Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bismita Sahoo

Others

5.0  

Bismita Sahoo

Others

ବଡ଼ ଘରର ବୋହୂ

ବଡ଼ ଘରର ବୋହୂ

4 mins
701



ନଭଶ୍ଚୁମ୍ଭି ଅଟ୍ଟାଳିକା। ସୁଉଚ୍ଚ ପ୍ରାଚୀରର ଦୁଇ କଡ଼ରେ ଦୁଇଟି ଜଗୁଆଳି ହାତରେ ବନ୍ଧୁକ ଧରି ସର୍ବଦା ଦଣ୍ଡାୟମାନ। ବୋଗୋନଭିଲ୍ଲୀଆର ଦିଟା ବଡ଼ ଡାଳକୁ ଏପରି ଭାବରେ ସାଇଜ୍ କରି କଟା ଯାଇଛିଯେ ଯୁବତୀଟିଏ ନିଜର ସୁନ୍ଦର ବାହୁ ପ୍ରସାରଣ କରି ଅଟ୍ଟାଳିକାଟିକୁ ଆଲିଙ୍ଗନ କଲାପରି ପ୍ରତୀତ ହେଉଛି। ପୋର୍ଟିକୋରେ ବି.ଏମ୍. ଡବ୍ଲ୍ୟୁ, ଫେରାରି, ଅଡ଼ି ନାନା ରକମର କାର୍। ଘର ଆଗରେ ବିରାଟ ବଡ଼ ଲନ୍ । ଘର ଭିତରକୁ ଯିବା ପାଇଁ ଥିବା ରାସ୍ତା କଡରେ ଭଳିକି ଭଳି ବୋନ୍ସାଇ ଓ କ୍ରୋଟୋନ୍ ର ଗଛ ଧାଡ଼ି ଧାଡ଼ି ଲଗା ହେଇଛି। ଦିଟା ଲାବ୍ରାଡର୍ କୁକୁର ଡାହଳ ଆଖିରେ ଜିଭ ଲହ ଲହ କରି ଘରର ପ୍ରବେଶ ଦ୍ୱାରରେ ଅନେଇ ରହିଛନ୍ତି। ଘରଟି କୌଣସି ସ୍ବପ୍ନମହଲରୁ କମ୍ ନୁହେଁ। ଘର ଭିତରେ ସମସ୍ତ ଅତ୍ୟାଧୁନିକ ଉପକରଣ ମହଜୁଦ ରହିଛି। ହାତ ପାଅନ୍ତାକୁ ଜିନିଷ ଯୋଗାଇବାକୁ ଚାକର ମାନେ ସର୍ବଦା ପ୍ରସ୍ତୁତ। ଏହାହିଁ ତ ତାର ସ୍ବପ୍ନ ଥିଲା। 


    ପିଲାଦିନୁ କିଏ ସ୍ବପ୍ନ ଦେଖେ ଡାକ୍ତର ହେବାପାଇଁ ତ କିଏ ଇଂଜିନିୟର ନହେଲେ ଆଇ. ଏ. ଏସ୍ ଅଫିସର , କିନ୍ତୁ ସରିତାର ସ୍ବପ୍ନ ଥିଲା ବଡ଼ ଘରର ବୋହୂ ହେବ। ତା ପାଦ ଯେମିତି ତଳେ ଲାଗିବନି। ଘରେ ବୋଲହାକ କରିବାକୁ ଚାକର ବାକର ଖଞ୍ଜା ହେଇଥିବେ। ଘରୁ ପଦାକୁ ବାହାରିଲେ ସାଥିରେ ଯେମିତି ଦି ଚାରିଟା ଦେହରକ୍ଷୀ ଥିବେ। ସେ ସାହେବାଣୀର ଆଦବ କାଇଦା ଦେଖାଉଥିବ। ଦେଖିଲା ମାନେ ଦି ଚାରିଟା ଲୋକ ସାଲ୍ୟୁଟ ମାରୁଥିବେ।


    ତେଣୁ ଯେତେବେଳେ ଇଣ୍ଡଷ୍ଟ୍ରିଆଲିଷ୍ଟ ରଣଜିତ ଚୌଧୁରୀଙ୍କ ପାଇଁ ତା ପାଖକୁ ବିବାହ ପ୍ରସ୍ତାବ ଆସିଲା ସେ ନିଜ ଭାଗ୍ୟକୁ ବିଶ୍ୱାସ କରି ପାରିଲାନି। ଆଖି ବନ୍ଦ କରି ନିଜର ସମ୍ମତି ପ୍ରଦାନ କରିଥିଲା। କଲେଜର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରଣଜିତ ଚୌଧୁରୀ ଆସିଥିଲେ। ତା ନୃତ୍ୟରେ ଏତେମାତ୍ରାରେ ବିମୋହିତ ହେଇଯାଇଥିଲେ ଯେ ବିନା ଯୌତୁକରେ ତାକୁ ବିବାହ କରିବା ପାଇଁ ଜିଦ ଧରିଥିଲେ। ନଚେତ ସେ କଣ ଏ ଚୌଧୁରୀ ବଂଶର ବୋହୂ ହେଇ ପାରିଥାନ୍ତା?

ସାଙ୍ଗମାନେ ବାହାଘର ଦିନ ତାକୁ ଅଭିନନ୍ଦନ ଜଣାଇବା ସହ ଏତେ ସହଜରେ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି ବୋଲି ଖୁସି ହେବା ସହିତ ଇର୍ଷା ବି କରିଥିଲେ। ସ୍ମିତା ତ ତାକୁ ସିଧା ସିଧା କହିଥିଲା- ଓହୋ ବଡ଼ଘରେ ବୋହୂ ହେଉଛି ବୋଲି ମହାରାଣୀ କେତେ ଫୁଲେଇ ହେଉଛି। ହଁ ହବୁନି କାହିଁକି? ଗନ୍ଧର୍ବ ପରି ସୁନ୍ଦର ବର ଓ ରାଜଉଆସ ପାଇ ଆମକୁ ଭୁଲି ଯିବୁନି ତ? କେ ଜାଣେ, ତୋତେ ଦେଖା କରିବା ପାଇଁ ଆପୋଏଣ୍ଟମେଣ୍ଟ ନେବାକୁ ପଡ଼ିବ?


 ସବୁ ସାଙ୍ଗମାନେ ସ୍ମିତା କଥା ଶୁଣି ହି ହି ହେଇ ହସିଥିଲେ କିନ୍ତୁ ସେ ନିଜ ଭାଗ୍ୟ ପାଇଁ ମନେମନେ ଖୁବ୍ ଖୁସି ହେଉଥିଲା। 

     ହଁ ଭାଗ୍ୟ ନୁହେଁ ତ କଣ? କୋଟି କୋଟି ଟଙ୍କାର ମାଲିକ ରଣଜିତ ଚୌଧୁରୀଙ୍କ ଅର୍ଦ୍ଧାଙ୍ଗିନୀ ହେବା ଏକ ପରମ ସୌଭାଗ୍ୟ। ଆଜି ଇଣ୍ଡିଆରେ ଥିଲେ କାଲି ଦୁବାଇ ତ ପରଦିନ ଆଉ କୋଉଠି ସୂର୍ଯୋଦୟ ଦେଖିବେ ତାର ଠିକ୍ ଠିକଣା ନାହିଁ। ଏକଥା ସତ ଯେ ପ୍ରତ୍ୟେହ ବାହାରକୁ ଯିବା ପୂର୍ବରୁ ତାକୁ ନିବିଡ଼ ଆଲିଙ୍ଗନ କରନ୍ତି। ତାର ଇଚ୍ଛା ହୁଏ ସମୟ ଟା ଟିକିଏ ସ୍ଥାଣୁ ପାଲଟି ଯାଆନ୍ତା କି ! ଏମିତି ଦେଖିଲେ ସେ କେତେଦିନ ରଣଜିତଙ୍କ ସହ ସମୟ କଟେଇଛି? ଆଙ୍ଗୁଠିରେ ଗଣି ଦେଲେ ତିନି ମାସ ହେବ କି ନା ସନ୍ଦେହ। ଦେଖୁଦେଖୁ ବାହାଘର ଚାରିବର୍ଷ ପୂରିବାକୁ ବସିଲାଣି। ତା ସାଙ୍ଗରେ ବାହା ହେଇଥିବା ଝିଅ ମାନେ ଦି ଦିଟା ଛୁଆର ମା ହେଲେଣି, ହେଲେ ତା କୋଳ ଏବେ ବି ଶୂନ୍ୟ ରହିଛି। ରଣଜିତଙ୍କୁ ଏତେ ଜଲଦି ବାପା ହେବା ଟା ଜମା ପସନ୍ଦ ନୁହେଁ। ସେ କୁହନ୍ତି ଜୀବନକୁ ଉପଭୋଗ ନ କରି ଏତେ ଶୀଘ୍ର ବାପା ହେବାର ଗୁରୁ ଦାୟିତ୍ୱ ସେ ନେବାକୁ ଇଛୁକ ନୁହନ୍ତି। 


   ରାତ୍ରିରେ ନୂଆ ନୂଆ ଶଯ୍ୟାସଙ୍ଗିନୀ ତା ସ୍ୱାମୀଙ୍କର ପସନ୍ଦ।ସେ କୁହନ୍ତି ସରିତା ଟିକେ ବ୍ରଡ଼ ମେଣ୍ଟାଲିଟି ହେଇ ଏସବୁ ସହଜରେ ଆସେପ୍ଟ କରିନେବା ଉଚିତ। ଯଦି ସରିତା ତାର କୌଣସି ପୁରୁଷ ବନ୍ଧୁଙ୍କ ସହିତ ରାତି କଟେଇବାକୁ ଚାହେଁ ତେବେ ସେ କେବେ ବି ତାକୁ ମନା କରିବେନି। ଗତବର୍ଷ ନିୟୁ ଇଅର ଇଭ୍ ରେ ତାର ମୁଣ୍ଡ ବିନ୍ଧିବାରୁ ପାର୍ଟିରୁ ଚାଲି ଆସି ହୋଟେଲ ରୁମ୍ ରେ ସେ ରେଷ୍ଟ ନେଉଥିଲା। ଆଖି ଖୋଲି ଦେଖିଲା ବେଳକୁ ତା ସ୍ୱାମୀଙ୍କ ବେଷ୍ଟ ଫ୍ରେଣ୍ଡ କମଲେଶ ତାକୁ ଜାବୁଡ଼ି ଧରି ଶୋଇଛନ୍ତି। ସରିତା ଡରି ଯାଇ ପାଟି କଲାବେଳେ ତା ପାଟିକୁ ହାତରେ ବନ୍ଦ କରି କହିଲେ-


ଇଏ କଣ ଅଭଦ୍ରଙ୍କ ପରି ହେଉଛ? ମୁଁ ତୁମେ ଉଠିବ ବୋଲି ଘଣ୍ଟାଏ ହେଲା କିଛି ନ କରି ଧେର୍ଯ୍ୟର ସହିତ ଅପେକ୍ଷା କରିଛି ଆଉ ତୁମେ ଏମିତି ନଖରାମି କରୁଛ? ତୁମକୁ ରଣଜିତ ୱାଇଫ୍ ସ୍ୱାପିଙ୍ଗ ବିଷୟରେ କହିନି କି? ମୋତେ ତା ଗାଉଁଲି ସ୍ତ୍ରୀକୁ ଧରେଇ ଦେଇ ମୋ ସ୍ତ୍ରୀ ସହିତ ସେ ଆର ରୁମ୍ ରେ ମଜା ମାରୁଛି ।


    ଏହା କହି ରାଗ ତମତମ ହେଇ କମଲେଶ ରୁମ୍ ଛାଡ଼ି ଚାଲିଯାଇଥିଲେ। ସେ ଯେନତେନ ଉପାୟରେ ଘରେ ଆସି ପହଞ୍ଚିଥିଲା। ସକାଳ ଚାରିଟା ରେ ରଣଜିତ ଘରେ ପହଞ୍ଚିଥିଲେ। ତାକୁ ଦେଖି ହସି ହସି କହିଲେ - ସରି ସରିତା। ତୁମେ ଆମର ଏ ମଡ଼ର୍ଣ କଲ୍ଚର ବିଷୟରେ ଜାଣିନ ବୋଲି ମୋର ଅନ୍ଦାଜ ନଥିଲା। ଠିକ୍ ଅଛି। ତୁମକୁ ଯଦି ଏସବୁ ପସନ୍ଦ ନାହିଁ ମୁଁ ତୁମକୁ ବାଧ୍ୟ କରିବିନି, ମୋତେ କିନ୍ତୁ ତୁମେ ଏଥିରୁ ନିବୃତ୍ତ କରିପାରିବନି। ତୁମ ଭାଗର ଭଲପାଇବା ଖୁସି ମୁଁ ତୁମକୁ ଦେବି ହେଲେ ମୋ ଉପରେ କୌଣସି ଅଧିକାର ସାବ୍ୟସ୍ତ କରିବନି। ଘରକୁ ଆସିଲେ ମୁଁ ତୁମର କିନ୍ତୁ ଘର ବାହାରେ ସରିତା ଆଉ କିଛି ଅଧିକ ନ ଶୁଣି କାନରେ ହାତ ଦେଇଦେଲା। ସ୍ତ୍ରୀର ସ୍ୱାମୀ ଉପରେ କୌଣସି ଅଧିକାର ନାହିଁ ଏକଥା ବାରମ୍ବାର ତା କାନରେ ଗୁଞ୍ଜରଣ ସୃଷ୍ଟି କରୁଥିଲା।

    ମା - ମା

ଚାକରାଣୀ ମାଳତୀର ପାଟିରେ ସେ ଚିନ୍ତା ରାଜ୍ୟରୁ ଫେରି ଆସିଲା।

- କଣ ହେଲା ?

-ନାଇଁ କଥା କଣ କି ମା କାଲି ମୁଁ ଟିକେ କାମକୁ ଆସି ପାରିବିନି।

 

- ହଉ ଠିକ୍ ଅଛି।। ବୀରୁକୁ କହିବୁ ତୋ କାମ କରି ଦେଇଯିବ।

-ନାଇଁ ମା ସେ ବି ଆସିବେନି। 

-କାଇଁ ତମ ଦିଜଣଙ୍କର କାଲି କଣ କି?

ମାଳତୀ ଲାଜେଇ ଯାଇ କହିଲା

- ନାଇଁ ମ, ମା ସେମିତି କିଛିନାହିଁ। କାଲି ରଜ ତ। ଦୁହେଁ ମିଶି ବାବୁଶାନ୍ ର ଗୋଟିଏ ଓଡ଼ିଆ ଫିଲିମ ଦେଖିବାକୁ ଯିବୁ।


    ଫିଲ୍ମ ନା ଶୁଣି ସରିତା ହଠାତ ଚୁପ୍ ହେଇଗଲା। ଫିଲ୍ମ ଦେଖିବାକୁ ସେ କେତେ ଭଲପାଏ। ନୂଆ ଫିଲ୍ମ ରିଲିଜ ହେଲେ କିଏ ଯାଉ ବା ନଯାଉ ସରିତା ଆଗ ପହଞ୍ଚି ଯାଉଥିଲା। ହେଲେ ଏବେ ସେସବୁ ସ୍ବପ୍ନ। 


   ସରିତାର ମାଳତୀ ପ୍ରତି ଖୁବ ଇର୍ଷା ହେଉଥିଲା। ଏ ମାଳତୀ ଓ ବୀରୁ ଜଣେ କାୟା ହେଲେ ଆର ଜଣକ ତାର ଛାୟା। ଖାଇବାକୁ ଗଣ୍ଡେ ନପାନ୍ତୁ କି ଖଣ୍ଡେ ଭଲରେ ନପିନ୍ଧନ୍ତୁ ଦୁଇ ଜଣଙ୍କ ମୁହଁରେ ହସ ସଦା ଲାଖିଥିବ। ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଆନ୍ତି। ଘରେ ବେଶୀ ଗେଷ୍ଟ ଆସିଲେ ବେଶୀ ବାସନ ମାଜିବାକୁ ପଡିଲେ ବୀରୁ ନିଜ କାମ ଶୀଘ୍ର ସାରି ମାଳତୀ ସହିତ ମିଶି ବାସନ ମାଜେ। ମାଳତୀ ବି ନିଜ ସୁବିଧା ଅନୁସାରେ ବୀରୁକୁ ତା କାମରେ ସାହାଯ୍ୟ କରେ।


ଛତାଟି ଭାଙ୍ଗି ଯାଇଥିବାରୁ ଦିନେ ବୀରୁ ଛତା ନ ନେଇ କାମକୁ ଆସିଥିଲା। ଝିପିଝିପି ବର୍ଷା ହେବାରୁ ମାଳତୀ ଲୁଗାଟିଏ ଧରି ହାଜର। ବୀରୁର ମୁଣ୍ଡରେ ଲୁଗାଟି ପକେଇ ଦେଇ କହିଲା ଛତା ନାହିଁ ବୋଲି ଓଦା ହେବ, ଥଣ୍ଡା ଧରିବ ପୁଣି ଜର ହେବ। ବୀରୁ ଲୁଗାଟିକୁ ତା ନିଜର ଓ ମାଳତୀ ମୁଣ୍ଡରେ ଟାଣି କହିଲା - ଏଥର ଠିକ୍ ହେଲାଟି। 

ଦୁହେଁ ବଗୁଲା ବଗୁଲି ହାତ ଧରାଧରି ହୋଇ ଚାଲିଗଲେ। ଆଉଥରେ ସ୍ୱାମୀ ସ୍ତ୍ରୀ ଦୁହେଁ ଝଗଡ଼ା ଝଗଡ଼ି ହେଇ ଆସିଥିଲେ। ସନ୍ଧ୍ୟାରେ ମାଳତୀ ତା ସ୍ୱାମୀକୁ ମନେଇବା ପାଇଁ ଦିଟା ରସଗୋଲା ନେଇ ପହଞ୍ଚିଗଲା। ମାଳତୀ ଯେମିତି ରସଗୋଲା ବୀରୁ ପାଟିରେ ଦେଇଛି ବୀରୁ ଚଟକିନା ପାନ ଟିଏ ମାଳତୀ ପାଟିରେ ପୁରେଇ ଦେଲା। 


    ଅଥଚ ତା ସ୍ୱାମୀଙ୍କୁ କଣ ପସନ୍ଦ ଆଜିଯାଏ ସେ ଜାଣି ପାରିଲାନି ନା ତା ସ୍ବାମୀ? ଅବଶ୍ୟ ଭଗବାନଙ୍କୁ ଦୋଷ ଦେଇ ଲାଭ କଣ? ପିଲାଦିନୁ ସେ ତ ଭଗବାନଙ୍କୁ ନିତି ପ୍ରାର୍ଥନା କରୁଥିଲା ତାକୁ ବଡ଼ଘରର ବୋହୂ କରି ଦିଅନ୍ତୁ ବୋଲି।

    


Rate this content
Log in