Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଧି ଘରୱାଲୀ
ଆଧି ଘରୱାଲୀ
★★★★★

© Kamala Satpathy

Comedy Others Abstract

13 Minutes   14.5K    17


Content Ranking

ମହାପାତ୍ରବାବୁଙ୍କ ବାହାଘରଟା ଅନ୍ୟମାନଙ୍କ ତୂଳନାରେ ସାମାନ୍ୟ ବିଳମ୍ୱରେ ହେଲା ସତ, ହେଲେ ବଡ ସୁରୁଖୁରୁରେ ହେଇଗଲା । ହସଖୁସି, ନାଚଗୀତ, ଭୋଜିଭାତ, ଗହଳ ଚହଳ ଭିତରେ ସବୁକିଛି ଯଥାବିଧି ସଂପନ୍ନ ହେଇଗଲା । ବାହାଘର ଶେଷ ହେଇଯାଇ ଥିବାରୁ ମହାପାତ୍ରବାବୁ ଯେତିକି ଖୁସି ଥିଲେ, ତା’ ଠାରୁ ଅଧିକ ଖୁସି ଥିଲେ ତାଙ୍କ ଘରଲୋକେ ରୂପର ଗୁଣର ବୋହୂଟିଏ ପାଇ । ସମାସ୍କନ୍ଦ ବନ୍ଧୁଟିଏ ସାଙ୍ଗକୁ ପାଠଶାଠ ପଢା ବୋହୂ ଆଉ ସବୁଠାରୁ ବଡ କଥା ହେଲା ତା’ର ଶାନ୍ତ ସରଳ ସ୍ୱଭାବ । ଆଃ ! ମହାପାତ୍ରବାବୁଙ୍କ ଭାଗ୍ୟ ଖୋଲିଗଲା ! ସମସ୍ତଙ୍କ ନଜର ଏବେ ତାଙ୍କରି ଉପରେ ହି କେନ୍ଦ୍ରୀଭୂତ ରହିଗଲା । ଜଣେ ଦୁଇ ଜଣ ଈର୍ଷାଳୁ ଲୋକ ନିଜର ଈର୍ଷାକୁ ମନ ଭିତରେ ଅଧିକ ଦିନ ପର୍ଯ୍ୟନ୍ତ ଲୁଚେଇ ନପାରି ପ୍ରକାଶ କରି ବି ଦେଲେ । ହେଲେ ସେକଥାକୁ ନେଇ ମହାପାତ୍ରବାବୁ ଦୁଃଖି ହେଉନଥିଲେ, ବରଂ ଖୁସିରେ ଫୁଲି ଫୁଲି ଯାଉଥିଲେ ।

ଘର ବାହାର ସବୁଆଡେ ସବୁକିଛିର ପ୍ରଶଂସା ଶୁଣି ଶୁଣି ମହାପାତ୍ରବାବୁଙ୍କର ଓଜନ ଏଇ ଭିତରେ ଦୁଇ ଚାରି କିଲୋ ବଢି ଯାଇଥିଲା ପରି ଲାଗୁଥିଲା । ପତ୍ନୀ ସ୍ୱରୂପାର ଗୋରା ରଙ୍ଗ, ଢଳ ଢଳ ଆଖି, ଗୋଲାପ ପାଖୁଡା ସମ ଓଠ, ସବୁକିଛି ତାଙ୍କୁ ମୁଗ୍ଧ କରି ରଖିଥିଲା । କଥାରେ କଥାରେ ସାଙ୍ଗମାନଙ୍କର ଦୀର୍ଘଶ୍ୱାସ ପକେଇବାଟାକୁ ସେ ମନ ଭରି ଉପଭୋଗ କରି ପକୋଉଥିଲେ । ସେମାନଙ୍କର ଅଧିକ କୌତୁହଳ ଥିଲା ମହାପାତ୍ରବାବୁଙ୍କର ଶାଳୀମାନଙ୍କୁ ନେଇ । ଯେଉଁଦିନ ଠାରୁ ସେମାନେ ଶୁଣିଲେଣି ଯେ ଦୁଇ ଦୁଇଟି ଶାଳୀର ମହାପାତ୍ରବାବୁ ଏକମାତ୍ର ଭିଣେଇ, ସେଇ ଦିନଠୁ ମହାପାତ୍ରବାବୁଙ୍କ ଆଗରେ ପଛରେ ସାଙ୍ଗମାନଙ୍କର ଭିଡ ଲାଗି ଯାଇଥିଲା । ଭୀଷଣ ଉତ୍ସୁକ ଥିଲେ ସମସ୍ତେ ସେମାନଙ୍କୁ ଦେଖିବାକୁ । ନିଜେ ମହାପାତ୍ରବାବୁ ମଧ୍ୟ କମ୍ ଉତ୍ସାହିତ ନଥିଲେ । କାରଣ ତରତରରେ ହେଇଥିବା ତାଙ୍କ ବାହାଘରରେ ଦୂରରେ ରହି ପଢୁଥିବା ତାଙ୍କ ଶାଳୀ ଦୁଇ ଜଣ ପରୀକ୍ଷା କାରଣରୁ ଆସି ଯୋଗ ଦେଇପାରିନଥିଲେ । ବହୁତ ଚେଷ୍ଟା କରାଯାଇଥିଲା ସେମାନଙ୍କ ଲାଗି ବାହାଘରକୁ ଆଉ କିଛି ଦିନ ପାଇଁ ଘୁଞ୍ଚେଇ ଦବାକୁ । କିନ୍ତୁ ଆଉ କୌଣସି ତିଥି ସୁଝୁନଥିବାରୁ ବାଧ୍ୟ ହୋଇ ବାହାଘର ସଂପନ୍ନ କରି ଦିଆଯାଇଥିଲା । ତେବେ ବାହାଘରର ସମସ୍ତ ଆନନ୍ଦ ମହୋତ୍ସବ ଭିତରେ ସମସ୍ତଙ୍କ ମୁହଁରୁ ସେ କେବଳ ଗୋଟିଏ କଥା ଶୁଣି ଆସୁଥିଲେ ଯେ ଝିଲି ଆଉ ମିଲି ଥିଲେ, ବାହାଘରର ମଜା ଅନ୍ୟ ପ୍ରକାରେ ହୋଇଥାନ୍ତା ।

ତାଙ୍କ ପତ୍ନୀ ମଧ୍ୟ କଥାରେ କଥାରେ ସେ ଦୁଇଜଣଙ୍କର ଏତେ ପ୍ରଶଂସା କରିଦେଇଥିଲେ ଯେ ଏବେ ମହାପାତ୍ରବାବୁ ନିଜ ନବ ବିବାହିତା ପତ୍ନୀର ସ୍ୱପ୍ନ ଦେଖିବା ଅପେକ୍ଷା ଅଜଣା ଅଦେଖା ଶାଳୀମାନଙ୍କୁ ସ୍ୱପ୍ନ ଦେଖୁଥିଲେ, ତାହା ବି ଦିବାନିଶି । ଦିନ ଯେତିକି ଗଡି ଗଡି ଚାଲିଥିଲା, ଅଧିକରୁ ଅଧିକ ବ୍ୟାକୁଳ ସେ ହେଇ ଉଠୁଥିଲେ ସେମାନଙ୍କୁ ଭେଟ କରିବାକୁ । ପ୍ରତି ମୁହୂର୍ତ୍ତରେ ତାଙ୍କର ଖାଲି ମନେ ପଡି ଯାଉଥିଲା ନିଜ ସାଙ୍ଗମାନଙ୍କର ମିଠା ମିଠା ବ୍ୟଙ୍ଗ, “ଶାଲୀ, ଆଧି ଘରୱାଲୀ, ଆଉ ମହାପାତ୍ରର ତ ଦୁଇ ଦୁଇଟା ଶାଳୀ ! ତାକୁ ପତ୍ନୀର ଆବଶ୍ୟକତା ବା କ’ଣ ?” ମିଛିମିଛିକା ରାଗ ଦେଖେଇ ସେମାନଙ୍କ ପାଟିକୁ ଚୁପ୍ କରିଦଉଥିବା ମହାପାତ୍ରବାବୁ କିନ୍ତୁ ମନେ ମନେ କୁରୁଳି ଉଠୁଥିଲେ । ଯାହାହେଲେ ବି ଜୀବନରେ ତାଙ୍କର ଏଇଟା ଥିଲା ପ୍ରଥମ ଅନୁଭୂତି, ଖୁସି ନହେବେ ବା କେମିତି !!

ବହୁ ପ୍ରତିକ୍ଷାର ଅନ୍ତ ଶେଷରେ ହେଇଆସିଲା । ଶ୍ୱଶୁରଘରୁ ଖବର ଆସିଗଲା ଝିଲି ମିଲିଙ୍କର ଘରେ ପହଞ୍ଚି ଯିବାର ଖବର ନେଇ । ଆସୁ ଆସୁ ସେମାନଙ୍କର ପ୍ରଥମ ଜିଦି ଥିଲା, ଆଗ ନିଜ ଭିଣେଇଙ୍କୁ ଦେଖିବେ । ତା’ମାନେ ଶ୍ୱଶୁରଘରକୁ ଯଥାଶୀଘ୍ର ତାଙ୍କୁ ଯିବାକୁ ହିଁ ହେବ । ଅବଶ୍ୟ ସେ ଏଥିରେ ଖୁବ୍ ଖୁସି । ତଥାପି ମନ କହୁଥିଲା, ଶାଳୀମାନଙ୍କୁ ସେ ଦେଖିବାକୁ ଯିବା ଅପେକ୍ଷା, ଶାଳୀମାନେ ତାଙ୍କୁ ଦେଖି ଆସିବାଟା ଅଧିକ ଉଚିତ ଥିଲା !

ହଉ ଛାଡ, ଥରେ ବାହା ହେଇସାରିଲା ପରେ ଆଉ ଉଚିତ ଅନୁଚିତର ପାର୍ଥକ୍ୟ ବା କ’ଣ ! ପତ୍ନୀଙ୍କ ମୁହଁରୁ ଯେଉଁ ମିଠା ହସ ଖଣ୍ଡିକ ବାରମ୍ୱାର ଝୁଲି ପଡୁଥିଲା, ତାକୁ ଦେଖି ସାରିଲା ପରେ ମହାପାତ୍ରବାବୁଙ୍କର ଶ୍ୱଶୁର ଘରକୁ ଯିବା କଥା ଉପରେ ‘ନା’ କହିବାର ସାହାସ ଆଉ ନଥିଲା । ବିନା କୌଣସି ବାକ୍ୟବ୍ୟୟରେ ଯିବା ପାଇଁ ପ୍ରସ୍ତୁତ ହେଇଗଲେ ସେ ।

 ପହିଲି ନଜରରେ ଶାଳୀମାନଙ୍କୁ ଏକଦମ୍ ପ୍ରଭାବିତ କରି ପକେଇବା ପାଇଁ ଆଜି ନିଜକୁ ଦର୍ପଣରେ ଟିକିଏ ଅଧିକ ଦେଖି ପକେଇଲେ ମହାପାତ୍ରବାବୁ । ସ୍ୱରୂପା ଆଗରୁ ତାଗିଦା କରିଦେଇଥିଲେ ଟିକେ ଭଲକରି ବେଶଭୂଷା ହେଇକି ଯିବାକୁ । ତାଙ୍କର ସିନା କିଛି ଅଭିଯୋଗ ନାହିଁ, କିନ୍ତୁ ତାଙ୍କ ଭଉଣୀମାନଙ୍କୁ ହୁଏତ ମହାପାତ୍ରବାବୁଙ୍କର ଏ ପୁରୁଣା କାଳିଆ ବେଶପୋଷାକ ପସନ୍ଦ ଆସି ନପାରେ !

ତାଙ୍କ କଥାର ମାନ ରଖିବାକୁ ଯାଇ ମହାପାତ୍ରବାବୁ ନିଜ ସାଧ୍ୟ ଠାରୁ ଅଧିକ ଫେସ୍ନେବୁଲ୍ ପୋଷାକ ପିନ୍ଧି ପକେଇଲେ । ସକାଳୁ ଉଠି ଖିଅର ହେଇଥିଲେ ବି ଆଉ ଥରେ ନିଜ ଗାଲ ଉପରେ ରେଜର୍ ଚଲେଇ ଆଫଟର୍ ସେଭ୍ ମାରି ପକେଇଲେ । ବାହାଘରରେ ମିଳିଥିବା ପାଉଡର୍ ସେଣ୍ଟ୍ ର ସଦୁପଯୋଗ କରି ପକେଇଲେ । ପୁଣି ଥରେ ଦର୍ପଣରେ ନିଜକୁ ଉପରୁ ତଳ ଯାଏ ଦେଖି ସାରିଲା ପରେ ଯାଇ ପତ୍ନୀକୁ ସାଙ୍ଗରେ ଧରି ଶ୍ୱଶୁର ଘରକୁ ବାହାରିଲେ ।

ମାଷ୍ଟ୍ରିଆ ଲୋକ ସେ । ଆଜି ଯାଏ ଧଳା ସାର୍ଟ ଆଉ କଳା ପ୍ୟାଣ୍ଟ୍ ପିନ୍ଧିବାରେ ହି ଜୀବନ ବିତିଛି । ପାଉଡର୍ ସେଣ୍ଟ୍ କୁ ଲୋକମାନେ କାହିଁକି ବ୍ୟବହାର କରନ୍ତି, ତାହା ତାଙ୍କୁ କେବେ ବୁଝା ପଡିନାହିଁ କି ପଚାଷ ଥର ବାଳ ଉପରେ ପାନିଆ ଲଗେଇଲେ କ’ଣ ଫାଇଦା ହୁଏ, ସେକଥା ଜଣା ପଡିନାହିଁ । । ତଥାପି ଆଜି ଶ୍ୱଶୁର ଘରକୁ ଯିବା ପୂର୍ବରୁ ଜୀବନରେ ଯାହା ଯାହା ନକରିଥିଲେ, ସେସବୁକିଛି କରି ପକେଇଲେ । ମନରେ ଉତସାହ ଯେତିକି ଥିଲା, ଭୟ ମଧ୍ୟ ସେତିକି ଥିଲା । ଅଜଣା ଏକ ବ୍ୟାକୁଳତା ମନ ଭିତରର ସବୁ ତନ୍ତୁକୁ ଦୁର୍ବଳ କରି ପକୋଉଥିଲା । ଏସବୁର ହେତୁ କ’ଣ ହେଇପାରେ, ଭାବିଲା ବେଳକୁ କୂଳ କିନାରା କିଛି ପାଉନଥିଲେ । ତଥାପି ବ୍ୟଗ୍ରତାର ସହ ଶ୍ୱଶୁର ଘରେ ଯାଇ ସେ ପହଞ୍ଚିଗଲେ ।

କିନ୍ତୁ ଯୋଉ ଭୟ ପାଇଁ ନିଜର ବହୁ ମୂଲ୍ୟ ସମୟକୁ ନଷ୍ଟ କରି, ସକାଳ ପହରୁ ନିଜକୁ ସେ ଏତେ ସଜେଇଥିଲେ, ତାହାର କିଛି ଉପକାର ମିଳିଥିଲା ପରି ତାଙ୍କୁ କାହିଁ ଲାଗିଲା ନାହିଁ । ଘର ଭିତରକୁ ପଶୁ ପଶୁ ଦଉଡି ଆସୁଥିବା ଚାରୋଟି ଗୋଡ ହଠାତ୍ ତାଙ୍କ ଠାରୁ ଖଣ୍ଡେ ବାଟରେ ଥମ୍ ହୋଇ ସ୍ଥିର ହେଇଗଲା । ସାମାନ୍ୟ ହଲ୍ ଚଲ୍ ହେଲା ନାହିଁ କି, ପାଟିରୁ ପଦିଏ କଥା ବି ଶୁଭିଲା ନାହିଁ । ନମସ୍କାର କରିବା ତ ବହୁ ଦୂରର କଥା । ମହାପାତ୍ରବାବୁ ବ୍ୟାକୁଳ ଚିତ୍ତରେ ଅପେକ୍ଷା କରି ରହିଥିଲେ ପରବର୍ତ୍ତୀ ସମ୍ଭାଷଣ ପାଇଁ । କିନ୍ତୁ ମୁହୂର୍ତ୍ତ ମୁହୂର୍ତ୍ତ କରି ସମୟ ହାତତରୁ ଖସି ଚାଲିଯାଉଥିଲା ପଛେ, ସ୍ୱାଗତ ସମାରୋହର ସାମାନ୍ୟ ଆଭାସ ବି ତାଙ୍କୁ ଦେଖାଗଲା ନାହିଁ । ଅପେକ୍ଷା ଅସହ୍ୟ ହେଲାରୁ ନିଜେ ନିଜେ ମୁହଁ ଉଠେଇ ଚାହିଁ ଦେଖିଲେ ଯେତେବେଳେ ତାଙ୍କ ପାଟିର କଥା ସବୁ ଛେପ ସାଙ୍ଗରେ ଢୋକି ହେଇ ପେଟର ଶେଷଭାଗକୁ ଅବିଳମ୍ୱେ ଚାଲିଗଲା ।ଏମାନେ କିଏ ?

ସତରେ କ’ଣ ଏମାନେ ତାଙ୍କ ପତ୍ନୀ ସ୍ୱରୂପାଙ୍କର ନିଜର ଦୁଇ ଭଉଣୀ ? ତାଙ୍କ ପରି ଦୁସ୍ଥ ମାଷ୍ଟରର ଶାଳୀ ! ନା, ନା, ହୋଇ ନପାରେ ! ଜିନ୍ ଟପ୍ ପିନ୍ଧା, ବବ୍ କଟ୍ ବାଳବାଲା କିଏ ଏଇ ଦୁଇ ଅପସରୀ ! ସିଧାସଳଖ କ’ଣ ଏମାନେ ସ୍ୱର୍ଗରୁ ଓହ୍ଲେଇ ଆସିଛନ୍ତି ! ସେମାନଙ୍କ ଝିଲ୍ ମିଲ୍ ରୂପ ଆଗରେ ତାଙ୍କର କଡା ଇସ୍ତ୍ରୀ କରା ଧଳା ସାର୍ଟ, କଳା ପ୍ୟାଣ୍ଟ୍‌, ଚକମକିଆ ପାଲିସ୍ କରା ଜୋତା, ଯୌତୁକର ଟାଇଟାନ୍ ଘଡି, ସବୁକିଛି ଏତେ ଫିକା ଫିକା ଲାଗୁଥିଲା ଯେ ତତକ୍ଷଣାତ୍ ବୁଲିପଡି ବାହାରି ଯିବାକୁ ମନଟା ତାଙ୍କର ଛଟପଟ କରିଉଠିଲା ।

କେବଳ ତାଙ୍କରି ଅବସ୍ଥା ଯେ ଖରାପ ହୋଇଉଠିଥିଲା, ସେକଥା ନୁହେଁ । ତାଙ୍କ ଠାରୁ ଆହୁରି ଅଧିକ ଖରାପ ହେଇଯାଇଥିଲା ସେପଟର ଅବସ୍ଥା । ମାତ୍ର ଖରାପ ହେବାର ଏ ଅବସ୍ଥା ଭିତରେ ପ୍ରଭେଦ ଥିଲା ଆକାଶ ଆଉ ପାତାଳ ର ! ତାଙ୍କର ନାନୀ ଏପରି ଏକ ‘ମଫୁ’କୁ ପୁଣି ବାହା ହେବାକୁ ରାଜି ହେଇଥିବ, ସେମାନେ ଜମା ବିଶ୍ୱାସ କରିପାରୁ ନଥିଲେ ବୋଧେ । ସେଥିପାଇଁ ଦରଜା ସେପଟେ ଠିଆ ହୋଇ ଜୁଳୁଜୁଳୁ ଆଖିରେ କେବଳ ଚାହିଁ ହି ରହିଥିଲେ । ଏପର୍ଯ୍ୟନ୍ତ ଅବଶ୍ୟ ମୁହଁ ଖୋଲି କିଛି କହିନଥିଲେ। ତଥାପି ସେମାନଙ୍କ ବିସ୍ଫାରିତ ଚକ୍ଷୁର ଅବଜ୍ଞାକୁ ମହାପାତ୍ରବାବୁ ବେଶ୍ ପଢି ପାରୁଥିଲେ । ଆଉ ସେସବୁ ପଢିଲା ପରେ ଆପେ ଆପେ ମୁଣ୍ଡ ଲଇଁ ଯାଇଥିଲା ତଳକୁ ତାଙ୍କର । ବିଗତ କିଛି ଦିନର ସବୁ ଆଗ୍ରହ, ସବୁ ଉତ୍କଣ୍ଠାରେ ପାଣି ପଡି ଯାଇଥିଲା । କ୍ଲାନ୍ତ ମନ, କ୍ଲାନ୍ତ ଶରୀରକୁ ସୋଫା ଉପରେ ସେ ଲୋଟେଇ ଦେଲେ । ସେପଟ ଘରୁ ଖୁସୁର ଫୁସୁର ଶବ୍ଦ ବେଶ୍ ଶୁଭୁଥିଲା, ହେଲେ ସେଆଡକୁ ଧ୍ୟାନ ଯାଉନଥିଲା ତାଙ୍କର । ବରଂ ଏ ବନ୍ଦିଶାଳାରୁ କେତେ ଶୀଘ୍ର ମୁକ୍ତି ମିଳିବ, ତାହାର ବାଟକୁ ଚାହିଁ ବସିଲେ ।

କିଛି ସମୟ ପରେ ମୁହଁରେ ମଧୁର ହସର ଚାଦର ଟାଣିଧରି ସ୍ୱରୂପା ତାଙ୍କ ପାଖରେ ଆସି ବସିପଡିଲେ । ଦୁଇ ଭଉଣୀ ତାଙ୍କର କୁଆଡେ ଅଦୃଶ୍ୟ ହେଇ ଯାଇଥିଲେ । ଥରେ ଆସି ଭଦ୍ରତା ଖାତିରରେ ପଦେ ଅଧେ କଥା ବି କହିନଥିଲେ । ମନ ତାଙ୍କର ଭାରି ଭାରି ହୋଇ ଉଠୁଥିଲା । ସେମିତି ଏକ ବିକଳ ମୁହୂର୍ତ୍ତରେ ସ୍ୱରୂପା ଆସି କହିଲେ, “ଜାଣିଛ, ଝିଲି ମିଲି କ’ଣ କହୁଛନ୍ତି?”

ବିନା ଆଗ୍ରହ। ବିନା ଉଦ୍ଦିପନାରେ ମହାପାତ୍ରବାବୁ ପ୍ରଶ୍ନ କଲେ, “କ’ଣ?”

ବିନା କୌଣସି ଗୌରଚନ୍ଦ୍ରିକାର ଅବତାରଣା କରି ସ୍ୱରୂପା କହିଲେ, “ସେମାନେ କହୁଛନ୍ତି ଭାଇନା ତାଙ୍କର ପସନ୍ଦ ଯେ, ଖାଲି ଟିକିଏ ଚେଞ୍ଜ୍ ଓଭର୍ ଦରକାର ।“

“ଚେଞ୍ଜ୍ ଓଭର୍?”

“ହଁ, ମାନେ ଟିକିଏ ବଦଳା ବଦଳି ! ଆଗାମୀ ସପ୍ତାହରେ ସେମାନଙ୍କର କିଛି ସାଙ୍ଗ ବାହାରୁ ଆସୁଛନ୍ତି । ବିଶେଷ ଭାବରେ ଆମକୁ ଦେଖା କରିବାକୁ । ସେମାନଙ୍କ ପାଇଁ ପାର୍ଟିର ଆୟୋଜନ କରୁଛନ୍ତି ଏମାନେ । ସେମାନେ ସମସ୍ତେ ଆଜିକାଲିକା ଛୁଆ । ସେମାନଙ୍କର ରହିବା, ପିନ୍ଧିବା, ଖାଇବା, ପିଇବା, ସବୁକିଛି ଏକଦମ୍ ଭିନ୍ନ ଧରଣର । ମାନେ ଆଧୁନିକ । ତୁମେ ଏମିତି ବେଶ ପୋଷାକରେ ଗଲେ, ସେମାନେ ହସି ପାରନ୍ତି । ସେକଥାକୁ ଝିଲି ମିଲି ବରଦାସ୍ତ କରିପାରିବେ ନାହିଁ ନିଶ୍ଚୟ । ତେଣୁ ତା’ ପୂର୍ବରୁ ସେମାନେ ଚାହୁଁଛନ୍ତି ତୁମକୁ ଟିକିଏ ବାଗେଇ ଦବା ପାଇଁ ।ସାମାନ୍ୟ ଆଧୁନିକତାର ସ୍ପର୍ଶ ଦେବା ପାଇଁ ।“

ମହାପାତ୍ରବାବୁଙ୍କୁ ଏସବୁ ଟିକିଏ ଅପମାନିଆ ଲାଗିଲା । ସେମାନଙ୍କ ଆଖିରେ କ’ଣ ତା’ମାନେ ସେ ‘ମଫୁ’ ?

ଦିନ ଥିଲା ପୂରା କଲେଜ୍ ରେ ତାଙ୍କ ପରି ସ୍ମାର୍ଟ ଆଉ ହ୍ୟାଣ୍ଡସମ୍ ଆଉ କେହି ନଥିଲେ । କେତେ କେତେ ଝିଅ ତାଙ୍କ ସହିତ ପଦେ ଅଧେ କଥା ହେବା ପାଇଁ ମରି ଯାଉଥିଲେ । କେତେ ବାହାନା କରି ନୋଟ୍ ମାଗିବାର ଆଳ କରି ସେମାନେ ତାଙ୍କର ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରୁଥିଲେ । ଆଉ ଆଜି ଏମାନେ ତାଙ୍କୁ ହସରେ ଉଡୋଉଛନ୍ତି, କ’ଣ ନା – ତାଙ୍କ ବେଶ ପୋଷାକ ଦେଖିଲେ ସେମାନଙ୍କ ସାଙ୍ଗମାନେ ହସିପାରନ୍ତି !!

ଇଚ୍ଛା ହେଉଥିଲା ସେଠାରୁ ସେଇ ମୁହୂର୍ତ୍ତରେ ଉଠି ପଳାନ୍ତେ .. ଆଉ ଦିନେ ଶ୍ୱଶୁର ଘରେ ପାଦ ନଥୁଅନ୍ତେ । କିନ୍ତୁ ସେ ଭୀଷଣ ଥକି ଯାଇଥିଲେ । ଶାରୀରିକ ସ୍ତରରେ ନୁହେଁ, ମାନସିକ ସ୍ତରରେ । କୌଣସିଥିରେ ଆଗ୍ରହ ନଥିଲା । ହେଲେ ପତ୍ନୀଙ୍କ ମୁହଁର ଔଜଲ୍ୟ, ଆଉ ପରଦା ସେପଟରୁ ଉଙ୍କି ମାରୁଥିବା ଚାରୋଟି କୌତୁହଳ ଭରା ଆଖିକୁ ଦେଖିଲା ପରେ ବାଧ୍ୟ ହେଲେ ‘ହଁ’ କହିବାକୁ ।

ସାଙ୍ଗେ ସାଙ୍ଗେ ସାରା ପରିବେଶରେ ଉତ୍ସାହ ଉଦ୍ଦିପନା ଭରିଗଲା । ଝିଲି ମିଲି ଲାଗିପଡିଲେ ନିଜ ନିଜ ଭିତରେ ବିଚାର ବିମର୍ଶ କରିବାରେ । କେଉଁଆଡୁ ଆରମ୍ଭ କରାଯିବ ? ନାନୀକୁ ପଚରାଗଲା । ସ୍ୱରୂପା ଏ ବିଷୟରେ କିଛି ବି ମତାମତ ଦେଇପାରିଲେ ନାହିଁ । ଅବଶ୍ୟ ତାଙ୍କ ମତାମତକୁ ମହତ୍ତ୍ୱ ଦିଆ ଯାଇନଥାନ୍ତା ନିଶ୍ଚୟ । କାରଣ ପ୍ରଥମରୁ ସେମାନେ ଆଚମ୍ଭୀତ ଥିଲେ ନାନୀର ପସନ୍ଦକୁ ଦେଖି । ତେଣୁ ଏହି ଗୁରୁଦାୟୀତ୍ୱକୁ ସେମାନେ ନିଜ କାନ୍ଧ ଉପରକୁ ନେଇଗଲେ ।

ପ୍ରଥମେ ମହାପାତ୍ରବାବୁଙ୍କୁ ନିଆଗଲା ଗୋଟିଏ ଅତ୍ୟାଧୁନିକ ପାରଲରକୁ । ଏଠିକୁ ଲୋକେ କାହିଁକି ଆସନ୍ତି .. ଆଉ ଆସିବା ଦ୍ୱାରା ତାଙ୍କର କି ଫାଇଦା ହୁଏ, ସେକଥା ମହାପାତ୍ରବାବୁଙ୍କ ବୁଝିବା ଶକ୍ତିର ବାହାରେ ଥିଲା । ସେ କେବଳ ସେଠିକାର ଲାଇଟ୍‌, ଅତି ଷ୍ଟାଇଲିଷ୍ଟ୍ ଚଉକି, ଆଉ ଚାରିପଟରେ ଲାଗିଥିବା ବଡ ବଡ ଦର୍ପଣ ଗୁଡାକୁ ବିକଳିଆ ହୋଇ ଚାହିଁ ରହିଥାନ୍ତି ।

କୌଣସି ଏକ ଗୁରୁତର ବିଷୟ ଉପରେ ଝିଲି ମିଲିଙ୍କର ଖୁବ୍ ଜୋରରେ ଯୁକ୍ତିତର୍କ ଲାଗି ଯାଇଥିଲା । କଥାର ବିଷୟବସ୍ତୁକୁ ବହୁତ ଚେଷ୍ଟା କରି ମଧ୍ୟ ମହାପାତ୍ରବାବୁ ଠିକ୍ ଭାବରେ ଧରି ପାରୁନଥିଲେ । ଜଣେ କହୁଥିଲା, “ଭାଇନାଙ୍କ ବାଳ ରଣବୀର ସିଂ ପରି କଟାଯିବ ।“ ଆର ଜଣଙ୍କ ତା’ କଥାକୁ କାଟିଦେଇ କହିଲା, “ନା, ନା ତା’ ପରିକା ନୁହେଁ, ହାର୍ଦ୍ଦିକ ପାଣ୍ଡ୍ୟା ପରିକା କଟାଯିବ । ଟିକେ ଧଳା ଆଉ ଟିକେ ଗୋଲଡେନ୍ କଲର୍ ର ଟଚ୍ ଅପ୍ କରିଦେଲେ, ଏକଦମ୍ ଝକାସ୍ ଦିଶିବ । ରଣବୀର ସିଂର ବାଳ ଭାଇନାଙ୍କ ଛୋଟ ମୁହଁକୁ ଭଲ ଦେଖାଯିବ ନାହିଁ ।“

“ନା, ତୁ କିଛି ଜାଣିନୁ । ଏଇଲେ ମାର୍କେଟ୍ ରେ କେବଳ ସେହି ଷ୍ଟାଇଲ୍ ଚାଲୁଛି । ଭାଇନାଙ୍କ ବାଳ ସେହି ଷ୍ଟାଇଲ୍ ରେ କାଟିଲେ ସମସ୍ତଙ୍କୁ ପସନ୍ଦ ହେବ ।“

“ଏଥର ହାର୍ଦ୍ଦିକ ପରି କାଟନ୍ତୁ, ଆଗକୁ ରଣବୀର ପରି କାଟିବେ ।“

ମହାପାତ୍ରବାବୁ ଥରେ ୟା’ ମୁହଁକୁ ତ ଆଉ ଥରେ ତା’ ମୁହଁକୁ ଖାଲି ଚାହିଁ ଚାଲିଥିଲେ । କେତେବେଳକୁ ଯାଇ ତାଙ୍କ ମୁଣ୍ଡରେ ପଶିଲା ଯେ ତାଙ୍କର କି ପ୍ରକାରର ବାଳ କଟାଯିବ, ସେଇଆକୁ ନେଇକି ହିଁ ଏ ବିବାଦ ! ଏ ବିଷୟରେ ତାଙ୍କର ମତାମତ କ’ଣ, ସେକଥାକୁ ଥରେ ପଚାରି ଦେବାର ଔଚିତ୍ୟ ବି କେହି ଅନୁଭବ କରୁନଥିଲେ । ବାଳକଟାବାଲାର ମଧ୍ୟସ୍ଥତାରେ ଝଗଡାର ବୋଧେ ସମାଧାନ ହେଇଗଲା, କାରଣ ହଠାତ୍ ଦେଖିଲା ବେଳକୁ ଦୁଇ ଜଣ ପିଲା ଆଗେଇ ଆସି ତାଙ୍କୁ ଟାଣିନେଇ ଗୋଟାଏ ସୁଉଚ୍ଚ ଘୂରା ଚଉକି ଉପରେ ବସେଇ ଦେଇ ତାଙ୍କ ବାଳରେ କଇଁଚି ଲଗେଇଦେଲେ । ଏସବୁ ଏତେ ଶୀଘ୍ରତାରେ ଘଟିଗଲା ଯେ ମହାପାତ୍ରବାବୁ ପଦେ କିଛି କହିବାକୁ ବି ସୁଯୋଗ ପାଇଲେ ନାହିଁ ।

ଧଡାଧଡ୍ କରି କୋଉଠୁ କଣ କାଟି ପକେଇ ସଯତ୍ନେ ବର୍ଦ୍ଧିତ ତାଙ୍କ କେଶକୁ ନିମିଷକରେ ଧରାଶାୟୀ କରିଦେଲେ । ଏପରି ନିର୍ଦ୍ଦୟ ଆକ୍ରମଣରେ ମହାପାତ୍ରବାବୁଙ୍କ ଆଖି ଛଳଛଳେଇ ଉଠିଲା । କିନ୍ତୁ ଆଖି ସାମନାରେ ପତ୍ନୀଙ୍କ ହସ ହସ ଚେହେରା ଭାସି ଉଠି ତାଙ୍କ ଲୁହ ସବୁକୁ ଝରିଯିବାକୁ ଦେଲା ନାହିଁ ।

ବାଳ କଟା ସରୁ ସରୁ ଆଉ ଦୁଇ ଜଣ ଆଗେଇ ଆସି ତାଙ୍କ ହାତରେ ଗୋଡରେ ମୁହଁରେ କ’ଣ ଗୁଡାଏ ଆଣି ବୋଳାବୋଳି କରିଦେଇ ଘଷାଘଷି କରିବା ଆରମ୍ଭ କରିଦେଲେ । ସେ କିଛି ପଚାରିଲେ ନାହିଁ କି କୌଣସି କାମରେ ବାଧା ବି ଦେଲେ ନାହିଁ । ମୋଟାମୋଟି ଭାବେ କହିବାକୁ ଗଲେ କିଛି ଜାଣିବାକୁ ଇଚ୍ଛା ବି କଲେ ନାହିଁ । କରନ୍ତୁ ଯାହା କରିବା କଥା । ହାତ ଆଙ୍ଗୁଠି, ଗୋଡ ଆଙ୍ଗୁଠି, ସବୁଆଡ ରଗଡା ରଗଡି କରି ଭିଡି ଭାଡି ପକେଇ କ’ଣ କ’ଣ ସବୁ କରୁଥିଲେ । କେତେବେଳେ ସେସବୁ ମଜା ଲାଗୁଥିଲା ତ ଆଉ କେତେବେଳେ ସାମାନ୍ୟ କଷ୍ଟ ବି । କିନ୍ତୁ ପାଟି ଖୋଲିବାର ଦୁଃସାହସ କରିଲେ ନାହିଁ ସେ ଜମା । ଝିଲି ମିଲି ଠିଆ ହୋଇ କାମର ତଦାରଖ କରି ଚାଲିଥିଲେ । ଏମିତି କର .. ସେମିତି କର .. ଏଇଟା ଠିକ୍ ହେଲା ନାହିଁ .. ସେ ପଟଟା ଆଉ ଟିକିଏ ଭଲରେ ଘଶ ..ଏମିତି ଏମିତି କେତେ କ’ଣ ! କଂସେଇ ହାତର ଛେଳି ଭଳି ନିଜ କର୍ମକୁ ଆଦେରି ପଡି ରହିଥାନ୍ତି ମହାପାତ୍ରବାବୁ ।

କେତେବେଳକୁ ଯାଇ ଏସବୁଥିରୁ ତ୍ରାହି ମିଳିଲା ତାଙ୍କୁ । ଘରକୁ ଚାଲିଯିବା ପାଇଁ ମନଟା ଛଟପଟ କରୁଥିଲା । ପେଟରେ ଭୋକ ଥିଲା, ଚା’ର ତଲବ ଥିଲା । ଥକ୍କା ମେଣ୍ଟେଇବାକୁ ଖଟରେ ଗଡି ପଡିବାକୁ ମନ ଉଚ୍ଚାଟ ଥିଲା । ହେଲେ ଏମାନେ ଛାଡିଲେ ତ ! ପାର୍ଲରରୁ ବାହାରି ଦୁଇ ହାତକୁ ଦୁଇପଟରୁ ଧରି ଭିଡି ଭିଡି ତାଙ୍କର ଦୁଇ ଆଧି ଘରୱାଲୀ ତାଙ୍କୁ ଗୋଟିଏ ଚକମକିଆ ଲୁଗା ଦୋକାନକୁ ନେଇଗଲେ । ଏଠି ବି ପ୍ରଥମେ କିଛି ସମୟ ବେଶ ବାଦବିବାଦରେ ହି ଗଲା । ତା’ପରେ ଦୁଇ ଜଣ ଲୋକ ଆସି ତାଙ୍କୁ ମପାମପି କରି ପକେଇଲେ । କୁଆଡୁ କୁଆଡୁ କେତେ ଅଦ୍ଭୁତ ପ୍ରକାରର ସାର୍ଟ ପ୍ୟାଣ୍ଟ୍ ଜ୍ୟାକେଟ୍ ସବୁ ଆଣି ତାଙ୍କୁ ପିନ୍ଧେଇ ପକେଇଲେ । ସେ ପିନ୍ଧୁଥାନ୍ତି, ଆଉ ଝିଲି ମିଲି ଏଇଟା ଚଳିବ .. ଏଇଟା ଠିକ୍ ନୁହେଁ .. ସେଇଟା ମାନୁନି .. ୟା’ର ରଙ୍ଗ ଠିକ୍ ନାହିଁ .. ଆଦି କହି ଚାଲିଥାନ୍ତି, ଆଉ ଗୋଟାକ ପରେ ଗୋଟାଏ ରିଜେକ୍ଟ କରି କରି ଚାଲିଥାନ୍ତି । କେତେ ଗୁଡେ ତାରି ଭିତରେ ସିଲେକ୍ଟ ବି କରି ପକେଇଲେ ।

ଥକି ଯାଉଥିଲେ ମହାପାତ୍ରବାବୁ । ସ୍ୱରୂପାଙ୍କ ଉପରେ ରହି ରହି ତାଙ୍କୁ ଭୀଷଣ ବିରକ୍ତି ଆସୁଥିଲା । ସେ ଯଦି ଆଗରୁ ଜାଣି ପାରିଥାନ୍ତେ ଯେ ଚେଞ୍ଜ୍ ଓଭର୍ ମାନେ ଏପରିକା ଜେଲ୍ ଦଣ୍ଡ, ତେବେ ସେ କେବେ ବି ତାଙ୍କ କଥା ଶୁଣିନଥାନ୍ତେ ! ଆଜିକାଲିର ଯୁଗକୁ ଚାହିଁ ସେ ଫିଟ୍ ନହେଲେ ପଛେ ନାହିଁ, କିନ୍ତୁ ଏପରି ଦଣ୍ଡରୁ ତାଙ୍କୁ ମୁକ୍ତି ମିଳିବା ଦରକାର । ଆଖିକୁ ବାରମ୍ୱାର ଲୁହ ଆସି ଯାଉଥିଲା । ହେଲେ ତାଙ୍କର ବ୍ୟଥାକୁ ବୁଝିବାବାଲା କିଏ ବା ଥିଲା ସେଠି !

ବରଂ ଭିଣେଙ୍କର ନିରବତା ସେମାନଙ୍କୁ ବେଳକୁ ବେଳ ଅଧିକରୁ ଅଧିକ ଉତ୍ସାହିତ କରି ପକୋଉଥିଲା । ସେମାନେ ନିଜ ନିଜ ଭିତରେ ବେଶ୍ ଆଲୋଚନା କରି ଚାଲିଥିଲେ । ଏଇ ସିନେମାରେ ସେ ହିରୋଟା ଏଇ ରଙ୍ଗର ସାର୍ଟ ସହିତ ଏମିତିଆ ଜ୍ୟାକେଟ୍ ପିନ୍ଧିଥିଲା । ସେଇ ସିନେମାରେ ସେମିତି ଷ୍ଟାଇଲ୍ ର ପ୍ୟାଣ୍ଟ୍ ଆଉ ତା’ ସହିତ ଛୋଟ କଲର ବାଲା କୁର୍ତ୍ତା ପିନ୍ଧିଥିଲା । କେତେ ସ୍ମାର୍ଟ ଦେଖା ଯାଉଥିଲା ସତରେ ! ଭାଇନାଙ୍କ ପାଇଁ ଠିକ୍ ସେମିତିଆ ଡ୍ରେସ୍ ନେଲେ ହେବ !

ବଡ କାକୁସ୍ଥ ନଜରରେ ମହାପାତ୍ରବାବୁ ସେମାନଙ୍କ ଆଡକୁ ଚାହିଁ ରହିଥିଲେ । ସେମାନେ ଯାହା ଯାହା ସବୁ ପସନ୍ଦ କରି ଗୋଟାଏ ସାଇଡ୍ ରେ ଗଦେଇଥିଲେ, ସେସବୁ ତାଙ୍କ ଜୀବନରେ କେବେ ବି ପିନ୍ଧିନଥିଲେ କି ଭବିଷ୍ୟତରେ ମଧ୍ୟ ପିନ୍ଧିପାରିବେ ନାହିଁ । କିନ୍ତୁ ନିଜର ଅତ୍ୟାଧୁନିକ ଶାଳୀମାନଙ୍କ ଆଗରେ ସେହି ସତ୍ୟକୁ ଉଜାଗର କରିଦେଇ ସେମାନଙ୍କ ନଜରରୁ ତଳକୁ ଖସିଯିବାକୁ ସେ ଚାହୁଁନଥିଲେ । ଏତେ ସମୟ ବରବାଦ କରି ସାରିଲେଣି, ଏତେ ପରିଶ୍ରମ କଲେଣି, ଆଉ ଏତେ ସବୁ ପରେ ଏମିତି କଥା କହି କାହିଁକି ପାଗ ବିଗାଡିବାକୁ ଯିବେ ! ଯାହା କରିବା କଥା କରନ୍ତୁ । ନୂଆ ନୂଆ ପରିଚୟ, ନୂଆ ନୂଆ ପ୍ରଭାବ, ଏତିକି ବରଦାସ୍ତ ନକରି ପାରିଲେ, ସବୁଦିନକୁ ଦାଗ ଲାଗିଯିବ ଇଜ୍ଜତ ମହତରେ ! ଘରକୁ ଫେରିଲା ପରେ ସ୍ୱରୂପାଙ୍କୁ ସବୁକଥା ବୁଝେଇ ଦେବେ ନାହିଁ ଯେ ଏତେ ଚିନ୍ତା କରୁଛନ୍ତି ଏବେ !

ସେଇଠୁ ବାହାରିଲା ପରେ ସେମାନେ ତାଙ୍କୁ ନେଇଗଲେ ଜୋତା ଦୋକାନ .. ସେଠୁ ପୁଣି ବେଲ୍ଟ ଦୋକାନ, ପୁଣି ଚଷମା .. ଏମିତି ତ ଚାଲୁ ହି ରହିଲା । ଓଃ

.. ମୁଣ୍ଡ ଖରାପ ହେଇଯାଉଥିଲା ମହାପାତ୍ରବାବୁଙ୍କର । କି ଯମ ଯନ୍ତ୍ରଣା ଇଏ !

ରାତି ଏଗାରଟା ପରେ ଯାଇ ଘରକୁ ଫେରିବାର ସୁଯୋଗ ମିଳିଲା । ଥକି ଯାଇଥିବା ଦେହକୁ ଘୋସାରି ଘୋସାରି ବାଟ ଚାଲୁଥିଲେ ସେ । ହେଲେ ଝିଲି ମିଲିଙ୍କ ମୁହଁ ତଥାପି ସତେଜ ଥାଏ । ଆହୁରି ଦୁଇ ଚାରି ଘଣ୍ଟା ଯଦି ବୁଲିବାକୁ ପଡେ, ସେମାନେ ମନା କରିବେ ନାହିଁ ନିଶ୍ଚୟ । ହଁ, କାହିଁକି ବା କରନ୍ତେ ! ନୂଆ ଭିଣେଇଙ୍କୁ ସଜ କରିବାର ଏପରି ସୁଯୋଗ କ’ଣ ସମସ୍ତଙ୍କୁ ମିଳିଥାଏ ? ଏହା ତ ଏକ ଦୁର୍ଲଭ ଅନୁଭୂତି !

ଘରେ ପାଦ ଥୋଉ ଥୋଉ ମହାପାତ୍ରବାବୁଙ୍କ ରୂପ ଭେକ ଦେଖି ପ୍ରଥମେ ଚମକି ପଡିଲେ ସ୍ୱରୂପା । ବିସ୍ଫାରିତ ନେତ୍ରରେ ଚାହିଁ ରହିଗଲେ ନିଜ ସ୍ୱାମୀଙ୍କୁ । ନିଶ୍ଚୟ ମନକୁ ଆସୁଥିବ – ସେ କ’ଣ ସତରେ ଏଇ ଲୋକଟିକୁ ବାହା ହେଇଛନ୍ତି !

ତାଙ୍କ ଆଖିରେ ଖେଳି ଯାଇଥିବା ଚମକକୁ ଦେଖି ମହାପାତ୍ରବାବୁ ଦିନ ଯାକର ସବୁ ଯନ୍ତ୍ରଣାକୁ ନିମିଷକରେ ଭୁଲିଗଲେ । ସ୍ୱରୂପାଙ୍କୁ ଅନୁରୋଧ କରିବାକୁ ଭାବି ରଖିଥିବା କଥା ସବୁ ବି ଭୁଲିଗଲେ । ଏପରିକି ମନେ ମନେ ନିଜର ସେହି ତଥାକଥିତ ଆଧି ଘରୱାଲୀ ଦୁଇ ଜଣଙ୍କୁ ଧନ୍ୟବାଦ ବି ଦେଇଦେଲେ । କିନ୍ତୁ ଭିତରର ଏ ଖୁସି ପ୍ରକଟ କରିବାର ସମୟ ଏଇଟା ନଥିଲା, ତେଣୁ ସାମାନ୍ୟ ଗମ୍ଭୀର ରହିବାର ବେଶ୍ ଅଭିନୟ କଲେ । ଅବଶ୍ୟ କାହାର ଧ୍ୟାନ ଏବେ ସେଆଡକୁ ନଥିଲା । ବରଂ ଝିଲି ମିଲିଙ୍କ ମୁହଁରୁ ଦିନସାରାର ଧାରା ବିବରଣୀ ଶୁଣିବାରେ ସମସ୍ତେ ବ୍ୟସ୍ତ ଥିଲେ । ନାନୀ ଆଗରେ ସବୁକିଛିର ବର୍ଣ୍ଣନା କରିସାରି ଚାଳିଶ ହଜାର ଟଙ୍କାର ବିଲ୍ ଧରେଇ ଦେଲେ ଦୁଇଜଣ ଯାକ ।

ଚାଳିଶ ହଜାର !! ଧକ୍ କରି ଛାତି ଭିତରେ କ’ଣ ଗୋଟାଏ ଖସି ପଡିଲା । ଭାରି କରୁଣ ଦେଖାଗଲା ତାଙ୍କ ମୁହଁ । ଅଧ୍ୟାପକ ଚାକିରିରେ ଏତେ ସଞ୍ଚୟ ବା କାହିଁ ଯେ …. !

ହେଲେ କାହାରି ମୁହଁରେ ସେ କଥାକୁ ନେଇ ଚିନ୍ତାର ଲେଶ ମାତ୍ର ନଥିଲା । ସମସ୍ତେ ମହାପାତ୍ରବାବୁଙ୍କର ଏ ଚେଞ୍ଜ୍ ଓଭରର ଯେତିକି ପ୍ରଶଂସା କରୁଥିଲେ, ତା’ଠୁ ଅଧିକ କରୁଥିଲେ ଝିଲି ମିଲିଙ୍କ ବୁଦ୍ଧିର .. ରୁଚିର .. ଧୈର୍ଯ୍ୟର !

ଶାଳୀମାନେ ଦୃଢ ସ୍ୱରରେ ତାଗିଦା କରିଦେଲେ – ଆଜି ଠାରୁ ଭାଇନା ପୁରୁଣା ବେଶରେ ମୁହୂର୍ତ୍ତେ ବି ଦେଖାଯିବେ ନାହିଁ । ସବୁକିଛି ନୂଆ ହେବ ଆଜି ଠାରୁ । ନୂଆ ହେୟାର୍ ଷ୍ଟାଇଲ୍‌, ନୂଆ ଚଷମା, ନୂଆ ଜାମାପ୍ୟାଣ୍ଟ୍‌, ନୂଆ ଜୋତା ମୋଜା .. ସବୁକିଛି ହେବ ନୂଆ । ସେ ପୁରୁଣାଗୁଡାକୁ (ଯଦିଓ ପୂରା ନୂଆ ଥିଲା, ତଥାପି ପୁରୁଣାର ଆଖ୍ୟା ମିଳି ସାରିଥିଲା) ସବୁ ଦାନ କରିଦିଆଗଲା । ମହାପାତ୍ରବାବୁଙ୍କ ନାହିଁ ନାହିଁକୁ ମୋଟେ ଧ୍ୟାନ ଦିଆଗଲା ନାହିଁ । ତାଙ୍କ ଛାତିରୁ ଲୁହ ନୁହେଁ କି ଲହୁ ନୁହେଁ, ଆଉ କିଛି ବି ଝରୁ ନଥିଲା । କୋଉ ବାକି ରହିଥିଲା ଯେ ବାହାରି ଥାଆନ୍ତା !

ଦର୍ପଣରେ ନିଜକୁ ଦେଖିବାର ସାହାସ ତାଙ୍କର ନଥିଲା । କେମିତି ଦିଶୁଥିବ ତାଙ୍କର ଏ ଅଦିନିଆ ସଜବାଜ ? ଲୋକେ ତାଙ୍କୁ ଦେଖି ପଛରେ ହସୁଥିବେ ନା ଛି ଛା କରୁଥିବେ ?

କରୁଥାନ୍ତୁ, ଯିଏ ଯାହା କରିବା କଥା । ସେ ତ ଆଉ ସେଇ ପୁରୁଣା ମହାପାତ୍ରବାବୁ ନାହାନ୍ତି, ଏବେ ସେ ବିବାହିତ । ତାଙ୍କର ସବୁ ଇଚ୍ଛା ଅନିଚ୍ଛା ଉପରେ ତାଙ୍କ ନିଜ ଅପେକ୍ଷା ଅନ୍ୟର ଅଧିକାର ବେଶି ! ସେସବୁ କଥା ଲୋକମାନେ ଯଦି ନବୁଝିପାରି ତାଙ୍କୁ ହସୁଥିବେ, ତେବେ ହସୁଥାନ୍ତୁ । ସେ ବା କେମିତି ମନା କରିପାରିବେ !

ଏତେ ସବୁ ସଜବାଜ ହେଲା ପରେ ଶାଳୀମାନଙ୍କ ପାର୍ଟିରେ ଯୋଗ ଦେବାକୁ ସେ ଯୋଗ୍ୟ ହେଇଥିବାରୁ ମନେ ମନେ ଖୁସି ହେଉଥିଲେ । କିନ୍ତୁ ତାଙ୍କର ଏ ରୂପଭେକର କିଏ କେତେ ପ୍ରଶଂସା କଲା, ଅବା ସେମାନଙ୍କ ସାଙ୍ଗମାନେ ପ୍ରଭାବିତ ହେଲେ କି ନହେଲେ, ତାଙ୍କୁ କିଛି ବି ଜଣାପଡିଲା ନାହିଁ । କେହି ସେ ବିଷୟରେ କାହିଁ କିଛି ତ ଆଲୋଚନା କରିଲେ ନାହିଁ । ! ସ୍ୱରୂପା ଅବଶ୍ୟ ବହୁତ ଖୁସି ଥିଲା ପରି ତାଙ୍କୁ ଲାଗିଲା । ତେବେ ଅନ୍ୟମାନଙ୍କ ପସନ୍ଦ ଅପସନ୍ଦ ବିଷୟରେ ଜାଣିବାର ଇଚ୍ଛାଟା ସେଇ ଇଚ୍ଛାରେ ହି ରହିଗଲା ।

ଛୁଟି ସରିଗଲା । କଲେଜ୍ ଆରମ୍ଭ ହେଇଗଲା । ମହାପାତ୍ରବାବୁ ବୀର ଦର୍ପରେ ଆଗେଇ ଗଲେ କଲେଜ୍ ଅଭିମୁଖେ । ଏଇ ଭିତରେ ତାଙ୍କର କେତେ ପ୍ରକାରର ପ୍ରମୋସନ୍ ହେଇଛି, ସେସବୁ ଦେଖି ଈର୍ଷାରେ ସମସ୍ତେ ଏଇଲେ ଜଳିପୋଡି ଯିବେ ଭାବି ଭାବି ମନେ ମନେ କୁରୁଳି ଉଠୁଥିଲା ବେଳେ କାହାର କର୍କଶ ସ୍ୱରରେ ଚମକି ପଡିଲେ । ସାମନାରେ ଭ୍ରୁକୁଞ୍ଚନ କରି ଠିଆ ହୋଇଥିବା ପ୍ରିନସିପାଲ୍ ଙ୍କର ମୁହଁକୁ ଚାହିଁଦେଇ ତାଙ୍କର ସବୁ କଳ୍ପନା ଜଳ୍ପନା ଏକାଥରେ ପାଣି ହେଇ ବୋହି ଚାଲିଗଲା । ଗର୍ଜନ କରିଉଠିଲେ ପ୍ରିନସିପାଲ୍‌ “ଇଏ କି ପ୍ରହସନ ମହାପାତ୍ରବାବୁ !! ଆପଣ ପିଲାମାନଙ୍କୁ ପାଠ ପଢେଇବାକୁ ଆସିଛନ୍ତି ନା ଫେସନ୍ ସୋ ରେ ଭାଗ ନେବାକୁ ? ଆପଣଙ୍କର ଏ ରୂପଭେକର କି ପ୍ରଭାବ ପଡିବ ପିଲାଙ୍କ ଉପରେ ? ଆପଣ ଘରକୁ ଫେରିଯାନ୍ତୁ ତ ! ଛୁଟି ପଛେ ଆଉ କିଛି ଦିନ ନିଅନ୍ତୁ, କିନ୍ତୁ ଯେଉଁଦିନ ପୂର୍ବ ବେଶକୁ ଫେରିବେ, ସେହି ଦିନ ହିଁ କଲେଜ୍ କୁ ଆସିବେ । ସେପର୍ଯ୍ୟନ୍ତ ଆପଣଙ୍କର କାହାରି ସାମନାକୁ ଆସିବା ଆଦୌ ଠିକ୍ ହେବନାହିଁ ।“

ହାଁ କରି ଚାହିଁ ରହିଗଲେ ମହାପାତ୍ରବାବୁ । ତାଙ୍କ ଆଖି ଆଗରେ ଏଥର ଆହୁରି ଚାଳିଶ ହଜାର ଟଙ୍କାର ବିଲ୍ ହାଜର ହେଇଯାଉଥିଲା । ସେ ନିଜକୁ ଚିମୁଟି ଦେଖିଲେ।, ସେ ସ୍ୱପ୍ନ ଦେଖୁନାହାନ୍ତି ତ !

ନା, ଏସବୁ ସ୍ୱପ୍ନ ହେଇ ଆଉ ନାହିଁ । ସେ ଏବେ ବାହା ହୋଇିସାରିଛନ୍ତି, ଆଉ ତାଙ୍କର କେବଳ ଗୋଟିଏ ଘରୱାଲୀ ନୁହେଁ, ତା’ ସାଥିରେ ଦୁଇଟି ଆଧି ଘରୱାଲୀ ବି ମିଳିଛନ୍ତି, ଯାହାଙ୍କୁ ଖୁସି କରିବାକୁ ଏତିକି ପଇସା ଖାଲି ଥରେ ନୁହେଁ, କିଏ ଜାଣେ ଆଜି ପରେ ଜୀବନରେ ଆହୁରି କେତେ ଥର ସ୍ୱାହା କରିଦେବାକୁ ପଡିବ ତାଙ୍କୁ ! ତାହେଲେ ଏତିକିରେ କେମିତି ଡରିଯିବେ ସେ !!

                                                     -0-

ଶାଳୀ ମହାପାତ୍ର ଭୋଜି

Rate the content


Originality
Flow
Language
Cover design

Comments

Post

Some text some message..