାର ପାପ କରୁଛେ। କିଏ ଜାଣେ, କାଲି ସକାଳୁ ଆମକୁ ବି ଏମିତି ପ୍ରାୟଶ୍ଚିତ କରିବାକୁ ପଡିବ, ଆଉ ଗଛ ଭାବେ ଜନ୍ମ ନେବାକୁ ଆମକୁ ବି ଶହ ଶହ, ହଜାର ହଜାର ବର୍ଷ ଅପେକ୍ଷା କରିବାକୁ ପଡିବ....


ସୁଵଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା  

(0)9376012500

email-Subal.mohapatra@gmail.com

ପଢନ୍ତୁ, ମଜା ନିଅନ୍ତୁ, ମତାମତ ଦିଅନ୍ତୁ.... ଜୟ ଜଗନ୍ନାଥ ....





ଜିତୁ ମର୍ଦ୍ଦରାଜ ଶରୀର ଗଛ

Rate the content


Originality
Flow
Language
Cover design

Comments

Post

Some text some message..