ଦୌଡା
ଦୌଡା
କିଛି ଲୋକ ଆସିଲେ ଗାତ ଖୋଳି କବର ଦେଇଦେଲେ ବିଲ୍ କୁ । ଉପରେ ରଖିଦେଲେ କିଛି ଫୁଲ ତୋଡ଼ା । ସ୍ମୃତି ଫଳକଟିଏ କରି ତା ଉପରେ ଲେଖିଦେଲେ ପ୍ରିୟ ଵିଲ୍ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ । ଜନ୍ମ ତା ୧୩.୨.୬୮ ମୃତ୍ୟୁ ତା ୨୪.୫.୧୯ ।
ଵିଲ୍ କବର ତଳୁ ଦେଖୁଥିଲା କେହି ଜଣେ ପଛକୁ ବୁଲି ଚାହିଁଲେ ନାହିଁ । ଥରେଟିଏ ଚିନ୍ତା କଲେନି ଵିଲ୍ କେମିତି ରହିବ ଏ ଛୋଟ କଫିନ୍ ଭିତରେ । ଐସ ଆରାମ ଜୀବନ ଛାଡି ସେ କେମିତି ଶୋଇବ ଏଡିକି ଟିକି ଜଗାଟିରେ । ଵିଲ୍ ଜଣେ ଏ କ୍ଲାସ କଣ୍ଟ୍ରାକ୍ଟର । କେତେ ପୋଲ,କୋଠା,ରାସ୍ତା ସେ କରିଛି । କୋଟି କୋଟି ଟଙ୍କାର ଟେଣ୍ଡର ଧରେ ସେ । ମୁଠା ମୁଠା ପଇସା ରୋଜଗାର କରେ । ଵିଲ୍ ଜଣେ ସାଧାରଣ ଫୁଲ ବିକାଳୀ ପୁଅ । ଅଭାବ ଅନାଟନ କଣ ସେ ଭୋଗିଛି । ବିନା ପଇସାରେ କେମିତି ଜୀବନ ବଞ୍ଚା ଯାଏ ଵିଲ୍ ହିଁ କହି ପାରିବ । ଦିନେ ଦିନେ ପାଣି ପିଇ ଶୋଇଯିବାର ଅନୁଭବ ତା ପାଖରେ ଢେର ଅଛି ।
ପିଲା ଦିନେ ସେ ଦେଖିଛି ମା ତାର କେମିତି ମରିଛି ଡହଳ ବିକଳ ହୋଇ ପେଟ ଘା ଅପରେସନ ନ ହୋଇ ପାରିବାରୁ । ଲକ୍ଷ ଲକ୍ଷ ଟଙ୍କା ଦରକାର କେଉଁଠୁ ଆଣିବ ଗୋଟିଏ ଫୁଲ ବିକାଳୀ! । ଵିଲ୍ କୁ ମିଶାଇ ଚାରି ଭାଇ ଭଉଣୀ ସେମାନେ । ମା ପାଇଁ ଟଙ୍କା ଯୋଗାଡ କରିପାରିଲେ ନାହିଁ ପାପା । ଯନ୍ତ୍ରଣାରେ ଛଟ ପଟ ହୋଇ ମା ଆଖି ବୁଜିଲା ।
ଵିଲ୍ କୁ ସେତେବେଳେକୁ ମାତ୍ର ଏଗାର ବର୍ଷ । ମାକୁ ହରାଇ ଯେତିକି ଦୁଃଖ ନ ଲାଗିଥିଲା,ମା ପଇସା ପାଇଁ ମରିଗଲା ଏଇଟା ବେଶୀ ବାଧିଥିଲା ଵିଲ୍ କୁ । ସେଇ
ଦିନଠାରୁ ଵିଲ୍ ପାଠ ଛାଡିଦେଲା । ସେ ଗୋଟିଏ ହୋଟେଲରେ ବୋଲ ହାକ କରିବା ପାଇଁରହିଲା । ତା ସମୟରେ ତାରି ପରି ଅନେକ ଛୋଟ ପିଲା ପେଟ ପାଟଣା ପାଇଁ ବଡ଼ ବଡ଼ ଖାବାର ଦୋକାନ,ହୋଟେଲ କି କାହା ଘରେ ରହି ନିଜ ପେଟ ପୋଷୁଥିଲେ । କଡା କଡ଼ି ନିୟମ ନଥିଲା ଶିଶୁ ଶ୍ରମିକ ଉପରେ ଏତେଟା ସେତେ
ବେଳେ । ଵିଲ୍ ଖାଇ ପିଇ ମାସକୁ ପଚାଶ ଟଙ୍କା ପାଉଥିଲା । ପାପାଙ୍କୁ ମାସ ଶେଷରେ ସେଇ ପଚାଶ ଟଙ୍କା ଦେଲାବେଳେ ଵିଲ୍ ଭାରି ଖୁସି ହେଉଥିଲା । କେବେ କେବେ ଅଡର୍ ଖାଦ୍ୟ ନେଇ କାହା ଘରକୁ ଦେବାକୁ ଯାଉଥିଲା । ବାବୁ ମାନେ ଖୁସି ହୋଇ ପଚାଶ ପଇସା ବା ଟଙ୍କାଟିଏ ବକ୍ସିସ୍ ଦେଉଥିଲେ । ସେଇ ପଇସାରେ ସେ ତା ସାନ ଭାଇ ଭଉଣୀ ମାନଙ୍କ ପାଇଁ କେବେ କେବେ ଲେମନ୍ଚୁଚ୍ ବା ଚାନା ଚୁର୍ ନେଇ ଯାଉଥିଲା । ଓଃ କି ଖୁସି ହେଉଥିଲେ ତା ଭାଇ ଭଉଣୀ । ସେମାନେ ତିନି ଭାଇ ଓ ଗୋଟିଏ ଭଉଣୀ । ଭଉଣୀଟି ସବା ସାନ ମାତ୍ର ଦି ବର୍ଷର ହୋଇଥିଲା ମା ମଲା ବେଳକୁ । ଭାରି ଗେହ୍ଲା କରେ ଵିଲ୍ ତାକୁ ।
ପନ୍ଦର ବର୍ଷ ବେଳକୁ ଵିଲ୍ ବାପାଙ୍କ ସାହାଯ୍ୟରେ ଚା ଦୋକାନଟିଏ ନିଜର କଲା ଖୋଲା ଆକାଶ ବର ଗଛ ତଳେ ପାଲ ଟାଙ୍ଗି । ଚା ରୁ ବିସ୍କୁଟ, ବିସ୍କୁଟ ରୁ ବରା, ବରାରୁ ଇଟିଲ୍ ଭୁଗୁନି କରୁ କରୁ ଛୋଟ ହୋଟେଲ ଟିଏ କଲା ଵିଲ୍ । ଭାରି ପରିଶ୍ରମୀ ପିଲା ଥିଲା ଵିଲ୍ । କୋଡିଏ ବର୍ଷ ବେଳକୁ ନାମୀ ହୋଟେଲ ତାଲିକାରେ ତା ନାଁ ଏଣ୍ଟ୍ରି ହୋଇ ସାରିଥିଲା । ସେତେବେଳେକୁ ଵିଲ୍ ବ୍ୟାଙ୍କ ବାଲାନ୍ସ ବି କିଛି ମୋଟା ଅଙ୍କର ହୋଇଗଲା । ଦିନେ ସାଙ୍ଗ ବ୍ରାଉନ କହିଲା ଚାଲ୍ "ସାଙ୍ଗ ହୋଇ ରାସ୍ତା କଣ୍ଟ୍ରାକଟ୍ ଧରିବା । କୋଟିଏ ଟଙ୍କା ପୁଞ୍ଜି ଲଗାଇଲେ ମାସ ଶେଷକୁ ପାଞ୍ଚ କୋଟି ମିଳିବ । ଭାରି ମୁନାଫା କାମ । କରିବୁ"?
ପଚିଶି ବର୍ଷରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଇ ଵିଲ୍ ଷାଠିଏ ହଜାର ଟଙ୍କା ଲଗାଇଲା ବ୍ରାଉନ ସାଙ୍ଗେ । ସତକୁ ସତ ରାସ୍ତା ହୋଇଗଲା ଦୁଇ ମାସରେ । ଭିତରେ ନାଲି ଗୋଡି,ବାଲି ପକାଇ ଉପରେ ନାଁ କୁ ମାତ୍ର ବଜୁରୀ ଓ ପିଚୁ ଢାଳି ରାସ୍ତା ଶୋଇଗଲା ଦୁରରୁ ଗୋଟିଏ ବଡ଼ କଳା ସାପ ଶୋଇଲା ପରି । ବ୍ୟାଙ୍କ ଆକାଉଣ୍ଟ କୁ ଚାଲି ଆସିଲା ଷାଠିଏର ତିନି ଗୁଣା ପଇସା । କେତେ ଲାଭ ଦାୟୀ ଏ କଣ୍ଟ୍ରାକଟରି କାମ । ବାଃ !! ଅର୍ଥ ରୋଜଗାର କରିବାର କି ସହଜ ବାଟ!!
ବାସ୍ ଆଉ ପଛକୁ ଚାହିଁ ନାହଁ ଵିଲ୍ । ଖାଲି ପଇସା ଆଉ ପଇସା । ବଣ ପାହାଡ଼ ଘେରା ଅଞ୍ଚଳରେ ପୁଣି ବେଶୀ ଲାଭ । ସେଠିକାର ପ୍ରକୃତିର ସରଳ ମଣିଷ ମାନେ କଣ୍ଟ୍ରାକ୍ଟର ଙ୍କୁ ଦେବତା ଭାବିଲେ । ତାଙ୍କ ପାଇଁ ରାସ୍ତା,ପୋଲ,କୋଠା କରୁଥିବାରୁ । ପୁଣି କେଉଁଠି ଵାମ୍ଫି, କୂଅ ବି ଖୋଳା ହେଲା । ଡାକ ବଙ୍ଗଳା ହେଲା । ଜଙ୍ଗଲରେ ଜଙ୍ଗଲ ଅଫିସରଙ୍କ ପାଇଁ କ୍ୱାଟର ହେଲା । ଏସବୁ ଦେଖି ଆଦିବାସୀ ଅଧିଷ୍ୟୁତ ଅଞ୍ଚଳ ଲୋକେ ସତରେ ଭାବିଲେ ସହରୀ ମଣିଷ ଗୁଡା ଦେବତା । ଶିକାର କରି ଗଦା କଲେ ପାଦ ତଳେ । ଚାହିଁ ରହିଲେ କଣ ସାହେବ କହିବେ କେଉଁ କାମ କରିବାକୁ । ଯଦି ଠିପିଏ ସହରୀ ନାଲି ପାଣି ଦେଇଦେଲ ଆଉ କଣ ଦେଖିବ କହିଲେ ସେଇତକ ପାଇଁ ଜୀବନ ଦେଇଦେବେ । କିନ୍ତୁ ସେମାନେ କଣ ବୁଝିବେ ସରକାର ଓ ତାଙ୍କୁ ଠକି ପଇସା ରୋଜଗାର କରନ୍ତି ତାଙ୍କ ସହରି ବାବୁମାନେ!
ଖ୍ରୀଷ୍ଟିଆନ ମିଶନାରୀ ବି ଗଢି ଉଠିଲା ସେଠାରେ । ବଣ ମୂଲକର ବଣ ମଣିଷ ପରି ଜୀବନ ଜୀଉଁଥିବା ଲୋକ କିଛି ନୂଆ କଥା ଜାଣିଲେ । ତାଙ୍କ ପିଲା ଦି ଅକ୍ଷର ପଢିଲେ । ସେଇଠି ଵିଲ୍ ଭଲ ପାଇଁ ବାହା ହେଲା ଗୋଟିଏ ଝିଅ ଜାନିକୁ । ତା ଦୁଇ ଭାଇ ମନ ଇଚ୍ଛା ପଇସା ଉଡାଇଲେ ସିନା ମଣିଷ ହୋଇ ପାରିଲେ ନାହିଁ ।
ବିସ୍ମୟ ହୁଏ ଵିଲ୍!ପଇସା ପାଇ ନ ପାରିବାରୁ ଵିଲ୍ ହୋଇଗଲା ଗୋଟିଏ ହୃଦୟ ହିଁନ ଟଙ୍କା ପଛରେ ଧାଇଁବା ଚାରିଗୋଡ଼ିଆ ମଣିଷ ନାମ ଧାରୀ ପଶୁ । ପଇସା ପାଇ ପାଇ ତା ଭାଇ ମାନେ ହୋଇଗଲେ ଗୁଣ୍ଡା, ଛତରା,ଅମଣିଷ । କଣ ସତରେ ଏ ପଇସା ! ନାହିଁ ଖରାପ,ବହୁତ ଅଛି ବେଶୀ ଖରାପ !
ଜାନିର ଝିଅ ଓ ପୁଅଟିଏ ହେଲେ । ଵିଲ୍ କଣ୍ଟ୍ରାକଟ୍ରି କାମ ସରିଗଲା ସେ ଏରିଆରୁ । ଵିଲ୍ ଛାଡ଼ିଦେଇ ଆସିଲା ଜାନି ଓ ଛୁଆ ଦୁହିଁଙ୍କୁ ଏକୁଟିଆ । ସହର ଆସି ବାହା ହେଲା ଆଉ ଗୋଟିଏ ଝିଅ ମିତ୍ରାକୁ । ଭୁଲିଗଲା ଜାନି ସେହ୍ନ ପ୍ରେମ । ଭୁଲିଗଲା ତା ଛୁଆ ଦିଟା ଙ୍କୁ । ମଦ, ମାଂସ, ପାର୍ଟି,କ୍ଳବ,ନାରୀ ସାଙ୍ଗରେ ମାତି ଧରାକୁ ସରା ମନେ କଲା ସେ । କୋଠା, ଗାଡି ହୋଟେଲ ଯେଉଁଠି ଦେଖିବ ଵିଲ୍ ର । ତଥାପି ପଇସା ରୋଜଗାର ନିଶା ଛାଡୁ ନଥାଏ ।
ଖଣି ଲିଜ ନେଲା । ଦୁର୍ନୀତି ରେ ବୁଡି ଗଲା । ଏମିତି କେଉଁ ବ୍ୟାଙ୍କ ଅଛି ଯେଉଁଠି ଵିଲ୍ ଗଛିତ କରି ନାହିଁ ଟଙ୍କା!! । ଜାନି ତା ଝିଅ ପୁଅଙ୍କୁ ଧରି ଖୋଜି ଖୋଜି ଆସି ପଚାରି ପଚାରି ପହଁଞ୍ଚି ଗଲା ଵିଲ୍ ଘରେ । ମିତ୍ରା ଗାଳି ଗୁଲଜ କରି ତଣ୍ଟିଆ ଦେଇ ବିଦା କରିଦେଲା ଵିଲ୍ ଆଗରେ ତାକୁ । ମନ୍ତ୍ରୀ ଝିଅ ପାଟି ଖୋଲିଲେ ଜେଲ । ଖରାପ ଲାଗୁଥିଲା କିନ୍ତୁ ଵିଲ୍ ନିରୁପାୟ । ସବୁରି ଅଜାଣତେ ଜାନିକୁ ବୁଝେଇ ଫେରେଇ ଦେଲା । କଥା ଦେଲା ମାସେ ଦି ମାସେରେ ଥରେ ଅଧେ ଯିବ । ପିଲାଙ୍କ ସମସ୍ତ ଦାୟିତ୍ୱ ବହନ କଲା ବି । ଜାନି ଏତିକିରେ ଭାରି ଖୁସି । କିନ୍ତୁ ମିତ୍ରା ସବୁ ପାଇଲା ପରେ ବି ନା ପ୍ରେମ,ସେହ୍ନ,ସମ୍ମାନ ଦିଏ । ସେ ସବୁବେଳେ ମଜଗୁଲ ତା ହିପି ଦୁନିଆଁରେ । ତାର କେବଳ ଟଙ୍କା ଆବଶ୍ୟକ । ବୋଧେ ଵିଲ୍ ର ଟଙ୍କାକୁ ମିତ୍ରା ବିବାହ କରିଥିଲା ତାକୁ ନୁହେଁ ।
ପାପା ବି ଚାଲି ଯାଇଥିଲେ ଆର ପାରିକୁ । ଜାନି ତା ପିଲାଙ୍କୁ ନେଇ ତା ଦୁନିଆଁ ରେ ବ୍ୟସ୍ତ । ଭାଇ ମାନେ ନିଜ ନିଜ ସଂସାର ଭିତରେ ମସ୍ତ । ମିତ୍ରା ତା କ୍ଳବ,ନାଚପାର୍ଟିରେ ଖୁସ୍ । ଆଉ ଵିଲ୍ ଟଙ୍କା ପଛେ ଗୋଡ଼ାଇ ପାଗଳ । ହଠାତ୍ ଦିନେ ଖଣି ଲିଜ୍ ଦୁର୍ନୀତି ମାମଳାରେ କ୍ରାଇମବ୍ରାଞ୍ଚ ଚଢ଼ାଉ କଲା ଵିଲ୍ ଘରେ । ଲବ୍ଧ ପ୍ରତିଷ୍ଠ ଖଣି ଲିଜ୍ ମାଲିକ ଵିଲ୍ କୁ ବାନ୍ଧି ନେଲେ ପୋଲିସ୍ । କୋର୍ଟର ରାୟ ଆଜୀବନ କାରାଦଣ୍ଡ ।
ଵିଲ୍ ର କଣ ଜୀବନ ଥିଲା ଯେ । ଏଗାର ବର୍ଷରୁ ସେତ ଧାଉଁ ଥିଲା ଅଣନିଃଶ୍ୱାସୀ ହୋଇ ପଇସା ପଛେ । ଟିକେ ହେଲେ ବଂଚିଥାନ୍ତା ନିଜ ପାଇଁ । ଜାନି ମନେ ପଡ଼ିଲା । ତା ନାଁରେ କରି ଦେଇ ଯାଇଛି କିଛି କୋଠା, ଓ ରଖି ଦେଇ ଯାଇଛି କିଛି ପଇସା । ପିଲା ଦି ଟାଙ୍କୁ ମଣିଷ କରିବ ସେ । ଭଲରେ ରଖ ତାକୁ ଭଗବାନ । ଜେଲ ଚାରି କାନ୍ଥ ଭିତରେ ନିଜକୁ ଟିକେ ପଚାରୁଥିଲା ଵିଲ୍ କାହିଁକି ଏପରି ଦୌଡିଲୁ ଟଙ୍କା ପଛେ ।
ହଠାତ୍ ଦିନେ ନିୟୁଜ ପେପର୍ ର ବ୍ରେକିଂ ନିୟୁଜ ଥିଲା ବିଖ୍ୟାତ ଶିଳ୍ପପତି,ଖଣି ଦୁର୍ନୀତି ର କିଙ୍ଗ ଵିଲ୍ ଙ୍କର ହୃଦ ଘାତ ଜନିତ ମୃତ୍ୟୁ । ଵିଲ୍ ରଭାଇମାନେ ଓ ସ୍ତ୍ରୀ ମିତ୍ରା ଦୌଡୁଥିଲେ ଵିଲ୍ ଓକିଲଙ୍କ ପାଖକୁ କାହା ନାଁରେ କେତେ ସମ୍ପତ୍ତି ରଖି ଯାଇଛି ଵିଲ୍ । ଜାନି ବୋଧେ ଜାଣିଲା ବେଳକୁ କବର ତଳେ ସବୁ ଦିନ ଲୁଚି ଯାଇଥିବ ସେ ।
ଏବେ ଵିଲ୍ କବର ତଳେ । ନା ଅଛି ଟଙ୍କା ନା ଅଛି ନାମ ନା ଅଛି ପ୍ରତିଷ୍ଠା । ଵିଲ୍ କବର ତଳେ ଭାବୁଛି ସେ କଣ ଜୀବନ ସାରା ଅଣନିଃଶ୍ୱାସୀ ପଇସା ପଛରେ ଦୌଡୁଥିଲା କେବଳ ଏଇ କବର ତଳକୁ ଆସିବା ପାଇଁ !