"ଅଡ଼ୁଆ"
"ଅଡ଼ୁଆ"
ପ୍ରତିଦିନ ସକାଳ ହେଲେ ଗିରିଧାରୀ ମୁଣ୍ଡରେ ଗାମୁଛା ବାନ୍ଧି,ବାଁ କାନ୍ଧରେ କୋଡ଼ି ପକେଇ ଆଖପାଖ କଲୋନି କୁ ଛୋଟିଆ ମୋଟିଆ କାମଧନ୍ଦା ଖୋଜିବାହାରି ଗଲାବେଳେ ଭାବେ," ଅଜୁ କଣ ବଡହେଲେ ଏଇ ବୃତ୍ତି କରି ପିଲା ପରିବାର ପୋଷିବ ! "
ପଞ୍ଚମ ଶ୍ରେଣୀ ରୁ ସ୍କୁଲ ଯିବା ବନ୍ଦକରି, ବସ୍ତିର ଫାଲତୁ ପିଲା ମାନଙ୍କ ସହ ମିଶି ଇଆଡ଼େ ସିଆଡେ ବୁଲି,ବାଳୁଙ୍ଗାମି କରୁକରୁ ଷୋହଳ ପୁରି ସତର ଚାଲିଲାଣି । ନୂଆନୂଆ ଉଠିଥିବା ନିଶଦାଢ଼ି ସାଙ୍ଗକୁ ମଜବୁତିଆ ଚେହେରା ଦେଖିଲେ ଯିଏ କେହି କହିବ ସାହେବ ଘରର ପୁଅ। ଅଜୁ ବି ଆଜିକାଲି ନିଜକୁ କୋଉ ସାହେବ ଠାରୁ କମ ମାନେକରୁନାହିଁ। ଗତ ମୁନିସିପାଲିଟି ଇଲେକ୍ସନ ବେଳେ ଆଠ-ପନ୍ଦର ଦିନ ପାଇଁ କୋଉଜଣେ ନେତାଙ୍କ ପାଇଁ ପ୍ରଚାର କଲା ଯେ ମାଛମାଉଁସ ଖାଇ ,ମଜାମସ୍ତି କରି ବଳକା ପଇସାରେ ସେକେଣ୍ଡ ହେଣ୍ଡ ମଟର ସାଇକେଲ ଖଣ୍ଡେ କିଣି ପକେଇଲା। ଦିନ ପନ୍ଦର ଟା ଭିତରେ ଅଜୁ ରୁ ହେଇଗଲା ଅଜୁବାବୁ। ନେତାମନ୍ତ୍ରୀ ମାନେ ସମସ୍ତେ ତା'ର ଚିହ୍ନା। ପାଖ ପଡ଼ୋଶୀଙ୍କ ଭଲମନ୍ଦ ରେ ତାକୁ ଡାକରା ପଡୁଛି ଏଣିକି। ଥାନାଫାଣ୍ଡି ମାମଲାରେ ଅଜୁବାବୁ ଆଗଖୋଜା । ଅଜୁ ପାଇଁ ଆଜି ଗିରିଧାରୀ ମୁଣ୍ଡ ଉଚ୍ଚା ହେଇଯାଇଛି ।
ଆଜି ସକାଳେ ଘର ଆଗରେ ଗୋଟେ ଲମ୍ବା କାର ଆସି ଲାଗିଲା। ଜଣେ ସାହେବ କାରରୁ ଓହ୍ଲେଇ ପଡି ଗିରିଧାରୀ କୁ ପଚାରିଲେ ," ଆରେ, ଅଜୁବାବୁ ଙ୍କ ଘର ଏଇଟା ଟି?"
ଏତେବଡ଼ ସାହେବ ତା ଅଜୁକୁ ଅଜୁବାବୁ କହୁଛି ଶୁଣି ଗିରିଧାରୀ ଆନନ୍ଦରେ ଗଦଗଦ ହେଇ କହିଲା," ଆଜ୍ଞା ସାହେବ, ଅଜୁବାବୁ ମୋ ପୁଅ ପରା। ତମେ ଆଜ୍ଞା ଆସନ୍ତୁ ମୋ ସାଙ୍ଗରେ, ମୁଁ ଅଜୁବାବୁଙ୍କୁ ଡାକି ଆଣୁଛି ସାଙ୍ଗେ ସାଙ୍ଗେ।"
ସାହେବ କହିଲେ,"ହଉ,ମୁଁ ଏଇଠି ଗାଡି ପାଖରେ ଅଛି ତାଙ୍କୁ ଡାକିଦିଅ,କହିବ ସପନ ବାବୁ ଆସିଛନ୍ତି।"
ଅଜୁବାବୁ ଆସି ନମସ୍କାର ହେଲା। ସପନ ବାବୁ କହିଲେ "ଆରେ ଅଜୁବାବୁ, ତମେ ତ ଏମେଲେଙ୍କର ଖାସ ଲୋକ,ମୋତେ କଣ ନମସ୍କାର କରୁଛ । କାଲି ସାରେ ନୋମିନେସନ ଦାଖଲ କରିବେ। ଅତିକମରେ ଦୁଇଶହ ଟୋକା ଦରକାର। ସେଥିପାଇଁ ତମକୁ ପ୍ରଥମେ ଡ଼ାକରା ପଡ଼ିଲା। ନଅଟା ସୁଦ୍ଧା ପହଞ୍ଚିବ। ଆଜି ପଚାଶ ହେଲେ ଚଳିବ। ଖର୍ଚ୍ଚ ପାଇଁ ଚିନ୍ତା ନାହିଁ, ହବ ଟି ?"
- "ହଁ ଯେ,ହେଲେ... ଟିକେ.."
- " ହେଲେ ପୁଣି କଣ କି ହୋ ଅଜୁବାବୁ ?ଯାହା କହିବା କଥା ଖୋଲିକି କହୁନ । ଲୁଚା ଛୁପା କିଛି ନାହିଁ। କୁହ।"
- " ହଠାତ କିନା କହିଲେ ,ପୁଣି ପଚାଶ ଟୋକା। ପଚିଶି ବାଇକ ଦରକାର। ତେଲପାଣି ଖର୍ଚ୍ଚ ବାଆଦେ ଟଙ୍କା ପାଂଆଶ ନେଖେ ନ ଧରିଲେ କେହି ବି ବସିବା ଜାଗାରୁ ଉଠିବେନି। ତା'ସାଙ୍ଗକୁ ଏବେ ଯଉଁ ଖରା ହେଉଛି ସେଥିରେ ସମସ୍ତଙ୍କୁ ମାଲପାଣି ଟିକେ ଦରକାର..."
- " ସେଇକଥା କହୁନା, ଏତେ ବୁଲେଇ ବଙ୍କେଇ କଣ କହୁଛ କିହୋ ଅଜୁବାବୁ। ହେଇଟି,ତମେ ପରା ପୁରୁଣା ଟୋକା ଆମର। ଧର,ରଖ ଏଇ ଷାଠିଏ ହଜାର।ଆଉଜାହା ହେବ ସାରେ ଦେବେନାହିଁ ?"
ଟଙ୍କା ତକ ପକେଟରେ ରଖୁରଖୁ ଅଜୁବାବୁ କହିଲେ "ଠିକ ଅଛି, ଆପଣ ଚାଲନ୍ତୁ,କାମ ହେଇଯିବ।"
ପାଖରେ ଠିଆ ହୋଇ ଗିରିଧାରୀ ଭାବୁଥିଲା ," ଅଜୁ ଭଳିଆ ପୁଅ ଥାଉଥାଉ ମୁଁ ଖାଲି ଅଯଥାରେ ଚିନ୍ତା କରୁଥିଲି ଯାହା।"
ଦଶଦିନ ହେଲାଣି ଅଜୁ ଇଲେକ୍ସନ ପ୍ରଚାରରେ ବ୍ୟସ୍ତ। ଦିନରାତି ଏକାକାର କରି ଦେଇଛି। ଦୁଇଶହ-ଅଢେଇଶହ ଟୋକାଙ୍କୁ ନେଇ ସମ୍ଭାଳିବା କିଛି ଛୋଟ କଥା ନୁହେଁ। ଏମେଲେ ସାର ପୁରୁଣା ବଜାର ପାଖରୁ ଆରମ୍ଭ କରି ବୁଦ୍ଧଗିରି ପର୍ଯ୍ୟନ୍ତ ତା ଦାୟିତ୍ୱ ରେ ଛାଡି ଦେଇଛନ୍ତି। ପାଣି ଭଳି ପଇସା ଖର୍ଚ୍ଚ କରୁଛନ୍ତି। କହି ଦେଇଛନ୍ତି , ଗୋଟି ଗୋଟି କରି ସବୁ ଭୋଟ୍ ତାଙ୍କୁ ମିଳିବା ଦରକାର।
କାଲି ଭୋଟ୍, ଆଜି ରାତିରେ ପଇସା ଉଡିବ। ଏମେଲେ ଦେବେ ହେଲେ ଉଡ଼େଇବେ ଅଜୁବାବୁ। ତାଗିଦା ଅଛି ,"ଯେତେ ଉଡୁଛି ଉଡୁ ହେଲେ କଉଡ଼ିଟିଏ ପାଣିରେ ନ ପଡେ ଯେମିତି।" ତା'ସାଙ୍ଗକୁ ଏକଥା ବି କହିଛନ୍ତି ଯେ ଏଥର ଜିତିଲା ପରେ ଅଜୁ କୁ ପାର୍ଟି ଅଫିସରେ ଗୋଟେ ଭଲ ପୋଜିସନ ମିଳିବ ଏବଂ ତାକୁ ଟାଉନ ଭିତରେ ଘରଖଣ୍ଡେ ଦିଆଯିବ।
ରାତି ନଅଟା ସରିକି ବଲେରୋ ଗାଡ଼ିରେ ଅଖା ବସ୍ତାରେ ବସ୍ତାଏ ନୋଟ ଆଉ ପାଞ୍ଚ କାର୍ଟୁନ କ୍ୱାର୍ଟଜ ଲଦା ହେଲାପରେ ଅଜୁ ବଛା ବଛା ପାଞ୍ଚଜଣଙ୍କୁ ସାଙ୍ଗରେ ଧରି ବାହାରି ପଡିଲା। କୋଉ ସାହିର କାହାକୁ କେତେ ଧରାଯିବ ତା'ର ତାଲିକା ପକେଟରୁ ବାହାର କରି ଆଉଥରେ ଭଲକରି ଦେଖିନେଲା ପରେ ଡ୍ରାଇଭର କୁ କହିଲା," ମା ବାଲୁଙ୍କେଶ୍ୱରୀ ଢ଼ାବା ପାଖରେ ଗାଡି ଲଗେଇବୁ। ରାତିସାରା ବୁଲିବାକୁ ପଡିବ, ଭଲକରି ମାଲ ଟିକେ ନ ପକେଇଲେ ଖଟି ହେବନି।"
ଏଗାରଟା ପାଖାପାଖି ଖିଆପିଆ ସାରି ଆସି ଗାଡ଼ିରେ ବସିଲା ବେଳକୁ ଅଜୁବାବୁଙ୍କ ମୁଣ୍ଡକୁ ନିଶା ପୁରାପୁରି ଚଢି ଯାଇଥିଲା। ଡ୍ରାଇଭର କହିଲା ,"ବାବୁ, ଆଜି ରାତିସାରା ଜୋରସୋର ପୁଲିସ ପାଟ୍ରୋଲିଂ ହେଉଛି କେମିତି କଣ କରିବା? ଧରା ପଡିଗଲେ ଟଙ୍କା ଆଉ ମାଲ, ସବୁ ସିଜ ହେଇଯିବ, ଥାନାକୁ ନେଇ ଅଟକାଇ ଦେଲେ ସବୁ ପ୍ଲାନ ବିଗିଡି ଯିବ।"
- " ଆବେ ତୋ କାମ ହେଲା ଗାଡି ଚଲେଇବା, ତୁ ଚଲା। ବାକି କଥା ମୁଁ ବୁଝୁଛି। କହିଲା କଣ ନା 'ପିସିଆର୍'। ଆବେ ଆମ ସାର କଣ ବିରୋଧୀ ଦଳର ନା କଣ ଯେ ପୁଲିସକୁ ଡରିବୁ ଆମେ। ଚାଲ,ପୁଲିସ ପଚାରିଲେ କହିବୁ 'ଅଜୁବାବୁ ଙ୍କ ଗାଡି'।"
ପକ୍କା ସଡ଼କରୁ ତଳକୁ ଓହ୍ଲେଇ ଚଣ୍ଡୀସାହି ଭିତରକୁ ଗାଡି ପୁରେଇଲା ବେଳକୁ ଆଗରେ ଏନ୍ଫୋର୍ସମେଣ୍ଟ ସ୍କୁୱାର୍ଡ ର ଗାଡିକୁ ଦେଖି ଡ୍ରାଇଭର କହିଲା "ଅଜୁବାବୁ, ସ୍କୁୱାର୍ଡ। କଣ କରିବା? "
-"ତାଙ୍କ ବାବୁଙ୍କୁ କହ ଏଇଟା ଅଜୁବାବୁ ଙ୍କ ଗାଡ଼ି।"
ତା'ପରଦିନ ଭୋଟ୍ ସରିବାପରେ ରାତି ଦଶଟା ପରେ ଥାନାରେ ପହଁଚିଲେ ସପନ ବାବୁ। ବ୍ୟକ୍ତିଗତ ମୁଚାଲିକାରେ ଅଜୁକୁ ନେଇ ଗାଡ଼ିରେ ବସାଇ ସିଧା ନେଇଗଲେ ଏମେଲେ ଙ୍କ ଫାର୍ମ ହାଉସ କୁ। କହିଲେ,"ଏଇଠି ଖାଇବା ପିଇବା ସବୁର ବ୍ୟବସ୍ଥା ଅଛି, ତୋ ଜୀବନ ଉପରେ ବିପଦ ଅଛି ତେଣୁ ମୁଁ ନ କହିବା ଯାଏଁ ଭୁଲରେ ମଧ୍ୟ ୟା'ଭିତରୁ ବାହାରକୁ ପାଦ କାଢିବୁ ନାହିଁ। ମୋବାଇଲ କୁ ଏମେଲେ ସାର ଆଉ ମୋ ଫୋନ ଛଡା ଆଉ କାହା କଲ ଆସିଲେ ଉଠେଇବୁ ନାହିଁ,ଏମିତିକି ତୋ ବା ଫୋନ ମଧ୍ୟ। ପୋଲିସ ଟ୍ରାକ କରି ଧରିନେଲେ ସିଧା ଭିତରେ ପଶିବୁ ଯେ ଆଉ ବାହାରି ପାରିବୁ ନାହିଁ। ସେତେବେଳେ ଆଉ ମୁଁ କିଛି କରିପାରିବି ନାହିଁ। ବୁଝିଲୁ ନା ନାହିଁ?"
କିଛି ନକହି ମୁଣ୍ଡ ହଲେଇଲା ଅଜୁ।
ଇଲେକ୍ସନ ଫଳାଫଳ ପ୍ରକାଶ ପାଇଲା ଦିନ ସନ୍ଧ୍ୟା ସମୟରେ ଦୁଇଜଣ ଗୁଣ୍ଡା ଶ୍ରେଣୀର ଲୋକ ଆସି ଫାର୍ମ ହାଉସରେ ପହଞ୍ଚି କିଛି ନକହି ତାକୁ ଗୋଟେ କୋଠରୀ ଭିତରକୁ ନେଇଗଲେ।ଅଜୁ କିଛି ବୁଝି ପାରୁନଥିଲା। ତଥାପି ପଚାରିଲା,"ଏମେଲେ ସାର ଜିତିଲେ ତ?" ସେମାନଙ୍କ ଭିତରୁ ଜଣେ କହିଲା, "କାହିଁକି, ତୋ ଏମେଲେ କଣ ଜିତିବା ନିହାତି ଜରୁରୀ?" ତା'ପରେ ଦୁହେଁ ମିଶି ଅଜୁକୁ ମାଡିବସି ତା ଦୁଇହାତ କୁ ପଛପଟରୁ ବାନ୍ଧିଦେଇ ତା ମୁହଁରେ ଗୋଟେ ରୁମାଲ ଗେଂଜିଦେଇ କାଠ ଫାଳିଆ ଧରି ନିସ୍ତୁକ ପିଟିଲେ। ହାତ,ଗୋଡ଼ ଓ ପଞ୍ଜରା ହାଡ଼ ସବୁ ଭାଙ୍ଗିଲା ବେଳକୁ ଅସହ୍ୟ ଯନ୍ତ୍ରଣା ହେଉଥିଲା ମାତ୍ର ସେ ଚିତ୍କାର ମଧ୍ୟ କରିପାରୁନଥିଲା। କିଛି ସମୟ ପରେ ସେମାନେ ତା ହାତ ଖୋଲିଦେଇ ତାକୁ କାନ୍ଧରେ ଉଠେଇ ଫାର୍ମ ହାଉସ ଗେଟ ବାହାରକୁ ନେଇ କିଛି ବାଟ ଗଲାପରେ ପକ୍କା ସଡକ ପାଖ ନଇଁଯୋଡି ପାଖରେ ପକାଇଦେଇ ଅନ୍ଧାର ଭିତରେ କୁଆଡ଼େ ଉଭାନ ହେଇଗଲେ।
ସକାଳୁ ସକାଳୁ କେହିଜଣେ ଦେଖିଲା ପରେ ନଇଁଯୋଡ଼ି ପାଖରେ ମୂର୍ଦ୍ଦାର ଟିଏ ପଡିଛି ବୋଲି ଖବର ଖେଳିଗଲା। ଅଜୁ କାନକୁ ଲୋକମାନଙ୍କ କଥାବାର୍ତ୍ତା ଶୁଭୁଥିଲା ମାତ୍ର ହାତଗୋଡ଼ ହଲେଇ କିମ୍ବା ଆଖି ଖୋଲି ଜଣାଇ ପାରୁନଥିଲା ସେ ମୂର୍ଦ୍ଦାର ନଥିଲା,ଜୀବିତ ଥିଲା ବୋଲି।
ଖବର ପାଇ ପି.ସି.ଆର. ଭ୍ୟାନ ପହଞ୍ଚିଲା। ଏ.ଏସ.ଆଇ. ଦୁଇଜଣ କନେଷ୍ଟବଳଙ୍କ ସାଙ୍ଗରେ ଅଜୁ ପାଖରେ ପହଞ୍ଚି ଦେଖିଲେ ତା ନିଶ୍ୱାସ ଚାଲୁଛି। ଜଣେ କନେଷ୍ଟବଳ କହିଲା,"ସାର,ଅଜୁବାବୁ !" ଏ.ଏସ.ଆଇ. ତାକୁ ଚୁପ ରହିବା ପାଇଁ ଆଖିରେ ଇସାରା ଦେଇ ଭ୍ୟାନ କୁ ଉଠେଇ ନେବାକୁ କହି ଲୋକମାନଙ୍କୁ ଭିଡ଼ ଭାଙ୍ଗିବାପାଇ ଆଦେଶ ଦେଇ ଭ୍ୟାନ ରେ ବସିଲେ। ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିସାରିବା ପରେ ଗିରିଧାରୀ ପାଖକୁ ଖବର ପଠାଇ ଦେଇ ମନକୁ ମନ କହିଲେ," ନେତାମନ୍ତ୍ରୀଙ୍କର ପାଖଲୋକମାନେ ସବୁବେଳେ ସମସ୍ତଙ୍କ ପାଇଁ ଅଡ଼ୁଆ ,ଏମିତି କି ନିଜେ ନିଜ ପାଇଁ ମଧ୍ୟ।"
----------©-----------
ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)
ହରସିଂହ ପୁର,ପିରହାଟ ବଜାର
ଭଦ୍ରକ -୭୫୬୧୩୧
୯୯୩୭୫୪୮୪୩୧
୯୪୩୮୬୭୦୧୨୦