Satyabrata Ojha

Inspirational Others


3  

Satyabrata Ojha

Inspirational Others


ସକାଳର ଅପେକ୍ଷାରେ

ସକାଳର ଅପେକ୍ଷାରେ

5 mins 5.9K 5 mins 5.9K

ନୂଆ ଏକ ସକାଳର ସ୍ଵପ୍ନ ଆଖିରେ ଭରି ବାପା ,ବୋଉ ଓ ମୁଁ ଗାଁରୁ ସହରକୁ ଆସିଲୁ। ମୋତେ ସେତେବେଳେ ୭ ବର୍ଷ। ସହର ଶବ୍ଦଟା କେମିତି ରୋମାଂଚିତ କରୁଥିଲା ମୋ ବାଳୁତ ମନଟାକୁ। ମୁଁ ଶୁଣିଥିଲି ସହରରେ ଜୀବନ ହୁଏ ସହଜ, ଆନନ୍ଦମୟ ଓ ଆଲୋକିତ। କିନ୍ତୁ ସହରକୁ ଆସିଲା ପରେ ଅନୁଭବ କରିଥିଲି ମୋ ସ୍ୱପ୍ନର ବାସ୍ତବତାଟା କେଡେ ଅସୁନ୍ଦର, ଆଉ ଦେଖିଥିଲି ସହରର ଅନ୍ଧକାର ଦିଗଟିକୁ। ଆମେ ରହିଲୁ ଏକ ବସ୍ତିରେ। ମୁଣ୍ଡ ଉପରେ ପଲିଥିନ ଛାତ, ପାଦ ତଳେ କର୍ଦ୍ଦମ ଚଟାଣ, ଘର କଡ଼ରେ ବର୍ଯ୍ୟବସ୍ତୁର ପାହାଡ ଓ ମଇଳା ପାଣିର ଚିରସ୍ରୋତା ସ୍ରୋତଟିଏ। ମିଳେଇଗଲା ମୋ ଛୋଟ ଆଖିରେ ଥିବା ବଡ ବଡ ଖୁସିର ସ୍ଵପ୍ନ। ବେଶ କିଛି କାଳ ମୁଁ ଝୁରିଲି ଗାଁ କୁ, ସତ କହିବାକୁ ଗଲେ ଆଜି ପର୍ଯ୍ୟନ୍ତ ବି ଝୁରୁଛି। ସହରକୁ ଆସିବାର ଅଳ୍ପ ଦିନ ପରେ ବାପାଙ୍କୁ ହେଲା ପ୍ରାଣନାଶକ କ୍ୟାନସର। ସ୍ଵାମୀ ମୁହଁରେ ଔଷଧ ପୁଅ ପେଟରେ ଦାନା ଦେବାକୁ ପୁଣି ଗୋଟେ ସ୍ତ୍ରୀ ନାଁ ଲେଖେଇଲା ସହରର ନିଷିଦ୍ଧାଞ୍ଚଳରେ। ଦିନେ ସଂଧ୍ୟାରେ ବାପା, ବୋଉ ଓ ମୁଁ ଘରକୁ ଫେରିବା ପାଇଁ ହସ୍ପିଟାଲ ଆଗରେ ଅପେକ୍ଷା କରିଥିଲୁ ବସ୍ କୁ। ବାପା ଡେଇଁ ପଡିଲେ ଚଳନ୍ତା ବସ୍ ଆଗକୁ। ବୋଉ ଗାଁ ଛାଡ଼ି ତାର ସବୁ ହରାଇଲା। ସେହିଦିନ ରାତିରେ ମୁଁ ଶପଥ ନେଲି ସଫଳ ହେବି। ଆଜି ମୋ ପାଖେ ଅର୍ଥାଭାବ ନାହିଁ, ହେଲେ ସେଦିନ ରାତି ଆଜି ବି ମୋ ଜୀବନରେ ପାହିନି। ଆଜି ଯେବେ ଦେଖେ ପିଲାଟିଏ ଅଳିଆ ଗଦାରୁ ନିଜ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିବାର କି ଭିକ ମାଗିବାର, ମୋର ସେହି ରାତି କଥା ମନେପଡେ। କେବଳ ସେହି ରାତିକୁ ଭୁଲିବା ପାଇଁ ମୋର ଏ ପ୍ରୟାସ ମାତ୍ର। ତୁମେ ଆଜି ସିନା ମତେ ବିରୋଧ କରୁଛ ରଶ୍ମି, ଦେଖିବ ଦିନେ ଏହି ଆଶିଷ ହିଁ ମତେ ସେହି ରାତିରୁ ମୁକୁଳାଇ ଆଣି ଦେବ ଏକ ନୂତନ ସୂର୍ଯ୍ୟୋଦୟ।

ମୁଁ ତୁମର ସ୍ତ୍ରୀ, ମୁଁ ତୁମକୁ ବିରୋଧ କରୁନି, କେବଳ ତୁମକୁ ସତର ଚେହେରା ଦେଖାଇବାକୁ ଚେଷ୍ଟା କରୁଛି ମାତ୍ର। ୟା ଆଗରୁ ତମେ ୨ ଜଣ ପିଲାଙ୍କୁ ସାହାଯ୍ୟ କଲ, କଣ ହେଲା? ଜଣେ ସ୍କୁଲରେ ସାରଙ୍କୁ ଛୁରୀ ଦେଖାଇଲା ଆଉ ଜଣେ, ତମେ ହିଁ ତାକୁ ଅପହରଣ କରିଆଣିଛ ବୋଲି ତା ଘର ଲୋକଙ୍କ କଥାରେ ପଡି ତମ ଉପରେ ମିଛ ଆରୋପ ଲଗାଇଲା। ଦୁଇଟି ଯାକ ଘଟଣା ରେ ପୁଲିସ ତୁମକୁ କମ୍ ହଇରାଣ କରିନି।

"ଆଶିଷ ସେମିତି ପିଲା ନୁହେଁ ।ତାକୁ ଯେତେବେଳେ ଆମ ଅଫିସରେ କାମରେ ଲଗାଇଲି , ସେ ଥପ ଥପ କରି ଆଖିରୁ ଲୁହ ଝରାଇଦେଲା। ତା ଆଖି ଯୋଡିକ ଯେମିତି କହୁଥିଲା ସାର ଆପଣ ମୋତେ କାମ ଦେଲେ ନାହିଁ ତ ମୋ ରୋଗିଣା ବୋଉ ମୁହଁରେ ପଥି ଦେଇଦେଲେ।"

ରଶ୍ମି, ମଳୟର କୌଣସି କଥା ନା ଶୁଣିବା ପରିସ୍ଥିତିରେ ଥିଲା ନା ମଲୟକୁ ବୁଝିବା ପରିସ୍ଥିତିରେ।

ମଳୟ ଭାବୁଥିଲା ଯଦି ତାକୁ ସେଦିନ ମନ୍ଦିର ସମ୍ମୁଖରେ ବସି ଫୁଲ ବିକିବା ସମୟରେ ସେ ଦେବତୁଲ୍ୟ ବ୍ୟକ୍ତି ଜଣକ ସାହାଯ୍ୟର ହାତ ନ ବଢ଼ାଇ ଥାନ୍ତେ ତେବେ ମଳୟ ଆଜି ମଳୟ ନୁହେଁ ବରଂ ପ୍ରଭଞ୍ଜନ ପାଲଟି ପ୍ରଳୟ ସୃଷ୍ଟି କରୁଥାନ୍ତା। ବାପାଙ୍କର ମୃତ୍ୟୁର କାରଣ କ୍ୟାନସରର ଯନ୍ତ୍ରଣା ନଥିଲା, ଥିଲା ବୋଉ ନିଜ ଦେହବିକି ତାଙ୍କ ପାଇଁ ଔଷଧ କିଣିବା। ବାପା ଚାଲିଗଲା ପରେ ବୋଉ ପରଘରେ ବାସୀ ପାଇଟି କଲା, ସେ ନିଜେ ପଢ଼ିଲା ପାଖ ସ୍କୁଲରେ। ଛୁଟିଦିନ ଓ ଅବସର ସମୟରେ ସେ ମନ୍ଦିର ସାମ୍ନାରେ ବସି ଫୁଲ ବିକେ ତ କେବେ ଖବରକାଗଜ।

ଆଶିଷ ଅଫିସ ରେ କାମ କରିବାର ୨୦ ଦିନ ପରର ଘଟଣା, ସାହୁବାବୁ ଅଭିଯୋଗ କଲେ, ତାଙ୍କ ଟେବୁଲ ଡ୍ରାୟରରୁ ପଚାଶ ହଜାର ଟଙ୍କା ଚୋରି ହୋଇଛି। ତାଙ୍କ କହିବା ଅନୁସାରେ ସେ କାଲି ଏମ.ଡି.ଙ୍କ ଚାମ୍ବରକୁ ଯାଇ ଫେରୁଥିବା ସମୟରେ ଦେଖିଲେ ଆଶିଷ ତାଙ୍କ କ୍ୟାବିନରୁ ବାହାରି ଯାଉଥିଲା। ସେ ହିଁ ପଇସା ନେଇଛି। ମଳୟ କିନ୍ତୁ ଏ କଥାକୁ ଆଦୌ ଗ୍ରହଣ କରିପାରିଲା ନାହିଁ। ସେ ଆଶିଷ ସପକ୍ଷରେ ଯୁକ୍ତି ବାଢ଼ିଲା। ପୋଲିସ ଆସିଲା, ଆଶିଷ କୁ ଦେଖି ଆଶ୍ଚର୍ଯ୍ୟ ହେଲା ଓ ପଚାରିଲା, "ଏ ପିଲା ଏଠି କେମିତି?"

"ଆପଣ ୟା'କୁ ଜାଣନ୍ତି!" ସାହୁବାବୁ ଆଶ୍ଚର୍ଯ୍ୟରେ ଅନାଇଲେ ପୋଲିସ କୁ।

" ହଁ ଏଇଟା ଚୋରଟା। ଇଏ ଏଠିକି କେମିତି ଆସିଲା?"

ମଲୟଙ୍କ ସିଫାରିସରେ ତାକୁ ରଖାଯାଇଥିଲା ବୋଲି ଏମ.ଡି. କହିଲେ।

ମଲୟକୁ ଦେଖୁ ଦେଖୁ, " ଆରେ ଏ ପିଲାଟି ବୋଧେ ଆପଣଙ୍କ ମିସେସଙ୍କ ପର୍ସ ନେଇ ପଳାଉଥିଲା? ଆପଣ ପୁଣି ଆକୁ ଆଣି ଅଫିସ ରେ କେମିତି ରଖିଲେ?" ଇନ୍ସପେକ୍ଟର ପଚାରିଲେ।

ସେ ଚୋରି କରିନି ବୋଲି ଦୃଢତାର ସହ କହିଲା ମଳୟ।

ପୋଲିସ ଆଶିଷ କୁ ଧରି ସେଠୁ ପଳାଇଲା। ଆଶିଷ ଚୋର ବୋଲି ଯାଣିବି ତାକୁ ଅଫିସରେ କାମରେ ରଖିଥିବାରୁ ଅଫିସ୍ ର ଷ୍ଟାଫ ମଳୟକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ।

ଥାନାରେ ନିଜକୁ ବାରମ୍ବାର ନିର୍ଦ୍ଦୋଷ ବୋଲି କହିଲା ଆଶିଷ। ଆଶିଷକୁ ଥାନାରୁ ନିଜ ଜମାନତରେ ଆଣିଲା ମଳୟ। ତା ପରଦିନ ତା ଘର ପାଖକୁ ଗଲା। ସେହି ପନଦୋକାନୀ ପାଖରେ କାର ରଖି ପାନ ଦୋକାନୀକୁ ଆଶିଷ ଘର ରାସ୍ତା ପଚାରିଲା।

"କ'ଣ ବାବୁ, କିଛି କଲାକି? ମୁଁ କହିଥିଲି ନା ପିଲାଟା ଦୁଷ୍ଟ ବୋଲି।" ପାନ ଦୋକାନୀ କହିଲା।

"ସେ ସବୁ କଥା ଛାଡ, କୁହ ପିଲାଟା କୋଉଠି ମିଳିବ?" ମଳୟ ପଚାରିଲା।

"ସେ ପୋଖରୀ ପାଖେ ଯେଉଁ କଦମ୍ବ ଗଛଟା ଦେଖୁଛନ୍ତି, ତା'ରି ମୂଳରେ ବସି ସେ ଆଉ ତାର ଦୁଇ ବାତରା ସାଙ୍ଗ ବତାରାମି କରୁଥିବେ।" ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା ପାନ ଦୋକାନୀ। ସେଠାକୁ ଯାଇ ସେ ଯାହା ଦେଖିଲା ନିଜ ଆଖିକୁ ଵିଶ୍ଵାସ କରିପାରିଲାନି।

"ଦେଖ୍ ପୁରା ପଚାଶ ହଜାର।" ୫୦୦ ଟଙ୍କିଆ ବଣ୍ଡଲଟା ହଲେଇ ହଲେଇ ସାଙ୍ଗ ମାନଙ୍କୁ ଦେଖାଇ କହୁଥାଏ ଆଶିଷ।

"ଅରେ ଏତେ ଟଙ୍କା କୋଉଠୁଁ ଆଣିଲୁ? କେହି ଜଣେ ସାଙ୍ଗ ପ୍ରଶ୍ନ କଲା।

"ସେଇ ଯୋଉ ଲୋକଟା ଚାକିରି ଦେଇଥିଲା, ତାରି ଅଫିସରୁ।" ସାଙ୍ଗମାନଙ୍କ ଆଗରେ ବାହାସ୍ଫୋଟ ମାରୁଥିଲା ଆଶିଷ।

ମଳୟ ଚିତ୍କାର କରିଉଠି କହିଲା, "ଆରେ ତୋ ଉପରେ ମୁଁ ଭରସା କଲି, ତୋ ପାଇଁ ମୁଁ ସମସ୍ତଙ୍କ ସହ ଲଢିଲି, ଶେଷକୁ ତୁ ହି ମତେ ଧୋକା ଦେଲୁ।"

ସେଠୁ ଫେରି ମଳୟ ଅଫିସକୁ ଆସିଲା। ସେ ସମସ୍ତ ଦୋଷ ନିଜ ମୁଣ୍ଡକୁ ନେଇ ସାହୁବାବୁଙ୍କୁ ପଚାଶ ହଜାର ଟଙ୍କା ଦେଲା। ତା'ପରେ ପଶିଗଲା ନିଜ ଚାମ୍ବର ଭିତରକୁ। ଚାମ୍ବର ଭିତରେ ବସି ଭାବୁଥିଲା, ସେଦିନ ଆଶିଷ ରଶ୍ମୀର ପର୍ସ ଛଡ଼ାଇ ନେଇ ପଳେଇଲା ବେଳେ କିଛି ଲୋକ ତାକୁ ଧରି ପାଖ ପୋଲିସ ଷ୍ଟେସନରେ ଦେଲେ। ହେଲେ ପୋଲିସକୁ କହି ମଳୟ ତାକୁ ନେଇ ଆସିଲା ନିଜ ଘରକୁ। ତାକୁ କିଛି ଖାଇବାକୁ ଦେଇ ସେ ରହୁଥିବା ବସ୍ତିକୁ ନେଇଗଲା ଛାଡିବାକୁ। ବାଟରେ, ଆଶିଷ ତା ମା'ର ଔଷଧ ପାଇଁ ପଇସା ନଥିବାରୁ ଚୋରି କଲା ବୋଲି କହିଲା। ମଳୟ ତାକୁ ପଚାରିଲା, " ଆମ ଅଫିସ ରେ କାମ କରିବୁ? ଦିନରେ କାମ ଓ ସନ୍ଧ୍ୟାରେ ସ୍କୁଲ ରେ ପାଠ ପଢ଼ିବୁ।।" ସେ ତା' ମାଆକୁ ପଚାରିକି କହିବ ବୋଲି କହିଲା। ଯଦି ମାଆ ହଁ କୁହନ୍ତି ତେବେ କାଲି ହନୁମାନ ମନ୍ଦିର ପାଖେ ଦଶଟା ବେଳେ ଅପେକ୍ଷା କରିବାକୁ ମଳୟ, ଆଶିଷ କୁ କହିଲା। ଆଶିଷ କହିଲା, " ସାର ମୋତେ ଏଇଠି ଛାଡ଼ି ଦିଅନ୍ତୁ, ଭିତରକୁ ରାସ୍ତା ଭଲ ନାଇଁ।" ମଳୟ, ଆଶିଷ ହାତରେ ଦୁଇଶହ ଟଙ୍କା ଦେଲା ତା ମା ପାଇଁ ଔଷଧ କିଣିବାକୁ। ଆଶିଷ ଚାଲିଗଲା ବସ୍ତି ଭିତରକୁ। ପାଖ ପନଦୋକାନରୁ ପାଣି ବୋତଲ କିଣିବା ସମୟରେ, ପାନ ଦୋକାନୀ କହିଲା, " ଆଜ୍ଞା, ଏ ପିଲା ଆପଣଙ୍କ ଗାଡ଼ିରୁ ଓଲହାଇଲା.....!" ପ୍ରଶ୍ନିଳ ଆଖିରେ ଅନେଇଲା ମଲୟକୁ। ମଳୟ କହିଲା, "କାହିଁ କିଛି ଅସୁବିଧା ଅଛି କି?"

" ନାଇଁ ଯେ ଆଜ୍ଞା, ପିଲାଟା ଟିକେ ଦୁଷ୍ଟ ଅଛି।"ଦୋକାନୀ କହିଲା।

ହଁ ପିଲାମାନେ ତ ଦୁଷ୍ଟ ହେବେ ମନେ ମନେ ଭାବିଲା ମଳୟ।

ତା ପରଦିନ ମଳୟ ଆଶିଷକୁ ନେଇ ତା ଅଫିସ ରେ କାମରେ ଲଗେଇଲା ଓ ସ୍କୁଲ ରେ ନାଁ ଲେଖାଇଲା।

ବାହାରେ ବେସ୍ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଶୀତତାପ ନିୟନ୍ତ୍ରିତ ନିଜ ନିବୁଜ ଚାମ୍ବର ଭିତରେ ରହି ମଳୟକୁ ସେ ବିଷୟରେ ମୋଟେ ଜଣା ନଥିଲା। ତାକୁ କେହିବି କହିନଥିଲେ ବା କହିବା ଦରକାର ମନେ କରିନଥିଲେ। ଅଫିସ୍ ର ମୁଖ୍ୟ ଦରଜା ପାଖରେ ପହଂଚି ହିଁ ସେ ଜାଣିପାରିଲା ଯେ ବର୍ଷା ହେଉଛି। ସେଇଠି ଠିଆ ହୋଇ ଭାବିଲା ସତରେ କଣ ସେ ହିଁ ଭୁଲଥିଲା! ଏତିକିବେଳେ ବର୍ଷାଭିଜା ଆଶିଷ, ହାତରେ ୫୦୦ ଟଙ୍କିଆର ଭିଜା ବଣ୍ଡଲଟି ଧରି ମଳୟ ପାଦତଳେ ଲୋଟି ପଡ଼ି କହିଲା, "ସାର୍ ମୋତେ କ୍ଷମା କରିଦିଅନ୍ତୁ।" ବାହାର ବର୍ଷା ସହ ତାଳଦେଇ ବର୍ଷା ଝରିଗଲା ମଳୟ ଆଖିରୁ। ଆଶିଷକୁ କୁଣ୍ଢାଇ ପକାଇ ମନେ ମନେ କହିଲା ମୋ ଜୀବନର ସେ ରାତି ଆଜି ପାହିଗଲା।


Rate this content
Originality
Flow
Language
Cover Design