ଓଡ଼ିଆ ଗଳ୍ପ ଓ କବିତା - ୨

Comedy Others


2  

ଓଡ଼ିଆ ଗଳ୍ପ ଓ କବିତା - ୨

Comedy Others


କଠୋର ତପସ୍ୟା

କଠୋର ତପସ୍ୟା

3 mins 7.6K 3 mins 7.6K

ବିଜୟ ନଗର ରାଜ୍ୟରେ ପ୍ରତିବର୍ଷ ଠାରୁ ଏହି ବର୍ଷ ପ୍ରବଳ ଶୀତ ହେଲା । ରାଜାଙ୍କର ଦରବାରରେ ଏହି ଶୀତକୁ ନେଇ ଦିନେ ଖୁବ୍ ଚର୍ଚ୍ଚା ଚାଲିଲା ।

ରାଜ ପୁରୋହିତ ମହାରାଜଙ୍କୁ କହିଲେ – “ମହାରାଜ, ଯଦି ଏହି ଶୀତ ଦିନେ ଆମ୍ଭେ ଏକ ଯଜ୍ଞର ଆୟୋଜନ କରିବା, ଯାହା ଫଳରେ କି ଯଜ୍ଞର ଧୂଆଁ ସମଗ୍ର ବାୟୁ ମଣ୍ଡଳକୁ ସ୍ଵଚ୍ଛ କରିଦେବ ।

ପ୍ରକୃତରେ ସେତେବେଳେ ସେ ପୁରୋହିତଙ୍କର କଥାଟି ଗ୍ରହଣଯୋଗ୍ୟ ଥିଲା । ମହାରାଜଙ୍କ ମନକୁ ମଧ୍ୟ ଏହି କଥାଟି ବେଶ୍ ପାଇଲା । ରାଜ କର୍ମଚାରୀମାନେ ମଧ୍ୟ ସେ ରାଜ ପୁରୋହିତଙ୍କ କଥାରେ ନିଜ ନିଜର ସମ୍ମତି ପ୍ରଦାନ କଲେ । ମହାରାଜ କହିଲେ, ଯଜ୍ଞ ପାଇଁ ଯାହା ଅର୍ଥ ଆବଶ୍ୟକ ସେସବୁ ରାଜକୋଷରୁ ନେଇପାରିବ । ଏହା ଶୁଣି ସେ ରାଜ ପୁରୋହିତ କହିଲେ, ମହାରାଜ, ଏହି ମହାନ ଯଜ୍ଞ ଦୀର୍ଘ ସାତ ଦିନ ପର୍ଯ୍ୟନ୍ତ ଚାଲିବ । ତେଣୁ ଏଥିଲାଗି କମ୍ ସେ କମ୍ ଏକଲକ୍ଷ ସ୍ଵର୍ଣ୍ଣ ମୁଦ୍ରା ଖର୍ଚ୍ଚ ହେବ । ଆଉ ପୁଣି ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ନଦୀର ଥଣ୍ଡା ପାଣିରେ ଠିଆ ହୋଇ ତପସ୍ୟା କଲେ ଦେବଗଣ ପ୍ରସନ୍ନ ହେବେ ।”

ତହିଁ ଆରଦିନ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଗଲା । ଏହି ମହାଯଜ୍ଞ ଦେଖିବାପାଇଁ ପାଖ ଆଖ ଗ୍ରାମରୁ ବହୁତ ଲୋକ ଆସିଲେ । ସେ ଲୋକମାନଙ୍କ ମଧ୍ୟରେ ପ୍ରସାଦ ବଂଟନ କରାଯାଉଥିଲା । ଦିନେ ରାଜା କୃଷ୍ଣଦେବରାୟ ଭୋରୁ ଉଠି ରାଜ ପୁରୋହିତ କିପରି ତପସ୍ୟା କରୁଛନ୍ତି ତାହା ଦେଖିବାକୁ ବାହାରିଲେ । ସେତେବେଳେ ତ ରାଜାଙ୍କ ସାଙ୍ଗରେ ତେନାଲୀରାମାଙ୍କ ମଧ୍ୟ ଥିଲେ । ସେଦିନ ପୁଣି ଏତେ ଜୋର୍ରେ ଥଣ୍ଡା ପଡିଥାଏ ଯେ ଦେହ ଥରିବା ସାଙ୍ଗକୁ ଦାନ୍ତ ସବୁ ମଧ୍ୟ ଠକ୍ ଠକ୍ ହୋଇ ବାଜୁଥାଏ । ଏପରି ଶୀତରେ ପୁରୋହିତଙ୍କୁ ଥଣ୍ଡା ପାଣିରେ ପଶି ତପସ୍ୟା କରୁଥିବାର ଦେଖି ରାଜା ତେନାଲୀରାମାଙ୍କୁ କହିଲେ, –

“ଆଶ୍ଚର୍ଯ୍ୟ... ଅଦ୍ଭୁତଟ୍ଟ କେତେ କଠିନ ତପସ୍ୟା ରାଜ ପୁରୋହିତ କରୁଛନ୍ତି ସତେ । ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ସତରେ ସେ ବଡ ଚିନ୍ତିତ । ରାଜାଙ୍କ ଠାରୁ ଏପରି କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଆପଣ ଯାହା କହୁଛନ୍ତି ତାହା ତ’ ଠିକ୍ । ଚାଲନ୍ତୁ ପାଖକୁ ଯାଇ ଦେଖିବାତ’ ପୁରୋହିତ ମହାଶୟ କିପରି ତପସ୍ୟା କରୁଛନ୍ତି ।”

ତହୁଁ ତେନାଲୀରାମାଙ୍କ କଥା ଶୁଣି ସେ ରାଜା କହିଲେ, “କିନ୍ତୁ ପୁରୋହିତ ମହାଶୟ ତ’ ନିଜେ ମନା କରିଛନ୍ତି ଯେ ସେ ତପସ୍ୟା କରୁଥିବା ସମୟରେ କେହି ବି ଯେମିତି ତାଙ୍କ ପାଖକୁ ଆଦୌ ଆସିବେ ନାହିଁ । କାରଣ କେହିବି ତାଙ୍କ ପାଖକୁ ଆସିଲେ ତାଙ୍କର ତପସ୍ୟା ଭଙ୍ଗ ହୋଇଯିବ ।

ରାଜାଙ୍କ ଠାରୁ ଏଭଳି କଥା ଶୁଣି ତେନାଲୀରାମା କହିଲେ, “ତା’ହେଲେ ମହାରାଜ! ଏଠାରେ ଆମେ ଦୁଇଜଣ କିଛି ସମୟ ପର‌୍ୟ୍ୟନ୍ତ ସେ ପୁରୋହିତଙ୍କୁ ଅପେକ୍ଷା କରିବା । ସେ ଯେମିତି ପାଣିରୁ ବାହାରିବେ ତାଙ୍କୁ ଫଳ-ଫୁଲ ଦେଇ ଆମେ ତାଙ୍କର ସ୍ୱାଗତ କରିବା ।” ତେନାଲୀରାମାଙ୍କର ଏହି କଥାଟି ବି କୃଷ୍ଣ ଦେବରାୟଙ୍କର ମନକୁ ବେଶ୍ ପାଇଲା । ତାପରେ ରାଜା ଓ ସେ ତେନାଲୀରାମା କିଛି ଦୂରରେ ଠିଆ ହୋଇ ଅପେକ୍ଷା କଲେ, ହେଲେ ସେ ପୁରୋହିତ ମହାଶୟ ଜଣକ ଉପରକୁ ଉଠିବାର ନାଁ ଗନ୍ଧ ମୋଟେ ଧରୁ ନଥାନ୍ତି ।

ଏହାପରେ ସେ ତେନାଲୀରାମା କହିଲେ – “ମୁଁ ଏବେ ଠିକ୍ ଜାଣିପାରୁଛି । ବୋଧହୁଏ ଅତ୍ୟଧିକ ଥଣ୍ଡା ହେତୁ ପୁରୋହିତ ମହାଶୟଙ୍କର ଶରୀର ନାଠି ହୋଇଗଲାଣି । ଏଥିପାଇଁ ବୋଧହୁଏ ସେ ପାଣିରୁ ଆଦୌ ବାହାରି ପାରୁ ନାହଁନ୍ତି । ମୁଁ ଯାଉଛି ତାଙ୍କର ଟିକେ ସହାୟତା କରିବି ।

କିଛି ସମୟ ପର୍ଯ୍ୟନ୍ତ ତେନାଲୀରାମା ଏହି କଥା ଚିନ୍ତା କଲେ ଏବଂ ସେ ନଦୀ ପାଖକୁ ଚାଲିବାକୁ ଆରମ୍ଭ କଲେ ।

ଏହାପରେ ପୁରୋହିତ ପାଣି ମଧ୍ୟରୁ ବାହାରି ଆସିଲେ । ସେ ତାଙ୍କ ସାମ୍ନାରେ ରାଜା ଏବଂ ତେନାଲୀରାମାଙ୍କୁ ହଠାତ୍ ଦେଖି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା କହିଲେ, “ତେନାଲୀରାମା! ଦେଖ ପୁରୋହିତ କିପରି ଏତେ ସମୟ ତପସ୍ୟା କଲେ । ତାଙ୍କର ଅଂଟା ପାଖରୁ ପାଦ ପର୍ଯ୍ୟନ୍ତ କିପରି ନୀଳ ଦେଖାଯାଇଛି ।”

ତେନାଲୀରାମା ହସି ହସି କହିଲେ, “ମହାରାଜ! ଆପଣ ଜାଣି ପାରୁନାହାଁନ୍ତି କି? ହେଇ ଦେଖନ୍ତୁ! ଥଣ୍ଡାରୁ ବଂଚିବା ପାଇଁ ପୁରୋହିତ ତାଙ୍କ ଧୋତି ତଳେ ନୀଳ ରଙ୍ଗର ଏହି ଜଳ ରୋଧକ ପୋଷାକ ପିନ୍ଧିଛନ୍ତି ।

ଏହା ଦେଖି ରାଜା ଓ ତେନାଲୀରାମା ହସି ହସି ରାଜ ମହଲକୁ ଯିବାକୁ ବାହାରିଲେ ଏବଂ ଏଣେ ଏ ପୁରୋହିତ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କରି ସେଠାରୁ ଫେରିଗଲେ ।


Rate this content
Originality
Flow
Language
Cover Design