ତ୍ରିବେଣୀ ତୁମେ ବହୁତ ସୁନ୍ଦର
ତ୍ରିବେଣୀ ତୁମେ ବହୁତ ସୁନ୍ଦର
ବସକୁ ଉଠୁ ଉଠୁ ଦୁଇଟି ନିରୀହ ଆଖିର ସାଦର ଆମନ୍ତ୍ରଣ। ସତେ କି ଏ ଆଖି ଦିଟା 'ଅନେକ ବେଳୁ ପ୍ରତୀକ୍ଷା କରିଛି ତ୍ରିବେଣୀକୁ।
ବସନ୍ତୁ ମେଡମ୍ ।ମୁଁ ଆଡ୍ ଜଷ୍ଟ କରିନେବି। ଭିଡ ଭିତରେ ସ୍ୱତଃ ଠେଲି ହୋଇ ବ୍ୟସ୍ତ ହୋଇ ବସି ପଡିଲା ତ୍ରିବେଣୀ। ସାମନା ସିଟରେ ଜଣକ ସହ ଚାରି ଆଙ୍ଗୁଳି ଯାଗାରେ ବସିଗଲେ ସିଟ୍ ଦେଇଥିବା ବ୍ୟକ୍ତି ଜଣକ ।
ଗୋଟିଏ ସେମିନାର୍ ରେ ଜଜ୍ ଭାବରେ ଯୋଗ ଦେବାକୁ ଯାଇଥିଲା ତ୍ରିବେଣୀ। ଗଲାବେଳେ ଅବଶ୍ୟ କାର୍ ରେ ଯାଇଥିଲା ,ହଠାତ୍ ଡ୍ରାଇଭରର ଦେହ ଖରାପ ହେବାରୁ ଗାଡିଟା ଫେରେଇଦେଇ ବସ୍ ରେ ଚଢିଛି। ଦୀର୍ଘ ଦିନ ପରେ ଆଜିର ଏ ବସ ଜର୍ଣ୍ଣିଂ। ଚାହିଁଥିଲେ କଣ ଶୁଭମ ଆସିପାରି ନଥାନ୍ତେ?
ସେ କଣ ଜାଣି ନାହାଁନ୍ତି ଡ୍ରାଇଭର ଫେରିଆସିଛି ବୋଲି?
ନିଶ୍ଚୟ ଜାଣିଛନ୍ତି। ଏମିତି ସବୁବେଳେ ବେପରୁୱା।
ଆଉ ତ୍ରିବେଣୀ ବି ନିଜ ସ୍ୱାଭିମାନକୁ ସମ୍ମାନ ଦେଇ ଆଗତୁରା କିଛି ଅଧିକାର ସାବ୍ୟସ୍ତ କରିନଥାଏ ସ୍ୱାମୀ ପାଖରେ।
ଅବଦମିତ ଇଚ୍ଛାଟିଏ ସମାଧି ନେଇଗଲେ, ମନ ବିଦ୍ରୋହୀ ହୋଇଉଠେ ନହେଲେ ସଂକୁଚିତ ହେଇଯାଏ । ତ୍ରିବେଣୀ ସବୁବେଳେ ସଂକୁଚିତ। ସେଇଥିପାଇଁ ସବୁବେଳେ ସ୍ୱାବଲମ୍ବୀ ହେବାପାଇଁ ପ୍ରସ୍ତୁତ ଥାଏ।
ଝର୍କା କାଚଦେଇ ତ୍ରିବେଣୀ ଦେଖୁଥିଲା ଶରତର ଫର୍ଚା ଆକାଶ। ଅସ୍ତଗାମୀ ସୂର୍ଯ୍ୟଙ୍କର ଦୀପ୍ତି ହୀନ ନିଷ୍ପ୍ରଭ ଜ୍ୟୋତି,ଠିକ ତା ମନ ପରି।
ପ୍ରାଚୁର୍ଯ୍ୟର ଝଲ୍ ମଲ୍ ପୃଥିବୀରେ କେଉଁଠି ଏ ଅଭାବ ପଣ??? ସେ ଏକ ପ୍ରଶ୍ନ ବାଚୀ।
ତ୍ରିତଳ ପ୍ରାସାଦ,ରାଜା ପରି ଅଫିସର ସ୍ୱାମୀ,ରାଜକୁମାର ପରି ସୁନ୍ଦର ସୁନ୍ଦର ଦୁଇ ପୁଅ,ଚାକର ବାକର ,ନାଲି ନେଳି ଫୁଲ ଭରା ସୁନ୍ଦର ଅଗଣା ସର୍ବୋପରି ଏକ ହସହସ ସଂସାର। ତାରି ଭିତରେ ଏକ ଦୀର୍ଘଶ୍ୱାସ!! ଏକ ହାସ୍ୟାସ୍ପଦ ଶବ୍ଦ ନୁହେଁ କି,ଅଧ୍ୟାପିକା ତ୍ରିବେଣୀ ପାଇଁ?
ହେଲେ ଏହାତ ନିଚ୍ଛକ ସତ୍ୟ।
ତା ଜୀବନରେ ଏଇ ଏକ ଅବୁଝା ପୃଷ୍ଠା। ଯେତେ ସାଉଁଟିଲେ ଚଉତିଲେ ସେମିତି ଲୋଚାକୋଚା।
ତା ହୃଦୟ ଫଟାଇ ବାହାରି ଆସେ ଏକ ଅଡୁଆ ପ୍ରଶ୍ନ।
ମୁଁ କଣ ସତରେ ସୁନ୍ଦରୀ ନୁହେଁ?
ବସ୍ ଭିତରେ ଉତ୍କଟ ଗନ୍ଧ,ସିଗାରେଟ କି ଝାଳ ଗନ୍ଧ ସହି ହୁଏ କୌଣସି ମତେ,ଏ ଦେଶୀ ମହୁଲି ଗନ୍ଧ ଭାରି ଅସହ୍ୟ ସତେ।
ମା’ କାଖରେ ଓହଳି ଥିବା ଛୁଆଟି ଅଃ ଅଃ କଲାଣି। ସେଇ ସ୍ୱର, ଦେଖନ୍ତୁ , ଆପଣଙ୍କ ଶାଢୀ ଖରାପ ହେଇ ଯିବ। ଛୁଆଟାକୁ ନିଜ ଆଡକୁ ମୁହାଇଁ ଦେଲେ ଛିଟିକି ପଡିଲା ବାନ୍ତି ଯାକ ତାଙ୍କ ଦେହରେ।
ଆଖିଟା ବୁଲେଇ ଆଣିଲା ତ୍ରିବେଣୀ ,ଲୋକଟା କାହିଁକି ତା ଉପରେ ଏତେ ଯତ୍ନଶୀଳ ଯେ? ହାଡୁଆ ମୁହଁ,ପଶିପଶି ଯାଉଥିବା ଆଖି ମୁହଁରେ ଧଳା ଧଳା ଦାଢି,ଚିହ୍ନା ଚିହ୍ନା ସ୍ୱର। ଆଜି କାହିଁକି କେଜାଣି ,ମନ ତଳର ଯନ୍ତ୍ରଣା ଗୁଡିକ ପୁନର୍ଜନ୍ମ ଲାଭ କରି ହନ୍ତସନ୍ତ କରୁଥିଲେ ତାକୁ। ପଚିଶି ବର୍ଷ ତଳର ସ୍ମୃତି ସବୁ ଅଡୁଆ ତଡୁଆ ସୂତା ପରି ଗୁଡେଇ ହେଉଥିଲେ ଦେହଟା ସାରା ତାର। ବସନ୍ତର ପ୍ରଥମ ପାହାଚରୁ ଅମୀର ସହ ନୀଡ ରଚନା କରିବାର ସ୍ୱପ୍ନ ଦେଖିଥିଲେ ଦୁହେଁ।
ଦୁହେଁ ଦୁହିଙ୍କୁ ଖୁବ ଚାହୁଁଥିଲେ।
ଅମୀର୍ ଙ୍କ ସେଇ ମିଠା ମିଠା କଥା।
ତ୍ରିବେଣୀ,
ହୁଁ।
ତୁମ ଆଖିରେ ସାରା ଆକାଶର ନିଳିମା, ତୁମ କେଶରେ ଯମୁନାର ତରଙ୍ଗ, ତୁମ ହୃଦୟ ଗଙ୍ଗାଠୁ ପବିତ୍ର, ଆଉ ତୁମେ ଜ୍ଞାନ ଗୁଣରେ ସରସ୍ୱତୀ । ସତରେ ତ୍ରିବେଣୀ ତୁମେ ବହୁତ୍ ସୁନ୍ଦର ।ସର୍ବ ଗୁଣର ସମନ୍ୱିତା ।ଏଇ ପଦ କେତେଟାରେ ଆତ୍ମହରା ହେଇଯାଏ ତ୍ରିବେଣୀ। ମନେମନେ ସମର୍ପିତା ହେଇଯାଏ ଅମୀର ଠାରେ। ବଂଶ ମର୍ଯାଦାର ଅହଂକାର, ସାମାଜୀକ ବନ୍ଧନ ଆଉ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଲଢିପାରିନଥିଲା ତ୍ରିବେଣୀ। ପିତୃପୁରୁଷଙ୍କ ଆଶିଷ ଆଉ ସୁକନ୍ୟା ହେବାର ଯୋଗ୍ୟତାଟା ବରଣ କରୁକରୁ ନିଜ ଇଚ୍ଛାକୁ ସମାଧି ଦେଇଦେଲା ସେ। ଆଦରି ନେଲା ଭାଗ୍ୟକୁ।
ଆଉ ହେଇଗଲା ଶୁଭମଙ୍କ ପତ୍ନୀ, ଅର୍ଧାଙ୍ଗିନୀ,ସହଧର୍ମିଣୀ, ରାଣୀ ।ଏତେ ସବୁ ସୌଭାଗ୍ୟକୁ କେମିତି ହଜମ କରିବ ବୋଲି ଦେହ କହୁଥିବା ବେଳେ ତା’ ମନର ଅଭିଯୋଗ...ବାକି କିଛି ରହିଗଲା ବୋଲି।
ସ୍ତ୍ରୀ ଭାବରେ ସ୍ୱାମୀଙ୍କ ତୃଷା ହରିଛି. ସ୍ନିଗ୍ଧ ଝରଣାଟିଏ ହେଇ, ଆଦିମ କ୍ଷୁଧା ନବାରିଛି ବର୍ଷଣ ମୁଖର ଶ୍ରାବଣୀ ହୋଇ, ଘରର ସୁଖ ପାଇଁ ପାଲଟି ଯାଇଛି ଉତ୍ସବ ମୁଖର ଆଲୋକ ମାଳା, ଆଉ ଶାଶୁ ଶ୍ୱଶୁରଙ୍କ ସୁଖ ପାଇଁ ହେଇ ଯାଇଛି ମୁଠାଏ ମାଟି। ସର୍ବଂସହା ଧରିତ୍ରୀ।
ତା ବଦଳରେ ଯେ ସେ କିଛି ପାଇନି, କହିଲେ ପାପ ହେବ।
ପାଇଛି ବି ଅନେକ କିଛି। ଟଙ୍କା ସୁନା ପାଟ ଶାଢୀ ଯାହା ଚାହିଁଛି, ରୋଗରେ ସେବା, ସ୍ନେହ ଶ୍ରଦ୍ଧା ଆଉ ଅଯାଚିତ ଉପହାର । ତଥାପି......।
ବିବାହର ପାଞ୍ଚ ଦିନ ପରେ ନିଜକୁ ଖୁବ ସଜେଇ ସକାଳୁ ସକାଳୁ ଚା’ ନେଇ ସ୍ୱାମୀଙ୍କ ପାଖକୁ ଯାଇ ଥିଲା ତ୍ରିବେଣୀ।
ଏକ ଇଚ୍ଛା ଗଜୁରି ଉଠୁଥାଏ ମନ ଭିତରେ । ଚା'ଟା ନେଇ ଖବର କାଗଜରେ ମଜ୍ଜିଗଲେ ଶୁଭମ୍ । ଦି’ ମିନିଟ ଛିଡାହେଲା ତ୍ରିବେଣୀ।
ଚା’କୁ ଓଠର ଶେଷ ଚୁମ୍ବନ ଯାଏ, ଖାଲି କପଟା ଧରେଇ ଦେଲେ।
ଖାଲି ଚା’ କପ ପରି ମନଟା ବି ହଠାତ୍ ଶୂନ୍ୟ ହେଇ ଗଲା, ଫେରି ଆସିଲା ତ୍ରିବେଣୀ। ତା ମନରେ ସେଇ ପ୍ରଶ୍ନ ସେ କଣ ସତରେ ସୁନ୍ଦର ନୁହେଁ?
ନା ତ । ଶୁଭମ ତ କହିଲେନି। ତୁମେ କେତେ ସୁନ୍ଦର ,ତୁମ ହାତ ତିଆରି ଚା’ଟା କେତେ ମିଠା
ଆଉ ଆସ ,ମୋ ପାଖରେ ଟିକେ ବସ ଚା’ଟା ଭାଗ କରି ପିଇ ନେବା ବୋଲି?
ବେଳେବେଳେ ସ୍ୱାମୀଙ୍କୁ ନିଜ ତରଫରୁ କୁହେ ତୁମେ ଭାରି ହେଣ୍ଡସମ୍ ଲାଗୁଛ?
ବିଜୟୋଲ୍ଲାସରେ ଫାଟିପଡନ୍ତି ସେ। ଛାତିଟା ଆହୁରି ଚଉଡା ହେଇଯାଏ । ଫେରନ୍ତା ପଦଟିଏର ଅପେକ୍ଷାରେ ରହେ କିଛି ମୁହୂର୍ତ୍ତ। ନା ସେମିତି କିଛି ମିଳେନା। ଅପମାନରେ ଜଳିଯାଏ।
ରୋଗ ହେଲେ ନିଜେ ଔଷଧ ଖୁଆଇବା,ସବୁବେଳେ ଯତ୍ନ ନେବା ସମସ୍ତ ଆବଶ୍ୟକତା ପୂରଣ କରିବା କଣ ଯଥେଷ୍ଟ ନୁହେଁ? ନିଜ ରୂପର ପ୍ରଶଂସା କଣ ନିହାତି ଆବଶ୍ୟକ? ଏଇ ଅନନ୍ୟ ଲୋଡିବା ପଣ ପାଇଁ । ଆଜି ତାର ଏଇ ଦୂରାବସ୍ଥା, ଆଖି ତଳେ କଳା ଦାଗ ,ଉଦ୍ଦାମ କେଶ ରାଶି ଧଳା ଧଳା,ଅକାଳ ବାର୍ଦ୍ଧକ୍ୟ।
ହଠାତ୍ ଦିନେ ଶୁଭମ ପଚାରିଲେ, କଣ ତୁମର ଅଭାବ ତ୍ରିବେଣୀ?
କାହିଁକି ଦିନ କୁ ଦିନ ଦୁର୍ବଳ ଦେଖାଯାଉଛ?
ମୋ ସାଙ୍ଗର ସ୍ତ୍ରୀ ମାନଙ୍କୁ ଦେଖୁନ,ତୁମଠୁ ବୟସରେ ବଡହେବେ କେମିତି ଚକ୍ ଚକ କରୁଛନ୍ତି?
ଶର ଗଳିଗଲା ତା ଛାତିରେ।
କାହିଁ ସେ କଣ କେବେ ଚକ୍ ଚକ୍ କରିନି କି? କେବେ ତ କହିନାହାନ୍ତି ତୁମେ ଭଲ ଦେଖାଯାଉଛ ବୋଲି ଆଜି କାହିଁକି ଏତେ ଦରଦ?
ଭଲ ଦିଶିଲେ କେତେ ନଦିଶିଲେ କେତେ? ବୋହୂ ଆସିବାର ସମୟ ହେଲାଣି।
ଗୋଟିଏ ବ୍ୟାଗ ଔଷଧ ଆଉ ଫଳ ନେଇ ଆସିଲେ ଶୁଭମ । ଔଷଧ ଖାଇବା ସମୟ ଆଉ ଜୁସ୍ ପିଇବା ପାଇଁ ଉପଦେଶ ଦେଇଗଲେ ସେ।
ଅନେକ ଦିନ ଔଷଧ ଖାଇଲାଣି ନା ତ କିଛି ବି ଫଳ ହେଇନି,ବସ୍ ର କାଚରେ ସ୍ପଷ୍ଟ ଦେଖାଯାଉଛି ଆଖି ତଳର କଳା କଳା ଗାଢ ଦାଗ। ଆଖି ତଳକୁ ଭଲ ଭାବରେ ରଗଡି ଦେଲା ତ୍ରିବେଣୀ। କାଚରେ ଦିଶୁଛି ସାମନାରେ ବସିଥିବା ବ୍ୟକ୍ତି ଜଣକ ଉଠିଲେଣି। ତା ହାତକୁ ବହିଖଣ୍ଡେ ବଢେଇ ଦଉ ଦଉ କହିଲେ ନିଅନ୍ତୁ ମେଡମ୍ ମୋ କବିତା ସଂକଳନଟେ ପଢିବେ।
ହାତ ବଢେଇଲା ତ୍ରିବେଣୀ ସେମିତି ମୁହଁ ତଳକୁ କରି।
--ଆପଣଙ୍କୁ ହାତାହାତି ଦେବି ବୋଲି ଅନେକ ଦିନରୁ ବ୍ୟାଗରେ ଧରି କି ବୁଲୁଛି। ଯା’ ହେଉ ଆଜି ମୋର ସୌଭାଗ୍ୟ।
ଆପଣତ ତ ସେମିତି ଦେଖା ଯାଉଛନ୍ତି,ଯେମିତି କଲେଜରେ ପଢିଲା ବେଳେ ଦେଖାଯାଉଥିଲେ, ସୁନ୍ଦର ,ବହୁତ୍ ସୁନ୍ଦର।
ଚମକି ପଡିଲା ତ୍ରିବେଣୀ।
ଏତେ ବେଳ ଯାଏ ସେ ବହିର ମଲାଟରେ ମଜ୍ଜିଥିଲ। ବହିର ନା ତ୍ରିବେଣୀ। କବି ଅମୀର ପଟ୍ଟନାୟକ। ଓଃ ଭଗବାନ। ସାହିତ୍ୟର ‘ସ’ ଜାଣି ନଥିବା ଏ ଗଣିତ କୀଟ କବି ହେଲା କେତେବେଳେ?
ଉପରକୁ ମୁହଁ ଟେକିଲା ତ୍ରିବେଣୀ। ଓଲ୍ହେଇ ଯାଇଥିଲେ ଅମୀର ବସ୍ ଷ୍ଟପରେ। ଦି’ଟୋପା ଲୁହ ଝଡିପଡିଲା ବହି ଉପରେ। ଅମୀରଙ୍କ ଏ ରୂପ?? ବହିର ପ୍ରତିଟି ପୃଷ୍ଠାରେ ତ୍ରିବେଣୀ ପାଇଁ କବିତା।
ତା’ ପାଇଁ ଉତ୍ସର୍ଗୀକୃତ ଏ ବହି। ଏକ ଅପୂର୍ବ ଶିହରଣ ଖେଳିଗଲା ତା ଦେହଟା ସାରା। ପଲ୍ଲବିତ ହେଇ ଉଠିଲେ ତା’ ମନ ତଳର ଥୁଣ୍ଟା ଗଛ ସବୁ। ନାଚି ଉଠିଲା ତା ପାଦର ନୂପୁର । ଓଠ ପାଖୁଡାରେ ତାର ପଳାଶର ରଙ୍ଗ।
ଏତେ ଲେଟ୍।
ଘରକୁ ପଶୁ ପଶୁ ଶୁଭମଙ୍କ ବେପରୁୱା ଅଭିଯୋଗ।
ହଁ ଗାଡି ଭିଡ ଥିଲା। ଔଷଧ ସରିଯାଇଥିଲା ବୋଧେ। ନେଇ ଆସିଛି। ଫଳ ଆଉ ହର୍ଲିକ୍ସ ଅଛି ରଖିଦେବ। ଫ୍ରେସ ହେଇଯାଅ । ଫ୍ରିଜ୍ ରେ ଜୁସ୍ ଅଛି ପିଇ ନେବ।
ଓଃ,ରଖ ହେ ତୁମର ଔଷଧ। ସେସବୁର କିଛି ଆବଶ୍ୟକତା ନାହିଁ। ମୁଁ..ତ ମହୌଷଧି ..ନେଇ ଆସିଛି।
ବହିଟିକୁ ପ୍ରେମଭରା ସ୍ପର୍ଶ ଦେଉଦେଉ ମନେମନେ ଗୁଣୁଗୁଣୁ ହେଇକହୁଥିଲା ତ୍ରିବେଣୀ। ଏଇ ମହୌଷଧି ଖାଇ ମୁଁ ତ ଝଟକି ଉଠିବି ଜହ୍ନ ପରି.. ମଲାଯାଏ।
ଗୀତ ଗାଇଗାଇ ବାଥରୁମରେ ପଶିଲା।
ଟେପ୍ ରୁ ଝର୍ ଝର୍ ଝରୁଥିବା ପାଣି ସବୁ କହୁଥିଲେ.॥ ତ୍ରିବେଣୀ ! ତୁମେ ବହୁତ ସୁନ୍ଦର। ବାଥରୁମର କାନ୍ଥରେ ଟାଇଲରେ ଲାଗିଥିବା ଡଲ୍ ଫିନ୍ କହୁଥିଲା ,ତ୍ରିବେଣୀ ! ତୁମେ ବହୁତ୍ ସୁନ୍ଦର।
ଆସ୍ଥା ପବ୍ଲିକ ସ୍କୁଲ ବେଲପଡା।
ବଲାଙ୍ଗିର।