Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଉ ଜଣେ କାଉଲ୍ ( ନବମ ଭାଗ )
ଆଉ ଜଣେ କାଉଲ୍ ( ନବମ ଭାଗ )
★★★★★

© ପ୍ରଶାନ୍ତ କୁମାର ବେହେରା

Inspirational Others

6 Minutes   13.9K    20


Content Ranking

୨୦୦୬ ମସିହା ଏପ୍ରିଲ ମାସ ସମୟର କଥା । ଆମ କଲେଜର ବରିଷ୍ଠ ଅଧ୍ୟାପକ ଡ. ଶର୍ମା ବାଲିକୁଦା କଲେଜକୁ ପ୍ରାକ୍ଟିକାଲ୍ ପରୀକ୍ଷା କରିବା ପାଇଁ ଯାଇଥିଲେ । ପରୀକ୍ଷା କରିସାରିବା ପରେ ପାଖରେ ଥିବା ଗୋଟେ ମନ୍ଦିରରେ ପ୍ରସାଦ ସେବନ କରି ସ୍କୁଟରରେ ବାଲିକୁଦା କଲେଜର ଜଣେ ଅଧ୍ୟାପକଙ୍କ ସହ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ସେଇଠି ହିଁ ମୃତ୍ୟୁ ବରଣ କଲେ । ବାଲିକୁଦା କଲେଜର ଅଧ୍ୟାପକ ଜଣଙ୍କ ଏଠି ଜଗତସିଂହପୁର ହସ୍ପିଟାଲ୍ ରେ ପ୍ରାଣତ୍ଯାଗ କଲେ । ଏ ଘଟଣା ସେତେବେଳେ ଖୁବ୍ ଦୁ୍ଃଖର ପରିବେଶ ସାରା ଜଗତସିଂହପୁରରେ ସୃଷ୍ଟି କରିଥିଲା ।

ବାଲିକୁଦା କଲେଜକୁ ଶର୍ମା ସାର୍ ସେଦିନ ଯିବା ପୂର୍ବରୁ ଭାଇଙ୍କ ସହ ଦେଖା ହେବା ସହ କଥାବାର୍ତ୍ତା ବି ହୋଇଥିଲେ । ଯେତେ ବେଳେ ଦୁର୍ଘଟଣା କଥା ଆମେ ମାନେ ଶୁଣିଲୁ, ଅଧିକାଂଶ ସେଦିନ ବାଲିକୁଦା ଯାଇ ସେଠୁ ମର ଶରୀର କେମିତି ଜଗସିଂହପୁର ଆସି ପୋଷ୍ଟମଟମ୍ ହୋଇ ସୁଦୂର ସମ୍ୱଲପୁରର କୁଚିଣ୍ଡାକୁ ଯିବ ସେସବୁ ବ୍ୟବସ୍ଥା କରିଥିଲୁ ।

ଏ ଘଟଣା ପରେ ପରେ ଭାଇ ଆମର ଆଉ କଲେଜକୁ ଆସିଲେ ନାହିଁ । ଛୁଟି ଦରଖାସ୍ତ ଦିନକୁ ଦିନ ବଢାଇ ଚାଲିଥାନ୍ତି । ପାଖା ପାଖି ୫ ଦିନ ପରେ କାରଣଟା କଣ ଆମେ ଜାଣି ପାରିଲୁ । କଥାଟା ହେଉଛି ଏମିତି - ଯେହେତୁ ଶର୍ମା ସାର୍ ବାଲିକୁଦା କଲେଜକୁ ଯିବା ପୂର୍ବରୁ ଭାଇଙ୍କ ସହ କଥା ହୋଇଥିଲେ ଆଉ ସେଇ ବାଲିକୁଦାରେ ଦୁର୍ଘଟଣାରେ ମୃତ୍ଯୁ ବରଣ କଲେ ତେଣୁ ଭାଇଙ୍କ ମୁଣ୍ଡରେ ଗୋଟେ କଥା ପୁରା ଘର କରିଗଲା । ଭାଇ ସେଇଦିନ ଠାରୁ ସେଇ କଥା ହିଁ ଘୋଷି ହେଉଛନ୍ତି । ଆଉ ସେଇ କଥାକୁ ଆଳ କରି ପିଇବା ଚାଲିଛି ଯେ ଚାଲିଛି - ସରିବାର ନାଁ ଧରୁନି ।

ଭାଇ ଆମର ଯେଉଁ ନାରାଟା ଧରିଥିଲେ ତାହା ହେଉଛି - " କି କଥା କହିଲ ? ସକାଳୁ ମଣିଷଟା ମୋ ସହିତ କଥା ହେଲା, ସଂଧାକୁ ନାହିଁ ! କଣ ଅଛି ଏ ଜୀବନରେ ତାହେଲେ ? "

ବାସ୍ ଏତିକି କଥା ଛଡା ଅଉ ଅଧିକ କିଛି କହୁନଥିଲେ ଭାଇ । କିନ୍ତୁ ସେଇ କଥାକୁ କହି କହି ମଦ ପିଇବା ଚାଲିଥାଏ । ଏମିତିରେ କିଛି କାରଣ ନ ଦେଖେଇ ଭାଇ ଆମର ପିଇବାରେ ମାହିର୍ । କିନ୍ତୁ ନିଶାଖୋର୍ ଲୋକ ମାନେ ଯଦି କିଛି ବଳିଷ୍ଠ କାରଣ ଦେଖାଇ ନିଶା ସେବନ କରନ୍ତି ତାହେଲେ ବୋଧେ ସେ ନିଶାର ଚାର୍ମ ଅଲଗା । ଯେହେତୁ ଶର୍ମା ସାର୍ ଦେଖା ହୋଇ କଥା ହେବାର କେଇ ଘଣ୍ଟା ପରେ ମୃତ୍ୟୁ ବରଣ କଲେ ତେଣୁ ଏ ଜୀବନରେ କଣ ଆଉ ଅଛି । ହେଇଟି ଲୋକଟା ଥିଲା - ଚାଲିଗଲା । ତେଣୁ ସେଇ ଘଟଣାରେ ଦୁଃଖ କରି କରି ପିଇ ଚାଲିବା ନିହାତି ଠିକ୍ ହେବ । ଆଉ ଭାଇ ଗତ ୫ ଦିନ ଧରି ସେଇଆ ହିଁ କରୁଛନ୍ତି । ସେ ଯେଉଁ ନାରା ଦେଇକି ପିଉଛନ୍ତି ତାକୁ ବୋଧହୁଏ ଏ ପାଞ୍ଚଦିନ ଭିତରେ ନିହାତି କମ୍ ରେ ୫୦୦ ଥର କହି ସାରିଥିବେ । ଅର୍ଥାତ୍ ସେଇ କେଇପଦ କଥା ଭାଇ ପୁରା ଘୋଷି ସାରିଲେଣି ।

ଆମେ ଏ ଘଟଣା ଜାଣିବା ପରେ ଅଭୟ ଭାଇ, ବଟ ଭାଇ ଓ ମୁଁ ସାଙ୍ଗ ହୋଇ ଭାଇଙ୍କ ଘରକୁ ଗଲୁ ବୁଝାଇବା ପାଇଁ । ଭାଇ ଆମକୁ ଦେଖୁ ଦେଖୁ ସେଇ ଘୋଷିଥିବା କଥା କହିଲେ । ବଟ ଭାଇ ଆମର ସେ ଭାଇଙ୍କ ଠାରୁ ବୟସରେ ବଡ ଆଉ ଖୁବ୍ ମଜାଳିଆ କଥା ସବୁବେଳେ କୁହନ୍ତି । ଭାଇ ଯେମିତି କହିଲେ ଏ ଜୀବନରେ କଣ ଅଛି - ହେଇଟି ଅଛି , ହେଇଟି ନାହିଁ ।

ବଟ ଭାଇ କହିଲେ, " ହଁ ଠିକ୍ କଥା କହିଲୁ । ଜୀବନରେ କିଛି ନାହିଁ । ତା ଅର୍ଥ ତୁ ବି ପିଇ ପିଇ କି ମରିବୁ ନା କଣ ? ଶର୍ମା ସାର୍ ଙ୍କ ପଛେ ପଛେ ତୁ କଣ ସ୍ଥିର କରିଛୁ ଉପରକୁ ଯିବାକୁ ? "

ଯାହା ବି ହେଉ ସେଦିନ ବହୁତ ବୁଝାଇଲୁ । ଆମେ ବୋଧେ ଦୁଇ ଘଣ୍ଟା ପାଖା ପାଖି ଭାଇଙ୍କ ଘରେ ରହିଲୁ ଅଉ ସେଇ ସମୟ ଭିତରେ ସେ ଘୋଷିଥିବା କଥାକୁ ପ୍ରାୟ ୨୫ ଥର କହିଥିବେ ନିଶାରେ ।

ଅବଶ୍ୟ କିଛି କାରଣ ପାଇଁ ମନକୁ ଖୁବ୍ ଦୁଃଖ କରି ମଦ ପିଇବା ବା ନିଶା ଖାଇବା କିଛି ନୁଆ କଥା ନୁହେଁ । ଭାଇ ଆମର ଏକୁଟିଆ ନୁହନ୍ତି ଏ କେସ୍ ରେ । ଅନ୍ୟମାନେ ବି ସେମିତି କରିବା ବହୁତ ଉଦାହରଣ ରହିଛି । ମୋର ଗୋଟେ ସାଙ୍ଗ କଥା କହୁଛି । ସେ କଲେଜରେ ପଢୁଥିବା ବେଳେ ଗୋଟେ ଝିଅକୁ ଭଲ ପାଉଥିଲା । ଅବଶ୍ୟ ଫାଳିକିଆ ପ୍ରେମ ନଥିଲା । ସେ ଝିଅ ବି ଭଲ ପାଉଥିଲା ମୋ ସାଙ୍ଗକୁ । ଆମ କଲେଜ୍ ସରିବା ପରେ ବି ସେ ଝିଅ ନିୟମିତ ବ୍ୟବଧାନରେ ଆସି ମୋ ସାଙ୍ଗ ସହ କଥା ହୁଏ । ମୁଁ ଧରିନେଲି ଏ ପ୍ରେମଟା ଯେମିତି ଢଙ୍ଗରେ ଗତି କରୁଛି ଖୁବ୍ ଶୀଘ୍ର ସଫଳ ହୋଇଯିବ ।

କିନ୍ତୁ ହେଲା ଆଜ୍ଞା ସମ୍ପୂର୍ଣ୍ଣ ଓଲଟା । ହଠାତ୍ ମୋ ସାଙ୍ଗର ପ୍ରେମିକାର ବାହାଘର ତା ବାପ ମାଆ ଠିକ୍ କରିଦେଲେ । ମୋ ସାଙ୍ଗର ପ୍ରେମିକା ତା ପ୍ରେମ କରିବା କଥା ସବୁ କହିଲା ଖୋଲିକି ତା ବାପ ମାଆଙ୍କୁ । କିନ୍ତୁ ସେମାନେ ତାକୁ ଇମୋସିଓନାଲ୍ ବ୍ଲାକମେଲିଙ୍ଗ୍ କଲେ । କହିଲେ ତୋ ଇଚ୍ଛାରେ ଯଦି ବାହା ହେବୁ ତାହେଲେ ଆମ ମଲା ମୁହଁ ଦେଖିବୁ । ପ୍ରେମିକାଟି ବହୁତ ଚିନ୍ତା କରିବା ସହ କନ୍ଦାକଟା କରି ଫାଇନାଲ୍ କଲା ତା ବାପ ମାଆ ଯେଉଁଠି ଠିକ୍ କରିଛନ୍ତି ସେଇଠି ବାହା ହୋଇଯିବ ।

ତାମାନେ ଫାଇନାଲି ମୋ ସାଙ୍ଗର ପ୍ରେମଟା ଅସଫଳ ହୋଇ ଅମର ହୋଇଗଲା । ଯେଉଁ ଦିନ ସେ ଝିଅର ବାହାଘର ସେଇ ଦିନ ମୋ ସାଙ୍ଗ ମୁଣ୍ଡରେ ଦୁଇଟି ଅଦ୍ଭୁତ କଥା ପଶିଲା । ଏମିତରେ ପ୍ରେମିକାର ବାହାଘର ଦିନ ପ୍ରେମିକର ମନର ଅବସ୍ଥା କଣ ହେଉଥିବ ଆପଣମାନେ ନିଶ୍ଚେ ଜାଣିପାରୁଥିବେ । ଦୁଃଖରେ ତା ହୃଦୟ ଭିତରଟା ବିଦାରୀ ହେଉଥିବ । ମୁଣ୍ଡ କାମ କରୁ ନଥିବ । କେବଳ ଯେଉଁମାନେ ଭୁକ୍ତଭୋଗୀ ସେଇମାନେ ଜାଣିଥିବେ ସେଦିନର ଦୁଃଖକୁ ।

ମୋ ସାଙ୍ଗ ମୁଣ୍ଡରେ ଯେଉଁ ଦୁଇଟି କଥା ପଶିଥିଲା ତାହା ହେଉଛି - ସେଇ ବାହାଘର ଦିନ ପ୍ରେମିକା ପାଖକୁ କିଛି ଉପହାର ପଠାଇବ ଆଉ ୨ୟ କଥା ହେଉଛି ତା ପ୍ରେମକୁ ଅମର କରିବା ପାଇଁ ସେଇ ବାହାଘର ରାତିରେ ଅତି ଆପଣାର ସାଙ୍ଗ ମାନଙ୍କୁ ଧରି ପ୍ରେମ ଆରମ୍ଭ ହୋଇଥିବା କଲେଜରେ ସାରାରାତି ନିଶାପାଣି ଖାଇ ବିତେଇଦେବା ।

ସେଇଆ ମଧ୍ୟ ହେଲା । ଆମ ସାଙ୍ଗ ମାନଙ୍କ ଭିତରୁ ଜଣେ ଗିଫ୍ଟ୍ ନେଇ ସେଇ ବାହାଘର ଦିନ ପ୍ରେମିକା ଘରକୁ ଗଲା । ଯିଏ ଗଲା ସେ ଆସି ମୋ ସାଙ୍ଗକୁ କହିଲା, " କି କାନ୍ଦ କାନ୍ଦିଲା ଏ ଗିଫ୍ଟ୍ ଦେଖିକି ତୋ ପ୍ରେମିକା ।"

ମୋର କିନ୍ତୁ ଆଜିଯାଏ ବି ଡାଉଟ୍ ଅଛି ସେ ଟୋକା ସତ କହିଲା କି ମିଛ କହିଲା । କିନ୍ତୁ ତାର ସେଇ କଥାରେ ମୋ ସାଙ୍ଗ ଯେମିତି ଭେଁ ଭେଁ ରଡ୍ଡି ଛାଡ଼ି କାନ୍ଦିଲା ସେମିତି କାନ୍ଦ ଆଜିଯାଏ ମୁଁ ଆଉ କେଉଁଠି ଦେଖିନି ।

ତାପରେ ମୋ ସାଙ୍ଗର ୨ୟ ମନସ୍କାମନା ପୂରଣ ପାଇଁ ସେଇ ବାହାଘର ଦିନ ସଂଧାରେ ଆମେ କିଛି ଖାସ୍ ସାଙ୍ଗ କଲେଜ ପଡିଆରେ ସାରା ରାତି କଟାଇଦେବାକୁ ସ୍ଥିର କରି ଘରେ କହିକି ଆସିଲୁ । ଆମ ଭିତରୁ କିଛି ସ୍ଥାନୀୟ ପିଲା ଥିବା ବେଳେ ଆଉ କିଛି ଦୂର ସ୍ଥାନରୁ ଆସିଥାନ୍ତି । ସେତେ ବେଳେ କଲେଜର ଦକ୍ଷିଣ ପଟେ ଥିବା ପୂର୍ଣ୍ଣ ବାବୁ କ୍ୟାଣ୍ଟନ୍ ରେ ଆମର ରାତ୍ରି ଖାଇବା ବରାଦ ଦିଆଯାଇଥାଏ । ନିଶାଖୋର୍ କିଛି ଥିବାରୁ ମଦର ବି ବ୍ୟବସ୍ଥା କରାଯାଇଥାଏ । ମୋ ସାଙ୍ଗ ତା ପ୍ରେମକୁ ଅମର କରିବା ପାଇଁ ସବୁ ପ୍ରକାର ସୁବନ୍ଦୋବସ୍ତ କରିଥାଏ ।

ରାତ୍ରି ଭୋଜନ ପରେ ସମସ୍ତେ କଲେଜ ପଡିଆ ମଝିରେ ଗୋଲ୍ ହୋଇ ବସିଗଲୁ । ରୁବୁ ଆଉ ମୋତେ ଛାଡି ସମସ୍ତେ ମଦ ପିଇବାରେ ମାହିର୍ । କିଛି ମଦୁଆ ଏକାଠି ହେଲେ ଅଣ ମଦୁଆ ସେଠି ଖୁବ୍ ମଜା ନିଏ । ଏଠି ଅବଶ୍ୟ ମାହୋଲ୍ଟା ଖୁବ୍ ଦୁ୍ଃଖକର ଥିଲା । ସମସ୍ତେ ଚୁପ୍ ଚାପ୍ ପିଉଥାନ୍ତି । ସମସ୍ତଙ୍କ ମନ ଭିତରେ ଗୋଟେ କଥା ଥାଏ ତାହା ହେଉଛି ସାଙ୍ଗକୁ କେମିତି କଣ ବୁଝାଇ ତା ମନର ଦୁଃଖକୁ ହାଲକା କରିବା । କିନ୍ତୁ କିଏ ଆଗ ବୁଝାଇବା ଆରମ୍ଭ କରିବ ସେଇଠି କଥା ଅଟକିଥିଲା । କିଏ ଜଣେ ଆଗ ଆରମ୍ଭକରୁ ଏମିତି ସମସ୍ତେ ଛକାଛକି ହୋଇ ରହିଥିଲେ ।

କିନ୍ତୁ ମଦ ନିଶା ଆସ୍ତେ ଆସ୍ତେ ବଢୁଥାଏ । ରାତି ଅଧ ପାଖା ପାଖି ସମୟ । ହଠାତ୍ ଗୋଟେ ଟୋକା ମୁଣ୍ଡରେ କଣ ପଶିଲା କେଜାଣି ରଡ୍ଡି ଛାଡ଼ି କାନ୍ଦି ଉଠି ଯେଉଁ ସାଙ୍ଗ ତା ପ୍ରେମକୁ ଅମର କରୁଥିଲା ତା ଗୋଡକୁ ମାଡିବସି କହିଲା, " କଣ ସବୁ ଏମିତି ହୋଇଗଲାରେ ସାଙ୍ଗ ? ଏବେ ସେଠି ବାହାଘରରେ ହାତଗଣ୍ଠି ପଡୁଥିବ ।"

ଏତିକି କହି ସେ ଟୋକା ଯେମିତି ଗୋଟେ ବାରୁଦ ଗଦାରେ ନିଆଁ ଲଗାଇଦେଲା । ତାପରେ ତ ଅବସ୍ଥା ପୁରା ଅସମ୍ଭାଳ । ରଡ୍ଡି ଛାଡ଼ି ସମସ୍ତେ କାନ୍ଦିବା ଆରମ୍ଭ କରିଦେଲେ । ଯିଏ ଯାହାକୁ ପଇଲା ଧରି କାନ୍ଦିଲା । କିଏ ତଳେ ଗଡି ଗଡି କାନ୍ଦିଲାଣି ତ ଆଉ କିଏ ଆକାଶକୁ ଅନେଇ କାନ୍ଦିଲାଣି । କଲେଜ ପଡିଆଟା ଖାଲି କାନ୍ଦରେ ପଡୁଥାଏ ଆଉ ଉଠୁଥାଏ । ମୁଁ ଆଉ ରୁବୁ କିଛି ଦୂରରୁ ପୁରା ହତବାକ୍ ହୋଇ ସେ ଦୃଶ୍ୟକୁ ଦେଖୁଥାଉ । ସେମାନଙ୍କ ଅବସ୍ଥା ଦେଖି କାନ୍ଦିବୁ କି ହସିବୁ କିଛି ମୁଣ୍ଡରେ ବୁଦ୍ଧି ଆସୁନଥାଏ । ସେଦିନ ସେମାନଙ୍କୁ ଆମେ ଦୁଇଜଣ ଯେତିକି ବୁଝାଇଛୁ ସେତିକି ଗାଳି ବି ଦେଇଛୁ ।

କିନ୍ତୁ ନିଶାଖୋର୍ ମାନେ ନିଶା ଖାଇବା ପରେ କେମିତି ସବୁ କାର୍ଯ୍ୟକ୍ରମ କରନ୍ତି ତାହା ଦେଖିବାର କଥା । ତେଣୁ ନିଶାଡି ମାନେ ଅଦ୍ଭୁତ କଥା ସବୁ ମୁଣ୍ଡରେ ପୁରାନ୍ତି ଆଉ ଆମର ଏଇ ଭାଇ ବି ସେମିତି ଶର୍ମା ସାର୍ ମରିବା ପରେ ସେଇଆ ହିଁ କରିଥିଲେ । ଯାହା ବି ହେଉ ଆମେ ବୁଝାଇକି ଆସିବା ପରଦିନ ଭାଇ କଲେଜ ଆସିଲେ । ଅର୍ଥାତ୍ ଆମ ବୁଝାଇବାର ସୁଫଳ ମିଳିଲା । ( କ୍ରମଶଃ)

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬

ସମୟ ଡ. ଶର୍ମା ବାଲିକୁଦା

Rate the content


Originality
Flow
Language
Cover design

Comments

Post

Some text some message..