ଭଗବାନଙ୍କ ଠିକଣା
ଭଗବାନଙ୍କ ଠିକଣା
ଭଗବାନଙ୍କ ଠିକଣା (୧)
.........................
ଟିଉସନ୍ ସାର୍ ଆସିନଥିବାରୁ ସେଦିନ ଲିପ୍ସା ପୁଅ ପିଣ୍ଟୁକୁ ପାଠ ପଢ଼ାଇବାକୁ ବସିଲେ।
ଗଣିତ ଓ ବିଜ୍ଞାନରେ ଟିକେ ଦୁର୍ବଳ ଲିପ୍ସା । ସ୍ୱାମୀ ନରେଶ ,ଏଇ ଦୁଇ ବିଷୟ ଦେଖନ୍ତି।
ସାହିତ୍ୟ ବହି କାଢ଼ିବାକୁ ନିର୍ଦ୍ଦେଶ ଦେଲେ ଲିପ୍ସା।
" ପିତାମାତା ଓ ଗୁରୁଜନଙ୍କୁ ଭକ୍ତି " ବିଷୟ ପଢ଼ାଇବାକୁ ଯାଇ ,ଲିପ୍ସା ବୁଝାଇଲେ, "ବାପା ,ମା ହେଉଛନ୍ତି ପ୍ରକୃତ ଭଗବାନ । ସେମାନଙ୍କୁ ଆମେ ପୂଜା କରିବା ଉଚିତ । ସେମାନଙ୍କ ସେବା କଲେ ଆମକୁ ସବୁଠୁ ଅଧିକ ପୁଣ୍ୟ ମିଳେ।"
ଖୁସି ହୋଇଯାଇ ପିଣ୍ଟୁ କହିଲା, "ମମି, ତା ହେଲେ ତମେ ଓ ବାପା ,ଜେଜେ ଜେଜେମାଙ୍କୁ ଘରେ ନରଖି ବୃଦ୍ଧା ଶ୍ରମରେ କାହିଁକି ରଖିଛ ?ଆଉ ସବୁ ଦିନ ଠାକୁର ଘରେ ପଶି ଘଣ୍ଟା ଘଣ୍ଟା ଧରି ଏ ଫଟ ଆଗରେ କାହିଁକି ପୂଜା କରୁଛ ?"
ପାଟିଟା ଆଫୁ ଆଫୁ ହୋଇଯାଉଥିଲା ଲିପ୍ସାଙ୍କର । ସ୍ବାମୀଙ୍କ ଉଦ୍ଦେଶ୍ୟରେ ଡାକ ପକାଇଲେ, " ଠାକୁର ଘରୁ ଜଲଦି ବାହାରି ପିଣ୍ତୁକୁ ସାହିତ୍ୟ ପଢାଅ।"
"ଓହୋ,ସାହିତ୍ୟ ବି ପାରୁନ ?"
ମୁହଁକୁ ମୋଡି ଲିପ୍ସା କହିଲେ, "ତମ ପୁଅ ସିଲାବସ୍ ବାହାର ପ୍ରଶ୍ନ ପଚାରୁଛି ପରା।"
(ଅରବିନ୍ଦ ଦାସ )
......................
ଭଗବାନଙ୍କ ଠିକଣା (୨)
.......................
ସ୍କୁଲରେ ଶିକ୍ଷକ ପିଲାଙ୍କୁ ପଚାରିଲେ,"ଆଛା ,ପିଲେ କହିଲ,ଭଗବାନ କେଉଁଠି ରହନ୍ତି ?"
ରାଜୁ ହାତ ଟେକିଲା । ଖୁସି ହୋଇ ଶିକ୍ଷକ ପଚାରିଲେ "ତୁମେ ଜାଣିଛ ଭଗବାନଙ୍କ ଠିକଣା ?କୁହ।"
" ସାର୍, ଭଗବାନ ଦୁଇଟା ଜାଗାରେ ରୁହନ୍ତି।"
ଅତିଶୟ ଆନନ୍ଦରେ ଶିକ୍ଷକ କହିଲେ, "ହୃଦୟ ଓ ମନ୍ଦିର ରେ ତ "?
ନାସ୍ତିସୂଚକ ମୁଣ୍ଡ ହଲାଇ ରାଜୁ କହିଲା, "ବୟସ ଥିଲା ପର୍ଯ୍ୟନ୍ତ ଭଗବାନ ଘରେ ରୁହନ୍ତି, ବୁଢ଼ା ବୁଢ଼ୀ ହୋଇଗଲେ ଭଗବାନ ,ବୃଦ୍ଧାଶ୍ରମରେ ରୁହନ୍ତି।"
ଶିକ୍ଷକ ଜଡ ପାଲଟି ଯାଉଥିଲେ।
(ଅରବିନ୍ଦ ଦାସ)