Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Others

3  

Soumya Shubhadarshinee

Others

*ଦିଗବଳୟ ସେପାଖେ*

*ଦିଗବଳୟ ସେପାଖେ*

6 mins
7.2K


ଅବବୋଧର ର ଆୟୁଷ ଜୀବନକୁ ପୁରା ବୁଝିବା ପାଇଁ କମ ପଡ଼ିଯାଏ ନୁହେଁ !!

ବୁଝିବାକୁ ହେଲେ ଜିଇଁବାକୁ ହୁଏ ଜୀବନକୁ ପ୍ରାଣ ଭରି .........

ସ୍ନିଗ୍ଧ ସକାଳ ର ଧୂମାଭ ଅଳସୀ ନଦୀ। ହଁ ଏଇତ ନିଦ ଭାଙ୍ଗିଛି ଲାସ୍ୟମୟୀ ନଦୀର, ସୂର୍ଯ୍ୟ ଙ୍କର କୋମଳ କିରଣ ସ୍ପର୍ଶ ରେ ସୁନାର ଶାଢ଼ୀ ପରି ତା'ର ଅବୟବ। ଗଭା ରେ କାଶ ତଣ୍ଡୀର ସମ୍ଭାର । ହାତ ଠାରି ଡାକୁଛି କି ଆଉ !!!

ପ୍ରତ୍ୟୁଷର ନଦୀ ଅରୁଣକୁ ଭାରି ପସନ୍ଦ। ସେଇ ନଦୀ ତାକୁ କରେ ଅଜଵ ପାଗଳ। ନଦୀର ଦେହଟା ଲାଗେ ବିଲକୁଲ ସୋନାଲୀ ର ଦେହ ପରି ତରଙ୍ଗାୟିତ।ଇଛା ହୁଏ ଜଡେଇ ନେବାକୁ ବାହୁ ବେଷ୍ଟନୀ ରେ ସରାଗରେ।

ଆଉ ନଦୀଟା ବି ଯେମିତି କରେ ଆମନ୍ତ୍ରଣ ,ବିକଳ ହୁଏ କରିବାକୁ ତାକୁ ଆଲିଙ୍ଗନ।

ନଦୀ ର ଆଉ ଗୋଟେ କଥା ଭାରି ପସନ୍ଦ ଅରୁଣର , ହଁ ତା'ର ଚଳ ଚଞ୍ଚଳ ପଣ । ଇଚ୍ଛା ହୁଏ ଅରୁଣ ର ପଚାରନ୍ତା ତୋ ପାଦ ବଥା ହୁଏନି , କେମିତି? ସବୁବେଳେ ପ୍ରବାହ ରେ ତୁ !!!!

ସକାଳୁ ସେ ନଦୀ ଥାଏ ଏକାକିନୀ ତେଣୁ ଲାଗେ ଭାରି ନିଜର । ଦିନର ଉତକ୍ରାନ୍ତି ସହ ଧୀରେ ଧୀରେ ପର ହେଇଯାଏ , ବା କହିବା ସଭିଙ୍କର ହେଇଯାଏ। ଭିଡ଼ ଭିତରେ ଆଉ ଅରୁଣ ସହ ଏକାତ୍ମୀୟ ହୁଏନି ନଦୀ।ତେଣୁ ଅରୁଣ ପ୍ରତ୍ୟୁଷର ନଦୀ ପ୍ରେମ ରେ।

ଅରୁଣ ସୋନା କୁ କୁହେ ଗାଁ କଥା। ଗାଁ ର ସଜଳ ପରିବେଶ କଥା। ମିଠା ନଦୀ ପାଣି ଆଉ ଗେଲ୍ହା ମଣିଷ ର ସମ୍ପର୍କ କଥା । ଆଉ କୁହେ ନୀଳ କଇଁ ,ସୁଗନ୍ଧା ସୁଗନ୍ଧରାଜ ,ଚିତ୍ରା ପ୍ରଜାପତି, ଭୁତୁରୁ ଛେଳି ଛୁଆ ,ବୋଉଳା ଗାଈ ର ଗେଲ୍ହା ଚାନ୍ଦ କଥା । ସବୁ ମିଶି ଗାଁ ର ଛବି ଖୁଵ ବର୍ଣ୍ଣାଢ୍ୟ। ଗାଁ ରେ ମନ୍ଦିର ଗୋଟେ ଘର ପରି । ସେଠି ସଭିଏଁ ଏକାକାର ହେଇ ଗୋଟେ ବିରାଟ ପରିବାର ହେଇଯାଅନ୍ତି।

କିନ୍ତୁ ସହର ଭିନ୍ନ ଗୋଟେ ପୃଥିବୀ। ସେଠି ସୁଉଚ୍ଚ ଆପାର୍ଟମେଂଟ ଭିତରେ ଆକ୍ତା ମାକ୍ତା ଜୀବନ , କିନ୍ତୁ ଗାଁ ଉନ୍ମୁକ୍ତ । ସହର ରେ ସଭିଏଁ ଅନାଗତ ଭୟ ର ବେଷ୍ଟନୀ ଭିତରେ ବଡ଼ ବିକଳ। କିନ୍ତୁ ଗାଁ ରେ ଭୟ କୁ ମହାଦେବ ସମ୍ଭାଳି ନିଅନ୍ତି ବେଲପତ୍ର ଆଉ କ୍ଷୀର ଟିକେ ଚଢେଇ ଦେଲେ।

ସହର ପରି ରୁଦ୍ଧ ନୁହେଁ ଗାଁ, ନଦୀ ପରି ଚିରସ୍ରୋତା। ସେଠି ରାଜୁତି କରେ ପ୍ରଣୋଛଳ ଭାଵ ଆଉ ବେପରୁଆ ବଞ୍ଚିବାର କଳା!! ସୋନା ର ଖୁବ୍ ଜରୁରୀ ସେଇ ବଞ୍ଚିବାର କଳା ଶିଖିବା। ସହର ରେ ରହି ସେ ମୁକ୍ତ ଜୀଵନ ଟେ ପାଇ ପାରିନି।

ଅରୁଣ ସହରର ନିଜ ଛୋଟ ପୃଥିବୀରେ ଯେବେ

ଅଣ ନିଶ୍ଵାସୀ ହୁଏ ଧାଇଁ ଯାଏ ନଦୀ କୋଳକୁ ଶୋଷି ନେବାକୁ ସତେଜ ମିଠା ପାଣି। ଭରିନେବାକୁ ପ୍ରାଣରେ କିଛି ତାଜା ଅମ୍ଳଜାନ। ସାଉଁଟି ନିଏ ମଣିଷ ପରି ବଞ୍ଚିବାର ସବୁ ସରଞ୍ଜାମ। ଆଉ ଭାବେ ଅସନ୍ତାନି ସୋନା ଏଇ ସତେଜ ଜୀଵନ କୁ ଅନୁଭବ କରିବାକୁ । ତା ସହ ଆହୁରି ନିବିଡ଼ ହେବାକୁ।

ସୋନା ପ୍ରେୟସୀରୁ ସାଜିଛି ପତ୍ନୀ । ସମ୍ପର୍କର ସବୁ ରଙ୍ଗ ମାଖି ସାରିଛି ଅରୁଣ ଜୀବନରେ । ପ୍ରେମର ବୟସକୁ ଲମ୍ବା କରି ତାକୁ କରିଛି ଖୁବ୍ ସଫଳ। ସହରୀ ଝିଅ କିନ୍ତୁ ଆପଣେଇ ପାରିନି ତାର ଗାଁ କୁ । କେବଳ ଅରୁଣ ଅଛି ସୋନାର ସହରରେ ହୋଇ ନିଜ ପୃଥିବୀରୁ ପୃଥକ।

ସୋନା ଖୁବ୍ ସାବଲୀଳ ଭାବେ ଜଣେଇଥିଲା , ସେ ଯାଇ ପାରିବ ନାହିଁ କେବେ ଗାଁ କୁ । ସେଠି ମଣିଷ ଆଉ ମାଟି ଏକାକାର । ନିଜ କୁ ସେ ମାଟି ର ଭିଡ଼ ରେ ମାଟି କରି ପାରିବିନି। କେବେବି ଅରୁଣ ତା ଠାରୁ ଗାଁ ରେ ଜୀଵନ ବଂଚିବାର ପ୍ରଚେଷ୍ଟା କରିବାକୁ କହିବନି।

ସୋନା ମଣିଷ ଭାଵରେ ଖୁବ୍ ସୁନ୍ଦର। ବାପା ବୋଉ ଗାଁ ରୁ ଆସିଲେ ସମସ୍ତ ଦାୟିତ୍ୱ ନିଏ।ରୋଷେଇ ଠୁ ନେଇ ପାଦ ସେବା ଯାଏଁ ସବୁ କରେ , କିନ୍ତୁ ଗାଁ କଥା ଶୁଣିଲେ କେମିତି ଗୋଟେ ବିରକ୍ତ ହୁଏ।

ପ୍ରକୃତରେ ଭୟ କରେ ସେ ଗାଁ ର ପରିବେଶକୁ କାରଣ ସେଠି ମିଳେନି ଚାକଚକ୍ୟ ଅଭିନୟର ରଙ୍ଗମଞ୍ଚ। ଗାଁ ରେ କେହି ଆତ୍ମଗର୍ଵ ର ମୁଖା ପିନ୍ଧିକି ଦେଖାଏନି ବଡିମା । ସେଠି ମଣିଷ ନିଜ ରଙ୍ଗହୀନ ରୂପ ରେ ପରିପ୍ରକାଶିତ ହେଇପାରେ ନିର୍ଦ୍ୱନ୍ଦ୍ୱ ରେ।

କିନ୍ତୁ ସହରର ମଣିଷ ମୁଖାଟେ ପିନ୍ଧି ଥାଏ ସବୁବେଳେ। ପ୍ରକୃତ ରୂପଟା କେବେ ଅନାବୃତ ହୁଏନି। ସେଇଟାକୁ କୁହାଯାଏ ଆଭିଜାତ୍ୟ ।

ମୁହଁରେ ରଙ୍ଗ ନମାଖି ଅଭିନୟ ଆସେନି ସୋନାକୁ । ସେଇ ଅଭିନୟ ହେଲା ମାର୍ଜିତ ମଣିଷର ଅଭିନୟ ଗାଁ ଲୋକ ସବୁ ଅମାର୍ଜିତ , ଅସଭ୍ୟ , ବଣୁଆ । ସେଠି ତା ପରି ଗୋଟେ ସଭ୍ୟ ମଣିଷ କେମିତି ନିଜକୁ ଖାପ ଖୁଏଇବ ??

ଗାଁର ଲାସ୍ୟମୟୀ ନଦୀର ସ୍ୱରୁପ ସୋନା କୁ କେବଳ ବ୍ୟଥିତ କରେ । ନଦୀର ସୌନ୍ଦର୍ଯ୍ୟ ରେ ଆକର୍ଷିତ ହୁଏନି ସେ ବରଂ ତାକୁ ନେଇ ଭୟ କରେ...

" ନଦୀରେ ପୋଲ ନାହିଁ କି ସ୍ପୀଡ଼ ବୋଟ ନାହିଁ ଡ଼ଙ୍ଗା ରେ କେମିତି ଯିବ ସିଏ । ଡ଼ଙ୍ଗା ଟା ବହୁତ ରିସ୍କି। ଦୁର୍ଘଟଣା ହେଇପାରେ କେବେବି।.....

ଅରୁଣ ଆଶ୍ଚର୍ଯ୍ୟ ହୁଏ ଯୁଗ ଟେ ହେଲାଣି ନଦୀ ଉପରେ ଡ଼ଙ୍ଗା । ପ୍ରତିଦିନ ଲୋକ ଯାଉଛନ୍ତି , କେହି ଭାବେନି ଏମିତି ,ବରଂ ଡ଼ଙ୍ଗା , ଘାଟ, ନାଉରୀ କୁ ନେଇ ଗଢ଼ନ୍ତି ଗୋଟେ ମଧୁର ସମ୍ପର୍କ।ଏଇଟା ହିଁ ଗାଁ ମଣିଷ ର ଆତ୍ମୀୟତା।

ଗାଁ ର ପ୍ରତିଟି ସୌନ୍ଦର୍ଯ୍ୟରେ କଳଙ୍କ ଖୋଜି ନିଏ ସୋନା ଆଉ ଅରୁଣ ର ଏକାନ୍ତ ଅନୁରୋଧ କୁ ଏଡାଇ ଯାଏ ସହଜରେ । ଅରୁଣ କିନ୍ତୁ ଖୋଜେ ତା ଗାଁ ର ବାସ୍ନା ଆଉ ନଦୀର ଆକର୍ଷଣ । ସହର ର ପରିବେଶ ରେ ନଥାଏ ସେ ସମ୍ମୋହନ।

ବଲୀ ଆଈ ଚାଲିଯିବ , ଶେଷ ମୁହୂର୍ତ୍ତରେ ସେ। ଅରୁଣକୁ ପୃଥିବୀରେ ସବୁଠାରୁ ଅଧିକ ଭଲ ପାଉଥିବା ମଣିଷ। ତାର ଭାରି ଅବଶୋଷ ଅରୁ ର ବୋହୁ କୁ ଦେଖିଲାନି । ଏଇ ଅବଶୋଷ ନେଇ ମରିଲେ ଆତ୍ମା ମୋକ୍ଷ ହେବନି । ଏଇ ଇଛା ଟିକକ ପୂର୍ଣ୍ଣ କରିବାକୁ ଆଈ ର ଅଳୀ। ଅରୁଣ ଭାରି ବିକଳ ହେଲା ସୋନା ପାଖରେ। " ଗୋଟିଏ ଦିନ ପ୍ଲିଜ , ତୁମ ପାଇଁ ସବୁ ବନ୍ଦୋବସ୍ତ କରିବି । " ଏସି କାର ରେ ଯିବ । କେଵଳ ନଦୀ ପାର ହେବା ଟିକେ କଷ୍ଟ। ଡ୍ରେସ ପିନ୍ଧି ତୁମ ସୁବିଧାରେ ଯିବ । ଆଉ ଦେଖା କରି ଫେରିଆସିବ।

ସୁନ୍ଦର ଘର ଅଛି ସବୁ ସୁବିଧା ସୁଯୋଗ ବି । ବିଶ୍ୱାସ କର କିଛି ସମସ୍ୟା ନାହିଁ। ଆଈ ମୋ' ବହୁତ ଭଲପାଏ ମୋତେ । ତାର ଏଇ ହୁଏତ ଶେଷ ଇଛା , ପ୍ଲିଜ । ଆଉ କେବେ କହିବି ନାହିଁ।

ପ୍ରେମ କରୁଥିବା ମଣିଷର ହୃଦୟ ଥାଏ ଆଉ ହୃଦୟ ଯୁକ୍ତିର ଉର୍ଦ୍ଧ୍ବରେ। ସୋନା ଆସିଲା ଅରୁଣ ସହ। ସବୁ ସୁରକ୍ଷାର ପ୍ରତିଶ୍ରୁତି ପାଇ।

ନଦୀ କୁ ନିକଟରୁ ଦେଖିନି ସେ କେବେ । ଆଜି ଦେଖିଲା ପ୍ରଥମ ଥର ! ଆରେ ନଦୀ ତ' ସତରେ ସୁନ୍ଦରୀ ହଁ !! ନଦୀ ଘାଟରେ ଦାମ କକେଇ ଘାଟ ଜଗାଳୀ , ଅରୁଣକୁ ଶ୍ରଦ୍ଧାରେ କୁଣ୍ଢେଇ ପକେଇଲେ । ବସେଇ ଦେଲେ ପ୍ଲାଷ୍ଟିକ ଚେୟାରରେ ଆଉ ଦେଲେ ମିଠା ପଇଡ଼ ପାଣି । ଏତେ ମିଠା ପାଣି କେବେ ଚାଖିଛି ସୋନା !!! ମନେପଡ଼ିଲା ନି ତା'ର। ଯାତ୍ରାର କ୍ଲାନ୍ତି ହଜିଗଲା ମୁହୂର୍ତ୍ତରେ। ଡଙ୍ଗାବି ଖୁବ୍ ସୁଧାର ଅଚିରେ ପାର କରିଦେଲା ଭୟର ଅଭିସାର।

ସୋନା ପ୍ରଭାବିତ ହେଉଥିଲା ନଦୀର ମାୟା ଆଉ ମଣିଷ ର ସ୍ନେହ ରେ । ନାଉରୀବି ଘର ଲୋକଟେ ରାଜୁ ମଉସା। ନୂଆ ବୋହୁକୁ ଦେଲେ ଦୁଇଟା ଆମ୍ବ । ମୁହଁ ଚୁହାଁ ଭେଟି । ସୋନା ଆଶ୍ଚର୍ଯ୍ୟ ହେଉଥିଲା ଆମ୍ବ କି ଦିଏ କେହି ଉପହାର?

ଉପହାର କେବଳ ଶ୍ରଦ୍ଧା ତେଣୁ ଦେଖା ଯାଏନି ତା'ର ଦାମ କି ଗୁଣ !!! ସତେ ଏମିତି ଭାବନା କେବେ ଆସିନି , ଉପହାର କେବଳ ଦାମରୁ ହିଁ କଳିଆସିଛି ଆଜି ଯାଏଁ ସୋନା। ସେଥିରେ ନିଛକ ଶ୍ରଦ୍ଧା ଖୋଜିନି କେବେ!!!!

ନଦୀ ପାର ପରେ ପୁଣି ଥିଲା କାର ନେଇଯିବାକୁ ଘରକୁ । କିନ୍ତୁ ଆଉ ଏସି ଲୋଡ଼ା ନଥିଲା , ଥିଲା ସ୍ଵଛ ଶୀତଳ ପବନ । ଆଃ ! ସତେ ଏଠି ଅଛି ଅଧିକ ଅମ୍ଳଜାନ।

ଘରେ ପହଞ୍ଚି ସୋନା ଦେଖିଲା ତା' ଆଗମନର ଉଦ୍ଦେଶ୍ୟ ବଲୀ ଆଈ । ମୃତ୍ୟୁର ଖୁବ୍ ନିକଟରେ ଥିବା ମଣିଷ ତାକୁ ଦେଲେ ଆଶୀର୍ବାଦ ନିଜର ବାକି ଆୟୁଷ । ହାତରେ ସୁନା କଙ୍କଣ ହଳେ ପିନ୍ଧେଇ କହିଲେ " ଏ କଙ୍କଣ ଗଢି ଥିଲି ଯେବେ ନାତି ମୋ ଜନ୍ମ ହୋଇଥିଲା । କଙ୍କଣ ହଳକ ତୋ ହାତରେ ପିନ୍ଧେଇ ନଥିଲେ ଅବଶୋଶଟେ ରହି ଯାଇଥାନ୍ତା ସତରେ "।

ସୋନା ଅଭିଭୂତ ହେଉଥିଲା , ମଣିଷର ଶ୍ରଦ୍ଧାରେ । ବିଭୋର ହେଉଥିଲା ଆତ୍ମୀୟତାର ସ୍ପର୍ଶରେ। ସହର ପରି ମାପି ଚୁପି ସମ୍ପର୍କ ରଖୁଥିବା ମଣିଷ ନଥିଲେ ଏଠି। ମଣିଷ ସବୁ ସମ୍ପର୍କରେ ବଞ୍ଚୁଥିଲେ ନିମଗ୍ନ ହେଇ। ସହର ପରି ସମ୍ପର୍କ ବଞ୍ଚେଇବାର ଅଭିନୟ କରୁ ନଥିଲେ।

ଅରୁଣ କିନ୍ତୁ ଥିଲା ଟିକେ ସଂଶୟରେ । ସହରର ମଣିଷ କେତେବେଳେ ଯେ ଅଭିଯୋଗର ଫର୍ଦ୍ଦ ଖୋଲି ବସିବ ଜାଣେନି ସିଏ । ସେ ଥିଲା ସେଇ ଅଭିଯୋଗ ର ପ୍ରତିକ୍ଷା ରେ। କିନ୍ତୁ ଏଯାବତ ମିଳି ନଥିଲା ସେପରି ସଂକେତ।

ସନ୍ଧ୍ୟା ହେଇଗଲା ଅରୁଣ ଥିଲା ଛାତ ଉପରେ । ଅସ୍ତଗାମୀ ସୂର୍ଯ୍ୟ ଙ୍କୁ ଦେଖୁଥିଲା ଟିକେ ନିରିଖେଇ। ସୁଉଚ୍ଚ ଆପାର୍ଟମେଂଟରେ ଏଇ ଦୃଶ୍ୟବି ବିରଳ। ହଠାତ୍ ଆସିଲା ସୁଗନ୍ଧରାଜ ର ସୁଗନ୍ଧ । ଭାରି ନିଜର ଏ ବାସ୍ନା । ଏଇ ବାସ୍ନା ମିଳେନି ଆଉ କେଉଁଠି। ପୃଥିବୀର ଶେଷ ସୁଗନ୍ଧରାଜ ବୋଧେ ତାରି ଗାଁ ରେ । ଆଖି

ପହଁରେଇ ଦେଖିଲା, ସୋନା ଆସୁଛି ଆଉ ତା' କେଶରେ ସୁଗନ୍ଧରାଜ ର ଠିକଣା । ଅଜଵ ଆମୋଦରେ ଭରି ଗଲା ପ୍ରାଣ। ସୋନା କହିଲା ମୁଁ ତୁମ ସହ ସହମତ ଅରୁ

" ଗାଁ ରେ ଅଛି ଗୋଟେ ଉନ୍ମୁକ୍ତ ଉନ୍ମାଦନା କେବଳ ତା'ର ବଞ୍ଚିବା ବାକି ଅଛି ".........

*ସୌମ୍ୟା*


Rate this content
Log in