Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Others

3  

Soumya Shubhadarshinee

Others

ଜହ୍ନର ସାନ ଭଉଣୀ

ଜହ୍ନର ସାନ ଭଉଣୀ

7 mins
335


ଜହ୍ନ କ'ଣ ଏକଦମ ଏକଲା ନା' ତା'ର ଗୋଟେ ସାନ ଭଉଣୀ ଅଛି । ଯେ ରୁଷିଛି ଜହ୍ନ ସହ ଝଗଡା କରି ଆଉ ପଳେଇଛି ମାମୁଁ ଘର ଏକା ?

****************

ସ୍କୁଲ ଛୁଟି ହେବାର ସୁଖ କେବଳ ପିଲାଏ ବୁଝନ୍ତି । ବଡ଼ଲୋକମାନେ ଜମା ବୁଝିପାରନ୍ତି ନାହିଁ , ବରଂ ବିରକ୍ତ ହୁଅନ୍ତି , ରାଗନ୍ତି ଆଉ ଗାଳି ମନ୍ଦ ମଧ୍ୟ କରନ୍ତି । ପିଲାଏ ସ୍କୁଲ ଯିବା ଜରୁରୀ ୟାଙ୍କ ପାଇଁ , ନହେଲେ କୁଆଡେ ମୁଣ୍ଡ ଖରାପ କରିଦିଅନ୍ତି । ଘରଟାକୁ ଉଠାନ୍ତି

ପକାନ୍ତି , ଖେଳ ବାହାନାରେ ମରାମରି ହୁଅନ୍ତି , ଏଠିକି ସେଠିକି ବୁଲିଯିବାକୁ ଜିଦ କରନ୍ତି , ଅଯଥା ମାର୍କେଟ ଯାଇ ଆଡୁସାଡୁ ଖାଇ ଦେହ ବିଗାଡି ନିଅନ୍ତି , ଅଜା ଘର କି ଜେଜେ ଘର ଯିବାକୁ ଜିଦ

କରନ୍ତି । ଏସବୁ ଭିତରେ ବଡ଼ମାନେ ଧନ୍ଦି ହୁଅନ୍ତି ଖାଲି ବିକଳରେ । ସବୁଠାରୁ ବେଶି ହଇରାଣ ହୁଏ ମମି , ବିଚାରୀର ଟିଭି ଦେଖା ଉପରେ ପ୍ରବଳ ଆକ୍ରମଣ କରନ୍ତି ପିଲାଏ । ମମି ଏଇଟା ଦେ , ସେଇଟା ନେ , ଏମିତି ଖାନା ବନା , ସେମିତି ଡ୍ରେସ୍ ପିନ୍ଧା , ଇଆଡ଼େ ଚାଲ , ବିଗ ବଜାର ନେ , ରିଲାଏନ୍ସ ଚାଲ , ଗପ କହ , ଡ୍ୟାନ୍ସ କର , ପାର୍ଲର ଚାଲ , ମେହନ୍ଦୀ ଲଗା ଏମିତି ଅଗଣିତ ବେକାର କାମ ଜୋଡାହୁଏ ମମିର ସବୁଦିନିଆ କାମ ସହ ।

ଆଉ ମମି ଯଦି ଜବ୍ କରୁଛି ତେବେ ଆହୁରି ଦୁଃଖ । ଅଫିସର କର୍ମକ୍ଲାନ୍ତ ଦିନଚର୍ଯ୍ୟା ପରେ ସନ୍ଧ୍ୟାରେ ମଲ୍ , ମଲ୍ଟିପ୍ଲେକ୍ସ , ମ୍ୟାଗଡୋନାଲ୍ଡ , ଆଇସ୍କ୍ରିମ ପାର୍ଲର , ଗେମ ଜୋନ୍ , ଏମିତି ଅଗଣିତ କାର୍ଯ୍ୟକ୍ରମରେ ବିଚାରୀ ଧନ୍ଦି ହେବା ସାର ।

**************

ଶ୍ରେଷ୍ଠା ସକାଳ ଆଠରୁ ବାହାରିଥିଲା , ଆଜି ଗୋଟେ ଗାଁରେ ମିଟିଂ ଥିଲା ଏଇ ସ୍ୱୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକ୍ରମ

ପରିଦର୍ଶନ । ତା' ଚାକିରୀ ସେଇଥିପାଇଁ ବୋଉ ଜମା ପସନ୍ଦ କରିନଥିଲା । ଅନେକ ସମୟ ଏମିତି ବୁଲିବାକୁ ପଡେ । ସେ

ଆର୍. ସେ. ଟି ଟ୍ରେନିଂ କୋର୍ଡିନେଟର୍ ତେଣୁ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ ସହ ନିଜକୁ ସାମିଲ କରିବାକୁ ହୁଏ । ତେଣୁ ସେ ସବୁବେଳେ ବ୍ୟସ୍ତ ରହିବାକୁ ବାଧ୍ୟ । ଅନେକ ସମୟରେ ଅବଶ୍ୟ ଇଚ୍ଛା ହୁଏ ଏଇ ବୁଲାବୁଲି ଛାଡି ଘରେ ବସିବ । ଘଡ଼ିଏ ନିଜ ପାଇଁ ସମୟ କାଢ଼ିବ , ଟିକେ ଭଲରେ ବସି ଟିଭି ଦେଖିବ ବା ଫିଲ୍ମ ଯିବ । ପିଲାଙ୍କ ସହ ସମୟ ବିତେଇବ।

ତେଣୁ ଝିଅର ଛୁଟି ହେଲେ ସେ ତାକୁ ସାଥିରେ ଧରି ଚାଲିଆସେ । ଏକା ଏକା ରହୁଥିବା ମମି ଚାତକ ଭଳି ଅପେକ୍ଷା କରେ ଛୁଟିର । ଝିଅକୁ ଧରି ବୁଲିବାର ମଜା ଅଲଗା । ଝିଅ ଆଶିକା ଭାରି ଭଲ ପାଏ ଏଇ ହସ୍ତଶିଳ୍ପ । ତାକୁ ଶିଖିବାକୁ ଇଚ୍ଛା ଝୋଟ ତିଆରି ବ୍ୟାଗ , ଦୋଳି , ଚିନାମାଟି କଣ୍ଢେଇ , ଟେରାକୋଟା ଡେକୋରେସନ୍ , ଉଲ ବୁଣା ଘର ସଜା ଜିନିଷ , ଚାନ୍ଦୁଆ ଏମିତି ସବୁ । ମମି ସହ ବୁଲି ଏଗୁଡିକର ପ୍ରସ୍ତୁତି ଦେଖି ଭାରି ଖୁସି ହୁଏ । ଆଉ ଭିଜିଟ ସମୟରେ ଭୋଜି ଭାତର ବନ୍ଦୋବସ୍ତ ମଧ୍ୟ ବଢିଆ ଲାଗେ । ଝିଅ ଯାଉଥିବା ସ୍ଥାନର ସ୍ଥାନୀୟ ଗାଁକୁ ମଧ୍ୟ ଯାଏ ବୁଲିବାକୁ । କେଉଁଠି ଥାଏ ଗୋଟେ ପୁରୁଣା ମନ୍ଦିର ତ କେଉଁଠି ଗୋଟେ ସୁନ୍ଦର ଆମ୍ବ ତୋଟା , ପୁଣି ଗୋଟେ ଗୋଟେ ଗାଁରେ ଥାନ୍ତି ପାଲା ଗାୟକ ବା ନାଟୁଆ ପାର୍ଟି । ଝିଅକୁ ସେଇସବୁ ଦେଖିବାରେ ବଡ଼ ଆଗ୍ରହ । ସହରରେ ଏସବୁ ଦୁର୍ମୂଲ୍ୟ , ସେଠି କେବଳ ଯାନ୍ତ୍ରିକ ଜୀବନ ।

ତେଣୁ ଛୁଟି ସମୟରେ କେବଳ ଗୋଟିଏ ମମି ସୁଖୀ ହୁଏ , ସେ ହେଲା ଶ୍ରେଷ୍ଠା । ନିଜ ପିଲାଟି ସହ କିଛି ବିଶେଷ ମୁହୂର୍ତ୍ତ କଟେଇବାର ସୁଯୋଗ ପାଇ କୋଟିନିଧି ମିଳିଯାଏ ତାକୁ ।

ଅନୁପମ କିନ୍ତୁ ଏଇ ସମୟରେ ଏକା ହେଇଯାନ୍ତି । ମମି ପାଖକୁ ଆଶିକା ଚାଲିଗଲେ ଘର ଖାଁ ଖାଁ ଲାଗେ । ଝିଅର ଚୁଲୁବୁଲିଆ କଥା , ଖିଲ ଖିଲ ହସ , ପାପା ପାଖରେ ଅଳି ଅର୍ଦଳୀ , ଗେଲ୍ହା , ରାଗ ରୁଷା , ସବୁ ମନେପଡ଼େ ବହୁତ । ସଖୀ ମାଉସୀ ଝିଅକୁ ବେଶି ଖୋଜେ । ଘରେ ବାବୁଙ୍କ ପାଇଁ ଖାଲି ରୋଷେଇ କଲା ବେଳକୁ ମାଉସୀର ମନ ଦୁଃଖ ହୁଏ । ଛୁଆଟା କେବେ ଫେରିବ ଭାବି ଭାବି ଡାଲିରେ ବେଶି ଲୁଣ ପକେଇ ଦେଇଥାଏ । ନହେଲେ କେବେ ଭାତ ଯାଉ ହେଇଯାଏ ତା'ର । ଅନୁପମ ପଚାରିଲେ ମାଉସୀ କୁହେ ,  ବାବୁ ଆଶୁଟା ଭାରି ମନେ ପଡୁଛି , ସେଥିପାଇଁ ଭୁଲ ଭଟକା ।

ଅନୁପମ ଚୁପ ହେଇଯାନ୍ତି । ତାଙ୍କ ଆଖି ମଧ୍ୟ ଓଦା ହେଇଯାଏ ଅଜାଣତରେ । ଛୁଟି ହେଲେ ସେ ଦୁଃଖ ପାଆନ୍ତି ଏମିତି । ଯେତେ ବୁଝେଇଲେ ମଧ୍ୟ ଆଶିକା ରୁହେନି ଏଠି । ଚାଲିଯାଏ ମମି ପାଖକୁ । ବଡ଼ ବାଗରେ ବୁଝେଇ ଦିଏ ,  ପାପା ତୁମେ ତୁମ ଅଫିସ କାମ ମନ ଦେଇ କରିବ । ମୋ ପାଇଁ ବ୍ୟସ୍ତ ହେବନି । ମୁଁ ମମିକୁ ଟିକେ ହଇରାଣ କରିକି ପଳେଇ ଆସିବି । ତୁମକୁ ତ ସବୁବେଳେ କରୁଛି , ଏବେ ଟିକେ ମମି । ଲଭ୍ୟୁ ।

ଅନୁପମ ରାଗିଗଲେ କୁହନ୍ତି ,  ବହୁତ ହଁ ବହୁତ ହଇରାଣ କରୁଛୁ ତୁ ମୋତେ , ଯା ତୋ ମମି ପାଖକୁ । କିନ୍ତୁ ଯେବେ ସତରେ ଯାଏ ଝିଅ ମନ ବହୁତ ଉଦାସ ରୁହେ ପାପାଙ୍କର ।

**************

ସ୍କୁଲ ଖୋଲା ଥିଲେ ,ସକାଳୁ ଝିଅକୁ ସ୍କୁଲ ପଠେଇବାକୁ ଭାରି କଷ୍ଟ କରିବାକୁ ହୁଏ ଅନୁପମଙ୍କୁ । ଜମା ଉଠେନି ଝିଅ ନିଦ

ଭାଙ୍ଗି । କିନ୍ତୁ ଯେବେ ବାହାରିଯାଏ ମମି ପାଖକୁ ବହୁତ ଖୋଜନ୍ତି ପାପା ସେଇ ଅଳସୀ ଝିଅକୁ । ଆଉ ତା'ର ଛୋଟ ବଡ଼ ହଜାରେ ବଦମାସିକୁ । ଅଫିସ କାମରେ ଜମା ମନ ଲାଗେନି । କିଛି କରିବାକୁ ଇଚ୍ଛା ହୁଏନି । ଆଉ ଛୁଟି ନିଅନ୍ତି ପାପା , ଝିଅକୁ ଦେଖିବାକୁ । ତେଣୁ ଛୁଟି ସମୟ ଶ୍ରେଷ୍ଠା ପାଇଁ ଅପୂର୍ବ ସୁଯୋଗ ଆଣେ । ପରିପୂର୍ଣ୍ଣ ଘରଟିକୁ ଜୀଇଁବାର ସୁଯୋଗ । ଅନୁପମଙ୍କ ଉପସ୍ଥିତି ଅନୁଭବ କରିବାର ସୁଯୋଗ ।

ଘରଟା ଘର ଭଳି ଅନୁଭବ ହୁଏ ଏଇ ସମୟରେ । ଶ୍ରେଷ୍ଠା ବାଛି ବାଛି ସୁନ୍ଦର ଶାଢ଼ୀ ପିନ୍ଧେ , ରୋଷେଇଘରୁ ନୂଆ ନୂଆ ସ୍ୱାଦିଷ୍ଟ ରାନ୍ଧଣାର ବାସ୍ନା ଆସେ , ମନ୍ଦିର ବାହାରେ ଦୀପ ଜାଳେ , ଶୀଘ୍ର କାମ ସାରି ଘରକୁ ଫେରିବାର ଇଚ୍ଛା ହୁଏ । ଆଉ ମନ ଅନୁପମଙ୍କ ସହ ଟିକେ ବୁଲି ଆସିବାକୁ ଜିଦ କରେ ।

*************

ଅନୁପମଙ୍କୁ ଯେତେ କହିଲେ ମଧ୍ୟ ସେ ଆସନ୍ତି ନାହିଁ । ଯାଏ ସବୁବେଳେ ଶ୍ରେଷ୍ଠା , କିନ୍ତୁ ଝିଅର ଛୁଟି ଏକମାତ୍ର ସମୟ ଯେବେ ଆସନ୍ତି ଅନୁପମ । ଶ୍ରେଷ୍ଠା ସବୁବେଳେ ଭାବେ , କାହାପାଇଁ ଆସନ୍ତି , କେବଳ ଝିଅ ପାଇଁ ନା' !..

ଜୀବନ ଜୀବିକା ଭିତରେ ଧନ୍ଦି ହେଇଯାଉଥିବା ମଣିଷ ପାଖରେ ଅବଶ୍ୟ ଏମିତି ପ୍ରଶ୍ନ ଅମୂଳକ । କିଏ କହିଛି ଚାକିରୀ କରିବାକୁ , ଅନୁପମ କେବେ ନୁହଁନ୍ତି । ଏ ସିଦ୍ଧାନ୍ତ କେବଳ ଆଉ କେବଳ

ଶ୍ରେଷ୍ଠାର । ସେ ବାବାଙ୍କର ସ୍ୱପ୍ନକୁ ବାସ୍ତବ ରୂପ

ଦେବାପାଇଁ , ନିଜର ଆତ୍ମବିଶ୍ବାସ ବଢ଼େଇବା ପାଇଁ ଆଉ ସବୁଠୁ ଅଧିକ ନିଜ ସ୍ୱାଧୀନତା ପାଇଁ ବାଚିଛି ଏଇ ଜୀବନ । ଏଥିରେ ଅନୁପମ କୌଣସି ଭୂମିକାରେ ନା' ଅଛନ୍ତି ନା' ଥିଲେ ନା' ରହିବେ । ସେ ବେଶ ମୁକ୍ତ ନିଜ ଆବର୍ତ୍ତମାନରେ । ତେଣୁ ଆସିବେ ବା ନଆସିବେ ସେତକ ତାଙ୍କର ଇଚ୍ଛା । ଶ୍ରେଷ୍ଠା ଅଭିଯୋଗ କରିବାର ନୁହେଁ ନା' କେବେ

ନୁହେଁ ।

ଶ୍ରେଷ୍ଠା ବୁଝିବା ଉଚିତ ପ୍ରେମର ନଥାଏ ଗୋଟେ ଅତୀତ , ନଥାଏ କିଛି ଭବିଷ୍ୟତ । ଥାଏ କେବଳ ବର୍ତ୍ତମାନ । ସେଇ ବର୍ତ୍ତମାନ ଯେଉଁଠି ଏକାନ୍ତ ମୁହୂର୍ତ୍ତରେ ଏକାକାର ହେବାର ଅନୁଭବ ମିଳେ । ସେଇ ଅନୁଭବ କେବେ ଦୋହରେଇ ହୁଏନି , କେବେ ନୁହେଁ । ତେଣୁ ଯେଉଁ ମୁହୂର୍ତ୍ତରେ ଅଛନ୍ତି ଅନୁପମ ସେଇତକ ଜୀଇଁବାରେ ରହିଛି

ସୁଖ । ଏମିତି ନିଜକୁ ବୁଝେଇ ନିଏ ଶ୍ରେଷ୍ଠା ।କିନ୍ତୁ ତଥାପି ବେଳେବେଳେ ଅବୁଝା ହୁଏ ପ୍ରେମିକା , ଯେଉଁଟା ଶୋଇଛି ତା' ଭିତରେ ଶିକୁଳିରେ ବନ୍ଧା ହେଇ ।

*****************

ତୁମେ ଆସିବାକୁ ବାଧ୍ୟ ଶ୍ରେଷ୍ଠା , ମୁଁ ଆଉ ଅପେକ୍ଷା କରିବାକୁ ଚାହୁଁନି । ମୋ ପରିବାର ତୁମକୁ କେବେବି ଗ୍ରହଣ କରିବେ ନାହିଁ । ଏତକ ବୁଝା ପଡ଼ିଗଲାଣି ମୋତେ ।

ଏମିତିହିଁ ଥିଲେ ଅନୁପମ , ଖୁବ୍ ପ୍ରଗଳ୍ଭ ପ୍ରେମିକ । ଶ୍ରେଷ୍ଠା ପାଇଁ ଛାଡିଦେଲେ ଘର , ପରିବାର , ନିଜ ମଣିଷ ସବୁକିଛି । ବାହାରି ଆସିଲେ ବ୍ୟବସ୍ଥିତ ପୃଥିବୀରୁ । ନିଜ ସୁନ୍ଦର , ସୁସଙ୍ଗଠିତ ବ୍ୟବସାୟ ଛାଡି , ପରିଚିତ ସହର ଛାଡି , ସମୃଦ୍ଧ ଅତୀତ ଛାଡି ଆସିଗଲେ କେବଳ ଆଉ କେବଳ ଶ୍ରେଷ୍ଠା ପାଇଁ ।

ଶ୍ରେଷ୍ଠାର ପରିବାରର ଅନୁମତି ନେବାକୁ , ନିଜକୁ ପ୍ରତିପାଦିତ କରିବାକୁ , ପୁଣି ଥରେ ସ୍ୱାବଲମ୍ବୀ ହେବାକୁ ଟିକିଏ ମଧ୍ୟ ବ୍ୟତିବ୍ୟସ୍ତ ହେଇନଥିଲେ । ଗୋଟେ ବର୍ଷ ଭିତରେ ପୁଣି ଆରମ୍ଭ ହେଲା ନିଜ ବିଜନେସ୍ , ବ୍ୟାଙ୍କ ଲୋନ ଆଉ ନିଜର ଆତ୍ମବିଶ୍ବାସକୁ ପାଥେୟ କରି । ବାପା ସତରେ ଅଭିଭୂତ ହେଇଥିଲେ ଏମିତି ନିଜକୁ ନିଜେ ଗଢିଥିବା ମଣିଷକୁ ଦେଖି । ଆଉ ଶ୍ରେଷ୍ଠା ଆସିଥିଲା ତାଙ୍କ ଜୀବନକୁ ସୁଖ ସମ୍ଭାବନା ନେଇ ।

କିନ୍ତୁ ସେଇ ଅନୁପମ ଆଜି ଦୂରରେ । ବହୁତ ଦୂରରେ କାରଣ ଶ୍ରେଷ୍ଠା ଏଇ ଦୂରତା ମାଗିଛି । ସେ ଆସିପାରୁନି ଅନୁପମଙ୍କ ସହରକୁ ବଦଳି ହେଇ । ସଂଯୋଗ ଜୁଟୁନି ସୁବିଧା ହେଉନି । ପାଞ୍ଚ ବର୍ଷ ହେଇଗଲା ଏଇ ଦୂରତା ।

ଏକାକୀ ନିଜ ସହ ସଂଘର୍ଷରେ , ହାରି ନଯିବାର ଜିଦରେ , ଉଭୟ ଚାଲିଛନ୍ତି । ଆତ୍ମୀୟତାର ପରଶ ଅଛି କିନ୍ତୁ କୁହୁଡି ଭିତରେ ଟିକେ ଝାପ୍ସା , ଟିକେ ଧୂଆଁଳିଆ ।

*****************

ମମି ଆଉ ପାପାଙ୍କ ମଝିରେ ଝିଅ ଆଶି ଶୋଇଛି ଭାରି ଖୁସିରେ । ଅନେକ ଦିନ ପରେ ମିଳିଛି ସୁଯୋଗ । ଝିଅ ଜିଦ କରୁଛି , ପାପା ଆଉ ମମି ମିଶିକି ଗୋଟେ ଗପ କୁହ ,ପ୍ଲିଜ । ଗୋଟେ ପରୀ କାହାଣୀ । ବିଲକୁଲ ନୂଆ କାହାଣୀ , ହ୍ୟାରୀ ପୋର୍ଟର ଭଳି ।

ଦେଖୁଛନ୍ତି ଅନୁପମ , ଶ୍ରେଷ୍ଠାକୁ ନିରିଖେଇ ଆଉ ଭାବୁଛନ୍ତି ଭିନ୍ନ କିଛି । ଝିଅ ଶୋଉନି ଜମା । ରାତି ବଢୁଛି ହୁ ହୁ ହେଇ ନିଜ ଅନ୍ଧକାରର କାୟା ବିସ୍ତାର କରି । ଶ୍ରେଷ୍ଠାର ଆଖିରେ ଆଖିଏ ନିଦ । ସେ ସକାଳ ୪ଟା ରୁ ଉଠିଥିଲା ଆଜି । ଝିଅ କିନ୍ତୁ ନଛୋଡବନ୍ଧା ,  ପାପା ମମି ଗପ କୁହ ।

ଗଳା ଝାଡି ପାପା କହୁଛନ୍ତି ,  ଜାଣୁ , ଜହ୍ନ କ'ଣ ଏକଦମ ଏକଲା

କି ? ନା' ନା' ତା'ର ଗୋଟେ ସାନ ଭଉଣୀ ଅଛି । ଯେ ରୁଷିଛି ଜହ୍ନ ସହ ଝଗଡା କରି ଆଉ ପଳେଇଛି ମାମୁଁ ଘର । ଆଉ ତା' ଝଗଡା କାହିଁକି ହେଲା ମମି କହିବ ।

ମମି ଟିକେ ନିଦୁଆ ଆଖିରେ କହୁଛି ,

 ଧେତ୍ ଜହ୍ନର ସାନ ଭଉଣୀ ପା' ରାଗିଛି ସେ କ'ଣ କହୁଛି କିଛି । କହିଲେ ସିନା ମୁଁ ତୋତେ କୁହନ୍ତି । ତୁ ଶୋଇଯା କାଲି ପଚାରିବା ସାଥି ହେଇ ଛାତ ଉପରେ ବସି ଜହ୍ନକୁ । ସେ ନିଶ୍ଚୟ କହିବ । ସେ ତ

ରୁଷିନି ନା ! ହେଲେ ତୁ ନଶୋଇଲେ ସେ ରାଗିବ ଆଉ କହିବ ନାହିଁ ଜମା !

ଝିଅ ହସୁଛି ଖିଲ ଖିଲ ଆଉ କହୁଛି ,

 ମମି ଠକ , ମମି ଠକ, ମମି ଠକ !

ଶ୍ରେଷ୍ଠା ଶୋଇଯିବାର ଉପକ୍ରମ କରୁଛି , ଝିଅକୁ କୋଳେଇ ନେଇ । ବେଶ ଉଷ୍ମତା ଭିତରେ ଜଡେଇ ନେଇ । ଆଉ ଭାବୁଛି ଶୀଘ୍ର ଶୋଇବା ଜରୁରୀ । ଅର୍ଦ୍ଧ ରାତ୍ରିରେ ଜହ୍ନର ସାନ ଭଉଣୀ ଆସିବାର ଅଛି । ତାକୁ ରୁଷେଇ ରଖିହେବ ନାହିଁ ବୁଝେଇ ନେବାକୁ ହେବ , ଜୀବନ ସଂଘର୍ଷ କଥା । ନହେଲେ କାଲି ପାଇଁ ଗପ ମାଡିବ ନାହିଁ ।

ସୌମ୍ୟା ଶୁଭଦର୍ଶିନୀ


Rate this content
Log in