Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାଧା
ବାଧା
★★★★★

© CHANDRAKANTA PAHI

Inspirational Tragedy

6 Minutes   412    24


Content Ranking

ଆଜି ସୁରଜିତ୍ ର ଦିନ । କାହିଁକି ବା ନୁହେଁ ଏତେ ଅପେକ୍ଷା, ଏତେ ବାଧାବିଘ୍ନ ଆଉ ସମାଜ ର ଅଗ୍ରହଣୀୟତାକୁ ସହି ନ ପାରି ବାଧ୍ୟ ହୋଇ ରାତି ଅଧରେ ଘରୁ ଲୁଚି ପଳେଇ ଆସିବାରେ ସଫଳ ହେଇଛି ନଜରିନ୍ ସହିତ ।

ସକାଳୁ ଖବର ପ୍ରଚାର ହୋଇସାରିବଣି ଗାଁ ସାରା । ଗାଁ ଲୋକେ କହୁଥିବେ "ରାମସାହୁ ପୁଅ ମୁସଲମାନ ସାହି ର ଝିଅକୁ ନେଇ ପଳେଇଛି !" ବୋଉ ଘରକୋଣ ରେ ବସି କାନ୍ଦୁଥିବ ! ମୀନାକୁ ମନା କରିଥିବେ ସ୍କୁଲ୍ ଯିବାକୁ କାଳେ ତାକୁ କିଏ କଣ କହିବ ! ସିଏ କାନ୍ଦୁରି ଟା କାନ୍ଦି କାନ୍ଦି ଆସିବ ପୁଣି । ଗାଁ ସାରା ପ୍ରଚାର ହେବା ପରେ ନିଆଁ ପାଣି ବନ୍ଦ କରିଦେଇଥିବେ ଗାଁ ଲୋକେ ।

ଭଲା ଏମିତି କରିବା ପୂର୍ବରୁ ଟିକେ ଭାବିଥାନ୍ତି । ଏବେ କେତେ କଷ୍ଟ ସଜ୍ଜ କରୁଥିବେ ସେମାନେ । ହେଲେ କଣ ବା କରିବ ! ଏ ସମାଜ ତାଙ୍କ ଭଲପାଇବାକୁ ସ୍ୱୀକୃତି ନ ଦେବାରୁ ସେ ଆଜି ଏମିତି କରିଛି ।

ଏ ସମାଜ ଆଖିରେ ପ୍ରେମ ହୁଏତ ଜାତି ଧର୍ମ ଅର୍ଥର ପ୍ରତିବନ୍ଧ ରେ ବନ୍ଧା କିନ୍ତୁ ସୁରଜିତ୍ ପାଇଁ ଏହା ସମ୍ପୂର୍ଣ୍ଣ ଭିନ୍ନ । ତା ପାଇଁ ଏହା କାହ୍ନୁ ବଇଁଶୀରେ ବନ୍ଧା ନିଃସ୍ୱାର୍ଥପର ଅଦମ୍ୟ ଅନ୍ଧପ୍ରାୟ ସାତସୁର ର ଡୋର ଯାହା ଦେଖେନା ଜାତି ପ୍ରମାଣପତ୍ର ଅଥବା ସମାଜ ସ୍ୱୀକୃତି । ପ୍ରେମ ର ତା ପାଖରେ ନଥାଏ କୌଣସି ପରିମାପ ନଥାଏ କୌଣସି ବାଧ୍ୟ ବାଧକତା । ପ୍ରେମିକା ପାଖରେ ଏଇ ମୋହହୀନ କ୍ରୋଧହୀନ ପ୍ରେମ ଟିକେ ପାଇଁ ପ୍ରେମିକ ଭୁଲିଯାଏ ଏ ଅସାର ଦୁନିଆକୁ । ନିଜକୁ ସମର୍ପିତ କରିଦିଏ ପ୍ରିୟାର ହୃଦୟ ଘରେ, ତା ସହିତ ସମର୍ପିତ କରିଦିଏ ନିଜର ଲାଜ,ମହତ ଓ ଇଜ୍ଜତକୁ ପ୍ରେମର ସାର୍ଥକତା ପ୍ରାପ୍ତ କରିବାକୁ ।

ସୁରଜିତ୍ ସେଇ ଭଲପାଇବା ଟିକକ ପାଇଛି ବୋଲି ତ ଆଜି ଆଖିବୁଜି ରାତ୍ରି ର ଅନ୍ଧକାରରେ ନଜରିନ୍ କୁ ଧରି ପଳେଇଆସିଛି ଭୁବନେଶ୍ୱର । ଆସିବା କଥା ଜାଣନ୍ତି କେବଳ କେତେଜଣ ସାଙ୍ଗ ଯେଉଁମାନେ ଆଣି ବସ୍ ରେ ଚଢ଼େଇଦେଇ ଯାଇଥିଲେ ଭଦ୍ରକ ବସ୍ ଷ୍ଟାଣ୍ଡ ରେ । ବସ୍ ଛାଡିବାବେଳକୁ ବନ୍ଧୁକୁ ସୁର କହିଯାଇଥିଲା ପରିସ୍ଥିତି ବିଷୟରେ ଖବର ଦେବାକୁ ।

ସକାଳୁ ସକାଳୁ ସୁର ଭୁବନେଶ୍ୱରରେ ପହଂଚି କେତେଜଣ ସାଙ୍ଗଙ୍କ ସହାୟତାରେ ବାହା ହେବାକୁ ପହଁଚିଲା ରେଜିଷ୍ଟ୍ରି ଅଫିସ୍ ରେ । ଯାହା ହେଉ ଭଲରେ ଭଲରେ ବାହାଘର ମଧ୍ୟ ହେଇଗଲା ଆଉ ପ୍ରଥମେ ପ୍ରଥମେ ଅଳ୍ପ କଷ୍ଟ ସହିବାକୁ ପଡ଼ିଥିଲେ ମଧ୍ୟ । ନଜରିନ୍ ଆଣିଥିବା କିଛି ଗହଣା କୁ ଧାର୍ ରଖି ଛୋଟ ବ୍ୟବସାୟ ଟିଏ ଆରମ୍ଭ କରିଥିଲା ସୁରଞ୍ଜନ ।

ଏହା ଭିତରେ ବିତିଯାଇଛି ତିନି ବରଷ ।ସୁରଞ୍ଜନ୍ ର ଜନ୍ମ ହୋଇ ସରିଥାଏ । ନଜରିନ୍ ର ଘରଲୋକେ ସହଜେ ଆପଣେଇ ନେଇଥିଲେ ମଧ୍ୟ ଆପଣେଇ ନଥିଲେ ସୁର ର ଘରଲୋକ ।

ଏପଟେ ବାପା ରାଗରେ ସୁର ର ଶ୍ରାଦ୍ଧ ଦେଇ ସାରିଥାନ୍ତି , ଏ କଥା ସୁର କୁ ଜଣା । ତଥାପି କମିନାହିଁ ସୁର ର ବାପାଙ୍କ ପ୍ରତି ଭଲ ପାଇବା । ପିଲାବେଳେ ମାମୁଁଘରକୁ କାନ୍ଧରେ ବସେଇ ନେଇଯାନ୍ତି । ସକାଳୁ ବାହାରିଲେ ପହଞ୍ଚୁ ପହଞ୍ଚୁ ମୁହଁ ଅନ୍ଧାର ହେଇ ଯାଏ । ଦିନସାରା ଚାଲିଥାନ୍ତି ସେମିତି , ସୁର ବୁଝିପାରେ ବାପାଙ୍କୁ କଷ୍ଟ ହୁଏ କିନ୍ତୁ ତାକୁ ଚାଲିବାକୁ ଦିଅନ୍ତିନି । ଥରେ ପିଲାବେଳେ ସୁର କୁ ଭୀଷଣ ଜର ହେଇଥାଏ ବାପା ନଥାନ୍ତି ମା ତାର ରାତି ଅଧରେ କାହାକୁ ଖାତିର ନ କରି ବାହାରି ଯାଇଥିଲା କୋଳରେ ସୁରକୁ ଧରି ପାଖାପାଖି ତିନି ଚାରି ଘଣ୍ଟା ରାସ୍ତା । ସେତେବେଳେ ମୀନା ବୋଉ ପେଟରେ ଥିଲା । ବୋଉ କୁହେ ବହୁତ କଷ୍ଟ କରିଛି ତା ପାଇଁ କାଳେ "ସାତ ଜନମ ନେଲେ ମା ର ଋଣ ସୁଝିହୁଏ ନାହିଁ ।"

ସୁର ହସିଦେଇ କହେ -" ରହ ଦେଖିବୁ ସାତ ଜନମ କାହିଁକି ଏଇ ଜନମରେ ସବୁ ଗୋଟିଗୋଟି କରି ସୁଝିବି । "

ଆଜି କିନ୍ତୁ ସବୁ ବଦଳିଯାଇଛି । ବନ୍ଧୁ ରବି ର ଫୋନ୍ ଆସିଥିଲା ବୋଉକୁ କଣ ଗୋଟେ ରୋଗ ହେଇଛି ରକ୍ତ ଦରକାର "AB+" । ସୁର ହଠାତ୍ ଶୁଣିବା ପରେ ଧରାଶାୟୀ ହୋଇପଡିଲା , ତାର ତ O+ । ଆରେ ହଁ ନଜରିନ୍ ର କିନ୍ତୁ "AB+" । ସୁର ର ମନେ ପଡ଼ିଗଲା କାରଣ ସୁରଞ୍ଜନ ଜନ୍ମ ହେବାବେଳେ ନଜରିନ୍ ର ଅନେକ ରକ୍ତ ଚାଲିଯାଇଥିଲା ଆଉ ତାକୁ ଡାକ୍ତରଖାନା ତରଫରୁ ମିଳି ଯାଇଥିଲା ।

ଏବେ ନଜରିନ୍ କୁ ଧରି ସେ ଧାଇଁଲା କଟକ ବଡ଼ ମେଡିକାଲ । ପହଞ୍ଚୁ ପହଞ୍ଚୁ ଯାହା ଦେଖିଲା ସେ ନିଜ ଆଖି କୁ ବିଶ୍ୱାସ କରିପାରିଲାନି । ସେ ଯେଉଁ ଅବସ୍ଥାରେ ବାପା ବୋଉଙ୍କୁ ଛାଡ଼ିଆସିଥିଲା ସେମାନେ ଆଉ ସେ ଅବସ୍ଥାରେ ନାହାନ୍ତି । ସୁରକୁ ଦେଖୁ ଦେଖୁ କେତେଜଣ ଗାଁ ଲୋକ ଦୁର୍ ଦୁର୍ କରି ତଡିଦେଲ । କିନ୍ତୁ ସୁର ହାର୍ ମଣିନଥାଏ । ସେଦିନ ର କଥା କୁ ସତକରିବାକୁ ଅନେକ ପ୍ରଚେଷ୍ଟା କରିଛି । ଗାଁ ଲୋକଙ୍କ ପାଦତଳେ ପଡ଼ି କାକୁତି ମିନତି କରିଛି , ହେଲେ କେହି ଶୁଣି ନାହାନ୍ତି । ଅଜାତି ରେ ବାହା ହେଲୁ ଅଜାତି ରେ ମରିବୁ କହି ଲାତ ଗୋଇଠା ମାରି ବିଦା କରିଦେଲେ । ସୁର ବସି ରହିଲା ମେଡିକାଲ୍ ସାମ୍ନାରେ ସାରାଦିନ ଆଉ କିଛି ଚାରା ନପାଇ ସନ୍ଧ୍ୟା ବେଳକୁ ବୋଉ ର ଅବସ୍ଥା ବେସି ଅସୁସ୍ଥ ହେବାର ଦେଖି ଖୋଜା ପଡ଼ିଲା ସୁର କୁ ଆଉ ନଜରିନ୍ କୁ ....

******

ଦୁଇ ବରଷ ର ସୁରଞ୍ଜନ ଏବେ ଅନେକ ବଡ଼ ହେଇଗଲାଣି । ଏବେ ସେ ସହରୀ ଇଂରାଜୀ ସ୍କୁଲ୍ ଯିବା ବି ଆରମ୍ଭ କଲାଣି । ଅବୋଧ ସେ କିଛି ଜାଣେନା ସମାଜ ଆଉ ତା ମଧ୍ୟରେ ଏତେ ଛନ୍ଦ-କପଟ,ଜାତି-ଫାତି, ଛୁଆଁ-ଅଛୁଆଁ । ଅନେକ ବନ୍ଧୁ ତାର । ହେଲେ ବି ବେଳେବେଳେ କେତେକ ବଦମାସ୍ ପିଲା ତାକୁ ଚିଡାନ୍ତି । କାନ୍ଦି ପକାଏ ସେ । ଏକୁଟିଆ ଶେଷ ଧାଡ଼ିରେ ବସାଇ ଦିଅନ୍ତି ତାକୁ । ପଚାରନ୍ତି "ତୁ ହିନ୍ଦୁ ନା ମୁସଲମାନ୍ !" କାନ୍ଦି କାନ୍ଦି ଫେରେ ଘରକୁ । ବାପାଙ୍କୁ ପଚାରେ ଆଉ ସୁର ଉତ୍ତର ଦିଏ ସେମାନଙ୍କୁ କହିବୁ "ମୁଁ ଭାରତୀୟ" । ମନକୁ ବୁଝେଇଦିଏ ସୁରଞ୍ଜନ ।

ପୁଣି ପିଲାଏ କୁହନ୍ତି "ସୁରଞ୍ଜନ କାହିଁକି ତୋ ନାଁ ମହମ୍ମଦ କି ସାହିଦ୍ କାହିଁକି ନୁହଁ !" ପିଲା ଟା ଉତ୍ତର ଦିଏ ବାପା ସୁରଜିତ୍ ଆଉ ମା ନଜରିନ୍ ର ନାଁ କୁ ମିଶେଇ ମୋ ନାଁ ସୁରଞ୍ଜନ । ଏମିତି ଏମିତି ରେ ଅନେକ ବାଧା ବିଘ୍ନ କୁ ସହି ସହି ଚାଲିଥାଏ ଦିନ । ଛୋଟ ପିଲା କେତେ ଆଉ ସହିବ ! କୁହନ୍ତି ଏହି କିଶୋରାବସ୍ଥା ରେ ମନକୁ ଅନେକ ପ୍ରଶ୍ନ ଆସିଥାଏ । ତରୁଣ ବୟସରେ ମନ ଭିତରେ ଉଙ୍କିମାରେ ଅନେକ ପ୍ରଶ୍ନ ଆଉ ଆରମ୍ଭ ହୋଇଯାଏ ଅନାବନା ଅଡ଼ୁଆ ସୂତା ର ଖିଅକୁ ସଜାଡ଼ି ଦେବାର ସ୍ୱପ୍ନ ।

ସ୍କୁଲ୍ ରେ ଆରମ୍ଭ ହୁଏ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ । ଗୋଟିଏ ପ୍ରତିଯୋଗିତା ଥାଏ "ଷ୍ଟୋରୀ ଟେଲିଙ୍ଗ୍ " । ମ୍ୟାମ୍ କୁହନ୍ତି ନିଜଘରୁ ଆଇମା ଗପ ସବୁ ଶୁଣି ଆସିବ । ଆଉ କେବଳ ସେଇ ଆଇମା ଗପ ହିଁ ଏଠାରେ କହିବ । ଏକଥା ଶୁଣି ସୁରଞ୍ଜନ ମନେ ମନେ ଆଇମା କୁ ଖୋଜି ବୁଲିଲା ।

ସ୍କୁଲ୍ ଛୁଟି ହେଉ ହେଉ ବାପା ଆସି ପହଞ୍ଚିଯାଇଥିଲେ ଗେଟ୍ ପାଖରେ ଗାଡ଼ି ଧରି । ସୁରଞ୍ଜନ ହଠାତ୍ ପଚାରିଲା "ବାପା ମୋ ଆଇମା କାଇଁ ? ମୋତେ ଗପ କହିବ ! " " ସୁରଞ୍ଜନ ର ଏଭଳି ପ୍ରଶ୍ନ ଅସହଜ କରିଦେଇଥିଲା ସୁର ବାବୁ ଙ୍କୁ । କିଛି ଉତ୍ତର ନ ଦେଇ ପାରି "ଚୁପଚାପ ଘରକୁ ଚାଲ୍ ! କହି ଗାଡ଼ିରେ ବସାଇ ଆସିଲେ ଘରକୁ । କିନ୍ତୁ କୁନି ବାଳକ ସୁରଞ୍ଜନ ନଛୋଡ଼ବନ୍ଧା ବାଳକ ଟିଏ । ସାରା ଦିନ ଗୋଟିଏ ପ୍ରଶ୍ନ ପଚାରି ପଚାରି ଚେବରା କରି ପକେଇଲାଣି ବାପା ମା ଦୁହିଁଙ୍କୁ ।

ସୁର ମନରେ ଆଜି ପୁଣି ଜିଇଁ ଉଠିଛି ସେଦିନ ର ଘଟଣା । ବୋଉ ର ଦେହ ଧୀରେ ଧୀରେ ଖରାପ ଆଡକୁ ଗତି କରୁଥିଲା । ଡାକ୍ତର ବାରମ୍ବାର ରକ୍ତ ଆଣିବାକୁ କହୁଥିଲେ ହେଲେ ଗାଁ ଲୋକେ ଆଉ ବାପା କେହି ବି ନଜରିନ୍ ର ରକ୍ତ ନେବାକୁ ରାଜି ହେଲେ ନାହିଁ ।

ହଠାତ୍ କେହି ଜଣେ ଦୌଡ଼ି ଆସି କହିଲା "ବୋଉ ଆଉ ନାହିଁ !" କାନ୍ଦି କାନ୍ଦି ଗଡ଼ିଗଲା ସୁର ଡାକ୍ତରଖାନା ବାରଣ୍ଡାରେ । ଶେଷ ସମୟରେ ଟିକେ ଦେଖିବାକୁ ଦେଲେନି ଗାଁ ଲୋକେ ବୋଉ କୁ । ଏମାନେ ମଣିଷ ନା ରାକ୍ଷସ । ରକ୍ତ ଯୋଗାଡ଼ ହୋଇପାରିଲାନି । ମୁସଲମାନ୍ ରକ୍ତ ମୋ ସ୍ତ୍ରୀ ଦେହରେ ବହିବନି !" କହି ଏଡ଼ାଇଦେଲେ ବାପା । ଏଥିରେ କେବଳ ସେଇ ଗାଁ ଲୋକଙ୍କ କୁମନ୍ତ୍ରଣା ଭରି ରହିଥିଲା । ସେମାନେ ବାପାଙ୍କୁ ବାରମ୍ବାର ଘୃଣା ର ବିଷ ପିଆଇ ପିଆଇ ତାଙ୍କ ପୁଅ ପ୍ରତି ଥିବା ଭଲପାଇବା କୁ ମାରିଦେଇଥିଲେ ।

କେଡ଼େ ନିର୍ଦୟ ଏମାନେ । ଗୋଟେ ଜୀବନ ଆଗରେ ବଡ଼ ହେଇଗଲା ଜାତି । ଆଜିର ଏ ସମାଜରେ ରକ୍ତ-ରକ୍ତର ଶତ୍ରୁ ହେଇପଡିଛି । ଏ ଗତି ଉର୍ଦ୍ଧ୍ବଗାମୀ ନୁହଁ ବରଂ ପତନ ଆଡ଼କୁ ଡାକି ନେଉଛି ଏମାନଙ୍କୁ । ଭୁଲିଯାଉଛନ୍ତି ମାନବିକତା । ଆଜି ସହନଶୀଳତା ଉପରେ ଅତ୍ୟାଚାରର ବିଜୟ ହୋଇଛି ।

ଆଖି ସାମ୍ନାରେ ମାରିଦେଲେ ବୋଉକୁ । ଶେଷକର୍ମ ବେଳକୁ ମଧ୍ୟ ଯିବାକୁ ଦେଲେନି । ମୁଖାଗ୍ନି ଦେଇପାରିଲାନି ସୁର । ଯେତେବେଳେ ସବୁ ସହିବାର ସୀମା ଶେଷ ହେଇଯାଏ , ସୁର ସ୍ତ୍ରୀ ଆଉ ପୁଅ କୁ ଧରି ପହଞ୍ଚନ୍ତି ଗାଁ ରେ ତଡ଼ିଦିଅନ୍ତି ସେମାନେ । ତାପରେ ଆଉ କେବେବି ଗାଁ କୁ ଯାଇନି ସୁର ।

ପୁଅ ଜିଦ୍ ଧରି ବସିବାରୁ ସବୁ ଦୁଃଖକୁ ଢାଳିଦେଲା ସୁର । ଲୁହ ଛଳଛଳ ଆଖିରେ । ଆଶ୍ଚର୍ଯ୍ୟ ହେଲା ସୁରଞ୍ଜନ । ଛୋଟ ପିଲା ଟା ମନରେ କଣ ଭାବିଲା କେଜାଣି । ଦମ୍ଭ ର ସହକାରେ କହି ଉଠିଲା " ବାପା ମୁଁ କରାଇବି ସେ ମିଳନ ! ଗାଁ ଲୋକ ପୁଣି ଆପାଣିନେବେ ଆମକୁ ! ଜେଜେ ମତେ ଶିଖାଇବେ ଗପ । " ଏକଥା ଶୁଣିବାପରେ କୋଳରେ ଜାବୁଡ଼ିଧରି ଜୋରରେ କାନ୍ଦିବାକୁ ଲାଗିଲା ସୁର ।


**********

ବର୍ଷା ଦିନ ! ଗାଁ ଲୋକମାନେ ଏବେ ବି ସେମିତି ଅସଚେତନ ଅବସ୍ଥାରେ ଥାଆନ୍ତି । ସ୍ବାଧୀନତା କୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଗାଁ ରେ ନା ଥାଏ ସ୍କୁଲ୍ କଲେଜ ନା ଥାଏ ଭଲ ଡାକ୍ତରଖାନା ଟେ । ଅଶିକ୍ଷିତ ଅବସ୍ଥାରେ ଆଜିବି ଗାଁ ଲୋକ ମାନେ ଥାଆନ୍ତି । ଏମିତି ଏମିତି ରେ ଅଚାନକ କାହାର କୁଦୃଷ୍ଟି ପଡ଼ିଲା କେଜାଣି ଅଚାନକ ଗାଁ କୁ ମାଡ଼ିଆସିଲା ଝାଡ଼ା,ବାନ୍ତି ହଇଜା ରୋଗ । ପାଖାପାଖି ପନ୍ଦରରୁ ଅଧିକ ଛୁଆ ଟଳି ପଡ଼ିଲେ । ଗୁଣି ଗାରେଡ଼ି ଯେତେ ଯାହା ପାରିଲେ କଲେ । ହେଲେ କୌଣସି ଲାଭ ହେଲାନି । ଶେଷ ରେ ନଜର ପଡ଼ିଲା ସରକାର ର । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ବଛାହେଲା । 

 ସୌଭାଗ୍ୟ କୁ ସେଥିରେ ଥିଲା ସୁରଞ୍ଜନ ର ନାଁ । ଗାଁ ନାଁ ଶୁଣି ସେ ବି ଆଶ୍ଚର୍ଯ୍ୟ ହୋଇପଡ଼ିଲା । ଦୁଃଖ ରେ ଭାଙ୍ଗିପଡ଼ିଲା ସତ କିନ୍ତୁ ଗାଁ ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିଲା ମଧ୍ୟ । ରାତି ପାହିଲେ ଡାକ୍ତରୀ ଦଳ ବାହାରିଯିବ ଗ୍ରାମାଭିମୁଖେ । ରାତିରେ ନିଦ ନଥାଏ ସୁରଞ୍ଜନ କୁ । ଅନେକ ପୁରୁଣା କଥା ତାର ମନେ ପଡିଯାଉଥାଏ । କେମିତି ସେଇ ଗାଁ ର ଲୋକେ ତା ବାପାଙ୍କୁ ତଡ଼ି ଦେଇଥିଲେ । କେମିତି ହୋଇଥିଲା ତା ଆଇମା ଙ୍କ ମୃତ୍ୟୁ ଏ ସବୁକୁ ଭାବି ଭାବି କଟିଥିଲା ରାତି ସକାଳୁ ବହାରିଯାଇଥିଲା ଡାକ୍ତରୀ ଦଳ ସହ ।

 ଗାଁରେ ପହଂଚି ଯାହା ଦେଖିଥିଲା ନିଜ ଆଖିକୁ ବିଶ୍ୱାସ କରିପାରିନଥିଲା । ବାପାଙ୍କ ମୁହଁରୁ ଯାହା ଯେମିତି ଶୁଣିଥିଲା ସବୁ ସେମିତି ଅଛି । ଅନେକ ସମୟରେ ବାପା ସେ ଗାଁ ର ସୌନ୍ଦର୍ଯ୍ୟ ଚିତ୍ରାବଳୀ କୁ ବର୍ଣ୍ଣନାକରିଥାନ୍ତି ଆଉ ଆଜି ସେ ସବୁ ଦେଖି ତା'ର ମନେ ପଡିଯାଉଥିଲା ବାପାଙ୍କ କଥା । ସେ ତାଙ୍କ ପିଲାବେଳେ କଟିଥିବା ପୋଖରୀତୁଠ ଆମ୍ବତୋଟା ଯାହା ଯେମିତି ସବୁ ସେମିତି ଥିଲା କେବଳ ପରିବର୍ତ୍ତନ ଘଟିଥିଲା ତ ତାହା ହେଉଛି ଗାଁ ର ଯେଉଁ ଜାକଜମକ ପରିବେଶ । କାରଣ ଏହି ମହାମାରୀ ସଭିଙ୍କ ମୁହଁରୁ ହସ ଲିଭେଇଦେଇଥିଲା । ଶ୍ରୀହୀନ ହୋଇପଡ଼ିଥିଲା ଗାଁ । ତେବେ ସୁରଞ୍ଜନ ର ତଥା ଡାକ୍ତରୀ ଦଳର ମାସ ମାସ ଧରି କଠିନ ପରିଶ୍ରମ ର ଫଳ ମିଳିଥିଲା । ଗାଁ ଲୋକଙ୍କୁ ସଚେତନ କରାଇବା ତଥା ସବୁ ସମୟରେ ସେମାନଙ୍କ ସହ ଛିଡ଼ାହେବା ଆଉ ଔଷଧ ପାତୀ ଯୋଗେଇଦେବା ଆଜି ସବୁକିଛି ରେ ହାତ ବାଣ୍ଟିଥିଲା ସୁରଞ୍ଜନ । ଖୁବ୍ ମନପ୍ରାଣ ଦେଇ ସେବା କରିଲା ସୁରଞ୍ଜନ । କେବଳ ନିଜ ଛଡ଼ା ଆଉ କାହାକୁ ଜଣା ନଥିଲା ଯେ ସୁରଞ୍ଜନ ହେଉଛି ଏଇ ଗାଁ ର ପୁଅ ବୋଲି । କାଳେ କିଛି ବାଧା ଉପୁଜିବ ଭାବି କାହାକୁ ଜଣେଇନଥିଲା ସୁରଞ୍ଜନ । ସମସ୍ତଙ୍କ ଘରେ ଘରେ ବୁଲି ସଚେତନ କରାଇବା ତଥା ସେମାନଙ୍କୁ ଛୁଇଁ ସେବା କରିବା ଏସବୁ ପ୍ରତି ଯେମିତି ବାଧା ନ ଆସୁ ସେଥିପାଇଁ ମନ କଥା ମନରେ ରଖି ଆଗକୁ ବଢିଚାଲିଥିଲା ସୁରଞ୍ଜନ । ତା ସେବା ରେ ଖୁସି ହୋଇ ଆଜି ଗାଁ ଲୋକେ ଆୟୋଜନ କରିଛନ୍ତି ବିରାଟ ଭୋଜି । ନିମନ୍ତ୍ରିତ ହୋଇଛନ୍ତି ଡାକ୍ତରୀ ଦଳ । ସଭାରେ ଡାକ୍ତର ମାନଙ୍କୁ ନିଜ ଅନୁଭୂତି କହିବାକୁ ସୁଯୋଗ ମଧ୍ୟ ଦିଆଗଲା । ସମସ୍ତେ ନିଜ ନିଜ ଅନୁଭୂତି କହିବା ପରେ ପାଳି ପଡ଼ିଲା ସୁରଞ୍ଜନ ର । 

  "ଦୁନିଆ ର ସବୁଠୁଁ ବଡ଼ ଧର୍ମ ହେଉଛି ମାନବ ଧର୍ମ ଆଉ ସବୁଠୁଁ ବଡ଼ କର୍ମ ହେଉଛି ମାନବ ସେବା । ମୋ ପିଲାବେଳେ ଏହି ଧର୍ମାନ୍ଧତା ଯୋଗୁଁ ମୁଁ ମୋ ପରିବାରକୁ ହଯାଇ ଦେଇଛି । ପ୍ରେମ ବିବାହ କରିଥିବା ମୋ ବାପାଙ୍କୁ ଏହି ଗାଁ ର ଲୋକେ ଗ୍ରହଣ କରିନଥିଲେ । ମୋ ଆଖି ସାମ୍ନାରେ ମୋ ଆଇ ଙ୍କ ମୃତ୍ୟୁ ଘଟିଥିଲା କେବଳ ଏହି ଧର୍ମାନ୍ଧତା ଯୋଗୁଁ । ଆଜି ହୁଏତ ବାପା ବଞ୍ଚିଥିଲେ ସବୁଠୁଁ ବେସି ଖୁସି ହେଇଥାନ୍ତେ । ତାଙ୍କର ସ୍ୱପ୍ନ ଥିଲା ସେ କେବେ ଫେରି ଆସନ୍ତୁ ଗାଁ କୁ । ଯିବା ପୂର୍ବରୁ ସେ ମତେ କହିଯାଇଥିବା କେଇ ପଦ ଆଜିବି ମୋ କାନ ଚାରିପଟେ ଗୁଞ୍ଜରିତ ହେଉଅଛି । ଆପଣମାନେ ଜାଣିନଥିବେ ମୁଁ ସେଇ ସୁର ର ପୁଅ ଯାହାଙ୍କୁ ଆପଣମାନେ ତଡ଼ି ଦେଇଥିଲେ । ସାରା ଜୀବନ ସେ ପଶ୍ଚାତାପର ନିଆଁରେ ଜଳିଜଳି ଶେଷରେ ପାଉଁଶ ହେଇଗଲେ କିନ୍ତୁ କେବେବି ତାଙ୍କ ମୁହଁ ରୁ ଗାଁ ଲୋକଙ୍କ ବିରୁଦ୍ଧରେ ପଡିଏ ଶୁଣିନି । ସେ ଚାଲିଯିବାଯାଏଁ ବି ଏ ମାଟି କୁ ଫେରିଆସିବାର ଲାଳସା ରଖିଥିଲେ । ତାଙ୍କ ସ୍ୱପ୍ନ ଥିଲା ତାଙ୍କ ଗାଁ ତାଙ୍କୁ ଆପଣେଇ ନେଉ କିନ୍ତୁ ବଞ୍ଚିଥାଉ ଥାଉ ତାହା କେବେ ସମ୍ଭବ ହେଲା ନାହିଁ । 

  ତିନି ବର୍ଷ ତଳେ ହଠାତ୍ ରାତିରେ ସୋଇଥିବାବେଳେ ହୃଦଘାତରେ ମୃତ୍ୟୁ ହୋଇଥିଲା ବାପାଙ୍କର । ସେହିଦିନ ସନ୍ଧ୍ୟାରେ ସେ କହୁଥିଲେ ପୁଅର ତୋ ଜେଜେ ବହୁତ ଭଲ । ମୋର ଯଦି କିଛି ହେଇଯାଏ ମୋର କଥା ରଖିବୁ ତୁ ଦିନେ ନା ଦିନେ ସେ ଗାଁ କୁ ଫେରିବୁ ଆଶା କରେ ସମସ୍ତଙ୍କୁ ଆପାଣି ନେବୁ । "

  ଏକଥା ଶୁଣିବା ପରେ ସଭିଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା । ହଠାତ୍ ସଭା ଭିତରୁ ଜଣେ ବୃଦ୍ଧ ବହାରିଆସି କୋଳେଇ ନେଇଥିଲେ ସୁରଞ୍ଜନ କୁ "ମୋ ନାତି" କହି । ପରିବେଶ ଗମ୍ଭୀର ତଥା ଶାନ୍ତ ହୋଇପଡ଼ିଥିଲା । କିଏ କଣ କହିବେ କରିବେ କିଛି ଭାବିପରୁନଥିଲେ । ସଭିଙ୍କ ମନରେ ସେଇ ଗୋଟିଏ କଥା ଇଏ ସେଇ ପୁଅ ଯାହାର ମା ମୁସଲମାନ ଆଉ ବାପା ହିନ୍ଦୁ । ଯାହାକୁ ଆମେ ତଡ଼ି ଦେଇଥିଲୁ ସେଇ ଆସି ଆଜି ଆମକୁ ଆମ ପରିବାରକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଛି । 

  ଆଜି ହୁଏ ତ ସଭିଏଁ ବୁଝିପାରିଛନ୍ତି ଜାତି,ଧର୍ମ ବୋଲି କିଛି ନଥାଏ । ଜାତି କହିଲେ କେବଳ ମଣିଷ ଜାତି କୁ ବୋଲି ବୁଝାଏ ଏତକ ବୁଝିବାକୁ ସେମାନଙ୍କ ପାଖରେ ଆଉ କୌଣସି ଦ୍ବିଧା ନଥିଲା । ସଭିଏଁ କୋଳେଇ ପକେଇଥିଲେ ସୁରଞ୍ଜନ କୁ । ସୁରଞ୍ଜନ ମନରେ କେବଳ ଏତିକି ଦୁଃଖ ଯେ ଆଜି ହୁଏତ ବାପା ଥିଲା ବହୁତ ଖୁସି ହେଇଥାନ୍ତେ । ଭଗବାନଙ୍କ ଇଚ୍ଛା ନଥିଲା ବୋଧ ହୁଏ ସେ ଚାହୁଁ ନଥିଲେ ତାଙ୍କ ଜୀବନରେ ଏ ଖୁସିର ମୁହୂର୍ତ୍ତ କେବେ ନ ଆସୁ । ତେବେ ବଡ଼ ଖୁସିର କଥା ଯେ ଆଜି ସମସ୍ତେ ତାଙ୍କୁ ଆପାଣିନେଇଛନ୍ତି । 

  ଶେଷରେ ଡାକ୍ତରୀଦଳ ଫେରି ଆସିଲେ । କିନ୍ତୁ ସେଇଠି ରହିଗଲା ସୁରଞ୍ଜନ । ବାପାଙ୍କୁ ଦେଇଥିବା କଥା ରଖିବା ପାଇଁ ସରକାରୀ ଚାକିରୀ ଛାଡ଼ି ସୁରଞ୍ଜନ ଗ୍ରାମରେ ତିଆରି କଲେ ଗୋଟିଏ ଡାକ୍ତରଖାନା ବାପାଙ୍କ ସ୍ମୃତିରେ । ଯେଉଁ ଗାଁ ଲୋକେ ତାଙ୍କୁ ଛିଛାକର କରି ବିଦା କରିଦେଇଥିଲେ ସେମାନଙ୍କ ଶୁଶ୍ରୁଷା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲା ସୁରଞ୍ଜନ । ଯେଉଁଠି କେବଳ ମାଗଣାରେ ସେବା ଦିଆଗଲା ।

  ଯେଉଁ ପୁଅକୁ ତେଯ୍ୟପୁତ୍ର କରିଦେଇଥିଲେ ଆଜି ସେଇପୁଅର ପୁଅ ପାଇଁ ଗାଁରେ ଛାତି ଫୁଲେଇ ଗର୍ବରେ ବୁଲୁଛନ୍ତି ଜେଜେ । ଏ ଗାଁ ଏ ସମାଜ ଆପଣେଇ ନେଇଛି ସବୁ । ଆଜି ବୋଧହୁଏ ସମସ୍ତେ ବୁଝିପାରିଛନ୍ତି । ସବୁଠୁଁ ମୂଲ୍ୟବାନ ହେଉଛି ପ୍ରେମ । ସବୁଠୁଁ ବଡ଼ ଶିକ୍ଷା ହେଉଛି ସେବା ଆଉ ସବୁଠୁଁ ବଡ଼ କର୍ମ ହେଲା ସଭିଙ୍କ ମୁହଁରେ ହସ ଫୁଟେଇବା । ଶେଷରେ ସୁରଞ୍ଜନ ମନରେ ଏତକ ଥିଲା... ବାପା କେବଳ ତୁମ ପାଇଁ ।।।।।


।।ସମାପ୍ତ।।

ମୁସଲମାନ ସ୍ୱୀକୃତି ପ୍ରମାଣପତ୍ର

Rate the content


Originality
Flow
Language
Cover design

Comments

Post

Some text some message..