Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Inspirational Tragedy

3  

sushama Parija

Inspirational Tragedy

ଜଳକା

ଜଳକା

8 mins
453


ଗାଁ ମୁଣ୍ଡରେ ବସ୍ ଟି ଅଟକିଲା କ୍ଷଣି ପରେଶ ଡିଆଁ ଟାଏ ମାରି ଓହ୍ଲାଇ ପଡିଲା ସେଥିରୁ । ତା' ପଛରେ ବୈଭବ, ତା'ପଛେ ପଛେ କାଖରେ ଶିବାନୀକୁ ଧରି ଅତସୀ । ବସ୍ ର କ୍ଲିନରଟି ଆଗରୁ ଯାଇ ଲଗେଜ୍ ଗୁଡିକ କାଢି ଥୋଇ ଦେଇ ସାରିଥିଲା ରାସ୍ତା ଉପରେ । ଦୀର୍ଘ ବାରବର୍ଷ ପରେ ପରେଶର ଗାଁକୁ ଆସିବାର ଖୁସି ବନ୍ଧବାଡ ମାନୁ ନଥିଲା। ତରତରରେ ଗୋଟିଏ ହାତରେ ବଡ ଆଟାଚିଟାକୁ ଧରି ,ଏୟାରବ୍ୟାଗ୍ ଟି କାନ୍ଧରେ ପକାଇ ଅନ୍ୟ ହାତରେ ବୈଭବର ହାତ ଧରି ମୁଖ୍ୟ ରାସ୍ତାରୁ ଗାଁ ଆଡକୁ ଲମ୍ବି ଯାଇଥିବା କଂକ୍ରିଟ୍ ରୋଡ୍ ରେ ଘର ଆଡକୁ ମୁହାଁଇଲା। ତା' ପଛେ ପଛେ ଗଉଡ ପିଲାକୁ ଗାଈ ଗୋଠ ଅନୁସରଣ କରିବା ଭଳି ଅନୁସରଣ କରୁଥିଲା ଅତସୀ।

ତା' ପାଇଁ ଢେଙ୍କାନାଳ ଜିଲ୍ଲାର ଏଇ ନାଧରା ଗାଁଟି ଥିଲା ସଂପୂର୍ଣ୍ଣ ଅପରିଚିତ । ସାତବର୍ଷ ହେଲା ପରେଶ ସାଥିରେ ଘର ସଂସାର କରିଥିଲେ ମଧ୍ୟ ସେ ପରେଶର ପୈତୃକ ଘର ଦେଖି ନାହିଁ ଆଜି ଯାଏ । କେନ୍ଦୁଝରର ଲିଙ୍ଗରାଜ ଖଣି ଅଞ୍ଚଳରେ ତା' ବାପା ସାରଙ୍ଗଧର ମୂଲିଆ କାମ କରୁଥିଲେ ଆଉ ତାଙ୍କରି ସହିତ କାମ କରୁଥିଲେ ପରେଶ । ପରେଶଙ୍କ ସରଳ ନିଷ୍କପଟ ବ୍ୟବହାରରେ ମୁଗ୍ଧ ହୋଇ ସାରଙ୍ଗଧର ଅତସୀ ଲାଗି ତାଙ୍କୁ ହିଁ ଜ୍ୱାଇଁ ରୂପେ ବାଛିଥିଲେ । ପରେଶ ବାଲ୍ୟକାଳରୁ ପିତାମାତାଙ୍କୁ ହରାଇ ନିଜର ଏକ ମାତ୍ର ସାନ ଭାଇ ସୁରେଶକୁ ମଣିଷ କରିବା ପାଇଁ ନିଜ

ଗାଁ, ଘରଦ୍ବାର ସବୁ ଛାଡି ରୋଜଗାର କରିବା ଲାଗି ଏଇ ଖଣିରେ କାମ କରୁଛି ବୋଲି ଆଗରୁ ଜାଣିଥିଲେ ସେ । କିନ୍ତୁ ଯେଉଁଦିନ ସେ କାମ କଲାବେଳେ ଗୋଡ ଖସି ଯିବାରୁ ତଳେ ପଡି ତାଙ୍କର ମୁଣ୍ଡ ଫାଟି ଯାଇଥିଲା ଏବଂ ସ୍ୱତଃପ୍ରବୃତ୍ତ ଭାବରେ ପରେଶ ତାଙ୍କୁ ମେଡିକାଲ ନେଇ,ଚିକିତ୍ସା କରି ଆଣି ଘରେ ଛାଡି ଦେଇ ଯାଇଥିଲା, ସେଇ ଦିନଠାରୁ ସେ ତା'ର ମଣିଷ ପଣିଆ ରେ ପ୍ରଭାବିତ ହୋଇଥିଲେ । ନିଜର ଏକ ମାତ୍ର ଝିଅ ଅତସୀର ଭବିଷ୍ୟତ ଏଇ ପରିଶ୍ରମୀ ଆଉ ଉଦାର ଯୁବକଟି ହାତରେ ସୁରକ୍ଷିତ ରହିବ ବୋଲି ଚିନ୍ତା କରି ପରେଶ ହାତରେ ଟେକି ଦେଇଥିଲେ ଅତସୀକୁ । ପରେଶର ନିଜର ବୋଲି କେହି ନଥିବାରୁ ଝିଅ ଜ୍ୱାଇଁଙ୍କୁ ଘରେ ଆଣି ରଖିଥିଲେ ସାରଙ୍ଗଧର । ଅତସୀ ମଧ୍ୟ ସୁଗୃହିଣୀଟିଏ ହୋଇ ବାପା ଏବଂ ସ୍ୱାମୀ ଦୁହିଁଙ୍କୁ ସମ୍ଭାଳି ନେଇଥିଲା।

ବାହାଘର ପରେ ଧୀରେ ଧୀରେ ପରେଶଙ୍କୁ ପଚାରି ବୁଝିଥିଲା ତାଙ୍କ ପରିବାର ବିଷୟରେ । ପରେଶ କହିଥିଲେ ତାଙ୍କ ଜୀବନ କାହାଣୀ, କେମିତି ସେ ସାତବର୍ଷର ହୋଇଥିବା ବେଳେ ତାଙ୍କ ବାପା ବିଲ ବାଛୁ ବାଛୁ ସାପ କାମୁଡାରେ ମଲେ, ସେତେବେଳେ ତାଙ୍କ ବୋଉ ସାତ ମାସର ଗର୍ଭବତୀ । ବହୁତ ଦୁଃଖ କଷ୍ଟ ସହି ବୋଉ ଜନ୍ମ ଦେଇଥିଲା ସୁରେଶକୁ ,କିନ୍ତୁ ଦାରିଦ୍ର୍ଯର କଷାଘାତରେ ବଞ୍ଚି ପାରିନଥିଲା ବେଶୀ ଦିନ । ସୁରେଶକୁ ଚାରିମାସ ହେଲା ବେଳକୁ ସୂତିକା ରୋଗରେ ଚାଲିଗଲା ସିଏ । ସେଇ ଚାରି ମାସର ଛୁଆଟିକୁ ମାଆବାପ ହୋଇ ପାଳିଲା ପରେଶ । ଘରେ ଯାହାକିଛି ଥିଲା ବିକା ଭଙ୍ଗା କରିମାସେ ଦୁଇମାସ ଚଳିଗଲା , ଧୀରେ ଧୀରେ ଅଭାବ ଘାରିଲା। କ'ଣ କରିବ, କେମିତି ସାନ ଭାଇ ଟିକୁ ବଞ୍ଚାଇ ରଖିବ ସେଇ କଥା ଭାବି ପ୍ରଥମେ ଗାଁ ସାହୁକାର ଘରେ ବୋଲହାକ କଲା, ସେଇଠୁ ଯାହା ମିଳିଲା ନିଜେ ଅଧା ଭୋକ ଉପାସ ରେ ରହି ଭାଇକୁ ଖୁଆଇ ପିଆଇ ବଞ୍ଚାଇ ରଖିଲା । ସାହୁକାର ଘରକୁ ଭାଇକୁ ସାଥିରେ ନେଇ କାମ କରିବାକୁ ଯିବ, ତାଙ୍କରି ଘରର ବାରଣ୍ଡାରେ ଶୁଆଇ ଦେଇ କାମ କରୁଥିବ, ମଝିରେ ମଝିରେ ଟିକିଏ ପାଣି କି ବିସ୍କୁଟ ଖଣ୍ଡିଏ ଭାଇ ମୁହଁରେ ଦେଇ ଯାଉଥିବ , କେବେ କେମିତି ସାହୁକାରଙ୍କ ପତ୍ନୀଙ୍କର ଦୟା ହେଲେ କ୍ଷୀର ଟିକେ, ରୁଟି ଖଣ୍ଡିଏ ଦେବେ, ସେଦିନ ପରେଶର ଖୁବ୍ ଖୁସି । ସାହୁକାର ଘର ଭୋଜିଭାତ ପିଠାପଣା ହେଲେ ମାଆ ସାଆନ୍ତାଣୀ ନିଶ୍ଚିତ ଭାବରେ କିଛି ବାନ୍ଧି ଦେଇଥିବେ ପରେଶ ଲାଗି । ପରେଶର କାମ ଦେଖି ମାଆ ସାଆନ୍ତାଣୀ ଖୁବ୍ ସ୍ନେହ କରୁଥିଲେ । ତାଙ୍କରି କଥାରେ ସୁରେଶକୁ ପାନ୍ଚ ବର୍ଷ ହେଲା ପରେ ତା'କୁ ଗାଁ ସ୍କୁଲ୍ ରେ ନାଁ ଲେଖାଇ ଦେଇଥିଲା ପରେଶ । ପିଲାଟି ଦିନରୁ ଖୁବ୍ ବୁଦ୍ଧିଆ ଥିଲା ସୁରେଶ , ମନ ଲଗାଇ ପାଠ ପଡୁଥିଲା । ତୃତୀୟ ଶ୍ରେଣୀରୁ ବୃତ୍ତି ପାଇ ସାର୍ ମାନଙ୍କର ପ୍ରିୟ ଛାତ୍ର ହୋଇ ପାରିଥିଲା । ସାର୍ ମାନେ ମଧ୍ୟ ତା'ର ପରିସ୍ଥିତି ଜାଣି ଥିବାରୁ ତା'କୁ ଆଗ୍ରହର ସହିତ ପାଠ ପଢାଇବାରେ ସାହାଯ୍ୟ ସହଯୋଗ କରୁଥିଲେ । ଧୀରେ ଧୀରେ ଖର୍ଚ୍ଚ ବଢୁଥିଲା , ସାହୁକାର ଘର ଚାକିରୀ ଛାଡ଼ି ମୂଲପାତି ଲାଗିଲା ପରେଶ। କାରଣ ସେ ଚାହୁଁଥିଲେ ତା' ଭାଇ ପାଠଶାଠ ପଢି ବଡ ମଣିଷ ହେଉ, ତେବେ ତା' ପରିଶ୍ରମ ସାର୍ଥକ ହେବ। ସେଥିପାଇଁ ସୁରେଶ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ତା'କୁ ଭୁବନେଶ୍ଵର ରେ ଗୋଟିଏ ଭଲ କଲେଜରେ ପାଠ ପଢାଇବା ଲାଗି ସେ ଗାଁ ଛାଡ଼ି କେନ୍ଦୁଝର ଆସିଲା ଖଣିରେ କାମ କରିବାକୁ । ସାହୁକାରଙ୍କୁ ଗାଁରେ ଥିବା ଜମି ଦଶ ଗୁଣ୍ଠ ବିକ୍ରି କରି ଦଶହଜାର ଟଙ୍କା ଦେଇଥିଲା ସୁରେଶର ନାଁ ଲେଖା ଆଉ ହଷ୍ଟେଲ୍ ର ଖର୍ଚ୍ଚ ବାବଦରେ । ଗାଁର ଆଉ କିଛି ମୋହ ନଥିଲା ପରେଶର । ମାସକୁ ମାସ ମନିଅର୍ଡର କରି ଟଙ୍କା ପଠାଉଥିଲା ସୁରେଶ ପାଖକୁ ତା'ର ଖର୍ଚ୍ଚ ପାଇଁ, ସେଇଥିରେ ଦି ପଦ ଲେଖି ଦେଉଥିଲା, ମନଦେଇ ପାଠ ପଢିବୁ, ଆଉ ପଇସା ଦରକାର ହେଲେ କହିବୁ ! ମୁଁ ଭଲ ଅଛି । ପୋଷ୍ଟ ଅଫିସରେ ଯିବା ଆସିବା କରି ଚିହ୍ନା ପରିଚୟ ହୋଇ ଯାଇଥିଲା ପୋଷ୍ଟ ମାଷ୍ଟରଙ୍କ ସହିତ । ତାଙ୍କରି ଜରିଆରେ ଫୋନ୍ କରିବାକୁ କହିଥିଲା ସୁରେଶକୁ । ଯେଉଁ ଦିନ ସୁରେଶ ଫୋନ୍ କରି କହିଥିଲା - ସେ ପ୍ରଥମ ଶ୍ରେଣୀରେ ବି. ଏ. ପାଶ୍ କରିଛି ,ଖୁସିରେ କାନ୍ଦି ପକେଇଥିଲା ପରେଶ । ସୁରେଶ କହିଥିଲା ସେ ଗାଁକୁ ନ ଯାଇ ସେଇଠି ଭୁବନେଶ୍ଵରରେ ରହି ପଢାପଢି କରିବା ସହିତ ଚାକିରୀ ଖୋଜିବ , ସେଇଠି ସେ ଦୁଇ ଚାରିଟି ଟିଉସନ ପିଲା ଠିକ୍ କରିଛି , ସେଇ ଟିଉସନ ପଇସାରେ ସେ ଘରଭଡା ନେଇ ରହିବ, ପରେଶ ଆଉ ତା'ପାଇଁ ଟଙ୍କା ପଠାଇବା ଦରକାର ନାହିଁ । ମନେ ମନେ ଭାବୁଥିଲା ପରେଶ , ତା'ର ଛୁଆ ଭାଇଟା ଏବେ ବଡ ହୋଇ ଗଲାଣି, ନିଜ ଦାୟିତ୍ୱ ନିଜେ ନେବାକୁ ଚାହୁଁଛି, ତଥାପି ଶାସନ କରି କହିଥିଲା " ତୁ ଆଗ ପଢାପଢି କରି ଚାକିରୀ କର, ଟିଉସନ କଲେ ପଢାପଢି କରି ପାରିବୁନି, ଆରେ ! ତୋର ଭାଇ ପରା ବଞ୍ଚିଛି , ତୁ କାହିଁକି ଚିନ୍ତା କରୁଛୁ ? ତୁ ଘରଭଡା ନେଇ ରହ, ପଢାପଢି କର, ଯାହା ଖର୍ଚ୍ଚ ହେବ ମୁଁ ପଠାଇବି "। କିଛି ଦିନ ପରେ ରାଜ୍ୟ ସଚିବାଳୟରେ ଚାକିରୀଟିଏ ମିଳିବାର ଶୁଭ ଖବରଟି ଦେଇଥିଲା ସୁରେଶ । କହିଥିଲା " ଭାଇ ! ତମେ ଗାଁକୁ ଫେରି ଆସ, ଜୀବନରେ ବହୁତ କଷ୍ଟ ସହିଲଣି ମୋ ପାଇଁ , ମତେ ପାଳିପୋଷି ମଣିଷ କରିବାକୁ ନିଜ ଜୀବନର ସବୁ ସୁଖ ଜଳାଞ୍ଜଳି ଦେଇଛ, ଏବେ ତମକୁ ସେବା କରିବାର ପାଳି ମୋର । ତମେ ଆସିଲେ ଆମେ ଦୁଇଭାଇ ମିଶି ଗାଁର ଭଙ୍ଗା ଘରକୁ ସଜାଡି ଦେବା ,ବର୍ଷ ଦିଇଟାରେ ମୁଁ କୋଠାଘର ଟିଏ କରି ଦେବିନି କି ? ତମେ ମୋଟେ ଚିନ୍ତା କରନା। ଖାଇ ପିଇ ସୁସ୍ଥ ହୋଇ ଘରେ ରୁହ । ମୋ ପାଇଁ ଭାଉଜଟିଏ ଯୋଗାଡ କର । ସେ ତମର ଯତ୍ନ ନେବେ ।

ମୁଁ ମାସକୁ ମାସ ପଇସା ପଠାଇବି ତୁମ ଚଳିବା ପାଇଁ । ସୁବିଧା ହେଲେ କିଛି ଜମି କିଣିଦେବି, ତମେ ଚାଷ ବାସ କରିବ। ତମେ ମୋର ଭାଇ ନୁହଁ, ବାପ ମାଆ ସବୁ, ତୁମ ଦାନ ମୋର ଏ ଜୀବନ, ତମ ପାଇଁ କିଛି କରି ପାରିଲେ ।

ମୋ ଜୀବନ ସାର୍ଥକ ହେବ"। ଲୁହ ଜମି ଯାଇଥିଲା ପରେଶର ଆଖିରେ ଭାଇର କଥା ଗୁଡିକ ଶୁଣି । ସେ କହିଥିଲା " ନାଇଁରେ ପାଗଳା ! ଗାଁକୁ ଯାଇ ମୁଁ କ'ଣ କରିବି ? ବରଂ ଏଇଠି ରହି କାମ କରିବି। ତୋ ପାଖକୁ ପଇସା ପଠାଇବି, ତୁ ଗାଁ କଥା ବୁଝିବୁ, ଦୁଇଭାଇ ମିଶି ଗାଁରେ କୋଠାଘର ତୋଳିବା, ଏବେ ତ କାମକୁ ପାରୁଛି, ଯେତେବେଳେ ନ ପାରିବି ସେତେବେଳେ ଗାଁକୁ ଫେରି ତୋ'ରି ପାଖରେ ରହିବି, ତୋ ଛଡା ଏ ଦୁନିଆଁରେ ଆଉ କିଏ ଅଛି କି ମୋର? ତୁ ଭଲରେ ଥାଆ " । ତା'ପରେ ସୁରେଶ ବିଷୟରେ ଆଉ ବେଶି ଚିନ୍ତା କରି ନଥିଲା ପରେଶ, ତେବେ ମଝିରେ ମଝିରେ କିଛି ଟଙ୍କା ପଠାଇ ଦେଉଥିଲା ଗାଁର ଘର ତିଆରି କରିବା ଲାଗି । କେବେ କେମିତି କଥା ବାର୍ତ୍ତା କରି ତା'ର ଭଲମନ୍ଦ ବୁଝୁଥିଲା ସୁରେଶ । ଦୁଇ ଭାଇ ଯାକ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇ ଯାଇଥିଲେ ।

ସେଇ ଭିତରେ ପରେଶର ବାହାଘର ହୋଇଥିଲା ଅତସୀ ସହିତ, ନିଜର କାର୍ଯ୍ୟ ବ୍ୟସ୍ତତା ହେତୁ ସୁରେଶ ଆସି ପାରିନଥିଲା ବାହାଘରକୁ। ଏମିତି ରେ ବିତି ଯାଇଥିଲା ସାତବର୍ଷ । ବାହାଘରର ଦୁଇବର୍ଷ ପରେ ବୈଭବ ଆସିଥିଲା ସେମାନଙ୍କ ସଂସାରକୁ ପୂର୍ଣ୍ଣ କରି । ସୁରେଶ ନିଜର କାମରେ ସବୁବେଳେ ବ୍ୟସ୍ତ ରହୁଥିଲା । ଫୋନ୍ କରିବା ବି କମି କମି ଶେଷରେ ବନ୍ଦ ହୋଇ ଯାଇଥିଲା । ଏବେ ଦିନେ ଏମିତି କଥାବାର୍ତ୍ତା ହେଉ ହେଉ ଅତସୀ କହିଥିଲା ପରେଶକୁ - " ବୁଝିଲ ! ସବୁ ଝିଅଙ୍କ ମନ ନିଜର ଶାଶୁଘରକୁ ଯିବାକୁ, ଆମ ବାହାଘର ର ସାତବର୍ଷ ପରେ ବି ମୋର ସେ ସୌଭାଗ୍ୟ ହେଲାନି, ମୋର ନିଜର ଘର ଅଛି, ନିଜର ସାନ ଦିଅର ଟିଏ ଅଛି, ଏ କଥା ଖାଲି ତମଠାରୁ ଶୁଣିଛି ହେଲେ ଆଜି ଯାଏ ଦେଖି ପାରିଲିନି, କାଲି ସକାଳେ ଆମ ପୁଅ ବଡ ହେବ, ସେ ଜାଣିବାକୁ ଦେଖିବାକୁ ଚାହିଁବ, ସେତେବେଳେ ତ ତମେ ନେବ ନା ନାହିଁ? ଏବେ ଥରେ ଯାଇ ଗାଁ ଆଡେ ବୁଲି ଆସିଲେ ହୁଅନ୍ତାନି? ମୋର ଭାରି ଇଚ୍ଛା ହେଉଛି ଥରଟେ ତମର ଜନ୍ମ ମାଟି ଆଉ ତମର ଭାଇ କୁ ଦେଖିବା ଲାଗି " । ନିଜ ପାଇଁ କେବେ କିଛି ମାଗିନଥିବା ପତ୍ନୀର ଅନୁରୋଧ ଟାଳି ପାରିନଥିଲା ପରେଶ । ପାଣ୍ଡବମାନଙ୍କ ଭଳି ବାର ବର୍ଷର ଅଜ୍ଞାତବାସ ପରେ ପତ୍ନୀ ଆଉ ପୁଅକୁ ସାଥିରେ ଧରି ଆସିଥିଲା ଗାଁକୁ ।

ବାରବର୍ଷ ପରେ ଗାଁ ମାଟି ଛୁଇଁବ, ନିଜର ପୁଅ ଭଳିଆ ପାଳି ପୋଷି ବଡ କରିଥିବା ଭାଇ ସାଥିରେ ଭେଟ ହେବ, ଏଇ ଖୁସିରେ ମତୁଆଲା ହୋଇ ଉଠିଥିଲା ସେ। ନିଜର ଗାଁଟି ତା'କୁ ଏବେ ଅଚିହ୍ନା ଲାଗୁଥିଲା, କେତେ ପରିବର୍ତ୍ତନ ହୋଇ ଯାଇଛି ସତେ? ଗାଁ ମୁଣ୍ଡରେ ସେଇ ବଡ ବରଗଛ ଟା ଆଉ ନାହିଁ, ସାହୁକାରର ଗୋଟିଏ ମାତ୍ର ପକ୍କା ଘର ଥିଲା ଏ ଗାଁରେ , ଆଜି ଶହ ଶହ ପକ୍କା ଘର ଗାଁରେ, ରାସ୍ତାଘାଟ ବିଜୁଳି ଆଲୁଅରେ ଝଲସୁଛି । ଗାଁର ଏଇ ପରିବର୍ତ୍ତିତ ରୂପ ଖୁବ୍ ଭଲ ଲାଗୁଥିଲା ପରେଶକୁ। ବୟସ୍କ ଲୋକମାନେ ପୁରା ନହେଲେ ବି ଦୋ ଦୋ ଚିହ୍ନା ଆଖିରେ ଚାହୁଁଥିଲେ ତାକୁ , ସେ ନମସ୍କାର ପକେଇ ହସି ହସି ଆଗେଇ ଯାଉଥିଲା ତାଙ୍କ ନିଜର ଘର ଆଡକୁ ।

ସାହିର ଏମୁଣ୍ଡରୁ ସେମୁଣ୍ଡ ଯାଏ ବୁଲିଗଲା ପରେଶ ହେଲେ ନିଜର ଘରଟିକୁ ଠଉରେଇ ପାରିଲାନି । ପୁଣି ଘେରାଉ ବୁଲି ଆସିଲା ସେ, କାହିଁ କେଉଁଠି ତାଙ୍କ ଘର ? ପଛରେ ଥିବା ଅତସୀ ହସି ହସି କହିଲା " ଦେଖ ! ସେବେ ଠାରୁ କହୁଛି ଗାଁକୁ ଯିବା, ବୁଲି ଆସିବା , ମୋ କଥା ଶୁଣିଲନି, ଏବେ ନିଜର ଘର ନିଜେ ଚିହ୍ନି ପାରୁନଟି "। କିଛି ସମୟ ଠିଆ ହୋଇ ଆଉଥରେ ଭଲକରି ଚାହିଁଲା ପରେଶ, ଦୁଇଟି ପକ୍କା ଘର ମଝିରେ ଥିବା ମାଟି ଗଦାଟି ଆଡକୁ ଆଗେଇ ଗଲା ସେ, ଅନତିଦୂରରେ ଥିବା ନିମ୍ବ ଗଛଟିକୁ ଚାହିଁଲା, ଗଛରେ ଗୋଲ କରି କଟା ହୋଇଥିବା ଚିହ୍ନ ଟିକୁ ଠିକ୍ ଚିହ୍ନିଲା ପରେଶ । ଦିନେ ସୁରେଶ କୁ କାଖରେ କାଖେଇ ବାଡି ପଟରେ ଜହ୍ନ ଦେଖାଉ ଥିଲା ବେଳେ ନିଜ ଅଜାଣତରେ ହାତରେ ଥିବା ପିଠାଖଡିକା ରେ ଖୋଳି ନିମ୍ବ ଗଛରେ ଏଇ ଜହ୍ନ ଆକାରର ଗୋଲାକାର ଆକୃତିଟି ତିଆରି କରିଥିଲା ସେ ନିଜେ । ହାତରେ ଧରିଥିବା ଆଟାଚି ଆଉ ବ୍ୟାଗ୍‌କୁ ସେଇଠି ମାଟି ଗଦା ଉପରେ ଥୋଇ ଦେଇ ଧାଇଁ ଯାଇ ନିମ୍ବ ଗଛଟିକୁ କୁଣ୍ଢେଇ ଧରି ଭୋ ଭୋ ରଡି ଛାଡି କାନ୍ଦି ଉଠିଲା ପରେଶ । ହତବାକ୍ ହୋଇ ଚାହିଁ ରହିଥିଲେ ଅତସୀ ଆଉ ବୈଭବ । ପରେଶର କାନ୍ଦ ଶୁଣି ଲୋକମାନେ ରୁଣ୍ଡ ହେବାକୁ ଲାଗିଥିଲେ । ଭିଡ ଭିତରେ କେହି ଜଣେ ଚିହ୍ନି ପାରିଲା ପରେଶକୁ । "ଆରେ ଇଏ ତ ଆମ ପରୁ" କହି ପାଖକୁ ଯାଇ ଧରି ପକାଇଲା ତା'କୁ।

ବୋଧ ଶୋଧ କରି ନେଇ ପାଖ ଘର ବାରଣ୍ଡାରେ ବସାଇ ପାଣି ପିଇବାକୁ ଦେଲା । ଆହୁରି ଜୋରରେ କାନ୍ଦୁଥାଏ ପରେଶ । ତା'ର ଆସିବା କଥାଟି ଗାଁ ଲୋକଙ୍କ ଭିତରେ ଖେଳି ଯାଇଥିଲା ସେତେବେଳକୁ । ତା'ର ଶୁଭାକାଂକ୍ଷୀ କେତେଜଣ ମଧ୍ୟ ଆସି ସାରିଥିଲେ ସେଠିକି । ସାହୁକାରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାହାରି ଆସି କହିଲା " ପରୁ ଭାଇ ! ତମେ ଦି ଭାଇ ତ ଗାଁ ଛାଡି ଏମିତି ଗଲ ଯେ ମୁହଁ ଫେରେଇ ଆଉଥରେ ଚାହିଁଲନି , ତମ ଭଙ୍ଗା ଦଦରା ଘର ଆଉକେତେ ସମ୍ଭାଳି ଥାଆନ୍ତା ଯେ ? ତମକୁ ଅପେକ୍ଷା କରି କରି ଶୋଇ ପଡିଲା ସେଇଠି । ଆମେ ତ ଭାବିଥିଲୁ ତମେ ଦୁଇଭାଇ ଆଉ ଏ ଗାଁକୁ ଫେରିବନି, ସିଆଡେ କୁଆଡେ ସବୁଦିନ ଲାଗି ରହିଯିବ ବୋଲି"। ପରେଶକୁ ପୂର୍ଣ୍ଣଚନ୍ଦ୍ରର କଥା କିଛି ଶୁଭୁ ନଥିଲା , ତା' କାନମୁଣ୍ଡା ଝାଇଁ ଝାଇଁ ହୋଇ ଆଖିରେ ଅନ୍ଧାର ଘୋଟି ଆସୁଥିଲା । ରହି ରହି ତା' କାନରେ ବାଜୁଥିଲା ସୁରେଶର କଥା ଗୁଡିକ " ଗାଁରେ ଘର ତିଆରି ଚାଲିଛି ଭାଇ, କୋଡିଏ ହଜାର ଟଙ୍କା ଦରକାର, ଗାଁ ଘର ନିମଟାଲ୍ ପଡୁଛି ଭାଇ ଟଙ୍କା ଦଶ ପନ୍ଦର ହଜାର ନିଅଣ୍ଟ ହେଉଛି, ଗାଁ ଘର ଛାତ ପଡିବ ଭାଇ ତିରିଶି ହଜାର ଟଙ୍କା ପଠାଇବ ଇତ୍ୟାଦି ଇତ୍ୟାଦି ...." । ସେ ଜଳକା ହୋଇ ଚାହିଁ ରହିଥିଲା ଅତସୀ ଆଉ ବୈଭବର ମୁହଁକୁ ।।


Rate this content
Log in

Similar oriya story from Inspirational