ମନ୍ତ୍ରଣା
ମନ୍ତ୍ରଣା
କବାଟ ଖଡ୍ ଖଡ୍ ଶବ୍ଦ ଜୋର୍ ଜୋର୍ ହେବାରୁ "କିଟୁ ବୋଉ" ଘର ଭିତରୁ ଚିତ୍କାର ଛାଡିଲେ,
- ରହ .... ରହ... ଆସୁଚି.....
ବାଡି କବାଟ ଖୋଲି ଦେଖିଲାରୁ "ପାଣ୍ଡି ବୋଉ" କଳା ରଙ୍ଗର ଠେକି ଗୋଟେ କିଟୁବୋଉ ହାତକୁ ବଢେଇ ଦେଲେ। ହଳଦିଆ ଗୁରୁଗୁରୁ କଷା କ୍ଷୀର। ପାଣ୍ଡିବୋଉ ନୂଆ କରି ଗାଈଟେ ପାଳିଛନ୍ତି। ଦୁଇ ଦିନ ତଳେ ଗାଈଟା ମାଈ ବାଛୁରୀଟିଏ କଅଁଳେଇଚି। କିଟୁବୋଉଙ୍କୁ ପାଣ୍ଡିବୋଉ ବଡ ନାନୀ ପରି ମାନ୍ୟ କରନ୍ତି। ନାନୀଙ୍କ ଉପଦେଶ ମାନି ଗାଈଟା କିଣିଥିଲେ ପାଣ୍ଡିବୋଉ। ସେଥିପାଇଁ ପ୍ରଥମ କଷା କ୍ଷୀର ଉପରେ କିଟୁବୋଉଙ୍କର ଅଧିକାର ହେବା କଥା। କଷା କ୍ଷୀର ଦେଖି କିଟୁବୋଉ ଖୁସିରେ ଉଛୁଳି ପଡିଲେ। ଯାହା ହେଉ ପାଣ୍ଡିବୋଉ ତାଙ୍କୁ କେତେ ସନମାନ କରୁଚି।
ପାଣ୍ଡିବୋଉ ଭାରି ଗରୀବ। ତାଙ୍କ ବାପ ଘର ବି ଭାରି ଗରୀବ ଥିଲେ। ବାପ ଘରେ ଛୋଟ ବେଳେ ବଡ ଦୁଃଖ କଷ୍ଟରେ ବଢିଥିଲେ। ବାହାଘର ହେଲା ଯେ ସେଇଟା ବି ଗରୀବ ଘରେ। ଦୁଃଖ କଷ୍ଟରେ ଦିନ ବିତେ। କିଟୁବୋଉଙ୍କ ଘରେ ଢିଙ୍କି ଗୋଟେ ଥାଏ। ଖରାବେଳେ ଧାନ, ଚୁଡା କୁଟାକୁଟି କାମ ହୁଏ। ବିରି, ଜାଇ ରଗଡା ବି ହୁଏ। ସବୁ ଦିନ ଖରାବେଳେ, ପାଖ ଆଖ ଯାହାର କିଛି କୁଟାକୁଟି ବା ରଗଡା ରଗଡି ହୁଏ, ପାଣ୍ଡିବୋଉଙ୍କୁ ଡକାହୁଏ ସାହାଯ୍ୟ କରିବାକୁ। ଗରିବ ଲୋକଟା ବୋଲି ଯାହାର ବି କିଛି କୁଟାକୁଟି ହୁଏ, ସେମାନେ ସେଥିରୁ ଟିକେ ପାଣ୍ଡିବୋଉଙ୍କୁ ଦିଅନ୍ତି। ପାଣ୍ଡିବୋଉଙ୍କର ସେଥିରେ ଆନନ୍ଦ କହିଲେ ନସରେ। କଥା କହିବାରେ ପାଣ୍ଡିବୋଉ ସିଦ୍ଧହସ୍ତ। କଅଁଳିଆ କଥା କହି ମନ ମୋହି ନିଅନ୍ତି। କାନ ଦୁଇଟାକୁ ପାଟି ଗୋଟେ। ଆଉ ଠିକ୍ ସେଇ ଅନୁପାତରେ ସେ ଶୁଣନ୍ତି ଆଉ କଥା କୁହନ୍ତି। ମାନେ, ପୁରା ମାପିଚୁପି। କିଟୁବୋଉ ଟଙ୍କା ଧାର ଦେଇ ଗାଈଟା କିଣେଇ ଦେଇଥିଲେ। ଘରେ ଚୁଲି ଜଳିବାକୁ ଗୋବରଘସି ହେଇ ଯିବ। ପିଲାଏ ଟିକେ ଟିକେ କ୍ଷୀର ପିଇବେ। ଆଉ ଯାହା ବଳିବ, ତାକୁ ବିକ୍ରୀ କରାଯିବ। ଘର ଘର ବୁଲି ପାଣ୍ଡିବୋଉ ପେଜ ତୋରାଣୀ ଗୋଟାନ୍ତି। ଧାନ କୁଟା ହେଲେ କୁଣ୍ଡା, ଜାଇ ରଗଡାରୁ ଚୋକଡ ଟିକେ ମିଳେ। ସେତିକି ହେଲେ ଗାଈର ଉପରବେଳି ଖାଦ୍ୟକୁ ଯଥେଷ୍ଟ। ଦିନ ସାରା ଜଗୁଆଳୀ ଗାଈକୁ ଚରେଇବାକୁ ନେଇଯାଏ।
ଗାଈ ଛୁଆ ଦେବାର ୨୧ ଦିନ ଗଲା। ଘୁମୁସରୀ ଗାଈ ହିସାବରେ ଗାଈଟା ଭଲ ପଡିଲା। "ଚାରି ଅଡା" କ୍ଷୀର ଦେଉଚି। (ଏବେକାର ହିସାବରେ ପ୍ରାୟ ଦୁଇ ଲିଟର ହେବ)। ପାଣ୍ଡିବୋଉ ପାଖରେ ନିତିଦିନିଆ ଗରାଖ ନଥିଲା। ଯାହାର ଯେବେ ଦରକାର ହୁଏ, କିଣେ। ପ୍ରାୟ ସବୁ ଦିନ କ୍ଷୀର ସରିଯାଏ। କିଟୁବୋଉ ବୁଝାନ୍ତି,
- ପାଣ୍ଡିବୋଉ ଦୁଇ ଭାଗ କ୍ଷୀରରେ ଭାଗେ ପାଣି ମିଶେଇ ଦେ, ଜମାରୁ ଜଣା ପଡିବନି
ପାଣ୍ଡିବୋଉ ଆଉ କି ହେଳା କରନ୍ତେ? ୪ ଅଡା କ୍ଷୀର ଧିରେ ଧିରେ ୫ ଅଡା ତ ଆଉ କେବେକେବେ ୬ ଅଡା ବି ହୋଇଯାଏ। କିଟୁବୋଉଙ୍କ ଉପଦେଶ ଗୁଡାକ ପାଣ୍ଡିବୋଉଙ୍କୁ ବେଦ ପାଠ ପରି ଲାଗେ। ଖଦ୍ ଗଦ୍ ହେଇ ଯାଆନ୍ତି ଉପଦେଶ ଶୁଣି। ଉପଦେଶ କିନ୍ତୁ ସରେନା। ଦିନେ କିଟୁବୋଉ କହିଲେ,
- ଆଲୋ ପାଣ୍ଡିବୋଉ, କ୍ଷୀର ଦୁହିଁଲା ପରେ ଅଧା ଘଣ୍ଟା ରଖି ଦେବୁ। ଉପରେ ଉପରେ ଦେଖିବୁ ହଳଦିଆ ମଣ୍ଡ ଭଳି ଭାଷିବ; ସେଇ ଉପର କ୍ଷୀରକୁ ଆସ୍ତେ ଆସ୍ତେ ନିଗାଡି ନିଜ ପାଇଁ ରଖିବୁ। ସେଥିରେ ଦେଖିବୁ ସବୁ ଘିଅ ଥିବ। ଗରାଖ ଦେଖି ଉଚ୍ଚା ଦରରେ ଘିଅ ବି ବିକିବୁ
କିଟୁବୋଉ କଥା ଶୁଣି ପାଣ୍ଡିବୋଉ ଠିକ୍ ସେମିତି କରିବା ଆରମ୍ଭ କରିଦେଲେ। ଏଥର ଆୟ ଭଲ ବଢିବାରେ ଲାଗିଲା। ପାଣ୍ଡିବୋଉ ଏଥର କିଟୁବୋଉଙ୍କୁ ମହାଗୁରୁ ଭଳି ମାନ୍ୟ କରିବା ଆରମ୍ଭ କରି ଦେଇଥାନ୍ତି।
କିଛିଦିନ ଉତ୍ତାରୁ କିଟୁବୋଉଙ୍କ ଗାଈ କ୍ଷୀର ଦେବା ବନ୍ଦ କରିଦେଲା। ଦିନେ ପାଣ୍ଡିବୋଉଙ୍କୁ କହିଲେ,
- ତୋ' ଘରେ କ୍ଷୀର ବଳକା ହେଉଚି କିଲୋ, ପାଣ୍ଡିବୋଉ?
ପାଣ୍ଡିବୋଉ ମୁଣ୍ଡ ଟୁଙ୍ଗାରି ହଁ କଲେ। ତେବେ ପ୍ରତିଦିନ ମତେ ଅଡେ ଲେଖାଏଁ କ୍ଷୀର ବିକିବୁ କି ବୋଲି ପଚାରିଲେ। ନିତିଦିନିଆ ଗରାଖକୁ କାହିଁକି ବା ପାଣ୍ଡିବୋଉ ମନା କରନ୍ତେ ? ପରଦିନଠୁ ଆରମ୍ଭ ହେଇଗଲା କ୍ଷୀର ବିତରଣ। କିଟୁବୋଉ ପ୍ରଥମ ଦିନର କ୍ଷୀର ନେଇ ନିଜ ଚୁଲିରେ ବସେଇଲେ। କ୍ଷୀର ଫୁଟିଲା। ବାସ ଚହଟିଲା। ହେଲେ ଯେତେ ଫୁଟିଲେ ବି କ୍ଷୀର ଉପରେ "ସର"ର ଦର୍ଶନ ମିଳିଲାନି। କିଟୁବୋଉ ଆଶ୍ଚର୍ଯ୍ୟ ହେଲେ। ସେଦିନ ଖରାବେଳେ ଜାଇ ରଗଡା କାମ ଥିଲା। ପାଣ୍ଡିବୋଉଙ୍କୁ ଡକା ହେଇଥିଲା। ପାଣ୍ଡିବୋଉଙ୍କୁ ଦେଖି କିଟୁବୋଉ ପଚାରିଲେ,
- କିଲୋ କି କ୍ଷୀର ଦେଲୁ ଯେ, ସର ଜମାରୁ ବସିଲାନି?
ପାଣ୍ଡିବୋଉ ମୁଚୁକୁନ୍ଦିଆ ହସଟେ ଦେଖେଇ କହିଲେ,
- କଣ କରିବି ନାନୀ, ତୁମେ ମତେ ଯେମିତି ଶିଖେଇ ଥିଲ, ମୁଁ ତ ଠିକ୍ ସେମିତି କରୁଚି
ପାଣ୍ଡିବୋଉ କଥା ଶୁଣି କିଟୁବୋଉଙ୍କ ଅକଲ ପୁରା ଥଣ୍ଡା ପଡିଗଲା। କିଟୁବୋଉଙ୍କ ମନ୍ତ୍ରଣା ଗୁଡାକୁ ପାଣ୍ଡିବୋଉ ତାଙ୍କ ଉପରେ ବି ପ୍ରୟୋଗ କରିବାକୁ ପଛାଇ ନଥିଲେ। କିଟୁବୋଉ ଆଉ କିଛି କହିବା ସ୍ଥିତିରେ ନଥିଲେ। ମୁହଁ ପୁରା ବନ୍ଦ।
ଡ. ପଦ୍ମ ଚରଣ ମିଶ୍ର