Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଠାକୁର ଘର
ଠାକୁର ଘର
★★★★★

© Biswa Bharati Dash

Inspirational Abstract Others

4 Minutes   7.1K    13


Content Ranking

ବହୁତ୍ ଶାନ୍ତି ମିଳେ ଯେତେବେଳେ ବାପା ଠାକୁର ପୂଜା କରନ୍ତି , ମନ୍ତ୍ର ପଢ଼ନ୍ତି , ଗୀତା ପାଠ କରନ୍ତି ଘଣ୍ଟି ବଜାଇ ସାରା ଘରଟିକୁ ଏକ ଭକ୍ତି ର ବାତାବରଣରେ ଭରି ଦିଅନ୍ତି । ଯେଉଁ ଦିନ ସେ ଶୀଘ୍ର ବାହାରି ଯାଆନ୍ତି ଡ୍ୟୁଟିକୁ , ମୋତେ ସେଇ ଦାୟିତ୍ୱ ଦେଇ ଯାଆନ୍ତି । ମୁଁ ସେଇ ମଉକାରେ ଥାଏ ସବୁବେଳେ । ମୋତେ ପୂଜା କରିବାକୁ , ଠାକୁରଙ୍କୁ ସଜାଇ ବାକୁ ଖୁବ୍ ପସନ୍ଦ । ଆମେ ଏତେ ସଜବାଜ ହେଉଛୁ ,ତାଙ୍କୁ ବି ତ ଇଚ୍ଛା ହେଉଥିବ ନା ? ଏୟା ଭାବେ ମନେମନେ । ବାସ୍ ସେ ନିଜ ହାତରେ କରି ପାରୁ ନାହାନ୍ତି ,ତେଣୁ ଆମକୁ ତ ସଜେଇ ଦେବାକୁ ପଡ଼ିବ ନା ! ଆଉ ସେଇ ପୂଜା ସମୟରେ ସେମାନଙ୍କ ସହ ବହୁତ୍ କଥା ହୁଏ । ଓଃ ଏତେ ଫେରାଦି କରନ୍ତି ମୋତେ ! ମୁଁ ସେମାନଙ୍କୁ ଆଶ୍ବାସନା ଦେଇ ପୂଜା ସାରେ । ସେମାନଙ୍କ ସହ ମୋର କିନ୍ତୁ ଖୁବ୍ ଭାବଦୋସ୍ତି ! ବୋଉର ହଜାରେ ପୂଜା ପର୍ବ । କିନ୍ତୁ ଆମେ ଖୁବ୍ ଖୁସି ହେଉ ନାନା କିସମର ଖାଇବା ପ୍ରସ୍ତୁତ ହୁଏ ବୋଲି ! ମୋତେ ଏସବୁରେ ଭାରି ମନ ସଜଡା ସଜଡି କରି ବୋଉକୁ , ସାହାଯ୍ୟ କରିବାକୁ ! 

ପାଗଳାଟା ଏ , ସେ ବା କ'ଣ ବୁଝେ ! କିନ୍ତୁ ମୋ ବୋଉ ଥିଲା ଟିକେ ଅଲଗା । ସମସ୍ତଙ୍କ କଥାରେ କିଛି ନା କିଛି ମୂଲ୍ୟ ଥାଏ ବୋଲି କହେ । ହେଲେ ବୁଝିପାରେନି , ସେ ସମସ୍ତଙ୍କୁ ଏତେ ନିରେଖି ଦେଖି ପାରେ କେମିତି ! ହୁଏତ ସେଥିପାଇଁ ତା ହାତରୁ ଖାଇବା ପାଇଁ ଠାକୁରମାନଙ୍କ ଭିଡ଼ ଆମ ଘରେ ଲାଗିରହିଥାଏ ସପ୍ତାହ ସାରା । ଜଣେ ଆସେ ମଙ୍ଗଳବାର ଦିନ , ଜଣେ ଆସେ ଶନିବାର ଦିନ ,ଆଉ ଏମିତି କେତେ କିଏ ମାଗିବାକୁ ଆସନ୍ତି ଶୁଙ୍ଘି ଶୁଙ୍ଘି ଆମରି ପିଣ୍ଡା ପାଖକୁ ।କହନ୍ତି ମୋ ବୋଉ ହାତରେ ଲକ୍ଷ୍ମୀ ଅଛନ୍ତି। ଯାହା ଖାଇଲେ ପେଟପୁରିଯାଏ ! ଏ ପାଗଳାଟା କିନ୍ତୁ ଆସେ ଯେ କୌଣସି ସମୟରେ , ବାସ୍ ଆସିଲେ ଆସନଟେ ମାଗେ ବସିବାକୁ , ଆଉ କହେ ମା'ଙ୍କୁ କହ ଠାକୁର ଆସିଛନ୍ତି ! ଆମେ ସବୁ ହସିଦଉ । ହେଲେ ବୋଉ କହେ ସେମିତି ହସିବନି ରେ , ଭଗବାନ୍ କେତେ ବେଳେ ବି କେଉଁ ରୂପରେ ଆସି ପହଞ୍ଚି ଯିବେ ଆମ ନିକଟରେ , ଆମକୁ ଜଣା ପଡେନା । ଖାଇବା ଆଗରୁ ଆମକୁ ବହୁତ୍ କଥା ଗପେ । ତା' ଭିତରୁ କିଛି କଥା ବୋଉ ଗ୍ରହଣ କରି ଆମକୁ ଶିଖାଏ । ଗୋଟିଏ କଥା ଆମେ ଆଜିଯାଏ ଅବଶ୍ୟ କରୁଛୁ , ସେ କହିଥିଲା , "ସକାଳୁ ଉଠି ଆଗ ବାପାମା ଙ୍କୁ ପ୍ରଣାମ୍ କରିବ । କାରଣ ତାଙ୍କରି ପାଇଁ ତୁମେ ଏଇ ଜୀବନଟିଏ ଧାରଣ କରିଛ । ବାପା ଦିନସାରା କାମ କାର୍ଯ୍ୟ ସାରି ଫେରିବା ବେଳକୁ ମନ ତାଙ୍କର କେମିତି ଥିବ ଜାଣିନ । ମା ଦିନତମାମ୍ ଖଟିଖଟି ହାଲିଆ ହୋଇ ଥିବ । ସକାଳୁ ମନ ପରିଷ୍କାର ଥାଏ ଏ ସାରା ଜଗତର ସଚରାଚର ସମସ୍ତଙ୍କର । ତେଣୁ ପ୍ରାତଃ ପ୍ରଣାମ୍ ଚଉଦ ବ୍ରହ୍ମାଣ୍ଡ ଘୁରିଆସିବା ସହ ସମାନ୍ । ଭଗବାନ୍ ତ ସର୍ବତ୍ର ବିଦିତ , ତେବେ ଘର ଭିତରେ ତାଙ୍କୁ ଗୋଟିଏ ଜାଗାରେ ବାନ୍ଧି ରଖା ଯାଏ କାହିଁକି ? ହଁ ତାଙ୍କୁ କେବଳ ତୁମ ନିଜ ହୃଦୟରେ ବାନ୍ଧି ରଖ । ସେତିକି ହିଁ ଯଥେଷ୍ଟ ! ଆଉ ହଁ ପ୍ରଣାମ୍ କରି ସେ ଉଠ୍ କହିଲେ ଉଠିବ । କାରଣ ଜୀବନରେ ଉନ୍ନତି ପାଇଁ ଉଠିବା ନିହାତି ଦର୍କାର୍ । ବସି ରହିଲେ ଆଗକୁ ବଢ଼ି ପାରେନି କେହି । ଯେବେ ବାହାରେ ରହିବ ବାପାମା ଙ୍କ ଠୁ ଦୂରରେ , ସେଠି ବି ତାଙ୍କ ଫଟୋ କୁ ସକାଳୁ ଉଠି ପ୍ରଥମ ପ୍ରଣାମ୍ ଟିଏ ଦେବରେ ପିଲେ । ଦେଖିବ ଜୀବନରେ କୌଣସି ଦୁଃଖ ତୁମକୁ ସ୍ପର୍ଶ କରିପାରିବ ନାହିଁ କେବେ । " ଆମେ ଟିକେ ଫିକ୍ ଫିକ୍ ହସିଦେଲୁ ଚୁପ୍ ଚାପ୍ । ବୋଉ ତ ଆମର କମାଣ୍ଡର୍ , ତେଣୁ ନିୟମଟା ଲାଗୁହୋଇଗଲା ତା ପରଦିନଠୁ । ପ୍ରଥମେ ପ୍ରଥମେ ଭାରି ଅଡ଼ୁଆ ଲାଗିଲା , ତାପରେ ଆଦତ୍ ରେ ପଡ଼ି ଗଲା ଆଜିଯାଏ ମଧ୍ୟ ଅଛି !

ବାପା ବୋଉ ଥିଲେ ଖୁବ୍ ଈଶ୍ୱର ବିଶ୍ୱାସୀ । ତେଣୁ ବହୁତ୍ ଶାନ୍ତି ର ବାତାବରଣରେ ଆମେମାନେ ତ ବଢ଼ି ଆସିଲୁ ! ସକାଳ ସଂଧ୍ୟା ପ୍ରାର୍ଥନା ନିହାତି କରୁଥିଲୁ ସେଥିପାଇଁ ହୁଏତ ଆମେମାନେ ବି ଖୁବ୍ ସୁସ୍ଥ ଜୀବନଚର୍ଯ୍ୟାରେ ଥିଲୁ । ଅବଶ୍ୟ ଏସବୁ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହିଁ ସବୁବେଳେ ଉତ୍ତମ ମନେହୁଏ,ତାହା ହେଲା ଆମ ଠାକୁର ଘର । ଯେମିତି ସ୍କୁଲର ପଢା ସମୟ ତକ । ତାହା ଏକ ସଂସ୍କାର ଓ ଅନୁଶାସନ ଅଟେ । ଶ୍ରେଣୀ ଗୃହରେ ପଢ଼ିବା ଖେଳ ସମୟରେ ଖେଳିବା ଓ ଖାଇବା ସମୟରେ ଖାଇବା , ଏ ସମସ୍ତ ଏକ ପ୍ରକାର ଅନୁଶାସନ ରେ ବନ୍ଧାଥିବା ଧାରା । ଧୀରେ ଧୀରେ ଯୁଗ ବଦଳିଛି ଓ ବଦଳୁଛି ମାନସିକତା । ତେଣୁ ଆଜିକାଲି ଠାକୁରଙ୍କ ସ୍ଥାନ ବି ବଦଳି ଗଲାଣି । ଗଳିକନ୍ଦିରେ ଠାକୁରଙ୍କ ଆବିର୍ଭାବ ଦେଖି ଲୋକେ ନିଜ ଘରେ ସ୍ଥାନ ଦେବାକୁ ଆଉ ଉଚିତ୍ ମନେ କରୁନାହାନ୍ତି । ବାସ୍ ଦୟାର ପାତ୍ର ସେ ହୋଇଯାଇଛନ୍ତି ଏବେ । ବାସ୍ ଗୋଟିଏ କପ୍-ବୋର୍ଡ ରେ ତାଙ୍କର ସ୍ଥାନ ବହୁତ୍ । 

ଏବେ ଯେବେ ପୂଜା କରେ , ସେଇ କଥା ଭାବେ । ଏକଥା ସତ ଯେ , ଭଗବାନଙ୍କୁ କେହି ଦେଖି ନାହାଁନ୍ତି , ସେ ଏକ ଅନୁଭବ ମାତ୍ର ! ହେଲେ ସେଇ ଅନୁଭବ ହିଁ ବହୁତ୍ କିଛି ! କିନ୍ତୁ ଯେଉଁ ଅନୁଭବକୁ ଆଖିଆଗରେ ଦେଖି ହୁଏ ତାକୁ ଭଗବାନ୍ ବୋଲି ମାନିବାକୁ ଆମେ ଅରାଜି ! ଘରଟିଏ ରେ ଠାକୁର ଘରର ଆବଶ୍ୟକତା ଯେମିତି , ଜୀବନରେ ବାପାମା ଙ୍କ ପାଇଁ ସ୍ଥାନ ଟିଏ ଠିକ୍ ସେମିତି , ଖୁବ୍ ଜରୁରୀ । ସେଇଟା କେବଳ ଆମ ହୃଦୟ ମନ୍ଦିର । ସେଇଠି ହିଁ ଆମେ ସବୁ ଭଗବାନଙ୍କୁ ଦର୍ଶନ କରି ପାରିବା । ଆଖି ମୁଜି ଦେଲେ ମୋତେ ଆମ ଠାକୁର ଘରର ସେଇ ଟଗର ଫୁଲରେ ଭରା ସଜେଇ ହୋଇ ବସିଥିବା ଆଖି ଗୁଡ଼ିକ ଜଳଜଳ ଦିଶନ୍ତି । ଆଉ ବାପାଙ୍କ ଗୀତା ପଢା, ଘଣ୍ଟି ବଜା , ବୋଉ ର ଝୁଣା ଧୂଆଁ , ଆଃ , ସେଇ ବାସ୍ନା ସେଇ ମହକ ଏବେ ବି ଆସିଯାଏ ନାକ ପର୍ଯ୍ୟନ୍ତ । ସତରେ , ଠାକୁରଙ୍କୁ ନୁହେଁ , ଆମକୁ ଠାକୁର ଘରର ଆବଶ୍ୟକତା ନିଶ୍ଚିତ ଅଛି । ଏବେ ବି ଭାବୁଛି, ଏଇ ହୃଦୟ ଭିତରେ ଠାକୁର ଘରଟେ ଅଛି କି ନାହିଁ , ଏ ସଚଳାଚଳ ଠାକୁରଙ୍କ ପାଇଁ ! ସତ କଥା ତ ! ପାଗଳମାନଙ୍କର ମୁହଁରୁ ବି ବହୁତ୍ ମୂଲ୍ୟବାନ କଥା ବାହାରି ଆସେ ଥରେଥରେ , ହେଲେ ଛାଣି ପାରିଲେ ହେଲା ! 

✍️ ବିଶ୍ବ ଭାରତୀ ଦାଶ୍ । କଟକ ।

ଠାକୁର ଘର ବାପା ପୂଜା ଶାନ୍ତି

Rate the content


Originality
Flow
Language
Cover design

Comments

Post

Some text some message..