Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗରିବୀ ହଟିନି
ଗରିବୀ ହଟିନି
★★★★★

© Lopamudra Mishra

Inspirational Others

11 Minutes   14.3K    17


Content Ranking

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ସବପୋଷ୍ଟ ଅଫିସରୁ ଅବସର ପ୍ରାପ୍ତ ପୋଷ୍ଟମାଷ୍ଟର ଗୁଣନିଧି ଆଚାର୍ଯ୍ୟଙ୍କ ଘରେ ଆଜି ସକାଳର ମାହୋଲଟା ଭାରି ବ୍ୟସ୍ତମୟ । ପୁଅ ସରୋଜକାନ୍ତର ଆଜି ନିକଟସ୍ଥ ହରିଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକ ଭାବେ ଚାକିରୀରେ ପ୍ରଥମ କରି ଯୋଗଦାନ ।

ଗୁଣନିଧି ବାବୁ ବିଶେଷ କିଛି ଖୁସିଥିବା ପରି ଜଣା ପଡୁନାହାଁନ୍ତି । ଛାତ୍ର ଜୀବନରେ ଖୁବ ମେଧାବୀ ଥିବା ନିଜର ଏକ ମାତ୍ର ପୁଅ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ ସେ । ତାକୁ ଏପରି ଜଣେ ସ୍କୁଲ ଶିକ୍ଷକ ହିସାବରେ ଦେଖିବାକୁ ସେ ଆଦୌ ଚାଁହୁନଥିଲେ । ମାଆ ସୁରେଖା ଦେବୀଙ୍କର କିନ୍ତୁ ଆନନ୍ଦରେ ସୀମା ନାହିଁ । ପୁଅ ଘର ପାଖେ ରହିବ । ସକାଳ ସାଢେ ନଅ ଦଶରେ ବାହାରିଗଲେ ସଞ୍ଜ ପୂର୍ବରୁ ଆସି ଘରେ । ଦରକାର ପଡିଲେ ଦିନରେ ଥରେ କି ଦୁଇଥର ଆସି ମୁହଁ ଦେଖେଇ ଯାଇପାରିବ । ଗୋଟିଏ ବୋଲି ପୁଅ କାହିଁକି କୋଉ ଦୂର ରାଇଜରେ ଯାଇ ପଡିବ? ଗୁଡ଼ାଏ ଦରମା ଆମର ଦରକାର ନାହିଁ । ଆମର ଏହି ଚାକିରୀ ବହୁତ ଭଲ । ସରୋଜ ମଧ୍ୟ ପିଲାବେଳୁ ଅଳ୍ପରେ ହିଁ ସନ୍ତୁଷ୍ଟ ।

ସରୋଜଙ୍କର ଦିନଗୁଡ଼ିକ ସ୍କୁଲରେ ବହୁତ ଭଲରେ କଟୁଥିଲା । ଖୁବ କମଦିନ ଭିତରେ ଜଣେ ସୁଦକ୍ଷ ଗଣିତ ଶିକ୍ଷକ ଭାବେ ସେ ଅଞ୍ଚଳରେ ତାଙ୍କର ଖ୍ୟାତି ବିସ୍ତାର ଲାଭକରି ସାରିଥିଲା । ଅଳ୍ପ କିଛି ସହକର୍ମୀ ଶିକ୍ଷକଙ୍କ ବ୍ୟତୀତ ବାକି ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କର ସେ ହୋଇସାରିଥିଲେ ଅତି ପ୍ରିୟ 'ସରୋଜ ସାର' ।

ପ୍ରତ୍ୟେକ ଦିନ ସ୍କୁଲରୁ ଫେରି ସରୋଜ ସନ୍ଧ୍ୟାରେ ଗଣିତ ଓ ବିଜ୍ଞାନରେ ଦୁର୍ବଳ ଥିବା କିଛି ପିଲାଙ୍କୁ ନିଜ ଘରେ ପାଠ ପଢ଼ାନ୍ତି । ସେହି ପିଲାମାନେ ସମସ୍ତେ ପୁଣି ନିହାତି ଗରିବ ଶ୍ରେଣୀର ।

ଗୁଣନିଧି ବାବୁ କିନ୍ତୁ ଖୁବ ଅଶାନ୍ତି ହୁଅନ୍ତି ସେ ପିଲାମାନଙ୍କୁ ନିଜ ଘରେ ଦେଖିଲେ । ସରୋଜଙ୍କ ଉପରେ ଚିଡି ଉଠି କହନ୍ତି, "ମାଗଣାଟାରେ କାହିଁକି ଏତେ ଖଟୁଛୁ, ଏ ଅଖାଦ୍ୟ ଗୁଡ଼ାଙ୍କ ପଛରେ? ଏଗୁଡାଙ୍କ ଦ୍ୱାରା କିଛି ହେବନି । ଏ ମାଗଣା ଗର୍ଜନ ବନ୍ଦ କର ନହେଲେ ତାଙ୍କ ଠୁ ଶହେ କି ଦୁଇଶହ ଲେଖାଏଁ ଆଦାୟ କର । ତୋ ଦରମା ବି ତ ଖୁବ କମ ।"

-"ବାପା ଏମାନେ ଖୁବ ଗରୀବ । ମାସକୁ ଶହେ ଟଙ୍କା ବି ଏମାନଙ୍କ ପାଇଁ ବହୁତ ଅଧିକ । କୋଉଠୁ ପାଇବେ ମତେ ଦେବେ? ଆସୁଛନ୍ତି ଆସନ୍ତୁ "। ସରୋଜ ବିନମ୍ରତାର ସହ କହନ୍ତି ।

ଗୁଣନିଧି ବାବୁ ଟିକେ ବିରକ୍ତ ହେଲା ପରି କହନ୍ତି-ଗରୀବ ପୁଣି ଏମାନେ !ହା ତୁ ଜାଣିନୁ । ସରକାର ୟା’ଙ୍କୁ ସବୁ ଖଞ୍ଜି ଦେଇଛନ୍ତି । ଟଙ୍କାକିଆ ଚାଉଳ, ଇନ୍ଦିରାଆବାସ ଘର, ଭତ୍ତା ଟଙ୍କା... କୋଉଥିରେ ଅଭାବ ଅଛି ୟା’ଙ୍କର? ବସି ବସି ଖାଇ କୋଢ଼ୀଆ ହେଇଗଲେଣି ୟା’ଙ୍କ ବୋପା ଦାଦି ମାନେ । ଆଉ ବିଲ ବାଡ଼ି କାମକୁ ବି ଡାକିଲେ ବାବୁମାନେ ଆସୁନାହାଁନ୍ତି । ତୁ କହୁଛୁ ଇଏସବୁ ଗରୀବ !ହେତ...

ବାପାଙ୍କ କଥା ଶୁଣି ସରୋଜ ମନେ ମନେ ଭାବନ୍ତି, "ସତରେ କଣ ଏମାନଙ୍କ ଗରିବୀ ହଟିଯାଇଛି? କାହିଁ ମତେ ତ ସେମିତି ଅନୁଭବ ହୁଏନାହିଁ । ସ୍କୁଲରେ ପିଲାମାନଙ୍କୁ କଣ ଖାଇକରି ଆସିଛ ପଚାରିଲେ ଅନେକ ଜଣ ଚୁପ ରହିଯାଆନ୍ତି ଓ ପୁଣି କେହି କେହି କହନ୍ତି ଭାତ ଆଳୁ ନହେଲେ ପଖାଳ । କାହା ବାପା ଟ୍ରଲି ଟାଣୁଛନ୍ତି ତ ପୁଣି କେହି କେହି ଚାଟ ବାରମଜା ବିକାଳୀ । ଏହିମାନେ କଣ ସତରେ ଧନୀ?"

ସରୋଜ ବାପାଙ୍କ ସହ ଆଉ ବେଶୀ ଯୁକ୍ତି ନକରି ଖାଲି ଏତିକି କହି ପିଲାଙ୍କୁ ପଢେଇବାକୁ ଚାଲିଯାଆନ୍ତି, "ବାପା !ଯଦି ସମୟ ବଦଳିଥାଏ, ଏମାନଙ୍କ ପରିସ୍ଥିତି ସତରେ ସୁଧୁରିଯାଇଥାଏ , ତାହେଲେ ଖୁବ ଭଲ କଥା । "

ସ୍କୁଲରେ ପିଲାମାନେ ସରୋଜ ସାରଙ୍କୁ ଯେତିକି ଡରୁଥିଲେ ସେତିକି ଶ୍ରଦ୍ଧା ଓ ସମ୍ମାନ ମଧ୍ୟ କରୁଥିଲେ । ଶ୍ରେଣୀରେ ଅଙ୍କ ବୁଝେଇଲାବେଳେ ପିଲାଏ ଏକଧ୍ୟାନରେ ବସି ପାଠ ବୁଝନ୍ତି । ସାରଙ୍କ କ୍ଲାସରେ ସମସ୍ତେ ସୁନାପିଲା । କିନ୍ତୁ ସବୁ ଶ୍ରେଣୀରେ କିଛି ଦୁଷ୍ଟପିଲାଙ୍କ ଉପସ୍ଥିତି ଅନିର୍ବାଯ୍ୟ । ସେମାନଙ୍କ କାମ ଶିକ୍ଷକଙ୍କୁ ଓ ପୁରା ଶ୍ରେଣୀକୁ ପାଠ ପଢେଇବା,ପଢିବାରୁ ଅଳ୍ପ ସମୟ ପାଇଁ ବିଚ୍ୟୁତ କରିବା ଓ ଅଯଥା କଥା କହି ଶିକ୍ଷକଙ୍କ ଠୁ କଡ଼ାମିଠା କରି ଗାଳି ଦୁଇ ଚାରି ପଦ ଶୁଣିବା ।

ଅଷ୍ଟମ ଶ୍ରେଣୀର ଛାତ୍ର ଗଣେଶ ବେହେରା ଓରଫ ଗଣିଆ ସେହିପରି ଜଣେ ଅସମ୍ଭଵ ଦୁଷ୍ଟପିଲା । ନାଁଟି ତାର ଗଣେଶ କିଏ ଓ କାହିଁକି ରଖିଥିଲା କେବଳ ତାକୁ ହିଁ ଜଣା । ତା 'ଗଣେଶ' ନାମଟି ସହ ଗଣିଆର ବ୍ୟବହାର ଓ ବିଦ୍ୟାବୁଦ୍ଧିରେ ଲେସ ମାତ୍ର ମଧ୍ୟ ସାମଞ୍ଜସ୍ୟ ନାହିଁ । ତା ଉପଦ୍ରଵରେ ବିଦ୍ୟାଳୟର ପ୍ରାୟ ସମସ୍ତ ଶିକ୍ଷକ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଠିକରେ ପାଠ ପଢାଇପାରନ୍ତି ନାହିଁ । କ୍ଲାସରେ ପସୁ ପସୁ ଆଗ ଗଣିଆର ଦୁଇ ଚାରୋଟି କେସ ସମାଧାନ କରିବାକୁ ପଡେ । ତାପରେ ବି କ୍ଲାସ ମଝିରେ ନାନା ଝାମେଲା ଓ ପାଟି ଗୋଳ କରି ଅଶାନ୍ତି ସୃଷ୍ଟି କରେ । କିଛି ଚିଡ଼ଚିଡ଼ା ଓ ରାଗି ଟିଚର ନିଜ କ୍ଲାସ ଆରମ୍ଭ ପୂର୍ବରୁ ହିଁ ଗଣିଆ କୁ ଶ୍ରେଣୀ ବାହାରେ ଠିଆ କରେଇ ଦିଅନ୍ତି ଓ ତାପରେ ଯାଇ ପିଲାଙ୍କୁ ଖାତା ବହି ଖୋଲିବାକୁ କୁହନ୍ତି । ଗଣିଆ କିନ୍ତୁ ତା ପ୍ରକୃତିରୁ ବିଚ୍ୟୁତ ହୁଏନାହିଁ । ସେ ବାହାରେ ଠିଆ ହୋଇଥିଲା ବେଳେ ଯିଏ ତା ଆଡକୁ ଅନେଇ ଦିଏ ତାକୁ ଦାନ୍ତ ଜିଭ ଦେଖାଇ ଖତେଇ ହୁଏ ।

ଗଣିଆର ଏହିପରି ସ୍ଵଭାଵ ସହ ସରୋଜ ମଧ୍ୟ ଅବଗତ ହୋଇସାରିଥିଲେ । ସେ ଗଣିଆକୁ ଯେତେବେଳେ ଖାତା କଲମ କାଢି ଅଙ୍କ କରିବାକୁ କହନ୍ତି, ସେ କୋଉଦିନ ଖାତା ନଥିବା ତ ଆଉ କୋଉଦିନ କଲମ ନଥିବାର ବାହାନା କରେ । ଖାତାଟେ କି କଲମଟେ ଦେଇ ଅଙ୍କଟେ କରି ଦେଖେଇବାକୁ କହିଲେ ସେ ଯେଭଳି ଭାବରେ ଅଙ୍କର ସମାଧାନ କରିଦେଖାଏ, ତାକୁ ବୁଝିବା ପୃଥିବୀର ମସ୍ତ ବଡ ବଡ ଗଣିତଜ୍ଞଙ୍କର ମଧ୍ୟ ସାମର୍ଥ୍ୟ ବାହାରେ । ସରୋଜ ବେଳେ ବେଳେ ଚିଡି ଉଠି କହନ୍ତି, "ହଇରେ ଗୋବର ଗଣେଶ ! ତୋ ମୁଣ୍ଡରେ କଣ ଗୋବର ଭର୍ତ୍ତି ହେଇଛି କି? ସାମାନ୍ୟ ଅଙ୍କଟେ ଠିକରେ କରିପାରୁନାହୁଁ । କିଏ ତୋ ନାଁ ଗଣେଶ ଦେଇଥିଲା? ଆଜି ଖାତା ନାହିଁ, କାଲି କଲମ ନାହିଁ ଯେତେସବୁ ବାହାନା । ତୋ ବାପାଙ୍କୁ ଡାକିକରି ଆଣିବୁ କାଲି । କଥା ଅଛି ।"

ଗଣେଶ ଚଟାପଟ କହେ, "ସାରେ ! ବାପା ସୁରଟରେ ଅଛନ୍ତି । କାଲି ଆସିପାରିବେ ନାହିଁ "।

ସବୁଦିନ ଗଣିତ ପିରିୟଡ଼ରେ ଗଣିଆ ନାଁରେ ବିଭିନ୍ନ ଅଭିଯୋଗ ଶୁଣି ଶୁଣି ସରୋଜ ଥକି ଯାଆନ୍ତି । ସରୋଜ ଗଣିଆକୁ ବୁଝେଇ ଶୁଝେଇ ପାଠ ଧରେଇବାକୁ ଖୁବ ଚେଷ୍ଟା ମଧ୍ୟ କରନ୍ତି । ଘରକୁ ଆସି ଗଣିତ ବୁଝିବାକୁ ବି କହନ୍ତି । ସେ କିନ୍ତୁ ଧରା ଛୁଆଁ ଦିଏନି । ଅଙ୍କ ପାଠକୁ ଗଣିଆର ସବୁଠୁ ବେଶୀ ଡର । ସରୋଜ ସାର କାଳେ ରାସ୍ତାରେ ଦେଖା ହୋଇଗଲେ ଡାକି ନେଇ ଅଙ୍କ ବୁଝେଇବେ, ସେଥିପାଇଁ ତାଙ୍କୁ ଦେଖିଲା ମାତ୍ରେ ଯାଇ କୁଆଡେ ଲୁଚିଯାଏ ।

ଦିନେ ଗଣିଆର ବଦମାସୀରେ ଅତିଷ୍ଠ ହୋଇ ସରୋଜ ତାକୁ କାନ ଧରି ଚୁପ ଚାପ ଠିଆ ହୋଇ ରହିବାପାଇଁ କହିଲେ । ଗଣିଆର ପାଖ ପିଲାଟା ହଠାତ ଠିଆ ହୋଇ ପଡି କହିଲା, "ସାର ଗଣିଆର ବାପା ସୁରଟରୁ ଆସିଯାଇଛନ୍ତି । ଏବେ କହୁଥିଲା ସେ । ସାର ତାଙ୍କ ଘରକୁ ଯାଇ ଡାକିଆଣିବି? ମୁଁ ରାସ୍ତା ଦେଖିଛି ।"

- ଥାଉ ଥାଉ ମହାନୁଭବ ! ଆପଣଙ୍କ ସାହାଯ୍ୟ ଦରକାର ନାହିଁ । ଆପଣ ବସି ଅଙ୍କ କରନ୍ତୁ । ସେ କଥା ମୁଁ ବୁଝିବି ।

ସରୋଜ ସେ ପିଲାକୁ ଏତିକି କହି ସାରି ଗଣିଆ ଉଦେଶ୍ୟରେ କହିଲେ, "କିରେ ବାପା ଆସିଛନ୍ତି କହିନୁ କାହିଁକି? କହିଥିଲି ପରା ବାପା ଆସିଲେ ମତେ ଜଣେଇବୁ?ଆଜି ଛୁଟି ପରେ ବାପାଙ୍କୁ ନେଇ ଆମ ଘରକୁ ଆସିବୁ । ତୋର ବିଚାର ହେବ "

ଗଣିଆ ସେମିତି କାନକୁ ଧରି କରି ଧୀରେ ଧୀରେ କହିଲା, "ସାର ବାପାଙ୍କ ଦେହ ଭଲ ନାହିଁ । ମିସିନରେ ଗୋଡ଼ ଗଳିଯାଇ କଟିଯାଇଛି । ସେ ଚାଲିପାରୁନାହଁ।ନ୍ତି ।"

ଗଣିଆର କଥାକୁ ସରୋଜଙ୍କର ବିଶ୍ୱାସ ହେଲାନି । କିନ୍ତୁ ଗଣିଆ ଘର ପାଖ ଦୁଇଟି ପିଲା କଥାଟା ସତ ବୋଲି ପ୍ରମାଣ ଦେଲେ ।

ତା 'ପର ଦିନ ଶନିବାର ଥିଲା । ସ୍କୁଲ ଛୁଟି ପରେ ସରୋଜ ଗଣିଆ ଘରକୁ ଗଲେ । କାହିଁ ଇନ୍ଦିରା ଆବାସ କୋଠା?ଝାଟି ମାଟି ନୁଆଁଣିଆ ଚାଳଘର ପିଣ୍ଡାରେ ବିଛଣାଟେ ବିଛା ଯାଇଛି । ସେଇଠି ଗଣିଆର ବାପା ସଦାନନ୍ଦ ବେହେରା ଚିତ ହୋଇ ପଡିରହିଛନ୍ତି । ପାଖରେ ତା ବୋଉ ଓ ବୁଢୀମାଆ ଜଗି ବସିଛନ୍ତି । ତାଙ୍କ ଘରେ ସରୋଜଙ୍କୁ ଦେଖି ସଭିଏଁ ଭାବିଲେ ଗଣୁ ଆଜି ଗୋଟେ କଣ ବଡ ଘଟଣା ନିଶ୍ଚେ ଘଟେଇଛି । ସରୋଜ କିନ୍ତୁ ସେମାନଙ୍କ ସନ୍ଦେହ ମୋଚନ କରି କହିଲେ ସେ କେବଳ ଗଣିଆ ବାପାଙ୍କ ଦେହ କିପରି ଅଛି ବୁଝିବାକୁ ଆସିଛନ୍ତି ଏବଂ ଗଣିଆ କିଛି ବି ଦୁଷ୍ଟାମୀ କରିନାହିଁ । ସରୋଜ ଦେଖିଲେ ସଦାନନ୍ଦଙ୍କ ବାମଗୋଡ଼ ଆଣ୍ଠୁ ତଳୁ କଟି ଯାଇ ବ୍ୟାଣ୍ଡଜ ଗୁଡ଼ା ହେଇଛି । ଗୋଡ଼ ଉପରେ ମାଛି ଭାଣୁ ଭାଣୁ ହେଉଛନ୍ତି । ଗଣିଆ ବୋଉ ବିଞ୍ଚଣାଟିଏ ଧରି ମାଛି ଘଉଡାଉଛି । ସେ କାହିଁକି ହସ୍ପିଟାଲ ଯାଇନାହାଁନ୍ତି ସରୋଜ ପଚାରିଲାରୁ କହିଲେ ଟଙ୍କା ଆସିଗଲେ ମେଡିକାଲ ଯିବେ । ସରୋଜ ମଧ୍ୟ ଅଳ୍ପ କିଛି ଟଙ୍କା ଔଷଧ କିଣିବା ପାଇଁ ସଦାନନ୍ଦଙ୍କୁ ଦେଲେ । ସଦାନନ୍ଦ ଛଳଛଳ ଆଖିରେ ଟଙ୍କାଟା ସରୋଜଙ୍କ ହାତରୁ ନେଲେ । କମ୍ପାନୀ ତରଫରୁ କିଛି ଟଙ୍କା ସାହାଯ୍ୟ ମିଳିବ ବୋଲି ସରୋଜଙ୍କୁ କହିଲେ । ସରୋଜ ଆଉ ଗଣିଆ କଥା କିଛି ହେଲେ ନକହି ଧୀରେ ଉଠି ଚାଲିଆସିଲେ ।

ତା'ର ଦୁଇଦିନ ପରେ ସ୍କୁଲମାନଙ୍କରେ ଗ୍ରୀଷ୍ମ ଛୁଟି ଘୋଷଣା କରାହୋଇଗଲା । ସରୋଜଙ୍କର ଆଉ ଗଣିଆ ସହ ବିଶେଷ ଦେଖାହୁଏ ନାହିଁ । ଯଦି ବଜାର ଆଡେ ଗଲାବେଳେ ଗଣିଆ କେବେ ସାରଙ୍କୁ ଆସୁଥିବା ଦେଖିପକାଏ ସେ ତା ଚିରାଚରିତ ଢଙ୍ଗରେ ସଙ୍ଗେ ସଙ୍ଗେ କୁଆଡେ ଲୁଚିଯାଏ । ଦିନେ ଖରାବେଳେ ସରୋଜ ଦେଖିଲେ ଗଣିଆ ଗୋଟେ ମରି ଲାଠି ହେଇଯାଇଥିବା କୁକୁଡ଼ାକୁ ଗୋଟେ କିଆବୁଦା ପାଖରୁ ଉଠେଇକି ଆଣୁଛି । ଦେହରେ ସାର୍ଟ ନାହିଁ । ଅଣ୍ଟା ପାଖେ ଗଣ୍ଠି ପକେଇ ହାଫ ପ୍ୟାଣ୍ଟଟିଏ ପିନ୍ଧିଛି । ସରୋଜ ଗାଡି ରଖି ଗଣିଆ ବୋଲି ଯେମିତି ଡାକଟେ ମାରିଛନ୍ତି, ସେ ସେଇଠି କୁକୁଡ଼ାଟାକୁ ପକେଇଦେଇ ତା ଖସି ଆସୁଥିବା ପ୍ୟାଣ୍ଟକୁ ଦୁଇହାତରେ ଧରି ବିଜୁଳି ବେଗରେ ଦୌଡି କେହି ସେକେଣ୍ଡ ଭିତରେ ଅନ୍ତର୍ଧ୍ୟାନ ହୋଇଗଲା ।

ଛୁଟି ସରିବାକୁ ଆଉ ତିନିଦିନ ବାକି । ପହିଲି ରଜ । ସରୋଜ ବାପାଙ୍କ ସହ ବଜାର ଆଡେ ଆସିଛନ୍ତି । ସେମାନେ ଗୋଟେ ମାଂସ ଦୋକାନ ଆଗରେ ବାଇକ ରଖିଲେ । ସରୋଜ ଦେଖିଲେ ଦୋକାନର ବାଉଁଶ ଖୁଣ୍ଟକୁ ଧରି ଗଣିଆ ଏକଲୟରେ ମାଂସ କଟା ଦେଖୁଛି । ହାତରେ ଧରିଛି ଗୋଟେ ବ୍ୟାଗ ।

ଗୁଣନିଧି ବାବୁ ପିଲାଟିକୁ ଚିହିଁ ପକେଇ କହିଲେ, " ସରୋଜ! ଏହି ସେ ପିଲା ନା ଯାହାକୁ ଘରକୁ ଡାକି ସେଦିନ ଖାତା କଲମ ଦେଉଥିଲୁ? ଦେଖ ୟା’କୁ !ଏମାନେ ଗରୀବ? ତୋ ଠୁ ଆଗ ଆସି ମାଂସ ଦୋକାନରେ ଧାଡି ଲଗେଇଛି । ମାଂସ ଦର ଚାରିଶହ ଟଙ୍କା ହେଲାଣି ! କିଣି ଖାଇବାକୁ ୟା’ଙ୍କ ପାଖେ ଟଙ୍କା ଅଛି । ତଥାପି ତୁ କହୁଛୁ ଏମାନେ ସବୁ କୁଆଡେ ଗରିବ । ଠକ ଗୁଡାକ । ହ୍ୟାଳ୍ପ... "

ସରୋଜ ଗଣିଆକୁ ପାଖକୁ ଡାକିଲେ । ସେ ଆସି ମୁଣ୍ଡ ତଳକୁ କରି ଠିଆ ହେଲା । ଆଜି ଆଉ ତାର କାହିଁ ସେ ଅଙ୍କ ପାଠ ଓ ଅଙ୍କ ସାରଙ୍କୁ ପୂର୍ବ ପରି ଭୟ ନାହିଁ । ଆଖିରେ ବି ସେ ପୂର୍ବର ଦୁଷ୍ଟାମୀ ଓ ଚମକ ନାହିଁ । ସରୋଜ ପଚାରିଲେ,

-କିରେ ଗଣେଶ ! ରଜ ପାଇଁ ବଜାର ଆସିଥିଲୁ? ଉଣେଇଶ ତାରିଖ ସ୍କୁଲ ଖୋଲିବ । ଖାତା କଲମ ସବୁ ନେଇକି ଆସିବୁ । ଘରେ ଛାଡିକି ଆସିବୁନି । ବାପାଙ୍କ ଦେହ ଏବେ କେମିତି ଅଛି?

-ସାର ମୁଁ ଆଉ ସ୍କୁଲ ଆସିବିନି । କାଲିଠୁ ନନ୍ଦିଆ ଚୁଡ଼ାକଳରେ କାମ କରିବାକୁ ବୋଉ ବୁଝିଦେଇଛି । ବାପାଙ୍କ ଗୋଡ଼ ଇନଫେକ୍ସନ ହେଇଗଲା ତ ଆଉ ଭଲ ହେଲେନି । ଜର ବହୁତ ହେଲା ଆଉ ତାପରେ ସିଏ ମରିଗଲେ । କୋଡିଏ ଦିନ ହେଇଗଲାଣି ।

କହୁ କହୁ ଗଣିଆର ସ୍ୱର ଆହୁରି ନରମ ହେଇଗଲା ।

ସରୋଜ ମର୍ମାହତ ହେଲା ପରି 'ଆଁଏ ' ଟେ କରି ଗଣିଆକୁ କିଛି କହିବାକୁ ଯାଉଛନ୍ତି ସେପଟୁ ଦୋକାନୀ ଡାକ ପକେଇଲା, "ଏ ଛୁଆ !ହେଇ ନେ ତୋ ଜିନିଷ । ପଚିଶ ଟଙ୍କା କାଢ଼ "।

ସରୋଜ ଆଉ ତା ବାପା ଦେଖିଲେ ମାଂସ କଟାଳୀ ତଳୁ ନାଡ, ଚମଡା, ପୁଂଟିରୁ ମେଞ୍ଚାଏ ଉଠାଇ ଗୋଟେ କଳା ଜରି ପଲିଥିନରେ ପସେଇ ଗଣିଆ ହାତକୁ ଧରେଇଦେଉଛି । ଗୁଣନିଧି ବାବୁ ସଙ୍ଗେ ସଙ୍ଗେ ସେୟାଡୁ ମୁହଁ ବୁଲାଇ ଆଣି ନିଜେ ଵରାତ ଦେଇଥିବା ମାଂସକୁ ଭଲ କି ଓଜନ କରିବାକୁ କହୁଥାନ୍ତି । ଭଲ ଭଲ ପିସ ପକେଇବାକୁ ଦୋକାନୀକୁ ନିର୍ଦେଶ ଦେଉଥାନ୍ତି ।

ସରୋଜ କିନ୍ତୁ ଅବାକ ହୋଇ ଗଣିଆକୁ ସେମିତି ଅନେଇ ରହିଛନ୍ତି । ଗଣିଆ ତା ଛିଣ୍ଡା ସାର୍ଟ ପକେଟରୁ କିଛି ଖୁଚୁରା ପଇସା କାଢି ଦୁଇ ତିନି ଥର ଭଲ କରି ଗଣି ଦୋକାନୀକୁ ବଢ଼େଇଲା ଓ ତା ପୁଟୁଳିଟି ଧରି ଦୋକାନରୁ ବାହାରୁଥିଲା , ସରୋଜ ତାକୁ ଅଟକେଇ ଦେଲେ । "ଗଣେଶ କେତେବେଳେ ସମୟ ପାଇଲେ ଆସିବୁ", କହି ତା ମୁଣ୍ଡକୁ ଟିକେ ସ୍ନେହରେ ଆଉଁଷି ଦେଲେ । କୁନି ପିଲାଟି ର ଟିକି ମୁଣ୍ଡରେ ଏବେଠୁ ସଂସାର ଚଳେଇବାର ବୋଝ । ସରୋଜଙ୍କ ଆଖିରେ ଲୁହ ଢଳ ଢଳ । ଦୁଷ୍ଟ ଗଣିଆ ବୋଧେ ତାର ସେହି ସାନ ଜୀବନ କାଳ ଭିତରେ ଏପରି ସସ୍ନେହ ସ୍ପର୍ଶ କୌଣସି ଶିକ୍ଷକ ବା ବାହାରଲୋକ ଠୁ କେବେ ପାଇନଥିବ ।

ଗଣିଆ ନଇଁପଡି ସରୋଜଙ୍କ ପାଦ ଛୁଇଁ "ସାର ଆସୁଛି" କହି ଚାଲିଗଲା । ସରୋଜ ତା ଗଲା ବାଟକୁ ପଛରୁ ଦେଖୁଥାନ୍ତି । ବାପା ଏ ଭିତରେ ଦୁଇଥର 'ସରୋଜ' 'ସରୋଜ' ବଡ ପାଟିରେ ଡାକି ସାରିଲେଣି,ସେ ଅନ୍ୟମନସ୍କତା ହେତୁ ଜାଣିପାରୁନାହାଁନ୍ତି ।

କାନ୍ଧରେ ବାପାଙ୍କ ହାତର ମୃଦୁ ସ୍ପର୍ଶ ପାଇ ସରୋଜ ପ୍ରକୃତିସ୍ଥ ହେଲେ । "ବାପା !ଦେଖିଲେ ତ?କିଭଳି ଧନୀ ଏମାନେ?କୁକୁର ବିଲେଇଙ୍କ ପାଇଁ ମଧ୍ୟ ଯେଉଁ ଚମଡା ଓ ପୁଣ୍ଟି ଅନୁପଯୁକ୍ତ , ତାକୁ କେମିତି ମହାଆନଦରେ ଖାଇବାକୁ ଏମାନେ ନିଅନ୍ତି । ପଚିଶଟି ଟଙ୍କା ବି କେଡେ କଷ୍ଟରେ ଯୋଗାଡ଼ କରି ଆସିଛି ବିଚରା !! ଓହଃ କି ଅସମ୍ଭବ ଦାରିଦ୍ରତା ! ଏହାପରେ ବି କଣ ଆପଣ କହିବେ ଏମାନେ ଧନୀ? "

ଗୁଣନିଧୀ ବାବୁ ତାଙ୍କ ଚିରାଚରିତ ଢଙ୍ଗରେ ମୁହଁରେ ବିରକ୍ତି ଭାବ ପ୍ରକାଶ କରି କହିଲେ, "ହେସ.. ତୁ ଗୋଟେ ବେଶୀ ଭାବବିହ୍ୱଳ ହେଇପଡୁଛୁ !!ଆରେ ଏମାନଙ୍କୁ ମୁଁ ମୋ ଛୋଟ ବେଳୁ ଦେଖିଆସୁଛି । ମାଂସ କଟାହେଲେ ୟାଙ୍କ ସାହିଲୋକ ସବୁ ଆସି ପୁଣ୍ଟି ନାଡ଼ ନେଇଯାଆନ୍ତି । ସେ ଅଖାଦ୍ୟ ଖାଇବା ତାଙ୍କର ସବୁ ଅଭ୍ୟାସ । ତା ଛଡା ଶସ୍ତାରେ ମାଂସ ଖାଇବାକୁ ମିଳିଯାଏ । ଉଠେଇ ନିଅନ୍ତି । ଦେଖିଲୁଟି ପଚିଶ ଟଙ୍କାରେ ଜରି ଭର୍ତ୍ତି । ସେମାନେ ତାକୁ ହିଁ ଖାଇବାକୁ ଭଲ ପାଆନ୍ତି । "

"ବାପା ! ଅଖାଦ୍ୟ ଖାଇବାକୁ ସେମାନେ ଭଲପାଆନ୍ତିନି । ଖାଦ୍ୟଟା କିଣିବାକୁ ସକ୍ଷମ ହୋଇପାରନ୍ତିନି ବୋଲି ବାଧ୍ୟ ହୋଇ ଖାଆନ୍ତି । ଆମେ କଣ ସେଇଟା ଖାଇପାରିବା କି? ନାଁ? ଆମର ସ୍ଥିତି ସ୍ୱଚ୍ଛଳ । ଆମେ କିଣିପାରିବା । ଆମେ ବାଧ୍ୟ ନୁହଁନ୍ତି ଚର୍ମ ନାଡ଼ ଖାଇବାକୁ । ଆମ ପରି ସେମାନେ ମଧ୍ୟ ମଣିଷ । ଆମର ଖାଦ୍ୟ ଅଭ୍ୟାସ ଠାରୁ ତାଙ୍କର ଖାଦ୍ୟ ଅଭ୍ୟାସଟା ଭିନ୍ନ କିପରି ହୋଇପାରିବ ବାପା? ଆମମାନଙ୍କ ପରି ତାଙ୍କର ବି ଭୋକ ଅଛି ଜିହ୍ୱା ଲାଳସା ଅଛି । ଭଲ ଜିନିଷଟେ ପାଇବାକୁ ଇଚ୍ଛା ଅଛି । ନାହିଁ ତ କେବଳ ଗୋଟିଏ ଜିନିଷ । ସେହିଟା ହେଲା ଅର୍ଥ ସମ୍ବଳ । ଆପଣ ପିଲାଦିନୁ ଏମାନଙ୍କୁ ଏମିତି ପଶୁ ଖାଦ୍ୟ ଖାଇବା ଦେଖିଆସୁଛନ୍ତି । ତାହେଲେ ଗରିବୀ ହଟିଲା ଆଉ କୋଉଦିନ ? "

ଗୁଣନିଧୀ ଏଥର ଆହୁରି ବେଶି ବିରକ୍ତିରେ ଉତ୍ତେଜିତ ହୋଇଗଲେ, "ହେ.. ତୁ ବୁଝିପାରିବୁନି ଏମାନଙ୍କ ଚାଲାକି । ବେଶି ଗୋଟେ ତୁ ବୁଦ୍ଧିଆ ଭାବୁଛୁ ନିଜକୁ । ଚାଲିଲୁ ଏଠୁ ଜଲଦି । ମୋର ଆହୁରି ଅନେକ କାମ ଅଛି । ବେକାରଟାରେ ସେଗୁଡ଼ାଙ୍କ ପାଇଁ ତୁ ଯୁକ୍ତି କରୁଛୁ । ବଳେ ବୁଝିବୁ ଦିନେ ଯେତେବେଳେ ଟଙ୍କାକିଆ ଚାଉଳ ଖାଇ ସେମାନେ ଆରାମରେ ଶୋଇଥିବେ ଆଉ ତୁ କାମଟେ ପାଇଁ ତାଙ୍କୁ ଡାକି ଡାକି ଥକି ଗଲେ ବି ତାଙ୍କ ନିଦ ଭାଙ୍ଗୁନଥିବ । ହଉ ଚାଲ ଗାଡି ଷ୍ଟାର୍ଟ କର । ବୋଉ ବ୍ୟସ୍ତ ହେବଣି "।

ସରୋଜ ଚୁପଚାପ ବାଇକ ବାହାରକରି ଷ୍ଟାର୍ଟ କଲେ । ଧୀରେ ଧୀରେ ତାଙ୍କ ଗାଡି ଆଗକୁ ଗଡୁଥାଏ । ଆସିବା ରାସ୍ତାରେ ସେ ଭାବୁଥାନ୍ତି, " ଗଣିଆର ଦୁଃସ୍ଥ ଦୁଃଖୀ ପରିବାରର କଷ୍ଟକର ପରିସ୍ଥିତିଟା ସେ ହିଁ ବୁଝିପାରିବ ଯିଏ ନିଜେ ସେହିପରି କଷ୍ଟକୁ ଅନୁଭବ କରିଛି କିମ୍ବା ଯାହାର ହୃଦୟରେ ସାମାନ୍ୟ ତମ ମାନବିକତା ଅଛି । ବାପାଙ୍କର ବୋଧେ ଏ ଦୁଇଟି ଭିତରୁ ଗୋଟିଏ ମଧ୍ୟ ନାହିଁ । " ସରୋଜ ଗଣିଆର ଦାରିଦ୍ର୍ୟତାକୁ ଅନୁଭବ କରି ଯେତିକି କଷ୍ଟ ପାଉଥିଲେ,ତାଙ୍କ ବାପାଙ୍କର ଗରୀବ ଦୁଃଖୀମାନଙ୍କ ପ୍ରତି କଟୁ ଉକ୍ତି ଓ ବେଖାତିର ଭାବ ମଧ୍ୟ ତାଙ୍କୁ ସେତିକି ମର୍ମାହତ କରୁଥିଲା ।

ସରୋଜଙ୍କ ଘରେ ଆଜି ରଜ ପାଇଁ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ଆୟୋଜନ । ମାଂସ ତରକାରୀର ବାସ୍ନା ରୋଷେଇ ଘରୁ ବାହାରିଆସୁଛି । ବାପା ପଚାରୁଛନ୍ତି , "ସୁରେଖା ଆଉ କେତେ ସମୟ ଲାଗିବ?ମୁଁ ଟିକେ ଏଇଠୁ ପାଞ୍ଚ ମିନିଟରେ ଆସୁଛି । ତୁମେ ବଢ଼ା ବଢି କର "।

ସରୋଜ ଆଉ ଗୁଣନିଧୀ ବାବୁ ବସିଛନ୍ତି ଡ଼ାଇନିଙ୍ଗରେ । ଗୁଣନିଧୀ ତରକାରୀ ଟିକେ ହାମ୍ପୁଡ଼ି ପକେଇ କହୁଛନ୍ତି, "ବାଃ..ୟାକୁ ହି କହନ୍ତି ମାଂସଝୋଳ । ବୁଝିଲୁ ସରୋଜ !ତୋ ବୋଉର ରୋଷେଇକୁ ମାନିବାକୁ ପଡିବ ।"

ସରୋଜ ଭୀଷଣ ଅନ୍ୟମନସ୍କ । ସେ ବସି ଭାବୁଛନ୍ତି, "ସେ ନାଡ଼ ପୁଣ୍ଟିକୁ ଗଣିଆର ବୋଉ କେମିତି ରାନ୍ଧିଥିବ? ଗଣିଆ କଣ ସତରେ ଖୁବ ଖୁସୀରେ ବସି ଖାଉଥିବ? "

"ବାବୁ ଆଉ କିଛି ଦେବିକିରେ? ତୁ କଣ ତରକାରୀରେ ହାତ ମାରୁନୁ? " ସୁରେଖା ସରୋଜଙ୍କ ପାଖରେ ଠିଆ ହୋଇ ପଚାରିଲେ ।

"ନାଁ ଲୋ ବୋଉ ! ମୋର ଆଉ କିଛି ଦରକାର ନାହିଁ ହେଇଗଲା । "

ସରୋଜ ଖାଇସାରି ହାତ ଧୋଇବାକୁ ଗଲେ । ପଛେ ପଛେ ତାଙ୍କ ମାଆ ସୁରେଖା ।

"ବୋଉ ତୁ କେବେ ନାଡ଼ ଚର୍ମ ଆଉ ପୁଂଟି ଝୋଳ ଖାଇଛୁ? " , ସରୋଜ ପଚାରିଲେ ।

ତାଙ୍କ ବୋଉ ମୁହଁ ଟାକୁ ତାଙ୍କର ବିକୃତ କରି କହିଲେ,

"ଛି ଛି... ସେଗୁଡା କଣ ମଣିଷ ଖାଆନ୍ତି? "

-ହଁ ବୋଉ ମଣିଷ ଖାଆନ୍ତି ।

"ଖାଉଥିବେ । ଆମ ଭଳି ଲୋକ ସେସବୁ ଖାଆନ୍ତିନି । ସେହି ସବୁ ଗରିବ ଗୁରୁବା ମାଂସ କିଣିବାକୁ ପଇସା ନପାଇ ସେଇମିତି ଅଖାଦ୍ୟ ଗୁଡାକ ଖାଆନ୍ତି । ଆଉ ଜାଣିଛୁ ସେମାନେ ପା’ ମଲା ଚଢେଇ, ବଣୁଆ କୁକୁଡ଼ାଙ୍କୁ ମରିପଡିଥିବା ଦେଖିଲେ ଉଠେଇ ନେଇଯାଆନ୍ତି ଖାଇବାକୁ । ଛି.... ମତେ ତ ବାନ୍ତି ଲାଗୁଛି ଭାବିଲା ବେଳକୁ ", ସୁରେଖା ପୁଅକୁ ଏତିକି କହି ଦୁଇଥର ଖଣ୍ଡ ଛେପ ଥୁ ଥୁ କରି ପକେଇ ଚାଲିଗଲେ ।

ସରୋଜଙ୍କ ମନରୁ କିନ୍ତୁ ହଟୁନଥାଏ ଗରିବୀର ଚିନ୍ତା । ସେ ଭାବୁଥାନ୍ତି, "ଗରୀବ ଲୋକର ଶରୀରର ଆଉ ମନ କଣ ଧନୀ ଠୁ ଅଲଗା କି?? ଯଦି ନୁହେଁ ସେ କାହିଁକି ଏତେ ଦୁଃଖ ସହିବ? ସଂସାରର ସମସ୍ତ ଆମୋଦ ଦାୟକ ଦ୍ରବ୍ୟରୁ ସେ କାହିଁକି ବଞ୍ଚିତ ହେବ? ସତରେ କଣ ଏ ଉତ୍କଟ ଗରିବୀ କେବେ ମଧ୍ୟ ହଟିବନି? ଧନୀ ଓ ଦରିଦ୍ର ଭିତରେ ଥିବା ତାରତମ୍ୟ କୌଣସି ଦିନ ଲୋପ ପାଇବନାହିଁ? "

ଲୋପାମୁଦ୍ରା ମିଶ୍ର

ଗୁଣନିଧି ସରୋଜ ଜୀବନ

Rate the content


Originality
Flow
Language
Cover design

Comments

Post

Some text some message..