Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସମାଧାନ
ସମାଧାନ
★★★★★

© Dr Subas Chandra Rout

Inspirational Others

13 Minutes   13.6K    8


Content Ranking

  ମୁଁ ଓ ମୋ ସାଙ୍ଗ ନଟ, ଉଭୟ ସୀମାତୀତ ଦୁଷ୍ଟ ଥିଲୁ । ଆମ କଥା ଶୁଣିଲେ ଆପଣ କଳ୍ପନା କରି ପାରିବେନି ଯେ ଛାତ୍ର ଜୀବନରୁ ଏଭଳି ଦୁଷ୍ଟ କେହି ଥାଇପାରେ । ଦୁଷ୍ଟାମିର କାହାଣୀ ଲେଖିଲେ ଅନେକ ପୃଷ୍ଠା ନଷ୍ଟ ହେବ, ତେଣୁ କେବଳ ଶ୍ରେଷ୍ଠ କାହାଣୀଟି ଲେଖିବି, ଯେଉଁଥିରେ ଆମର ସର୍ବାଧିକ ଦୁଃସାହସ, ନିର୍ଦ୍ଦୟତା ଓ ନିର୍ଭୟତା ପ୍ରଦର୍ଶିତ ହୋଇଥିଲା । ସେଥିରେ ଅବଶ୍ୟ ମୋର ଅତି କ୍ଷୁଦ୍ର ନଗଣ୍ୟ ଭୂମିକାଟିଏ ଥିଲା, କିନ୍ତୁ ନଟ (ନଟବର ଲାଲ) ସେଥିରେ ପ୍ରକୃତରେ ନଟି, ଭିଲେନ ବା ବଦମାସ ଥିଲା । ଗୋଟିଏ ସୁନ୍ଦରୀ ଝିଅ ଉପରେ ଏସିଡ ପକେଇବା ଘଟଣାର ଲୋମହର୍ଷକାରୀ ପ୍ରକଳ୍ପ କଥା ଲେଖିବି । ଏହି ଦୁଷ୍କର୍ମ କଲା ପରର କାହାଣୀ ଆହୁରି ମଜାଦାର । ଆପଣ ବହୁତ ଏସିଡ ପକା ଗପ ଶୁଣିଥିବେ କିନ୍ତୁ ଏ କାହାଣୀ ଏକ ନିଆରା କାହାଣୀ ।

          ଓଡ଼ିଶାର ଗୋଟିଏ ଛୋଟ ସହରରେ ଆମେ କଲେଜରେ ଅଧ୍ୟୟନ କରୁଥିଲୁ । ନଟ ଓଡିଶା ବାହାରର ଏକ ପ୍ରଦେଶରୁ ଆସିଥିଲା, ଯେଉଁ ସ୍ଥାନ ଗୁଣ୍ଡାମି ନିମନ୍ତେ ପ୍ରସିଦ୍ଧ । ହସଖୁସିଆ ପିଲା, କିନ୍ତୁ ବହୁତ ବଦରାଗୀ ଥଲା । ସାମାନ୍ୟ ନରାଗିବା କଥାରେ ଭୟଙ୍କର ଭାବରେ କ୍ରୋଧାନ୍ଵିତ ହୋଇଯାଉଥିଲା ଓ ହାତ ଉଠେଇବାକୁ ପଛଘୁଞ୍ଚା ଦେଉନଥିଲା । ସେହି ଗୁଣ ଯୋଗୁ ମୋ ଛଡ଼ା କେହି ତା’ ସାଥିରେ ମିଶୁନଥିଲେ । ଆମେ ଦୁହେଁ ମିଶି ଅନେକ ରକମର ବଦମାସୀ କାମ କରୁଥିଲୁ ଯାହା ଆଜି ମନେ ପଡ଼ିଗଲେ ମୁଁ ଲଜ୍ଜା ଅନୁଭବ କରୁଛି ଓ ଏହିଭଳି ଖରାପ କାମ କେମିତି କରୁଥିଲି ଭାବି ପାରୁନି । ମୁଁ ସେହି ସହରରେ ବାପା ମାଙ୍କ ସାଥିରେ ରହୁଥିଲି, ସେ ହଷ୍ଟେଲରେ ରହୁଥିଲା ।

          ମୋ ବିରୁଦ୍ଧରେ ନାଲିସ୍ ଶୁଣି ଶୁଣି ମୋ ମାଆର ଦିନେ ଧୈର୍ଯ୍ୟଚ୍ୟୁତି ଘଟିଲା । ସେଦିନ ‘ମୋର ସର୍ବ ଦୋଷ ଆବୃତକାରୀ’ ପ୍ରିୟ ମାଆ ମୋ ହାତ ଧରି ଘୋଷାଡ଼ି ଘୋଷାଡ଼ି ଘର ବାହାରକୁ ନେଇ ବାହାରକୁ ଠେଲିଦେଇ କହିଲା, “ତୁ ଏ ଘରୁ ବାହାରି ଯା, ତୋ ଭଳି ପୁଅର ମୁହଁ ଚାହିଁବାକୁ ମୁଁ ଇଚ୍ଛା କରୁନି ।” ମାଆ ହାତରୁ ଧକ୍କା ଖାଇ କ୍ରୋଧାନ୍ଵିତ ମୁଁ ଘରୁ ପଳେଇଯାଇ ଅନତିଦୂରରେ ଥିବା ମନ୍ଦିର ପ୍ରାଙ୍ଗଣରେ ବସି ରହିଲି । ପ୍ରଥମେ ଭାବିଲି ଆଉ କେବେହେଲେ ଘରକୁ ଯିବିନି । ମନେ ମନେ ମାଆକୁ ବହେ ଗାଳି ଦେଲି । “ମାଆ ହେଇ ପୁଅକୁ ଘରୁ ତଡ଼ିଦେଉଛି, ଇଏ କି ମାଆ !” କହିବାକୁ ଏବେ ଲାଜ ଲାଗୁଛି, କ୍ରୋଧରେ ମାଆକୁ ଡାହାଣୀ, ପିଶାଚୁଣି, ଡାଙ୍କୁଣି ଆଦି ନାମ ଦେଇ ଗାଳି କରିଥିଲି । ସେମିତି ବସି ରହିଥିଲି । କିଛି ଘଣ୍ଟା ବିତିଗଲା ପରେ ଭୋକ ହେଲା । ପେଟ ମୋଡ଼ି ହେଲା । କଅଣ କରିବି ! ଜିଦିରେ କିନ୍ତୁ ବସି ରହିଥିଲି ।

          କିଛି ସମୟ ପରେ ରାଗ କମିଗଲା । ମାଆର ସ୍ନେହ ଓ କରୁଣା କଥା ମନେ ପଡ଼ିଲା । ମୋତେ ଗେଲ କରି ଖୁଏଇବା କଥା ମନେ ପଡ଼ିଲା । ଦେହ ଖରାପ ବେଳେ ରାତି ସାରା ଅନିଦ୍ରା ରହି ପାଖରେ ବସି ରହୁଥିବା କଥା ମନେ ପଡ଼ିଲା । ସେହି ମୋ ମାଆର କମନୀୟ, ଶାନ୍ତ, ସ୍ନିଗ୍ଧ, କରୁଣାମୟୀ, ମମତାମୟୀ ଚେହେରା କେମିତି ପରିବର୍ତ୍ତିତ ହୋଇ ଚଣ୍ଡୀ ମୂର୍ତ୍ତି ଧାରଣ କଲା ଭାବି କାନ୍ଦ ଲାଗିଲା । କଅଣ କଲି ଯେ, ସେ ଏମିତି ବଦଳି ଗଲା ! ମୋ ଦୁଷ୍ଟାମି କଥା ଗୋଟି ଗୋଟି କରି ସ୍ମରଣ କଲି । ଆମେ ଯେଉଁ କାମକୁ ଖେଳ ଭାବରେ ବିବେଚନା କରୁଥିଲୁ, ତାହା ଅନ୍ୟକୁ ଦୁଃଖ ଦେଉଥିଲା, କିନ୍ତୁ ଆମେ ହସୁଥିଲୁ । ଜଣକୁ ଯାହା ଖେଳ, ଅନ୍ୟକୁ ତାହା କାଳ । ଭାବି ଭାବି ବହୁତ ଅନୁତାପ ଆସିଲା; ନିଜକୁ ଧିକ୍କାର କଲି । ସକାଳ ଗଲା, ଉପରବେଳା ଗଲା ଓ ସଞ୍ଜ ହୋଇଆସିଲା । 

          ଏତିକିବେଳେ ଦେଖିଲି ଦୂରରୁ ମାଆ ଆସୁଛି । ପାଖକୁ ଆସି ମୋ ପାଖରେ ଠିଆହେଲା । ଆଖିରୁ ତାର ଲୁହ ବୋହି ଶୁଖିଯାଇଥିବା ଦାଗ ଦେଖିଲି । କାନ୍ଦି କାନ୍ଦି ତା’ ଆଖି ଫୁଲିଯାଇଥିଲା । ମୁଁ ଆଉ ସମ୍ଭାଳି ପାରିଲିନି । କହିଲି, “ମା, ମୋତେ କ୍ଷମା କରିଦେ, ମୁଁ ପ୍ରତିଜ୍ଞା କରୁଛି ତୋ ଆଗରେ, ଆଉ କେବେ ଦୁଷ୍ଟ ହେବିନି ।” ଦୁହେଁ ପରସ୍ପରକୁ କୁଣ୍ଢେଇ ବହୁତ ସମୟ ଧରି କାନ୍ଦିବାକୁ ଲାଗିଲୁ । ସେଇ ଦିନଠାରୁ ମୋର ବିରାଟ ମାନସିକ ପରିବର୍ତ୍ତନ ହୋଇଗଲା । ଏ କଥା କିନ୍ତୁ ମୁଁ ନଟକୁ କହିଲିନି । ପଢ଼ାପଢ଼ିରେ ମନ ଦେଲି, ନଟ ସାଥିରେ ଯେମିତି ମିଶୁଥିଲି ସେମିତି ମିଶିଲି, କିନ୍ତୁ ମୁଁ ନିଜେ ବଦମାସୀ କାମ କଲିନି ।

          ଦିନେ ନଟ ମୋତେ ଆଶ୍ଚର୍ଯ୍ୟ କରେଇ କହିଲା, “ଭାଇ, ମୁଁ ଗୋଟେ ଝିଅକୁ ଭଲ ପାଇଯାଇଛି ।” ମୁଁ ହସିପକେଇ ପଚାରିଲି, “କାହାର ଭାଗ୍ୟ ଫୁଟିଗଲା ?” ସେ କହିଲା, “ଚୁପ, ମୁଁ ସତରେ ଭଲ ପାଉଛି ।”

“ସେ ତୋତେ ଭଲ ପାଉଛି କି ନାହିଁ?”

“ଜାଣିନି, କିନ୍ତୁ ମୁଁ ତା ସାଥିରେ କଥାବାର୍ତ୍ତା କରୁଛି, ତାକୁ ଦେଖିଲେ ମୋତେ ଭଲ ଲାଗୁଛି । ଆମ ତିନି କ୍ଳାସ୍ ତଳେ ସେ ପଢ଼ୁଛି । ତାକୁ ତୁ ନିଶ୍ଚୟ ଜାଣିଥିବୁ ।”

“ଆରେ ମୁଁ ତ କଲେଜର ସମସ୍ତଙ୍କୁ ଜାଣିଛି ଓ ଚିହ୍ନିଛି । ଏ ପରିଚୟର କିଛି ମାନେ ନାହିଁ ।”

“ତା ନାଁ ମଧୁ, ମଧୁଛନ୍ଦା । କଲେଜ ଓ ହଷ୍ଟେଲରେ ପଢ଼ିବା ସମୟରେ ସବୁବେଳେ ସେ ମନେ ପଡ଼ୁଛି । ମୋ ପାଠ ଘର ଗୋଲ ହେଇଗଲାଣି । ମୁଁ କଅଣ କରିବି, ବୁଝିପାରୁନି ।”

ମିଛରେ କହିଲି, “ମୁଁ ଏ ମଧୁ ନାମର କାହାକୁ ଚିହ୍ନିନି । କିଏ ସେ ? ଆରେ ଭାଇ, ପରୀକ୍ଷା ପାଖ ହେଲାଣି, ମନ ଦେଇ ପଢ଼ ।”

          ପରେ ଜାଣିଲି, ସେ ମଧୁକୁ ଦେଖାକରେ, ଛୋଟ ଛୋଟ ଉପହାର ଦିଏ । ମଧୁ ସବୁବେଳେ ନାହିଁ କରେ ତାକୁ ନେବାକୁ । କହେ, “ଘରେ ମା’ ଯଦି ପ୍ରଶ୍ନ କରେ, ଏଇଟା କୋଉଠୁ ଆଣିଲୁ, ମୁଁ କଅଣ କହିବି ? କ୍ଷମା କର,” କହି କିଛି ନେବାକୁ ମନାକରେ ମଧୁ । ନଟ ରାଗିଯାଏ । ଥରେ ନଟ ସାହସ ଜୁଟେଇ କହିଲା, “ଜାଣିଛ, ମୁଁ ତୁମକୁ ବହୁତ ଭଲ ପାଏ, ତୁମକୁ ବାହା ହେବି ।” “ହେ, ଖରାପ କଥା କହୁଛ”, କହି ଲାଜରେ ମଧୁ ଦଉଡ଼ି ପଳେଇଲା । ଏମିତି ମଝିରେ ମଝିରେ ନଟ ଭଲ ପାଇବା କଥା କହେ ଓ ମଧୁ ନାହିଁ କରେ ।

          ଥିଓରି ପରୀକ୍ଷା ସରିଗଲା, କେବଳ ପ୍ରାକ୍ଟିକାଲ ପରୀକ୍ଷା ବାକି ଥାଏ । ଦିନେ ମଧୁକୁ କହିଲା, “ଆଜି ସତ କୁହ, ତୁମେ ମୋତେ ଭଲ ପାଅ କି ନାହିଁ?”

“ମୁଁ ତୁମକୁ କେବେ ତ କହିନି ଭଲ ପାଏ ବୋଲି । ପ୍ରକୃତରେ ମୁଁ ଆଉ ଜଣକୁ ଭଲ ପାଏ ।”

ଏ କଥା ଶୁଣି ନଟ ମୁହଁ ଲାଲ ହୋଇଗଲା । ରାଗରେ ପଚାରିଲା, “କିଏ ସେ, ତା ନାଁ କଅଣ ?”

କିଛି ନ କହି ମଧୁ ଚାଲିଗଲା । କ୍ରୋଧରେ ଜର୍ଜ୍ଜରିତ ହୋଇ ନଟ ତା’ର ଯିବା ବାଟକୁ ଅନେଇ ରହିଲା ।

          ସନ୍ଧ୍ୟାବେଳେ ମୋ ପାଖକୁ ନଟ ଆସିଲା । ମୁହଁ ଲାଲ ଦିଶୁଥାଏ । ଏପାଖ ସେପାଖ ଚାଲୁଥାଏ, ହାତ ମୁଠା ମୁଠା କରୁଥାଏ । ଏ କ୍ରୋଧାନ୍ଵିତ ଚେହେରା ମୁଁ ଆଗରୁ ଦେଖିଛି । ଜାଣିପାରିଲି, କିଛି ଗୋଟେ ଅଘଟଣ ଘଟିଛି ।

ପଚାରିଲି, “କଅଣ ହେଲା ଭାଇ ?”

- “ଛାଡ଼ିବିନି, ଛାଡ଼ିବିନି, ମୋଟେ ଛାଡ଼ିବିନି ତାକୁ । ଏତେ ସାହସ । ମୋତେ ଛାଡ଼ି ଆଉ ଜଣକୁ ଭଲ ପାଉଛି! ଦି ବର୍ଷ ହେଲା ମୋ ସାଥିରେ ମିଶିଛି, ଦିନେ ହେଲେ କହିନି ଆଉ ଜଣକୁ ଭଲ ପାଏ, ଶେଷରେ ଆଜି କହୁଛି, ବଦମାସ ! ଟିକିଏ ସୁନ୍ଦରୀ ବୋଲି ଏତେ ଗର୍ବ ! ମୋ ସାଥିରେ ଧୋକାବାଜି !" ଟିକିଏ ରହି କହିଲା, “ଏସିଡ ପକେଇଦେବି, ମୋତେ ଚିହ୍ନିନି, ଆଉ ସୌନ୍ଦର୍ଯ୍ୟ ଥିବ ନା କିଏ ଭଲ ପାଇବ, ତା ମୁହଁରେ ଛେପ ପକେଇବାକୁ ବି କେହି ରାଜିହେବେନି ।”

          “ରାଗନା ସାଙ୍ଗ, ଏତେ ରାଗନା, ଦେହ ଖରାପ ହେବ । ଘଟଣା କଅଣ ମୋତେ ଖୋଲିକରି କହ ।” ସେ ମୂଳରୁ ସବୁ କଥା କହିଲା । ମୁଁ ଜାଣିଗଲି, କେବଳ ଡରରେ ମଧୁ ତା ସାଥିରେ ମିଶୁଥିବ । କଲେଜର ନାମୀ ଗୁଣ୍ଡାକୁ କିଏ ପ୍ରେମ କରିବ! ମୋତେ ବି ଭୟ ଲାଗିଲା । କ’ଣ ନାହିଁ କ’ଣ କରିଦେବ ! ତା ମୁଣ୍ଡକୁ ଏମିତି ବେଳେବେଳେ ପିତ୍ତ ଉଠେ । ତାକୁ ଶାନ୍ତ କରିବାକୁ କହିଲି, “ହଉ, ତୁ କାଲି ଆ, କିଛି ଗୋଟେ ପ୍ଳାନ୍ କରିବା ।”

          ତା ଆରଦିନ ସନ୍ଧ୍ୟାରେ ସେ ଘରେ ଆସି ପହଞ୍ଚିଗଲା । ମୁଁ ଭାବିଥିଲି ତା ରାଗ ଶାନ୍ତ ହୋଇଯିବ ଓ ଆଉ ଆସିବନି, କିନ୍ତୁ ସେ ଠିକ ଟାଇମ୍‌ରେ ଆସିଗଲା । ତାକୁ ଡାକିନେଇ ମୋ ପଢ଼ାଘରେ ବସେଇଲି । ପଚାରିଲି, “କଅଣ ଚାହୁଁଛୁ ।”

କହିଲା, “ମୋର ନହେଲେ କାହାରି ହେବାକୁ ଦେବିନି । ମୁଁ ନିଶ୍ଚୟ ତା ମୁହଁରେ ଏସିଡ ପକେଇଦେବି ।”

“ହେ ଭାଇ, ଏତେ ରାଗନା । ଝିଅ ହେଲେବି ତାର ବି ତ ତାର ଗୋଟେ ନିଜସ୍ଵ ମନ ଥିବ । ବହି ଖାତା ଅଦଳ ବଦଳ ଭଳି ମନଟା ଅଦଳ ବଦଳ କରାଯାଏନି । ସେଥିପାଇଁ ଦୁଇଜଣଙ୍କର ମନରେ ସ୍ଵତଃ ପ୍ରେମର ଫଲ୍‌ଗୁ ପ୍ରବାହିତ ହେବା ଆବଶ୍ୟକ । ତୋତେ ଦେଖିଲେ ତାର ହୃଦୟରେ ବୋଧେ ଘଣ୍ଟି ବାଜୁନି । ଭୁଲିଯା ଭାଇ ତାକୁ । ଏ ପ୍ରେମ ଫ୍ରେମ କଲେ ଏମିତି ହୁଏ । ଏକ ପାଖିଆ ପ୍ରେମ, ପ୍ରେମ ନୁହେଁ ।” ମୋତେ କଟମଟ କରି ଅନେଇଲା ସେ । ସେ ଚାହାଣି ଦେଖି ମୁଁ ଡରିଗଳି । କହିଲା, “ହଉ, ତୁ ସାହାଯ୍ୟ ନ କଲେ ନ କର, ଯାହା କରିବା କଥା, ମୁଁ ଏକାକୀ କରିବି ।”

         ଏମିତି କମେଣ୍ଟ ମାରିବା, ରାଗିଙ୍ଗ କରିବା ଅଲଗା କଥା ଓ ଏସିଡ ପକେଇବା ଅଲଗା କଥା । ଇଚ୍ଛା ବିରୁଦ୍ଧରେ ମୁଁ ବସିଥାଏ । କହିଲି, “ହଉ କହ, କଅଣ କରିବା ?”

“ସେ ସନ୍ଧ୍ୟା ବେଳେ ମନ୍ଦିରକୁ ଯାଏ । ସେତିକିବେଳେ ପକେଇବି । ମୁଁ ଦିନେ ଯାଇ ବଜାରରୁ ଏସିଡ କିଣି ଆଣି ତୋତେ ଦେବି, ତୁ ଘରେ ରଖିଥିବୁ । ଭାବୁଛି, ଯେଉଁଦିନ ବେଶି ଲୋକ ମନ୍ଦିରକୁ ଯାଆନ୍ତିନି, ସେଇ ଦିନ ମୁଁ ଲୁଚିଥିବି ସେ ମନ୍ଦିର ପାଖ ଗଛ ପଛପଟେ । ତୁ ବି ମୋ ସାଥିରେ ଗଛ ପଛରେ ରହିବୁ । ଗୋଟେ ମଟରସାଇକେଲ ମାଗିଆଣି ରଖିଥିବି ଟିକିଏ ଦୂରରେ, ତୋଠୁ ଏସିଡ ନେଇ ତା ଉପରେ ପକେଇ ଦଉଡ଼ି ପଳେଇବି ଓ ମଟରସାଇକେଲରେ ବସି ଛୁ ମାରିବି । ସେଇ ସନ୍ଧ୍ୟାରେ ମୁଁ ଟ୍ରେନରେ ବସି ମୋ ଗାଁକୁ ପଳେଇବି । ମୁଁ ଏସିଡ ପକେଇବାକୁ ଗଲାବେଳେ ଆଉ କେହି ଆସିବା ଦେଖିଲେ ହୁଇସିଲ ମାରି ମୋତେ ଜଣେଇଦେବୁ, ମୁଁ ରହିଯିବି ।” ଟିକିଏ ଆଶ୍ଵସ୍ତ ହେଲି, ଯାହାହେଉ ମୋତେ ଏସିଡ ପକେଇବାକୁ କହିନି ।

କହିଲି, “ଯଦି କିଏ ଧରିପକାଏ, ଦୁହେଁ ବନ୍ଧାହୋଇ ମାମୁଁ ଘରକୁ ଯିବା ।”

ନଟ – “କିଛି ହେବନି । ତୁ ଏତେ ଡରକୁଳା କେବେଠୁ ହେଲୁଣି । ଏତେ ଦିନ ମିଶିଲୁଣି ମୋ ସାଥିରେ, ଆମର କିଛି ଅସୁବିଧା ହୋଇଛି କି ? ଏ ଅଭିଯାନ ସଂପୂର୍ଣ୍ଣ ଫଳପ୍ରଦ ।” ଚୁପ ରହିଲି, କେମିତି କହିଥାଆନ୍ତି ମୋ ମାଆର ଚଣ୍ଡୀ ଅବତାର କଥା !

         ଏହା ପରେ ମୋର ଆଉ କିଛି କହିବାକୁ ବାକି ନଥିଲା । ଭାବିଲା ବେଳକୁ ଛାତି ଧଡ଼ ଧଡ଼ କରୁଥାଏ । ଧରା ପଡ଼ିଗଲେ ଆଉ କିଏ କିଛି କରୁ କି ନକରୁ, ମୋ ମାଆ ମୋ ଦେହରୁ ଚମ ଉତାରି ଦେବ ବା ମୋତେ ଜିଅନ୍ତା ପୋତି ପକେଇବ । ପ୍ରାକ୍ଟିକାଲ ପରୀକ୍ଷା ପରଦିନକୁ ଏହି ସାହସିକ ଅଭିଯାନ କରିବାକୁ ଆପାତତଃ ସ୍ଥିର କରାଗଲା ।

          ଦିନେ ସେ ଗୋଟେ ବଡ଼ ମୁହଁ ଥିବା ବୋତଲରେ ଅଧ ବୋତଲେ ଏସିଡ କ୍ୟାରିବ୍ୟାଗରେ ଆଣି ମୋ ହାତରେ ଧରେଇଦେଲା । ମୋ ଘରଠୁ ମନ୍ଦିରଟା ପାଖ । ତେଣୁ ସୁବିଧା ହେବ ଭାବି ମୋତେ ଦେଇଗଲା । ମୁଁ ସାବଧାନରେ ଧରି ଯାଉଥାଏ । ସେ ବୋତଲ ଧରି ଲୁଚେଇକରି ପଢ଼ା ଘରକୁ ଗଲାବେଳେ ମାଆ ହାବୁଡ଼େ ପଡ଼ିଗଲି । ଚଢ଼ା ଗଳାରେ ମା’ ପଚାରିଲା, “କଅଣ ଧରିଛୁ ସେଇଟା – ବୋତଲ ? କଅଣ ଅଛି ସେ ବୋତଲରେ ?” ତରତରରେ କହିପକେଇଲି, “କେମିଷ୍ଟ୍ରି ପ୍ରାକ୍ଟିକାଲରେ ଦରକାର ହେବା ଜିନିଷ, ମାଗିଆଣିଛି, ଆଗରୁ ଅଭ୍ୟାସ କରିବି ।” 

          ଅବଶେଷରେ ଆମର ସେଇ ପୂର୍ବ ନିର୍ଦ୍ଧାରିତ ଦିନ ଆସିଲା । ମୋ ଛାତି ଥରୁଥାଏ । ବୋତଲଟି ଗୋଟେ ବ୍ୟାଗରେ ପୁରେଇ ମନ୍ଦିର ପାଖକୁ ଗଲି । କେହି କୁଆଡ଼େ ନଥାଆନ୍ତି । ଗଛ ପଛପାଖରେ ନଟ ଲୁଚିଥିଲା । ମୁଣ୍ଡରେ ଗୋଟେ ଟୋପି, ମୁହଁରେ ଗୋଟେ ମୁଖା, ଆଖି ଉପରେ କଳା ଚଷମା ଓ ହାତରେ ଗ୍ଳୋଭ୍‌ସ ଲଗେଇଥାଏ । ମୋଠୁ ବୋତଲ ନେଇଗଲା । ସାବଧାନରେ ଧରିଥାଏ । ଚାରି ଆଡ଼କୁ ଅନେଇଲୁ । କେହି କୁଆଡ଼େ ଦେଖାଯାଉନଥିଲେ ।

          ସନ୍ଧ୍ୟା ହେଇଆସିଲା । ଦେଖିଲୁ, ମଧୁ ଧୀରେ ଧୀରେ ମନ୍ଦିର ଆଡ଼କୁ ଆସୁଛି । ମୋ ହୃତପିଣ୍ଡ ଗତି ଦୃତ ହୋଇଗଲା । “ହେ ଭଗବାନ, ମୋତେ ରକ୍ଷାକର, କହି ଆକାଶକୁ ଅନେଇ ନମସ୍କାର କଲି ।” ମଧୁ ପ୍ରାୟ ଆମ ପାଖରେ ପହଞ୍ଚିଗଲା । ଏଥର ନଟ ଆଗେଇଲା ମଧୁ ଦିଗକୁ । ହଠାତ୍ ଦଉଡ଼ି ଯାଇ ତା ମୁହଁକୁ ଲକ୍ଷ୍ୟ କରି ବୋତଲରେ ଥିବା ସମସ୍ତ ପଦାର୍ଥ ଫୋପାଡ଼ିଦେଲା ଓ ଦୌଡ଼ି ପଳେଇଲା । “ମରିଗଲି, ମରିଗଲି” କହି ମଧୁ ବିକଳ ଚିତ୍କାର କରି ନିଜ ମୁହଁକୁ ଓଢ଼ଣୀରେ ପୋଛି ପୋଛି ତା ଘର ଦିଗରେ ଦୌଡ଼ି ପଳେଇଲା । ତା ଚିତ୍କାର ଶୁଣି ହଠାତ୍ କେଜାଣି କୋଉଠି ଜଣେ ଲୋକ ଥିଲେ, ଗୋଟେ ଠେଙ୍ଗା ଧରି ଦୌଡ଼ି ଆସିଲେ । ପ୍ରାଣ ବିକଳରେ ନଟ ଦୌଡ଼ି ଦୌଡ଼ି ମଟରସାଇକେଲ ପାଖକୁ ଗଲା ଓ ସେଥିରେ ବସି ଷ୍ଟାର୍ଟକରି ପଳେଇଲା । ତାକୁ କେହି ଧରିବାକୁ ସକ୍ଷମ ହୋଇ ପାରିଲେନି ।

          ମୋ ଦେହ ଥରୁଥାଏ । ଝାଳ ଗମ ଗମ ହୋଇ ବୋହୁଥାଏ । ଘରକୁ ଗଲି, ଭାଗ୍ୟ ଭଲ ଘରେ ମାଆ ନଥିଲା । ଗାଧୁଆ ଘରକୁ ଯାଇ ପୁରା ଉଲଗ୍ନ ହୋଇ ସାୱାର ତଳେ ଅନେକ ସମୟ ଠିଆ ହେବା ପରେ ମନ ଟିକିଏ ଶାନ୍ତ ହୋଇଆସିଲା । ତା ପରେ ଭଲ ରୂପେ ପୋଛି ପାଛି ହୋଇ ବାହାରକୁ ବାହାରିଲି ଓ ରୁମକୁ ଯାଇ ସଫା ଡ୍ରେସ ପିନ୍ଧି ବିଛଣାରେ ଗଡ଼ିପଡ଼ିଲି ।

          ରାତି ଯାକ ଶୋଇ ପାରିଲିନି । କାନରେ ସେଇ ‘ମରିଗଲି, ମରିଗଲି’ ଚିତ୍କାର ପ୍ରତିଧ୍ଵନିତ ହେଉଥାଏ । ଭୟ ଆସୁଥାଏ, କାଳେ ମା’ କୌଣସି ମତେ ଜାଣିଯିବ । ହେଲେ ମୋର ଅବସ୍ଥା କଅଣ ହେବ ଭାବି ଭାବି ରାତି କଟିଗଲା । ‘ଚୋରର ସାଥି ଚୋରୀ ନକଲେ ବି ଚୋର’, ସେଇ ନୀତିରେ ମୁଁ ବି ଦୋଷୀ । ପ୍ରଭୁଙ୍କୁ ଡାକି ଡାକି ରାତି ଶେଷ ପ୍ରହରରେ ବୋଧେ ନିଦ ଆସିଥିଲା, ଉଠିଲା ବେଳକୁ ଦିନ ନଅଟା । ସକାଳେ ଏ ଘଟଣାର କୌଣସି ଚର୍ଚ୍ଚା ହେଲାନି କି ଖବର କାଗଜରେ ବାହାରିଲାନି । ଅସ୍ଵାଭାବିକ ଲାଗିଲା ମୋତେ । ଭାବିଲି, ମଧୁ ବୋଧେ କୌଣସି ବଡ଼ ଡାକ୍ତରଖାନାକୁ ଚାଲିଗଲା ଚିକିତ୍ସା ପାଇଁ । ତା ମୁହଁ ପୋଡ଼ିଯାଇ କେମିତି ଭୟଙ୍କର ଦେଖାଯାଉଥିବ, ଭାବି ମୋର ଆତ୍ମଗ୍ଳାନି ହେଲା । ବିଚାରୀ ନିରପରାଧିନୀ ଝିଅଟା, ତା ଜୀବନ ନଷ୍ଟ ହୋଇଯାଇଥିବ ! 

          ଏ ଘଟଣା ପରେ ମୁଁ ଅନ୍ୟ ସହରକୁ ଚାଲିଗଲି ଓ ଏମସିଏ ପାଠ ପଢ଼ି ବେଙ୍ଗାଲୁରୁରେ ଚାକିରି କଲି । କିଛି ବର୍ଷ ପରେ ଥରେ ଘରକୁ ଆସିଥିଲି । ଦିନେ ସନ୍ଧ୍ୟା ସମୟରେ ଗୋଟିଏ ଗାଡ଼ି ଆସି ଘର ସାମନାରେ ରହିଲା । ମୁଁ ଘର ଭିତରକୁ ଚାଲିଗଲି । କିଛି ସମୟ ପରେ ମୋତେ ଡାକରା ଆସିଲା । ଡ୍ରଇଁ ରୁମକୁ ଯାଇ ମୁଁ ଯାଇ ସୋଫା ଉପରେ ବସିଗଲି । ବାପା ମୋତେ ଚିହ୍ନେଇଦେଲେ, “ଇଏ ମନ୍ମଥ ସାମନ୍ତ, ତାଙ୍କ ସ୍ତ୍ରୀ ଓ ଝିଅ ।” ମୁଁ ସମସ୍ତଙ୍କୁ ନମସ୍ତେ କରି ଝିଅକୁ ଅନେଇଲି । ଆରେ, ଇଏ ତ ମଧୁ ଭଳି ଦେଖାଯାଉଛି ! ମନ୍ମଥ ବାବୁ କହିଲେ, “ତୁମେ ଦୁଇଜଣ ଭିତରକୁ ଯାଅ, କଥାବାର୍ତ୍ତା ହୁଅ । କିଛି ତରବର ନାହିଁ ।”

          ଭିତରକୁ ଗଲାପରେ ସେ ଝିଅ କହିଲା, “ମୋତେ ଚିହ୍ନିପାରୁଛନ୍ତି ।”

“ନା”, କହିଲି ।

“ମୁଁ ମଧୁଛନ୍ଦା । ମନେପଡ଼ିଲା ।”

ହଠାତ ମୁଁ ଶିହରୀ ଉଠିଲି । ମୋ ଭୂମିକା କଥା ଇଏ ଜାଣି ପକେଇ ମୋତେ ଗାଳି ଦେବାକୁ ଆସିଛି ନା କଅଣ । ପଛ କଥା ମନେ ପକେଇ ମୁଁ ଲାଜରେ ସଢ଼ିଗଲି । ତା ମୁହଁକୁ ଭଲ ରୂପେ ଅନେଇଲି । କିଛି ଖରାପ ଦିଶୁନି । ଇଏ କେମିତି ସମ୍ଭବ ହେଲା । ଓଲଟା ଅତି ସୁନ୍ଦରୀ ଦିଶୁଛି । କଅଣ ପ୍ଲାଷ୍ଟିକ ସର୍ଜରୀ କରିଛି ନା କଅଣ ! କିଛି ଉତ୍ତର ଦେଲିନି ।

“ଭାବୁଛନ୍ତି ବୋଧେ, ମୋ ମୁହଁର କେମିତି କିଛି କ୍ଷତି ହୋଇନି, ମୋର ସୌନ୍ଦର୍ଯ୍ୟ କେମିତି ଅକ୍ଷୁର୍ଣ୍ଣ ରହିଲା, ଏଇଆ ନା?

କିଛି କହୁନାହାନ୍ତି କାହିଁକି?”

“ସେ ଭୁଲ କାମ ପାଇଁ ବହୁତ ଅନୁତାପ କରିଛି । ନିଜକୁ ଧିକ୍କାର କରିଛି । ଆଉ ଲଜ୍ଜା ଦିଅନ୍ତୁନାହିଁ ।”

“ଆରେ ଆପଣ ତ କିଛି ଦୋଷ କରିନାହାନ୍ତି, ବରଂ ମୋର ଉପକାର କରିଛନ୍ତି ।”

ଆଶ୍ଚର୍ଯ୍ୟରେ ମୁଁ ତା ମୁହଁକୁ ଅନେଇଲି ।

“ଭାବନ୍ତୁ ତ, ମୋର ମୁହଁ କେମିତି ପୋଡ଼ିଲାନି । ଅସଲ କଥା ହେଲା, ଆପଣ ଓ ଆପଣଙ୍କ ମାଆ ମୋତେ ବଞ୍ଚେଇଲେ ।”

ଅବିଶ୍ଵାସ ଭରା ସ୍ଵରରେ ମୋ ପାଟିରୁ ବାହାରି ଆସିଲା, “କେମିତି ?”

          ଏତିକି ବେଳେ ମୋ ମାଆ ଭିତରକୁ ପଶିଆସିଲେ । ତା ପରେ ମାଆ କହିବାକୁ ଲାଗିଲେ, “ତୁ ମୋତେ କ୍ଷମା ମାଗିବା ପରେ ବି ମୁଁ ତୋତେ ବିଶ୍ଵାସ କଲିନି, କାରଣ ତୋର ସାଙ୍ଗ ଦୋଷ ଥିଲା । ଇଂରାଜୀରେ ଗୋଟିଏ କଥା ଅଛି, ଟେଲ ମି ଇୟୋର ଫ୍ରେଣ୍ଡ, ଆଇ ଉଇଲ ଟେଲ ହୁ ୟୁ ଆର ।” ମୁଁ ତୋ ଖବର ବରାବର ରଖୁଥିଲି । ତୁ ଯେଉଁଦିନ ସେ ବଦମାସ ଟୋକାକୁ ଘରକୁ ଆଣିଲୁ, ମୁଁ ଜାଣିଲି, କିଛି ଅଘଟଣ ଘଟିବାକୁ ଯାଉଛି । ପାଖ ବଖରାର କବାଟ କୋଣରେ ଠିଆ ହୋଇ ତୁମର କଥୋପକଥନ ସବୁ ଶୁଣୁଥିଲି । ସବୁ ଶୁଣି ଜାଣିଲି ତୋର ପରିବର୍ତ୍ତନ ହୋଇଯାଇଛି ।”

          “ଯେଉଁଦିନ ଏସିଡ ଆଣି କହିଲୁ ‘କେମିଷ୍ଟ୍ରି ପ୍ରାକ୍ଟିକାଲରେ ଦରକାର ହେବ’, ସେ ଦିନ ତୁ ହଡ଼ବଡ଼େଇ ଯାଇ ଭୁଲିଯାଇଥିଲୁ ଯେ ତୁ କଳାର ଛାତ୍ର ।” ତୋ ମିଛ କହିବା ମୁଁ ସଙ୍ଗେ ସଙ୍ଗେ ଜାଣିଗଲି । ତୋ ବୋତଲ ରଖିବା ଜାଗା ମୁଁ ଲକ୍ଷ କରିଥିଲି । ତୁ ଘରୁ ବୁଲିବାକୁ ଗଲାପରେ ମୁଁ ସେ ବୋତଲ ନେଇ ଠିପି ଖୋଲି ଟିକିଏ ଦୂରରୁ ଶୁଙ୍ଘି ଜାଣିନେଲି ଯେ ସେଥିରେ ଏସିଡ ଅଛି । ସେଇ ଏସିଡ ବୋତଲ ନେଇ ବାହାରକୁ ଗଲି ଓ ସବୁ ଏସିଡ ବାହାରେ ନାଳରେ ଫୋପାଡ଼ି ଦେଇ ୪ ବାଲ୍ଟି ପାଣି ଢାଳିଦେଲି । ବୋତଲକୁ ଧୋଇ ଧାଇ ପୋଛିଦେଲି ଓ ସେଥିରେ ଯେତିକି ଏସିଡ ଥିଲା, ସେତିକି ପାଣି ଭର୍ତ୍ତି କରି ତା ଜାଗାରେ ଥୋଇଦେଲି । ତୁ ବା ନଟ କିଛି ଜାଣି ପାରିଲନି ।” ମନେ ମନେ ଭାବିଲି, ତାହାହେଲେ ମଧୁ ‘ମରିଗଲି, ମରିଗଲି’ ଚିତ୍କାର କଲା କାହିଁକି !

          ଶୁଣ ତା ପରର ଘଟଣା, ତାପରେ ମୁଁ ମଧୁ ଘରକୁ ଯାଇ ତାକୁ କହିଲି, “ମା, ମୁଁ ମନ୍ଦିର ପାଖରେ ରହେ । ନଟକୁ

ଚିହ୍ନିଥିବୁ । ସେ ତୋ ଉପରେ ଏସିଡ ପକେଇବାକୁ ପ୍ଳାନ କରିଛି । ସବୁ କଥା ବିସ୍ତାରରେ କହିଲି ।” ପ୍ରଥମେ ସେ ଭୟରେ କଳାକାଠ ପଡ଼ିଗଲା । ମୁଁ ମଧୁକୁ କହିଲି, “ମୁଁ କିନ୍ତୁ ଆଉ ଗୋଟେ ପ୍ଳାନ କରିଛି, ଶୁଣ । ସେଇ ଅନୁସାରେ କାମ କରିବା । ମୁଁ ଗୋଟେ ଲୋକକୁ ଠେଙ୍ଗା ଧରି ଜଗେଇଥିବି ସେ ଲୁଚିଥିବ । ମୁଁ ବି ଗୋଟେ କମ୍ବଳ ଧରି ଲୁଚିଥିବି, ଦରକାର ପଡ଼ିଲେ ତା ଉପରେ ଘୋଡ଼େଇ ନିର୍ଦ୍ଧୁମ ପିଟିବା । ତୋର କିଛି ଅସୁବିଧା ହେବନି । ଦୁଷ୍ଟ ଲୋକ ଥରେ ମାତିଲେ ତାକୁ ଅଟକେଇବା କଷ୍ଟ । ଆଜି ନହେଲେ କାଲି କ୍ଷତି କରିବ । ଆମେ ଏମିତି କାମ କରିବା ଯେମିତି ସେ ଭାବିବ ଯେ ସେ ଏସିଡ ପକେଇଛି ଓ ଝିଅର କ୍ଷତି କରିଛି । ପ୍ରକୃତରେ କିନ୍ତୁ ମୁଁ ଏସିଡ ବଦଳେଇ ପାଣି ରଖିଦେଇଥିବି । ଏହା ପରେ ତାର ଆଉ କିଛି ଦୁଷ୍ଟ ଭାବନା ମନରେ ରହିବନି । ଡରରେ ସେ ଆଉ ଏଠିକୁ ଆସିବନି କି ଏଠାର ଖବର ରଖିବନି । ଭୟ ମଣିଷର ସବୁଠୁ ବଡ଼ ଶତ୍ରୁ ।

ମଧୁ – “ମୁଁ କଅଣ କରିବି ?”

ମାଆ – “ସେ ତୁମ ଉପରକୁ ବୋତଲରୁ କିଛି ପକେଇଲେ ‘ମରିଗଲି, ମରିଗଲି’ ବା ତୁମ ଦେହକୁ ଛୁଇଁଲେ ବା ଅନ୍ୟ କିଛି ସମସ୍ୟା ସୃଷ୍ଟି କଲେ ‘ବଞ୍ଚାଅ ବଞ୍ଚାଅ’ କହି ଚିତ୍କାର କରିବ । ବାସ, ଏତିକି ତୁମ କାମ । ବାକି ତୁମ ଘରର ବାପା ମାଆଙ୍କୁ ପଚାରି, ମନ ସ୍ଥିର କରି ମୋତେ କହିବ । ସେମାନେ ବି ଇଚ୍ଛା କଲେ ତାର ଫେରିବା ବାଟରେ ଜଗିପାରିବେ ।”

          ମଧୁ କହିଲା, “ସେ ମୋ ପାଖକୁ ଆସି ପାଣି ପକେଇବା ମାତ୍ରେ ମାଉସୀ (ମୋ ମାଆ) କହିବା ମୁତାବକ ଯେତେ ବଳ ଅଛି ସାଉଣ୍ଟି କରି ମୁଁ ‘ମରିଗଲି, ମରିଗଲି’ କହି ଚିତ୍କାର କଲି । ତା ପରେ ସେ ଲୋକର ଠେଙ୍ଗା ଦେଖି ନଟ ଯେମିତି ଦୌଡ଼ିଲା, ଦେଖିବାର କଥା । ମୁଁ ବହୁତ କଷ୍ଟରେ ହସ ଚାପି ରଖିଲି ।” କିନ୍ତୁ ଗୋଟେ ସନ୍ଦେହ ଏବେବି ରହିଛି, “ସେ ଫୋନ କରି ପଚାରିନି ମୋ ମୁହଁ ପୋଡ଼ିଯାଇଛି କି ନାହିଁ ?”

ହଁ, ପଚାରିଥିଲା, ମୁଁ ଉତ୍ତର ଦେଇଥିଲି, “ତାର ମୁହଁ ପୁରା ପୋଡ଼ି ଅଙ୍ଗାର ହୋଇଯାଇଛି ।” ସମସ୍ତେ ହସି ଉଠିଲୁ ।

କିନ୍ତୁ ତୁମେ ନଟକୁ କହିଥିଲ, “ଆଉ ଜଣକୁ ଭଲ ପାଏ?”

ଟିକିଏ ହସି ମଧୁ କହିଲା, “ମୁଁ ତା’ଠୁ ଛୁଟି ପାଇବାକୁ ସେଇ ଗୋଟେ ମିଛ କଥା କହିଥିଲି ।”

“ଟିକିଏ ପୂର୍ବରୁ ଆପଣ କହିଲେ, ମୁଁ ଉପକାର କରିଛି । ଏଥିରେ ମୁଁ ତ ଆପଣଙ୍କର କିଛି ଉପକାର କରିନି?”

“ଆରେ, ଆପଣ ନଟକୁ ଘରକୁ ଡାକି ନଆଣିଥିଲେ ଏ ପ୍ଳାନ୍ ଅଜଣା ରହିଥାନ୍ତା ଆଉ ମୁଁ ରକ୍ଷା ପାଇଥାଆନ୍ତି କେମିତି?” ସେ ତ କେତେବେଳେ ନା କେତେବେଳେ ମୋ ଉପରେ ଏସିଡ ପକେଇଥାନ୍ତା ।

          ମା କହିବାକୁ ଲାଗିଲେ, “ସେ ଘଟଣାର ସାତ ଦିନ ପରେ ମଧୁ ସାଥିରେ ମୋର ରାସ୍ତାରେ ଭେଟ ହୋଇଥିଲା । ମଧୁ ମୋତେ ଦେଖି ପାଦ ଛୁଇଁ କହିଲେ, “ମାଉସୀ, ଆପଣ ମୋତେ ବଞ୍ଚେଇ ଦେଲେ । ମୁଁ ଆପଣଙ୍କ ଋଣ ଏ ଜୀବନରେ

ସୁଝି ପାରିବିନି । ଆପଣ ଯେଉଁ ଉପକାର କଲେ, କେହି କରିବେନି । ମୋ ମାଆ ଭଳି ମୋତେ ସୁରକ୍ଷା ଦେଲେ । ମୁଁ ଆପଣଙ୍କୁ ମାଆ ଡାକିପାରିବି କି ?”

- “ଯଦି ସତସତିକା ମାଆ ଡାକିବାକୁ ଇଚ୍ଛା, ତେବେ ମୋ ଘରକୁ ବୋହୁ ହେଇ ଚାଲିଆ । ମାଆ ଡାକିବାର ସଂପୂର୍ଣ୍ଣ ଅଧିକାର ପାଇଯିବୁ ।”

          ମା’ ଆଡ଼କୁ ବିସ୍ମୟ ବିଷ୍ଫାରିତ ନୟନରେ ଅନେଇ କହିଲି, “ମାଆ, ତୋର ଏତେ ବୁଦ୍ଧି ଅଛି ବୋଲି ମୁଁ ଜାଣିନଥିଲି । ତୁ ଏତେ ବର୍ଷ ଧରି ଏତେ କଥା ଲୁଚେଇ ରଖିଥିଲୁ । ଆଗରୁ କହିଥିଲେ ଅନ୍ତତଃ ମୋର ଆଜି ପର୍ଯ୍ୟନ୍ତ ଥିବା ଆତ୍ମଗ୍ଳାନି କଟିଯାଇ ଥାଆନ୍ତା ।” ଏତିକି କହି ମାଆକୁ କୁଣ୍ଢେଇ ପକେଇ ତା ପିଠିକୁ ସ୍ନେହରେ ଥାପୁଡ଼େଇବାକୁ ଲାଗିଲି ।

“ତୋର ଆତ୍ମଗ୍ଳାନି ରହିବା ଯୋଗୁ ଆଜି ତୁ ମଣିଷ ହୋଇପାରିଲୁ, ନହେଲେ ସେଇ ଦୁଷ୍ଟାମି ରହିଯାଇ ଥାଆନ୍ତା । ପିଲାଙ୍କୁ ମଣିଷ ଭଳି ମଣିଷ କରିବାକୁ ବାପା ମାଆଙ୍କୁ ଅକଥନୀୟ କଷ୍ଟ ସ୍ଵୀକାର କରିବାକୁ ପଡ଼େ ।”

          ବାତ୍ସଲ୍ୟ ମମତାର ଅଥଳ ସାଗର ମଧ୍ୟରେ ଏଭଳି ପ୍ରବହମାନ ବୌଦ୍ଧିକ ହିମ ଖଣ୍ଡ ଲୁଚି ରହିଯାଇପାରେ, ଏ କଥା ମୁଁ ପ୍ରଥମ କରି ଜାଣିବାକୁ ପାଇଲି ।

          ମୋତେ ଏହା ପରେ ମାଆ ମୋତେ ଟିକିଏ ଦୂରକୁ ଡାକି ନେଇ ପ୍ରଶ୍ନ କଲା, “ହଉ, ବହୁତ କଥାବାର୍ତ୍ତା ହେଲା । ଏବେ କହ, ଏ କନ୍ୟା ମନ ପାଇଲା ନା ନାହିଁ ?” ଧୀରେ ହଁ ଭରିଲି । ମୋ ହଁ ଭରିବା ଶୁଣି ଲାଜ ଓ ଖୁସିର ଅପୂର୍ବ ସଙ୍ଗମରେ ମଧୁ ଅଦ୍ଵିତୀୟତା ଓ ଅନୁପମା ଦେଖାଯାଉଥିଲା । କହିବାକୁ ଲଜ୍ଜା ଆସିଲା ଓ ସାହସ ହେଲାନି, ସେଇ ପଢିଲା ଦିନୁ ମୁଁ ବି ମଧୁକୁ ମନେ ମନେ ଭଲ ପାଉଥିଲି । ସେଥି ଯୋଗୁ ତାକୁ ରକ୍ଷା କରିବାକୁ ସେ ବୋତଲକୁ ମୁଁ ବି ଥରେ ଧୋଇଦେଇଥିଲି ଓ କହିବା ବାହୁଲ୍ୟ ମାତ୍ର, ସେତେବେଳେ ବୋତଲକୁ ମା ଧୋଇ ସାରିବା କଥା ଜାଣିନଥିଲି । ତା ପାଖକୁ ଅନେକ ଚିଠି ଓ କବିତା ଲେଖି ସାଉତି ରଖିଥିଲି, ପଠେଇବାକୁ କେବେ ବି ସାହସ ହୋଇନଥିଲା, ବିଶେଷତଃ ନଟର ପ୍ରେମ କଥା ଶୁଣିବା ପରେ । ମୁଁ ତା ପ୍ରେମିକାକୁ ଭଲ ପାଉଥିଲି ଜାଣିଥିଲେ ମଧୁ ଉପରେ ନ ପକେଇ ନଟ ମୋ ଉପରକୁ ଏସିଡ ଫୋପାଡ଼ି ଥାଆନ୍ତା । ଭାବିଲି, ବାସର ରାତିରେ ମୋ ଲିଖିତ କବିତା ଓ ଚିଠି ଦେଖେଇ ମଧୁକୁ ଆଶ୍ଚର୍ଯ୍ୟ କରେଇ ଦେବି । 

ଡା ସୁବାସ ଚନ୍ଦ୍ର ରାଉତ

ଭ୍ରାମ୍ୟଭାଷ – ୭୯୭୮୦୫୯୮୫୧                

ନଟ ଲୋମହର୍ଷଣକାରୀ ମଧୁ

Rate the content


Originality
Flow
Language
Cover design

Comments

Post

Some text some message..