Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁଠାଏ ମାଟି
ମୁଠାଏ ମାଟି
★★★★★

© Sarada Parida

Inspirational Others

3 Minutes   7.0K    17


Content Ranking

ଅନବରତ ଖାଲି କେଁ କାଁ ପେଁ ପାଁ ଆଉ ଘୋ ଘୋ ଶବ୍ଦ । ଏଇ ଶବ୍ଦ ମାନଙ୍କର ଅସ୍ଵାଭାବିକାତା ସୂଚେଇ ଦିଏ କୃତ୍ରିମତାର ଅବସ୍ଥିତିକୁ । ସହରଟାଏ , କ’ଣ ଅଛି ସେଠି ? କିଛି ପ୍ରାକୃତିକ ନାହିଁ । ସବୁ ମଣିଷକୃତ । ଥାକ ଥାକର ପାରାଭାଡିରେ ପାରା ରହିବା ପରି ମଣିଷ ମାନେ ରୁହନ୍ତି । ନିଜେ ନିଜର ବନ୍ଦି । ଦୂରକୁ ବେସ୍ ସ୍ଵାଚ୍ଛନ୍ଦ୍ୟ ଆଉ ମୁକ୍ତ ମନେହୁଅନ୍ତି ସିନା ହେଲେ ଏଠି ନିଶ୍ଵାସ ଟିକେ ବି ମୁକ୍ତର ମିଳେନି । ସମସ୍ତଙ୍କ ପାଇଁ ପାଚେରୀ । ଗୋଟାଏ ଆବଦ୍ଧ ସୀମା ଭିତରେ ବଢିବାକୁ ହୁଏ । ଗଛ ଗୁଡା ବି । ପ୍ରାକୃତିକ ପରିବେଶରୁ ବନ୍ଦି କରି ଆଣି ଆଶ୍ରୟ ଦିଆଯାଏ କେଇଟା କୁଣ୍ଡିଆ ଭିତରେ ସେମାନଙ୍କୁ ।

ବେଳେବେଳେ ଏଇ ଗଛ ମାନଙ୍କୁ ଦେଖିଲେ ମନେ ହୁଏ , ସତରେ ସେମାନେ ବି ନିର୍ବାସିତ କେଉଁ ଏକ ଅଜଣା ଅପରାଧରେ । ମାଟି ମୁଠାଏ ପାଇଁ ଡାହାଳ ବିକଳ ହୋଇ କଂକ୍ରିଟ୍ ଛାତର ଉତ୍ତପ୍ତ ସ୍ପର୍ଶରେ ଯନ୍ତ୍ରଣାରେ ଚିତ୍କାର କରନ୍ତି । ଆଉ ଅନେକ ଟଳିପଡନ୍ତି ସେ ଅସହ୍ୟ ଯନ୍ତ୍ରଣାରେ ।

ସବା ଉପର ମହଲାରେ ମୋର ବଖୁରିକିଆ ଭଡାଘର । ଘର ସାମ୍ନାକୁ ଛାତଟା ଟିକେ ଫାଙ୍କା । କୁଣ୍ଡିଆରେ ଗଛ ଲଗେଇବା ଗୋଟାଏ ସଉକ । ସଉକ ଜୀବନକୁ ବନ୍ଦି କରିବାର ନହେଲେ ଭଲ ପାଇବାର । ଚିରାଚରିତ ପ୍ରବହମାନ ମାନସିକତା । ଊଣା ଅଧିକେ ପ୍ରାୟ ସମସ୍ତେ ସୁବିଧା ଥିଲେ ସଉକରେ ଗଛ ଲଗେଇବାକୁ ଭଲ ପାଆନ୍ତି । ସେମିତି ମୋ ଘରର ମାଲିକ ବି । ଠିକ ମୋ ଦୁଆର ମୁହଁର ସାମ୍ନାକୁ ଆଣି ରଖିଥାଆନ୍ତି ଦଶ ବାରଟି ଫୁଲ କୁଣ୍ଡ । ନିତି ସକାଳୁ ଉଠିବା ବେଳକୁ ଭେଟ ହୁଏ ସେମାନଙ୍କ ସହ ।

ସକାଳୁ ଉଠି ଗଛଟିଏର ମୁହଁ ଚାହିଁଲେ କାହିଁ କେତେ ଯେ ଆନନ୍ଦ ମିଳେ ସେଇଟା କହିହେବ ନାହିଁ, ତେବେ କେବଳ ଅନୁଭବି ହିଁ ସେ କଥା ବୁଝିପାରିବ । ହେଲେ ସେଇ କୁଣ୍ଡିଆ ମାନଙ୍କରେ ବନ୍ଦି ଥିବା ଗଛ ଗୁଡାକୁ ଦେଖିଲେ ଖୁବ ଅସହାୟ ମନେ ହୁଅନ୍ତି । ଅନୁଭବ ହୁଏ , ଯେମିତି ଗୋଟିଏ ରୁଗ୍‌ଣ ଜରାଗ୍ରସ୍ତ ମଣିଷ ବଞ୍ଚିବାକୁ ସଂଘର୍ଷରତ । ମାତ୍ର ସବୁତକ ସମ୍ବଳ ଖଟେଇ ବି ନିଜର ପେଟ ଚାଖଣ୍ଡକ ପୁରେଇବାକୁ ଅସମର୍ଥ ସିଏ । ଗଛଟାଏ , ମଣିଷ ହେଇଛି କି ମୁହଁ ଖୋଲି କହିଦେବ ଭୋକଟା । ତେବେ ଜଳ ଜଳ ଫୁଟି ଉଠେ ସେଗୁଡା , ଠିକ ଭୋକିଲା ମଣିଷର ମୁହଁରେ ଭୋକ ଆଙ୍କି ହୋଇଯିବା ପରି ।

ଅନେକ ଦିନ ଧରି ଫୁଲଗଛ ମାନଙ୍କର ଏ ଆକୁଳ ଚିତ୍କାର ଦେଖିବା ଏଣିକି ଯେମିତି ଅସହ୍ୟ ମନେ ହେଉଥିଲା ମୋ ପାଇଁ । ଦିନେ ଅପରାହ୍ନରେ ଘର ମାଲିକ ଜଣକ ଫୁଲ ଗଛରେ ପାଣି ଦେବା ସମୟରେ ମୁଁ କହି ବସିଲି ,

---“ଆଜ୍ଞା ଖାଲି ପାଣି ଦେଲେ କ’ଣ ହେବ । ମାଟି ମୁଠାଏ ମୁଠାଏ ଆଣି ଦିଅନ୍ତେନି, ମୂଳରେ । ଦେଖୁନାହାନ୍ତି କେମିତି ଶୁଖି ଝାଉଁଳିବାକୁ ବସିଲେଣି । ଆଗକୁ ପୁଣି ଖରାଦିନ ଆସୁଛି । ଏବେଠୁ ଯଦି ମାଟି ମୁଠାଏ ନଦେଲେ ଏ ଜୀବନ ଗିଳା ଖରାରେ ଜଳି ପୋଡି ପାଉଁଶ ହେବେ ସିନା । ଖାଲି ଦୁଇ ଓଳି ମୁନ୍ଦାଏ ମୁନ୍ଦାଏ ପାଣି ଦେଲେ କ’ଣ କର୍ମ ପୁରିବ”

ମୋ କଥାକୁ କାଟ ଦେଇ କହି ବସିଲେ ସିଏ ,“ କ’ଣ ଲାଭ ଆଜ୍ଞା । ଲଗେଇବା ଦିନଠୁ ତ କଢ କି ଫୁଲର ନା ନାହିଁ । ହଁ ହେଲେ ମାଟି ମୁଠାଏ ଦିଅନ୍ତେ ଯେ , କଉ ସମ୍ଭବ ହଉଛି । କଉଁଠି ସହଜରେ ମିଳୁଛି ଏ ମାଟି ମୁଠାଏ । ଯେଉଁ ଲୋକଟା କାମ କରିବାକୁ ଆସୁଥିଲା ତାର ତ ଦେଖାନାହିଁ । ବାକି ସେ ଝାଡୁ ଦେଉଥିବା ମୁନିସିପାଲିଟି ପିଲାଟାକୁ କହିଥିଲି ଯେ ସେ ଆଜି କାଲି କହି ମାସେ ଗଢେଇଲାଣି । ଏ ଆଖପାଖରେ କଉ ମାଟି ମୁଠାଏ ମିଳୁଛି ଯେ ଯାହାକୁ ମନ ତାକୁ କହିଲେ ଆଣି ଦେବେ । ଏ କଂକ୍ରିଟ୍ ଜଙ୍ଗଲ ଭିତରେ ମୁଠାଏ ମାଟି ପାଇଁ କୋଷ କୋଷ ବାଟ ଯିବାକୁ ପଡିବ । ତା ପୁଣି କାହାକୁ ସାଙ୍ଗରେ ନେଲେ ତ । ନହେଲେ ମୁଁ କ’ଣ ଆଉ ନିଜେ ଆଣି ପାରିବି । ଦେଖିଲା ଲୋକ କ’ଣ କହିବେ ?

ହେଲେ ହୁଅନ୍ତା , ଆଣନ୍ତି । ସେ ମାଟି ବି କଉ କାମକୁ । ଖାଲି ଭଣ ଭଣ କଂକ୍ରିଟ୍ ଗୁଣ୍ଡ ଆଉ ଭଙ୍ଗା ଇଟା । ତାକୁ କ’ଣ ଆଉ ଗଛ ମୂଳରେ ଦେଇ ହେବ କି । ସେ ବଗୁଲିଆ ମାଳୀ ଟୋକାଟା ଜୋର କରି ଏ ଗଛ ଗୁଡାକ ଦେଇ ଗଲା ଯେ , ଏ ଗଲା ମାସ କେଇଟା ହେଲା ତାର ବି ଦେଖା ନାହିଁ । ଗଣ୍ଡାଏ ମାଟି ତାଠୁ ହେଲେ କିଣି ଆଣନ୍ତା ମଣିଷ । ଏବେ କେଉଁ ଉପାୟ କୁହ । ହଉ ତେବେ ଦେଖିବା ”

ଆରୋପ ପ୍ରତ୍ୟାରୋପ , ଯୋଜନା ଆଉ ଗଣନା ଭିତରେ ଗଡି ଯାଇଥିଲା ପୁଣି ମାସ ଗୋଟାଏ । ଶେଷକୁ ମାଟି ମୁଠାଏକୁ ଝୁରି ଝୁରି ହୋଇ ହୋଇ ଫୁଲ ଗଛ ମାନେ ଆଖି ବୁଝିବାର ଦେଖାଗଲା । ଅଜ୍ଞାତ ହତ୍ୟାକାରୀ ତାର ଅଜ୍ଞାତ ହତ୍ୟାକୁ ଠଉରେଇ ପାରି ନଥିଲା ସେତେବେଳକୁ ବୋଧ ହୁଏ । ପୁଣି କ’ଣ ଗୁଡାଏ ଯୋଜନା କରୁଥିଲେ ସେମାନେ, ସେଇ ନିରୀହ ଫୁଲଗଛ ମାନଙ୍କୁ ନେଇ ।

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ , ଖୋର୍ଦ୍ଧା


ପ୍ରାକୃତିକ ଗଛ ମୁଠାଏ

Rate the content


Originality
Flow
Language
Cover design

Comments

Post

Some text some message..