Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପାଙ୍କୁ ଚିଠିଟିଏ
ବାପାଙ୍କୁ ଚିଠିଟିଏ
★★★★★

© Bindu Nibedita

Inspirational

5 Minutes   7.7K    17


Content Ranking

ବାପା,

ଆପଣଙ୍କ ଆବର୍ତ୍ତମାନରେ ଆପଣଙ୍କୁ ଚିଠିଟି ଲେଖୁଛି। ଚାହୁଁ ଚାହୁଁ ଚାରିବର୍ଷ ଚାଲିଗଲା !! ଦିନ ଯାଏ ଚିହ୍ନ ଯାଏ । ଆପଣଙ୍କ ଆବର୍ତ୍ତମାନରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଗଲା; ସେ ଶୂନ୍ୟତା ଦିନକୁ ଦିନକୁ ଆମ ଅସ୍ତିତ୍ୱକୁ ଆବୋରି ବସିବାକୁ ଲାଗିଲାଣି । ଆଜିବି ଆପଣଙ୍କ ଫଟୋ ଉପରେ ଫୁଲମାଳ ଆମ ପାଇଁ ଗ୍ରହଣଯୋଗ୍ୟ ନୁହେଁ ଏବେ ବି ଲାଗୁଛି..ଆପଣଙ୍କ ଗୁରୁ ଗମ୍ଭୀର ସ୍ୱର ଯେମିତି ଘର ଭିତରୁ ଶୁଭିଯିବ । ସବୁ କଥାରେ ଲାଗୁଛି ଆପଣ ଥିଲେ ଏଇଟା ହୁଏତ କରିପାରିଥାନ୍ତୁ,ସେଇଟା କରିପାରିନଥାନ୍ତୁ ଇତ୍ୟାଦି ଇତ୍ୟାଦି । ଜାଣିଛନ୍ତି ବାପା !! ଦଶହରା ଆସିଲାଣି । ନ ଚାହିଁଲେ ବି ଆପଣ ନିଶ୍ଚୟ ମନେ ପଡିଯିବେ । କେତେ ଆଗ୍ରହ ଓ ଉଦ୍ଦୀପନାରେ ଆପଣ ଏଇ ଦିନକୁ ଅପେକ୍ଷା କରିଥାନ୍ତି । ବର୍ଷକରେ ଥରେ ଠାକୁର ନୁଆ ପିନ୍ଧିବେ; କୌଳିକ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ । ଝୁଣା ଦୀପ ଧୂପରେ ସେବେ ଘର ମହକୁଥିଲା । ଆପଣ ମତେ ପାଖରେ ବସେଇକି ପୂଜା କରୁଥିଲେ । କିନ୍ତୁ ସେ ପୂଜା ବହୁତ ରହସ୍ୟ ଆଉ ରୋମାଞ୍ଚଭରା ଥିଲା । ବର୍ଷକରେ ଥରେ ସେ ପେଡି ଖୋଲୁଥିଲା; ତା ଭିତରେ କିଏ ଅଛନ୍ତି ଜାଣିବା ସତେ ଯେମିତି ଆମ ଭାଇ ଭଉଣୀଙ୍କ ଭିତରେ ରହସ୍ୟମୟ ଓ ଦୁରୂହ ବ୍ୟାପାର ଥିଲା । ଯାହା ଟିକେ ବଡହେଲା ପରେ ବୁଝିଲୁ । ଖାତା, ବହି, କଲମ ବି ମା ଦୁର୍ଗାଙ୍କ ଶରଣ ରେ ରୁହନ୍ତି; ଭଳିକି ଭଳି ମାଙ୍କ ପାଖେ ଭୋଗ ବଢ଼ାହୁଏ । ସବୁ କରିବି; କିନ୍ତୁ ଆପଣ ଖୁବ ମନେ ପଡିବେ ଆଉ ମନେ ପଡିବ ଆପଣଙ୍କ ଗୁରୁ ଗମ୍ଭୀର ସ୍ୱର ଓ ମୋ ପିଲାଦିନ, ସେ ଦଶହରା ଛୁଟି,ସେ ଭାଇ ଭଉଣୀଙ୍କ ମେଳ ଆଉ ଖେଳ, ଗୁରୁଜନ ମାନଙ୍କୁ ମୁଣ୍ଡିଆ ଓ ପ୍ରତିବଦଳରେ ମିଳୁଥିବା ଆଶୀର୍ବାଦ ଆଉ ଖର୍ଚ୍ଚ ଇତ୍ୟାଦି ଅନେକ ଅଭୁଲା ମୁହୂର୍ତ୍ତର ସ୍ମୃତି ।

ଆଜି ମଧ୍ୟ ଆମ ପିଲାବେଳେ ଆପଣଙ୍କର ସେ Royal Bengal T।gerର ଛାପ ଆମ ଭିତରେ ରହିଯାଇଛି । ଆପଣଙ୍କ ଟୁର ଚାକିରୀରେ ଯେତେବେଳେ ବର୍ଷେ କି ଛ ମାସରେ ସମୟ ପାଉଥିଲେ ଆମକୁ ପଢ଼ାରେ ଥିବା ସଂଶୟ ଦୂର କରିବା ପାଇଁ ଡାକ ଛାଡୁଥିଲେ; ବିଶେଷ କରି ବିଜ୍ଞାନ ଗଣିତ ଆଉ ଇଂରାଜୀ ଉପରେ । ଆଉ ମାଡ଼ ଖାଇବା ଭୟରେ ମୁଁ ସବୁବେଳେ ସାହିତ୍ୟ ବହିଟିଏ ଧରି ପହଞ୍ଚି ଯାଉଥିଲି । ତାପର କଥା ତ ସହଜେ ଅନୁମେୟ । ଯେବେ ଯେବେ ସ୍କୁଲରେ ଆମ ଭାଇ ଭଉଣୀଙ୍କ ନାଁ ପୁରସ୍କାର ଗ୍ରହଣ ପାଇଁ ଷ୍ଟେଜରେ ଡକା ହେଉଥିଲା ଆପଣଙ୍କ ଆଖି ଖୁସିରେ ଚିକମିକ କରୁଥିଲା, ବୋଉ କୁ ଆମପାଇଁ କିଛି କରିବାକୁ ବରାଦ କରୁଥିଲେ ହେଲେ ନିଜେ ଆଢୁଆଳରେ ରହୁଥିଲେ । ପିଲାବେଳେ ଆପଣ ଆସିବା ଖବର ପାଇଲେ ଆମେ ଭାଇଭଉଣୀ ପାରୁପର୍ଯ୍ୟନ୍ତ ନିଜକୁ ସଜାଡି ନେଇ ଚୁପଚାପ ବହି ଧରି ବସିଯାଉଥିଲୁ ଆଉ ମନଦେଇ ପଢ଼ିବାର ଖୁବ ନିଛକ ଅଭିନୟ କରୁଥିଲୁ । ଆପଣ କିଛି ତ କହୁ ନ ଥିଲେ କିନ୍ତୁ ମୋର ଓଲଟା ଧରିଥିବା ବହିଟିକୁ ସିଧା କରି ପୁଣି ମତେ ଧରେଇ ଚାଲିଯାଉଥିଲେ ।ଏବେ ବି ସେଇ ଅବସ୍ଥା ଆମର। କିଛି ଭୁଲ କରିବସିଲେ ଆପଣଙ୍କ ଫଟରେ ଆମେ ଆଜି ବି ଆଖି ମିଶେଇ ପାରୁନାହୁଁ; ଲାଗୁଛି ଆପଣ ଯେମିତି ସବୁ ଜାଣୁଛନ୍ତି..!!!

କୌଣସି ପରିସ୍ଥିତିରେ ଆମେ ଆପଣଙ୍କୁ ଭାଙ୍ଗି ପଡ଼ିବାର ଦେଖିନୁ; ଏମିତିକି ଜୀବନର ଶେଷ ନିଶ୍ଵାସ ନେଲାବେଳେ ବି ନୁହେଁ । ଧୈର୍ଯ୍ୟର ପରାକାଷ୍ଠା ଥିଲେ ଆପଣ । ସମୟ ବି ବୋଧେ ଆପଣଙ୍କ ଧୈର୍ଯ୍ୟ ଓ ସାମର୍ଥ୍ୟ ଆଗରେ ମୁହଁ ଲୁଚା ଦେଉଥିବ ବୋଧେ । କେବେ ବି କିଛି ଅସୁବିଧା ସୁବିଧା ବିଷୟରେ ଆମକୁ ଜାଣିବାକୁ ସୁଯୋଗ ଦେଇ ନଥିଲେ । ସେଥିପାଇଁ ଆମେ ନିଜକୁ ଖୁବ ସୁରକ୍ଷିତ ମନେ କରୁଥିଲୁ । କିନ୍ତୁ କାହିଁକି ବାପା !!! ଏତେ ସବୁ ଆବେଗକୁ କାହିଁକି ନିଜ ଭିତରେ ଚାପି କି ରଖିଥିଲେ । ଆମ ସହିତ ବାଣ୍ଟିଲେନି । ଅନ୍ତତଃ ନିଜେ କିଛିଦିନ ହାଲକା ହେଇ ବଞ୍ଚିପାରିଥାନ୍ତେ ଆଉ ଆମେ ବି ଆପଣଙ୍କ ସୁଖ ଦୁଃଖ ରେ ଭାଗି ହେଇ କିଛି ବାଟ ଅନ୍ତତଃ ଆପଣଙ୍କ ସହ ଚାଲିବାର ସୁଯୋଗଟେ ପାଇଥାନ୍ତୁ । କେବଳ ଦୁଃଖ ତକ ଆପଣଙ୍କର ଆଉ ସୁଖଭୋଗ ତକ ଆମର । ପରିବାରରେ ଏମିତି ହୁଏନି ବାପା ।

ଯେମିତି ବି ପରିସ୍ଥିତି ଆସୁ, ହାର ମାନିବା ବୋଧେ ଆପଣଙ୍କ ଜାତକରେ ନଥିଲା । ଜୀବନର ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ଲଢ଼ିବାର ହିଁ ଦେଖିଛୁ । କ୍ୟାନ୍ସର ପରି ଭୟଙ୍କର ଯନ୍ତ୍ରଣା ବି ଆପଣଙ୍କ ମନରୁ ବଞ୍ଚିବାର ଆଶାଟିକକୁ ଛଡେଇ ପାରି ନଥିଲା । ଯେତେବେଳେ ଆପଣ ଯନ୍ତ୍ରଣାର ଶେଷ ସୀମାରେ ଥିଲେ ଆଉ ମେଡିକାଲ ସାଇନ୍ସ ଫେଲ ମାରିଥିଲା ଆପଣଙ୍କ ଯନ୍ତ୍ରଣା ଉପଶମରେ । ଆପଣ ନିଜେ ହିଁ ନିଜର ଦିଗଦର୍ଶକ ସାଜିଲେ । ଏତେ ଅସୁସ୍ଥତା ଓ ଦେହର ଅସାମର୍ଥ୍ୟତା ସତ୍ୱେ ନିଜର ହୋମିଓପ୍ୟାଥିକ ଉପରେ ଥିବା ଅଗାଧ ଜ୍ଞାନ ଓ ଏକ ଦୃଢ଼ ନିଶ୍ଚୟ ବଦଳରେ ଆପଣ ସ୍ୱଯନ୍ତ୍ରଣା ଉପଶମର ଚିକିତ୍ସା ନିଜେ କରୁଥିଲେ । ଯାହା ସମସ୍ତଙ୍କୁ ଅଭିଭୂତ କରିଥିଲା । ଦୃଢ଼ ଇଚ୍ଛାଶକ୍ତି ବଳରେ ଯେ ଆସନ୍ନ ମୃତ୍ୟୁକୁ ବି ଘୁଞ୍ଚାଇ ଦିଆଯାଇପାରେ; ଆପଣ ଥିଲେ ଆମ ଆଗରେ ତାହାର ପ୍ରକୃଷ୍ଟ ଉଦାହରଣ ।

ହେଲେ ବାପା !! ଆଉଟିକେ ଖୁସିରେ ଆମେ ସମସ୍ତେ ବଞ୍ଚିପାରିଥାନ୍ତେ । ଆହୁରି ନିବିଡ଼ ଭାବେ ଆପଣଙ୍କ ସ୍ମୃତିକୁ ଗଣ୍ଠିଧନ କରି ରଖିବାର ଇଚ୍ଛାଟା ଇଚ୍ଛା ରେ ହିଁ ରହିଗଲା । ନଡ଼ିଆ ର ଶକ୍ତ ଆବରଣଟା ଯେ ବେଳ ଅବେଳର ଅଦିନ ମେଘ ଦାଉରୁ କେବଳ ଆମ ସୁରକ୍ଷାପାଇଁ ଥିଲା ଓ ତା ଭିତରେ ଆମପାଇଁ ଚିରସ୍ରୋତା ମଧୁର, ସ୍ନେହର ଓ ପ୍ରେମର ଏକ ଫଲଗୁ ଝରଟିଏ ବୋହୁଥିଲା; ଜାଣିଲା ବେଳକୁ ହାତରେ ଆଉ ସମୟ ନ ଥିଲା । ଯଦି ବା ଜାଣିଥିଲୁ ଏ ଦୁରାରୋଗ୍ୟ ବ୍ୟାଧି ଦିନେ ନ ଦିନେ ଆପଣଙ୍କୁ ଆମଠାରୁ ଛଡେଇ ନେବ ତଥାପି ବୁଝିବାକୁ ପ୍ରସ୍ତୁତ ନଥିଲୁ । ଭାବୁଥିଲୁ ଯେମିତି ଚାଲିଛି ସେମିତି ଚାଲିଥିବ । ଆପଣଙ୍କ ଶେଷ କ୍ଷୀଣ ହସଟା ଆଜି ବି ମତେ ଆନ୍ଦୋଳିତ କରୁଛି ଯେ ଆମକୁ ଅନେକ କିଛି କହିବାକୁ ଚାହୁଁଥିଲେ କିନ୍ତୁ କିଛି କହି ପାରିଲେନି ।

ମନେମନେ ଏବେ ବି ଭାବେ ବୋଧେ କହିବାକୁ ଚାହୁଁଥିଲେ "ପିଲାମାନେ ଏଥର ଯିବା ବେଳ ହେଇଗଲା; ଚାଲିଲି !! ତମ ସଂସାର ତମକୁ ଲାଗିଲା ।" ସବୁବେଳେ ତ ଯୁଆଡେ ଗଲେ ବି କହିକି ଯାଆନ୍ତି "ଆସୁଛି ", କିନ୍ତୁ ଏଥର କିଛି କହିଲେନି କାରଣ ବୋଧେ ହୃଦୟଙ୍ଗମ କରି ସାରିଥିଲେ ଯେ ଏଥର ଯାତ୍ରା ଅଣ ଲେଉଟା ଆଉ ସଂସାରର ଦାୟିତ୍ୱ ଏଥର ଆମକୁ ନବାକୁ ହେବ ।

ଯନ୍ତ୍ରଣାକ୍ଲୀଷ୍ଟ ଜୀବନରୁ ମୁକ୍ତି ପାଇଗଲେ, ଭଲ ହେଲା । ଆମ ସ୍ୱାର୍ଥପାଇଁ ଆଉ କେତଦିନ ଲଢ଼ି ପାରିଥାନ୍ତେ । ହେଲେ ଆପଣଙ୍କ ଆବର୍ତ୍ତମାନରେ ସେ ଶୂନ୍ୟ ଖଟ,ସେ ଶୂନ୍ୟ ସୋଫା, ମୋଟା ମୋଟା ଅଫିଟା ହୋମିଓପ୍ୟାଥି ବହି ସହ ସେ ଚିରପରିଚିତ ଔଷଧ ବାକ୍ସ ଓ ଶେଷକୁ ଖାଁ ଖାଁ ଘର ଆଉ ବୋଉର ସେ ଶୁଖିଲା ମୁହଁରୁ ଆପଣଯେ ଆଉ ଆମ ପାଖରେ ନାହାନ୍ତି..!! ଭାବିବାକୁ ବାଧ୍ୟ ହେଉଛୁ । ଆପଣ ଗଲେନି ଯେ ପଛେ ପଛେ ବୋଉର ଶକ୍ତି ଆଉ ସାମର୍ଥ୍ୟକୁ ବି ସାଙ୍ଗରେ ନେଇଗଲେ । ଯେଉଁ ବୋଉକୁ ଆମେ ଜୀବନ ଶକ୍ତିର ଅଫୁରନ୍ତ ଉତ୍ସ ଭାବେ ଦେଖିଥିଲୁ; ଯିଏ ଜୀବନରେ କେବେ ହାଲିଆ ହେଇ ବସିବା ଦିନେ ବି ଆମର ମନେ ପଡୁ ନଥିଲା; ଘରର ଯାବତୀୟ କାର୍ଯ୍ୟ ସହ ଆପଣଙ୍କ ସେବା ଯିଏ ଦିନ ଦିନ ରାତି ରାତି ଅନିଦ୍ରା ହେଇ କଲେ ବି ଦିନେ ବି ଥକି ପଡି ନଥିଲା । ସେ ବୋଉ ଆଜି ନୀରବ, ନିଷ୍ପ୍ରଭ; ନିଃସଙ୍ଗ ପଣରେ ସନ୍ତୁଳି ହେଉଛି । ଘରଠାରୁ ବାହାର ପର୍ଯ୍ୟନ୍ତ ସବୁଥିରେ ଧୁରନ୍ଧର ଥିବା ବୋଉ ଆଜି ଦୁଇ ଦୁଇଟା ଅପରେସନ ପରେ ଘରେ ବସିଛି । ଲାଗୁଛି ସେ ବି ଯେମିତି ସରି ସରି ଆସୁଛି । କିଛି ଆଉ ଭଲ ଲାଗୁନି ବାପା !! ଆପଣ ଗଲେନି ଯେ ତାସହ ଘରର ସବୁ ଶିରୀ ବି ଚାଲିଗଲା । ସେ ଖାଁ ଖାଁ ପଣ ଆମକୁ ଖାଇ ଗୋଡଉଛି, ଆପଣ ଥିଲେ ଆମପାଇଁ ଢାଲ ସଦୃଶ । ଆପଣଙ୍କ ଉପସ୍ଥିତି ହିଁ ଆମର ବଳ ଓ ସାମର୍ଥ୍ୟର କାରଣ ଥିଲା; ଠିକ ଅଚଳ ମହାମେରୁ ପରି । ଲାଗୁଥିଲା ଯେତେ ଖରା ବର୍ଷା ଝଡ଼ ଶୀତ କାକର ଆସିଲେ ବି ଆମେ ସୁରକ୍ଷିତ । ଆପଣ ଅଛନ୍ତି ଆମର କିଛି ହବନାହିଁ ।ଯେମିତିକି ଆପଣଙ୍କ ପାଖରେ ହିଁ ଆମ ସବୁ ସମସ୍ୟା ସମାଧାନର ଚାବି କାଠି ଥିଲା। " ବାପା ଥିଲା ପିଲା ଯେମିତି ସଭାରେ ହାରେନି"ର ଅନୁଭବ ଥିଲା ଆମ ମଧ୍ୟରେ । ଏବେ ନିଜକୁ ଯେତେ ଦୃଢମନା ବାହାରକୁ ଦେଖେଇଲେ ବି ବେଳେବେଳେ ନିଜକୁ ଭାରି ଅସହାୟ ଓ ଦୁର୍ବଳ ଲାଗେ; ଆପଣ ବହୁତ ମନେ ପଡନ୍ତି ସେତେବେଳେ । ଆପଣଙ୍କ ସୁଚିନ୍ତିତ ପରାମର୍ଶ ଆଉ ଆମ ମୁଣ୍ଡ ଉପରେ ସେ ସ୍ନେହ ସମର୍ଥନ ଭରା ହାତକୁ ବହୁତ ଖୋଜୁ ମନେମନେ । ମନେହୁଏ..ଆପଣ କାଳେ ଥାଆନ୍ତେ କି..!!.କିନ୍ତୁ ଆପଣ ତ ଚାଲିଗଲେ ଆମ ହାତ ଛାଡ଼ିଦେଇ ଏ ଜୀବନ ଯୁଦ୍ଧରେ କେଉଁ ଅଣଲେଉଟା ପଥରେ.; କେବଳ ସ୍ମୃତି ସଜଳ ମୁହୂର୍ତ୍ତ ମାନଙ୍କ ସହ ବଞ୍ଚିବା ପାଇଁ..।।

ଅଭିମାନ ସହ..

ଇତି ଆପଣଙ୍କ

ବିନ୍ଦୁ

ଚିଠି ଅସ୍ତିତ୍ୱ ବାପା

Rate the content


Originality
Flow
Language
Cover design

Comments

Post

Some text some message..