Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବରଓହଳ
ବରଓହଳ
★★★★★

© Lopamudra Mishra

Others

14 Minutes   400    19


Content Ranking

ଲୋପାମୁଦ୍ରା ମିଶ୍ର

ଗାଁରୁ ବାହାରକୁ ଯିବା ପାଇଁ ତିନୋଟି ଅଣଓସାରିଆ ରାସ୍ତା ଥିଲା । ଗୋଟିଏ ଅଙ୍କାବଙ୍କା ହେଇ ଗାଁ ର ପଛକୁ ଆହୁରି ତଳ ଅଞ୍ଚଳ କୁ ଲମ୍ବିଯାଇଥିଲା ଯେଉଁବାଟେ ବର୍ଷାଦିନେ ଯିବାଆସିବା କରିବା ଏକଦମ ଦୁର୍ବିସହ ହୋଇପଡ଼େ । ଆଉ ଦୁଇଟି ରାସ୍ତା ଅପେକ୍ଷାକୃତ ଚୌଡା ଥିଲା । ତହିଁରୁ ଗାଁର ଡାହାଣ ହେଇ ଯାଇଥିବା ରାସ୍ତାଟି ସିଧା ସଳଖ ମୂଖ୍ୟ ସଡ଼କ ସହ ସଂଯୋଗ ସ୍ଥାପନ କରୁଥିଲା ବେଳେ ବାମ ପଟର ରାସ୍ତାଟି ଗାଁ ପୋଖରୀ, ଆମ୍ବ ତୋଟା,ଶ୍ମାଶନ, ବିସ୍ତୀର୍ଣ୍ଣ ଏକ ପ୍ରାନ୍ତର ଓ ବିରାଟ ବିରାଟ ବରଗଛଟି ମାନ ପାର କରି ନିକଟସ୍ଥ ଛୋଟିଆ ଅନ୍ୟ ଏକ ଗାଁ ଓ ପରେ ପରେ ଗାଁ ବଜାର ସହ ଯାଇ ଯୋଡ଼ି ହେଇଯାଇଥିଲା ।

କଣ୍ଟିପୁର ସହ ତାର ସମ୍ପର୍କଟା ଥିଲା ଅଠରଟି ବର୍ଷା, ଅଠରଟି ଶୀତ, ଅଠରଟି ଖରାର ଓ ଆହୁରି ବି ଅଠରଟି ସୁନ୍ଦର ବସନ୍ତର ମଧ୍ୟ । କଣ୍ଟିପୁର ଗାଁରୁ ସେ ଯେତେବେଳେ ବାହାରେ ସେହି ବାଁ ପଟ ରାସ୍ତା ଦେଇ ହିଁ ବାହାରେ । ସେହିବାଟେ ଚାଲି ଚାଲି ଯାଇ ଟିକେ ଆଗକୁ ବିଲ ମଝିରେ ଥିବା ସ୍କୁଲରେ ସେ ଦଶମ ଯାଏଁ ପାଠ ପଢ଼ିଛି । ପଡ଼ିଆ ଉପରେ ସେହି ବିରାଟକାୟ ବର ଗଛ ଗୁଡିକର ଲମ୍ବା ଲମ୍ବା ଓହଳ ରେ ଖୁବ ଖେଳିଛି । ସରୁଆ ସରୁଆ ଓହଳଗୁଡ଼ିକ ତା ପତଳା ଦେହକୁ ଖୁବ ଉଚ୍ଚ କୁ ଉଡ଼େଇ ନେଇଛନ୍ତି । ସେଇଠି ସେ ଆଠ ରୁ ଅଠର ଯାଏଁ ସାଙ୍ଗ ସାଥୀ ମେଳରେ ବୋହୁ ବୋହୂକା ଖେଳରେ ନିଜକୁ କେତେ ଥର ହଜେଇ ପୁଣି ଫେରେଇ ଆଣିଛି ।

ଶିଖାର ଆଜି ବି ସେହିଦିନର ଘଟଣା ମନେ ପଡିଗଲେ ଲୋମମୂଳ ତାର ଟାଙ୍କୁରି ଉଠେ । ଦଶମ ପରୀକ୍ଷା ସରିଯାଇଥାଏ । ବାପାଙ୍କ ଦେହ ଭୀଷଣ ଅସୁସ୍ଥ । ସାନ ସାନ ଭାଈ ଭଉଣୀ ଦୁଇଟି ତା ସାବତ ମାଆ ସହ ମାମୁଁଘରକୁ ବାହାରିଥାନ୍ତି । ଶିଖାକୁ ତାଗିଦ କରି କନକ କହୁଥାନ୍ତି, "ବାପା ଶ୍ୱାସରୋଗୀ । କେତେବେଳେ କୋଉ କଥା, ତାଙ୍କୁ ଛାଡ଼ି କୁଆଡ଼େ ଢେଙ୍ଗେ ଢେଙ୍ଗେ ହେଇ ବୁଲିବୁନି । ପରୀକ୍ଷା ତ ସରିଲା ଏବେ ଘର ଆଡ଼େ, କାମ ଧନ୍ଦା ରେ ଟିକେ ଧ୍ୟାନ ଦେ । ଏଡ଼େ ବଡ଼ ଝିଅଟା ହେଲୁଣି ସବୁବେଳେ ସେ ପଡ଼ିଆରେ କି ଖେଳ? "

ବାପା ଖୁଁ ଖୁଁ ହେଇ କାଶିଲେ । ଶିଖା ଦୌଡି ଯାଇ ବାପାଙ୍କ ପିଠି ଆଉଁଶି ପକେଇଲା । ବିଚାର ବୁଢ଼ାକାଳରେ ବାହା ହେଇଥିଲେ ଯାହା ଟିକେ ପାଇବାକୁ ଇଚ୍ଛା କରି ସେତକ ତ ପାଇଲେନି ବରଂ ବଦଳରେ ତୁଚ୍ଛା ଅପମାନ ର ରଡ଼ ନିଆଁ ଚୋବେଇ ଚୋବେଇ ମୃତ୍ୟୁକୁ କେଵଳ ଅପେକ୍ଷା କରିଛନ୍ତି ।

କନକ ସୁଟକେଶ ଟେ ଧରି ଅଟୋରେ ବସିବାକୁ ବାହାରିଲେ । କୁନି ଝିଅ ବିଜୁଲତା କୁ କୋଳରେ ଧରି ଓ ଚନ୍ଦନ କୁ ପାଖରେ ବସେଇ ଅଟୋରିକ୍ସା ଵାଲା କୁ ଗାଡ଼ି ଷ୍ଟାର୍ଟ କରିବାପାଇଁ କହିଲେ ।

ଶିଖା ସେଦିନ ସେହି ଅଟୋ ପଛେ ପଛେ ଦୌଡି ଦୌଡି ଗାଁ ବରଗଛ ଯାଏଁ ଗଲା । ଭାଈ ଭଉଣୀ ଦୁଇଟା କେଡ଼େ ଖୁସିରେ ହାତ ହଲେଇ ଟା ଟା କରୁଥିଲେ ତାକୁ । ତାର ମଧ୍ୟ ଇଚ୍ଛା ହେଉଥିଲା ସେ ବି ଟିକେ ମାମୁଁଘର ଆଡ଼େ ବୁଲିଯାଆନ୍ତା । ସେ କିନ୍ତୁ ଜାଣିନଥିଲା ତା ମାମୁଁଘର ଟା ପ୍ରକୃତରେ କୋଉଠି । ବାପା କଲିକତା ରେ ଗାଡ଼ି ଚଲାଉଥିଲା ବେଳେ ଶିଖାର ବୋଉକୁ ସେଠାରୁ ଭଗେଇ ଓଡିଶା ନେଇଆସିଥିଲେ । ଖାଲି ଯାହା ସେ ଏତିକି ଶୁଣିଛି । ତା ବୋଉର ଫୋଟୋ ବି ଗୋଟେ ଆଉ ଘରେ ନାହିଁ । ତାର ଆଉ ବୋଉ ମୁହଁ ବିଲକୁଲ ମନେ ହିଁ ନାହିଁ । ବୋଉ କୁଆଡ଼େ ବେକରେ ରଶି ଲଗେଇ ଦେଇଥିଲା । ରାତିର ଅନ୍ଧାରରେ ଚାରିବର୍ଷର କୁନି ଝିଅକୁ ପଡିଆରେ ଏକ୍ଲା ବସେଇ ଦେଇ କିଏ ବେକରେ ରଶି ଲଗେଇ ମରିପାରେ ? ସବିତା ମରିଗଲା । ରାତିର ସେହି ଅମା ଅନ୍ଧକାର ଭେଦି ତା ଗଁ ଗଁ ଗର୍ଜନ ଗାଁ ଲୋକଙ୍କ ପାଖରେ ପହଞ୍ଚିଲା ବେଳକୁ ଶିଖା ମାଆ ଛେଉଣ୍ଡ ହେଇସାରିଥିଲା ।

ସାବତ ମାଆ ତା ଛୁଆଙ୍କୁ ଧରି ଗାଁର ସେହି ବାମ ପଟ ରାସ୍ତା ପାର କରି କେତେବେଳୁ ଯାଇସାରିଲେଣି । ଶିଖା ତଥାପି ବରଗଛର ଓହଳ କୁ ଧରି ସେତେବେଳୁଁ ସେହିଆଡ଼କୁ ଅନେଇ ଠିଆ ହେଇଛି । ଆଜି ତାର ନିଜ ମରିଯାଇଥିବା ବୋଉ ଉପରେ ଖୁବ ରାଗ ଆସିଲା । ବହୁତ କାନ୍ଦିଲା । ସେଇଠି ସେମିତି ଗଛରେ ଚେର ଉପରେ ବସି ମୁହଁ କୁ ତଳକୁ କରି କଇଁ କଇଁ ହେଇ କାନ୍ଦିଲା । ଘରକୁ ଗଲେ ବାପାଙ୍କ ସାମ୍ନାରେ କାନ୍ଦି ହେବନାହିଁ । ଏଇଠି ସବୁଯାକ ଲୁଣିଆ ଲୁହ ଢାଳି ଦେଇଯିବାକୁ ହେବ । ଶିଖା କାନ୍ଦୁ କାନ୍ଦୁ କେତେବେଳେ ଶୋଇପଡ଼ିଲା ନିଜେ ବି ଜାଣିନି । ପଡ଼ିଆର ଖରା ଦିନିଆଁ ସୁଲୁସୁଲିଆ ପବନରେ ତାର ଆଖି ଆପଣାଛାଏଁ ଲାଗି ଯାଇଥିଲା । ପାଚିଲା ବର ପତ୍ର ଓ ଅଶ୍ୱସ୍ଥ ପତ୍ର ପବନରେ ଉଡ଼ି ଆସି ତଳେ ପଡ଼ି ଖସ ଖାସ ଶବ୍ଦ ହେଉଥିଲା । ଶିଖା ନିଦ୍ରାରେ ଥିଲା । ଗଭୀର ନିଦ୍ରାରେ । ତାକୁ ଲାଗିଲା କେହି ଜଣେ ତା ମୁଣ୍ଡ ସାଉଁଳେଇ ତାକୁ ନିଦରୁ ଉଠାଉଛି । ସେ ଆଖି ଖୋଲିଲା । ଆଖି ଆଗରେ ବିରାଟ ଗୋଟେ ଝଡ଼ । ବର ଗଛ ତଳେ ଖଣ୍ଡିଆ ଭୂତ ବୃତ୍ତାକାର ରେ ଘୁରି ଘୁରି ପତ୍ର ସବୁ ଠୁଳ କରି ଉପରକୁ ନେଇଯାଉଛି । ସେହି ବୃତ୍ତାକାର ବଳୟ ଭିତରୁ ନାରୀଟିଏ ହସି ହସି ବାହାରି ଆସୁଛି । କି ସୁନ୍ଦର ସେ ନାରୀମୂର୍ତ୍ତି ଟି ! ଏକଦମ ଶାନ୍ତ,ସ୍ନିଗ୍ଧ ମୁଖ ମଣ୍ଡଳ । ଦେହରେ ଧଳା ଓ ନାଲି ରଙ୍ଗର ଶାଢ଼ୀ । କପାଳରେ ମସ୍ତବଡ଼ ସିନ୍ଦୁର ଟୋପାଟେ ସତେ ଯେମିତି ଅଗ୍ନୀହୁଳା ପରି ଦାଉ ଦାଉ ହେଉଛି । ପାଦରେ ଗାଢ଼ ଅଳତା ଆଉ ମୁଣ୍ଡର କଳା ମଚମଚ କେଶ ତାଙ୍କର ଖୋଲିଯାଇ ଜଙ୍ଘ ଯାଏଁ ଲମ୍ବିଛି ।

ସେହି ଅପୂର୍ଵ ସୁନ୍ଦରୀ ନାରୀଟି ଧୀରେ ଧୀରେ ଆସି ଶିଖା ପାଖରେ ବସିଲେ । ତା ମୁଣ୍ଡକୁ ଆସ୍ତେ କରି ଆଣି ନିଜ ସୁକୋମଳ କୋଳରେ ଥୋଇଲେ । କପାଳରେ ଚୁମା ଦେଲେ । ଶିଖା ଡରିକରି ଝାଳେଇ ଯାଉଥିଲା ।

--ମୋ ମାଆ ଭୟ କରୁଛି କି ?

--ତୁମେ କିଏ ? ଠାକୁରାଣୀ ?

--ନାଁ... ମୁଁ ଗୋଟେ ଗଛ । ବହୁତ ପୁରୁଣା ଗଛଟିଏ ।

--ତୁମେ ତ ମଣିଷ ପରି ଦିଶୁଛ?

--ହଁ ଦିଶୁଛି, କାହିଁକି ନା ତୁ ମୋତେ ସେମିତି ଦେଖୁଛୁ ।

--ତୁମେ ଚାଲୁଛ ଆଉ କଥା କହୁଛ କେମିତି ? ଗଛ ତ ଚାଲିଯାଣିନି ।

--ମୁଁ ଆଗରୁ ମଣିଷ ଥିଲି । ଚାଲିବା ଶିଖିଛି ।

--ମଣିଷରୁ ଗଛ ହେଲ କେମିତି ? ମୋତେ ବି ଟିକେ ଗଛ କରିଦିଅନ୍ତନି ?

--ତୁ ତ କୁନି ଓହଳଟିଏ । ମାଟିରେ ଲାଗିଲେ ଆପେ ଗଛ ହେଇଯିବୁ । ତତେ କିନ୍ତୁ ମାଟିରେ ଲାଗିବା ଆଗରୁ ଆହୁରି ଶକ୍ତ ହେବାରେ ଅଛି । କଠିନ ଓ ଶକ୍ତ । ମଜଭୁତ ହୋ ମୋ ଝିଅ । ଖୁବ ମଜଭୁତ, ଯେମିତି କେହି ତୋ ଇଚ୍ଛା ବିରୁଦ୍ଧରେ ତତେ ହଲେଇ ବି ପାରିବେନି । ବୁଝିଲୁ ।

ଶିଖା ଦେଖିଲା ସେହି ଗଛ ନାରୀଟିର ବେକ ଚାରିପଟେ ମୋଟା କଳାପଟି ଟେ ପରି ଦାଗ ହେଇଛି । ବେକ ତଳକୁ ଗୋଟେ ଦୁଇଟା ଜାଗା ଛିଡି ଯାଇ ଚମଡ଼ା ବାହାରି ଯାଇଛି ।

--ତୁମ ବେକ କଣ ହେଇଛି ?

--କେହି ଜଣେ ଦୋଳି ଲଗେଇ ଝୁଲି ଖେଳିଥିଲା, ଏଇଟା ସେହି ଦାଗ ।

--ତୁମ ବେକରେ ?

--ହଁ । ତା ଜୀବନର ଶେଷ ଝୁଲି ଖେଳ ସେ ଏହି ବେକରେ ଖେଳିଥିଲା ।

--ମୁଁ ତୁମକୁ କଣ ଡାକିବି ?

--ତୁ ତୋ ମାଆ କୁ ଯାହା ଡାକୁ ।

--ମୋ ବୋଉ ମରିଯାଇଛି ।

--ମୋତେ ବୋଉ ଡାକେ ।

--ବୋଉ .... ବୋଉ...ବୋଉ....

ଶଙ୍କରା ମାଳି ସେହିରାସ୍ତାରେ ଯାଉଥିଲା । ଝିଅଟାର ବୋଉ ବୋଉ ଚିତ୍କାର ଶୁଣି ବରଗଛ ତଳକୁ ଧାଇଁ ଆସିଲା । ବୋତଲରୁ ପାଣି ବାହାର କରି ଶିଖାର ମୁହଁରେ ଛାଟିଲା । ଶିଖା ଉଠି ବସିଲା ଆଉ ସେହି ମାଳି ବୁଢ଼ା ପଛେ ପଛେ ଘରକୁ ଆସିଲା । ରାତିକୁ ତାକୁ ଭୀଷଣ ଜର । ବାପା ତ ନିଜେ ରୋଗୀଣା, ଝିଅ କଥା କଣ ବୁଝିବେ ! ଶିଖା ରାତି ସାରା ତାତିଲା ଦେହରେ ବିଛଣାରେ ପଡ଼ି ଛଟପଟ ହେଲା । ସକାଳୁ ବାପ ତାର କୋଉଠୁ ବଟିକା ଦୁଇଟା ଆଣି ତା ପାଟିରେ ଦେଲେ । ଚୁଡ଼ା ଚିନି ଗୋଳେଇ ଖୁଆଇଲେ । ମୁଣ୍ଡ ପାଖରେ ବସି ସ୍ନେହଁରେ ଆଉଁଶି ଦେଲେ । ଶିଖା ପୁଣି ସୁସ୍ଥ ହେଇ ଉଠି ବସିଲା । ସେ କେମିତି ବରଗଛ ପାଖରୁ ଘରକୁ ଆସିଲା କିଛି ବୁଝିପାରୁନଥିଲା । ସବୁକିଛି ତାକୁ ସ୍ୱପ୍ନ ପରି ଲାଗୁଥିଲା । ସେ ଯାହାହେଉ ଏହି ଦୁଇଦିନ ଭିତରେ ସେ ତା ଜୀବନରେ ପ୍ରଥମ କରି ବାପାଙ୍କ ସ୍ନେହଁ ଆଦରର ସ୍ପର୍ଶ ପାଇ ନିଜକୁ ଖୁବ ଭାଗ୍ୟବତୀ ମନେ କରୁଥିଲା । ପିଲାବେଳୁ ବାପାଙ୍କୁ ବିନା କାରଣରେ ଖାଲି ଚିଡ଼ଚିଡ଼ ହେବା ଦେଖିଆସିଛି । ନୂଆମାଆ ଆସିଲା ପରେ ବାପା ତ ତାକୁ ଦେଖିଲେ କେଵଳ ମୁହଁ ଭଣଭଣ କରୁଥିଲେ । ଆଉ ଏବେ ତାଙ୍କର ଏହି ଶ୍ୱାସରୋଗ । ସବୁବେଳେ ଖୁଁ ଖୁଁ । ନୂଆମାଆ ବି ଆଉ ତାଙ୍କ ପାଖ ପଶୁନି ।

ଶିଖା ସେହିଦିନଠୁଁ ପ୍ରାୟ ସବୁଦିନ ସନ୍ଧ୍ୟାରେ ସେହି ବରଗଛ ପାଖକୁ ଯାଏ । ଏବେ ଆଉ କୋଉ ସାଙ୍ଗ ସହ ଖେଳିବାକୁ ନୁହେଁ, ଏକଦମ ଏକା ଏକା ଯାଏ । ସେହି ନିର୍ଦ୍ଧିଷ୍ଟ ଗଛର ଚାରିପଟେ ଘୁରିଆସେ । ନୂଆ ଉଙ୍କିଥିବା ସରୁଆ ଓହଳଟେ ହାତରେ ଧରି ଶ୍ରଦ୍ଧାରେ ସାଉଁଳେଇଦିଏ । ବଡ଼ ମୋଟା ଓହଳକୁ ହାତରେ ଝୁଲେଇବାକୁ ଚେଷ୍ଟା କରି ବିଫଳ ହୁଏ । ନୂଆମାଆର କର୍କଶ ସ୍ୱର ଯେତେବେଳେ ଆସି ବରଗଛରେ ବାଡ଼େଇ ହୁଏ ସେତେବେଳେ ସେ ସେଠୁ ଦୌଡ଼ି ପଳେଇଆସେ ।

ଆଉ ଗୋଟେ ଦିନର ଘଟଣା । ବସନ୍ତର ଆଗମନ । ଶିଖା ଜୀବନର ସତରତମ ବସନ୍ତ ନୂଆ ଏକ ସନ୍ଦେଶ ନେଇ ଆସୁଥିଲା । ନା ଥିଲା ବେଶି ଖରା ନାଁ ଥିଲା ବହୁତ ବେଶି ଶୀତ । ଖୁବ ସୁନ୍ଦର ଥିଲା ଗାଁର ପରିବେଷ । ନୂତନା ଯୁବତୀ ଶିଖାର ମନତଳେ ଅଦ୍ଭୁତ ଉଦ୍ବେଳନ ସଞ୍ଚରିତ ହେଉଥିଲା । କୋଇଲିର କୁହୁ ତାନ ବି ତାକୁ ଆନମନା କରିଦେଉଥିଲା । ସେ ସବୁଦିନ ପରି ଘରେ ଝାଡ଼ୁ ଲଗେଇ, ଚଉଁରା ପାଖେ ସଞ୍ଜବତୀଟେ ଜାଳି ଆଉ ଗୋଟେ ସଳିତା ହାତରେ ଧରି ଗାଁ ବାମ ପାଖ ରାସ୍ତା ଅତିକ୍ରମ କରି ସେହି ବରଗଛ ପାଖକୁ ଯାଉଥିଲା । ଗାଁ ପୋଖରୀ ହୁଡ଼ା ତଳେ ବୟସ୍କା ମହିଳାମାନେ ପାଣି ଲୋଟାଟି ମାନ ଥୋଇ ଗପ ଜମେଇଥିଲେ । ଶିଖାକୁ ସେମାନେ ପ୍ରତିଦିନ ଦେଖନ୍ତି ହାତରେ ସଳିତାଟେ ନେଇ ସେହି ଗଛ ତଳେ ଜାଳିବାର । କେହି କେହି କଥା ହୁଅନ୍ତି, "ଆହାଃ ! ମାଆ ଛେଉଣ୍ଡ ଝିଅଟା ! ମାଆର ଆତ୍ମା ସେଇଠି ଅଛି ଭାବିକି ନିଈତି ଆସି ଦୀପ ବସାଉଛି । ସାବତମାଆ ଟା ଦୁଇଆଖିରେ ବିଚାରୀ କୁ ଦେଖୁନି । ଆହାଃ ! କେଡ଼େ ଦୁଃଖୀଟେ ! "

ଶିଖା ସେମାନଙ୍କୁ କିଛି ନକହି ଚାଲିଆସେ । କିଛି ସମୟ ବସି ପୁଣି ଉଠି ଚାଲିଯାଏ । ସେଦିନ ବି ସେମିତି କଲା । ଦୀପଟି ଜଳେଇ ବସିଛି, ଦୀପ ଆଲୁଅରେ ବଡ଼ ଛାଇ ଟେ ତା ଆଗରେ ଆଙ୍କି ହେଇଗଲା । ସେ ପଛକୁ ବୁଲି ଦେଖିଲା ବାଇଶ -ତେଇଶ ବର୍ଷର ଜଣେ ଯୁବକ ସାଇକେଲ ଥୋଇ ଠିଆ ହେଇଛି ।

ଶିଖା ଚାଲିଆସୁଥିଲା ସେ ପଛରୁ ଡାକିଲା, "ରୁହ ! ତୁମ ନାଁ କଣ ? ଏଠିକୁ କାହିଁକି ପ୍ରତିଦିନ ସନ୍ଧ୍ୟାରେ ଆସ ? ମୁଁ ତୁମକୁ ଗୋଟେ ସପ୍ତାହ ହେଲା ଦେଖୁଛି ।"

ଶିଖା ତଥାପି କିଛି ନକହି ଆଗକୁ ପାଦ ବଢ଼େଇଲା ।

--ଶୁଣ ! ମୋ ଘର ଏଠି ନୁହେଁ । ସେହି ଯେଉଁ ରାସ୍ତା ଆରପଟ ଗାଁ, ସେଇଟା ମୋ ପିଉସୀଘର ଗାଁ । ମୋର ଛୁଟି ଚାଲିଛି । ମୁଁ ବୁଲିଆସିଛି ଏଠିକୁ । ତୁମେ କିଛି କହିବନି?

--ମୋତେ ଆଉ ପଛରୁ ଡାକନା । ଏଇଠି ପାଖରେ ମୋ ଘର । ମୋ ମାଆ ବହୁତ ରାଗି । ଚାଲିଯାଅ ଏଠୁ ।

ସେହିଦିନ ପରଠୁ ସେ ପିଲାବି ସବୁଦିନ ଆସିଲା । ଶିଖା ରାଗରେ ଗଛ ତଳେ ବସି ବହେ କାନ୍ଦିଲା । "ନୂଆମାଆ ଜାଣିଲେ ମୋତେ ଆଉ ଏଠିକୁ ଆସିବାକୁ ଦେବନାହିଁ । ଏ ମୋର କାହିଁକି ପିଛା କରୁଛି? "

ଜଳୁଥିବା ଦୀପ ଉପରେ ଶିଖାର ଲୁହ ବୁନ୍ଦା ପଡ଼ି ଧପ୍ କରି ଦୀପଟି ଲିଭିଗଲା । ବରଗଛ ଉପରୁ କିନ୍ତୁ ପୁରା କଅଁଳ ପତ୍ର ଚାରୋଟି ଖସି ଆସି ଶିଖାର ମୁଣ୍ଡରେ ପଡ଼ିଲା । ସେ ଭୟ ପାଇ ଉପରକୁ ଦେଖିଲା । କେହି ନାହିଁ । ହାତଯୋଡ଼ି ମୁଣ୍ଡରେ ଲଗେଇଲା । ଆଉ ଆସିବନାହିଁ ଭାବି କାନ୍ଦି କାନ୍ଦି ପୋଖରୀ ହୁଡ଼ାଦେଇ ଘରକୁ ପଳେଇଲା ।

ଘରେ ଆସି ଦେଖିଲା ଦାଣ୍ଡ ପିଣ୍ଡାରେ ଦୁଇଟି ଆସନ ପଡିଛି । ନୂଆମାଆ କବାଟ ପାଖରେ ଠିଆ ହେଇଛି । ଦୁଇଜଣ ଲୋକ ବାପାଙ୍କ ସହ କଥା ହେଇ ପିଣ୍ଡା ଉପରେ ଆସି ବସିଲେ । ଶିଖାକୁ ଭିତରକୁ ଯାଉଥିବା ଦେଖି ଦୁହେଁଜାକ ଉଦେଶ୍ୟପୂର୍ଣ୍ଣ ହସ ହସିଲେ ।

ନୂଆମାଆ ଶିଖା ହାତରେ ଚା' ପଠେଇଲା । ଜଣେ ତା ବାପା ବୟସର, ଆରଜଣଙ୍କ ବାପା ଠୁଁ ଚାରି -ପାଞ୍ଚ ବର୍ଷ ସାନ ହେବ । ଶିଖା ସେମାନଙ୍କୁ ନମସ୍କାର କରି ପଳେଇ ଆସିଲା ।

ରାତିରେ ଭାତ ବାଢି ନୂଆମାଆ ବାପାଙ୍କୁ ଖାଇବାକୁ ଡାକିଲା । ଶିଖା ବିଜୁଲତାକୁ ରାଜାପୁଅ କାହାଣୀ ଶୁଣାଉଥିଲା, ବାପାଙ୍କ ପାଟି ଶୁଭିଲା ।

--ତୋ ମୁଣ୍ଡ ଖରାପ ହେଇଯାଇଛି କି ? କେଡ଼େ ସୁନ୍ଦର ସୁନା ପାତିଆ ପରି ଝିଅଟାକୁ ମୋର ଦୋବେଇ ବରରେ ଦେବି ?

--କଣ ହେଇଗଲା ସେଇଠୁ?ମୁଁ ପୁଣି କେମିତି ତୁମକୁ ରାଜି ହେଇଥିଲି?ସାଧୁ ବାବୁଙ୍କର ଅନେକ ସମ୍ପତ୍ତି । ଆମ ଭାଗ୍ୟ ଖୋଲିଯିବ । ଶିଖା ତ ସେଠି ରାଣୀ ହେଇ ରହିବ । ରାଣୀ !

--ନାଁ ନାଁ.. ମୁଁ ଏ ପ୍ରସ୍ତାବ ରେ ରାଜି ନୁହେଁ । ବୁଢ଼ା ପାତ୍ରରେ ମୋ ଛୋଟ ଝିଅଟାକୁ ମୁଁ ଦେଇପାରିବିନି ।

--କେମିତି ଦେବନି ଦେଖିବା ? ନିଜେ ତ ଦିନ ରାତି ଖୁଁ ଖୁଁ ହେଉଛ,କେତେକାଳ ଆଉ ତୁମର ବାକି ଅଛି ଯେ ଝିଅକୁ ରଜା ପୁଅ ସଙ୍ଗେ ବାହାଦେବ ମୁଁ ଦେଖିବିନି !

ଶିଖାର ଛାତି ଭିତରେ ହୃତପିଣ୍ଡଟା ଯେମିତି ଖଣ୍ଡେ ବରଫ ହେଇଯାଇଥିଲା । ସେ କିଛି ସମୟ ସ୍ଥାଣୁ ହେଇ ରହିଗଲା । ନୂଆମାଆ ଯାହା ଚାହେଁ ତାହା କରେ । ସେମାନଙ୍କୁ କହିଦେଇଛି ପନ୍ଦରଦିନ ଭିତରେ ବାହାଘର ହେବ ମାନେ ସେ ନିଶ୍ଚୟ ତାହା କରେଇବ । ସେହି ବୁଢ଼ା ଦୁହିଁଙ୍କ ଭିତରୁ କିଏ ତା ବର ହେବ ? ଶିଖାର ଯୁବତୀ ମନଟା ଜଳି ଯାଉଥିଲା, ସେ କୋଉଠୁ ପାଣି ବୁନ୍ଦାଟେ ପାଉନଥିଲା ସେ ନିଆଁକୁ ଲିଭେଇବାକୁ । ଜଳି ପାଉଁଶ ହେଇଯିବା ପୂର୍ବରୁ ସେ ପୁଣି ସେହି ବରଗଛ ପାଖକୁ ଧାଇଁଲା । ସେ ପିଲା ଆଉ ଦେଖାଗଲା ନାହିଁ । ତାର ଛୁଟି ସରିଯାଇଥିଲା ବୋଧେ । ଶିଖାର ଆଖି କିଛି ଖୋଜୁଥିଲା । ସେ ଖୋଜିଲା ଦୁଇ ଆଖିକୁ ତାର ତଳକୁ କରି ସେଠୁ ଫେରିଆସିଲା ।

ବାପାଙ୍କ ସତଚେଷ୍ଟା ସତ୍ୱେ ସାଧୁଚରଣ ସହ ଶିଖାର ବାହାଘର ପକ୍କା ହେଇଗଲା । ଶେଷଥର ପାଇଁ ଶିଖା ସେହି ଗଛତଳେ ଦୀପ ଜାଳିବାକୁ ଯାଇଥିଲା । ପବନର ବେଗ ଟିକେ ବେଶି ଥିଲା । ପ୍ରତିଥର ଦୀପ ଲିଭିଯାଉଥିଲା । ଦୁଇଟି ହାତ ଦୁଇପଟରୁ ଦୀପକୁ ଢାଙ୍କିଦେଲା । ଏଥର ଦୀପଟି ଜଳି ଉଠିଲା । ଶିଖା ମୁହଁ ଉଠେଇ ଅନେଇଲା । ସେହି ପିଲା ।

--ତୁମେ?

--ଅଶୋକ । ମୋ ନାଁ ।

--ତୁମର ଛୁଟି ସରିନାହିଁ ?

--ଆହୁରି ପନ୍ଦରଦିନ ଅଛି ।

--ମୋର ବାହାଘର ଠିକ ହେଇଯାଇଛି । ଜଣେ ବୁଢ଼ା ସହ ।

--ଜାଣିଛି ।

--ତଥାପି କାହିଁକି ଆସିଛ ?

--ମୋତେ ତୁମେ ଭଲପାଅ ?

--ଜାଣିନି । କିନ୍ତୁ ମୁଁ ସେ ବୁଢ଼ା କୁ ବାହାହେବିନି ।

ଶିଖା କାନ୍ଦିଲା । ଅଶୋକ ତା ଆଖିର ଲୁହକୁ ନିଜ ଆଞ୍ଜୁଳିରେ ତୋଳି ଧରିଲା । ଠିକ ସେତିକି ବେଳେ ଆକାଶରେ ବିଜୁଳି ଚିକମିକ କଲା । ଚାରିଆଡ ଅନ୍ଧାରୁଆ ହେଇଗଲା । ଶିଖା ସେଦିନ ଘରକୁ ଫେରିପାରିଲା ନାହିଁ । ସେହିଦିନୁଁ ଆଉ ଫେରିନାହିଁ । ଅଶୋକର ସାଇକେଲଟା ଯାହା ଖାଲି ସେହି ଗଛ ତଳେ ପଡିରହିଥିଲା ସକାଳ ଯାଏଁ । ଦୀପଟା ବର୍ଷାପବନ ମାଡ଼ରେ ଓଲଟି ପଡିଥିଲା । ପୋଖରୀ ହୁଡ଼ା ତଳେ ସେହି ସ୍ତ୍ରୀଲୋକମାନେ କଥା ହେଉଥିଲେ, "ଛି ଛି.. କି ଅଲାଜୁକ ବେଳ ଆସି ପହଞ୍ଚିଲା ଲୋ ମାଆ ! ରାତା ରାତି ଝିଅ ଗାୟବ । ତା ମାଆ ପା ସେଇମିତି କରିଥିଲା, ସେ କେମିତି ନକରନ୍ତା ? ସେ ବଙ୍ଗାଳୁଣୀଟା ମଦନା ସହ କଲିକତାରୁ ପଳେଇ ଆସିଥିଲା କି ନାହିଁ ? ଇଏ ପା ତାରି ଝିଅ ! କେଡ଼େ ମଉନ ମୁହିଁ ଝିଅଟେ ଲୋ ମାଆ ! ଛି ଛି.. "

ଅଶୋକର ହାତଧରି କଣ୍ଟିପୁର ର ତୃତୀୟ ରାସ୍ତାଟି ପାର କରି ଆସିବାର ତିରିଶ ବର୍ଷ ବିତିଗଲାଣି । ଶିଖାର ମୁଣ୍ଡବାଳ ସଫେଦ ହେବାରେ ଲାଗିଲାଣି, ଆଖିରୁ ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେଲାଣି କିନ୍ତୁ କଣ୍ଟିପୁରର ସ୍ମୃତି ତା ମନରେ ଆଜି ବି ଛନଛନ ଆଉ ସତେଜ । ଆଜି ବି ଶିଖା ସେହି ବରଗଛ ଓ ତାର ଓହଳଗୁଡ଼ାଙ୍କୁ ସ୍ୱପ୍ନରେ ଦେଖେ । ସେହି ସୁନ୍ଦରୀ ସ୍ତ୍ରୀଲୋକଟିର ବେକରୁ ରକ୍ତ ଝରୁଥିବା ଦେଖି ସ୍ୱପ୍ନରେ ବିଳିବିଳେଇ ହୁଏ ।

ଶିଖାର ପୁଅ ଓ ଝିଅ ବଡ଼ ହୋଇ ବାହା ସାହା ହେଇସାରିଲେଣି । ପୁଅ ବୋହୂ, ନାତି ନାତୁଣୀ ସମସ୍ତେ ଦୂର ସହରରେ । ଶ୍ୱଶୁରଙ୍କ ପୈତୃକ ଘରେ ଏବେ ଖାଲି ସେ ଓ ତାର ତେପନ ବର୍ଷୀୟ ପ୍ରୌଢ଼ ସ୍ୱାମୀ ଅଶୋକବାବୁ । ଅଶୋକ ସନ୍ଧ୍ୟାରେ ଶିଖାକୁ ଘର ଆଗ ବିରାଟ ଗଛଟା ପାଖରେ ଠିଆ ହୋଇଥିବା ଦେଖି ବଡ଼ ପାଟିରେ ଡାକିଲେ ।

--ଶିଖା ! ସଞ୍ଜ ହେଲାଣି ଘରକୁ ଆସ । ସେଇଠି କାଲି ସାଉଁଟି ବିଷଧର ଜନ୍ତୁ ଟେ ଦେଖିଛି । ପଳେଇଆସ ଶୀଘ୍ର ।

ଶିଖା ପ୍ରକୃତିସ୍ଥ ହେଇ ଗେଟ ଭିତରକୁ ଆସିଲା । ଅଶୋକଙ୍କ ମୁହଁକୁ ସିଧା ଅନେଇ ପଚାରିଲା, "ମୋ ଜୀବନ ପ୍ରତି ତୁମର ଏତେ ଲୋଭ କାହିଁକି କୁହ ତ? "

--ତୁମେ ଆଗ ମୋତେ କୁହ ସେହି ତୁମ ଗାଁ ବରଗଛଟା ପ୍ରତି ତୁମର ଏତେଟେ ଆସକ୍ତି କାହିଁକି ? କାଲି ପୁଣି ବୋଧେ ସ୍ୱପ୍ନରେ ଦେଖିଲ ସେହି ଗଛକୁ ?

--ମୁଁ ତ ତାକୁ ସବୁଦିନ ଦେଖେ । ଜାଣିଛ ସେ ମୋ ଭିତରେ ରହିଯାଇଛି । ମୋତେ ସବୁବେଳେ ଡାକୁଛି । ଏଇ ଶୁଣ ! ତିରିଶ ବର୍ଷ ହେଇଗଲାଣି । ସମସ୍ତେ ମୋ କଥା ଭୁଲିଯିବେଣି । ମୋ ମୁହଁ ବି ଆଉ କାହାର ମନେ ନଥିବ । ଚାଲ ଥରେ କଣ୍ଟିପୁର । ନହେଲେ ଗୋବିନ୍ଦପୁର, ତୁମ ପିଉସୀ ଘରକୁ ।

ଅଶୋକଙ୍କ ପିଉସୀ ଏବେ ଆରପାରିରେ । ଅଶୋକଙ୍କ ସାଇକେଲଟା ସେଦିନ କଣ୍ଟିପୁର ଲୋକେ ଫେରେଇନଥିଲେ । ଖୁବ ଗଣ୍ଡଗୋଳ ହେଇଥିଲା ସେହି ସମୟରେ । ଅଶୋକ ସେବେଠୁଁ ଲଜ୍ଜ୍ୟାରେ, ଭୟରେ,ଦ୍ୱନ୍ଦ୍ୱରେ ରହି ପିଉସୀ ଘର ଦ୍ୱାରବନ୍ଧ ଆଉ ଡେଇଁ ନଥିଲେ । ଏତେଗୁଡାଏ ଦିନ ପରେ ବି ପିଉସୀର ଘର ଆଗରେ ନିଜ ଗାଡ଼ି ରଖୁ ରଖୁ ପୁରୁଣା ଡରଟା ତାଙ୍କୁ ତଣ୍ଟି ପାଖରୁ ମାଡିବସୁଥିଲା । ସେ ଭୟକୁ ଗଳା ପାଖରେ ଜାବିଦେଇ ଭିତରକୁ ଠେଲିଦେଲେ ଆଉ ସଗର୍ବେ ସ୍ୱପତ୍ନୀ ହାତ ଧରି ଭିତରକୁ ଗଲେ । ସତରେ ଗୋଟେ ଯୁଗ ବିତିଗଲାଣି ! ସମସ୍ତେ ପ୍ରାୟ ଭୁଲିଗଲେଣି ସେହି ପିଛିଲା କଥା । ପିଉସା ଶଯ୍ୟାଶାୟୀ । ଅଶୋକଙ୍କ ଆଗମନର କାରଣ ଅନ୍ୟମାନେ ଠଉରେଇ ନେଲେ ।

ରାତି ପାହିବାକୁ ଆହୁରି ବାକି ଅଛି । ଅନ୍ଧାର କଟି ଫର୍ଚ୍ଚା ହେଇନି, ଶିଖାର ନିଦ ଭାଙ୍ଗିଗଲା । ସେ ଉଠି କବାଟ ଖୋଲିଲା । ଗୋବିନ୍ଦପୁର ବିଲ ରାସ୍ତା ପାର କରି ପୁରୁଣା ହାଇସ୍କୁଲ ଅତିକ୍ରମ କରି କଣ୍ଟିପୁର ରାସ୍ତା ଉପରକୁ ଉଠିଲା । ଆଉ ଅଳ୍ପବାଟ ଆଗକୁ ଗଲେ ତାଙ୍କ ଗାଁ ପଡ଼ିଆ । ତାର ଉତ୍କଣ୍ଠା ବଢ଼ିବାରେ ଲାଗିଲା । କଚ୍ଚା ରାସ୍ତା ଏବେ ପକ୍କା ହେଇ ଗାଁଟା ନୂଆ ନୂଆ ଲାଗୁଛି, କିନ୍ତୁ ବାସ୍ନା ରହିଛି ସେହି ପୁରୁଣାଦିନର । ଅତ୍ମୀୟତାର ଭୁରୁ ଭୁରୁ ବାସ୍ନା ବିଲ, ପଡ଼ିଆ, ପୋଖରୀ ଆଉ ବରଗଛ ରୁ ବାହାରିଆସି ଶିଖାର ଚାରିପଟେ ଖେଳେଇ ହେଇଯାଉଛି । ଶିଖା ସେହି ବରଗଛଟା ପାଖକୁ ଦୌଡିଗଲା, ଯୋଉଠୁ ଦୌଡ଼ି ଦୌଡି ତିରିଶ ବର୍ଷ ତଳେ ଗାଁ ପାର କରିଯାଇଥିଲା । ଝଙ୍କାଳିଆ ଗଛର ତଳଟା ଆହୁରି ଅନ୍ଧାରୁଆ ଦିଶୁଛି । ଚେର ଗୁଡ଼ା ଏହି ତିରିଶ ବର୍ଷ ଭିତରେ ଆହୁରି ବେଶି ମୋଟା ହେଇ ବିରାଟ ବିରାଟ କାଠଗଡ଼ ପରି ଦିଶୁଛନ୍ତି । ଗଛର ସରୁ ପତଳା ଓହଳମାନ ବଡ଼ ହେଇ ଖୁବ ମଜଭୁତ ଓ ଶକ୍ତ ହୋଇ ମାଟି କୁ ଜାବୁଡି ଧରିଲେଣି ।

ଶିଖା ଗଛତଳେ ବସି ପଡ଼ିଲା । ଅନ୍ଧାରୁଆ ଭୋରୁ ଉଠି ଧାଇଁ ଆସିଛି । ଗଛତଳଟା ତାକୁ ଆରାମ ଲାଗିଲା । ସେ ଆଖିବୁଜି ପକେଇଲା । କିଚିରି ମିଚିରି ହେଇ ପଞ୍ଜାଏ ଚଢେଇ ଗଛରୁ ଡେଣା ଝାଡ଼ି ବାହାରିଗଲେ । ବରଫଳ କେତେଟା ଟପ ଟାପ ହେଇ ତଳକୁ ଖସି ପଡ଼ିଲା । କୁନି ଝିଅଟେ ତଳକୁ ନଇଁ ପଡ଼ି ବରଫଳ ଗୋଟାଇ ଅଣ୍ଟିରେ ଭରୁଥିଲା । ଶିଖା ତାକୁ ପାଖକୁ ଡାକିଲା ।

--ଏ ଝିଅ ତୁ ଏତେ ସକାଳୁ ଏଠି କଣ କରୁଛୁ ?

--ଦେଖି ପାରୁନ, ବରଫଳ ଖୁଣ୍ଟୁଛି ?

--କଣ କରିବୁ ?

--ଗୋଟେ କୁନି ଚଢେଇ ଖାଇବ ।

--କାହିଁ ଚଢେଇ ?

--ଗଛ ଉପରେ ଅଛି ।

--ତୁ କେମିତି ଜାଣିଲୁ ?

--ମୁଁ ବି ରହେ ସେଇଠି ।

--ତୁ ମିଛ କହୁଛୁ । ଗଛ ଉପରେ ତୁ କେମିତି ରହୁ?

--ମୁଁ ଗୋଟେ ଓହଳ ପରା । କୁନି ଓହଳଟେ ।

--ତୁ ତ ଝିଅଟେ !

--ଥିଲି । ଏବେ ଓହଳ ହେଇଯାଇଛି ।

--ଆଚ୍ଛା ! ଆଉ ତାପରେ ମାଟି ଛୁଇଁ ଗଛ ହେଇଯିବୁ ?

--ନାଇଁ ମୁଁ କେବେ ବି ଗଛ ହେଇପାରିବିନି ।

--କାହିଁକି ?

--ହେଇ ଦେଖ ।

ଝିଅଟା ତା ବେକ ଦେଖେଇଲା । ତା ଗଳା ଚାରିପଟେ କଳା ପଟି ପରି ଦାଗ । ସୁରେଇ ପରି ସରୁ ଗଳାଟାରୁ ଚମଡ଼ା ଉତୁରି ଆସିଛି । ବଡ଼ ବିଭତ୍ସ ଦିଶୁଛି ।

-ଏ ତୋ ବେକରେ କଣ ହେଇଛି ?

--ମୋ ସରୁଆ ଦେହରେ କେହିଜଣେ ଝୁଲି ଖେଳିଲା । ମୋତେ ବହୁତ କାଟିଲା । ସେ ଖୁବ ଝୁଲିଲା । ଝୁଲି ଝୁଲି ଥକ୍କି ଗଲା । ତାପରେ ସେ ମୋ ମାଆ ଗଛରୁ ମୋତେ ଛିଡେଇ ଅଲଗା କରି ତଳେ କଚାଡ଼ି ଦେଲା । ମୋ ବେକ କଟି ରକ୍ତ ବହିଲା । ସେ ଲୋକ ପୁଣିଥରେ ମୋତେ ଗୁଡେଇ ତୁଡେଇ ଏହି ଗଛ ଡାହି ରେ ଓହଳେଇ ଦେଇ ଚାଲିଗଲା । ମୁଁ ଝୁଲୁଛି, କିନ୍ତୁ ଆଉ କେବେ ମାଟି ଛୁଇଁ ପାରିବିନି, ଗଛ ହେଇପାରିବିନି ।

--ତୁ ଟିକେ ମୋ ପାଖକୁ ଆସେ ।

--ନାଇଁ ମୁଁ ଯିବିନି ।

--ଆସେ ମୋ ପାଖକୁ । ବିଜୁ... ବିଜୁଲତା... ମୋ ସୁନା ଭଉଣୀ.. ବିଜୁ..

ଅଶୋକ ଶିଖାକୁ ସବୁଆଡ଼େ ଖୋଜି ଖୋଜି ଆସି ସେହି ଗଛ ପାଖରେ ତଳେ ଶୋଇ ବିଳିବିଳାଉଥିବାର ପାଇଲେ । ଅଶୋକ ଆଉ ତାଙ୍କ ପିଉସୀପୁଅ ଭାଈ ଗୌରାଙ୍ଗ ମିଶିକରି ପାଣି ଛାଟି ଶିଖାକୁ ହୋସ୍ କୁ ଆଣିଲେ । ଶିଖା ଆଖି ଖୋଲି ଦେଖିଲା ସେହି କୁନି ଝିଅଟା ସେଠି ନାହିଁ । ଅଶୋକଙ୍କୁ ଭୟରେ ଜାବୁଡ଼ି ଧରିଲା । ପୂର୍ବ ଦିଗରେ ସୂର୍ଯ୍ୟ ଉଇଁ ଆସିଲେଣି । ପଡ଼ିଆ ଉପରୁ କଣ୍ଟିପୁର ସ୍ପଷ୍ଟ ଦିଶୁଥିଲା । ଅଶୋକ ଶିଖାକୁ ଭିଡ଼ିନେଇ ଗାଡ଼ିରେ ବସେଇଲେ । ଶିଖା ତଥାପି ଗାଡ଼ି ଭିତରୁ ମୁହଁ ବାହାର କରି ନିଜ ଗାଁ ଆଡ଼କୁ ରଖିଥିଲା ।

ଗୋବିନ୍ଦପୁରରେ ପହଞ୍ଚି ଅଶୋକ ଶିଖାକୁ ଆଉ କିଛି ସମୟ ଶୋଇପଡ଼ିବାକୁ ପରାମର୍ଶ ଦେଲେ ।

ଶିଖାର ଆଖିରେ ଆଉ ନିଦ ନଥିଲା । ସେ ବିଛଣାରେ ପଡ଼ି ପଡ଼ି ଭାବୁଥିଲା, "ତେତିଶ ବର୍ଷତଳେ ଖଣ୍ଡିଆ ଭୂତ ଭିତରୁ ଯୋଉ ସ୍ତ୍ରୀଲୋକ ଜଣଙ୍କ ବାହାରି ଆସି ମୋ କପାଳରେ ଚୁମା ଦେଇ ମୋତେ ଗେଲ୍ହା କରିଥିଲା ସେ ମୋ ନିଜ ବୋଉ ଥିଲା ନାଁ ଗୋଟେ ଗଛ ଥିଲା? ଆଉ ଆଜି ଯାହାକୁ ସ୍ୱପ୍ନ ପରି ଦେଖି ଚମକି ପଡିଲି ସେ କୁନି ଝିଅଟେ ନାଁ ସତସତିକା ଓହଳ ଟିଏ? "

ଶିଖାର ମୁଣ୍ଡ ଗୋଳମାଳିଆ ହେଇଯାଉଥିଲା । ସେ ଅନୁଭବ କରୁଥିଲା ସେ ଗୋଟେ ଗଛ ହେଇଯାଉଛି ଆଉ ତା ଦେହରୁ କଅଁଳ ଓହଳମାନ ବାହାରି ଚାରି ଆଡ଼କୁ ଲମ୍ବି ଯାଉଛନ୍ତି । ତା ଭିତରୁ ଛୋଟ ଗୋଟେ ଓହଳ ଦୂରକୁ ଦୂରକୁ ଘୁଞ୍ଚି ଯାଇ ହସି ଦେଉଛି । ଓହଳଟା ତାଙ୍କ କୁନି ନାତୁଣୀ ପିହୁ ପରି ଦିଶୁଛି । ଶିଖା ବି ହସିଲା । ସେ ଏବେ ଆହୁରି ବଢୁଛି । ଶାଖା ପ୍ରଶାଖା ମେଲେଇ ବଢୁଛି । ଅଶୋକ ଆସି ତା ବେଡ୍ କଡ଼ରେ ଠିଆ ହେଲେଣି, ତାଙ୍କ ଆଡ଼େ ଧ୍ୟାନ ନଦେଇ ଶିଖା କେଵଳ ତାର ଅସଂଖ୍ୟ ଓହଳକୁ ଦେଖି ହସି ଚାଲିଛି ।

--ଶିଖା ! ଏ ଶିଖା ! ତୁମକୁ କଣ ସତରେ ଶୁଭୁନି ? ଘରକୁ ଏଥର ଫେରିଯିବା ?

--କୋଉ ଘରକୁ ? ଗଛ କଣ ଘରେ ରହେ ?

--କୋଉଗଛ କଥା କହୁଛ ତୁମେ ?

ଶିଖା ହସବନ୍ଦ କରି ଠିଆ ହେଲା ଆଉ ଧୀରେ କହିଲା, "ବରଗଛ ଆଉ ବର ଓହଳ । ଏହିକଥା କହୁଥିଲି । ହଉ ଚାଲ ଏବେ ପଳେଇବା । କେହି ନାହାଁନ୍ତି ଆଉ ଏଠି । ବାପା ଆଉ ନୂଆମାଆଙ୍କ ସମାଧି ଦେଖି ଆସିଲି । ବିଜୁଲତା, ମୋ ସାବତ ଭଉଣୀ କୁ ସାଧୁଚରଣ ଜୋର କରି ଉଠେଇ ନେଇଥିଲା । ସେ ବି ଆଉ ନାହିଁ । ଚନ୍ଦନ ଅଛି । ସେ ମୋତେ ଚିହ୍ନିବନି । ଚାଲ ଯିବା । ଏଠି ମୋର ଆଉ କେହି ନାହିଁ । ବରଗଛଟା କୁ ମୁଁ ଆଉ କୌଣସି ଦିନ ମନେ ପକେଇବିନି । ମୁଁ ଆଉ ଓହଳ ନୁହେଁ । ନିଜେ ପରା ଗଛଟେ । "

ଅଶୋକ କିଛି ବୁଝୁଥିଲେ କି ନାହିଁ ଜଣା ନାହିଁ କିନ୍ତୁ ଶିଖା ପାଖକୁ ଧୀରେ ଆସି ତା କୁଞ୍ଚିତ କପାଳରେ ଆସ୍ତେ କରି ଚୁମାଟେ ଦେଇ ତାକୁ ସ୍ନେହଁରେ କୋଳେଇ ନେଲେ, ଯେମିତି ସେଦିନ ସେହି ଅପୂର୍ଵ ସ୍ତ୍ରୀଲୋକଟି ତାକୁ ସ୍ୱପ୍ନରେ କୋଳେଇ ନେଇଥିଲେ, ଠିକ ସେମିତି ।

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଦଶରଥପୁର, ଯାଜପୁର

755006

ବରଓହଳ ସଡ଼କ ସ୍ଥାପନ

Rate the content


Originality
Flow
Language
Cover design

Comments

Post

Some text some message..