Rudramadhab Sahoo

Tragedy


3  

Rudramadhab Sahoo

Tragedy


ହସ ଆଉ ଇମୋସନ୍

ହସ ଆଉ ଇମୋସନ୍

3 mins 7.4K 3 mins 7.4K

ଢେର୍ ବେଳ ଯାଏଁ ହସିହସି ଲେଞ୍ଜରାକୋତରା ହୋଇଯାଉଥିଲୁ ତୁ ସେଦିନ ।

“ଆରେ ଏଇ ସାମାନ୍ୟ କଥାରେ ଏତେ ହସିବାରେ କଣ ଅଛି ଯେ..!”ବାସ୍,ଏଇ ପଦକ କହି ବାଧା ଦେବାକୁ ଚାହୁଁନଥିଲି ତତେ,ଚାହେଁନି ବି କେବେ।ତୋର ସେ ପୂର୍ଣ୍ଣମୀ ଚାନ୍ଦ ପରି ହସହସ ମୁହଁଟିକୁ ହୃଦୟରେ ସାଇତିବାକୁ ବ୍ୟଗ୍ର ହୋଇପଡିଥିଲି ସବୁଦିନ ଭଳି।

କିଛି ପଲକ ଅନ୍ତେ ହସର ହେତୁ ଉଦ୍ଧାର କଲି ତୋ କଥା ଗହଳିରୁ । କଣ ନା,ସାରା କ୍ଲାସପିଲାଙ୍କ ଆଗରେ ସାର୍ ମୋତେ କୌଣସି କାରଣରୁ ଇମୋସନାଲ୍ ବୟ୍ ବୋଲି କହିଦେଲେ ବୋଲି ?

ଅବଶ୍ୟ କେବଳ ଏଇ କଥାଟି କେବଳ ମୋ ପାଇଁ ପ୍ରଯୁଜ୍ୟ ନଥିଲା..ସଭିଏଁ ଇମୋସନକୁ ନେଇ ହିଁ ବଞ୍ଚନ୍ତି ।

ଏମିତି ଟିକେଟିକେ କଥାକୁ ନେଇ ବେଜାଏ ହସରେ ମାତିଉଠେ ସେ । ଆଉ ମୁଁ ପୁଲକିତ ହେଲା ପରି ବିଭୋର ଦୃଷ୍ଟିରେ ଦେଖୁଥାଏ ତା’କୁ ।

× × ×

ବାଟରେ ଆମେ ଫେରୁଥାଉ । କଲେଜ୍ ବାଲକୋନିରୁ ଚାହିଁଲେ ତୁମ ଘର ଦିଶେ,ଆଉ ଖଣ୍ଡେ ଦୂରରେ ଦିଗବଳୟ ସେପାଖେ ଆମର । ପାଖ ବାଟ ବୋଲି ସାଇକେଲ୍ କି ସ୍କୁଟିରେ ନ ଆସି ଚାଲିଚାଲି ଆସୁ ।

ରାସ୍ତା କଡେକଡେ ଥିବା କୃଷ୍ଣଚୂଡା ସବୁ ହସୁଥା’ନ୍ତି ମର୍ମର ତୋଳି,ଫିସଫିସ୍ ହୋଇ ନିଜ ଭିତରେ କଣ ସବୁ କୁହାକୁହି ହୋଇ ।

ଶୂନଶାନ୍ ରାସ୍ତା । ଖାଲି ତୁ,ମୁଁ ଆଉ ମୋର ସେଇ ହିରୋ ମାର୍କା ସାଇକେଲ୍ । ବାଁ ପଟେ ତୁ ଆଉ ଡାହାଣ ହାତରେ ସାଇକେଲ୍ ।

ଆରେ,ବଡ ଅଜବ ଏ ଦିହେଁ ତ ! ଦି’ଟା ଗୋଡରେ ଗଡି ନଯାଇ ଛ’ଟି ପାଦର ଆଶ୍ରା ନେଇ ଚାଲିଚନ୍ତି ?-କୃଷ୍ଣଚୂଡା ପାଖୁଡାରେ ବିସ୍ମୟ ।

ମୁଁ ବି କେବେ ଡାକେନି ତତେ ମୋ ସାଇକେଲକୁ,କାଳେ କିଏ ତତେ ଭୁଲ୍ ବୁଝିବେ ବୋଲି.. । କେମିତି ବା ବସାନ୍ତି ତତେ,ମୋ ସାଇକେଲର ପଛ କେରିଅରଟି ଯେ ଦରଭଙ୍ଗା । ହଁ,ଥରେ କିନ୍ତୁ ଫେରିବାବେଳେ ତତେ ବସେଇ ଆଣିଥିଲି ପଛରେ,ତୋ ସେ ବାସ୍କେଟଲଗା ସାଇକେଲରେ । ନେଇ ଘରକୁ ଯାଇଥିଲି ବି,ଯେହେତୁ ସେଦିନ ଘରଠୁ ଲିଫ୍ଟ୍ ମାଗି ଆସିଥିଲି..ପଛରେ ଛାଡି ଆସିଥିଲି ତତେ । ପରଦିନ ଫେରେଇବାବେଳେ ପୁଣି ତତେ ଚିଡେଇବାକୁ କହିଥିଲି-ନେ’ ରଖ୍ ତୋ ଏ ସାଇକେଲ୍ । ମତେ ଜମା ଏ ଝୁଡିବାଲା ସାଇକେଲ୍ ପସନ୍ଦ ନୁହଁ ! ଫେଁ କିନା ହସିଦେଲି ।

ବହେ ଗୋଡ କଚାଡି ମୁହଁ ଫୁଲେଇଥିଲୁ ମୋ ଉପରେ । ସତକୁ ସତ ଦେଖିଲା ବେଳକୁ,ତା’ ପରଦିନ ସେଇଟି ତୁମ ରୋଷେଇ ଘର ପରିବା ଝୁଡିକୁ ଲାଗି ଥୁଆ ହେଇଥିଲା ! ପୁଣି,ହସିବାକୁ ଲାଗିଲି ମୁଁ..ତା’ର ଏ ବିକଳ୍ପ ବ୍ୟବହାର ଦେଖି ।

କଣ ସବୁ କହିଚାଲିଥାଉ ତୁ..ମୁଁ କିନ୍ତୁ ଖାଲି ତୋ ସ୍ବର ସାଉଁଟି ଭିଜୁଥାଏ ଭିତରେ ଭିତରେ ।

ଏବେ ରାସ୍ତାର ଗୋଟେପାଖେ ତମ ଘର ଗେଟ୍ । ତୋ ଘର ପାଖ ହୋଇ ଆସିଲା କି ଆମେ ଶୀଘ୍ର ଚାଲି ଆସିଲେ,ବୁଝାପଡୁନଥିଲା ମୋତେ ।ହେଲେ..ଏତେ ଚଞ୍ଚଳ ପାଖେଇ ଆସିବାର ନଥିଲା ବୋଧେ !

ତୁ ମୋର ମନର ଅବସ୍ଥାକୁ ଠଉରେଇ ନେଲୁ,ଚିରାଚରିତ ଢଙ୍ଗରେ । ଉପରେ ଉପରେ ମୋର ଥିବା ନା’ ଟିକୁ ହଁ ବୋଲି ଧରିନେଇ ହାତକୁ ମୋର ଟାଣି ନେଲୁ ତମ ଘରକୁ ।

ମଉସାମାଉସୀ ନଥା’ନ୍ତି,ଯାଇଥା’ନ୍ତି ମାର୍କେଟ୍ । ଥା’ନ୍ତି ଜେଜେମାଆ ଆଉ ତୋ ସାନଭାଇ । ଚା’ ମୁଁ ପିଏନି ବୋଲି,ତିଆରିବାରେ ଲାଗିଲୁ ଲେମ୍ବୁସର୍ବତ । ଆସି ଗୋଟେ ଗ୍ଲାସ୍ ମୋ ହାତକୁ ବଢେଇଦେଇ ଆଉଫାଳେ ଲେମ୍ବୁ ପାଟିରେ ମାରି ଟାକରା ମାରୁଥାଉ । ଗ୍ଲାସଟିକୁ ନେଇ ମୁହଁରେ ଦେଲି । ଲୁଣଚିନି ଠିକ୍ ନଥିଲା । ଭଲଲାଗୁଥିଲା ତଥାପି ତୁ ତିଆରିଥିଲୁ ବୋଲି । ପ୍ରତିଟି ଢୋକ ତତେ ‘ଅଲିଅଳୀ’ ବୋଲି କହିଚାଲିଥିଲେ । କଣ ଟିକେ କେଁ ଖୋଜି ତମେ ଭାଇଭଉଣୀଦିହେଁ ଧରାପରା ହେଲ । ବହେ ହସିଲି ମୁଁ ସେ ଦୃଶ୍ୟ ଦେଖି ।

କଣେଇ ଚାହିଁଲୁ ମୋତେ,ସଞ୍ଚରିଗଲୁ ମୋ ଭିତରେ । ମୋ ହସ ଉପରେ ତୋର ଏତେ ନଜର ?!

ଏବେ ହସିବାକୁ ଲାଗିଲି ମନେମନେ ।

× × ×

ଏମିତି ବିତିଗଲା କିଛି ହସଭିଜା ଦିନ ।

ଅପରାହ୍ଣର ସେଇ ମୁହୂର୍ତ୍ତଟି ଅଭୁଲା ମୋ ପାଇଁ । ମଉସା ସେଦିନ ଭାରି ଖୁସି ଜଣାପଡୁଥିଲେ । ମୋତେ ଦେଖି ଖୁସି ହେଲେ କି ସେ ଖୁସି ଥିଲେ ଯେତେବେଳେ ମୁଁ ପହଞ୍ଚିଲି,ହଠାତ୍ ଜାଣିପାରିଲିନି । ଚେନାଏ ସ୍ମିତହସ କିଏ ମୋ ଓଠରେ ଆଣି ବୁଣିଦେଲା,ତାଙ୍କର ସଦାଗମ୍ଭୀର ଛବିର ପରିବର୍ତ୍ତିତ ରୂପ ଦେଖି ।

: ବୁଝିଲ ପୁଅ ! ଯା’ ହଉ,ଭଲରେ ଭଲରେ ସବୁ ଠିକ୍ ହେଇଗଲା । ଆସନ୍ତା ଅମକ ତିଥିରେ ଆମ ପ୍ରୀତିର ବାହାଘର..ତମେ ତ ଆମ ପୁଅ ଭଳିଆ,ଆଜିଠୁ ପ୍ରାୟ ସବୁକାମ ତମକୁ ଲାଗିଲା ।

: “ଓଃ,ଏଇ ତା’ ହେଲେ ଅଦିନ ଖୁସି-ବର୍ଷାର ହେତୁ !”

ମଥାନ ଆକାଶଟି ଛିଡି ପଡୁଥିଲା ଯେମିତି । ମୁହଁରୁ ସରସତା ଲିଭି ଆସୁଥିଲା । ହସର ମୌଳିକତା ହଜିଗଲା । ତଥାପି ଖୁସି ଦିଶୁଥିଲି ।

ତୋ ଘରେ ସମସ୍ତେ ଖାଲି ତୋ ସାଙ୍ଗ ବୋଲି ଚିହ୍ନିଥିଲେ ବୋଲି ସବୁ କାମ ଯଥାରୀତି ହସହସ ମୁହଁରେ କରେଇନେଲି । ମୁଁ କିନ୍ତୁ ଅନ୍ୟକିଛି ଧରିନେଇଥିଲି ନିଜକୁ..ସେଥିପାଇଁ ଆଜି ମନର ଏ ଅବସ୍ଥା । ନିଜ ପାଇଁ ତ ଦାୟୀ କେବଳ ମୁଁ.. । ପୁଅ ବୋଲି ଅନ୍ୟପୁଅ,ଲୁହ ଆଜି ଅନ୍ୟ ଲୁହ-ସବୁ ମୋ ପାଇଁ ।

ସବୁ ସୁରୁଖୁରୁରେ ଶେଷ ହେଲା । ବିଦାୟୀ ପର୍ବରେ ଗୋଟେ ଘରର ଦରଜା ବି ଅଘୋଷିତ ଭାବେ ବନ୍ଦ ହୋଇ ଆସୁଥିଲା ମୋ ପାଇଁ ଚିରଦିନ ।

ଆଜି କିନ୍ତୁ ମୋ ଇମୋସନାଲ୍ ରୂପ କାହାକୁ ଦେଖେଇବାକୁ ଉଚିତ୍ ମନେ କଲିନି ।

© ରୁଦ୍ରମାଧବ ସାହୁ


Rate this content
Originality
Flow
Language
Cover Design