Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମନ୍ତ୍ରଣା
ମନ୍ତ୍ରଣା
★★★★★

© Dr. Padma Charan Mishra

Action Children Comedy

3 Minutes   16.2K    72


Content Ranking

କବାଟ ଖଡ୍ ଖଡ୍ ଶବ୍ଦ ଜୋର୍ ଜୋର୍ ହେବାରୁ "କିଟୁ ବୋଉ" ଘର ଭିତରୁ ଚିତ୍କାର ଛାଡିଲେ, ରହ .... ରହ... ଆସୁଚି..... ବାଡି କବାଟ ଖୋଲି ଦେଖିଲାରୁ "ପାଣ୍ଡି ବୋଉ" କଳା ରଙ୍ଗର ଠେକି ଗୋଟେ କିଟୁ ବୋଉ ହାତକୁ ବଢେଇ ଦେଲେ। ହଳଦିଆ ଗୁରୁଗୁରୁ କଷା ଖିର। ପାଣ୍ଡି ବୋଉ ନୂଆ କରି ଗାଈଟେ ପାଳିଛନ୍ତି। ଦୁଇ ଦିନ ତଳେ ଗାଈଟା ମାଈ ବାଛୁରୀଟିଏ କଅଁଳେଇଚି। କିଟୁ ବୋଉଙ୍କୁ ପାଣ୍ଡି ବୋଉ ବଡ ନାନୀ ପରି ମାନ୍ୟ କରନ୍ତି। ନାନୀଙ୍କ ଉପଦେଶ ମାନି ଗାଈଟା କିଣିଥିଲେ ପାଣ୍ଡି ବୋଉ। ସେଥିପାଇଁ ପ୍ରଥମ କଷା ଖିର ଉପରେ କିଟୁ ବୋଉଙ୍କର ଅଧିକାର ହେବା କଥା। କଷା ଖିର ଦେଖି କିଟୁ ବୋଉ ଖୁସିରେ ଉଛୁଳି ପଡିଲେ। ଯାହା ହେଉ ପାଣ୍ଡି ବୋଉ ତାଙ୍କୁ କେତେ ସନମାନ କରୁଚି।


ପାଣ୍ଡି ବୋଉ ଭାରି ଗରୀବ। ତାଙ୍କ ବାପ ଘର ବି ଭାରି ଗରୀବ ଥିଲେ। ବାପ ଘରେ ଛୋଟ ବେଳେ ବଡ ଦୁଃଖ କଷ୍ଟରେ ବଢିଥିଲେ। ବାହାଘର ହେଲା ଯେ ସେଇଟା ବି ଗରୀବ ଘରେ। ଦୁଃଖ କଷ୍ଟରେ ଦିନ ବିତେ। କିଟୁ ବୋଉଙ୍କ ଘରେ ଢିଙ୍କି ଗୋଟେ ଥାଏ। ଖରାବେଳେ ଧାନ, ଚୁଡା କୁଟାକୁଟି କାମ ହୁଏ। ବିରି, ଜାଇ ରଗଡା ବି ହୁଏ। ସବୁ ଦିନ ଖରାବେଳେ, ପାଖ ଆଖ ଯାହାର କିଛି କୁଟାକୁଟି ବା ରଗଡା ରଗଡି ହୁଏ, ପାଣ୍ଡି ବୋଉଙ୍କୁ ଡକାହୁଏ ସାହାଯ୍ୟ କରିବାକୁ। ଗରିବ ଲୋକଟା ବୋଲି ଯାହାର ବି କିଛି କୁଟାକୁଟି ହୁଏ, ସେମାନେ ସେଥିରୁ ଟିକେ ପାଣ୍ଡିବୋଉଙ୍କୁ ଦିଅନ୍ତି। ପାଣ୍ଡି ବୋଉଙ୍କର ସେଥିରେ ଆନନ୍ଦ କହିଲେ ନସରେ। କଥା କହିବାରେ ପାଣ୍ଡି ବୋଉ ସିଦ୍ଧହସ୍ତ। କଅଁଳିଆ କଥା କହି ମନ ମୋହି ନିଅନ୍ତି। କାନ ଦୁଇଟାକୁ ପାଟି ଗୋଟେ। ଆଉ ଠିକ୍ ସେଇ ଅନୁପାତରେ ସେ ଶୁଣନ୍ତି ଆଉ କଥା କୁହନ୍ତି। ମାନେ, ପୁରା ମାପିଚୁପି। କିଟୁ ବୋଉ ଟଙ୍କା ଧାର ଦେଇ ଗାଈଟା କିଣେଇ ଦେଇଥିଲେ। ଘରେ ଚୁଲି ଜଳିବାକୁ ଗୋବରଘସି ହେଇ ଯିବ। ପିଲାଏ ଟିକେ ଟିକେ କ୍ଷୀର ପିଇବେ। ଆଉ ଯାହା ବଳିବ, ତାକୁ ବିକ୍ରୀ କରାଯିବ। ଘର ଘର ବୁଲି ପାଣ୍ଡି ବୋଉ ପେଜ ତୋରାଣୀ ଗୋଟାନ୍ତି। ଧାନ କୁଟା ହେଲେ କୁଣ୍ଡା, ଜାଇ ରଗଡାରୁ ଚୋକଡ ଟିକେ ମିଳେ। ସେତିକି ହେଲେ ଗାଈର ଉପରବେଳି ଖାଦ୍ୟକୁ ଯଥେଷ୍ଟ। ଦିନ ସାରା ଜଗୁଆଳୀ ଗାଈକୁ ଚରେଇବାକୁ ନେଇଯାଏ।


ଗାଈ ଛୁଆ ଦେବାର ୨୧ ଦିନ ଗଲା। ଗାଈଟା ଭଲ ପଡିଲା। "ଚାରି ଅଡା" ଖିର ଦେଉଚି। (ଏବେକାର ହିସାବରେ ପ୍ରାୟ ଦୁଇ ଲିଟର ହେବ)। ପାଣ୍ଡି ବୋଉ ପାଖରେ ନିତିଦିନିଆ ଗରାଖ ନଥିଲା। ଯାହାର ଯେବେ ଦରକାର ହୁଏ, କିଣେ। ପ୍ରାୟ ସବୁ ଦିନ କ୍ଷୀର ସରିଯାଏ। କିଟୁ ବୋଉ ବୁଝାନ୍ତି, "ପାଣ୍ଡି ବୋଉ ଦୁଇ ଭାଗ କ୍ଷୀରରେ ଭାଗେ ପାଣି ମିଶେଇ ଦେ, ଜମାରୁ ଜଣା ପଡିବନି"। ପାଣ୍ଡି ବୋଉ ଆଉ କି ହେଳା କରନ୍ତେ? ୪ ଅଡା କ୍ଷୀର ଧିରେ ଧିରେ ୫ ଅଡା ତ ଆଉ କେବେକେବେ ୬ ଅଡା ବି ହୋଇଯାଏ। କିଟୁ ବୋଉଙ୍କ ଉପଦେଶ ଗୁଡାକ ପାଣ୍ଡି ବୋଉଙ୍କୁ ବେଦ ପାଠ ପରି ଲାଗେ। ଖଦ୍ ଗଦ୍ ହେଇଯାଆନ୍ତି ଉପଦେଶ ଶୁଣି। ଉପଦେଶ କିନ୍ତୁ ସରେନା। ଦିନେ କିଟୁ ବୋଉ କହିଲେ, "ଆଲୋ ପାଣ୍ଡିବୋଉ, କ୍ଷୀର ଦୁହିଁଲା ପରେ ଅଧା ଘଣ୍ଟା ରଖି ଦେବୁ"। ଉପରେ ଉପରେ ଦେଖିବୁ ହଳଦିଆ ମଣ୍ଡ ଭଳି ଭାଷିବ; ସେଇ ଉପର କ୍ଷୀରକୁ ଆସ୍ତେ ଆସ୍ତେ ନିଗାଡି ନିଜ ପାଇଁ ରଖିବୁ। ସେଥିରେ ଦେଖିବୁ ସବୁ ଘିଅ ଥିବ। ଗରାଖ ଦେଖି ଉଚ୍ଚା ଦରରେ ଘିଅ ବି ବିକିବୁ। କିଟୁ ବୋଉ କଥା ଶୁଣି ପାଣ୍ଡି ବୋଉ ଠିକ୍ ସେମିତି କରିବା ଆରମ୍ଭ କରିଦେଲେ। ଏଥର ଆୟ ଭଲ ବଢିବାରେ ଲାଗିଲା। ପାଣ୍ଡି ବୋଉ କିଟୁବୋଉଙ୍କୁ ଗୁରୁ ଭଳି ମାନ୍ୟ କରୁଥାନ୍ତି।


କିଛିଦିନ ଉତ୍ତାରୁ କିଟୁ ବୋଉଙ୍କ ଗାଈ କ୍ଷୀର ଦେବା ବନ୍ଦ କରିଦେଲା। ଦିନେ ପାଣ୍ଡିବୋଉଙ୍କୁ କହିଲେ, "ତୋ ଘରେ କ୍ଷୀର ବଳକା ହେଉଚି କିଲୋ, ପାଣ୍ଡି ବୋଉ"? ପାଣ୍ଡି ବୋଉ ମୁଣ୍ଡ ଟୁଙ୍ଗାରି ହଁ କଲେ। ତେବେ ପ୍ରତିଦିନ ମତେ ଅଡେ ଲେଖାଏଁ କ୍ଷୀର ବିକିବୁ କି ବୋଲି ପଚାରିଲେ। ନିତିଦିନିଆ ଗରାଖକୁ କାହିଁକି ବା ପାଣ୍ଡି ବୋଉ ମନା କରନ୍ତେ ? ପରଦିନଠୁ ଆରମ୍ଭ ହେଇଗଲା କ୍ଷୀର ବିତରଣ। କିଟୁବୋଉ ପ୍ରଥମ ଦିନର କ୍ଷୀର ନେଇ ନିଜ ଚୁଲିରେ ବସେଇଲେ। କ୍ଷୀର ଫୁଟିଲା। ବାସ ଚହଟିଲା। ହେଲେ ଯେତେ ଫୁଟିଲେ ବି କ୍ଷୀର ଉପରେ "ସର"ର ଦର୍ଶନ ମିଳିଲାନି। କିଟୁ ବୋଉ ଆଶ୍ଚର୍ଯ୍ୟ ହେଲେ। ସେଦିନ ଖରାବେଳେ ଜାଇ ରଗଡା କାମ ଥିଲା। ପାଣ୍ଡି ବୋଉଙ୍କୁ ଡକା ହେଇଥିଲା। ପାଣ୍ଡି ବୋଉଙ୍କୁ ଦେଖି କିଟୁ ବୋଉ ପଚାରିଲେ, "କିଲୋ କି କ୍ଷୀର ଦେଲୁ ଯେ, ସର ଜମାରୁ ବସିଲାନି"? ପାଣ୍ଡି ବୋଉ ମୁଚୁକୁନ୍ଦିଆ ହସଟେ ଦେଖେଇ କହିଲେ, "କଣ କରିବି ନାନୀ, ତୁମେ ମତେ ଯେମିତି ଶିଖେଇ ଥିଲ, ମୁଁ ତ ଠିକ୍ ସେମିତି କରୁଚି"। ପାଣ୍ଡି ବୋଉ କଥା ଶୁଣି କିଟୁ ବୋଉଙ୍କ ଅକଲ ପୁରା ଥଣ୍ଡା ପଡିଗଲା। କିଟୁବୋଉଙ୍କ ମନ୍ତ୍ରଣା ଗୁଡାକୁ ପାଣ୍ଡିବୋଉ ତାଙ୍କ ଉପରେ ବି ପ୍ରୟୋଗ କରିବାକୁ ପଛାଇ ନଥିଲେ। କିଟୁବୋଉ ଆଉ କିଛି କହିବା ସ୍ଥିତିରେ ନଥିଲେ। ମୁହଁ ପୁରା ବନ୍ଦ।


ପଦ୍ମ ଚରଣ ମିଶ୍ର

କବାଟ କିଟୁ ବୋଉ ପାଣ୍ଡି ବୋଉ

Rate the content


Originality
Flow
Language
Cover design

Comments

Post

Some text some message..