Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Tragedy

3  

Soumya Shubhadarshinee

Tragedy

କୃଷ୍ଣଚୁଡା

କୃଷ୍ଣଚୁଡା

5 mins
369


 

ରଙ୍ଗ ଯେବେ ଲାଗେ ଫୁଲେଇ ହୁଏ ପବନ , ଆକାଶ , ଫୁଲ ଆଉ ମନ । ରଙ୍ଗର ଥାଏ ଗୋଟେ ଗଭୀର ପ୍ରଭାବ ସବୁଠି । ଏମିତିକି ଆମ ଭାବନା ସବୁବେଳେ ରୁହେ ରଙ୍ଗ ମୋହରେ । ସେଥିରୁ ମିଳେ ଗୋଟେ ସଂକେତ ଉଲ୍ଲାସର , ସମ୍ଭାବନାର , ପୂର୍ଣ୍ଣତାର !


 '' ସୁଲଗ୍ନା ଖୋଲିଦିଅ ଟିକେ ଝରକା 

 ପ୍ଲିଜ !''

 ଖୁବ୍ କ୍ଷୀଣ ସ୍ୱର ଅନୁରାଗର , ଯେମିତି ବହୁତ ଦୂରରୁ କେହି କହୁଛି । କିନ୍ତୁ ଅନୁରାଗ ସେଇଠି ଶୋଇଛନ୍ତି , ଅତି ନିକଟରେ । ହେଲେ ସୁଲଗ୍ନା ଏବେ ଝରକା ଖୋଲିବା ସମ୍ଭବ ନୁହେଁ । ପବନର ଗତି ଖୁବ୍ ଦ୍ରୁତ ହେବାକୁ ଲାଗିଛି । ଆଉ ଝରକା ଖୋଲି ଝଡ଼କୁ ଆମନ୍ତ୍ରଣ ଦେବା ଭଳି ମଣିଷ କେହି ହେଇପାରିବ ନାହିଁ । ସୁଲଗ୍ନା ଖୁବ୍ ଶ୍ରଦ୍ଧା ସହକାରେ ବୁଝେଇଲେ , " ଅନୁରାଗ ବହୁତ ଝଡ଼ ବାହାରେ , ଝରକା ଖୋଲି ପାରିବିନି , ପ୍ଲିଜ !''


 ଅନୁରାଗ ହୁଏତ ଶୁଣିଲେ ବା ଶୁଣି ପାରିଲେନି । ସେମିତି ବନ୍ଦ ଝରକା ଉପରେ ଦୃଷ୍ଟି ନିବଦ୍ଧ କରି ରଖିଲେ ଆଖିରେ ଗୋଟେ ଦୁଃଖଦ ଭାବ ଝଲସେଇ । ଯେମିତି ସେଇ ବନ୍ଦ ଝରକା ତାଙ୍କୁ ଭୟଙ୍କର ଭାବେ କଷ୍ଟ ଦେଉଛି । ସେଇଟି ଖୋଲିବା ଜରୁରୀ ବହୁତ ଜରୁରୀ । ସେଇଟି ବନ୍ଦ ହେଇଯାଇ ରୁନ୍ଧି ନେଇଛି ପବନ । ସେ ଅଣନିଶ୍ୱାସି ହେଇଯାଉଛନ୍ତି । ଟିକେ ମୁକ୍ତ ପବନ ମିଳୁନି ତାଙ୍କୁ । ସେ ଆକ୍ତାମାକ୍ତା ହେଇଯାଉଛନ୍ତି । 


  ତାଙ୍କ ସେଇ ନିରୀହ ମୁହଁରେ ଅଜବ ହତାଶାର ଛିଟା ସ୍ପଷ୍ଟ ଦିଶୁଛି ସୁଲଗ୍ନାକୁ । ସେ ଠିକ ବୁଝୁଛନ୍ତି ବନ୍ଦ ଝରକା ଅନୁରାଗଙ୍କୁ ଭୟଙ୍କର ଯନ୍ତ୍ରଣା ଦେଉଛି । ସେଇତକ ତ ଏକମାତ୍ର ଉତ୍ସ ଆଲୋକର , ପବନର , ସୁଗନ୍ଧର , ବାହ୍ୟ ପୃଥିବୀର ତମାମ ଦୃଶ୍ୟର । ସେଇ ଝରକା ଦେଇ ଦେଖିହୁଏ ଚଳଚଞ୍ଚଳ ଜୀବନର ଗତିଶୀଳତା । କୁନି ଝିଅ ପୁଅଙ୍କର ସ୍କୁଲ ବ୍ୟସ୍ତତା , ସାଧାରଣ ଲୋକକଙ୍କର ଅଫିସ ଧାଁ ଦୌଡ଼ , ବୟସ୍କ ମାନଙ୍କର ସକାଳ ବୁଲା , ସନ୍ଧ୍ୟା ଖଟି , ସୋମବାର ସକାଳୁ ମା' ମାନଙ୍କର ମନ୍ଦିର ଯାତ୍ରା ଏମିତି ଅନେକ । ସେଇଠି ଲୋକଙ୍କ ସହ ପଦେ ଅଧେ କଥା , ମନଖୋଲା ହସ, ଆଇସକ୍ରିମ ଵାଲାର ଡାକ , ପରିବା ବିକାଳୀର ପରିବା ଏମିତି ସବୁକିଛି । ଖାସ୍ ସେଇ ଝରକା ପାଇଁ ହିଁ ସେ ନେଇଛନ୍ତି ଏଇ ଘର , ନିଜ ହାତଗଢା ସୁନ୍ଦର ଫ୍ଲାଟ ଛାଡି ।

 

  ଘର ନୁହେଁ ସେଇଟି ପ୍ରକୃତରେ ଗୋଟେ ହୋଟେଲର ରୁମ୍ ଠିକ ବଡ଼ ବଜାର ଉପରେ । ଯେଉଁଠି ବସି ସାରା ସହରର ଦୃଶ୍ୟ ଦେଖିହେବ । ହୋଟେଲ ମହା ଲକ୍ଷ୍ମୀ , ସହରର ଠିକ ପେଣ୍ଠସ୍ଥାନରେ ନିଜର ପସରା ମେଲିଛି । ଆଉ ଅନୁରାଗ ନିଜେ ସେଇ ରୁମ୍ ବାଚିଛନ୍ତି ନିଜ ଜୀବନର ଗୋଟେ ସ୍ଵଛାକୃତ କାରାବାସ ପାଇଁ । ଓଃ ! ସୁଲଗ୍ନା ନିଜ ଭାବନା ଭିତରେ ଆନମନା ହେଇଯାଇଥିଲା , ଶୁଣି ପାରୁନଥିଲା ସେ ଅନୁରାଗର ଡାକ , '' ଆରେ ସୁଲଗ୍ନା , ପ୍ଲିଜ ଝରକା ଖୋଲିଦିଅ !''


'' ଅନୁରାଗ ମାଇଁ ଡର୍ଲିଙ୍ଗ , ଲଭ୍ୟୁ  , ଆହୁରି ଜୋର ହଁ ଖୁବ୍ ଜୋର । ମୁଁ ଉଡିବି ଯେମିତି ଠିକ ସେମିତି ହଁ ! ''


  ନୂଆ ରେସିଂ ବାଇକ୍ , ସୁନ୍ଦରୀ ପ୍ରେମିକା , ମେଘ ଭର୍ତ୍ତି ଆକାଶ , ଝର ଝର ବର୍ଷା ଏସବୁ ମିଶି ମଣିଷକୁ ପାଗଳ କରିପାରନ୍ତି । ସତରେ ମୁଣ୍ଡ ଖରାପ କରିପାରନ୍ତି । ତା ନୁହେଁ ତ ଆଉ କ'ଣ ? ଅନୁରାଗ ଟିକିଏବି ଭାବିପାରିଲେନି , ସ୍ପୀଡ଼ରେ ଗାଡି ସ୍ଲିପ କରିପାରେ , ଦୁର୍ଘଟଣା ଘଟିପାରେ , କିଛିବି ହେଇପାରେ ଓଃ !


  ଡାକ୍ତର ଜଣେଇଦେଲେ , ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି । ଅନୁରାଗ ଆଉ କେବେ ଚାଲିବାର ନୁହେଁ । ଆହୁରି ମଧ୍ୟ ସେ କେବେ ସାଧାରଣ ଜୀବନ ଜୀଇଁବାର

 ନୁହେଁ ! 


   କେବଳ ସତେଇଶ ବର୍ଷର ପିଲାଟେ ଏମିତି ଗୋଟେ ଦୁର୍ଘଟଣାରେ ସ୍ଥାଣୁ ହେଇଯିବ ? ବିଶ୍ୱାସ ହେଉନଥିଲା କାହାକୁ ଏମିତିକି ନିଜେ ଅନୁରାଗକୁ ! ଆଉ ସୁଲଗ୍ନା , ସେ ତ ନିଜେ ବେହୋଶ ହେଇ ପଡିଥିଲେ । ତାକୁ ଆଉ ଅନୁରାଗଙ୍କ କଥା କିଏ କହିବ !


 ହୁଏ ଜୀବନରେ ଏମିତି ଘଟଣା ନା ନା ଦୁର୍ଘଟଣା । ସବୁକିଛି ପରିବର୍ତ୍ତନ ହେଇଯାଏ ମୁହୂର୍ତ୍ତରେ । ବାହାଘରର ଜମାରୁ ଦୁଇମାସ ହେଇଥିବା ଗୋଟେ ସୁନ୍ଦର ପରିବାର ଜୀବନର ସପ୍ତରଙ୍ଗ ସହ ପରିଚିତ ହେବା ପୂର୍ବରୁ ରଙ୍ଗହୀନ ହେଇଯାଏ ! ସବୁ ସମ୍ଭାବନା ମରିଯାଏ , ଧୁ ଧୁ ମରୁବାଲି ହେଇଯାଏ ଜୀବନ ।


 ସୁଲଗ୍ନା ଠିକ ହେଇଗଲେ ନିଜ ସମୟ ନେଇ । ଅନୁରାଗ କିନ୍ତୁ ହେଲେନି । ରହିଗଲେ ଗୋଟେ ଆବଦ୍ଧ ପୃଥିବୀରେ । ଅନେକ ଚେଷ୍ଟା ପରେ ମଧ୍ୟ , ଡାକ୍ତର , ଔଷଧ , ପୂଜା ପାଠ କିଛି ସଫଳ ହେଲାନାହିଁ । ସୁଲଗ୍ନା ହତାଶ ହେଲେ , ଦୁଃଖ କଲେ , ଭାଙ୍ଗି ରୁଜି ଚୁରମାର ହେଇଗଲେ । କିନ୍ତୁ ହାରିଲେ ନାହିଁ । ଜୀବନକୁ ଗୋଟେ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିନେଲେ । ଆଉ ଅନୁରାଗଙ୍କୁ ମଧ୍ୟ ଦେଲେ ସେମିତି ସାହସ । ସେଇ ସମୟରେ ଅନୁରାଗ ଚାହିଁଥିଲେ ଏଇ ହୋଟେଲ ରୁମ୍ ଭିତରେ ଜୀବନ । ଯେଉଁଠି ଅଛି ସେଇ ବିରାଟ ଝରକା ଦେଖିବାକୁ ସାରା ସହରର ଦୃଶ୍ୟ । ତାଙ୍କ ଫ୍ଲାଟ ଥିଲା ସହରଠୁ ଦୂର , ନିବୁଜ , ନିକାଞ୍ଚନ , ଏକାକୀ । ସେଠି ରହିବାର ଇଚ୍ଛା ମରିଗଲା ଦୁର୍ଘଟଣା ପରେ ।


  ସ୍ତ୍ରୀ ଭାବରେ ଉଡାଣ ଭରିଥିଲେ ସେଦିନ ମନରେ ସୁଲଗ୍ନା । ଯାହା ଏଇ ଅଘଟଣ ଘଟେଇ ନେଲା ଜୀବନରେ । ତେଣୁ ସେଇ ଆତ୍ମଗ୍ଲାନି ଭିତରେ ଭୟଙ୍କର ଭାବେ କଷ୍ଟ ପାଇଲେ ସେ ସାରା ଜୀବନ । ଆଉ ପ୍ରାୟଶ୍ଚିତ ପାଇଁ ନିଜକୁ ଦଣ୍ଡ ଦେଲେ ଅନୁରାଗଙ୍କ ସହ ସହବାସରେ । ବିତିଗଲାଣି ପାଞ୍ଚ ବର୍ଷ ସେମିତି ଗୋଟେ ନିର୍ଜୀବ ଦେହ ସହ ଏକାତ୍ମ ହେଇ ।  


 ମଣିଷ ବ୍ୟସ୍ତ ବହୁଳ ଜୀବନ ଜିଉଁଥିଲେ ଛାଟିପିଟି ହେଇ ମୁକ୍ତି ଲୋଡେ । ଘଡ଼ିଏ ଆରାମ କରିବାକୁ ହାଇଁ ପାଇଁ ହୁଏ । କିନ୍ତୁ ଯଦି ସବୁବେଳ ପାଇଁ ଆରାମ କରିବାର ସ୍ୱାଧୀନତା ମିଳେ ତେବେ । ସେ କ'ଣ ଖୁସି ହୁଏ । ନିରୂପଦ୍ର ଜୀବନକୁ ଆଲିଙ୍ଗନ କରେ ।


 ନା ' ମଣିଷ କାର୍ଯ୍ୟବ୍ୟସ୍ତତା ଭିତରେ ହିଁ ଜୀଇଁବାର ଆନନ୍ଦ ପାଏ । ଖାଲି ଗୋଟେ ବେକାର ଭାବେ ବସିଗଲେ ଜୀବନ ନିର୍ଜୀବ ହେଇଯାଏ ।


 ଏମିତି ବେଡ଼ ଉପରେ ଅନୁରାଗ କେତେଦିନ ରେଷ୍ଟ କରିବେ ? କ'ଣ ସାରା ଜୀବନ ? ନା ଏଇ ନିଷ୍ଠୁର ଜୀବନରେ ହଲଚଲ ହେବା ଭାରି ଜରୁରୀ । 

 ସେଥିପାଇଁ ସୁଲଗ୍ନାଙ୍କର ଜିଦ । ତୁମେ ପୁଣି ଲେଖ ଅନୁରାଗ । ସେଇ ଛଳଛଳ କଲେଜ ଦିନ ଗୁଡିକ ଭଳି । ତୁମ ଶବ୍ଦ ସବୁ ସତରେ ଚମତ୍କାର । ଗୋଟେ ମୁଗ୍ଧ ଆବେଗରେ ଛନ୍ଦା , ଯାହା କେବେ ମୋତେ ପ୍ରଗଳ୍ଭ କରୁଥିଲା । ଏବେ ସଭିଙ୍କୁ କରିବ ।


 କିନ୍ତୁ ହାତ ଗୁଡିକ ଆଉ କଲମରେ ଜୀବନ ଦେବାକୁ ଅସମର୍ଥ । ଅକ୍ଷର ସବୁ ଆଉ ବୋଲ ମାନିବାକୁ ନାରାଜ । 


 ଶୁନ୍ୟ ଦୃଷ୍ଟିରେ ଅନୁରାଗଙ୍କର ଅଭିଯୋଗ , '' ଆଉ କଲମ ଧରି ହେଉନି , ଲେଖିବି କ'ଣ?''

--'' ତୁମେ କେବଳ କହିବ ଆଉ ଲେଖିବି ମୁଁ ତୁମ ଶବ୍ଦ ସବୁକୁ ସଫେଦ କାଗଜ କୋଳରେ।''


 ବାସ୍ ମିଳିଯାଏ ଜୀଇଁବାର ନୂଆ ରାହା , ଗୋଟେ ମଧୁର ବ୍ୟସ୍ତତା ।


 ଅନୁରାଗ ସେଇଠି ଶୋଇ ଶୋଇ କହୁଥିବେ ଖୁବ୍ ମିଠା ଭାବପୂର୍ଣ୍ଣ ଶବ୍ଦ ସବୁ । ଆଉ ସେଗୁଡିକ ସଫେଦ କାଗଜରେ ରଙ୍ଗ ଭରୁଥିବେ ସୁଲଗ୍ନା ହାତରେ । ହସ ଖୁସିରେ ସମୟ ବିତେଇବା ପାଇଁ ସୁଲଗ୍ନା କରୁଥିବେ କବିତା ଆସର ତାଙ୍କ ସେଇ ଛୋଟ ପୃଥିବୀରେ । ସଭିଏଁ ଘେରି ବସିବେ ଅନୁରାଗଙ୍କୁ ଆଉ ଖୁସି ଗପ ଯୋଡିବେ । ସୁଲଗ୍ନା ଗୋଟି ଗୋଟି କରି ପଢୁଥିବେ ମଧୁର କବିତା । ଆଉ ଅଜସ୍ର ପ୍ରଶଂସାରେ ପୋତି ଦେଉଥିବେ ସଭିଏଁ ଅନୁରାଗଙ୍କୁ ।


 

 ଏକାନ୍ତରେ କୁହନ୍ତି ଅନୁରାଗ , '' ଜାଣ

ମୋ ସୃଷ୍ଟିର ଅର୍ଦ୍ଧାଧିକ ଆବେଗର ଉତ୍ସ କିଏ?''


'' ମୁଁ କି ଜାଣେ ? ସ୍ରଷ୍ଟା ତୁମେ ମୁଁ ତ କେବଳ ଲେଖିବାର ମାଧ୍ୟମ ।''


'' କିନ୍ତୁ ତୁମ ବିନା ଆଉ କେବେ ଲେଖିପାରି ନଥାନ୍ତି । ''


'' ଛାଡ଼ ସେକଥା । ଆଛା କୁହତ କିଏ ଉତ୍ସ ଏଇ କବିତାର ?''


କୃଷ୍ଣଚୁଡ଼ା , ଆଉ କିଏ । ସେଇ ଝରକା ସେପାଖେ ନିଜ ପୂର୍ଣ୍ଣ ଯୌବନ ନେଇ ରଙ୍ଗ ଖେଳେଇ ଦେଖ କେମିତି ଆମନ୍ତ୍ରଣ କରୁଛି । ଆଉ ଜୋର କରି ଲେଖେଇଦେଉଛି ରଙ୍ଗର ବାର୍ତ୍ତା ।


 ଘଡ଼ିଏ ଦେଖନ୍ତି ସୁଲଗ୍ନା ଆଉ ସେ ମଧ୍ୟ ହଜିଯାଆନ୍ତି ସେଇ ମିଠା ରକ୍ତିମ ଆଭା ଭିତରେ । ସତରେ କୃଷଚୂଡ଼ା ଖୁବ୍ ସୁନ୍ଦରୀ । ସେଇ ରଙ୍ଗ ପସରା ଭିତରେ ଜୀବନର ସକାଳ ସୌନ୍ଦର୍ଯ୍ୟ । 


 ମନେ ପଡେ ସୁଲଗ୍ନାଙ୍କର ଠିକ ଏମିତି କୃଷଚୂଡ଼ା ଥିଲା ତାଙ୍କ କଲେଜ ହତାରେ । ଆଉ ସେହିଁ ଥିଲା ସାକ୍ଷୀ ତାଙ୍କ ଏକାନ୍ତ ମୁହୂର୍ତ୍ତର । ତେବେ ସେତେବେଳେ ବି କ'ଣ ଏଇ କୃଷଚୂଡ଼ା ବାଧ୍ୟ କରୁଥିଲା ଲେଖିବାକୁ । 


 '' ତୁମ କୋମଳ ଓଠରେ 

    ଭରି କୃଷଚୂଡ଼ାର ଲାଲି

  ହୃଦୟ ତୁମ ହାତେ 

    ପ୍ରିୟା ଗୋ ସମର୍ପି ଦେଲି ''


'' ଝରକା ଖୋଲିଦିଅ ସୁଲଗ୍ନା ପ୍ଲିଜ । ପୁଣି ଥରେ ଅନୁରାଗଙ୍କର ଅନୁରୋଧ । ଏବେ ଝଡ଼ ଥମି ଗଲାଣି ,ବର୍ଷା ରହି ଗଲାଣି । ସବୁ ନିର୍ମଳ ହେଇଗଲା ପରେ ପୁଣି କାହିଁକି ?''ବ୍ୟତିବ୍ୟସ୍ତ ସ୍ୱରରେ ଅନୁରାଗ ଦୁଇଦିନ ହେଇଗଲା ଝରକା ବନ୍ଦ ରହିଛି । ସୁଲଗ୍ନା ସେମିତି ଆବଦ୍ଧ କରି ରଖିଛନ୍ତି ତାଙ୍କୁ ଆଉ ତାଙ୍କ ଶବ୍ଦ ମାନଙ୍କୁ । ରୁଦ୍ଧ ଝରକା ସହ ରୁଦ୍ଧ ହେଇଯାଇଛି ମନର ଭାବ । 


 ସୁଲଗ୍ନା କାହିଁକି ଏମିତି ନିଷ୍ଠୁର ହେଇଯାଇଛ ତୁମେ ପ୍ଲିଜ କୁହ କିଛି । ସହି ହେଉନି ଏଇ ଆବଦ୍ଧତା ।


 ନୀରବ ସୁଲଗ୍ନା ମୁହଁରେ ଲୁଗା ଦେଇ ଲୁଚେଇ ଲୁଚେଇ କାନ୍ଦୁଛନ୍ତି । ଝଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ସେଇ ଶେଷ କୃଷଚୁଡାର ଦୃଶ୍ୟ କେମିତି ଦେଖିବେ ଅନୁରାଗ ? ଓଃ ! ତାଙ୍କୁ ଲାଗୁଛି ପୁଣି ଥରେ ବିରାଟ ଦୁର୍ଘଟଣାଟେ ଘଟିଛି ତାଙ୍କ ଜୀବନରେ । 



Rate this content
Log in

Similar oriya story from Tragedy