ପଥର
ପଥର
"ପିଲାଟା ମୋ'ର ମାସେ-ଦି'ମାସ ନୁହେଁ,ପୁରା ଦି'ବର୍ଷ ପରେ ଆସୁଛି।ଭଲମନ୍ଦ ଟିକେ ତୁଣ୍ଡରେ ବାଜୁନି ତା'ର ବର୍ଷ ବର୍ଷ ଧରି। ଘରେ ପାଦ ଦଉ ଦଉ ରୋଷଘରକୁ ଧାଇଁ ଆସି ପଚାରିବ ;ଖାଇବା କଣ କରିଛୁ ମା?
ମୋ ହାତ ଗଢା ଆରିସା ରେ ତା ମନ। ଟିକେକେ ଆସି ପହଁଚିବ,ମୁଁ ଚଣ୍ଡାଳୁଣି କାଲି ରାତିରେ କରି ରଖିଥିଲେ ଭଲ ହେଈଥାନ୍ତା। ଭାବିଲି ଗରମ ଗରମ ଛାଣିଦେବି,ଖୁସିରେ ଖାଇବ। ............."- ଆରିଷା ପିଠା ଛାଣୁଛାଣୁ ଅନର୍ଗଳ କହି ଚାଲିଥିଲେ ଅନୁସୂୟା।
ବ୍ରଜବାବୁ ବଡି ଭୋରରୁ ସୋଫା ଉପରେ ବସି ରହିଛନ୍ତି।ସାମ୍ନା କାନ୍ଥରେ ଦୃଷ୍ଟି ନିବଦ୍ଧ କରି ପଥର ମୂର୍ତ୍ତି ପରି ନିଶ୍ଚଳ ଓ ନିସ୍ତବ୍ଧ ହେଇ ଯାଇଛ ଯେମିତି। ସମ୍ଭବତଃ ପୁଅର ଆଗମନକୁ ଅପେକ୍ଷା କରିଛନ୍ତି ନିର୍ନିମେଷ ନୟନରେ।
×××××××
ଅନ୍ୟଦିନ ମାନଙ୍କରେ ଅନୁ ଗପି ଚାଲୁଥିବା ବେଳେ ବ୍ରଜବାବୁ ଶୁଣନ୍ତି କି ନାହିଁ ତାଙ୍କୁହି ଜଣା।
ଅନୁ କୁହନ୍ତି, " ତମ ପୁରୁଷ ଜାତିଟା ପଥରରେ ଗଢା।ସ୍ତ୍ରୀ ମାନେ ବକବକ୍ ହେଇ ମରିଗଲେବି ତମ ମାନଙ୍କ ବଧିରା କାନକୁ କିଛି ବି ଶୁଭେନା। ମୋ କପାଳତ ମନ୍ଦ କହିବି କାହାକୁ।"
ବ୍ରଜବାବୁ ମୁଣ୍ଡ ବିନ୍ଧା ର ବାହାନାରେ ଚା କପେ ମାଗି ଦିଅନ୍ତି। ବାସ୍ ,ସେତିକିରେ ଅନୁ ବ୍ୟସ୍ତ ହେଇ କିଚେନ୍ କୁ ଧାଇଁଯା'ନ୍ତି ଅଦା ଗୋଲ ମରିଚ ର ଚା'କରି ଆଣିବାକୁ।
×××××××
ଆଜି କିନ୍ତୁ ସେମିତି କିଛି ହେଲାନି।
କାହିଁକି କେଜାଣି, ଅନୁଙ୍କ କଥାର ପ୍ରତିଟି ଶବ୍ଦ ଆଜି ସ୍ପଷ୍ଟ ଶୁଣି ପାରୁଥିଲେ ସେ। ଅଥଚ; ପଥର ପରି ନିଷ୍କ୍ରିୟ ଏବଂ ପ୍ରତିକ୍ରୀୟା ରହିତ ଥିଲେ।
×××××××
ସେଦିନ ବି ଅନୁ ଏମିତି ଗପିଚାଲିଥିଲେ ଯେଉଁ ଦିନ ପୁଅ ବିକ୍ରମ ସ୍ଥଳସେନା ରେ ଚାକିରି ପାଇଁ ମନୋନିତ ହେଇଥିଲା।
ସାରାଦିନ ଉପାସ ରେ କଟେଇ କାନ୍ଦି କାନ୍ଦି ପୁଅକୁ ବୁଝେଇ ବାରଣ କରିଥିଲେ ଜଏନ୍ ନ କରିବା ପାଇଁ।
ବିକ୍ରମ ମା'କୁ ବୁଝେଇବାର ଚେଷ୍ଟାରେ ସଫଳ ହେଇ ଯାଇଥିଳା ବୋଲି ନିଶ୍ଚିନ୍ତ ହେଇ ଯିବା ଦେଖି ଅନୁ ବ୍ରଜଙ୍କୁ ନେହୁରା ହେଇଥିଲେ ପୁଅକୁ ବୁଝେଇ ବାରଣ କରିବା ପାଇଁ।
ବ୍ରଜ ବାବୁ ମଧ୍ୟ ସେହି ଏକାକଥା ଚାହୁଁଥିଲେ। କିନ୍ତୁ ପୁଅର ବହୁ ଆକାଂକ୍ଷିତ ସ୍ୱପ୍ନକୁ ଭାଙ୍ଗି ଦେବା ପାଇଁ ନିଜକୁ ପ୍ରସ୍ତୁତ୍ କରି ପାରୁ ନ ଥିଲେ ମାନସିକ ସ୍ତରରେ। ବାପା ସିଏ, ଉପରକୁ କଠିନ ହେବାକୁ ପଡିବ।
ମନର ଭାବକୁ ପଥୁରିଆ ଛାତି ତଳ ପାହାଡି ଗୁମ୍ଫାରେ ରଖି ଅନୁଙ୍କୁ ବେଶ୍ କିଛି ବୁଝେଇବାର ପ୍ରୟାସକୁ ଶ୍ରେୟସ୍କର ମଣିଥିଲେ ସେଦିନ।
ନିରାଶ ହେଇ ଅନୁ କହିଥିଲେ, " ତମେ ବାପା ନା ପଥର,କିଛି ବୁଝି ପାରୁନି। ଆଗକୁ ନାହିଁ କି ପଛକୁ ନାହିଁ, ଗୋଟିଏ ବୋଲି ପିଲାକୁ ବନ୍ଧୁକ ମୁହଁକୁ ପଠେଇ ଦେଇ ଶାନ୍ତିରେ ରହି ପାରୁଛ କେମିତି ଯେ"।
××××××××
ବିକ୍ରମ୍ ମିଲିଟାରି ରେ ଯୋଗ୍ ଦେବାପରେ ପାଂଚ ବର୍ଷ ବିତି ଯାଇଛି ୟା ଭିତରେ। ତିନି ତିନି ଥର ସାହସିକତା ପାଇଁ ମାନପତ୍ର ଓ ପଦକ ସହ ପଦୋନ୍ନତି ବି ପାଇଛି। ପୁଅର ସଫଳତା ଅନୁଙ୍କ ସାହସ କୁ ସାହା ହେଇଛି ଆଜି ଯାକେ। ମାତ୍ର; ଅନୁଙ୍କ ଆଖି ଉହାଡରେ ବହୁବାର ଭୟରେ ଥରି ଉଠିଛି ବ୍ରଜ ବାବୁଙ୍କ ପଥୁରିଆ ଛାତି ଯେବେଠୁଁ ପୁଅ କାଶ୍ମୀରର ଉରି ସେକ୍ଟରକୁ ବଦଳି ହେଲାଣି।
×××××××
ଅନୁ ଙ୍କ ଭଳି ବ୍ରଜ ବାବୁ ପୁଅ ସହ ସବୁଦିନ ଫୋନରେ କଥା ହେଇ ପାରନ୍ତିନି।
ପହରଦିନ କେହି ଜଣେ ଫୋନ୍ କରିଥିଲେ ଅନୁଙ୍କ ଫୋନକୁ। ଅନୁ ଯାଇଥିଲେ ପାଖ ଦୋକାନରୁ ପୁଅ ମନ ପସନ୍ଦର ମିକ୍ସଚର ଓ ସ୍ନାକ୍ସ ଆଣିବା ପାଇଁ । ଅନ୍ୟମନସ୍କ ହେଇ ଛାଡି ଯାଇଥିଲେ ଫୋନଟାକୁ ରୋଷଘର ଥାକ ଉପରେ। ଫୋନ୍ ଉଠେଇ ଥିଲେ ବ୍ରଜ ବାବୁ। ସେ କେବଳ ଶୁଣୁଥିଲେ,କିଛି ପଦେ କହିପାରି ନ ଥିଲେ। କିଛି ଭାବୁଥିଲେ ମାତ୍ର,ଭାବନାକୁ ବୁଝି ପାରୁ ନଥିଲେ ବ୍ରଜବାବୁ। ପୁଅର ଶହିଦ୍ ହେବାର ଖବର ଶୁଣି ଦୁଃଖରେ କି ଗର୍ବରେ ପଥର ପାଲଟି ଯାଇଥିଲେ ଯେମିତି !
××××××××
ବ୍ରଜ ବାବୁ ଭାବୁଥିଲେ, ପୁଅ ଆସି ପହଁଚିବା ବେଳ ହେଲାଣି। କିନ୍ତୁ ଅନୁଙ୍କ ହାତ ତିଆରି ଆରିସା ପିଠା ଖାଇବା ପାଇଁ ସମୟ ପାଇବନି। ଅନୁ ବି ତା'ମୁହଁରୁ ଝାଳ ପୋଛି ଦେଇ କୋଳେଇ ନେବାକୁ ସୁଯୋଗ ପାଇ ପାରିବେନି। ସେତେବେଳେ ସେ କ'ଣ କରିବେ ! କାନ୍ଦି ଫଟେଇ ଦେବେକି ପଥରର ଛାତିକୁ !! ନା; ଆହୁରି ଟାଣ ହେବାକୁ ପଡିବ ତାଙ୍କୁ, ଗାଁ ମୁଣ୍ଡ ଶାଳଗ୍ରାମ ପରି।
××××××××
ମିଲିଟାରି ଭ୍ୟାନ ଅଟକିଲା ଘର ସାମ୍ନାରେ। ଦାଣ୍ଡ ଆଡୁ ଭାସି ଆସିଲା ବେଦନାସିକ୍ତ କୋଳାହଳ ସ୍ୱର। ବହୁ ଦିନରୁ ଅବରୁଦ୍ଧ ପୁଂଜିଭୂତ ବାତ୍ସଲ୍ୟ ହଠାତ୍ ଫୁଲି ଉଠିବା ପରି ଅନୁ ଆଣ ବୋଳା ହାତ ରେ ପାଗଳି ପରି ଧାଇଁଗଲେ ଦୁଆର ମୁହଁକୁ।
ପୁଅ ତାଙ୍କ ପାଖକୁ ଧାଇଁ ଆସିଲାନି,ସେ ବି ପୁଅର ମୁହଁକୁ ଚାହିଁ ଦେଇ ଜୀବନରେ ପ୍ରଥମ ଥର ପାଇଁ ପଥର ପାଲଟିଗଲେ।
×××××××
କେହି ଜଣେ କାନ୍ଧ ଉପରେ ଶାନ୍ତ୍ୱନା ର ମୃଦୁ ସ୍ପର୍ଶ ଦେଲା ବୋଧହୁଏ, ବ୍ରଜ ବାବୁ ଛାଇ ନିଦରୁ ଉଠିଲା ପରି ସୋଫାରୁ ଉଠି ଠିଆହେଲେ।
କହିଲେ, " ହଁ, ଚାଲ ଅନୁ,କାଠ ଯୋଗାଡ କରିବାକୁ ହେବ। ସାଇ ଭାଇ ଡାକିବାକୁ ପଡିବ।
ସବୁ ଯୋଗାଡ ସାରିବାକୁ ହେବ ପୁଅ ପହଁଚିବା ଆଗରୁ।"
ପାହାଡ ଉପରୁ ପଥରଟେ ଗଡି ଆସିବା ପରି ଶୁଭୁଥିଲା ତାଙ୍କ ମୁହଁର ସେଇ ଶେଷ କେଇପଦ କଥା।
===================
ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)
ହରସିଂହ ପୁର,ପୀରହାଟ ବଜାର
ଭଦ୍ରକ,ଓଡିଶା-756131
ମୋ:9937548431
9438670120
-------------------
ପ୍ଲଟ୍ ନଂ-342,ସେକ୍ଟର୍-5
ନିଳାଦ୍ରୀ ବିହାର୍,ଚନ୍ଦ୍ରଶେଖର୍ ପୁର
ଭୂବନେଶ୍ୱର-751021
ଓଡିଶା
==================