ଚଢା ଗଳାର ଅଭୁଲା ଯନ୍ତ୍ରଣା
ଚଢା ଗଳାର ଅଭୁଲା ଯନ୍ତ୍ରଣା
ଚଢା ଗଳାର ଅଭୁଲା ଯନ୍ତ୍ରଣା
ସେଦିନ କେଶବବାବୁ ଚୁପ୍ଚାପ୍ ପିଣ୍ଢାରେ ବସି ରହିଥାନ୍ତି। ନାତି ଟୁକୁନା ଆସି କହିଲା- "ଜେଜେବାପା, ଆଜି କାହିଁକି ମନ ଦୁଃଖରେ ବସି ରହିଛ ? ଆସ, ଦାଣ୍ଡଆଡେ ବୁଲିଯିବା ।" ଜେଜେ କହିଲେ- "ନାହିଁ, ଆଜି କାହିଁକି ମୋ ବାପାଙ୍କ କଥା ଭାରି ମନେପଡୁଛି । ତୁ ଆସେ, ମୋ ପାଖରେ ବସ । ମୁଁ ଗୋଟିଏ କାହାଣୀ କହିବି ।"
ସେଦିନ ମୋ ମାଙ୍କର ଦଶଦିନ କ୍ରିୟା ହେଉଥିଲା । ବାପା, ମାଙ୍କ ବିୟୋଗରେ ଦୁଃଖରେ ବ୍ୟଥିତ ହୋଇପଡିଥାନ୍ତି । ପୁରୁଣା ବନ୍ଧୁବାନ୍ଧବମାନେ ଆସି ଅନେକେ ବେଭାର ଦେଇ ପଲାଇ ଯିବାପାଇଁ ବ୍ୟାକୁଳ । ମୁଁ ଏଣେ ଖନ୍ଦାଶାଲରେ କ'ଣ ଭୋଜିଭାତ ରୋଷେଇ ହେବ ବୋଲି ବ୍ୟସ୍ତ । ବାପା ଏଣେ ବଡପାଟିରେ ଡାକ ଛାଡିଲେ- "ଆରେ ପୁଅ କୁଆଡେ ଗଲୁ ? ମୋ ମାଉସୀପୁଅ ମୋତେ ବେଭାର ଦେଇ ପଲାଇ ଯିବାକୁ ବସିଲାଣି । ତା'ର ଖାଇବାପିଇବା କଥା କ'ଣ ବୁଝେ ।" ମୁଁ ବ୍ୟସ୍ତତା ମଧ୍ୟରେ ଟିକେ ମାନସିକ ସନ୍ତୁଳନ ରକ୍ଷା କରି ନପାରି କହିଲି- "ମଲା, ଯେଉଁ ବନ୍ଧୁବାନ୍ଧବମାନେ ଏହି ଅସମୟରେ ମୋ ଦୁଆରକୁ ଆସୁଛନ୍ତି, ସେମାନେ ମୋତେ ଏ କାମରେ ସାହାଯ୍ୟ ସହଯୋଗ କରିବା କଥା । ଆସିକରି ବେଭାରଟା ଫୋପାଡି ଦେଇ ପଲାଇ ବସିଲେ ମୁଁ କ'ଣ କରିବି ? ତାଙ୍କୁ କୁହ, ଟିକେ ଅପେକ୍ଷା କରିବେ । ମୁଁ ସର୍ବତ ନେଇ ଯାଉଛି ।" ସେ ବନ୍ଧୁ ଅପେକ୍ଷା ନକରି ଚାଲିଗଲେ । ମୁଁ ବାପାଙ୍କ ପାଖକୁ ଆସି ଦେଖେ ସେ ଆଖିରୁ ଦୁଇଧାର ଲୁହ ଗଡାଇ ବସିଛନ୍ତି । ମୁଁ କାରଣ ପଚାରିବାରୁ ମୋର ଭିଣୋଇ କହିଲେ- "ତୁମେ କ'ଣ ବାପାଙ୍କୁ କଡା କଥା କହିଲ, ତାହା ତାଙ୍କୁ ବାଧିଛି । ତେଣୁ ସେ କାନ୍ଦୁଛନ୍ତି ।"
ମୁଁ ପରେ ଅନୁତାପ କଲି । ଚଢା ଗଳାରେ ତାଙ୍କ ସହ କଥା କହିବା ମୋର ଭୁଲହୋଇଛି ବୋଲି ସ୍ଵୀକାର କଲି । କିନ୍ତୁ ଯେଉଁ ଦୁଃଖ ତାଙ୍କ ମନରେ ସେହି ସମୟରେ ଦେଲି ତାହା ଆଉ ଫେରାଇ ଆଣିପାରିଲି ନାହିଁ । ମୋ ବାପା ଏବେ ଇହଧାମରେ ନାହାନ୍ତି । କିନ୍ତୁ ଯେତେବେଳେ ତାଙ୍କର ଫଟୋଟି ଦେଖେ ସେତେବେଳେ ମୁଁ ମୋ ଚଢା ଗଳାର ଯନ୍ତ୍ରଣାରେ ଏବେ ବି ଛଟପଟ ହୁଏ ।
ଓହୋ ଜେଜେବାପା- "ସେଥିପାଇଁ ଆମ ସାର କହନ୍ତି, ଗୁରୁଜନଙ୍କ ସହ ସବୁବେଳେ ବିନମ୍ର ଭାବରେ କଥାହେବା ଉଚିତ୍ । ଚଢା ଗଳାରେ କଥା ହେବା ଯନ୍ତ୍ରଣା ଦାୟକ।