Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଫୁଲ ଚୋରି-ଲାଲ୍ ରିବନ
ଫୁଲ ଚୋରି-ଲାଲ୍ ରିବନ
★★★★★

© Chinmayee Barik

Tragedy

5 Minutes   7.3K    19


Content Ranking

ସକାଳୁ ସକାଳୁ ହାଇ ମାରି ଉଠିଲା ବେଳକୁ ବୋଉ ଫୁଲ ଡାଲା ଧରି ଠିଆ ହୋଇଥିବ ଆମ ଆଗରେ ।ଆମ ଦୁଇ ଭଉଣୀଙ୍କର ଧରାବନ୍ଧା କାମ ଥିଲା ସକାଳୁ ସକାଳୁ ଫୁଲ ତୋଳିବା। ଚାଦରରେ ଖଣ୍ଡେ ବେକ ପଛ ପଟରେ ଗଣ୍ଠି କରି ବାହାରି ଯାଉ ଫୁଲ ତୋଳିବାକୁ ।

ଆମ ଲମ୍ବା ବାରଣ୍ଡାର ଦୁଇ ପଟରେ ମଲ୍ଲୀ ଫୁଲର ଧାଡି ଧାଡି ଗଛ ।ଯେତେ ତୋଳିଲେ ବି ସରେନା ।ବେଳେ ବେଳେ ଲାଗେ ଗଛ ଗୁଡିକ ଓପାଡି ଫୋଫାଡି ଦେବାକୁ ।ଗଛ ଓପାଡି ଦେବାର ପଛର କାରଣ ଏଇଆ ଯେ ଆମେ ଯେତେ ଫୁଲ ତୋଳୁ ଅଳ୍ପ ଫୁଲ ଆମ ଘରେ ରୁହେ ,ବାକି ସବୁ ବଣ୍ଟାଯାଏ ପଡିଶା ଘରେ ।

ମୋ ହାତରେ ଗୋଟିଏ ଉପରେ ଗୋଟେ ହୋଇ ଚାରୋଟି ଫୁଲ ଡାଲା ଆଉ ଦେଈ ହାତରେ ସେମିତି ଚାରୋଟି ଡାଲା ।ସେ ଯାଏ ଡାହାଣ ପଟ ଘର ଆଡକୁ ଆଉ ମୁଁ ଯାଏଁ ବାଁ ପଟର ଘର ସବୁକୁ ।

ଫୁଲ ଦେଇ ଫେରିଲା ବେଳକୁ ବାବା ବାଡିରୁ ତୋଳିଥିବେ ମେଞ୍ଚାଏ ପରିବା ।ସେ ଗୁଡିକ ବାଣ୍ଟ ହୋଇ ଥୁଆ ହୋଇ ଥିବ ।ତାକୁ ନେଇ ପୁଣି ଆମେ ବାଣ୍ଟିବୁ ପଡିଶା ଘରେ ।ଫେରିଲା ପରେ ଚା ଜଳଖିଆ ଖାଇ ପାଠ ପଢାରେ ବସୁ ।

ସକାଳର ହାଲକା ନିଦୁଆ ଅଳସପଣ ଆମେ କେବେ ଭୋଗି ପାରୁନା ।

* * * * *

ଆମ ଘର ଟିକେ ଦୂରକୁ "କୁନ୍ ମୁନ୍ "ର ଘର ।ସେଠାକୁ ମୁଁ ଯାଏଁ ଫୁଲ ଦେବାକୁ ।ହେଲେ ଭାରି ଭୟ ଲାଗେ ।ମୁଁ ଗେଟ୍ ସେପଟେ ଥାଇ ଚିତ୍କାର କରେ ...ମାଉସୀ ...ମାଉସୀ ।ମାଉସୀ ଘର ଭିତରୁ ବାହାରି ଆସି ମୋ ପାଖରୁ ଫୁଲ ଡାଲା ନେଇ ଯାଆନ୍ତି ।

ମୋ ଭୟର କାରଣ ଦୁଇଟା ଥିଲା ..ଗୋଟିଏ ତାଙ୍କର ଅଠର ବର୍ଷର ପାଗିଳୀ ଝିଅ କୁନ୍ ମୁନ୍ ଓ ଆରଟି ଦାଣ୍ଡରେ ହଳ ହଳ ହେଉଥିବା ମୋଟା କଳା କୁକୁରଟି ।

ମୁଁ ଯାଇଁ ପହଞ୍ଚିଲା ମାନେ ସେ ଦୁହେଁ ଯାକ ମୋ ଆଡକୁ ଝପଟି ଆସନ୍ତି ।ମୁଁ ଡରିଯାଏ ।

ତାଙ୍କ ବଗିଚାରେ ଅନେକ ଫୁଲ ହେଲେ ମାଉସୀଙ୍କର ଲୋଭ ଆମ ଘରର ମଲ୍ଲୀ ଫୁଲକୁ ।ମୁଁ ମନେ ମନେ ଭାବେ ଏତେ ଲୋଭ କିଆଁ ??ତୁମ ଘରେ ତ ନାଲି ନୀଳ ଗୋଲାପି କେତେ ପ୍ରକାର ଫୁଲ ?ସେ ଫୁଲ ସବୁ ଦେଖିଲେ ଲୋଭ ଲାଗେ ହେଲେ ସେ ବଗିଚାରେ ସବୁବେଳେ କୁନମୁନ୍ ଆଉ କୁକୁର ଖେଳୁ ଥାଆନ୍ତି ।କିଛି ଆଣି ହୁଏନି ।

ମୁଁ ଫେରିଲା ବେଳେ କୁନମୁନ୍ ଡାକୁଥିବ ଏଇ ..ଶୁଣ୍ ତ...।ମୁଁ ଶୁଣେନି ।ସେ ମୋ ପଛେ ପଛେ ଆସେ କଣ କହିବାକୁ ହେଲେ ମୁଁ ଦୌଡି ପଳେଇ ଆସେ ।ସେ ଗେଟ୍ କୁ ଧରି ଅନେକ ସମୟ ଠିଆ ହୋଇଥାଏ ।ବୋଧେ ଭାବୁଥାଏ ମୁଁ ଫେରିବି ବୋଲି ।ମୁଁ କିନ୍ତୁ ଫେରେନା ।

ସ୍କୁଲ୍ ରେ ଖେଳ ଛୁଟି ହେଲେ ତାଙ୍କ ଘର ଆଗରେ ଆମ ଛୁଆଙ୍କର ଭିଡ ହୁଏ ।କୁନମୁନ୍ କୁ ହଇରାଣ କରିବାକୁ ଭଲ ଲାଗେ ।ସେ ଆମକୁ ଦେଖିଲେ ଦୌଡି ଆସେ ଗେଟ୍ ପାଖକୁ ।ପାଟିରୁ ଲାଳ ବାହାରୁ ଥାଏ ।ସେ କଣ କଣ କହିଯାଏ, ଆମେ କିଛି ବୁଝିପାରୁନା ହେଲେ ଆମେ ହସୁ ।ତା ଭଳି ଖନେଇ ଖନେଇ କଥା ହେଉ । ସେ ଆମକୁ ଦେଖି ଆହୁରି ଖୁସି ହୋଇଯାଏ । ତାଳି ମାରି ଡିଏଁ ।

ଆମ ଭିତରୁ ଗୋଟେ ଛୁଆ କହେ ...ହେଇ ଦେଖ୍ ଆକାଶରେ ଜହ୍ନ କେତେ ସୁନ୍ଦର ଦିଶୁଛି ??କୁନ୍ ମୁନ୍ ଆକାଶକୁ ଅନାଏ ..ଜହ୍ନ କୁ ଖୋଜେ ।ସେଇ ସମୟରେ ଆମେ ହାତ ଗଳେଇ ତାଙ୍କ ଗୋଲାପ ଗଛରୁ ଫୁଲ ଛିଣ୍ଡେଇ ଆଣୁ ।ପୁଣି କହୁ ହେଇ ହେଇ ସାପ ...ସେ ଚିହିଁକି ଉଠେ ..ଆମେ ଜିନିଆ ଫୁଲ ଛିଣ୍ଡେଇ ଆଣୁ ।

ଆମ ହାତରେ ଫୁଲ ଦେଖି ସେ ଗଛକୁ ଅନାଏ ।କାନ୍ଦି କାନ୍ଦି କୁହେ ...ଆମ ଫୁଲ ..ଉଁ..ଉଁ ...ଆମ ଫୁଲ...?? ଏତେ ବଡ ଝିଅଟିର କାନ୍ଦିବା ଦେଖି ଆମେ ହିଁ ହିଁ ହେଉ ।ବନ୍ଧା ହୋଇଥିବା କୁକୁରଟି ସେପଟୁ ଭୋ ଭୋ କରେ ।

ଆମକୁ ଆହୁରି ମଜା ଲାଗେ ।କୁନମୁନ୍ କୁ ଦେଖାଇ ଆମେ ତୋଳିଥିବା ଫୁଲ ଗୁଡିକୁ ତା ଆଗରେ ଛିଣ୍ଡାଉ ।ସେ ଧୂଳି ଉପରେ ବସି ପଡି ଆହୁରି କାନ୍ଦେ ।କୁକୁରଟି ଜିଞ୍ଜିରି ଛିଣ୍ଡେଇବାକୁ ଚେଷ୍ଟା କରୁଥାଏ ।ତାଙ୍କ ଗେଟ୍ ଆଗରେ ଫୁଲଗୁଡିକ ଅସ୍ତବ୍ୟସ୍ତ ହୋଇ ପଡିଥିଆନ୍ତି ।କୁନମୁନ୍ ଫୁଲ ଗୁଡାକୁ କାନ୍ଦି କାନ୍ଦି ଗୋଟାଇବାକୁ ଚେଷ୍ଟା କରେ ଗେଟ୍ ଭିତରୁ ହାତ ବଢେଇ ।

ଆମ ସ୍କୁଲ୍ ଘଣ୍ଟା ବାଜିଯାଏ ।ଆମେ ହୋ ହାଲ୍ଲା କରି ପଳେଇ ଆସୁ ।କୁନମୁନ୍ ସେଇମିତି ଡାକୁଥାଏ ....ଏଇ ଶୁଣ୍ ତ.....

* * * * *

ଏ ତ ରୋଜ୍ ର ଘଟଣା ଥିଲା ।ହେଲେ ଏ ଘଟଣା ଦିନେ ବଦଳି ଗଲା ।

ପାଞ୍ଚ ଦିନ ହେଲା ମୁଁ ଫୁଲ ନେଇ ଫେରି ଆସୁଥିଲି ।ତାଙ୍କ ଘରେ ଚାବି ପଡିଥିଲା ।ଶୁଣୁ ଶୁଣୁ ଜଣା ପଡିଲା ଯେ କୁନମୁନ୍ ର ଗୋଟେ ଅପରେସନ୍ ଲାଗି ଦିଲ୍ଲୀ ଯାଇଛି । ଅପରେସନ୍ ପରେ ସେ ଭଲ ହୋଇ ଯିବ କାଳେ ।ସାଇ ପଡିଶା କୁନମୁନ୍ ର ଭଲ ହେବାକୁ ଅନେଇ ରହିଥିଲେ ।ଆମେ ଛୁଆ ମାନେ ଆଉ ତାଙ୍କ ଘର ପାଖକୁ ଯାଉ ନ ଥିଲୁ ଖେଳ ଛୁଟିରେ ।

ଦିନେ ଆମେ ସ୍କୁଲ୍ ରେ ଶୁଣିଲୁ କୁନମୁନ୍ ଫେରୁଛି ।ଏତକ ଶୁଣି କାହାର ଆଉ ପଢିବାର ଇଛା ନ ଥିଲା ।ଯେମିତି ଖାଇ ଛୁଟି ହୋଇଛି ନ ଖାଇ ଆମେ ମାନେ ଗୋଟେ ଡିଆଁ ରେ ତାଙ୍କ ଘର ପାଖରେ ପହଞ୍ଚି ଗଲୁ ।କେଉଁଠି ନା କେଉଁଠି ଆମେ କୁନମୁନ୍ କୁ ମନେ ମନେ ଖୁବ୍ ଖୋଜୁଥିଲୁ ବୋଧେ ।

କୁନ୍ ମୁନ୍ ଫେରି ଆସିଥିଲା କିନ୍ତୁ ଆଗଭଳି ଆଉ ଉଁ ଆଁ ହେଉ ନ ଥିଲା କି ଡେଉଁ ନ ଥିଲା ।ସେ ନୀରବରେ ଶୋଇଥିଲା ତାଙ୍କ ଦାଣ୍ଡ ପିଣ୍ଡାରେ ।ତା ମୁଣ୍ଡ ପାଖରେ କୁକୁରଟି ଖାଲି ଭୋ ଭୋ ହେଉଥିଲା ।ମାଉସୀ କାନ୍ଥକୁ ଢେରୀ ଆକାଶକୁ ଅନେଇ ରହିଥିଲେ ।ଆଉ କିଛି ଲୋକ ଏପଟ ସେପଟ ହେଉଥିଲେ ।

ଆମେ ମାନେ ସାହାସ କରି ତାଙ୍କ ଗେଟ୍ ଭିତରକୁ ପଶି ପାରି ନ ଥିଲୁ ।ଚୁପ୍ ଚାପ୍ ଠିଆ ହୋଇ ଥିଲୁ ବାହାରେ।ଆମ ପାଖରେ ଲୋକ ମାନେ କୁହା କୁହି ହେଉଥିଲେ ..କୁନମୁନ୍ କାଳେ ମରିଯାଇଛି ।

ଆମ ଭିତରେ କଥା ହେଉଥିଲୁ ..ଏ ମରିବାଟା କଣ??ସବୁଠୁ ଚାଲାକ୍ ପିଲାଟା କହିଲା ମରିବା ମାନେ ଦେହରୁ କଲିଜାଟା ଖସି ପଡିବା ।ଏବେ ଆମ ମନରେ ପୁଣି ଗୋଟେ ପ୍ରଶ୍ନ ଆସିଲା ..କୁନ୍ ମୁନ୍ ର କଲିଜା କେଉଁଠି ଖସିଥିବ??ଉତ୍ତର କାହାକୁ ଜଣା ନ ଥିଲା ।

ଆମେ ଫେରି ଆସିଥିଲୁ ନୀରବରେ।ତା ପରେ ଆମେ ଆଉ କେବେ ଫୁଲ ଚୋରି କରିବାକୁ ତାଙ୍କ ଘରକୁ ଯାଇ ନ ଥିଲୁ ।ଆମ ଭିତରେ ସେ ଆଗ୍ରହ ଆଉ ନ ଥିଲା ।କାହିଁକି ନ ଥିଲା ଏ କଥା ବି ଆମେ ଠିକ୍ ରେ ଜାଣି ନ ଥିଲୁ ।

କିଛି ଦିନ ପରେ ମୁଁ ପୁଣି ଫୁଲ ନେଇ ତାଙ୍କ ଘରକୁ ଗଲି ।ମାଉସୀ କହିଲେ ... ତୁ ଆଉ ଫୁଲ ଆଣିବୁନି ।ଆମ ଘରେ ଆଉ କେବେ ବି ପୂଜା ହେବନି ।ତାଙ୍କ କଥା ଶୁଣି ମୋତେ ଭାରି କାନ୍ଦ ଲାଗିଲା ।ସେମିତି ମୁହଁ ତଳକୁ କରି ଫୁଲ ଡାଲା ଧରି ମୁଁ ଫେରି ଆସିଲି । ଗେଟ୍ ପାଖରେ ହଠାତ୍ ମୋତେ ଶୁଭିଲା କୁନମୁନ୍ ର କଣ୍ଠ ...ଏଇ ଶୁଣ୍ ତ ...!!

ମୁଁ ପଛକୁ ବୁଲି ଅନେଇଲି ।କେହି ନ ଥିଲେ ।କଳା କୁକୁରଟି ମୋତେ ଜୁଳୁ ଜୁଳୁ ହୋଇ ଅନେଇଥିଲା ।ମୋଟେ ଭୁକି ନ ଥିଲା ସେଦିନ ।ଗେଟ୍ ପାଖରେ ଫୁଲଗୁଡିକ ବି ମୋତେ ଯେମିତି ଚାହିଁ ରହିଥିଲେ ।

ମୋତେ ଭାରି ଅଣନିଃଶ୍ୱାସୀ ଲାଗୁଥିଲା । ଆଖି ସାରା ଲୁହ ଥିଲା ।ମୁଁ ଏକ ମୁହାଁ ହୋଇ ଘରକୁ ଧାଇଁଲି ....।

କୁନ୍ ମୁନ୍ କାନ୍ଦିଲେ ମୁଁ ହସୁଥିଲି ।.ସେଦିନ ମୁଁ ଲୁଚେଇ ଲୁଚେଇ ଅନେକ କାନ୍ଦିଥିଲି।ଲାଗୁଥିଲା ମୋ କାନ୍ଦ ଦେଖି କୁନ୍ ମୁନ୍ କେଉଁଠି ବୋଧେ ନିଶ୍ଚୟ ହସୁଥିବ ।

-----Lucy -ଭଦ୍ରକ---

Chinmayee Barik

C/o-sashikanta Barik

Plot no -1572

Chintamaniswar, fishery lane

Budheswari colony

Bhubaneswar

Pin. 751006

Phone. .8895491339

ଫୁଲ ଡାଲା ପରିବା କୁକୁର

Rate the content


Originality
Flow
Language
Cover design

Comments

Post

Some text some message..