ବଦମାସ୍
ବଦମାସ୍
ନୂଆ ନୂଆ ସ୍କୁଲ ଜଇନ କରିଥିଲି। ରାଣୀ ଗାଁ କନଭେଣ୍ଟ ସ୍କୁଲର ସପ୍ତମ ଶ୍ରେଣୀର ସେକ୍ସନ୍ "ଇ" ପିଲାମାନଙ୍କୁ ପଢାଇବାର ଥିଲା। ନୁଆଁ ନୁଆଁ ତ ମନରେ ବହୁତ୍ ଡର ଥିଲା କେମିତି ହେବ କଣ, ପିଲାମାନେ ମତେ ପସନ୍ଦ କରିବେ ତ ମୁଁ ଭଲରେ ପଢାଇ ତ ପାରିବି ଏମିତି ସବୁ ପ୍ରଶ୍ନ।
ଗୁପ୍ତା ସାର ସାୟରି ଅନ୍ଦାଜ୍ ରେ କହିଲେ, ଏତେ ସହଜ ନୂହେଁ ମାଡାମ୍ "ୟେ ଆଗ କା ଦରିଆ ହୈ, ଅର ଆପକୋ ଡୁବ୍ କେ ଜାନା ହୈ"। ସେକ୍ସନ୍ ଇ ର ପିଲାକୁ ପଢାଇବା କାଠିକର ପାଠ। ଏଡେ ବଦମାସ୍ ଗୁଡା ସେସବୁ ଆଉ ସେ ରାଜା ତା ଠୁ ଦୁରେଇ ରହିବେ ମାଡାମ ହଉ ବେଷ୍ଟ ଅଫ ଲକ୍ ।
ମୁଁ ଆହୁରି ଡରିଗଲି। ଫିଲ୍ମରେ ଦେଖିଥିଲି ପିଲାମାନଙ୍କ ଦୁଷ୍ଟାମି । ତେଣୁ ମୁଁ ସତର୍କ ରହିଲି । ପ୍ରଥମ ଦିନ କେବଳ ମୁଁ ମୋ ବିଷୟରେ କହିଲି, କିନ୍ତୁ ସେମାନେ କେହି ମତେ ଠିକ୍ ରେ ଧ୍ୟାନ ଦେଲେନି । ନା ମୋ କଥା ଶୁଣୁଥିଲେ । ମତେ ବହୁତ୍ ଖରାପ ଲାଗୁଥିଲା, ଗୁପ୍ତା ସାର୍ ଙ୍କ କଥା ମନରେ ଘର କରି ଯାଇଥିଲା, ଯେ ଏ ପିଲାଗୁଡାକ ସତରେ ଭାରି ଖରାପ। ମୁଁ ନିଷ୍ପତ୍ତି ନେଲି ଯେ ମୁଁ ମୋର ପାଠ ସାରିବି ବାସ୍। ତାପର ଠୁ ମୁଁ କ୍ଲାସକୁ ଗଲି ଆଉ ଚେୟାରରେ ନ ବସି ଜେତେ ଶିଘ୍ର ହେବ ପାଠ ସାରି ସେଠୁ ବାହାରି ଆସେ ।
ମତେ ଏସବୁ ଭଲ ଲାଗୁ ନଥିଲା ଏମିତି କଣ ପଢାଯାଏ! ଦୁଇ ଦିନ ପରେ ମୁଁ ପୁଣି ମୋ ନିଜ ଶୈଳୀକୁ ଆସିବାକୁ ଚେଷ୍ଟା କଲି। ଟିକେ ବୁଝିବାକୁ ଚେଷ୍ଟା କଲି କଣ ଅସୁବିଧା ଥିଲା ପିଲାଙ୍କର। ଏଯାଏଁ ତ ସେମାନେ ମୋ ସହ ସେମିତି କିଛି ଅଭଦ୍ରାମି କରି ନାହାଁନ୍ତି। ତେଣୁ ମୁଁ ବି ନିଷ୍ପତ୍ତି ନେଲି ଯେ ମୁଁ ଏଥର ନିଜ କର୍ତ୍ତବ୍ୟକୁ ଠିକ୍ ରେ ପାଳିବି। ସେଦିନ କ୍ଲାସରେ ମୁଁ ସେମାନଙ୍କୁ ଭଲ ପିଲା ବିଷୟରେ କିଛି କହୁଥିଲି ଜଣେ ପିଲା ଠିଆ ହୋଇ କହିଲା ମାଡାମ ଆମେ ସବୁ ଖରାପ ପିଲା ଆପଣ ଯେତେ କଲେ ଆମେ ଭଲ ହେବୁନି ଆଉ ଜୋରରେ ଚିତ୍କାର ଆରମ୍ଭ କରିଦେଲେ। ମତେ ଅବାକ୍ ଲାଗିଲା ଶୁଣି କି, ସେମାନେ ଗ୍ରହଣ କରିନେଇଛନ୍ତି ସେମାନେ ଖରାପ, ବେକାର ଆଉ କୋଉ କାର୍ଯ୍ୟ ର ନୁହନ୍ତି।
ସେଦିନ ରାତି ସାରା ନିଦ ହେଲାନି, ସାଇକୋଲଜିର ସବୁ ବହିକୁ ଲେଉଟାଇବା ଆରମ୍ଭ କଲି। କୋଉଠି କିଛି ଲେଖାଥିବ! କଣ କରିବି ମୁଁ କିଛି ଚିନ୍ତା କରିପାରୁ ନଥିଲି ଏମାନଙ୍କ ପାଇଁ କି, ସେଦିନ କିଛି ଏମିତି ହେଲା ଯାହା ମୋ ମନକୁ ଦୋହଲାଇ ଦେଲା । ସେହି ଭାରି ମନରେ ମୁଁ ସେଦିନ ସ୍କୁଲରେ ପହଞ୍ଚି ହିଁ ଥିଲି କି କେହି ବି ପିଲା ଆସି ନଥିଲେ। ମୁଁ ଅପେକ୍ଷା କରିଥିଲି। ବହୁତ ସମୟ ପରେ ମୁଁ ଜିବାକୁ ଉଦ୍ଯତ ହେଉଥିଲି ସେମାନେ ଆସିଲେ କିନ୍ତୁ ମୁଁ କାବା ହୋଇଗଲି ସେମାନଙ୍କ ଏ ଅବତାର ଦେଖି। କ୍ଲାସ ରେ 15 ଜଣ ପିଲା କାଲି ଯାଏଁ ତ ସମସ୍ତେ ଠିକ୍ ଥିଲେ କିନ୍ତୁ ଆଜି କାହା ମୁଣ୍ଡରେ ବି ଚୁଟି ନଥିଲା। ମୁଁ ଛାନିଆଁ ହୋଇ ଚେୟାର ଉପରେ ବସିଗଲି। ଏମାନେ ସତରେ ମତେ ହଇରାଣ କରିବା ପାଇଁ ଏମିତି କରିଛନ୍ତି ବୋଲି ମୁଁ ବିଶ୍ବାସ କରିପାରୁ ନଥିଲି। କିନ୍ତୁ ସ୍କୁଲର ନିୟମ ଉଲଙ୍ଘନ କରିଥିବାରୁ ପ୍ରିନ୍ସିପାଲ ମାଡାମ୍ ସେମାନଙ୍କୁ ଶାସ୍ତି ଦେବାକୁ କହିଲେ। ଆଉ ସମସ୍ତଙ୍କୁ ବାହାରେ ଠିଆ କରାଇବାକୁ କୁହାଗଲା କିନ୍ତୁ ମୁଁ ଲକ୍ଷ୍ୟ କଲି କାହା ମୁହଁରେ ଟିକେ ବି ଗ୍ଲାନି ବୋଧ ନାହିଁ ବରଂ ହାତରେ ହାତ ବାଡେଇ ସେମାନେ ମଜା କରୁଥିଲେ। ପିଅନ ମଉସା ମୋ ପାଖକୁ ଆସି କହିଲେ ମାଡାମ୍ ବୁଝିବାକୁ ଚେଷ୍ଟା କରନ୍ତୁ ଉପରକୁ ଯାହା ଦେଖା ଯାଉଛି କଥା ଟା ଠିକ୍ ସେଇଆ ନୁହେଁ।
କିଛି ନିଷ୍ପତ୍ତି ନେଇ ପାରୁ ନଥିଲି ମାଡାମ ମତେ କହିଲେ ମୁଁ ଚାହିଁଲେ କାଲିଠୁ ଅନ୍ଯ କ୍ଲାସ ନେଇ ପାରିବି। ଘରକୁ ଫେରିଲି । ବହୁତ ଗ୍ଲାନି ହେଉଥିଲା ମୋ ପିଲା ଗୁଡା ଦଣ୍ଡ ପାଇଲେ। ତେଣୁ ମୁଁ ସଂନ୍ଧ୍ଯାରେ ବୁଲିବାକୁ ଜାଇଥିଲି। ଗାର୍ଡେନରେ ରିତା ମାଡାମ ଥିଲେ। ତାଙ୍କ ସହ ଗପୁ ଗପୁ ମୋର ନଜର ପଡିଲା ସେଠି ଖେଳୁଥିବା ଝିଅଟି ଆଉ ତା ମୁଣ୍ଡ ଉପରେ। ମୁଣ୍ଡରେ ମାତ୍ର ଗଣି ଗଣି ଦୁଇ ଚାରିଟା ଚୁଟି। ରିତା ମାଡାମ୍ ପରିଚୟ କରାଇ ଦେଲେ ତାଙ୍କ ଝିଅ ସେ ରୁଚି, ଆଉ କହିଲେ ତାକୁ କ୍ଯାନସର ଆଉ ଚୁଟି ଗୁଡା ଝଡି ଗଲା ପରେ ସ୍କୁଲରେ ପିଲା ମାନେ ଚିଡାଇ ଦିଅନ୍ତି ତେଣୁ ସ୍କୁଲ କମ୍ ଜାଏ। ତେଣୁ ମୁଁ ତାକୁ ଦେଖିନି । ରୁଚି କଥା ଶୁଣି ମୋ ମନ ଏକଦମ୍ ଭାରି ହୋଇ ଗଲା ।
ଏତେ ଛୋଟିଆ ଝିଅଟା ଆଉ ଏଡେ ବଡ ଦୁଃଖ । କିନ୍ତୁ ତା ସହ କଥା ହେଲା ପରେ ମୋ ଆଖି ଉଜ୍ଜ୍ବଳ ହୋଇ ଉଠିଲା, ସେ ଛୋଟ ଝିଅଟି ମତେ ଜୀବନର ବହୁତ୍ ବଡ ଶିକ୍ଷା ଦେଇ ଗଲା: ମୁଁ ଜାଣି ଗଲି ମୋ କ୍ଲାସର ପିଲାମାନେ କାହିଁକି ନିଜର ଚୁଟି ସବୁ କାଟିଥିଲେ ମୁଁ ରାତି ସାରା ଚିନ୍ତା କଲି ଆଉ ମୁଁ ରାସ୍ତା ପାଇଲି ଯେ ମୋ ପିଲା ମାନଙ୍କ ମନରେ ଜାଗା କରିବା ମତେ କଣ କରିବାକୁ ପଡିବ । ସତ କହୁଛି ଜମା ସାହସ ହେଉ ନଥିଲା କିନ୍ତୁ ମୁଁ ବି ମୋର ସବୁ ତକ ଚୁଟି କାଟିଦେଲି । ପରଦିନ କ୍ଲାସରେ ମୁଁ ଟିକେ ଡେରିରେ ପହଞ୍ଚିଲି ସ୍କୁଲରେ ସମସ୍ତେ ଚିଡିଆଖାନାର ଜନ୍ତୁ ପରି ମତେ ଦେଖୁଥିଲେ କିନ୍ତୁ ମତେ ଦେଖି ମୋ କ୍ଲାସର ପିଲାମାନେ ବହୁତ ଖୁସି ହୋଇଗଲେ ସେହିଦିନ। ପିଲା ହେଲେ କଣ ହେଲା ସେମାନେ ମୋ ମନ କଥା ବୁଝି ପାରିଥିଲେ ଆଉ ମୋ ଚାରି ପଟେ ବେଢି ହୋଇ ଠିଆ ହୋଇ ଗଲେ। ସେଦିନ ରୁଚି ବି ସ୍କୁଲ ଆସିଥିଲା ମତେ ଧିରେ କି କହିଲା ମାମ ମୁଁ ଏଥର ନିତି ସ୍କୁଲ ଆସିବି। ରିତା ମାଡାମ୍ କାନ୍ଦ କାନ୍ଦ ହୋଇ କହିଲେ ବଢିଆ ହେୟାରକଟ୍ ମୁଁ ବି ତୁମ ପରି ଚୁଟି କଟାଇବି। ଧନ୍ୟବାଦ୍।
ଅସଲରେ ମୋ କ୍ଲାସର ରାଜା ଆଉ ରିଚା ପରସ୍ପରର ବହୁତ୍ ଭଲ ବନ୍ଧୁ । ରିଚା ଚୁଟି ପାଇଁ ସ୍କୁଲ ଆସେ ନି ଜାଣି ରାଜା ବି ତାର ସବୁ ଚୁଟି କାଟି ଦେଇଥିଲା । ଆଉ ତାକୁ ଉତ୍ସାହିତ କରିବାକୁ ଯାଇ ତଥାକଥିତ ମୋ କ୍ଲାସର ସବୁ ଖରାପ ପିଲା ମାନେ ମଧ୍ୟ ନିଜର ସବୁ ଚୁଟି କାଟି ପକେଇଲେ । ଆଉ ଏତେ ବଡ କାମ କଲା ପରେ ବି ସେମାନେ କାହାକୁ ଜଣାଇ ବି ନଥିଲେ । ସେଦିନ ସନ୍ଧ୍ୟାରେ ରିଚା ମତେ କହିଥିଲା ତା ସାଙ୍ଗ ରାଜା କେମିତି ତା ପାଇଁ ତାର ସବୁ ପାଠ ଘରେ ଆସି ତାକୁ ପଢାଏ ଆଉ ଏଇ ଚୁଟି କଥା। କେତେ ବଡ ସତେ ସେମାନଙ୍କ ହୃଦୟ ଆଉ ସେଥିରେ ଏବେ ମତେ ବି ଜାଗାଟିଏ ଦେଇଦେଲେ । ପ୍ରିନ୍ସିପାଲ ମାଡାମ ଅସଲ କଥା ଜାଣିଲା ପରେ ମୋ ପିଲାମାନଙ୍କ ଉପରେ ବହୁତ ଖୁସି ହେଲେ । ଆଉ ସେମାନଙ୍କୁ ସ୍କୁଲ ତରଫରୁ ସମ୍ମାନିତ କରାଗଲା ।
ମୁଁ ଜାଣିନି ମୁଁ କେତେ ଦୂର ଠିକ୍ କରିଛି, କିନ୍ତୁ ମୋର ତଥାକଥିତ ସ୍କୁଲର ସବୁଠୁ ଖରାପ ପିଲା ମାନେ ଆଜି ସମସ୍ତଙ୍କ ପାଇଁ ଉଦାହରଣ ତଥା ପ୍ରେରଣାର ଉତ୍ସ ବନି ଜଣାଇଥିଲେ।
#paramita mishra #Reema