ଛାଇ
ଛାଇ
ଅଚାନକ୍ ନିଦ ଭାଙ୍ଗିଯାଏ। ଖୁବ୍ ଭୟଙ୍କର ସ୍ଵପ୍ନଟାଏ ଆସି । ସ୍ୱପ୍ନ ନୁହେଁ ତ ଦୁଃସ୍ୱପ୍ନ ! ଏ ଦୁଃସ୍ୱପ୍ନମାନେ ରାତି ଗାଢ ହେଲେ ଆସନ୍ତି । ଆସି ଛାତି ପଞ୍ଜରା ଥରାଇ ଦିଅନ୍ତି। 'ସମ୍ପୂର୍ଣ୍ଣା'କୁ ଲାଗେ , ଗୋଟି ଗୋଟି ଟିକିନିଖି ଯତ୍ନରେ ଗଢୁଥିବା , ତା' ତାସ୍ ଘରଟା ଭୁଷୁଡି ପଡୁଛି ଯେମିତି । ତା'ସହ ଖଣ୍ଡ ବିଖଣ୍ଡିତ ହୋଇଯାଉଛି , ଖିଲିଖିଲି ହସ ଖେଳର ସୁଖ ସଂସାର ସବୁ । ଏକଥା ଭାବି ହୃଦ ସ୍ପନ୍ଦନ ବଢିଯାଉଛି ।
ସମ୍ପୂର୍ଣ୍ଣା ପାଣି ବୋତଲଟାକୁ ମୁହଁ ଉପରେ ଟେକି ଧରିଲା । କିଛି ପାଣି ତଣ୍ଟିକୁ ଗଲା , କିଛି ସାରା ଦେହ ଓଦା କରିଦେଲା ।
ଏତେ ଯାକ ଭୟ ଅବିଶ୍ଵାସ କାହିଁକି ? ତା'ପୁଣି ନିଜ ମାନଙ୍କ ଉପରେ ???
କଳା ଛାଇଟି ସେଇମିତି ଶୋଇ ବାଘର କାନ୍ଥରୁ , ତାରି ଆଡକୁ ଚାହିଁଛି । ଗ୍ରାସି ପକାଇବାର ନଜରରେ ! ତା' ସୁଖ ସଂସାର କୁ !
'ହେସ୍' 'ହେସ୍' କରି ଘଉଡାଇବାରେ ଲାଗିଲା ସମ୍ପୂର୍ଣ୍ଣା । ଉଠିଗଲେ ସୁମନ୍ତ ।
- ଦେଖ! ସେଇ ଛାଇ ! କହୁଥିଲି ନା ?
- କଇଁ? କିଛିବି ନାହିଁ ?
- ଦେଖ ଭଲକି! ଆମରି ଆଡକୁ ହିଁ ଚାହିଁ ରହିଛି ।
- ଧେତ୍! ଶୋଇଯାଅ । ଲାଗୁଛି ତୁମପାଇଁ ଡାକ୍ତର ପରାମର୍ଶ ଦର୍କାର ।
ମୁହଁ ବୁଲାଇ ଶୋଇଯାନ୍ତି ସୁମନ୍ତ । ପାରେନି ସମ୍ପୂର୍ଣ୍ଣା । କାନ୍ଥ ଆଡକୁ ଡରିଡରି ପୁଣି ଆଖି ଖୋଲେ । ଏଥର ସେ କଳା ବିଟିବିଟିଆ ଛାଇଟା ଲମ୍ବି ଆସେ ତା'ରି ଆଡକୁ । ଭୟରେ ଭିଡି ଧରେ ସେ ସୁମନ୍ତଙ୍କୁ । ବୁଲିପଡି ଛାତିକୁ ଟାଣି ନିଅନ୍ତି ସୁମନ୍ତ ।
କେଉଁ ଅଭାବରେ ଯେ' ସେ' ? ପର୍ବତ ପରି କ୍ଷମତା ଶାଳୀ ସ୍ଵାମୀ । ଅପୂର୍ବ ସୁନ୍ଦର ଟୁଆଁ ଟୁଇଁ ଯାଆଁଳା ପୁଅଝିଅ । ମାମୁନ୍ , ଦୀପୁନ୍ । ପ୍ରାଚୁର୍ଯ୍ୟର ବୋଝ ନେଇ ନତମସ୍ତକ ସୁଖ । ତଥାପି ଅଜଣା ଭୟଟିଏ । ତାକୁ ନେଇ ହନ୍ତସନ୍ତ ସମ୍ପୂର୍ଣ୍ଣା !
ସମ୍ପୂର୍ଣ୍ଣାକୁ ମନେହୁଏ , ତାଙ୍କପରି ପିଲା ଦିନ ଆଉ ନାହିଁ । ସମୟ , ମଣିଷର ଭାବନା , ରୂଚିଅରୂଚି , ଆଚରଣ , ଉଚ୍ଚାରଣ , ସମ୍ପର୍କର ପରିଭାଷା ସବୁକୁ ବି ବଦଳାଇ ଦେଇଛି ! ପିଲାଟାଏ ବୟସ୍କଙ୍କ ପରି , ବୟସ୍କେ ପିଲାଙ୍କ ପରି ହେବାରେ ମାତିଛନ୍ତି । ଏକ ବିଷମ ସମୟରେ ଦୁନିଆ । ଏ ସମୟରେ ସୁଖ ସଂସାରଟେ ଗଢି ସଫଳତା ପାଇବା , ନିଜପାଇଁ ଏକ ବାଜି । ବାହାରକୁ ସୁଖଭରପୁର ଦିଶୁଥିବା ପ୍ରତ୍ୟେକ ପରିବାର , ଗୋଟେ ଅକଥ୍ୟ ସତ୍ୟକୁ ଲୁଚାଇବାରେ ସବୁବେଳେ ପ୍ରୟାସରତ !
କାହିଁକି ଏପରି ଲାଗେ ? ହସ ବି କୃତ୍ରିମ ! କାହିଁକି ରାତି ଗାଢ ହେଲେ , ଛାଇଟିଏ ମାରି ଗୋଡାଏ ତାକୁ ???
………….
ସମୁଦ୍ର ଆଡକୁ ଗୋଡ ଲମ୍ବା କରି ବସିଛି ସମ୍ପୂର୍ଣ୍ଣା । ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି , ଟିକେ ସ୍ଥାନ ବଦଳାଅ । ମନ ଫୂର୍ତ୍ତି ହେବ । ପାଞ୍ଚଦିନିଆ ଖରା ଛୁଟି ରେ ସମସ୍ତେ ଏବେ ପୁରୀରେ । ବେଳାଭୂମି ମନ ସ୍ଥିର କରାଏ ନା ବିଚଳିତ ? ଜାଣନାହିଁ ସମ୍ପୂର୍ଣ୍ଣାକୁ । ଆଗରେ ସମୁଦ୍ରେ ସମୁଦ୍ରେ ପାଣି । ଏଇଠୁଁ ବୋଧେ ଜୀବନ ସରି , ଆରମ୍ଭଟାଏ ହୁଏ । ହେଇତ ପାଣି ଭିତରେ ବି ସେ ଛାଇ !!
ଖେଳୁଛନ୍ତି ମାମୁନ୍ ଦୀପୁନ । ମୁଠା ମୁଠା ଭିଜା ବାଲି ପରସ୍ପରକୁ ଫୋପଡାଫୋପଡିରେ ଦୁହେଁ ଯାକ ବ୍ୟସ୍ତ । ପୁଅମାନେ ଟିକେ ଅଧିକା ଦୁଷ୍ଟ । ଦୀପୁନ୍ ବେଳେବେଳେ ଖୁବ୍ ଜିଦିଆ ହୋଇଯାଏ । ମାମୁନ୍ ଉପରେ ହାକିମାତି ଦେଖାଏ ।
ମାମୁନ୍ ଖୁବ୍ କୁନମୁନିଟେ । ଟିକେ କଷ୍ଟରେ ଛଳ ଛଳ ହୋଇଯାଏ ଝିଅ । ବଢିଲେଣି ଦୁହେଁ । ଦୀପୁନର ବାହାରେ ଭାଙ୍ଗ ପଡିଲାଣି ।
ହଠାତ୍ ସମ୍ପୂର୍ଣ୍ଣାକୁ ଲାଗିଲା ମାମୁନ୍ ମଧ୍ୟ ଢେର୍ ବଡ ହୋଇସାରିଲାଣି । କିଏ କହିଲା , ମା’ ବାପାଙ୍କ ଆଖିରେ ପିଲାମାନେ ଆଦୌ ବଢନ୍ତି ନାହିଁ । ସମୁଦ୍ର ପାଣି ରେ ଭିଜୁଛି ଝିଅ । ଆଖି ବନ୍ଦ କରିନେଲା ସମ୍ପୂର୍ଣ୍ଣା । ଆଖିପତା ତଳେ ଘନ ଅନ୍ଧାର । ସେଇ ଅନ୍ଧାର ରେ ଛପିଛି କାଳ ଛାଇ । ଭିଡି ଧରୁଛି ଆସି ମାମୁନ୍ କୁ ତା'ର !
ନାଃ!!! ଆଖି ଖୋଲିଦେଲା ଭୟରେ ସେ । ସାମ୍ନାରେ ମାମୁନ୍ ଦୀପୁନ । ଖେଳୁଛନ୍ତି ତା' ପିଲାଏ । ମା' ହୋଇ ନିଘା ରଖିଛି ସେ ଗୋଡ ଲମ୍ବାଇ । ସୁମନ୍ତ ଯାଇଛନ୍ତି କିଛି ହାଲକା ଖାଦ୍ୟ କିଣି ଆଣିବାପାଇଁ ।
ଏ କ'ଣ ଖେଳୁଖେଳୁ ପିନ୍ଧା ଟପ୍ ଟା ଉପରକୁ ଉଠିଗଲାଣି ଝିଅର । ସେ ଖେଳୁଛି ଅଜଣାରେ ଭାଇ ସହ । ଦୃଶ୍ୟମାନ ଝିଅର ଅଣ୍ଟା ପଛପଟ ।
- ମାମୁନ୍ ମାମୁନ୍ ମାମୁନ୍!
ପବନ ପହଞ୍ଚାଇ ଦେଉନି ମା'ର ଆକୁଳ ଡାକ । ଶହଶହ ଲୋକଙ୍କ ଆଖି ଏଠି ସମୁଦ୍ରକୁ । ମାମୁନ୍ କୁ । ତା' ଝିଅର ଖୋଲା ଅଣ୍ଟା ପାଖକୁ । ଭଲ ହେଇଛି ସୁମନ୍ତ ଅନ୍ତତଃ ପାଖରେ ନାହାନ୍ତି ।
ଖୁବ୍ ଅସହାୟ ମା’ଟେ । ଦୀପୁନ୍ ବୁଝିନେଲା କି କ'ଣ ! ଚୁପ୍ କି ସଜାଡି ଦେଲା ଯାଇ ଭଉଣୀର ବେଶବିନ୍ୟାଶ । ଓଃ! ଦୀପୁନ୍ ! ମୋ' ପୁଅ ।
- କ'ଣ ଗୋଟେ ପୁଣି ଗଭୀର ଭାବନାରେ?
- ଓଃ! ତୁମେ । ଏତେ ଡେରିକଲ ।
- ସେ ଫାର୍ଷ୍ଟଫୁଡ୍ ପାଖରେ ଖୁବ୍ ଭିଡ ।
- ଆମ ପିଲାଏ ବଡହେଲେଣି ।
- ବଡକଥା କ'ଣ ଏଥିରେ ।
- ଟିକେ ବିଶେଷ ଧ୍ୟାନ ଦେବାକୁ ହେବ ଦୁହିଁଙ୍କୁ ଏଥର ।
- ପ୍ରତିଟି କଥାକୁ ଗଭୀର ରେ ନେବାର ଅଭ୍ୟାସ କରିଦେଲଣି ତୁମେ । ଏସବୁ ପ୍ରାକ୍ଟିକାଲ କଥାକୁ ନେଇ କ’ଣ ଯେ ଚିନ୍ତିତ?
- ବିଶ୍ଵାସ କର ମୋତେ, ମୁଁ ମାନସିକ ରୋଗୀ ନୁହେଁ ଆଦୌ ।
- ଓ ସମ୍ପୂର୍ଣ୍ଣା!!! କେତେ ଭାବପ୍ରବଣ ତୁମେ ସତେ ।
- ଲଭୟୁ ଠୁ ମଚ୍ ।
- ମିଁ ଠୁ ଡିୟର୍ ।
………..
ପୁରୀ ହୋଟଲର ସମୁଦ୍ର ମୁଖା ଲଗାଲଗି ଦୁଇଟି ରୁମ୍ ପାଞ୍ଚଦିନ ପାଇଁ ନିଆଯାଇଥିଲା । ମନ ପରିବର୍ତ୍ତନର ଯାବତୀୟ ବ୍ୟବସ୍ଥା କରିନେଇଥିଲେ ସୁମନ୍ତ । ପହିଲି ସନ୍ଧ୍ୟାରେ , କେଉଁ ଗୋଟେ କଥା ନେଇ ଦୁଇ ଭାଇ ଭଉଣୀଙ୍କର ଝଗଡା । ସେମାନଙ୍କ କଳିରେ ମୁଣ୍ଡ ପୁରାଏନି ସମ୍ପୂର୍ଣ୍ଣା । ପରସ୍ପରକୁ ମୁହୁର୍ତ୍ତେ ଛାଡି ରହିବା କଷ୍ଟ ହୋଇପଡେ ଦୁହିଁଙ୍କୁ । ଠିକ୍ ଘଣ୍ଟାଏ ପରେ ଆପେଆପେ ମିଶିଯିବେ । ବେଶ୍ ଜାଣେ ସମ୍ପୂର୍ଣ୍ଣା ଏକଥା । ସମୁଦ୍ର କୁ ଚାହିଁ ବାଲ୍କୋନୀରେ କଫି ପିଉଛି ସେ । ସୁମନ୍ତ ପିଲାଙ୍କ କଳି ତୁଟାଇବାରେ ବ୍ୟସ୍ତ । ଠିକ୍ ଏତିକିବେଳେ କଳା ଛାଇଟା ସମୁଦ୍ର ଭିତରୁ ତା ମହାକାଳ ରୂପ ନେଇ ଯେମିତି ମାଡିଆସୁଛି ପୁଣି ତା'ରି ଆଡକୁ । ଓଃ! ସେ ଏଠି ଏମିତି କେମିତି ?? ରଡିଟାଏ କଲା ସମ୍ପୂର୍ଣ୍ଣା ।
- ଶୁଣ?
- କ’ଣ? କଅଣ ହେଲା ?
- ଏଠାକୁ ଆସ ।
- ଏଠି ପିଲେ ...
- ଛାଡ ସେମାନଙ୍କୁ । ମୋ ପାଖରେ ବସ ଟିକେ । ଏଇଠି ।
……….
ସାନ୍ଧ୍ୟ ଦର୍ଶନ ସାରି ସମସ୍ତେ ହୋଟେଲ୍ ଫେରିଆସିଲେ । ବଳକା ଅଭଡାରେ ରାତି ଚଳିଗଲା । ବିଛଣା ଭାଗକଲା ସମ୍ପୂର୍ଣ୍ଣା ।
- ମାମୁନ୍ ମୋପାଖରେ ଏଇଠି ଶୋଉ । ତୁମେ ଦୀପୁନ୍ ପାଖକୁ ସେପଟ ରୁମକୁ ଚାଲିଯାଅ ।
- ହ୍ବାର୍ଟ!! ମୋତେ ନିଜଠାରୁ ଅଲଗା କରୁଛ ନା ପିଲାଦୁହିଁଙ୍କୁ ???
ଅଭିଯୋଗ ନୁହେଁ ଅଭିମାନ ପଢି ନେଲା ସୁମନ୍ତଙ୍କ ଆଖିରେ । ଚୁପ୍ ରହିଲା ଏଥର ସେ । ପିଲାଏ ଆସି ଗୁଡନାଇଟ୍ କହି ଚାଲିଗଲେ । ସମ୍ପୂର୍ଣ୍ଣା ଶୋଇବାକୁ ଚେଷ୍ଟା କଲା । ସୁମନ୍ତ ବହିଟାଏ ଧରି ବସିଗଲେ । ତା'କୁ ନିଦ ନହେବାରୁ ଖାଲି ଗଡପଡ ହେବାରେ ଲାଗିଲା । ବୁଝିପାରି ସୁମନ୍ତ ଲାଇଟ୍ ଲିଭାଇଦେଲେ ଏଥର । ତା'ପରେ ନିଦ । ଦିନସାରା ବୁଲାବୁଲିର ଥକ୍କାରେ ବୋଧେ ।
ଗାଢ ନିଦ ହେଲେ ସ୍ୱପ୍ନ ଆସେ । ସ୍ଵପ୍ନ ସ୍ଵାର୍ଥପର । କେବେ ସୁଖ ଦିଏ । କେବେ କନ୍ଦାଏ ।
ଛାଇଟା ଆସି ସମ୍ପୂର୍ଣ୍ଣାର ହାତ ଧରି ଭିଡିଲା ଏଥର ।
- ହେଃ! ଉଠେ ଉଠେ ।
- କାହିଁକି ଯେ? ଥକ୍କା ଭାରି । ଶୋଇବାକୁ ଦେ ମୋତେ ।
- ନାଃ! ଯାଇ ଦେଖେ ସେପଟ ଘରେ ତୋ' ଛୁଆଙ୍କୁ ।
- କଅଣ? କ'ଣ ହେଲା ମୋ ଛୁଆଙ୍କର ?
ଧଡପଡ ହୋଇ ଉଠିଗଲାରୁ ଛାଇ ନଥିଲା । ସୁମନ୍ତ ଅଚିନ୍ତାରେ ଘୁଙ୍ଗୁଡି ମାରୁଛନ୍ତି । ତରବରରେ ଦରଜା ଖୋଲି , ପିଲାଙ୍କ ରୁମ୍ ଯାଏଁ ଗଲା ସମ୍ପୂର୍ଣ୍ଣା । ଆଜିହିଁ ତାକୁ ସମୁଦ୍ରରେ ଲାଗିଥିଲା , ତା' ପିଲାଏ ବଡ ହୋଇଗଲେଣି !!! ଖୁବ୍ ବିକଳରେ କବାଟ ବାଡେଇ ଡାକିଲା ସମ୍ପୂର୍ଣ୍ଣା -
- ମାମୁନ୍ ମାମୁନ୍ ଦୀପୁନ୍ ଦୀପୁନ୍ ...
ତା' ପାଟି ଶୁଣି ବୋଧେ ହୋଟେଲ୍ ବୟଟାଏ ଉପରକୁ ଆସିଗଲା ।
- ମାମ୍ ଏତେ ରାତିରେ? କିଛି ଅସୁବିଧା ?
- ନାଇଁ ନାଇଁ । ମୋ' ପିଲାଙ୍କୁ ଡାକୁଛି ।
- ଓଃ! ସରି । କଲିଂବେଲ୍ ଦିଅନ୍ତୁ ନହେଲେ ସେମାନଙ୍କ ଫୋନ୍ କୁ କଲ୍ କରିଦିଅନ୍ତୁ । ଗାଢ ନିଦରେ ଶୋଇଯାଇଥିବେ ବୋଧେ । ଦୟାକରି କବାଟ ବାଡାନ୍ତୁନି । ଅନ୍ୟମାନଙ୍କ ଡିଷ୍ଟର୍ବ ହେବ ।
- ହଁ ହଁଅଁ ।
ଏଥର ନିଜ ରୁମ୍ ଭିତରକୁ ପଶିଯାଇ ଯୋର୍ ରେ କବାଟ ବନ୍ଦ କରିଦେଲା ସମ୍ପୂର୍ଣ୍ଣା !!!!!!!!!!!!!
ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର