Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଝଡ଼ର ଗତିପଥ - ୨
ଝଡ଼ର ଗତିପଥ - ୨
★★★★★

© Resing of pen

Classics

3 Minutes   333    6


Content Ranking

ମନୋଜ ଦାସ

ଏଭଳି ଝଡ଼ ପୃଥିବୀରେ କ୍ବଚିତ୍‌ ହୁଏ ।ପ୍ରବାଳ କିଶୋର କହି ଚାଲିଲେ, ସେହି ଆଦିମତମ ଯୁଗରେ, ଯେତେବେଳେ ଏ ପୃଥିବୀର ପୃଷ୍ଠଭାଗର ରୂପ ନିୟତ ବଦଳି ଚାଲିଥିଲା, ସେତିକିବେଳେ ଏଭଳି ଝଡ଼ ସମ୍ଭବପର ହେଉଥିଲା ।

ଶ୍ରୀମତୀ ସିହ୍ନା ଆତଙ୍କିତ ଭାବରେ ପଚାରିଲେ, ଏ ଘର ରହିବ ତ ? ଆମେ ବଞ୍ଚିବା ତ ?

ପ୍ରବାଳ କିଶୋର ସଶଦ୍ଦେ ହସିଉଠିଲେ ।

ଆମେ ବଞ୍ଚିବାଟା ନିହାତି ଗୌଣ କଥା ।ହୁଏତ ଏତେବେଳକୁ ସାରା ପୃଥିବୀର ଅର୍ଦ୍ଧାଧିକ ବ୍ୟାପୀ ପ୍ରଳୟ ହୋଇସାରିବଣି ।ମୋର ମନେହୁଏ, ସମୁଦ୍ର ଫୁଲିଉଠି ଆମର ଏଇ କୋଠା ଚାରିପଟେ ବେଢ଼ିଗଲାଣି ।

ଏହାପରେ ଆଉ ଶ୍ରୀମତୀ ସିହ୍ନା କଥା କହିନାହାଁନ୍ତି । ବହୁ ସମୟ ବ୍ୟବଧାନରେ ହୁଏତ ଅଧ୍ୟାପକ ହଠାତ୍‌ ସଙ୍ଗୀତଚର୍ଚ୍ଚା କରି ଉଠୁଥିଲେ, ଅଥବା ଚର୍ଚ୍ଚିଲଙ୍କ ଯୁଦ୍ଧକାଳୀନ ବକ୍ତୃତାର କିୟଦଂଶ ଆବୃତ୍ତି କରୁଥିଲେ । ସିହ୍ନା ସାହେବ ମଧ୍ୟେ ମଧ୍ୟେ ଝରକା ଖୋଲି ନିଶାର୍ଦ୍ଧର ସେଇ ବିପର୍ଯ୍ୟସ୍ତ ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ତହିଁ ମଧ୍ୟରେ ନିଜସ୍ବ ଜିପ୍‌ଟିର ଅବସ୍ଥିତି ନିରୂପଣ କରିବାର ଚେଷ୍ଟା କରୁଥିଲେ । କିନ୍ତୁ ସମ୍ଭାଳି ନ ପାରି ପୁନଶ୍ଚ ଝରକା ବନ୍ଦ କରିବାରେ ବିପୁଳ ଶକ୍ତି ପ୍ରୟୋଗ କରୁ କରୁ ଚଷମାଟି ସମ୍ପର୍କରେ କ୍ଷୋଭ ପ୍ରକାଶ କରୁଥିଲେ । ଅବଶ୍ୟ ତାଙ୍କ ସ୍ତ୍ରୀ ଓ ଅନ୍ତରଙ୍ଗ ଶ୍ୟାଳକ ଏତକ ବୁଝୁଥିଲେ ଯେ, ଜିପ୍‌ ପାଖକୁ ଯିବା ସକାଶେ ଚଷମାଟି ହିଁ ତାଙ୍କର ଏକମାତ୍ର ପ୍ରଲୋଭନ ନୁହେଁ ।ଶ୍ରୀମତୀ ସିହ୍ନାଙ୍କ ଉପର୍ଯ୍ୟୁପରି ଅଭିମାନରେ ସେ ଯେପରି ଧୂମପାନ ତ୍ୟାଗ କରିଥିଲେ, ସେହିପରି ତ୍ୟାଗ କରିଥିଲେ ଅନ୍ୟାନ୍ୟ ପାନ ମଧ୍ୟ । କିନ୍ତୁ ଅଭ୍ୟାସବଶତଃ ସେ ସର୍ବଦା ନିଜ ସହିତ ନିରୀହ ବ୍ରାଣ୍ଡିପୂର୍ଣ୍ଣ ଅନତିବୃହତ୍‌ ବୋତଲଟିଏ ରଖୁଥିଲେ। କ୍ବଚିତ୍‌ କେବେ ସ୍ନାୟୁ ଉପରେ କୌଣସି କାରଣରୁ ଅତ୍ୟଧିକ ଚାପ ପଡ଼ିଲେ, ସ୍ତ୍ରୀଙ୍କ ଅନୁମତିକ୍ରମେ ସେଥରୁ ଔଷଧ ମାତ୍ରାରେ ଅଳ୍ପ ସେବନ କରୁଥିଲେ।ଅନ୍ୟଥା ତାକୁ କେବଳ ମଧ୍ୟେ ମଧ୍ୟେ ଅବଲୋକନ କରୁଥିଲେ।

ଏଇ ଭୟଙ୍କର ରାତିରେ ସ୍ନାୟୁ ଉପରେ ଚାପ ପଡ଼ିବା ସ୍ବାଭାବିକ। କିନ୍ତୁ କେଇ ଗଜ ମାତ୍ର ଦୂରରେ ଥିବା ଜିପ୍‌ ଓ ତାଙ୍କ ମଧ୍ୟରେ ଜୀବନମରଣର ବ୍ୟବଧାନ।

ପ୍ରାୟ ମଧ୍ୟରାତ୍ର ପର୍ଯ୍ୟନ୍ତ ଝଡ଼ କ୍ରମାଗତ ଉଦଣ୍ଡ ହୋଇ ଚାଲିଲା। ମଝିରେ ଥରେ ଶ୍ରୀମତୀ ସିହ୍ନା ଆପଣାର ଭୟାବହ ଭବିଷ୍ୟତ କଥା ଚିନ୍ତାକରି କାତର ହୋଇ ଅଳ୍ପ କାନ୍ଦିଥିଲେ। ଘଡ଼ଘଡ଼ି ଶବ୍ଦର ଭୀଷଣତା ସହିତ ପ୍ରବାଳବାବୁଙ୍କ ଆବୃତ୍ତି ଅଧିକ କ୍ଷଣ ତାଳ ଦେଇପାରିଲା ନାହିଁ।ତେଣିକି ଚୁପ୍‌ଚାପ୍‌ ତିନିହେଁ କାନ୍ଥକୁ ଆଉଜି ବସିରହିଲେ।

ରାତ୍ରିର ଶେଷାର୍ଦ୍ଧ ବେଳକୁ ଝଡ଼ର ପ୍ରକୋପ କମିଗଲା। କ୍ରମେ ସିହ୍ନା ସାହେବ ଝରକା ଖୋଲି ଏକାଦିକ୍ରମେ କିଛ ସମୟ ପର୍ଯ୍ୟନ୍ତ ବାହାରକୁ ଅନାଇ ରହିବାକୁ ସକ୍ଷମ ହେଲେ।ସେତେବେଳକୁ ଭଟ୍ଟାକାଳୀନ ସମୁଦ୍ରର ପ୍ରଶମିତ କଳରୋଳ ବ୍ୟତୀତ ବିଶ୍ବଜଗତର ସମସ୍ତ କୋଳାହଳ ଯେମିତି ଚିରତରେ ନିସ୍ତବ୍ଧ ହୋଇଯାଇଛି।

କ୍ରମେ ଚାରିଦିଗ ଫରଚା ହୋଇଆସିଲା ।ତିନିହେଁ ଦ୍ବିତଳରୁ ଅବତରଣ କଲେ ଓ ଜିପ୍‌ ଆଡ଼କୁ ଅଗ୍ରସର ହେବାକୁ ଲାଗିଲେ।

ଜିପ୍‌ର ଅଦୂରରେ କିନ୍ତୁ ସେମାନଙ୍କୁ ତଟସ୍ଥ ଭାବରେ ଛିଡ଼ା ହୋଇଯିବାକୁ ପଡ଼ିଲା।ପ୍ରବାଳବାବୁ ପଚାରିଲେ, ଇଞ୍ଜିନ୍‌ଟି ତା’ହେଲେ କ’ଣ ଗତକାଲି ବନ୍ଦ କରାହୋଇ ନ ଥିଲା ?

ମୁଁ ଜରୁର ବନ୍ଦ କରିଛି। ସିହ୍ନା ସାହେବ ଜୋରଦେଇ କହିଲେ।

ତେବେ ଜିପ୍‌ଟା ଷ୍ଟାର୍ଟ ଧରିଲା ବା କିପରି ? ଜିପ୍‌ ଜାତିର ଇତିହାସରେ କେବେ ଝଡ଼ର ପ୍ରକୋପରେ ତାହା ବଳେ ବଳେ ଷ୍ଟାର୍ଟ ଧରିଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳି ପାରିବ କି ? ପ୍ରବାଳବାବୁ ଅତ୍ୟନ୍ତ ବିବ୍ରତ ହୋଇ ପ୍ରାୟ ହିଂସ୍ରଭାବରେ ନିଜସ୍ବ ଚନ୍ଦାମୁଣ୍ଡ ରାମ୍ପୁଡ଼ିବାକୁ ଲାଗିଲେ।

ଇତିମଧ୍ୟରେ ସିହ୍ନା ସାହେବ ଗାଡ଼ି ନିକଟକୁ ଯାଇ ତାହାକୁ ପରୀକ୍ଷା କରିସାରିଥିଲେ। ସେ ଉଚ୍ଚକଣ୍ଠରେ ଘୋଷଣା କଲେ, ଏହା ଇଞ୍ଜିନ୍‌ର ଶବ୍ଦ ନୁହେଁ।

ଆଉ ତେବେ ?

କୌଣସି ଜଣେ ବ୍ୟକ୍ତି ଭିତରେ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି।

ସିହ୍ନା ସାହେବ ଓ ଅଧ୍ୟାପକ ଅତଃପର ଝିଙ୍କାଝିଙ୍କି କରନ୍ତେ ବ୍ୟକ୍ତିଟିର ନାସିକା ଗର୍ଜନ ସ୍ତିମିତ ହୋଇଆସିଲା ଓ ସେ ଧୀରେ ଧୀରେ ଉଠିବସି ସଲଜ୍ଜ ଭାବରେ କହିଲା, ମୁଁ ଡମ୍ବରୁଧର, ଆଜ୍ଞା।ପରିଚୟଟି କ’ଣ ଯଥେଷ୍ଟ ହେଲା ? ପ୍ରବାଳ କିଶୋର ତାଙ୍କ ଭଉଣୀଙ୍କୁ ଅନାଇ ପ୍ରଶ୍ନଟି ପଚାରିଲେ। ଡମ୍ବରୁଧର ଶୁଣିପାରି ଦ୍ବିଗୁଣ ଉତ୍ସାହରେ କହିଲା, ମୁଁ ଆଜ୍ଞା, ପ୍ରକୃତରେ ଡମ୍ବରୁଧର। ମାଇଲିଏ ଦୂରରେ ମୋ ଘରକୁ ଯାଇଥିଲି। ଆସିଲା ବେଳକୁ ଆପଣମାନେ କୋଠି କବାଟ ବନ୍ଦ କରିଦେଲେଣି। ତେଣୁ ଏଇଠି ଶୋଇପଡ଼ିଲି ।


ସେତେବେଳକୁ ସିହ୍ନା ସାହେବ ତାଙ୍କ ବ୍ୟାଗ ଭିତରୁ ଅନତିବୃହତ୍‌ ଶୂନ୍ୟ ବୋତଲଟିଏ ବାହାର କରି ଦୀର୍ଘ ନିଃଶ୍ବାସ ସହକାରେ ତାକୁ ନିରୀକ୍ଷଣ କରୁଥିଲେ। ଡମ୍ବରୁଧର ତାଙ୍କ ପାଖକୁ ଘୁଞ୍ଚିଆସି କାନମୁଣ୍ଡା ଆଉଁସି ଆଉଁସି କହିଲା, ହଜୁର, ବଡ଼ ଶୋଷ କଲା ଆଉ ପିଇବା ପାଣି ତ ରହିଲା କୋଠି ଭିତରେ। ଜାଣିଲି ଯେ ଏଇଟା ବାସ୍ନାତେଲ ବୋତଲ ନୁହେଁ। ମଧ୍ୟେ ମଧ୍ୟେ ବାବୁ ଭାୟାମାନେ ତ ଏଠାକୁ ଆସନ୍ତି। ସେମାନଙ୍କ ପ୍ରସାଦରୁ ମୁଁ ସବୁ ଗନ୍ଧ ଜାଣିଯାଇଛି।

ଏତେବେଳକୁ ଜଣା ପଡ଼ିଯାଇଥିଲା ଯେ, ଡମ୍ବୁରଧର ହେଲେ କୋଠିର ଚୌକିଦାର। ପ୍ରବାଳବାବୁ ତାଙ୍କୁ ଲକ୍ଷ୍ୟ କରି କହିଲେ, ଆହା, ଝଡ଼ ରାତିଯାକ ତୁମକୁ ଆମେ ବହୁତ କଷ୍ଟ ଦେଲୁ ?

କଷ୍ଟ ? ଡମ୍ବୁରଧର ଅବାକ୍‌ ହୋଇ ଚାହିଁରହିଲା।

ମୁଁ ଗତ ରାତିର ଭୟଙ୍କର ଝଡ଼ କଥା କହୁଛି। କହିଲେ ପ୍ରବାଳ କିଶୋର।ଡମ୍ବରୁଧର ସ୍ବାଗତୋକ୍ତି କଲା ଭଳି କହିଲା, ହଁ ଥଣ୍ଡା ପବନ ବହୁଥିଲା ଅବଶ୍ୟ। ଆଉ ବର୍ଷା ବି ଆରମ୍ଭ ହୋଇଥିଲା। ତେବେ ଝଡ଼ଟାଏ କେତେବେଳେ ଚୁପ୍‌ଚାପ୍‌ ହୋଇଗଲା। ମୁଁ ଆଜ୍ଞା ନିଦରେ ଶୋଇପଡ଼ି ଜାଣିପାରିଲି ନାହିଁ ।

ଶ୍ରୀମତୀ ସିହ୍ନା ହସିଲେ, କାରଣ ଅର୍ଦ୍ଧାଧିକ ପୃଥିବୀବ୍ୟାପୀ ପ୍ରଳୟ ସମ୍ପନ୍ନ ହୋଇଯାଇଥିବା ସମ୍ପର୍କରେ ଅଧ୍ୟାପକ ପ୍ରବାଳ କିଶୋରଙ୍କର ନିଶାର୍ଦ୍ଧ-ପ୍ରଦତ୍ତ ବିବୃତ୍ତି ଉପରେ ତାଙ୍କର ଏତେବେଳକୁ ଅନାସ୍ଥା ଆସିଯାଇଥିଲା ।

ଜିପ୍‌ ଷ୍ଟାର୍ଟ ଧରୁ ନ ଥିଲା। ଡମ୍ବରୁଧର ଏକା ନିଃଶ୍ବାସରେ ଚାରି ପାଞ୍ଚଗଜ ଠେଲି ନେଇଯା’ନ୍ତେ, ଇଞ୍ଜିନ୍‌ଟି ଜୀବନ୍ତ ହୋଇଉଠିଲା ଓ ଦୂରାନ୍ତର ବଣବୁଦା ଭିତରେ ଅଚିରେ ଅଦୃଶ୍ୟ ହୋଇଗଲା।

ଗତିପଥ ଯୁଦ୍ଧକାଳୀନ ସମୁଦ୍ର

Rate the content


Originality
Flow
Language
Cover design

Comments

Post

Some text some message..