Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational

3.6  

Rasmi Rekha Tripathy

Inspirational

ଚାକର

ଚାକର

2 mins
580



       ପଦବୀରେ ଥିବା ବେଳେ ବାବୁ ବହୁତ କ୍ଷମତାଶାଳୀ, ପ୍ରବଳ ପ୍ରତାପୀ ଥିଲେ l ଅଧିସ୍ତନ କର୍ମଚାରୀଙ୍କୁ ପଦେ ପଦେ ଅପମାନିତ କରିବା, ଗାଳି ଗୁଲଜ କରିବା, ସେମାନଙ୍କୁ ତାଙ୍କର ଚାକର ଭଳି ଖଟେଇବା ବାବୁଙ୍କର ଚରିତ୍ରର ବୈଶିଷ୍ଟ୍ୟ ଥିଲା l ଚରିତ୍ର ପଞ୍ଜିକାକୁ ଖରାପ କରିଦେବାର ଧମକ, ଦୂର ସ୍ଥାନକୁ ବଦଳି କରିଦେବାର ଧମକ ଓ ଚାକିରିରୁ ନିଲମ୍ବନ କରିଦେବାର ଧମକ ଦେଇ ଦମିତ କରି ରଖିଥିଲେ ସମସ୍ତ କର୍ମଚାରୀଙ୍କୁ l ଉପର ମହଲରେ ମଧ୍ୟ ବାବୁଙ୍କର ଲମ୍ବା ହାତ l ତେଣୁ ଏ ପଟେ କାଠ ଯୋଡି କିମ୍ବା ସେ ପଟରେ ମହାନଦୀ ଡେଇଁ ନାହାନ୍ତି ବାବୁ ତାଙ୍କର ଚାକିରି କାଳର ଶେଷ 20 ବର୍ଷ l ଏକା ଦିନରେ ତଥାକଥିତ ବାବୁ ଓ ତାଙ୍କ ଶେଷ ଅଫିସର ପିଅନ୍ ଚୈତନ୍ୟ (ଚଇତା) ଏକା ସାଙ୍ଗରେ ଚାକିରିରୁ ଅବସର ନେଲେ l ଦୁହିଁଙ୍କୁ ଏକା ସାଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ବାବୁଙ୍କୁ ଏହା ହଜମ ନ ହେଲେ ବି ସେ ଉପାୟଶୂନ୍ୟ ଥିଲେ l


       ତା ପର ଦିନ ଗଳି ପାଖ ଓମଫେଡରୁ ବାବୁ ଖୀର ନେଇ ଆସିବା ବେଳକୁ ଚଇତା ଯାଉଥିଲା ତା ନାତିକୁ ସ୍କୁଲରେ ଛାଡିବା ପାଇଁ l ଗତାନୁଗତିକ ଭାବେ ବାବୁ ଡାକ ଦେଲେ, “ଆବେ ଚଇତା………”

       ସବୁ ଦିନ ଭଳି ସାଇକେଲରୁ ଓହ୍ଲାଇ ପଡି 90 ଡିଗ୍ରୀ ଲଇଁ ନମସ୍କାର କରୁଥିବା ଚଇତାର ବ୍ୟବହାରରେ ସେ ଦିନ ଅବଜ୍ଞାର ଭାବ l ସାଇକେଲରୁ ଓହ୍ଲାଇଲା ସତ, କିନ୍ତୁ ପାଖକୁ ଆସି ନମସ୍କାର କରିବା ପରିବର୍ତ୍ତେ ଓଲଟା ଉତ୍ତର ଦେଲା, “କ’ଣବେ ଚଇତା…………”

କହିବାକୁ ଭୁଲି ଯାଇଥିଲି l ବାବୁଙ୍କର ନାଁ ବି ଚୈତନ୍ୟ l


       ଅପମାନରେ ବାବୁଙ୍କର ଗୋରା ମୁହଁ ଲାଲ ପଡିଗଲା l ରାଗରେ ଗର୍ଜନ କରି ସେ କହିଲେ, କ’ଣ କହିଲୁ ? ଭୁଲି ଯାଉଛୁ ମୁଁ କିଏ ?


       ଆସ୍ତେ ବାବୁ ଆସ୍ତେ l କାଲି ପର୍ଯ୍ୟନ୍ତ ତୁମେ ମୋର ଅଧିକାରୀ ଥିଲ l କିନ୍ତୁ ଆଜି ତୁମେ ଯାହା, ମୁଁ ବି ସେୟା l ଅବସରପ୍ରାପ୍ତ ସରକାରୀ କର୍ମଚାରୀ l ବହୁତ ଦିନରୁ ବାବୁ ତୁମକୁ କଥାଟିଏ କହିବାକୁ ଚାହୁଁଥିଲି l କିନ୍ତୁ କହି ପାରୁ ନ ଥିଲି l କାରଣ ତୁମ ହାତରେ ଶକ୍ତି ଥିଲା l ମୋତେ ନିଲମ୍ବନ କରି ଦେଇଥାନ୍ତ କିମ୍ବା କୁଆଡେ ବଦଳି କରେଇ ଦେଇଥାନ୍ତ l ତୁମ ହାତ ମୋର ମୋ ହାତ ଏତେ ଲମ୍ବା ନ ଥିଲା l ଆଜି କିନ୍ତୁ ଆଉ ସେ ଭୟ ନାହିଁ l ଶୁଣ ! କାଲି ତୁମେ ବି ସରକାରଙ୍କ ଚାକର ଥିଲ, ଆଉ ମୁଁ ବି ସରକାରଙ୍କ ଚାକର ଥିଲି l ଏତିକି, ତୁମେ ଅଧିକ ଦରମାଖିଆ ଚାକର ଓ ମୁଁ କମ୍ ଦରମାଖିଆ ଚାକର l କିନ୍ତୁ ତୁମେ ତାହା ଭୁଲି ଯାଇଥିଲ l ଆଜି ତୁମ ହାତରୁ କ୍ଷମତା ଖସିଯିବା ବେଳକୁ ତୁମେ ଅସହାୟ l ମୁଁ କିନ୍ତୁ କାଲି ଯାହା ଥିଲି, ଆଜି ବି ସେୟା l

       ବାବୁଙ୍କୁ ନିର୍ବାକ୍ କରି ଚଇତା ସାଇକେଲ୍ ଚଢି ଚାଲି ଯାଇଥିଲା, ନାତିକୁ ଛାଡିବା ପାଇଁ l


Rate this content
Log in

Similar oriya story from Inspirational