ଅଭୁଲା ଅତୀତ
ଅଭୁଲା ଅତୀତ
ପୁରୁଣା ସ୍ମୃତି ବେଳେ ବେଳେ ମନେ ପଡ଼ିଲେ ଇଛା ହୁଏ ଫେରି ଯିବାକୁ ଶୈଶଵକୁ ।ହୋଇ ଯାଆନ୍ତି କି ମୁଁ ଗୋଟେ ଛୋଟ ପିଲା ! କେତେ ଖେଳୁଥାନ୍ତି ଧୂଳି ଆଉ ବାଲିରେ ଲୁଚିଲୁଚିକା ବୋହୂ ଚୋରି ,କଣ୍ଢେଇ ବାହାଘର ଆଉ ସୀତା ଚୋରି ଖେଳ ..।
ଅପା ସହ କେତେ ଲଢେଇ ...ମା' ପାଖେ କେତେ ଅଳି ଅଝଟ ଆଉ ତା' ପଣତକାନିର ଆଶ୍ରା । ଆଜି ଏ ସବୁ ମୋ ଆଖିରେ ଯେମିତି ନାଚି ହୋଇ ଯାଉଛି । ଖରା ଛୁଟିରେ ସାଙ୍ଗ ସାଥୀ ସହ ବର ଓହଳରେ ଦୋଳି ଖେଳ , ବିଲରେ ଗାଇ ଚରାଇବା ,କଣ୍ଟେଇ କୋଳି ଖାଇବାର ମଜା ଆଉ ଗାଁ ପୋଖରୀରେ ମାଛ ଧରା ଆଉ ପହଁରିବାର ମଜା.... ଆଜି ଵି ସେ ସ୍ମୃତି ମାନସ ପଟରେ ଉଙ୍କି ମାରିଲେ ମୁଁ ଫେରିଯାଏ ମୋର ସେହି ଅତୀତ ପୃଷ୍ଠାକୁ । ବସରେ ବସି ଝରକା ଫାଙ୍କରେ ସବୁଜିମା ଭରା ଶସ୍ଯ କ୍ଷେତ କୁ ଅନାଇ ଅତୀତର ଗୌରବମୟ ଇତିହାସକୁ ମୁଁ ଖୋଜୁଥିଲି ।
ହଠାତ କାହାର ଡାକରେ ମୁଁ ଚମକି ଉଠିଲି ।
"ବାବୁ ଆପଣ ପରା ଏଇଠି ଓହ୍ଲାଇବେ" ହେଳ୍ପର୍ ମୋତେ ଡାକିବାରୁ ମୁଁ ପ୍ରକୃତିସ୍ଥ ହେଲି । ଓହ୍ଲାଇଲି ; ଜଗାଟା ଯଦିଓ ପୁରୁଣା, ମାତ୍ର ନୂତନତ୍ବର ରୂପରେଖରେ ଆଧୁନିକତାର ଛିଟା..।
ହଁ ଏଇଠି ଥିଲା ଶ୍ୟାମ କକାଙ୍କ ଚାହା ଦୋକାନ...କେତେ ଭିଡ଼ ଜମୁଥିଲା ଏଠି....ସକାଳ ସଂଧ୍ୟାରେ ରାଜନୀତିଠୁ ଆରମ୍ଭ କରି ପୁରାଣ ଭାଗବତ ସବୁ ପ୍ରକାର କଥାର ଆସର ଜମେ । ଶ୍ୟାମ କାକା ଏବେ ଵି ଦୋକାନରେ ବସିଛନ୍ତି...ପରିଣତ ବୟସରେ ଏକୁଟିଆ ସାହା ତାଙ୍କ ଅର୍ଦ୍ଧାଙ୍ଗିନୀ ମିଲି କାକୀ । ପୁଅଟି ତାଙ୍କର ରୋଡ accident ରେ ପିଲାଦିନରୁ ଆରପାରିକୁ.,ଝିଅକୁ ବିଭା ଦେଇ ଦେଇଛନ୍ତି ।
କନିକା..... ଡାକ ନାଁ କଇଁ । ମୋ ସାଙ୍ଗରେ ପାଠ ପଢୁ ଥିଲା ।ସେ ଶ୍ରେଣୀରେ ପ୍ରଥମ ..ଆଉ ମୁଁ ଦ୍ବିତୀୟ....।ମୋତେ ସେ ଭାଇ ବୋଲି ଡାକେ ...ଆଉ ମୁଁ ବି ତାକୁ ବହୁତ ଭଲ ପାଏ ।ଆମ ଘର ଲୋକ ମଧ୍ୟ ତାକୁ ଭାରି ଭଲ ପାଆନ୍ତି ।ଦେଖିବାକୁ ଯେମିତି ସୁଂଦର ...ରୂପ ଗୁଣରେ ତା' ପରି ଝିଅ ଆମ ଖଣ୍ଡମଣ୍ଡଳରେ ନାହାନ୍ତି ।ଗତ 2 ବର୍ଷ ତଳେ ତା'ର ବିବାହ ହୋଇଛି ଆଉ ତା'ର ସ୍ୱାମୀ ଶଶୀଭୂଷଣ ଜାପାନରେ ଏକ multinational କମ୍ପାନୀର m.d ।ଏବେ କଇଁ ସେଇଠି ରହୁଛି । ଶ୍ୟାମ କାକାଙ୍କୁ ଯାଇ ମୁଣ୍ଡିଆ ମାରିଲି.....କହିଲେ, "ଆରେ ଦେବୁ!! କେମିତି ଅଛୁ ? ମୁଁ ଭଲ ଅଛି ; ଆପଣ କେମିତି ଅଛନ୍ତି ??
ତୁ ଆଗ କହିଲୁ ; "ତୋ ବାପା, ବୋଉ କେମିତି ଅଛନ୍ତି ? "
"ସେମାନେ ଭଲ ଅଛନ୍ତି । ବାପାଙ୍କର ଟିକେ ଏବେ high pressure ତେଣୁ ତା' ପାଇଁ ମୋ ବୋଉର ଭାରି ଚିନ୍ତା " ମୁଁ ଉତ୍ତର ଦେଲି ।
ଆଉ ମିଲି ଖୁଡୀଙ୍କ ଖବର କ'ଣ ? ସେ ଏବେ କେମିତି ଅଛନ୍ତି ?
ସେ ଘରେ ଅଛି ।ଯା ତୁ ଦେଖା କରି ଆସିବୁ ।
ଚାଲି ଚାଲି ଆଗେଇଲି ସେହି ରାସ୍ତା ଦେଇ ଗାଁ ଅଭିମୁଖେ । ବାସ୍ତବରେ ଗାଁର ଚିତ୍ର ବଦଳିଯାଇଛି ।କଚ୍ଚା ରାସ୍ତା ନାହିଁ ...ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତା ସର୍ପିଳ ପଥ ଦେଇ ଲମ୍ବି ଯାଇଛି ।ରାସ୍ତାର ଦୁଇ ପାର୍ଶ୍ୱ ଵି ଏବେ ବଦଳି ଗଲାଣି । ଯଦୁ ଭାଇର ଛପର ଛାଉଣୀ ଚା ପାନ ଦୋକାନ ଏବେ ତାରିଣୀ ବିଟିଲ ଷ୍ଟଲ । ଏଇଟା ତ ଶ୍ୟାମ କାକାଙ୍କ ଘର । କାହିଁ ମିଲି ଖୁଡୀ ତ ଦେଖାଯାଉ ନାହାଁନ୍ତି ।ଏହି କଥା ଭାବି ଭାବି ଘର ଭିତରକୁ ପଶି ଯାଉ ଯାଉ 10 ବର୍ଷ ତଳ ଅତୀତରେ ହଜିଗଲି ।କଇଁ ଘରେ ପର୍ବପର୍ବାଣି ହେଉ ବା ନ ହେଉ ପ୍ରତି ଦିନ ମୁଁ ତାଙ୍କ ପରିବାର ସଦସ୍ୟ ଭଳି ରହୁଥିଲି । ସକାଳ ଜଳଖିଆ ଏଠି ତ ଦିପହର ଆମ ଘରେ ।କଇଁ ଓ ମୁଁ ଯେମିତି ଥିଲୁ ଗୋଟିଏ ଗଛର ଦୁଇଟି ଶାଖା । ମୋର ଭଉଣୀ ନ ଥିଲା ଆଉ ତା'ର ଭାଇ ହିଁ ମୁଁ ଥିଲି । ଆଜି ଵି ମୋର ମନେ ଅଛି ରାକ୍ଷୀପୂର୍ଣ୍ଣିମା ଦିନ ମୋ ବାଟ ଚାହିଁ ବସିଥିବ ମୋ ହାତରେ ରାକ୍ଷୀ ବାନ୍ଧିଵ ବୋଲି ।ଆଉ ମୁଁ ପହଁଚିଲେ ତା'ର ଖୁସି କହିଲେ ନ ସରେ । ଏବେ ଵି ଜାପାନରୁ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ମୋ ପାଈଁ ରାକ୍ଷୀ ପଠାଇଥିବ । ପ୍ରତିଦିନ ମୋ ସଂଗେ କଥା ହେବ । ବାପା ବୋଉଙ୍କ କଥା ପଚାରିଵ । ଆଉ ମୋ ବୋଉର ସେ ଜାହାନ । ତା ବାହାଘର ବେଳେ ମିଲି କାକୀ ନୁହଁ ମୋ ବୋଉ ତାକୁ ସଂପ୍ରଦାନ କରିଥିଲେ । ଆଉ ଜାପାନରୁ ଯେବେ ଆସିବେ ପ୍ରଥମେ ଆମ ଘରେ ଆସି ସେମାନେ ରହନ୍ତି ତା ପରେ ଯାଇ ଯେଉଁ କଥା । ଆଉ ମୋ ବୋଉ ଵି ମୋ ଠୁ କଇଁକୁ ବେଶୀ ଭଲ ପାଉଥିଲା । ଖୁଡିଙ୍କୁ ପ୍ରଣାମ କଲି ।ଆରେ ଦେବୁ ! କେତେବେଳେ ଆସିଲୁ ? ଖୁଡୀ ମୁଁ ଏବେ ପହଂଚିଲି ।
ଖୁଡୀ ମୋତେ ଭାରି ଭୋକ ହେଲାଣି ...କ'ଣ ଗଣ୍ଡେ ଖାଇବାକୁ ଦେଲ ।
ମୋ ପୁଅଟାର ମୁହଁ ଖରାରେ କଳା ପଡିଯାଇଛି ବୋଲି କହି ତାଙ୍କ ପଣତକାନିରେ ମୋ ମୁହଁ ପୋଛିଦେଲେ । ମୁଁ ଵି ମା'ର ପଣତ ତଳେ ନିଜକୁ ଆତ୍ମତୃପ୍ତିର ସ୍ୱାଦ ପାଇ ଚାଲିଥିଲି ।ମୋ ପୁଅ କେତେଦିନପରେ ଆସିଛି .. କହି ଖୁଡୀ ଖୁସିରେ ବିଭୋର ହୋଇ ଯାଉଥାନ୍ତି ।ମୋ ପାଈଁ ପଖାଳ ,ଶାଗ ଭଜା ,ବାଇଗଣ ପୋଡା଼ ବଡ଼ି ଚୁରା ବାଢ଼ି ଦେଇ ମୋତେ ନିଜ ହାତରେ ଖୁଆଇ ଦେଲେ । ଓଃ କି ଆତ୍ମତୃପ୍ତି .....ପଞ୍ଚ ତାରକା ହୋଟେଲର ଖାଦ୍ୟ ଵି ଖୁଡୀ ହାତ ତିଆରି ବ୍ୟଞ୍ଜନ ଆଗରେ ତୁଛ । ଖାଉ ଖାଉ ମୁଁ ଖୁଡ଼ିଙ୍କୁ କହିଲି ,"ଖୁଡୀ !! ତୁମେ ଆଉ କକା ଆଉ ଏଠି ରହିବା ଦରକାର ନାହିଁ । ତମ ଦୁଇ ଜଣଙ୍କୁ ନେଇଯିବା ପାଈଁ ମୁଁ ଆସିଛି ।"ଖୁଡୀ ପ୍ରତ୍ୟୁତ୍ତରରେ କହିଲେ , "ନା ରେ ପୁଅ! ତୋ କାକା ଆଉ ମୁଁ ଏ ଭିଟାମାଟି ଛାଡ଼ି କୁଆଡେ ଯିବୁନି ।ଏଇଠି ଆମ ଦୁହିଙ୍କର ସ୍ୱର୍ଗ ।"
"ଖୁଡୀ !ତୁମେ କ'ଣ ଯେ କୁହ ? ଆଚ୍ଛା କହିଲ ! ମୁଁ କ'ଣ ତୁମର କେହି ନୁହଁ ? ଆରେ ମୁଁ ପରା ଅଛି...ମୁଁ ଥାଉ ଥାଉ ତୁମକୁ କଣ ଏକା ଛାଡ଼ି ରହିପାରିଵି । କଇଁ ବାହାଘର ଠାରୁ ବାପା ବୋଉ କେତେଥର ତୁମକୁ କହିଲେଣି ଅଥଚ ତୁମ ଦୁହିଁଙ୍କର ଜିଦ ଏଇଠି ରହିବ ।ଆଉ ତୁମର ଯଦି କିଛି ଇଯାଏ ..." ।
''ଆରେ ମୋର କ'ଣ ହେବ ? ମୁଁ ତ ପୁରା ସୁସ୍ଥ ଅଛି '' ଖୁଡୀ କହିଲେ । ବେଳେବେଳେ ଏଇ ସମ୍ପର୍କ ବିଷୟରେ ଭାବି ଭାବି ନିଜେ ହଜିଯାଏ କେଉଁ ଏକ ଅନ୍ଧାରୀ ମୁଲକରେ ।
ଶ୍ୟାମ କକା ,ଖୁଡ଼ି ମୋ ନିଜ ରକ୍ତର ନୁହନ୍ତି ,କିନ୍ତୁ ସେମାନେ କାହିଁକି ଏତେ ନିଜର ନିଜର ଲାଗନ୍ତି । ତାଙ୍କ ଭଲପାଇବାରେ ଟିକେ ହେଲେ ଆବିଳତା ନାହିଁ । ଖୁବ କ୍ଵଚିତ ଲୋକଙ୍କ ସଂସ୍ପର୍ଶରେ ମୁଁ ମୋ ଜୀବନରେ ଏମିତି ଲୋକ ଦେଖିଛି । ଆମେ ମଣିଷ ଏ ବିଶ୍ୱର ଶ୍ରେଷ୍ଠ ଜୀଵ । କେତେ ରଙ୍ଗ ବିରଙ୍ଗ ଏ ଦୁନିଆରେ ରଙ୍ଗମୟ ଆମ୍ଭମାନଙ୍କର କାର୍ଯ୍ୟକଳାପ ଆଉ ଚିନ୍ତାଧାରା ।
ଶୈଶବର ସ୍ବର୍ନିମ ଅତୀତ କେତେ ସୁନ୍ଦର କେତେ ମିଠା କେତେ ନିଷ୍କପଟ ଥିଲା , ଠିକ୍ ପୂର୍ବପୁରୁଷଙ୍କ ପରି । ଆଉ ଆମେ ଯେତେ ବଡ଼ ହେଉଛୁ ଆମ ଭିତରେ ସେତେ ଅହଂ ,ସ୍ୱାର୍ଥପର ଭାବ ବିମଣ୍ଡିତ ହୋଇ ଚାଲିଛି ,ଠିକ୍ ଆଜିର ଆଧୁନିକ ଯୁବ ପୀଢ଼ିଙ୍କ ଭଳି । ବାସ୍ତବିକ ଯୁଗ ଦିନକୁ ଦିନ କେତେ ବଦଳିବାରେ ଲାଗିଛି । ସ୍ୱାର୍ଥ, ଛଳନାର ଛଦ୍ମବେଶ ଏବେ ସବୁବେଳେ ସମସ୍ତଙ୍କୁ ମୋହାବିଷ୍ଟ କଲାଣି ।
ସମୟର କରାଳ ସ୍ରୋତରେ ସବୁ ଧିରେ ଧିରେ ଅପସରି ଯାଉଛି ସତ ଅମାନବିକତା ଆଉ ପରଶ୍ରୀକାତରତା ସେତେ କବଳିତ କରୁଛି ।