Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

0  

ଓଡିଆ ଶିଶୁ ଗପ

Children

ବୁଦ୍ଧି ଦାତା ଗୋପାଳ

ବୁଦ୍ଧି ଦାତା ଗୋପାଳ

3 mins
619


ରାଜା କୃଷ୍ଣ ଚନ୍ଦ୍ରଙ୍କର ଫୁଲ ବଗିଚାରେ ଗୋଟିଏ ଖାଲ ହୋଇ ଥିବାରୁ ଦିନେ ରାଜା ଦୁଇ ଜଣ ମାଳିକୁ ଡାକି ଗୋଟିଏ ଜାଗା ଦେଖାଇ ଦେଇ କହିଲେ – ତୁମ୍ଭେ ମାନେ ଏହି ଜାଗାଟିରୁ ମାଟି ନେଇ ସେଠି ଯେଉଁ ଖାଲଟି ଅଛି ତାକୁ ପୋତି ଦେଇ ସମାନ କରି ଦିଅ । ବଗିଚାରେ ଯେପରି କୌଣସି ଖାଲ ନରହେ । ରାଜା ଏହା କହି ଚାଲି ଗଲେ । ମାଳି ଦୁଇ ଜଣ ମାଟି କାଢି ଖାଲଟିରେ ପକାଇଲେ ।

ରାଜା ମାଳି ମାନଙ୍କୁ କାମ ବରାଦ କରି ଥିବା ବେଳେ ଗୋପାଳ ସେପଟରେ ଥାଇ ସବୁ ଶୁଣୁ ଥାଏ । ରାଜା ଚାଲିଯିବାର କିଛି ସମୟ ପରେ ଗୋପାଳ ଯାଇ ସେହି ବଗିଚା ଭିତରେ ପହଁଚିଲା । ମାଳି ଦୁହେଁ ଗୋପାଳକୁ ଦେଖି ଯୁହାର ହୋଇ ପଚାରିଲେ – ଗୋପାଳ ବାବୁ ରାଜା ତ ଆମ୍ଭକୁ କହି ଗଲେ ଯେ ଏହି ଜାଗାଟିରେ ଖାତ କରି ଏଠାରୁ ମାଟି ନେଇ ସେ ଖାତଟି ପୋତି ସମାନ କରିବାକୁ । ସେ ଖାତଟି ତ ପୂରିଲା । ପୁଣି ଖାତଟା ପୂରାଇବା ପାଇଁ ମାଟି କେଉଁଠୁ ଆଣିବୁ? ମାଳିଙ୍କର କଥା ଶୁଣି ଗୋପାଳ ରାଗି ଯାଇ କହିଲା – ତୁମେ ଦି” ଟା ଏକ ବାର ବୋକା । ତୁମର ଟିକିଏ ବୁଦ୍ଧି ଅକଲ ନାହିଁ । ବୁଦ୍ଧି ଅକଲ ଥିଲେ ରାଜାଙ୍କ କଥାକୁ ଠିକ୍ ବୁଝି ପାରି ଥାନ୍ତ ।

ଗୋପାଳର ରାଗ ଦେଖି ମାଳି ମାନେ ଡରି ଯାଇ କହିଲେ – ଆଜ୍ଞା, ଆମେ ତ ମୁର୍ଖ ଲୋକ । ରାଜାଙ୍କ କଥା ବୁଝିବୁ କେଉଁଠୁ? ଯାହା ହେଉ ଆପଣ ଯେତେ ବେଳେ ଆସିଛନ୍ତି, ଆମକୁ ବୁଝାଇ ଯାଆନ୍ତୁ । ଆମେ ଆପଣଙ୍କ କଥା ଅନୁଯାଇ କାମ କରି ମଜୁରୀ ନେବୁ । ମାଳି ଦୁଇ ଜଣଙ୍କର କାକୁତି ମିନତି କଥା ଶୁଣି ଗୋପାଳ କହିଲା – ବେଶ୍ ତ ରାଜା ତୁମକୁ ଯଦି କହିଛନ୍ତି ଖାଲ ସମାନ କର ବୋଲି, ତେବେ ମୋ କଥା ମାନି ଖାଲ ସମାନ କର । ଏଠୁ ମାଟି କାଢି ନେଇ ଯେଉଁ ଖାଲକୁ ସମାନ କରିବ, ପୁଣି ସେଠୁ ସେଠିକା ମାଟି ଆଣି ଏ ଖାଲକୁ ପୋତ । ଏହି ପରି ଦିନେ କି ଓଳିଏ କଲେ ମାଟି ଫୁଲି ଯାଇ ଦୁଇଟି ଯାକ ଖାଲ ପୋତି ହୋଇ ଯିବ । ତୁମ ଦୁଇ ଜଣଙ୍କର କାମ ଦେଖି ରାଜା ଖୁସି ହୋଇ ଯାଇ ତୁମକୁ ମଜୁରୀ ସଙ୍ଗେ ସଙ୍ଗେ ବକସିସ୍ ମଧ୍ୟ ଦେବେ ।

ଗୋପାଳ ଏହା କହି ଚାଲି ଗଲା । ମାଳି ଦୁହେଁ ତାଙ୍କ କଥାକୁ ବିଶ୍ୱାସ କରି ଖାଲ ପୋତିବା ପାଇଁ ମାଟି ଗୁଡିକ ଆଣି ଖାଲ କରିଥିବା ଜାଗାଟିକୁ ପୋତି ଦେଲେ ପୁଣି ଏଠୁ ମାଟି ନେଇ ସେଠି ପକାଇଲେ । ଏହି ପରି ତାଙ୍କର ଗୋଟିଏ ଓଳି କଟି ଗଲା । ଉପରଓଳି ଗୋପାଳ ଭାଣ୍ଡ ରାଜ ସଭାକୁ ଯିବା ମାତ୍ରେ ରାଜା ତାଙ୍କୁ ଧରି ମାଟି ଖୋଳା ଦେଖିବାକୁ ଆସିଲେ । ସେତେ ବେଳକୁ ମାଳି ଦୁଇ ଜଣ କାମ ଛାଡି ଯାଇ ନଥାନ୍ତି, ଏ ଖାଲ ମାଟି ସେ ଖାଲକୁ ଆଉ ସେ ଖାଲ ମାଟି ଏ ଖାଲକୁ ବୋହୁ ଥାନ୍ତି । କିନ୍ତୁ ଖାଲ ପୂରୁ ନଥାଏ ।

ରାଜା ଏସବୁ ଘଟଣା ଦେଖି ମାଳି ଦୁଇ ଜଣଙ୍କ ଉପରେ ବିରକ୍ତ ହୋଇ ପଚାରିଲେ – ଏ ସବୁ କ’ଣ କରୁଛ? ମାଳି ଦୁହେଁ ହାତ ଯୋଡି କହିଲେ ଆଜ୍ଞା ଖାଲକୁ ପୋତୁଛୁ । ରାଜା ଆହୁରି ରାଗି ଯାଇ କହିଲେ – ତୁମକୁ ତ ସେହି ଖାଲଟା ପୋତିବାକୁ କହିଥିଲି, ତୁମେ ପୁଣି ସେଠୁ ମାଟି ଆଣି ଏଠି ପକାଉଛ କାହିଁକି? ତୁମକୁ ଏ କଥା କହିଲା କିଏ? ରାଜାଙ୍କର କୋପ ଦେଖି ମାଳି ମାନେ ଡରି ଡରି ଉତ୍ତର ଦେଲେ – ଏହି ଭାଣ୍ଡେ କହିଲେ ଆଜ୍ଞା । ସେ କହିଲେ ରାଜା ସମାନ କରିବାକୁ କହୁଛନ୍ତି ତୁମେ ଗୋଟିଏ ଜାଗା ଖାଲ କରି ଗୋଟିଏ ଜାଗା ପୋତୁଛ କାହିଁକି? ସେହି ମାଟିକି ଓଲଟ ପାଲଟ କର ଯେ, ମାଟି ଫୁଲି ଯାଇ ଦୁଇଟି ଯାକ ଗାତ ପୋତି ହୋଇ ଯିବ । ଆମେ ତାଙ୍କର କଥା ଅନୁଯାଇ ସକାଳୁ ଏତେ ବେଳ ଯାଏଁ ସେହି କାମରେ ଲାଗିଛୁ । ହେଲେ କ’ଣ ହେବ ଏତେ ବେଳ ଯାଏଁ ମାଟି ଫୁଲୁନି କି ଖାଲ ପୋତା ସରୁନି ।

ମାଳି ଦୁଇ ଜଣଙ୍କର କଥା ଶୁଣି, ରାଜା ଗୋପାଳ ଭାଣ୍ଡକୁ ଚାହିଁ କହିଲେ – ଗୋପାଳ! ତୁମେ ୟାଙ୍କୁ ପୋତିବା ଜାଗାରୁ ମାଟି ଆଣି ଖୋଳିବା ଜାଗାରେ ପକାଇବାକୁ କହିଛ? ଭାଣ୍ଡ ଉତ୍ତର ଦେଲା, ଆଉ କ’ଣ କହି ଥାନ୍ତି ଆଜ୍ଞା । ଆପଣ ତ ଖାଲ ଜାଗାକୁ ସମାନ କରିବାକୁ କହି ଥିଲେ । ସେ ଖାଲଟା ସମାନ ହେଲା ପରେ, ଏମାନେ ମୋତେ ପଚାରିବାରୁ ମୋ ଆଖିକି ତ ଖାଲ କରି ଥିବା ଜାଗା ଛଡା ଆଉ କେଉଁଠି ଖାଲୁଆ ଦେଖା ଗଲାନି, ପୁଣି ସେଇଆକୁ ପୋତିବାକୁ କହିଲି । ଏଥିରେ ମୋର ଭୁଲ୍ ହେଲା କ’ଣ?

ଲୋକେ କହିଲା ଭଳି – “ଆପଣ କଥାକୁ ଆପେ ନ ଚିହ୍ନି ସରଗ ମାପୁଛି ଆଙ୍ଗୁଳି ଘେନି ।” ଏଥିରେ ମୁଁ ଅଧିକ ଆଉ କ’ଣ କରିବି? ଆପଣ ଯାହା କହିଥିଲେ ମୁଁ ସେଇଆ କହିଲି । ଏ କଥା ଶୁଣି ରାଜା ଗୋପାଳକୁ ଆଉ କିଛି କହି ନପାରି କାମ ବନ୍ଦ କରି ଦେଇ ସେଠାରୁ ଚାଲି ଗଲେ । ଗୋପାଳ ମନେ ମନେ ହସି ତାଙ୍କର ପଛେ ପଛେ ଗଲା ।


Rate this content
Log in

Similar oriya story from Children