Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -23
ଜହ୍ନମାମୁଁ -23
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.0K    11


Content Ranking

ମହାଭାରତ 3



ଏହି ସମୟରେ ଧୃତରାଷ୍ଟ୍ର ହସ୍ତକ୍ଷେପ କରି କର୍ଣ୍ଣଙ୍କୁ ଆଉ ଅଧିକ କିଛି କହିବାରୁ ନିବୃତ କରାଇଲେ ଓ ତାଙ୍କୁ ସାବଧାନ କଲେ ଯେ ଭୀଷ୍ମଙ୍କର କଥାରେ ସତ୍ୟତା ରହିଛି, ଯେ ଆମର ଶୁଭକାମନା କରି ଏପରି କହୁଛନ୍ତି । ତା’ପରେ ଦ୍ରୁପଦଙ୍କ ପୁରୋହିତଙ୍କୁ ଧୃତରାଷ୍ଟ୍ର କହିଲେ, “ମହାଶୟ, ମୁଁ ଏହି ବିଷୟରେ ଗୁରୁତ୍ୱର ସହ ଚିନ୍ତା କରିବି । ତା’ପରେ ସଞ୍ଜୟଙ୍କ ଦ୍ୱାରା ପାଣ୍ଡବମାନଙ୍କ ନିକଟକୁ ମୁଁ ମୋ ଉତ୍ତର ପଠାଇବି । ଆପଣ ଏଥର ନିଶ୍ଚିନ୍ତ ମନରେ ପ୍ରତ୍ୟାବର୍ତ୍ତନ କରନ୍ତୁ ।”

ଧୃତରାଷ୍ଟ୍ର ପୁରୋହିତଙ୍କୁ ସାଦରେ ବିଦା କରିବା ପରେ ସଞ୍ଜୟଙ୍କୁ ଡକାଇ ସେ କହିଲେ, “ସଞ୍ଜୟ, ତୁମେ ଯଥା ଶୀଘ୍ର ଉପପ୍ଲାବ୍ୟ ଅଭିମୁଖେ ଯାତ୍ରା କର । ଧର୍ମରାଜଙ୍କୁ ଭେଟି ତାଙ୍କ କୁଶଳ–ମଙ୍ଗଳ ସମ୍ଭାଷଣ କରିବ ଓ ବନବାସ ଅଜ୍ଞାତବାସ ନିର୍ବିଘ୍ନରେ ସମାପ୍ତ ହୋଇ ଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବ । ଶ୍ରୀକୃଷ୍ଣ ତଥା ଯୁଦ୍ଧରେ ସହାୟତା ଦେବା ପାଇଁ ଆସିଥିବା ଅନ୍ୟ ନରପତିମାନଙ୍କୁ ସବିନୟ ପ୍ରଣାମ କରିବ । ଆମମାନଙ୍କ ପାଇଁ ପାଣ୍ଡବଙ୍କୁ ଅନେକ କଷ୍ଟ ସହିବାକୁ ପଡିଲା । ସେମାନେ କେବେ ଆମକୁ କଷ୍ଟ ଦେବା ପରି କିଛି କାମ କରିଥିବାର ମୋର ତ କାହିଁ ମନେ ପଡୁ ନାହିଁ । ଧର୍ମରାଜ କ୍ରୋଧିତ ହୋଇ ଆମ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା କଳ୍ପନା କରିବା ମାତ୍ରେ ମୁଁ ଭୟରେ କମ୍ପି ଉଠୁଛି । ଭୀମ-ଅର୍ଜ୍ଜୁନ ମହାବୀର ଅଟନ୍ତି । ଯୁଦ୍ଧ କଳାରେ ତାଙ୍କର ସମକକ୍ଷ ଆଉ କେହିବି ହୋଇ ପାରିବେ ନାହିଁ । ତୁମେ ତାଙ୍କୁ କ’ଣ କହିବ, ସ୍ୱୟଂ ନିର୍ଣ୍ଣୟ କର । କେବଳ ମୋର ଏତିକି କାମନା ଯେ, ଏ ଯୁଦ୍ଧ ନ ହେଉ । ସେମାନଙ୍କୁ ତାହା ବୁଝାଇବା ତୁମର ଦାୟିତ୍ୱ ଅଟେ ।”

ସଞ୍ଜୟ ରଥରେ ବସି ଉପପ୍ଲାବ୍ୟଠାରେ ଯାଇ ପହଁଚିଲେ । ଧର୍ମରାଜଙ୍କୁ ସାକ୍ଷାତ କରି କୁଶଳଜିଜ୍ଞାସା ବିନିମୟ ପରେ ସମସ୍ତଙ୍କ ଉପସ୍ଥିତିରେ ସଞ୍ଜୟ ଏପରି କହିଲେ ।

“ଧୃତରାଷ୍ଟ୍ର ଶାନ୍ତି କାମନା କରୁଛନ୍ତି, ଏହି ସନ୍ଦେଶ ଆପଣମାନଙ୍କୁ ଦେବା ପାଇଁ ସେ ମୋତେ ଏଠାକୁ ପଠାଇଛନ୍ତି । ଯୁଦ୍ଧରେ କିଏ ବିଜୟୀ ହେବ, କିଏ ପରାଜିତ ହେବ, ତାହା ତ କେହିବି କହି ପାରିବେ ନାହିଁ । କିନ୍ତୁ ଏହା ସତ୍ୟ ଯେ, ଯୁଦ୍ଧ ଉଭୟ ପକ୍ଷ ନିମନ୍ତେ ହାନିକାରକ ଅଟେ । ପାଣ୍ଡବଙ୍କୁ ବଧ କରି ଅଥବା କୌରବଙ୍କୁ ବଧ କରି କେହି ରାଜ୍ୟପ୍ରାପ୍ତି ଏକ ଅନୁଚିତ କାର୍ଯ୍ୟ । ନିଜର ଆତ୍ମୀୟଙ୍କୁ ହତ୍ୟା କରିବା ଅପେକ୍ଷା ମରଣ ହିଁ ଶ୍ରେୟସ୍କର ଅଟେ । ମୋର ବିଶ୍ୱାସ ଏହି ଯେ ଉଭୟଙ୍କର ସଂଘର୍ଷ ଫଳରେ, ଯେଉଁ ପକ୍ଷ ମଧ୍ୟ ବିଜୟ ହାସଲ କରିବେ, ତାଙ୍କ ପାଇଁ ବିଜୟ ନିଷ୍ପ୍ରୟୋଜନ ମନେ ହେବ । ଏପରି ବିଜୟ କାହାରି ମନରେ ସୁଖ ଆଣିଦେବ ନାହିଁ । ପାଣ୍ଡବମାନେ ଧର୍ମପରାୟଣ କର୍ତ୍ତବ୍ୟନିଷ୍ଠ ଅଟନ୍ତି । ତେଣୁ ସେମାନେ ଧର୍ମ ପଥରୁ ହଟିଯାଇ ଏପରି ହୀନ ମାର୍ଗରେ କେବେବି ଯାତ୍ରା କରିବେ ନାହିଁ ବୋଲି ମୋର ବିଶ୍ୱାସ ହେଉଛି । ମୁଁ ଯୋଡହସ୍ତରେ ସମସ୍ତଙ୍କୁ ବିନୀତ ପ୍ରାର୍ଥନା କରୁଛି ଯେ, ଶାନ୍ତି ସ୍ଥାପନା ନିମନ୍ତେ ଆପଣମାନେ ସମସ୍ତେ ଅଙ୍ଗୀକାରବଦ୍ଧ ହୁଅନ୍ତୁ ।”

ସଞ୍ଜୟଙ୍କ କଥାର ପ୍ରତ୍ୟୁତ୍ତରରେ ଧର୍ମରାଜ ନିଜର ଅଭିପ୍ରାୟ ବ୍ୟକ୍ତ କରିବାକୁ ଯାଇ କହିଲେ, “ସଂଜୟ, ଯୁଦ୍ଧ ଯେ ଅନିର୍ବାଯ୍ୟ, ଏହା ଆମେ କଦାପି କହି ନାହୁଁ । ଶାନ୍ତି ସ୍ଥାପନାର ଆଳରେ ଯୁଦ୍ଧ କରିବା ପାଇଁ ବାହାନା ମଧ୍ୟ ମୁଁ ଲୋଡୁ ନାହିଁ । ଜଣେ ବୁଦ୍ଧିମାନ, ଅପବିତ୍ର ଆତ୍ମାଧାରୀ ମନୁଷ୍ୟ ନିଜ ସୁଖ ବିଷୟ ଚିନ୍ତା କରିବା ସମୟରେ ଅନ୍ୟମାନଙ୍କର ସୁଖ ସମ୍ବନ୍ଧରେ ଚିନ୍ତା କରିବା ବି ଉଚିତ୍ । ଅରଣ୍ୟରେ ଅଗ୍ନି ପ୍ରଜ୍ଜ୍ୱଳିତ କଲେ ନିଜକୁ ସେହି ବିପଦରୁ ଆଦୌ ତ୍ରାହି ମିଳିବ ନାହିଁ । ଦୁଷ୍ଟ ଦୁର୍ଯ୍ୟୋଧନକୁ ସମର୍ଥନ କରିବାକୁ ପଡୁଥିବା ସମୟରେ ଧୃତରାଷ୍ଟ୍ର କିପରି ବା ସୁଖୀ ରହୁଥିବେ? କପଟ ପଶା ଖେଳ ହେବା ଦିନଠାରୁ କୌରବଙ୍କର ବିନାଶ ଆରମ୍ଭ ହୋଇ ଯାଇଛି । କିନ୍ତୁ କୌରବଙ୍କର ସମସ୍ତ ଛଳନା କପଟତା ଭୁଲିଯାଇ ବନ୍ଧୁତାର ହାତ ବଢେଇବା ପାଇଁ ଆମେ ଏବେ ବି ପ୍ରସ୍ତୁତ । କିନ୍ତୁ ମୋତେ କେବଳ ଇନ୍ଦ୍ରପ୍ରସ୍ଥ ମିଳିବା ଦରକାର ।” ସଞ୍ଜୟ କହିଲେ, “ଧର୍ମରାଜ ଆପଣ ତ ସଦା ସର୍ବଦା ଧର୍ମପଥର ଅନୁଗାମୀ ହୋଇ ଆସିଛନ୍ତି । ତୁଚ୍ଛ ରାଜଭୋଗ ନିମନ୍ତେ ନିଜର ଏହି ପ୍ରସିଦ୍ଧିକୁ କାହିଁକି କଳଙ୍କିତ କରାଇବେ? ଏ ଯୁଦ୍ଧ ବିଚାର ନିଜ ମନରୁ ପରିତ୍ୟାଗ କରନ୍ତୁ । କାହିଁକିନା କୌରବଙ୍କଠାରୁ ରାଜ୍ୟ ଆଶା କରିବାହିଁ ବୃଥା । କିନ୍ତୁ ରାଜ୍ୟ-ପ୍ରାପ୍ତି ନିମନ୍ତେ ଯୁଦ୍ଧ ଅପେକ୍ଷା ଭିକ୍ଷା-ବୃତ୍ତି ଅଧିକ ଶ୍ରେୟସ୍କର ।”

ସଞ୍ଜୟଙ୍କର ଏପରି ବ୍ୟାଖ୍ୟାକୁ ଧର୍ମରାଜ ମୋଟେ ଗ୍ରହଣ କଲେ ନାହିଁ । ସେ ତାଙ୍କୁ ସ୍ପଷ୍ଟ ଭାବରେ ଜଣାଇ ଦେଲେ, “ବିପଦରୁ ମୁକ୍ତି ପାଇବା ନିମନ୍ତେ ଅଧର୍ମକୁ ମଧ୍ୟ ଧର୍ମର ସ୍ୱୀକୃତି ମିଳିଥାଏ । ତେଣିକି ଶ୍ରୀକୃଷ୍ଣ ଯାହା ଚାହିଁବେ, ତାହାହିଁ ମୋର ଧର୍ମ ।”

ଶ୍ରୀକୃଷ୍ଣ ସଞ୍ଜୟଙ୍କୁ କହିଲେ, “ସଞ୍ଜୟ, ତୁମେ ଶାନ୍ତି, ଶାନ୍ତି କହି ଏତେ ଭାଷଣ ଦେଉଛ । କ’ଣ ତୁମ ବିଚାରରେ ଯୁଦ୍ଧ କରିବା ଏକ ରାଜଧର୍ମ ନୁହେଁ? ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ବିପଥଗାମୀ ହୋଇ ଅଧର୍ମ ଆଚରଣ କରୁଛନ୍ତି । ପାଣ୍ଡବଙ୍କ ସମ୍ପତ୍ତି, ରାଜ୍ୟ ଅପହରଣ କରିବାରେ ଧର୍ମର, ନୀତିର ସ୍ଥାନ କେଉଁଠି? ଜଣେ ଚୋର ଓ ଦୁର୍ଯ୍ୟୋଧନ ଭିତରେ କିଛି ପ୍ରଭେଦ ଅଛି କି? କୌରବମାନଙ୍କଠାରୁ ରାଜ୍ୟ ଆଶା କରିବା ବୃଥା – କାହିଁକି? ପର ଧନ ପ୍ରତି ମୋହ, ହୀନ ପ୍ରବୃତ୍ତିର ପରିଚାୟକ ନୁହେଁ କି? ନିଜର ରାଜ୍ୟ ହାସଲ କରିବା ପାଇଁ ଯୁଦ୍ଧ କରି ମୃତ୍ୟୁ ବରଣ କଲେ ବି ତାହା ପାଣ୍ଡବଙ୍କ ପାଇଁ ଅଧିକ ଶାନ୍ତିପ୍ରଦ ହେବ । କୌରବମାନଙ୍କୁ ଏହି କଥା ସ୍ପଷ୍ଟ ଭାବେ ଜଣାଇ ଦେବ ।”

ସଞ୍ଜୟ ନିଜର ଦୋଷାଦୋଷ ନିମନ୍ତେ କ୍ଷମା ପ୍ରାର୍ଥନା କରି, ସମସ୍ତଙ୍କ ଠାରୁ ବିଦାୟ ମାଗିଲେ । ସେ ସ୍ଥାନ ପରିତ୍ୟାଗ କରୁଥିବା ସମୟରେ ଧର୍ମରାଜ କହିଲେ, “ସଞ୍ଜୟ, ଆମେ ମଧ୍ୟ ପ୍ରକୃତରେ ଶାନ୍ତି କାମନା କରୁଛୁ । ଯଦି ଧୃତରାଷ୍ଟ୍ର ଆମ ପରି ଶାନ୍ତି କାମନା କରୁଥାନ୍ତି, ତେବେ ତାଙ୍କୁ କହିବ ଯେ, ରାଜ୍ୟରୁ ଏକ ଅଂଶ ହେଉ ପଛକେ, ଆମକୁ ତାହା ଦେବେ । ଆମ ପାଞ୍ଚଜଣଙ୍କର ପାଂଚୋଟି ଗ୍ରାମ ହେଲେ ମଧ୍ୟ ଚଳିବ । କୁଶସ୍ଥଳ, ବୃକସ୍ଥଳ, ମାଳନ୍ଦୀ, ବାରୁଣାବତ ଓ ଅନ୍ୟ କେଉଁ ଏକ ଗ୍ରାମ ଆମକୁ ପ୍ରଦାନ କଲେ, ଆମେ ସଭିଏଁ ସୁଖରେ ରହି ପାରିବୁ । ମୁଁ ଯୁଦ୍ଧ ପାଇଁ ଯେତିକି ନୁହେଁ, ଶାନ୍ତି ପାଇଁ ତା’ଠାରୁ ଅଧିକ ବ୍ୟାକୁଳ ।”

ଏହି ସନ୍ଦେଶ ବହନ କରି ସଞ୍ଜୟ ଉପପ୍ଲାବ୍ୟ ପରିତ୍ୟାଗ କରି ହସ୍ତିନାପୁରୀ ଅଭିମୁଖେ ଯାତ୍ରା କଲେ ।

ମହାଭାରତ ଧୃତରାଷ୍ଟ୍ର ସମକକ୍ଷ

Rate the content


Originality
Flow
Language
Cover design

Comments

Post

Some text some message..