Banabihari Mishra

Tragedy


3  

Banabihari Mishra

Tragedy


ସମ୍ପର୍କ

ସମ୍ପର୍କ

4 mins 311 4 mins 311

ସବୁଦିନ ସେଇ ଗୋଟିଏ ସମୟରେ ସିଏ ଆସେ। ସଠିକ୍ ସମୟରେ ପହଞ୍ଚିବା ତା'ର ବୋଧେ ଅଭ୍ୟାସ। ମୁଁ ବି ଜାଣିଯାଇଥିଲି ତା'ର ଆବଶ୍ୟକତା। ସିଏ କିଛି କହିବା ଆଗରୁ ଶାଳପତ୍ରରେ ମୋଡ଼ି ଠୋଲା ବନେଇ ଶୁଖିଲା ଗୁପଚୁପ ବଢେଇ ଦିଏ। ସିଏ ଝିଅଟେ ହେଇଥିଲେ ବି ଖଟାପାଣି କେବେ ପସନ୍ଦ କରେନାହିଁ। ଠିକ୍ ପାଞ୍ଚଟଙ୍କାର ହେଇଯିବା ପରେ ହାତଠାରି ବନ୍ଦ କରିବାକୁ କହେ। ଆଉ ପାଞ୍ଚଟା ଟଙ୍କା ବଢେଇ ଦେଇ ଚୁପଚାପ୍ ଚାଲିଯାଏ ଯୋଉଆଡୁ ଆସିଥିଲା ସେଇଆକୁ। ଆଉ ମୋତେ ଛାଡ଼ିଦେଇ ଯାଏ ତା ବିଷୟରେ ଭାବିବାକୁ।

ବୟସ ସେଇ ଉଣେଇଶ କି କୋଡ଼ିଏ ହବ। ଶ୍ୟାମଳ ବର୍ଣ୍ଣ। ଗଢଣ ସେମିତି ଆକର୍ଷଣୀୟ ନ ହେଲେ ବି ଖରାପ ନୁହେଁ। ସବୁଠାରୁ ବେଶୀ ଆକର୍ଷଣୀୟ ଲାଗେ ତା'ର ସେଇ ଆଖି ଦୁଇଟା। ଯେମିତି ଅନେକ କିଛି ଲୁଚାଇ ରଖିଛି। ଆଖିରେ ଆଖିରେ ଅନେକ କିଛି କହିବାର ଇଚ୍ଛା। ତଥାପି ତାକୁ ଯେମିତି କିଏ ମନା କରିଛି। ଖୁବ୍ ଚୁପଚାପ୍ ଢଙ୍ଗର ଝିଅଟା। ମୋଠୁ ଦୁଇ ତିନି ବର୍ଷ ସାନ ହେବ ବୋଧେ। କିନ୍ତୁ ତା'ର ହାବଭାବରୁ କେବେ ବି ଜଣାପଡ଼େ ନାହିଁ ନା କେବେ ସିଏ କାହାକୁ ଜାଣିବାକୁ ଦିଏ ତା'ର ମୋଠାରୁ ବୟସରେ ସାନ ହେବାଟା। ସବୁଦିନେ ସେଇ କଥାକୁହା ଆଖି ଆଉ ଦରହସା ଓଠ ନେଇ ମୋ ଠେଲା ପାଖରେ ପହଞ୍ଚିଯାଏ ଗୁପଚୁପ ଖାଇବା ପାଇଁ।

ଦି ଦିନ ହେଲା ଜରରେ ପଡି ମୁଁ ବେପାରକୁ ଯାଇ ନ ଥିଲି। ଆଜି ଟିକେ ଭଲ ଲାଗିବାରୁ ଠେଲାଟା ଠେଲି ଠେଲି ମୋର ସେଇ ନିର୍ଦିଷ୍ଟ ଜାଗାରେ ଲଗେଇ ଦେଲି। ସେଇ ସମୟ ଆସିଗଲାଣି। କିନ୍ତୁ କାଇଁ, ସେ ଝିଅଟାର ଏ ପର୍ଯ୍ୟନ୍ତ ଦେଖା ନାହିଁ। ମନରେ ଆଶଙ୍କା ହେଉଥାଏ, କାଳେ ମୋର ନିୟମିତ ଗରାଖ ଆଉ କାହା ପାଖକୁ ଚାଲିଗଲା କି? ମନେ ମନେ ତାକୁ ଖୋଜୁଥିଲି। ଏକଡ ସେକଡ ଚାହୁଁଥିଲି। ପାଖ ଗୁପଚୁପ ଠେଲାର ରମେଶ କହିଲା, "କାହାକୁ ଖୋଜୁଛୁ? ଆଉ ସିଏ ଆସିବନି। ତା'ର ପରା ବାହାଘର ଠିକ୍ ହେଇଯାଇଛି। ଆଉ ହପ୍ତେ ପରେ ବାହାଘର।" ମୁଁ ଏକରକମ ନିଶ୍ଚିନ୍ତ ହେଇଗଲି। ହଳଦୀ ରଙ୍ଗ ରଙ୍ଗ ନୁହେଁ କି ବିଦେଶୀ ସାଙ୍ଗ ସାଙ୍ଗ ନୁହେଁ। ଯାଉ। ଭଗବାନ ତା'ର ମଙ୍ଗଳ କରନ୍ତୁ। ସୁଖରେ ରହୁ। ଏତେ ସବୁ ଭାବିଲା ପରେ ବି ମନଟା କାଇଁ ସେଇ ଝିଅଟିକୁ ଖୋଜୁଥିଲା। ଥରେ ଦେଖା ହେଇ ଯାଆନ୍ତା କି! ଗୋଟେ ଅହୈତୁକ ଆକର୍ଷଣ ଅନୁଭବ କରୁଥିଲି ମୁଁ ସେଇ ଝିଅଟି ପାଇଁ।

ଦିନେ ଗଲା, ଦି ଦିନ ଗଲା। ସେଦିନ ଗୋଟିଏ ଛୋଟ ଝିଅ ହାତରୁ ଗୋଟେ ବାହାଘର ନିମନ୍ତ୍ରଣ କାର୍ଡ ପାଇଲି। ଉପରେ କିଛି ନାଁ ଲେଖା ନଥିଲା। ଖାଲି ପଡିଥିଲା ସେ ଜାଗାଟା। ଉପରେ ଥିବା ଫଟୋରୁ ଜାଣିଲି ସେଇ ଝିଅଟିର ବାହାଘର ନିମନ୍ତ୍ରଣ କାର୍ଡ। ସେଥିରେ ମୋ ନାଁ ଲେଖା ନଥିବାଟା ମୋତେ ଆଶ୍ଚର୍ଯ୍ୟ ଲାଗୁ ନଥିଲା। କେମିତି ଲେଖି ଥାଆନ୍ତା ଯେ, ମୋ ନାଁ କ'ଣ ସିଏ ଜାଣିଛି ନା ତା ନାଁ ମୁଁ ଜାଣିଛି? ଖାଲି ଏଇ ଗୁପଚୁପ ଖାଇବା, ସେତିକି ମାତ୍ର ପରିଚିତି। ତଥାପି କାହିଁକି ମୋ ପାଖକୁ ନିମନ୍ତ୍ରଣ କାର୍ଡ ପଠେଇଲା ସେକଥା ମୁଁ ବୁଝିପାରୁ ନଥିଲି। କାର୍ଡରୁ ଜାଣିଲି ଝିଅଟିର ନାଁ 'ସୋନୁ'। ଏଇ ପାଖ କଲୋନୀରେ ରହେ। ଆସନ୍ତା ସୋମବାର ଦିନ ବାହାଘର।

ବାହାଘରକୁ ଯିବି କି ନ ଯିବି ସେକଥା ସ୍ଥିର କରିପାରୁ ନଥିଲି। ଯାହାହେଲେ ବି ମୁଁ ଜଣେ ସାଧାରଣ ଗୁପଚୁପ ବିକ୍ରି କରୁଥିବା ଗରିବ ପିଲା। ମୋ ନିଜର ହୀନମନ୍ୟତା ମୋର ଅନ୍ତର୍ଦ୍ବନ୍ଦର କାରଣ ହେଇଯାଇଥିଲା। କାଳେ କିଏ କ'ଣ ଭାବିବେ? କିଏ କିଛି କହିବେ?

ତଥାପି ସାହସ ବାନ୍ଧିଲି ଆଉ ଯିବାପାଇଁ ସ୍ଥିରକରି ସୋମବାର ଦିନ ଗୋଟିଏ ସୁନ୍ଦର ଚୁଡିଡବା ଆଉ ସେଥିରେ କିଛି ନାଲିଚୁଡି କିଣି ତାକୁ ଗିଫ୍ଟ ପ୍ୟାକ୍ କରେଇ ଦୋକାନରୁ ନେଇ ଆସିଲି।

ସନ୍ଧ୍ୟା ହେଇଗଲା। ପ୍ୟାକେଟଟି ଧରି ବାହାରିଲି ସୋନୁର ଘରଆଡେ। ଘରଟା ପାଇବାରେ ବିଶେଷ କିଛି ଅସୁବିଧା ହେଲାନି। ଛୋଟିଆ କଲୋନୀଟା। ସେଥିରେ ପୁଣି ବାହାଘରର ଧୂମଧାମ୍। ବାରିହୋଇ ପଡ଼ୁଥିଲା ଘରଟା। ସ୍ବାଗତ ଗେଟ୍ ଦେଇ ଭିତରକୁ ପଶିଲି। ଅତି ସମ୍ଭ୍ରମରେ ବାରଣ୍ଡା ଉପରକୁ ଉଠିଯାଇ ପ୍ରଥମ ରୁମରେ ପଶିଗଲା ବେଳକୁ ଦେଖିଲି ସମସ୍ତେ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ। ନିଜ ନିଜ ଭିତରେ ମୋ ଆଡ଼କୁ ଚାହିଁ କ'ଣ ଫୁସଫାସ ହେଉଥିଲେ। ଅନାଗତ ଆଶଙ୍କାରେ ଗ୍ରସ୍ତ ହୋଇ ଯାଉଥିଲି, ମୋ ବିଷୟରେ କେହି କିଛି କଥାବାର୍ତ୍ତା ହେଉନାହାନ୍ତି ତ?

ହଠାତ୍ କାନ୍ଥରେ ଟଙ୍ଗା ହେଇଥିବା ଫଟୋଚିତ୍ର ଉପରେ ମୋର ଦୃଷ୍ଟି ପଡ଼ିଲା। ଆରେ, ଇଏ କ'ଣ? ମୁଁ ଯେମିତି ମୋ ନିଜର ପ୍ରତିଛବିକୁ ଦର୍ପଣରେ ଦେଖୁଥିଲି। ଏତେ ସାମଞ୍ଜସ୍ୟ? ମୋରି ଆଖି, ମୋରି ନାକ, ସବୁ ସମାନ। ଖାଲି ଏତିକି ଫରକ ଥିଲା ଯେ ଫଟୋଟିରେ ଫୁଲମାଳ ଥିଲା। ଏ ପିଲା ଆଉ କ'ଣ ଏ ଦୁନିଆରେ ନାହିଁ? କାଇଁ, ମୁଁ ତ ସ୍ବଦେହରେ ଅଛି। ନିଜ ଉପରୁ ମୋର ବିଶ୍ବାସ କମି କମି ଯାଉଥିଲା। ନିଜକୁ ଚିମୁଟି ପରୀକ୍ଷା କରିନେଲି, ସତରେ ମୁଁ ଏସବୁ ସଚେତନତା ଭିତରେ ଥାଇ ଦେଖୁଛି ନା ଏଇଟା ଗୋଟେ ସ୍ବପ୍ନ।

ଠିକ୍ ଏତିକିବେଳେ ଆଉ ଏକ ଘଟଣା ଘଟିଲା ଯାହା ମୋତେ ନିର୍ବାକ୍ କରିଦେଇଥିଲା। ଭିତର ପାଖରୁ ସୋନୁ କେମିତି ଜାଣିଲା କେଜାଣି, ହଠାତ୍ ଧାଇଁ ଆସି ମୋତେ କୁଣ୍ଢେଇ କାନ୍ଦିବାକୁ ଲାଗିଲା। "ଭାଇ, ଏତେ ଡେରି କରିଦେଲୁ?" ଚୁପଚାପ୍ ରହୁଥିବା ଝିଅଟା ହଠାତ୍ ଯେମିତି ପ୍ରଗଳ୍ଭ ହେଇ ଉଠିଥିଲା। ନିଃସଙ୍କୋଚରେ ଅନେକ କିଛି କହିଯାଉଥିଲା ଯାହାର ମୁଁ କୂଳକିନାରା ପାରୁନଥିଲି।

ମୋର ସମସ୍ତ ପ୍ରଶ୍ନବାଚୀର ଅନ୍ତ ଘଟାଇ ଭିତରକୁ ପଶି ଆସିଲେ ସୋନୁର ମାଆ। ସେ ବି ମୋତେ ଦେଖି ଏକରକମ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ। କିଛି ସମୟ ପାଇଁ ନିର୍ବାକ ମଧ୍ୟ। ହଠାତ୍ ଛାତି ଭିତରୁ ହାବୁକା ମାରି ଉଠି ଆସୁଥିବା କୋହଗୁଡାକ ଯେମିତି ବନ୍ଧ ଭାଙ୍ଗି ଉଛୁଳି ପଡୁଥିଲା। କାନ୍ଦି ଉଠିଥିଲେ ସୋନୁର ମାଆ। ସେଇ କାନ୍ଦୁଥିବା ଅବସ୍ଥାରେ ସିଏ କହିଥିଲେ ତାଙ୍କ ବଡପୁଅ ଅର୍ଣ୍ଣବର କଥା।

ଖୁବ୍ ଭଲ ପାଠ ପଢୁଥିଲା। ଇଞ୍ଜିନିୟରିଂରେ ମଧ୍ୟ ନାଁ ଲେଖେଇଥିଲା ଗୋଟିଏ ନାମୀ କଲେଜରେ। ହେଲେ ଦଇବ ସହିଲା ନାଇଁ। ସେଇ ନୂଆବର୍ଷରେ ପିକନିକ୍ କରିବାକୁ ଯାଇ ଆଉ ଫେରି ନଥିଲା। ସମୁଦ୍ରର ଉତ୍ତାଳ ଲହରୀରେ ହଜି ଯାଇଥିଲା ଅର୍ଣ୍ଣବ। ତା'ର ଶବ ମଧ୍ୟ ମିଳି ନଥିଲା। ସେଇଥିପାଇଁ ସମସ୍ତେ ଆଶାବାଦୀ ଥିଲେ, କାଳେ କୋଉ କୂଳରେ ଲାଗି ଯାଇଥିବା। ପୁଣି ଫେରିଆସିବ। କିନ୍ତୁ ନାଃ, ଆଉ ଅର୍ଣ୍ଣବ ଫେରିଲାନି। ବାଧ୍ୟ ‌ହେଇ ସମସ୍ତେ ମାନିନେଇ ଥିଲେ କଠୋର ବାସ୍ତବତାକୁ।

ମୁଁ ଭାବୁଥିଲି ସତରେ କ'ଣ ଏତେଟା ସାମଞ୍ଜସ୍ୟ ସମ୍ଭବ! କିନ୍ତୁ ବାସ୍ତବତା ମୋ ଆଗରେ ଥିଲା। ମାନିବାକୁ ମୁଁ ବାଧ୍ୟ ହେଇଥିଲି ଆଉ ଗ୍ରହଣ କରିନେଇଥିଲି ସୋନୁର ପରିବାରକୁ ମୋ ନିଜ ପରିବାର ଭାବରେ। ଆଉ ସେମାନେ ମଧ୍ୟ କୌଣସି କୁଣ୍ଠା କରି ନଥିଲେ ମୋତେ ଅର୍ଣ୍ଣବର ସ୍ଥାନରେ ଗ୍ରହଣ କରିନେବାରେ।


Rate this content
Originality
Flow
Language
Cover Design