Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ସୁକନ୍ୟା

ସୁକନ୍ୟା

8 mins
11.9K


ଅଫିସରୁ ଫେରିଲା ବେଳେ ରିକ୍ସାରେ ବସି ଭାବୁଥିଲି କେମିତି ବୁଝେଇବି ମାଆକୁ।ସେ ମୋ ବାହାଘର ପାଇଁ ଏତେ ବ୍ୟସ୍ତ ହେଇପଡିଛି ଯେ କୋୖଣସି କଥା ଶୁଣିବାକୁ ନାରାଜ୍।ତା ମୁଣ୍ଡରେ ଏବେ ଗୋଟିଏ ଚିନ୍ତା କେମିତି ଝିଅ ବାହାଘର କରିବ।ଖୁଡି ତାଙ୍କ ଭଉଣୀ ପୁଅ ପାଇଁ ଆଣିଥିବା ପ୍ରସ୍ତାବରେ ସେ ଆଗେଇଛି।ମୋତେ ବାରମ୍ବାର କହୁଛି ପିଲାଟା ଭାରି ଭଲ।ସେସ୍କୋରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଅଛି।ଦେଖିବାକୁ ବି ସୁନ୍ଦର।ତୋ ସାଙ୍ଗକୁ ଭଲ ମାନିବ।ତାଙ୍କ ଘର ଲୋକ ତୋତେ ଦେଖି ପସନ୍ଦ କରିଛନ୍ତି।ଖାଲି ପୁଅ ଆସି ଦେଖିକି ଯିବ।ବାକି ରହିଲା ଯୌତୁକ କଥା।ସେମାନେ ଟଙ୍କା ତିନି ଲକ୍ଷ ସହ ଅନ୍ୟାନ୍ୟ ଜିନିଷପତ୍ର ବରାଦ କରିଛନ୍ତି। ମୁଁ ଯେମିତି ହେଲେ ସବୁ ବିକି ଭାଙ୍ଗି ସେମାନଙ୍କ ଇଛା ପୂରଣ କରିବି।ଏମିତି ପ୍ରସ୍ତାବ ହାତଛଡା କଲେ ଆଉ ମିଳିବ!ମୁଁ ତା କଥା ଶୁଣି ଭାବୁଥିଲି ମାଆ ତୁ କେତେ ସହଜରେ କହିଦେଲୁ ସବୁ ବିକି ଦେଇ ମୋ ବାହାଘର କରିବୁ ବୋଲି। ଥରେ ଭାବିଲୁନି ସୂରଜ କଥା। ତାର ପାଠପଢା ସରିନି। ଆମର ଏକମାତ୍ର ସମ୍ବଳ ଥିବା ଜମି ବିକିଦେଲେ ତମେ ଚଳିବ କେମିତି! ସୂରଜର ଭବିଷ୍ୟତ କ'ଣ ହବ! କିନ୍ତୁ ମାଆ ଆଖିରେ ଝଲମଲ କରୁଥିବା ଖୁସିକୁ ଦେଖି ମୋ ପାଟିରୁ ବାହାରୁଥିବା ଶବ୍ଦ ଗୁଡିକ ଓଠ ପାଖରେ ଅଟକି ଯାଇଥିଲା। ରିକ୍ସାବାଲାର ଡାକରେ ମୁଁ ଫେରି ଆସିଲି ଭାବନା ରାଜ୍ୟରୁ। କେତେବେଳେ ଆସି ଘର ପାଖରେ ପହଞ୍ଚି ଗଲିଣି ଜାଣି ପାରିଲିନି। ଘର ଭିତରକୁ ଯାଉ ଯାଉ ମାଆର କଅଁଳିଆ ମିଠା ଡାକ ଶୁଭିଲା ମୋ ମାମୁନି ଆସିଗଲାଣି କି! ହଉ ଯା, ଡ୍ରେସ ବଦଳେଇ ଧୋଇ ହେଇ ଆ, ମୁଁ ତୋ ପାଇଁ ଖାଇବାକୁ ବାଢୁଛି। ହଁ ଆଉ ଗୋଟେ କଥା ଶୁଣ, କାଲି ଦାଦାଙ୍କ ସହିତ ସେ ପୁଅ ତୋତେ ଦେଖିବାକୁ ଆସୁଛି। ଖୁଡି ଏବେ ଆସି ପହଞ୍ଚିବ। ମୁଁ ଆଉ ସମ୍ଭାଳି ନପାରି କହିଲି, କି ଭୂତ ପଶିଛି ତୋ ମୁଣ୍ଡରେ ମୁଁ ଜାଣି ପାରୁନି! ସବୁ ଜମି ବାଡ଼ି ବିକି ମୋତେ ବାହାଦେଲେ ତମେମାନେ କଣ ଗଛ ମୂଳେ ରହିବ।ତୁ କଣ ଭାବୁଛୁ ସବୁ ଦେଇ ମୋତେ ଭଲ ଘରେ ବାହାଘର କଲେ ମୁଁ ସେଠି ଶାନ୍ତିରେ ରହିବି। ତମେମାନେ ଯୋଉଠି ପ୍ରତି ମୁହୂର୍ତ୍ତ ଦୁଃଖ ଯନ୍ତ୍ରଣାରେ କାଟୁଥିବ,ମୁଁ ସେଠି କେମିତି ସୁଖରେ ରହିବି। ତୁ ଥରେବି ଭାବିଲୁନି ସୂରଜ କଥା। କାଲି ଯେତେବେଳେ ସେ ପଚାରିବ ଅପାକୁ ତ ସବୁ ଦେଲୁ ମୋ ପାଇଁ କଣ ରଖିଚୁ, କି ଉତ୍ତର ଦବୁ ତାକୁ। ରାଗ ଆଉ ଅଭିମାନରେ ମୋ ଆଖିରୁ ଝରୁଥିଲା ଅମାନିଆ ଲୁହ। କୋହରେ ମୋ କଥା ସବୁ ଅଷ୍ପସ୍ଟ ଶୁଭୁଥିଲା। ମାଆ ବି ଗୁମୁରି ଗୁମୁରି କାନ୍ଦୁଥିଲା। ବାପା କାନ୍ଥକୁ ଆଉଜି ଠିଆ ହେଇଥିଲେ ପଥର ମୂର୍ତ୍ତି ଟିଏ ଭଳି।ମୁଁ ମାଆକୁ ହଲେଇ ଦେଇ କହିଲି ଏମିତି ବାହା ଦବା ଅପେକ୍ଷା ତୋ ନିଜ ହାତରେ ମୋ ତଣ୍ଟି ଚିପିଦେ ସବୁ ସମସ୍ୟାର ସମାଧାନ ହେଇଯିବ। ସେ ମୋତେ ଜାବୁଡ଼ି ଧରି ଯୋରରେ କାନ୍ଦି ଉଠିଲା।ଆମ ଦୁହିଁଙ୍କ ଆଖି ଲୁହ ଆଉ କାନ୍ଦର ସ୍ୱର ମିଶିଯାଇ ଯେମିତି ଆମ ଗରିବ ପରିବାରକୁ ଉପହାସ କରୁଥିଲା। ମାଆ ତା ପଣତରେ ମୋ ଲୁହକୁ ପୋଛି ଦେଇ କହିଲା, ପାଗଳୀଟା ତୁ କାହିଁକି ଏତେ କଥା ଚିନ୍ତା କରୁଛୁ। ଆମ ପାଇଁ ଠାକୁର ଅଛନ୍ତି, ସେ ଯାହା କରିବେ ଠିକ୍ କରିବେ। ଯା ମୁହଁ,ହାତ ଧୋଇଦେ। ମୁଁ ଡ୍ରେସ ବଦଳେଇ ବାଥରୁମରେ ପସୁଛି ଖୁଡୀଙ୍କ ପାଟି ଶୁଭିଲା। ମୁହଁକୁ ପାଣି ଛାଟି ଆଖିର ଲୁହକୁ ଲୁଚେଇବାକୁ ଚେଷ୍ଟା କରୁଥିଲି।କିନ୍ତୁ ଛାତିର କୋହ ଗୁଡିକ ବାହାରକୁ ଆସିବାକୁ ବାଟ ଖୋଜୁଥିଲେ। ଖୁଡିଙ୍କ ପାଦ ଛୁଇଁ ପ୍ରଣାମ କଲି। ସେ ମୋ ମୁହଁକୁ ଚାହିଁ ଦେଇ କହିଲେ, ତମ ମୁହଁ କଣ ଏମିତି ଶୁଖି କଳା ଦିଶୁଛି। ଆଜି ଅଫିସରୁ ଟିକେ ଶୀଘ୍ର ଆସି ବିଶ୍ରାମ ନେଇଥିଲେ ହେଇନଥାନ୍ତା। କାଲି ସିଲୁ ତମକୁ ଦେଖିବାକୁ ଆସୁଛି ବୋଲି କଣ ଜାଣିନ! ତାପରେ ମାଆ ଉଦ୍ଦେଶ୍ୟରେ କହିଲେ, ବୁଝିଲ ଅପା ତମେ ଦବାନବା କଥାରେ ରାଜି ହେଇଯାଅ। ଆମ ମୁନି ପାଇଁ ୟାଠୁ ଆଉ ଭଲ ପ୍ରସ୍ତାବ ମିଳିବନି। ସୁମି(ଖୁଡିଙ୍କ ଭଉଣୀ) କହୁଥିଲା ସିଲୁ ପାଇଁ କେତେ ବଡ ଘରୁ ପ୍ରସ୍ତାବ ଆସୁଛି। ଖାଲି ମୋ ଝିଆରୀ ବୋଲି ସେ ମୋ କଥାରେ ରାଜି ଅଛି। ମାଆ ଖାଇବା ଥାଳି ଆଣି କହିଲା ନେ ଖାଇଦେ। ଖୁଡି ଗପି ଚାଲିଥାନ୍ତି,ଅପା ସୁମି ଆମର ଭାରି ଭଲ ଆଉ ସିଲୁତ ହୀରା ଖଣ୍ଡେ। ଦେଖିବ ମୁନି ସେଠି ରାଣୀ ହେଇ ରହିବେ। ତାଙ୍କ କଥା ସବୁ ଶୁଣିବାକୁ ମୋର ଆଉ ଧୋର୍ଯ୍ୟ ନଥାଏ। ମୁଁ ତରବରରେ ଖାଇବା ଗୁଡା ଗିଳି ଦେଇ ଉଠିଗଲି। ବିଛଣାରେ ପଡ଼ି ଭାବୁଥିଲି ଖୁଡି ସବୁବେଳେ ଏମିତି ଆକାଶରୁ ତୋଳି ଆଣି କଥା କୁହନ୍ତି। ସବୁ କଥାକୁ ରଙ୍ଗେଇ କରି କହିବା ତାଙ୍କର ଜନ୍ମଗତ ଅଭ୍ୟାସ। ସହଜେତ ନିଜ ଭଉଣୀ ପୁଅ ପାଇଁ ପ୍ରସ୍ତାବ ପକେଇଛନ୍ତି ଆଉ ଭଲ ନକହିଲେ ହବ। ହଠାତ୍ ମୋ ଭାବନାରେ ବାଧା ଦେଇ ଖୁଡି ଆସି କହିଲେ ମୁନି କଣ ଶୋଇ ପଡିଲଣି? ମୁଁ ଆଖି ଖୋଲି ଚାହିଁଲି। ସେ ମୋ ପାଖରେ ବସିଯାଇ ତାଙ୍କ ବ୍ୟାଗରୁ ଖଣ୍ଡେ ଶାଢ଼ୀ ବାହାର କରି କହିଲେ, ଦେଖ ଏ ଶାଢ଼ୀଟା ମୁଁ ତମ ପାଇଁ ଆଣିଛି। କାଲି ୟାକୁ ପିନ୍ଧି ସିଲୁ ଆଗକୁ ଯିବ। ଏଇଟା ତମକୁ ଭାରି ବଢିଆ ମାନିବ। ଭାବିଲି ଅପାଙ୍କର କିଛି ଭଲ ଶାଢ଼ୀ ନଥିବ, ଆଉ ତମେ ତ ଏଯାଏଁ ଖଣ୍ଡେ ଶାଢ଼ୀ ବି କରିନ।ସେଥିପାଇଁ ନେଇ ଆସିଲି। ତାଙ୍କ କଥା ପୁରା କରିବାକୁ ନଦେଇ କହିଲି କାଇଁ ଡ୍ରେସ୍ ପିନ୍ଧି ଗଲେ ଚଳିବନି। ଖୁଡି କହିଲେ ତମେ କଣ ଯେ କୁହ ମୁନି। ଆରେ ତମେ ଡ୍ରେସ୍ ପିନ୍ଧିଲେ ବେଶି ଛୋଟ ଆଉ ପତଳା ଲାଗ। ଶାଢ଼ୀ ପିନ୍ଧିଲେ ଠିକ୍ ଦେଖାଯିବ। ଶୁଣ, ସୁମି ଘରେ ସମସ୍ତେ ରାଜି ଅଛନ୍ତି, ଖାଲି ସିଲୁ ଦେଖିଲେ କଥା ଛିଣ୍ଡିବ। ତେଣୁ ମୁଁ ଚାହୁଁଛି ସେ କୌଣସି କାରଣରୁ ତମକୁ ଯେମିତି ରିଜେକ୍ଟ ନକରେ। ଆମ ବନ୍ଧୁ ବାନ୍ଧବ କଥା ମୁଁ ଯେମିତି ଅପମାନିତ ନହୁଏ। ଆଉ ଗୋଟେ କଥା ମନେରଖ ମୁନି ସବୁ ଦୃଷ୍ଟିରୁ ଦେଖିଲେ ଏ ପ୍ରସ୍ତାବକୁ ଛାଡିଲେ ଆମେ ଆଉ ଭଲ କିଛି ପାଇବାନି। କେବଳ ଟିକେ ବେଶୀ ଡିମାଣ୍ଡ୍ କରୁଛନ୍ତି। ଯାହା ହେଲେବି ପୁଅ ଗୋଟେ ଡିଗ୍ରୀ ଇଞ୍ଜିନିୟର। ଅପା ଭାଇତ ସବୁ ଦବାକୁ ରାଜି ଅଛନ୍ତି।

ମୁଁ ତାଙ୍କ କଥାରେ ବାଧା ଦେଇ କହିଲି, ଖୁଡି ତମେବି ବାପା, ମାଆଙ୍କ ଭଳି କିଛି ବୁଝି ପାରୁନ। ସୂରଜର ପାଠପଢା ସରିନି,ମୋର ୮୦୦୦ ଟଙ୍କା ଦରମାରେ ଏଘର ଚଳୁଛି ବୋଲି କଣ ତମକୁ ବି ବୁଝେଇବାକୁ ପଡ଼ିବ। ସବୁ ଦେଇ ମୋ ବାହାଘର କରିଦେଲେ ସେମାନେ ବଞ୍ଚିବେ କେମିତି? ମୋ ଭାଇର ଭବିଷ୍ୟତ କଣ ହବ? ତମେ କଣ ଭାବୁଛ ଗୋଟେ ଡିଗ୍ରୀ ଇଞ୍ଜିନିୟର ବର ପାଇଲେ ମୋତେ ସବୁ ଖୁସି ମିଳିଯିବ। ଯେତେବେଳେ ମୋ ପରିବାର ଅଭାବରେ ବଞ୍ଚୁଥିବେ,ମୁଁ ସେଠି ପ୍ରାଚୁର୍ଯ୍ୟର ପାହାଡ଼ ଉପରେ ବସି ଖୁସି ହେଇ ପାରିବି! ତମେତ ଗୋଟେ ଝିଅ, ତମେ କଣ ଏକଥା ଭାବି ପାରୁନ। ହଠାତ୍ ଖୁଡିଙ୍କ ମୁହଁର ରେଖା ସବୁ କୁଞ୍ଚିତ ହୋଇ ଉଠିଲା। ସେ ତୀକ୍ଷ୍ଣ କଣ୍ଠରେ କହିଲେ ତମର ଏମିତି କଥା ଯୋଗୁଁ ଅନେକ ଭଲ ପ୍ରସ୍ତାବ ହାତଛଡା ହେଲାଣି। ଆଜିକାର ଦୁନିଆରେ ସେମିତି କେହି ମିଳିବେନି ଯିଏ ତମକୁ ବିନା ଯୌତୁକରେ ବାହା ହବ। ସେମିତି ଯଦି ଚାହୁଁଛ ତମେ ନିଜେ ଠିକ୍ କରି ବାହା ହୁଅ। ଭାଇଙ୍କର ତ କିଛି ରୋଜଗାର ନାହିଁ। ଯୋଉଠୁ ବି ପ୍ରସ୍ତାବ ଆସୁଛି ସେମାନେ ପଚାରୁଛନ୍ତି ବାପା କଣ କରୁଛି, ଭାଇ କଣ କରୁଛି। ଏମିତି ପରିସ୍ଥିତିରେ ତମ ଭଳି ଗୋଟେ ଉଚ୍ଚାଭିଳାସୀ ଝିଅର ବାହାଘର କରିବା ଯେ କେତେ କଷ୍ଟ ସେକଥା ତମେ ବୁଝି ପାରିବନି। ବରଂ ଭଗବାନଙ୍କୁ ଧନ୍ୟବାଦ ଦିଅଯେ ମୋ ଭଉଣୀ ତମ ପରିବାର ବିଷୟରେ ସବୁ ଜାଣିବି ଏ ବାହାଘରରେ ରାଜି ହେଇଛି। ନହେଲେ ସେ ବହୁତ ବଡ ଘରେ ବନ୍ଧୁ ବାନ୍ଧି ପାରିବ।ତମକୁ ଜାହା ଭଲ ଲାଗୁଛି ତମେ ସେଇଆ କର। ପୁଣି ପଛରେ ସମସ୍ତେ କହିବେ ଦାଦା, ଖୁଡି କିଛି ବୁଝୁ ନାହାନ୍ତି। ଖୁଡି ରାଗ ଆଉ ଅପମାନରେ ଆହତ ନାଗୁଣୀ ପରି ଫଁ ଫଁ ହେଇ ଚାଲିଗଲେ। ମୋ ଆଖିର ଲୁହ ମାନେ ବୋଲ ମାନୁ ନଥିଲେ। ତକିଆରେ ମୁହଁ ଚାପି ମୁଁ ନିଶଦ୍ଦରେ କାନ୍ଦୁଥିଲି। ଲୁହରେ ଅସ୍ପଷ୍ଟ ଦିଶୁଥିଲା ବାପାଙ୍କ ନିରୀହ ମୁହଁ। ଆଜିକାଲି ଦୁନିଆରେ ଜାହା ପାଖରେ ଟଙ୍କା ନାହିଁ ତାକୁ କେହି ମଣିଷରେ ଗଣନ୍ତିନି। ସେ ସବୁବେଳେ ଅଲୋଡ଼ା ଆଉ ଅଖୋଜା ହେଇ ରହିଯାଏ। ଜାହା ଘଟିଥିଲା ମୋ ବାପା, ମାଆଙ୍କ ଅଭାବୀ ଜୀବନରେ। ସେମାନେ ସବୁବେଳେ ଅଦରକାରୀ ବସ୍ତୁ ହେଇ ରହିଗଲେ। ସବୁକିଛି ଠିକ୍ ଥିଲା। ଗାଁରେ ବାପା ଚାଷବାଷରୁ ଯେତିକି ରୋଜଗାର କରୁଥିଲେ ସେଥିରେ ଆମେ ଦୁଃଖେସୁଖେ ଚଳୁଥିଲୁ। କିନ୍ତୁ ଅଣ୍ଟା ଅପରେସନ ପରେ ବାପା ଆଉ ଚାଷ କାମ କରି ପାରିଲେନି। ଆମ ଘର ଉପରେ ଦୁଃଖର କଳା ବାଦଲ ବର୍ଷି ଚାଲିଥିଲା। ଦାଦାଙ୍କ ଠାରୁ କୌଣସି ସାହାଯ୍ୟର ଆଶା ନଥିଲା। ଶେଷରେ ପିଉଷୀ ମାନଙ୍କ ସାହାଯ୍ୟରେ ବାପା ଗୋଟେ ତେଜରାତି ଦୋକାନ କଲେ। ହେଲେ ଦୋକାନ ବି ସେମିତି ଭଲ ଚାଲୁ ନଥିଲା।

ମୁଁ ବଡ ପିଉଷୀ ଘରେ ରହି କଲେଜରେ ପଢିଲି ଆଉ ସୂରଜ ସାନ ପିଉଷୀ ଘରେ ରହି I.T.I କଲା। ଗ୍ରାଜୁଏସନ୍ ପରେ ମୁଁ କମ୍ପ୍ୟୁଟର କୋର୍ସ କଲି। ତାପରେ ମୋତେ ଆମ ବ୍ଲକରେ ଗୋଟେ ପ୍ରୋଜେକ୍ଟରେ ଚାକିରୀ ମିଳିଲା। ଏଇ ଚାକିରୀଟି ଥିଲା ଆମ ଘର ପାଇଁ ଈଶ୍ବରଙ୍କ ବରଦାନ ସଦୃଶ। ବୁଡି ଯାଉଥିବା ଲୋକକୁ କୁଟା ଖିଅଟେ ଆଶ୍ରା ଭଳି ଏ ଚାକିରୀଟି ଥିଲା ଆମ ପାଇଁ ଏକମାତ୍ର ସମ୍ବଳ। ସୂରଜ ଏବେ ଷ୍ଟଡିଲୋନ୍ କରି ଡିପ୍ଲୋମା କରୁଛି। କିଛି ପିଲାଙ୍କୁ ବି ଟିଉସନ୍ କରୁଛି। ଦୋକାନରେ ବି ଲସ୍ ହେଇ ଦୋକାନ ଭାଙ୍ଗିଗଲା। ଏବେ ଘରର ସମ୍ପୂର୍ଣ୍ଣ ଦାୟିତ୍ୱ ମୋର। ମୁଁ ଯଦି ବାହା ହେଇ ଯାଏ ତାହେଲେ ମୋ ଘରର ଅବସ୍ଥା କ'ଣ ହବ। ଠାକୁରଙ୍କୁ ଡାକୁଥିଲି ପ୍ରଭୁ ମୋ ଭଳି ଦୁଃଖ ଆଉ କାହାକୁ ନଦିଅ। ଆମ ଭଳି ଗରିବ ଘରେ କେବେହେଲେ ଝିଅ ଟିଏ ଦିଅନା। କାରଣ ମୋ ଭଳି ଗୋଟେ ଝିଅର ମନ ବୋଲି କିଛି ନାହିଁ ଆଉ ସ୍ୱପ୍ନତ ସବୁ ଉଜୁଡା ଖେତ ଭଳି।କାହିଁକିନା ମୁଁ ବେରୋଜଗାରିଆ ବାପାର ଝିଅ। ଲୁହରେ ଓଦା ହେଇ ଯାଇଥିଲା ତକିଆ। ହଠାତ୍ ମାଆର ଡାକରେ ନିଦ ଭାଙ୍ଗିଗଲା। ଆଖି ଖୋଲି ଦେଖେତ ସକାଳ ଆଠଟା ବାଜିଲାଣି କାଲି ରାତିର କଥା ମନେପଡି ମନଟା ଖରାପ ହେଇଗଲା। ମାଆ ବିଛଣା ସଜାଡୁ ସଜାଡୁ କହିଲା କାଇଁ ମୁହଁ ଶୁଖେଇ ବସିଲୁ। ଯା ଗାଧେଇକି ରେଡି ହେଇଯା। ସେମାନେ ଦଶଟା ବେଳକୁ ଆସି ପହଞ୍ଚିବେ। ଖୁଡି ଘର ସଜାଡୁଛି। ନିର୍ଧାରିତ ସମୟରେ ଦାଦା ତାଙ୍କ ପୁତୁରା ସିଲୁ ବାବୁଙ୍କୁ ଧରି ପହଞ୍ଚିଲେ। ଇଚ୍ଛା ନଥିଲେବି ବାଧ୍ୟରେ କାଠ କଣ୍ଢେଇ ଭଳି ସଜ ହେଇ ତା ଆଗକୁ ଗଲି। ଖୁଡି ପୁରା ଖୁସିରେ ଫାଟି ପଡୁଥାନ୍ତି। କେତେବେଳେ ଗୁଡାଏ ଅଜାଚିତ ପ୍ରଶଂସା ତାଙ୍କ ପୁତୁରା ପ୍ରତି ତ କେତେବେଳେ ମୋ ପ୍ରତି ଢାଳୁଥାନ୍ତି। ସିଲୁ ବାବୁଙ୍କର କେତୋଟି ପ୍ରଶ୍ନର ଉତ୍ତର ଦେଇ ସାରିଲା ପରେ ମୋର ଦେଖା ଦେଖି ପର୍ବ ସରିଲା। ସଂଧ୍ୟାବେଳକୁ ଖୁଡିଙ୍କ ଭଉଣୀ ଘରୁ ଫୋନ୍ ଆସିଲା ସିଲୁର ଝିଅ ପସନ୍ଦ ହେଇଛି। ଯୌତୁକ ବାବଦରେ କଥା ଛିଣ୍ଡିଲେ ଆମେ ତିଥି ଠିକ୍ କରିବୁ। ଖୁଡି ମାଆକୁ କୁଣ୍ଢେଇ ପକେଇ କହିଲେ,ଦେଖିଲ ଅପା ମୁଁ କେମିତି ବାହାଘରଟା ଠିକ୍ କରିଦେଲି। ତମେ ଟଙ୍କା ଯୋଗାଡ କରିବାରେ ଲାଗିଯାଅ। ଏଇ ମାର୍ଚ୍ଚ ମାସରେ ବାହାଘରଟା ସାରିଦବା। ଆମ କଥାତ ଜାଣିଛ, ଘରଭଡା, ଦୁଇଟା ପିଲାଙ୍କୁ ପାଠ ପଢେଇବାରେ ସବୁ ଟଙ୍କା ସରି ଯାଉଛି। ମାସ ଶେଷକୁ ହାତ ଖାଲି। ତମ ଦିଅରଙ୍କର କିରାଣୀ ଚାକିରୀରେ କୋଉଠୁ ଏତେ ଟଙ୍କା ଆସିବ ଯେ ଆମେ ତମକୁ କିଛି ଅଧିକା ସାହାଯ୍ୟ କରି ପାରିବୁ। ମୋର କଣ ଇଚ୍ଛା ନାହିଁ, ମୁନି ବି ମୋର ଗୋଟେ ଝିଅ। ହେଲେ ମୋ ହାତରେ କିଛି ନାହିଁ। ଅତି ବେଶୀରେ ଆମେ ଟଙ୍କା ଦଶ ହଜାର ଦେଇ ପାରିବୁ। ତାପରେ ଖୁଡି ସକସକ ହେଇ କାନ୍ଦି ପକେଇଲେ। ଆର ଘରେ ଥାଇ ମୁଁ ସବୁ ଶୁଣୁଥାଏ। ମୁଁ ଭଲଭାବେ ଜାଣିଥିଲି ଏଇଟା ଖୁଡିଙ୍କ କୁମ୍ଭୀର କାନ୍ଦଣା। ଯୋଉ ଦାଦା ଖୁଡି ଆମେ ଏତେ ଅସୁବିଧାରେ କେମିତି ବଞ୍ଚିଛୁ ବୋଲି ଦିନେ ପଚାରି ନାହାଁନ୍ତି,ତାଙ୍କ ଆଖିରୁ ଆଜି ମୋ ପାଇଁ ଲୁହ ଝରୁଛି। ଯିଏ ଆଜି ଯାଏ ଟଙ୍କା ଦଶଟା ଦେଇନାହାନ୍ତି ସେ ପୁଣି ଦଶ ହଜାର ଦେବେ। ନିଜକୁ ଦୃଢ କଲି। ମୋତେ ହିଁ କିଛି କରିବାକୁ ପଡିବ। ନହେଲେ ଆମ ଛୋଟ ସଂସାରଟି ଅବେଳରେ ସୁଅ ମୁହଁର ପତର ଭଳି ଭାସିଯିବ। ମାଆ ପାଖକୁ ଯାଇ କହିଲି, ତୁ ଏ ବାହାଘର ଭାଙ୍ଗିଦେ। ମୁଁ ଏଠି ବାହା ହେଇ ପାରିବିନି। ମାଆ ମୋତେ ଧରି ପକେଇ କହିଲା ତୁ ଏ କଣ କହୁଛୁ। ତୋ ମୁଣ୍ଡ ଠିକ୍ ଅଛିତ। ମୁଁ ତାକୁ ସିଧା ଚାହିଁ କହିଲି, ଏଇଟା ମୋର ଶେଷ କଥା। ତୁ ଯଦି ମୋତେ ସେଠି ବାହା ହବା ପାଇଁ ବାଧ୍ୟ କରୁ ତାହେଲେ ମୁଁ ଘର ଛାଡ଼ି ଚାଲିଯିବି। ଖୁଡିଙ୍କୁ କହିଲି ତମ ଭଉଣୀଙ୍କୁ ଆମ ଠାରୁ ବହୁତ ବଡ ଘର ଆଉ ମୋଠାରୁ ବହୁତ ଭଲ ଝିଅ ମିଳିବେ। ତମେ ଯେତିକି ଚେଷ୍ଟା କରିଥିଲ ସେଥିପାଇଁ ତମକୁ ବହୁତ ଧନ୍ୟବାଦ। ଆମ ପାଇଁ ତମକୁ ଆଉ ତମ ଭଉଣୀ ପାଖରେ ଛୋଟ ହେବାକୁ ପଡିବନି। ତାଙ୍କୁ କହିଦବ ଝିଅ ଏ ପ୍ରସ୍ତାବରେ ରାଜି ନୁହେଁ।ଏକା ନିଃଶ୍ବାସରେ ଏତେ ଗୁଡାଏ କଥା କହିଦେଇ ମୁଁ ଚୁପ ହେଇଗଲି। ବହୁତ ଗୋଟେ ବଡ ବୋଝ ମୋ ମୁଣ୍ଡରୁ ଓଲ୍ହେଇ ଗଲା। ମନଟା ଧୀରେ ଧୀରେ ହାଲକା ହେଇ ଯାଉଥିଲା। ଖୁଡିଙ୍କ ମୁହଁର ରଙ୍ଗ ଫିକା ଦିଶୁଥିଲା। ଅପା,ଏମିତି ଉଧ୍ୟତ ଝିଅକୁ ଏଥର ତମେ ସମ୍ଭାଳ, ମୋତେ ଆଉ ପଛରେ ଦୋଷ ଦବନି କହି ଖୁଡି ବ୍ୟାଗ୍ ଧରି ଘରୁ ବାହାରିଗଲେ। ବାପା ତଳକୁ ମୁହଁ ପୋତି ବସିଥିଲେ। ମାଆ ଲୁଗା କାନିରେ ଲୁହ ପୋଛୁଥିଲା। ମୁଁ ତା ବେକ ଚାରିପଟେ ହାତ ଗୁଡେଇ କହିଲି, ତୁ ମୋ ଉପରେ ରାଗିଲୁ। ମୁଁ ଯାହା କରିଛି କଣ ଭୁଲ୍ କରିଛି। ମୁଁ ତୋ ଝିଅ ହେଇ କେମିତି ଏତେ ସ୍ୱାର୍ଥପର ହେବି କହିଲୁ। ମୋ ଖୁସି ପରା ତମେମାନେ। ତମ ସମସ୍ତଙ୍କୁ ଛାଡି ମୁଁ ମୋ କଥା କେବେ ଭାବିନି। ତମ ମାନଙ୍କୁ ଦୁଃଖରେ ଦେଖି ମୁଁ କେବେ ଖୁସିରେ ରହି ପାରିବି? ସୂରଜର ଗୋଟେ ଭଲ ଚାକିରୀ ହେଇଯାଉ, ତାପରେ ତୁ ମୋତେ ଯୋଉଠି ବାହାଦବୁ ମୁଁ ସେଇଠି ବାହା ହେବି। ଏଥର ତୁ ଟିକେ ହସିଦେ, ମୋ ସୁନା ମାଆଟା ପରା। ମେଘ ଉହାଡରୁ ସୂର୍ଯ୍ୟ ଉଇଁଲା ଭଳି ମାଆ ଓଠରୁ ଝରି ଆସିଲା ଚେନାଏ ହସ। ବାପାଙ୍କ ଆଖିରେ ଚିକ୍ ମିକ୍ କରୁଥିଲା ଆନନ୍ଦର ଦୁଇ ଟୋପା ଅଶ୍ରୁ। ଆଉ ସେଇ ଖୁସିରେ ମୋ ମନଟା ପୂର୍ଣ୍ଣମୀର ଜହ୍ନ ଭଳି ପରିଷ୍କାର ଦିଶୁଥିଲା।


Rate this content
Log in

Similar oriya story from Drama