Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମା’ ସାନ୍ଧିଲିଙ୍କ କଥା
ମା’ ସାନ୍ଧିଲିଙ୍କ କଥା
★★★★★

© ଓଡିଆ ଶିଶୁ ଗପ

Children

5 Minutes   7.2K    9


Content Ranking

ଦିନେ ବର୍ଷାଋତୁ ସମୟରେ ମୁଁ ଜଣେ ବ୍ରାହ୍ମଣଙ୍କୁ ଅନୁରୋଧ କଲି, ତାଙ୍କ ସହିତ କିଛି ଦିନ ରହିବାପାଇଁ । କାରଣ ତାଙ୍କ ସହିତ ରହିଲେ ମୋର ଭଗବାନଙ୍କୁ ଧ୍ୟାନ କରିବାରେ କୌଣସି ଅସୁବିଧା ହେବ ନାହିଁ । ସେ ସଂଗେ ସଂଗେ ମୋ କଥାରେ ରାଜି ହୋଇ ମୋତେ ତାଙ୍କ ସହିତ ତାଙ୍କ ଘରକୁ ନେଇଗଲେ । ଦିନେ ବ୍ରାହ୍ମଣ ଜଣକ ମୋତେ କିଛି ତତ୍ୱବାଣୀ ଶୁଣାଉଥିବା ସମୟରେ ବ୍ରାହ୍ମଣଙ୍କ ପତ୍ନୀ ସେଠାରେ ଆସି ପହଁଚିଲେ । ବ୍ରାହ୍ମଣ ପତ୍ନୀଙ୍କୁ ସେଠାରେ ଉପସ୍ଥିତ ହେବାର ଦେଖି କହିଲେ, ‘ଆସନ୍ତାକାଲି ଏକ ମେଳା ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଭିକ୍ଷା ସଂଗ୍ରହ କରିବା ପାଇଁ ଏହା ଏକ ଉପଯୁକ୍ତ ସମୟ । ତେଣୁ ମୁଁ ଆସନ୍ତାକାଲି ସୂର୍ଯ୍ୟଦୋୟପରେ ଗ୍ରାମ ଅଭିମୁଖେ ବାହାରିଯିବି । ଯେଉଁ ବ୍ରାହ୍ମଣମାନେ ଏଠାକୁ ଆସିବେ, ତୁମେ ତାଙ୍କୁ କିଛି ଖାଦ୍ୟ ଦେଇ ସସମ୍ମାନେ ବିଦାୟ ଦେବ ।

ବ୍ରାହ୍ମଣଙ୍କର ପତ୍ନୀ ଏହା ଶୁଣି ସାରିବା ପରେ କହିଲେ, ‘ଆମ୍ଭେମାନେ ତ’ ଅତ୍ୟନ୍ତ ଦୟନୀୟ ଭାବେ କାଳାତିପାତ କରୁଛୁ । ମୁଁ କ’ଣ ଆଣି ସେମାନଙ୍କୁ ଆପ୍ୟାୟିତ କରିବି । ମୁଁ ତୁମର ହାତ ଧରିଛି ସତ, ହେଲେ ମୋ ଭାଗ୍ୟରେ ସୁଖ ନାହିଁ । ମୋପାଖରେ ଭଲ ଖାଇବାକୁ ନାହିଁ । ପିନ୍ଧିବାକୁ ଭଲ ଲୁଗାଟିଏ ମଧ୍ୟ ନାହିଁ । ଭଲ ଗହଣାଟିଏ ମଧ୍ୟ ନାହିଁ ବାହାରକୁ ପିନ୍ଧି ଯିବାକୁ । ବ୍ରାହ୍ମଣ ପତ୍ନୀଙ୍କର ଏହି କଥା ଶୁଣି ମନେ ମନେ ଦୁଃଖ ପ୍ରକାଶ କଲେ । ବ୍ରାହ୍ମଣ ଦୁଃଖ କରିବା ଦେଖି ପତ୍ନୀ କହିଲେ, ‘ମୋ ପାଖରେ କିଛି ଖସା ମଂଜି ଅଛି । ମୁଁ ସେହି ଖସା ମଂଜିରୁ ଚୋପାଛଡେଇ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ବ୍ରାହ୍ମଣମାନଙ୍କୁ ଭୋଜନ ଦେବି’ ।

ତହିଁଆରଦିନ ସକାଳୁ ବ୍ରାହ୍ମଣ ଭିକ୍ଷା ପାଇଁ ବାହାରିଗଲେ । ବ୍ରାହ୍ମଣୀ ପ୍ରଥମେ ସେହି ଖସା ମଂଜିକୁ ଗରମ ପାଣିରେ ଧୋଇ ପରିଷ୍କାର କଲେ । ଖସା ମଂଜିରୁ ଚୋପା ଛଡାଇ ତାକୁ ଖରାରେ ଶୁଖାଇଲେ । ଏହାପରେ ସେ ତାଙ୍କର ଗୃହକର୍ମରେ ବ୍ୟସ୍ତ ରହିଲେ । ଏହି ସମୟରେ କେଉଁଆଡୁ ଏକ କୁକୁର ଆସି ସେହି ଖସା ମଂଜି ଉପର ଦେଇ ଚଢି ଚାଲିଗଲା । ବ୍ରାହ୍ମଣଙ୍କ ପତ୍ନୀ ଏହା ଦେଖିବା ପରେ କହିଲେ, ‘ଭାଗ୍ୟ ସର୍ବଦା ମୋର ବିରୋଧାଚରଣ କରୁଛି । କେତେବେଳେ କେଉଁ ପ୍ରକାରର ଖେଳ ଖେଳୁଛି । ଠିକ୍ ଅଛି, ତା’ ହେଲେ ମୁଁ ପାଖ ପଡିଶା ଘରକୁ ଯାଇ କିଛି ଖସା ମଂଜି ନେଇ ଆସିବି, ବଦଳରେ ତାଙ୍କୁ ଏହି ଚୋପାଛଡା ମଂଜି ଗୁଡିକ ଦେଇଦେବି’ । ଏହା ଭାବି ସାନ୍ଧିଲି ପଡିଶା ଘରକୁ ଯିବାକୁ ବାହାରିଲେ । କିଛି ସମୟପରେ ସାନ୍ଧିଲି ପଡିଶା ଘରେ ପହଁଚି ତାଙ୍କୁ ଚୋପାଛଡା ଖସା ମଂଜି ବଦଳରେ କିଛି ଚୋପାଥିବା ଖସା ମଂଜି ଦେବାକୁ କହିଲେ । ପଡିଶାଘରର ସ୍ତ୍ରୀ ଲୋକ ଜଣକ ସାନ୍ଧିଲିଙ୍କ କଥାରେ ରାଜି ହୋଇ ଯାଇଥିଲେ । ଚୋପାଥିବା ଖସା ମଂଜି ଦେବାକୁ ବାହାରିଲା ବେଳକୁ ହଠାତ୍ ସ୍ତ୍ରୀ ଲୋକର ପୁତ୍ର ତାଙ୍କୁ ସେଥିରୁ ବାରଣ କରିବାକୁ ଯାଇ କହିଲା, ‘ମାଆ! ତୁମେ ଏପରି କର ନାହିଁ’ । ସାନ୍ଧିଲିଙ୍କର ଚୋପାଛଡା ଖସା ମଂଜି ବଦଳାଇବା ପଛରେ କିଛି କାରଣ ନିଶ୍ଚୟ ରହିଛି । ପଡିଶା ଘରର ପୁତ୍ରର ଏପରି କଥା ଶୁଣି ସାନ୍ଧିଲି ନିଜକୁ ଅପମାନିତ ମନେ କଲେ ଏବଂ ସଂଗେ ସଂଗେ ପଡିଶାଘର ଛାଡି ନିଜ ଘରକୁ ଫେରିଆସିଲେ ।

ଏହାପରେ ସନ୍ନ୍ୟାସୀ ସାଧୁଙ୍କୁ କହିଲେ, ‘ପ୍ରତ୍ୟେକ ଘଟଣା ପଛରେ କିଛିନା କିଛି କାରଣ ନିହିତ ରହିଥାଏ । ତେଣୁ ମୂଷା ମାନଙ୍କର ଏହି ଡେଇଁବା ପଛରେ ନିଶ୍ଚୟ କିଛି ଗୋଟାଏ କାରଣ ରହିଛି । ବର୍ତ୍ତମାନ ତୁମେ କହୁଚ, ସେମାନେ କେଉଁଠାରୁ ଆସୁଛନ୍ତି ତୁମେ ଜାଣି ନାହଁ । ସନ୍ନ୍ୟାସୀ କହିଲେ, ‘ତୁମ ପାଖରେ ଏକ ଗଇଁତି ଅଛି କି’? ସାଧୁ ‘ତାମ୍ରଚୂଡ’ କହିଲେ, ‘ହଁ’ ମୋ ପାଖରେ ଏକ ଲୁହା ଗଇଁତି ଅଛି । ସନ୍ନ୍ୟାସୀ କହିଲେ, ‘ଆସନ୍ତା କାଲି ସକାଳୁ ଆମ୍ଭେ ମୂଷା ମାନଙ୍କୁ ଅନୁସରଣ କରି କରି ତାଙ୍କ ଗାତ ନିକଟରେ ପହଁଚିବା ପରେ, ଆମେ ସେହି ଗାତକୁ ଖୋଳି ତା’ ମଧ୍ୟରୁ ସଂଚିତ ଖାଦ୍ୟକୁ ନେଇ ଆସିବା ।

ସନ୍ନ୍ୟାସୀ ଏବଂ ସାଧୁଙ୍କ କଥୋପକଥନ ଶୁଣିବା ପରେ ହିରଣ୍ୟକ ଚିନ୍ତାକଲେ, ‘ଏମାନେ ନିଶ୍ଚୟ ମୋ ଗାତ ନିକଟରେ ଆସି ପହଂଚିଯିବେ । ତେଣୁ ଭୟରେ ହିରଣ୍ୟକ ଥରିବାକୁ ଲାଗିଲେ । ସଂଗେ ସଂଗେ ଏହି ସମ୍ବାଦ ତାଙ୍କ ସାଥିମାନଙ୍କୁ ଜଣାଇଲେ । ହିରଣ୍ୟକ ମନେ ମନେ ଏକ କଥା ଚିନ୍ତା କଲେ । ଯଦି ପ୍ରତିଦିନ ଆସୁଥିବା ରାସ୍ତା ବଦଳାଇ ଅନ୍ୟ ଏକ ରାସ୍ତାରେ ଯିବା ଆସିବା କରିବି ତା’ହେଲେ ସନ୍ନ୍ୟାସୀ ଏବଂ ସାଧୁ ମୋ ରହିବା ସ୍ଥାନ ପାଇବେ ନାହିଁ । କିନ୍ତୁ ହଠାତ୍ ଏକ ବଣଭୂଆ, ଯିଏକି ଆମ ଗାତର ସମ୍ମୁଖରେ ଥିବା ଏକ ବୁଦା ମୂଳରେ ବାସ କରୁଥିଲା, ହଠାତ୍ ଆସି ଆମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ଆହତ କରିଦେଲା । ଏବଂ କେତେକଙ୍କୁ ମଧ୍ୟ ମାରି ଦେଲା । ସୌଭାଗ୍ୟବଶତଃ ଆମେ କେତେଜଣ ତାହା କବଳରୁ ବର୍ତିଗଲୁ । ଏବଂ ନିଜ ନିଜ ଗାତ ମଧ୍ୟକୁ ଭୟରେ ପଳାୟନ କଲୁ । ଆମେ ରହୁଥିବା ଗାତ ନିକଟରେ ମୃତ୍ୟୁବରଣ କରିଥିବା ମୂଷାମାନଙ୍କର ରକ୍ତ ପଡିଥାଏ । ତେଣୁ ଭାଗ୍ୟ ଯେତେବେଳେ ତୁମର ବିରୋଧାଚରଣ କରିବ, ସେତେବେଳେ ନାନା ପ୍ରକାର ବିପଦ ଦେଖାଦେବ । ଏହି ଦୁର୍ଘଟଣା ମୋ ମନରେ ଗଭୀର ଆଘାତ ଦେଇଥାଏ । କିଛି ସମୟପରେ ମୁଁ ଦେଖିବାକୁ ପାଇଲି ଯେ ସନ୍ନ୍ୟାସୀ ଏବଂ ସାଧୁ ରକ୍ତ ଚିହ୍ନକୁ ଦେଖି ମୋ ଗାତ ନିକଟକୁ ଆସୁଛନ୍ତି । ସଂଗେ ସଂଗେ ଦୁଇଜଣଯାକ ମୋ ଗାତକୁ ଖୋଳିବାକୁ ଲାଗିଲେ । କିଛି ସମୟ ଖୋଳିବା ପରେ ସଂଚିତ ଖାଦ୍ୟ ଗୁଡିକ ପାଇଲେ, ଏବଂ ମନ ଖୁସିରେ ଖାଦ୍ୟ ଗୁଡିକୁ ନେଇ ମନ୍ଦିର ଅଭିମୁଖେ ଚାଲିଗଲେ ।

ଏହାପରେ ମୁଁ ଗାତରୁ ବାହାରି ବାହାରକୁ ଆସିଲି । ଗାତ ଗୁଡିକ ଖୋଳା ହୋଇଥିବାର ଦେଖି ମୋତେ ବହୁତ ଦୁଃଖ ଲାଗିଲା । ମୁଁ କ’ଣ କରିବି, କଣ ନକରିବି, କିଛି ଚିନ୍ତା କରି ପାରିଲି ନାହିଁ । କେଉଁ ଆଡକୁ ଯିବି? କେଉଁ ସ୍ଥାନକୁ ଗଲେ ମୁଁ ମାନସିକ ଶାନ୍ତି ପାଇପାରିବି? ଏହିପରି ନାନାଦି କଥା ଚିନ୍ତା କରି ରାତିଟି ବିତାଇଦେଲି । ପରଦିନ ରାତିରେ ମୁଁ ମୋର ବନ୍ଧୁମାନଙ୍କୁ ନେଇ ପୁଣି ମନ୍ଦିର ଅଭିମୁଖେ ବାହାରିଲି । ତାମ୍ରଚୂଡ ଯେତେବେଳେ ଆମ୍ଭମାନଙ୍କର ଆସିବା କଥା ଜାଣିପାରିଲେ, ସଂଗେ ସଂଗେ କାଠି ସାହାଯ୍ୟରେ ଶବ୍ଦ କରିବା ଆରମ୍ଭ କଲେ । ସନ୍ନ୍ୟାସୀ କହିଲେ, ‘ତାମ୍ରଚୂଡ’! କାହିଁକି ପୁଣି ଶବ୍ଦ କରିବା ଆରମ୍ଭ କଲଣି । ଏସବୁ ବନ୍ଦ କରି ଯାଅ ଶୋଇପଡ । ସାଧୁ କହିଲେ, ‘ଦୁଷ୍ଟ ମୂଷା ଏବଂ ତାର ସାଥିମାନେ ପୁଣି ଏଠାକୁ ଆସିଲେଣି । ତେଣୁ ମୁଁ ଏପରି ଶବ୍ଦ କରୁଛି । ସନ୍ନ୍ୟାସୀ ହସି ହସି କହିଲେ, ‘କାହିଁକି ଏତେ ବ୍ୟସ୍ତ ହେଉଛ କହିଲ’? ମୂଷାମାନେ ସେମାନଙ୍କର ଖାଦ୍ୟ ହରାଇଥିବାରୁ ଏତେ ଦୂର ଡେଇଁବା ପାଇଁ ଶକ୍ତି ପାଇବେ ନାହିଁ । ପ୍ରତ୍ୟେକ ପ୍ରାଣୀଙ୍କଠାରେ ସମାନ ଅବସ୍ଥା ପରିଲକ୍ଷିତ ହୋଇଥାଏ । ହିରଣ୍ୟକ କହିଲେ, ମୁଁ ଯେତେବେଳେ ସନ୍ନ୍ୟାସୀ ଏବଂ ସାଧୁଙ୍କର ଏହି କଥୋପକଥନ ଶୁଣିଲି ମନେ ମନେ ବିରକ୍ତ ହୋଇ ପୁଣିଥରେ ଡେଇଁବାକୁ ଚେଷ୍ଟା କଲି । କିନ୍ତୁ ପାତ୍ର ରଖାଯାଇଥିବା ସ୍ଥାନ ପର୍ଯ୍ୟନ୍ତ ଡେଇଁ ନପାରି ପଡିଗଲି । ମୋର ପଡିଯିବା ଦେଖି ତାମ୍ରଚୂଡ ଏବଂ ସନ୍ନ୍ୟାସୀ ହସିବାକୁ ଲାଗିଲେ ।

ସନ୍ନ୍ୟାସୀ ଏବଂ ସାଧୁଙ୍କର କଥୋପକଥନ ମୋତେ ଠିକ୍ ଲାଗିଲା । ମୁଁ ମୋର ଖାଦ୍ୟ ହରାଇ ଶକ୍ତିହରା ହୋଇ ପଡିଥିଲି, ଠିକ୍ ଯେମିତି ଧନିକ ଟିଏ ତା’ର ଧନ ହରାଇ ସର୍ବସ୍ୱାନ୍ତ ହୋଇଯାଏ । ମୁଁ ସେଠାରେ ଥିବା ସମୟରେ ଦେଖିବାକୁ ପାଇଲି ତାମ୍ରଚୂଡ ମୋ ଖାଦ୍ୟକୁ ଏକ ଛୋଟ ମୁଣା ମଧ୍ୟରେ ରଖି ତାଙ୍କ ତକିଆ ତଳେ ରଖିଛନ୍ତି । ଏହା ଦେଖି ମୁଁ ବ୍ୟତିବ୍ୟସ୍ତ ହୋଇପଡିଲି । ଏହାପରେ ରାତିପାହି ସକାଳ ହେଲା । ମୁଁ ମୋ ନିଜ ସ୍ଥାନକୁ ଫେରି ଆସିଲି । ମୋର ବନ୍ଧୁମାନେ ମୋତେ ଦେଖିବା ମାତ୍ରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବାକୁ ଲାଗିଲେ । ସେମାନେ କହୁଥାନ୍ତି ହିରଣ୍ୟକ ଆମର ରାଜା ହେବା ପାଇଁ ଅଯୋଗ୍ୟ । ଯେଉଁ ରାଜାଙ୍କ ନିକଟରୁ ଆମେ କୌଣସି ସୁବିଧା ପାଇ ପାରିବା ନାହିଁ ତାଙ୍କଠାରୁ ଦୂରେଇ ଯିବା ବରଂ ଭଲ । ମୁଁ ଏସବୁ କଥା ଶୁଣି ସାରିବା ପରେ ଗାତ ମଧ୍ୟକୁ ମନଦୁଃଖରେ ଗଲି । ମୋ ପାଖକୁ ମୋର ବନ୍ଧୁମାନେ କେହି ଆସିଲେ ନାହିଁ । ମୁଁ ସେତେବେଳେ ଚିନ୍ତା କଲି, ଧନ ବିନା ମଣିଷର ଜୀବନ, ବିବାହ ପରେ ସନ୍ତାନହୀନତା ସବୁକିଛି ନିରର୍ଥକ । ମୋ ଅବସ୍ଥା ବର୍ତ୍ତମାନ ଠିକ୍ ସେହିପରି । ମୋର ବନ୍ଧୁମାନେ ଅନ୍ୟ ଏକ ରାଜା ଠିକ୍ କରିବାକୁ ଚାହିଁଲେ । ମୋର ଅଯୋଗ୍ୟପଣକୁ ନେଇ ନାନାଦି ଥଟ୍ଟା ପରିହାସ ଆରମ୍ଭ କଲେ ।

ବନ୍ଧୁମାନଙ୍କ ନିକଟରୁ ଅପମାନିତ ହୋଇ ଦିନେ ସଂନ୍ଧ୍ୟାରେ ଠିକ୍ କଲି, ଯେତେବେଳେ ସାଧୁ ଗଭୀର ନିଦରେ ଶୋଇପଡିବେ, ସେହି ସମୟରେ ମୁଁ ମନ୍ଦିର ମଧ୍ୟକୁ ପ୍ରବେଶ କରିବି । ଧୀରେ ଧୀରେ ତକିଆକୁ ଖସାଇ ତାହା ମଧ୍ୟରୁ ମୋ ଖାଦ୍ୟକୁ ନେଇ ଆସିବି । ଏହାପରେ ମୋର ବନ୍ଧୁ, ଅନୁଚରମାନେ ପୁନର୍ବାର ମୋତେ ସମ୍ମାନ ପ୍ରଦର୍ଶନ କରିବେ । ଏହା ଚିନ୍ତାକରି ମୁଁ ମନ୍ଦିର ମଧ୍ୟକୁ ପୁନର୍ବାର ପ୍ରବେଶ କଲି । ସାଧୁଙ୍କ ତକିଆ ତଳୁ ମୋ ଖାଦ୍ୟ ମୁଣାକୁ ଟାଣିବା ସମୟରେ ହଠାତ୍ ସାଧୁଙ୍କର ନିଦ୍ରା ଭଙ୍ଗ ହେଲା । ସେ ସଂଗେ ସଂଗେ ସେହି ବାଉଁଶ କାଠି ସାହାଯ୍ୟରେ ଶବ୍ଦ କରିବା ଆରମ୍ଭ କଲେ । ମୁଁ ସେହି ସମୟରେ ସେଠାରୁ ଆସି ଚିନ୍ତାକଲି ଭାଗ୍ୟ ବା ନିୟତି ଯାହାକୁ ଯାହା ଦାନ କରିଥିବ ତାକୁ ଅନ୍ୟ କେହି କୌଣସି ପ୍ରକାରେ ନିଜ ଅକ୍ତିଆର ମଧ୍ୟକୁ ଆଣିପାରିବ ନାହିଁ ।

ଏହି କଥା ଶୁଣି କୁଆ ଏବଂ କଇଁଛ ହିରଣ୍ୟକଙ୍କୁ ଭାଗ୍ୟ ବା ନିୟତି ବିଷୟରେ କହିବାକୁ କହିଲେ । ହିରଣ୍ୟକ ଏହି ସମ୍ବନ୍ଧରେ ଏକ କାହାଣୀ କହିବାକୁ ଆରମ୍ଭ କଲେ ।

ବର୍ଷା ବ୍ରାହ୍ମଣ ସାଧୁ

Rate the content


Originality
Flow
Language
Cover design

Comments

Post

Some text some message..