ସେଇ ସ୍ବପ୍ନ
ସେଇ ସ୍ବପ୍ନ
ଆଜି ପରେ ବୋଧେ ମୁଁ ତତେ ଆଉ କେବେବି ଦେଖା କରିପାରିବିନି। ଶେଷ ଥର ଯାଇଥିଲି ତତେ ଦେଖା କରିବା ପାଇଁ। ମୋ ମନ, ହୃଦୟ, ଘର ବାହାର କେଉଁଠି ବି ଯେମିତି ତୋର ଆଭାସ ମିଳିବନି। ସେ ଚେଷ୍ଟା ବି କରୁଥାଏ। କିନ୍ତୁ ତୋତେ ଦେଖା କରି ଆସିବା ପରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ମୋ ଜୀବନରେ। ମୁଁ ଦିପ୍ରକାର ଜୀବନ ବଞ୍ଚିବା ଆରମ୍ଭ କରି ଦେଇଥିଲି। ଦୁନିଆ ପାଇଁ ଗୋଟିଏ ପ୍ରକାର ଓ ମୋ ପାଇଁ ମୋର। ସମସ୍ତେ ଭାବୁଥିଲେ ମୁଁ ତୋତେ ଭୁଲିଗଲି। ସମସ୍ତଙ୍କ ପାଇଁ ମୋ ଓଠ ସିନା କିଛି ତୋ ବିଷୟରେ କହୁନଥିଲା କିନ୍ତୁ ମୋର ପ୍ରତିଟି ଶବ୍ଦତ ତୁ ପାଲଟି ଯାଇଥିଲୁ। ମୋ ମନ ସମସ୍ତଙ୍କ ଇଚ୍ଛା ଆଉ ତାଗିଦକୁ ସମ୍ନାନ ଦେଉଥିଲା କିନ୍ତୁ ମୋ ହୃଦୟ ସେଠିତ କେବଳ ତୋର ଶାସନ। ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡରେ ବି ତୁ ଥିଲୁ ଆଉ ଘରର ଚାରିକାନ୍ଥ ର ନିରବତା ମଧ୍ୟରେ କେବଳ ତତେ ହିଁ ଦେଖୁଥିଲି। ରାତିରେ ଯେବେ ଆକାଶ କୁ ଦେଖୁଥିଲି, ଏତେ ତାରା ଜହ୍ନ ଭରା ଆକାଶ, କିନ୍ତୁ ସେମାନେ ସେଠି କେହି ନଥିଲେ କେବଳ ତୁ ହିଁ ଥିଲୁ। କେବେ ଗୋଲାପ ପାଖୁଡ଼ାକୁ ଗୋଟି ଗୋଟି କରି ତୁ ମୋର କି ନୁହଁ ବୋଲି ପରୀକ୍ଷା କରେତ କେବେ ଖାତାରେ ଗାର ଟାଣି ତୋର ଉପସ୍ଥିତି ଅନୁପସ୍ଥିତି ମଧ୍ୟ ତଜ୍ମମା କରେ।
ଆଗ ଭଳି ମୁଁ ଆଉ ଚୁପ୍ ଚାପ୍ ରହୁନଥାଏ। ସବୁବେଳେ କିଛି ନା କିଛି ଗୀତ ମୋର ମନ ହୃଦୟକୁ ଆଚ୍ଛାଦିତ କରି ରଖିଥାଏ। ମୁଁ ବହୁତ ଖୁସି। ଦୁଃଖ ଯେମିତି ମୋ ପାଖକୁ ଆସି ପାରୁନଥିଲା। ସବୁବେଳେ ହସୁଥିଲି। ଗୋଟେ ଗୋଟେ ମୁହୁର୍ତ୍ତକୁ ବି ମୁଁ ହାତଛଡ଼ା କରିପାରୁନଥିଲି ତୋ କଥା ନଭାବି। ଭଗବାନଙ୍କ ଆଗରେ ହାତଯୋଡି ପ୍ରାର୍ଥନା କରୁଥିଲି ତୋତେ ଥରଟିଏ ଦେଖିବା ପାଇଁ ଯେମିତି ହେଉବି। ଯେଉଁଦିନ ତୋତେ ଟିକେ ଛୁଇଁବା ପାଇଁ ସମାଜ, ଦୁନିଆ ଏମିତି କି ନିଜଠୁ ବି ନିଜକୁ ଅଲଗା କରିଦେଇଥିଲି। ସେଦିନ ସମାଜର ରୀତିନୀତି ଶୃଙ୍ଖଳା, ଆଚାରବିଚାରର ସୀମା ଅତିକ୍ରମ କରି ଯେତେବେଳେ ତୋ ପାଖରେ ପହଞ୍ଚିବାକୁ ଚେଷ୍ଟା କଲି, ଭାବୁଥିଲି ତୁ କଣ ମୋର ଆଗଜନ୍ମର କିଛି ପୁଣ୍ଯ କର୍ମର ଫଳ ନାଁ ମୁଁ ଏ ଜନ୍ମ ରେ କିଛି ପାପକରୁଛି।
ହଠାତ୍ ନିଦ ଭାଙ୍ଗିଗଲା,ସ୍ଵପ୍ନ ରୁ ଯେତେବେଳେ ବାହାରି ଆସିଲି ମୋ ଦେହସାରା ଝାଳ ହୋଇଯାଇଥିଲା ଏତେ ଥଣ୍ଡାରେବି। ଏସବୁ କଣ ସ୍ଵପ୍ନ, ସବୁ ମିଛ। ମୁଁ ତୁ ଆଉ ଏତେ ସୁନ୍ଦର ଆମେ ତିଆରି କରିଥିବା ଟିକି ଦୁନିଆଟା। ଏସବୁ ଯଦି ସ୍ବପ୍ନ ତାହେଲେ ମୋ ଆତ୍ମା, ହୃଦୟ..,ସାରା ଶରୀର ସବୁ ଏତେ ଜୋରରେ ଥରୁଛି କାହିଁକି ? ତୁ ଏବେ ବି, ଏତେ ବର୍ଷ ପରେ ବି ମୋ ଆତ୍ମାରେ ଏକ ଅଲିଭା ଗାର ପୁଣି ଥରେ ଟାଣିଦେଲୁନା।
ଲିନା ରାଣୀ ଧଳ ମଙ୍ଗରା
ମାର୍ଫତ, ଶ୍ରୀ ଏଲ୍. କେ ମଙ୍ଗରାଜ
ଶତାବ୍ଦୀନଗର
ଭୂବନେଶ୍ବର।