Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶ୍ରାବଣୀ ର ଲୁହ
ଶ୍ରାବଣୀ ର ଲୁହ
★★★★★

© Nibedita Mishraguru

Inspirational

7 Minutes   14.5K    1


Content Ranking

 ଝିପ୍ ଝିପ୍ ବର୍ଷା ଧୀରେ ଧୀରେ ବଢ଼ିବାକୁ ଆରମ୍ଭ କଲାଣି । କୁକୁରଟାଏ ଭୁକିଉଠିଲା ଦୂରରୁ । କିଏ ଇଆଡେ ଆସିଲାଣି ବୋଧେ । "ପଳେଇ ଆସ" ,କାହ୍ନା ବୋଉ ଦୌଡିକି କାକ ଗଛ ପଛଆଡେ  ଲୁଚିଗଲା । ତା ପଛେ ପଛେ କାହ୍ନା ବାପା ବି ଦୌଡିଲା । "କେହି ନାହିଁ  । ଚାଲିଲୁ ତୁ ଡରେଇ ଟା " । କାହ୍ନା ବାପା ବାହାରି ଆସି ପୁଣି ହାଣିବା ଆରମ୍ଭ କଲା । ଇଟାଗୁଡିକୁ ଏକାଠି କରି କାହ୍ନା ବୋଉ ଅଖାଟିରେ ସଜାଡି ରଖୁଚି। ଦୁହେଁ ମିଶିକି ବୋହି ନେବେ । ଅସୁବିଧା ହବନି । ବର୍ଷା ଟା ବଢିଲାଣି। ପୁଣି ଯୋଉ ଅନ୍ଧାର ରାତି , ନିଶା ଗର୍ଜୁଚି। ଅମାସିଆ ମୋଟେ ଆଉ ତିନି ଦିନ ରହିଲା । କାହ୍ନା ବୋଉ ଛାତି ଡରରେ ଧଡ ଧଡ ହଉଚି । ଏମିତିଆ ପାପ କାମ କିଏ କଣ କରେ ? ଦଇବ ସହିବନି । ହେଲେ ଏଡେ ଅମାନିଆ ଲୋକ ତା କଥା ଶୁଣିଲେ  ସିନା! କାକ ଗଛ ରୁ ପେଚାଟିଏ ଉହୁଁକି ଉଠିଲା । ଡରରେ କାହ୍ନା ବୋଉ ଦୌଡି ଯାଇ କାହ୍ନା ବାପା କୁ ମାଡି ବସିଲା । ତୁମକୁ ନେହୁରା ହଉଚି । ଚାଲିଲ ତୁମେ । ମୋ ମନ ଜମା  ମାନୁନି । "

 

କାହ୍ନା ବାପା ବଳିଆ ଏଥର ପାଟି କରି ଉଠିଲା । "ଚୁପ୍ ବେ , ବେଶୀ ଢଂଗ ଦେଖଉଚି । ତୋ ବୋପାକୁ ବେ କହୁନୁ ପଇସା ଦବ , ତୋ ପାଇଁ ମହଲାଟାଏ ଗଢିଦେବି । ଏତେ କଷ୍ଟ ମୁଁ କିଆଁ କରନ୍ତି ନ ହେଲେ ?" କାହ୍ନା ବୋଉ ତା ମସିଆ ସାତ ସିଆଁ କାନି ଖଣ୍ଡକରେ ମୁହଁ  ପୋଛିଲା । ସବୁ ସହିବ । ମଦ ପିଇ ରାତିରେ ବଳିଆ ବାଡେଇଲେ ବି ସେ ଉଁ ଚୁଁ କରେନି । ହେଲେ ଏ ଦିହ ଜଳା କଥା ଜମାରୁ ସାହି ପାରେନି ସେ । ତିନି ବର୍ଷ ଉପରେ ହେଲାଣି ବଳିଆ ହାତ ଧରିଲାଣି ସେ । ଏବେ ବି ସେ ତାର ମା ବାପା ନାଁରେ ଏମିତି ଛୁନ୍ଚୀ ଫୋଡା କଥା ଜମା ସହି ପାରେନି  । ଅଜାଣତରେ ଦୁଇ ଟୋପା ଲୁହ ଠପ୍ ଠପ୍ ଗଳି ପଡେ ।

 

ମୁହଁ ଟା ଖର ଖର ହେଲେ କଣ ହେଲା , ଏଇ କାହ୍ନା ବାପା ମଣିଷ ଟି  ଭଲ । ମୁଲ ମଜୁରୀ କରି ବେଶ ଦୁଇ ପଇସା  ଆଣୁ ଥିଲା । ପେଟ ପୁରେଇ ଦୁଇ ଗୁଣ୍ଡା ଖାଇ ପାରୁଥିଲେ ଦୁଇ ପ୍ରାଣୀ । ସେତେବେଳେ ଏମିତି ମଦ ବି ପିଉ ନ ଥିଲା  । କେଡେ ସୁଖ ରେ ଥିଲେ । ବାହାଘର ପର ବର୍ଷ କାହ୍ନାର ଜନ୍ମ । ଖୁସିରେ ବଳିଆର ଗୋଡ ତଳେ ଲାଗୁନଥିଲା । କେଡେ ଆଦରରେ ନାମରଖି ଥିଲା କାହ୍ନା । କେତେ ସ୍ବପ୍ନ ତାର । କାହ୍ନା ମଣିଷ ହବ , ତା ପରି ଖଟିଖିଆ ହବନି  । ପାଠ ପଢିବ , ବାବୁ ହବ । ହେଲେ ସେଥି ପାଇଁ ଦି ପଇସା  ଦରକାର  । ଖାଲି ପେଟକୁ ଦୁଇ ମୁଠା ଯୋଗେଇଲେ କଣ ହବ ? ଭାରି  ଚିନ୍ତା କରେ । ରାତି ରାତି ଶୋଇ ପାରେନି। କେମିତି କାହ୍ନା ପାଠ ପଢା ପାଇଁ କିଛି ସଂଚନ୍ତା । ଅଧ ରାତିରେ ଉଠି ଯାଇ ବରଗଛ ପିଣ୍ଡିରେ ବସେ । କଳା କିଟି କିଟି ଆକାଶ ଟାକୁ କେମିତି ଏକ ଲୟରେ ଚାହିଁ ରହେ ।

 

କାହ୍ନା ବୋଉ ଡରି ଯାଏ । ତାକୁ ଭାରି ଚିନ୍ତା ହୁଏ ଏସବୁ ଦେଖିଲେ  । ଉଠି ଯାଇ ପାଖରେ ବସେ । ମୁଣ୍ଡ ସାଉଁଳେଇ ଦେଇ କହେ, "ମା' ମଂଗଳା ଉପର ଭରଷା ରଖ ସବୁ ଠିକ ହେଇ ଯିବ  । ଏଇମିତି ଆମେ ତ କେତେ ଭଲ ରେ ଅଛେ । ମୋ ରାଣ , ତୁମେ ଏମିତି ବ୍ୟସ୍ତ ହୁଅନି । " କାହ୍ନା ବାପା କିଛି  କହେନି । ଉଦାସିଆ ହସଟିଏ ହସି ଦେଇ କାହ୍ନା ବୋଉ କୋଳରେ ମୁଣ୍ଡ ରଖେ । ତା ପରେ ଆରମ୍ଭ ହେଇଗଲା ମଦ ପିଆ । ଢେର୍ ରାତି ଯାଏ ମଦ ନିଶାରେ ଆଡୁ ସାଡୁ ବକେ । କାହ୍ନା ବୋଉକୁ ମାରି  ଗୋଡ଼ାଏ  । କାହ୍ନା ଡରରେ ମା' ଛାତି ରେ ମୁଣ୍ଡ ଗୁଂଜି  ଦିଏ । କାହ୍ନା ବୋଉକୁ ଭାରି ଡର ମାଡେ । ଲୋକଟା କେମିତି ବଦଳି ଯାଉଚି । ଅବାଗିଆ ହେଇ ଯାଉଚି  । କଣ ବା କରିବ ସେ ?

 

ଏଣିକି ବଳିଆ ବେଶୀ ବେଶୀ ପରିଶ୍ରମ କରିବାକୁ ଆରମ୍ଭ କଲା  । ରାତିରେ ବି ଦିନେ ଦିନେ କୁଆଡେ ଯାଏ  । ପଚାରିଲେ କିଛି କହେନା  । ହେଲେ ଯେବେ ରାତିରେ ଯାଏ  ଟନ୍କା ବିଡାଟାଏ ଅନ୍ଟାରେ ଖୋସିକି ଆସି ଥାଏ  । କାହ୍ନା ବୋଉ ସବୁ ଦେଖି ଚୁପ୍ ରହେ । ସେ ଟନ୍କା କୁଆଡୁ ଆଇଲା , କିଏ ଦେଲା କିଛି ପଚାରେନା । ମନେ ମନେ ଧନ୍ଦି  ହୁଏ । ମା' ମଂଗଲାଂକୁ ଡାକେ । ତା ଜୀବନ ଟା କେମିତି ଓଲଟା ପାଲଟା ହେଇ ଯାଉଚି।

 

ଏଇ କେତେ ମାସ ହବ , କାହ୍ନା ବାପାର ପେଟମରା  ରୋଗଟା ଆରମ୍ଭ ହୋଇଚି । ଆଗ ପରି କାମକୁ ପାରୁନି । କେତେ ଦିନ ହବ କାମକୁ ଯାଇ ପାରୁନି । ବୋଝ ଉପରେ ନଳିତା ବିଡା ପରି କାହ୍ନା ପଛକୁ ଆଉ ଗୋଟାଏ ମଣିଷ ତାଂକ ଜୀବନରେ ଛନ୍ଦି ହେବାକୁ ବାହାରିଲାଣି । ଡରରେ ଏକଥା କାହ୍ନା ବାପାକୁ କେଇ ଦିନ ଲୁଚେଇ ରଖିଲା । ହେଲେ ଏ କଥା କଣ ଲୁଚେ ? ଚାରି ପ୍ରାଣୀ ଚଳିବେ  କେମିତି କେଜାଣି ? କାହ୍ନା ବୋଉ ଆଖି ବୁଜି ମା' ମଂଗଳାକୁ ଡାକେ  । ସେଇ ଏକା ବାଟ ବତାଇବେ , ତାର ଓଲଟା ପାଲଟା ଜୀବନ କୁ ସଜାଡି ଦେବେ ।

 

ବର୍ଷା ଦିନ ଆସିଗଲାଣି । ଘରେ ପାଣି ଗଲୁଚି । କାନ୍ଥ ଠାଏ ଠାଏ ଫାଟି ଗଲାଣି । କାହ୍ନାଟାକୁ ଥଣ୍ଡା ଛାଡୁନି । ପଇସା ଯୋଗାଡ ବି ହେଇ ପାରୁନି । କାହ୍ନା ବୋଉ ଲୁଚିକି ଦୁଇ ଘର ବାସନ ମଜା କାମ ଧରିଲାଣି । ଯେତେ ହେଲେ ବି ସବୁ ନିଆଣ୍ଟ । ଚିନ୍ତାରେ କାହ୍ନା ବାପାଟା କେମିତି ଦିଶିଲାଣି  ।

 

ଆଜି ସନ୍ଧ୍ୟା ରେ ହଠାତ୍ ଝଡ ପରି ପଶି ଆସିଲା ଘର ଭିତରକୁ କାହ୍ନା ବାପା । ମୁଣ୍ଡରେ ଏମିତିକା  ଅବାନ୍ତର କଥା କେମିତି ପଶିଲା କେଜାଣି ? ସେ ଭାତ ଗାଲିଲା  ବେଳେ ପାଖରେ ବସିପଡି କହିଲା   "ନୂଆ ପୋଖରୀ ସେପଟେ ଯେଉଁ ଖ୍ରୀଷ୍ଟିୟାନ୍  କବର୍ ଖାନା ଅଛି , ସେଥିରୁ କବରଟେ ହାଣି ଆଜି ଇଟା ନେଇ ଆସିବା । ଦୁହେଁ ମିଶି ଘର ମରାମତି କରିବା। " କାହ୍ନା ବୋଉ ଗୋଡ ତଳୁ ସତେ ଅବା ମାଟି ଖସି ଗଲା ।କେତେ କାକୁତି ମିନତି କଲା । ହେଲେ ତା କଥା ରହିଲାନି । କାହ୍ନା ଶୋଇବା ପରେ ଦୁହେଁ ବସି ରହିଲେ । ରାତି ବେଶୀ ହବା ପରେ ବଳିଆ ବାହାରୁ ଘେରେ ବୁଲି ଆସିଲା ।

 

"ଚାରି ଆଡ ଶୁନ୍ ଶାନ୍ ହେଇ ଗଲାଣି । ବେଗୀ ବେଗୀ ବାହାରି ପଡ ଅଖାଟାଏ ଧରି । ଇଟା ବୋହି ଆଣିବା ।" କୋଦାଳଟେ ଧରି ଦୁହେଁ ଚାଲିଲେ ସେ ଝିପି ଝିପି ବର୍ଷାରେ । ପୋଖରୀ ହୁଡାଟା ଭାରି  କାଦୁଅ । କାହ୍ନା ବୋଉ ପାଦ ଚିପି ଚିପି ଚାଲି ଥାଏ ବଳିଆ ପଛେ ପଛେ । ସାତ ମାସ ହବାକୁ ବସିଲାଣି , କାଦୁଅରେ କଚଡେ ଖାଇଲେ  ତା ସଂସାର ଉଜୁଡି ଯିବଟି ।  ବଳିଆ ପାଟି କଲା "ଆଲୋ ,ଶୀଘ୍ର ଚାଲେ । ଫେରିଲା  ବେଳକୁ ଡେରି ହେଇଯିବ କାଳେ। " କାହ୍ନା ବୋଉ ମନ ମାନୁନି । ଛୁଆଟା ଏକୁଟିଆ  ଘରେ ଶୋଇଚି।  ତା ବାପା ଅଫିମ ଟିକେ ଚଟେଇ ଦେଇଚି ଉଠିବନି ବୋଲି । ଲଂଠଣଟା ତେଜି ଦେଇ କବାଟ ବାହାରୁ ବନ୍ଦ କରି ଦେଇଚି  । ହେ ମା' ମଂଗଲା ଛୁଆଟା ତୁମକୁ ଲାଗିଲା ।

 

ଦୁହେଁ କବର୍ ଖାନା ସାମନାରେ ପହନ୍ଚିଲେ।  ଅନ୍ଧାରରେ ଚୁନ ଲିପା କବର ଗୁଡିକ ଜଳ ଜଳ ହେଇ ଦିଶୁଚନ୍ତି । ବିଲୁଆଟାଏ ଦୌଡି ଗଲା । କାହ୍ନା ବାପା ହାତକୁ ସେ ଚାପି ଧରିଲା। " ତୁମକୁ ଭୂତ ପ୍ରେତ ଡର ନାହିଁ ? ଏମିତି ପଥର କେମିତି ପାଲଟି ଗଲ ତୁମେ ? " ବଳିଆ ତା କଥାର ଉତ୍ତର ନ ଦେଇ  କବରଟେ ହାଣିବା  ଆରମ୍ଭ କଲା । ଭାଗ୍ୟକୁ ଆଜି ବର୍ଷା ହଉଚି  । ଏମିତି ପାଗରେ କେହି ପଦାକୁ ଆସିବେନି । "ମୁଁ ହାଣୁଚି , ତୁ ଇଟାତକ ଅଖାରେ ସଜାଡି ରଖ ।"

 

ବର୍ଷା ବଢି ଲାଣି । କାହ୍ନା ବୋଉ ଆଉ ପାରୁନି । ଦେହର ଭାର ସାଂଗକୁ ଏ ବର୍ଷା । ଗୋଟା ପଣ ଜୁଡୁ ବୁଡୁ ହେଇ ଗଲାଣି  । କାହ୍ନା ବାପା ସାହାସ ଦେଲା । "ରାତି ଟାଏ କଷ୍ଟ କରିଦେବା । ଆମ ଘରଟି ମରାମତ ହେଇଯିବ । ଆମେ ଆଉ ବର୍ଷାରେ ହଇରାଣ ହବାନି । ଆମ ଅଭାବ କଥା ତ ତୁ ଜାଣୁଚୁ । ଆଉ କଣ କରିବା କହିଲୁ ?" ତିନି ପା' ଖୋଲି ସାରିଲେଣି । ଅଖାଟା ପୁରା ହେଇ ଗଲାଣି  । ଶେଷକୁ ଇଟା ଯୋଡି ହେଇ ଥିବା ବଡ ଖଣ୍ଡଟାଏ ବାହାରି ଆସିଲା । କାହ୍ନା  ବାପା କହିଲା ,"ମୁଁ ଏ ଖଣ୍ଡ ଟା ମୁଣ୍ଡେଇବି । ତୁ ଅଖାଟା ବୋହିବୁ ।" କାହ୍ନା ବୋଉ ଡରି ଗଲା  । ଏଡେ ବସ୍ତାଟାଏ ସେ ନବ କେମିତି ଏ  ଅବସ୍ଥାରେ ? ବଳିଆ ଆର ଖଣ୍ଡ ଟି ମୁଣ୍ଡରେ ଗାମୁଛା ବାନ୍ଧି ମୁଣ୍ଦେଇ ସାରି ଲାଣି । କହିଲା ବେଗି ବେଗି ବାହାରି ପଡ । ପାହାନ୍ତା ହେଇଗଲେ କିଏ କାଳେ ଦେଖି ପକେଇବେ ।  ଏମିତି ଦି ଚାରି ଥର ନେଇ ଗଲେ ତ ଆମ ଘରଟା ପୁରା ସଜାଡି ହେଇଯାଂତା  , ନୁହେଁ ? "

 

କାହ୍ନା ବାପାର ମଳିନ ମୂଖମଣ୍ଡଳରୁ ଦୁଖଃର ବାଦଲ ସତେ ଯେମିତି ଧିରେ ଧିରେ ହଟିବାକୁ ଆରମ୍ଭ କରି ଦେଇଥିଲା  । ତା ଭିତରୁ ସନ୍ତୋଷ ଭରା ସ୍ମିତ ହାସ୍ୟଟିଏ ଉଂକି ମାରି ଆସୁ ଥିଲା  । କାହ୍ନାର କାନ୍ଦୁରା ମୁହଁ ଛଡା ତା ବୋଉକୁ କିଛି ଦିଶୁ ନ ଥିଲା । ଦୁହେଁ  ବଡ କଷ୍ଟରେ ବାହାରିଲେ।  ବର୍ଷା ଅଜାଡି ହେଇ ପଡୁଚି ବଡ ଯୋର୍ ରେ । ବାଟ ଟା ଅତି ବେଶୀ ନୁହେଁ  , ହେଲେ ବଡ କଷ୍ଟରେ କାନ୍ଦି କୁନ୍ଥେଇ ବସ୍ତାଟିକୁ ଘୋଷାରି ଘୋଷାରି କାଦୁଆ ରାସ୍ତାରେ ଚାଲିଲା ସେ । ଘରେ ପହନ୍ଚିଲା ବେଳକୁ ଅଧା ପ୍ରାଣ ହେଇ ଗଲେଣି ଦୁହେଁ । ବସ୍ତାଟିକୁ ଦୁଆର ମୁହଁରେ ପକେଇ ଦେଇ କାହ୍ନାକୁ ଦେଖିବାକୁ ଧାଇଁଲା ସେ । 

 

କବାଟଟା ଖୋଲିଲା ବେଳକୁ ଘର ବର୍ଷା ପାଣିରେ ଭାସୁଚି । ଲନ୍ଠଣଟି ମିନଜି ମିନଜି ହେଇ ଜଲୁଚି ତେଲ ଅଭାବରୁ  । ଇଏ କଣ ? ଖଟିଆରେ କଣ କାହ୍ନା ନାହିଁ ? ତା ବିଛଣାଟା ଜୁଡୁ ବୁଡୁ ଓଦା । ବିଛଣାରେ ପାଣି ପଡିବାରୁ ଆଉ କୋଉଠି ଶୋଇ  ପଡି ଥିବ । କାଇଁ ଆଉ କୋଉଠି ଦିଶୁନି ତ ? ଦୌଡି ଗଲା ରନ୍ଧାଶାଳକୁ । ସବୁ ଆଡ କିଟି କିଟି ଅନ୍ଧାର । କାହିଁ କାହ୍ନା ତ ଦିଶୁନି ? ତା ଛାତିଟା ଫାଟି ଗଲା ପରି ଲାଗି ଲାଣି । ହଠାତ୍ ନଜର ପଡିଲା ଭାଡି ତଳେ କଣ ଗୋଟାଏ ଦିଶୁଚି । ଦୌଡି ଯାଇ କୋଳେଇ ନେଲା  । କାହ୍ନାର ଆଖି ଦିଟା ତରାଟି ହେଇ ଯାଇଚି । ଜିଭଟା ପଦା କୁ ବାହାରି ଆସିଚି । ଛାତିରେ ଚାପି ଧରିଲା ତାକୁ । ସତେ ଅବା କାଠ ଖଣ୍ଡଟିଏ । ଭୋ ଭୋ ହେଇ କାନ୍ଦି ଉଠିଲା ସେ. ...ମୋ ସଂସାର ଉଜୁଡି ଗଲା ଲୋ ...ମୋ ଧନ ....ମୁଁ କଣ କରିବି ଲୋ ......ମୋ ଧନମଣି ....କୁଆଡେ ଗଲୁ ରେ ବାପା .....କାହ୍ନା ବାପା  ହାଉଳି ଖାଇ  ଦୌଡି ଆସିଲା ।

 

ବାହାରେ ବର୍ଷା ଥମି ଗଲାଣି । ସିନ୍ଦୁରା ଫାଟି ଆସିଲାଣି ।  ଦୁହିଂକର ମିଳିତ କାନ୍ଦର ଏକ କରୁଣ ରାଗିଣୀ ନୁଆଣିଆ ଚାଳ ଘରକୁ ବିଦୀର୍ଣ କରି ଶୁନ୍ୟ ଆକାଶରେ ମର୍ମରିତ ହେଉ ଥିଲା ।

poverty helpless hope

Rate the content


Originality
Flow
Language
Cover design

Comments

Post

Some text some message..