Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

3  

sushama Parija

Tragedy

କୋଇଲିଲୋ ଗଲାପୁତ୍ର

କୋଇଲିଲୋ ଗଲାପୁତ୍ର

15 mins
15.3K


ସଞ୍ଜ ଗଡି ରାତି ହେଲାଣି । ଧୀରେ ଧୀରେ ବାଦାମବାଡି ବସଷ୍ଟାଣ୍ଡରେ ଭିଡ କମିଗଲାଣି । ବସି ବସି ଅଣ୍ଟା କଟକଟ ଡାକିଲାଣି ବିଦିଆ ମା’ର । ସକାଳ ପହର ବିଦିଆ ତାକୁ ଏଇଠି ବସେଇ ଦେଇ ଯାଇଛି ଡାକ୍ତର ପାଖକୁ ଚାହିଁ ଚାହିଁ ଆଖିରୁ ପାଣି ମଲାଣି ବିଦିଆ ମା’ର । ଭୋକରେ ପେଟ କଁ କଁ ହେଲାଣି । ପାଖରେ ଥିବା ପାନ ଦୋକାନରୁ ଚାରିଥର ପାଣି ମାଗି ମାଗି ପିଇ ସାରିଲାଣି ସେ । ଆଉ ପାଣି ମାଗିବାକୁ ସାହାସ କୋଳାଉନାହିଁ । କାଳେ କ’ଣ ଭାବିବ ଦୋକାନୀଟା । ଅଣ୍ଟାରେ ହାତ ମାରିଲା । ଅଣ୍ଟା ଖାଲି । ଗାଁରୁ ଆସିଲା ବେଳେ ଚାରିଖଣ୍ଡ ପାନ ଭାଙ୍ଗି ଅଣ୍ଟାରେ ଖୋସି ଆସିଥିଲା । ସେଇଟା କେତେ ବେଳୁ ସରି ଗଲାଣି ଖିଆଲ ନାହିଁ ତାର । ଶୁଖିଲା ଓଠରେ ଜିଭଟାକୁ ବୁଲେଇ ଆଣିଲା ସେ । କଟକ ସହର ତା ପାଇଁ ସମ୍ପୂର୍ଣ୍ଣ ଅଜଣା ଜାଗା । ଏଇଠୁ ବସ୍ ଧରି ବିଦିଆ ସାଙ୍ଗରେ ସେ ଯାଇଥାନ୍ତା ଭୂବନେଶ୍ୱର । ବିଦିଆର ବସାଘରକୁ । କାଳି ଅନ୍ଧାରରୁ ଗାଁରୁ ବାହାରି ଥିଲେ ମା ପୁଅ । ପାଟିରେ ପାଣି ଟୋପାଏ ମଧ୍ୟ ଦେଇ ନଥିଲେ । ବାଦାମ ବାଡି ବସଷ୍ଟାଣ୍ଡରେ ପହଞ୍ଚିଲା ପରେ ବସରୁ ଓହ୍ଲାଇ ବିଦିଆ ତାକୁ ଏଇଠି ବସାଇ ଦେଇଥିଲା । ନିଜେ ଯାଇ ଚା ଆଉ ବିସ୍କୁଟ ଆଣି ତାକୁ ଖାଇବାକୁ ଦେଇଥିଲା । କହିଥିଲା “ବୋଉଲୋ ତୁ ଏଇଠି ବସିଥା କି ମୁଁ ଟିକେ ଡାକ୍ତରଙ୍କ ପାଖରୁ ଆସୁଛି । ଘରେ ରମାର ଦେହ ଖରାପ ଅଛି ତ ପଚାରିକି କିଛି ଔଷଧ ଦେଇ ଆସିବି । ତା ପରେ ଆମେ ଯିବା ଭୂବନେଶ୍ୱର ବସାକୁ ।

ସେଇ ଯେ ସକାଳ ପହରୁ ଯାଇଛି ଏତେବେଳ ଯାଏ ଦେଖା ଦର୍ଶନ ନାହିଁ । ରାତି ଯେତେ ଯେତେ ବଢୁଥାଏ ବିଦିଆ ମା’ର ସେତେ ଜୋରରେ ଥରି ଉଠୁଥାଏ । ନାନା ପ୍ରକାର ଅଜଣା ଆଶଙ୍କାରେ ତା ମା’ ମନ ବ୍ୟାକୁଳ ହୋଇ ଉଠୁଥାଏ । କ’ଣ କୋଉଠି ଅଘଟଣ ଘଟିଗଲା କି? ମା କୁତାମଚଣ୍ଡୀଙ୍କୁ ଦୁଇହାତ ଯୋଡି ପ୍ରାର୍ଥନା କଲା ବିଦିଆ ମା’ । “ମାଲୋ କୁତାମଚଣ୍ଡୀ, ତୁହି ସାହା ଭରଷା, ମୋର ଏକୋଇରବଳା ବିଶିକେଶନ, ତାକୁ ତୋ ଘଣ୍ଟ ପଣତ ଉହାଡ କରି ରଖ ମା” । ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଛି । ଗୁଣୁଗୁଣୁ ହୋଇ ପ୍ରାର୍ଥନା କରିଚାଲିଛି । ପାଖ ଲୋକେ ଆସି କେତେବେଳୁ ତା ପାଖରେ ରୁଣ୍ଡ ହେଲେଣି ସେ କଥା ତାକୁ ଜଣାନାହିଁ । ଦେଖଣାହାରୀ ଭିତରୁ କିଏ ଜଣେ ହଲେଇ ଦେଲେ ତାକୁ “ମାଉସୀ । ଏ ମାଉସୀ, କାହିଁକି କାନ୍ଦୁଛୁ କ’ଣ ହୋଇଛି କହ । ପାଖ ପାନ ଦୋକାନୀଟି ଉଠି ଆସିଲା ତା ପାଖକୁ, ପାଣି ଗିଲାସଟା ବଢେଇଦେଲା ତାକୁ । କହିଲା ମାଉସୀ ତୁ ତ ସକାଳ ପହରୁ ବସିଛୁ ଏଠି । ମୁଁ ଦେଖୁଛି । ତୋ ଘର କେଉଁଠି, କାହା ସାଙ୍ଗରେ ତୁ ଆସିଥିଲୁ ? ତତେ ଏଠି କିଏ ଛାଡି ଦେଇଗଲା ??? ସମସ୍ତଙ୍କ ମୁହଁରୁ ଏକା ପ୍ରଶ୍ନ ଶୁଣି ଭାଙ୍ଗି ପଡିଲା ବିଦିଆ ମା । କଇଁ କଇଁ ହୋଇ କାନ୍ଦି ଉଠିଲା । କହିଲା, ବାବୁମାନେ ମୁଁ ଝରି ବେଉଆ । ମୋ ପୁଅ ବିଦିଆ ସାଙ୍ଗରେ ଭୂବନେଶ୍ୱର ଯିବି ବୋଲି ଆସିଥିଲି । ସକାଳୁ ସକାଳୁ ବିଦିଆ ଡାକ୍ତର ପାଖକୁ ଯାଇଛି ଯେ ଏ ଯାଏ ଫେରିନାହିଁ । ତାରି କଥା ଭାବିଭାବି ମତେ କାନ୍ଦ ମାଡିଲାତ, ସେଇଥିପାଇଁ କାନ୍ଦୁଥିଲି । ଦେଖଣାହାରୀଏ ପରସ୍ପରକୁ ଚାହାଁ ଚାହିଁ ହେଲେ । ଆଖିରେ ଆଖିରେ କ’ଣ କଥା ହେଲେ କେଜାଣି ଧୀରେ ଧୀରେ ବାଟ କାଟି ଯିଏ ଯାହା ବାଟରେ ଚାଲିଗଲେ ।

ରାତି ବାରଟା ବାଜିଲାରୁ ପାଖ ପାନ ଦୋକାନି ଆସି ବିଦିଆ ମାକୁ ବିସ୍କୁଟ ପୁଡିଆଟିଏ ଆଉ ପାଣି ଗ୍ଲାସଟିଏ ବଢେଇ ଦେଲା । ବୁଢୀର ଦୁର୍ଦ୍ଦଶା ଦେଖି ବୋଧହୁଏ ତାର ମନ ତରଳି ଯାଉଥିଲା । ବୁଢୀକୁ ହାତ ମୁହଁ ଧୁଆଧୋଇ କରି ବିସ୍କୁଟ୍ ଦି ଖଣ୍ଡ ବାଧ୍ୟ କରି ଖୁଆଇ ଦେଲା । କହିଲା ଦେଖ ମାଉସୀ, ମୋର ଦୋକାନ ବନ୍ଦ କରିବାର ବେଳ ହେଲାଣି, ତୁ ଏଠି ଏକା ଏକା କେତେ ବସିବୁ । ଚାଲ ମୁଁ ତତେ ଏଇ ପାଖ ଅଫିସ ଘରେ ଛାଡି ଦେଇ ଯିବି । ଯଦି ତୋ ପୁଅ ଫେରିବ ସେଇ ଅଫିସରୁ ଯାଇ ତତେ ନେଇଯିବ ନଚେତ୍ କାଲି ସକାଳୁ ମୁଁ ଆସିଲେ ତତେ ଥାନାକୁ ନେଇଯିବି ସେଇଠି ତୋ ପୁଅ ବିଷୟରେ ସବୁ ବୁଝାବୁଝି କରିବା । ଅନନ୍ୟୋପାୟ ହୋଇ ବୁଢୀ ଉଠିଲା । ପାଖରେ ଥିବା ଗଣ୍ଠିଲିକୁ ଧରି ବସ ଷ୍ଟାଣ୍ଡର ଅଫିସ୍ ଘରେ ତାକୁ ଛାଡି ଦୋକାନୀ ଗଲା ତା ଘରକୁ । ରାତି ଯାକ ବୁଢୀ ଆଖିରେ ନିଦ ନାହିଁ, କ’ଣ ହେଲା ବିଦିଆର? କ’ଣ ପାଇଁ ବିଦିଆ ଏଯାଏଁ ଫେରିଲାନି?? କିଛି ଦୁର୍ଘଟଣା ଘଟିନିତ ବିଦିଆ ସହିତ??? କାନ୍ଦିକାନ୍ଦି ବିଦିଆ ମା’ର ଆଖି ଦିଟା ଗେଣ୍ଡା ପରି ଫୁଲିଗଲାଣି । କାହାକୁ କହିବ । ଏଠି ଏ ଅଜଣା ଜାଗାରେ ତାର ବା କିଏ ସାହା ହେବ । କେତେ ଦୁଃଖକଷ୍ଟ ସହି ସେ ବାପ ଛେଉଣ୍ଡ ବିଦିଆକୁ ତିନି ବର୍ଷରୁ ତିରିଶି ବର୍ଷର କରିଛି ସେ କଥା କେବଳ ସେହିଁ ଜାଣେ । ଢେଙ୍କାନାଳର ଦଦରା ଘାଟି ଗାଁର ବୈରାଗୀ ପ୍ରଧାନର ହାତ ଧରି ସେ ଆସିଥିଲା ନଅ ବର୍ଷ ବୟସରୁ । ବାରବର୍ଷ ଯାଏଁ ପିଲାଛୁଆ ହେଉ ନଥିଲା ବୋଲି ଗାଁ ଲୋକଙ୍କର କେତେ ଛି ଛାକର କେତେ ମୁହଁମୋଡା ସେ ନ ସହିଛି । ବାଞ୍ଝ ବୋଲି ଅପବାଦ ଦେଇ ଶାଶୁ ଗୋଇଠା ମାରି ଘରୁ ବାହାର କରିଦେଲେ । ବାରି ପଟ କବାଟ ବାଡେଇ ଯେତେ ଡାକିଲେ ବି ଦୁଆର ଖୋଲିଲେ ନାହିଁ । ତା ଗେରସ୍ତ ବୈରାଗୀ ଲୁଚି ଲୁଚି ଆସି ତା ହାତ ଧରି ଦେଇ ଯାଇଥିଲା ଗାଁ ମୁଣ୍ଡ ବୁଢୀ ଜାଗୁଳେଇଙ୍କ ଦେଉଳକୁ । ସାରାରାତି ସେଠି ସ୍ୱାମୀ ସ୍ତ୍ରୀ ଦୁହେଁ ଅଧିଆ ପଡିଥିଲେ । ସକାଳୁ ସକାଳୁ ଉଠିଲାବେଳକୁ ମୁଣ୍ଡ ବୁଲେଇ ତଳେ ପଡଇଗଲା ଝରି । ବୈରାଗୀ ତାକୁ ଟେକି ଟେକି ଘରକୁ ଆଣିଥିଲା । କାକୁତି ମିନତି କରି ତା ମା’କୁ କହିଥିଲା ଗାଁ ବଇଦଙ୍କୁ ଦେଖାଇବା ପାଇଁ ସେଇଦିନ ଗାଁ ବଇଦ ତାର ନାଡି ଦେଖି କହିଥିଲେ ସେ ମା’ ହେବାକୁ ଯାଉଛି । ଖୁସିରେ ଲୋଟି ପଡିଥିଲା ବୈରାଗୀ । ସ୍ଥାନ କାଳ ଭୁଲି ଝରିକୁ ବହେ ଗେଲ କରି ପକାଇଥିଲା । କୁଣ୍ଡାଇ ଧରି ନାଚି ଯାଇଥିଲା ଘର ଅଗଣା ସାରା । ଶାଶୁ ମଧ୍ୟ ଆନନ୍ଦରେ କୋଳେଇ ନେଇଥିଲେ ତାକୁ । ସ୍ନେହରେ ମୁଣ୍ଡ ଆଉଁସି ଦେଇ କହିଥିଲେ “ଏତେ ଦିନରେ ମା ବୁଢୀ ଜାଗୁଳେଇ ମୋ ଡାକ ଶୁଣିଛନ୍ତି । ମୋ ଶୂନ୍ୟ ଘରକୁ ପୂର୍ଣ୍ଣ କରିଛନ୍ତି । ଆଜିଠୁ ତୋର କିଛି ଘର କାମ କରିବା ଦରକାର ନାହିଁ ।

ତୁ ଖାଲି ଖାଇ ପିଇ ଆନନ୍ଦରେ ରହିବୁ । ମୋ ନାତିକୁ ମୋ କୋଳକୁ ଦେବୁ । ମୋ ବଂଶ ରକ୍ଷା କରିବୁ ।’’ ମୋ ସୁନାନାକୀ ବୋହୁ ମା’ ବୁଢୀ ଜାଗୁଳାଇ ତତେ ଘଣ୍ଟ ପଣତ ଉହାଡ କରି ରଖନ୍ତୁ । ଶାଶୁଙ୍କ ଆଖିରୁ ଧାର ଧାର ଲୁହ ବୋହି ଝରିର ମୁଣ୍ଡରେ ପଡୁଥିଲା । ତାକୁ ଲାଗୁଥିଲା ତାଙ୍କ ଆଶୀର୍ବାଦର ଧାରା ନିଗିଡି ପଡୁଛି ତା ମୁଣ୍ଡରେ ।

ସେହି ଦିନଠାରୁ ଶାଶୁ ତାକୁ ପାଣି ହାତ କରେଇ ଦିଅନ୍ତି ନାହିଁ । ମଝିରେ ମଝିରେ ଗାଁ ବଇଦଙ୍କୁ ପଚାରି ଚେର ମୂଳିକା ଔଷଧ ଆଣିଦିଅନ୍ତି । ନଥିଲା ଘରେ ବି ତାକୁ ସବୁ ଦିନ କ୍ଷୀର ଗ୍ଳାସଟିଏ ପିଇବାକୁ ଦିଅନ୍ତି । ବୈରାଗୀ ଖୁସି ହୁଅନ୍ତି ମନେ ମନେ । ଛଳେଇ କରି କହନ୍ତି “ହଇଲୋ ବୋଉ! ମୁଁ ତୋର ଏକୋଇରବଳା ବିଶିକେଶନ, ମୋ ପାଇଁ କ୍ଷୀର ଟୋପେ ନାଇଁ, ତା ବୋହୂକୁ ବଡ ଶରଧାରେ କ୍ଷୀର ଦେଉଛୁ ତ । ଆଲୋ କଷ୍ଟ କରି ମୁଁ ବାପା ହେଲି ଆଉ ତୋ ବୋହୁ ଶୂନ୍ୟଟାରେ ସବୁ ଆଦର ସୋହାଗ ପାଇଲା ।” ଲାଜରା ହସଟିଏ ହସି ଦେଇ ଝରି ଶାଶୁଙ୍କ କୋଳରେ ମୁହଁ ଲୁଚାଏ । ଗଭୀର ଆତ୍ମ ତୃପ୍ତିରେ ଶାଶୁ ଦୀର୍ଘଶ୍ୱାସ ନିଅନ୍ତି । ସୁରୁଖୁରୁରେ ସମୟ ଗଡିଚାଲିଥାଏ । ଦଶ ମାସ ଦଶଦିନ ପରେ ଝରି ଜନ୍ମ ଦେଲା ନାଲି ଗୁଲୁଗୁଲୁ ଡଉଲ ଡାଉଲ ପୁଅଟିଏ । ଖୁସିରେ ନାଚି ଉଠିଲେ ବୈରାଗୀ ଆଉ ଝରିର ଶାଶୁ । ଝରି ତା ପୁଅର ଚନ୍ଦ୍ରଉଦିଆ ମୁହଁଟିକୁ ଦେଖି ତା ଗର୍ଭ ଯନ୍ତ୍ରଣା ଭୁଲିଗଲା । ନଥିଲା ଘରେ ବି ପୁଅର ଏକୋଇଶାକୁ ଠିଆପାଲା କରି ଗାଁ ଗୋଟାକର ଲୋକଙ୍କ ଭୋଜି ଭାତରେ ଭସେଇ ଦେଇଥିଲେ ଝରିର ଶାଶୁ । ପୁଅଟିର ନାଁର ରଖିଲେ ବିଦ୍ୟାଧର । ବୈରାଗୀ ମଧ୍ୟ ଭାଗଚାଷ ବାଦରେ ମୂଲ ମଜୁରୀ କରିବା ଆରମ୍ଭ କରିଥିଲା ପୁଅର ଭବିଷ୍ୟତକୁ ଆଖିରେ ରଖି । ଧୀରେ ଧୀରେ ବଡ ହେଉଥିଲା ବିଦ୍ୟାଧର । ସବୁ ଠିକ୍ ଠାକ୍ ଚାଲିଥିଲା ବେଳେ ଦିନେ ଶାଶୁଙ୍କୁ ହେଲା ଜ୍ୱର । ତୁଟୁକା ତୁଟୁକି ଔଷଧ ଯେତେକଲେ ବି ଜର କମିବାର ନାଁ ଧରିଲା ନାହିଁ । ପାଞ୍ଚଦିନ ଜ୍ୱରରେ ପଡି ଶାଶୁ ବାଟ କାଟିଲେ ଆରପାରିକୁ । ଏକୁଟିଆ ହୋଇଗଲା ବୈରାଗୀ ତା ସଂସାରରେ । ତା ବୋଉକୁ ସେ ନିଜଠୁ ବେଶୀ ଭଲ ପାଉଥିଲା । ବୋଉ ପାଇଁ ତାର କାଠିଏ ବଳ ଥିଲା । ବୋଉ ଘର କଥା ବୁଝୁ ଥିଲା । ଝରି କଥା ବୁଝୁଥିଲା ବିଦ୍ୟାଧର ବି ଦାୟିତ୍ୱ ନେଉଥିଲା । ଝରିକୁ ଘରୁ ଗୋଡ କାଢିବାକୁ ଦେଉନଥିଲା ବୋଉ । ଚାଷ କାମରେ ବୈରାଗୀକୁ ଅଧା ସାହାଯ୍ୟ କରୁଥିଲା । ବିଲକୁ ତା ପାଇଁ ଖାଇବାକୁ ନେଇ ଯାଉଥିଲା । ବଳଦ ମୁହାଁଉ ଥିଲା । ଜାଳକୁଟା ସଂଗ୍ରହ କରି ରଖୁଥିଲା, ବୋଉ ବିନା ଯେମିତି ବୈରାଗୀ ବେସାହାରା ହୋଇଗଲା । ଦିନକୁ ଦିନ ଖର୍ଚ୍ଚ ଭାର ବଢି ଚାଲୁଥିଲା । ଆଉ ତା ସାଥିରେ ବୈରାଗୀର ମେହେନତ୍ ବି ।

ଦିନ ଗଡି ଚାଲୁଥିଲା ଦୁଃଖେ ସୁଖେ । ସେତିକି ସୁଖ ବି ଦଇବ ସହିଲା ନାହିଁ । ଦିନେ ବିଲରେ କାମ କରୁଥିବାବେଳେ ଅକାଳ ବଜ୍ରପାତରେ ପ୍ରାଣ ହରାଇଲା ବୈରାଗୀ । ଗାଁ ଲୋକେ ଧରାଧରି କରି ବୈରାଗୀର ଅସାଡ ଶରୀରକୁ ଘର ଅଗଣାରେ ଆଣି ଶୁଆଇ ଦେବା ବେଳକୁ ଚେତା ହରାଇ ଭୂଇଁରେ ପଡିଥିଲା ଝରି । ଚାରି ବର୍ଷର ବିଦ୍ୟାଧର ମା’ର ଗୋଡ ପାଖରେ ବସି ଭେଁ ଭେଁ ରଡି ଛାଡି କାନ୍ଦୁଥିଲା । ଗାଁ ସାହି ପଡିଶା ଲୋକେ ଯୋଗାଡ କରି ବୈରାଗୀର ଶବ ସତ୍କାର କରିଥିଲେ । ପଥର ପାଲଟି ଯାଇଥିଲା ଝରି ତା ଆଖିରୁ ଲୁହ ଝରୁ ନଥିଲା କି ପାଟିରୁ କଥା ବାହାରୁ ନଥିଲା । ଖାଲି ଜଳଜଳ କରି ସେ ସମସ୍ତଙ୍କୁ ଚାହିଁ ରହିଥିଲା । ଗାଁ ଲୋକେ ମିଶି ଶୁଦ୍ଧି କାମ ସାରିଥିଲେ । ଧୀରେ ଧୀରେ ଲୋକଙ୍କ ଆସିବା କମିଯାଇଥିଲା ଝରି ଘରକୁ । ପାଷାଣୀ ପ୍ରାୟ ହୋଇ ବସି ରହୁଥିଲା ଝରି,କିଏ ଦେଲେ ମୁଠାଏ ଖାଉଥିଲା ନହେଲେ ନାହିଁ । ଦୟାପରବଶ ହୋଇ କେହି କେହି ବିଦ୍ୟାଧରକୁ ଚୁଡା ମୁଢି ଦି’ଟା କି ପଖାଳ ଗଣ୍ଡାଏ ଦେଇ ଯାଉଥିଲେ । ମାସେ ଦିମାସ ଏମିତିରେ ବିତିଗଲା । ଦିନେ ବାହାରେ ଢୁ ଢୁ ବର୍ଷା ଗାଳୁଥାଏ । ଘର ଭିତରେ ବସି ରହିଥାନ୍ତି ବିଦ୍ୟାଧର ଆଉ ଝରି । ବର୍ଷାଟା ଯେ ସକାଳ ପହରୁ ଲାଗି ରହିଥାଏ ଦିନ ଦି’ ପହର ଯାଏ ଛାଡୁ ନଥାଏ । ସେଦିନ ଆଉ କେହି ବିଦ୍ୟାଧରକୁ ଖାଇବାକୁ ଦେବାକୁ ଆସିନଥାନ୍ତି । ଭୋକରେ ଆଉଟୁ ପାଉଟୁ ହୋଇ ସେ ବୋଉ ବୋଉ କହି କାନ୍ଦୁଥାଏ । ଝରି ତାର ବସିଥାଏ ସେମିତି ପଥର ପ୍ରତିମା ପ୍ରାୟ ହୋଇ । କାନ୍ଦି କାନ୍ଦି ବିଦ୍ୟାଧର ଆକ୍ତା ମାକ୍ତା ହୋଇ ଝରିକୁ ଧରି ବସାଇ ଦେଲା ଜୋର୍ କରି । ଘଡଘଡିଟାଏ ମାରି ଦେବାରୁ ପ୍ରଚଣ୍ଡ ଶବ୍ଦ କରି କାନଟା ଯେମିତି ଫାଟି ପଡିଲା ଝରିର । ବିଦ୍ୟାଧର ସେତେବେଳକୁ ଭୟରେ ମୂର୍ଚ୍ଛା ହୋଇଯାଇଥାଏ । ତାକୁ ଚାହିଁ ଦେଇ ଚେତନା ଫେରି ଆସିଲା ଝରିର । ଇଲୋ ମୋ ପୁଅଲୋ କହି ପ୍ରାଣ ବିକଳରେ କୋଳକୁ ଉଠାଇ ଆଣିଲା ତାକୁ । ଆଞ୍ଜୁଳା ଆଞ୍ଜୁଳା ବର୍ଷା ପାଣି ଆଣି ମୁହଁରେ ଛାଟି ଆଶ୍ୱସ୍ତ କଲା ତାକୁ । ଧୀରେ ଧୀରେ ଆଖି ଖୋଲିଲା ବିଦ୍ୟାଧର । ବୋଉ ଭୋକ ଭୋକ କହି କାନ୍ଦି ଉଠିଲା । ନିଜ ଭିତରେ ଚେତନା ପାଇଲା ଝରି । ଘର ଭିତରକୁ ଦୌଡିଗଲା କେଉଁଠି କ’ଣ ଅଛି ବୋଲି ଖୋଜିବାକୁ । ପୁଅ ମୁହଁରେ କ’ଣ ମୁଠାଏ ଦେବ, ପେଡି ପୁଟୁଳା ହାଣ୍ଡି ଆଟିକା ସବୁ ଖାଲି । କ’ଣ କରିବ ବୁଦ୍ଧି ବାଟ ଦେଖାଗଲା ନାହିଁ ତାକୁ । ଢିଙ୍କି ଶାଳରେ ଶାଶୁ ଗୋଟାଏ ଘଡିରେ ଖୁଦ ରଖନ୍ତି ପକ୍ଷୀଙ୍କୁ ଦେବା ପାଇଁ ସେଇ କଥାଟି ମନେ ପଡିଗଲା ତାର । ଧାଇଁଯାଇ ସେଇ ଘଡିଟିକୁ ଶିକାରୁ ଓହ୍ଲାଇ ଆଣିଲା ଝରି । ଖୁଦତକ ଜାଉ କରି ବିଦ୍ୟାଧରକୁ ଦେଲା ଖାଇବାକୁ । ଖାଇପିଇ ବିଦ୍ୟାଧର ଟିକେ ସାଷ୍ଟମ ହେଲାରୁ ଝରି ଲାଗିଗଲା ତା କାମରେ । ଘରଦ୍ୱାର ସବୁ ସଫା କଲା । ଅସଜଡା ଜିନିଷ ସବୁ ସାଇତି ରଖିଲା । ବର୍ଷା ଛାଡିଲାରୁ ପଡିଶା ଘର ସାରିଆ ଖୁଡିଙ୍କୁ ଯାଇ ଗୁହାରୀ କଲା ଝରି । ଖୁଡି, ତମ ପୁଅ ତ ଚାଲିଗଲେ ମତେ ଆଉ ବିଦିଆକୁ ଏକା କରି । ମୁଁ ମାଇପି ଲୋକ କେମିତି କ’ଣ କରିବି, କେମିତି ଏ ବିଦିଆକୁ ବଞ୍ଚାଇ ରଖିବି, କେମିତି ତାକୁ ମଣିଷ କରିବି ତମେମାନେ ବିଚାର କରିବ । ମୋର ତ ଆଉ ମା’ କୂଳେ ମଉଳା କି ବାପକୂଳେ ଖୁଡୁତା ନାହାଁନ୍ତି । କାହାକୁ କ’ଣ କହିବି । ତମେ ଏକା ମୋର ସାହା ଭରଷା, ତମେ ହିଁ ଆଶ୍ରା । ତମେ ଦାଦାଙ୍କୁ କହି ମୋର କିଛି ଗୋଟାଏ ବ୍ୟବସ୍ଥା କର । ମୁଁ ମଲାଯାଏ ତମର ଚାକରାଣୀ ହୋଇ ରହିବି । ସବୁ କାମଧନ୍ଦା କରିବିା କଇଁ କଇଁ ହୋଇ କାନ୍ଦି ସାରିଆ ଖୁଡିଙ୍କ ପାଦ ତଳେ ଲୋଟିଗଲା ଝରି ।

ସାରିଆ ଖୁଡିଙ୍କ ସ୍ୱାମୀ ଭଗିଆ ଦାଦା ଗାଁରେ ଜଣେ ଥିବା ବାଲା ଲୋକ । ହଳ ବଳଦ ସାଙ୍ଗକୁ ଚାରିବାଟି ଚାଷ ଜମି । ମୂଲିଆ ପାନିଆ ସବୁବେଳେ ଲାଗିଥାନ୍ତି । ସେଇଠି ଆଶ୍ରୟ ନେଲା ଝରି । ସାରିଆ ଖୁଡିଙ୍କ ହାତ ବାରିସି ହୋଇ ସକଳ କାମ କଲା । ବିଦିଆ ମଧ୍ୟ ତାଙ୍କ ପିଲାଙ୍କ ସାଙ୍ଗରେ ରହିଲା । ଭଗିଆ ଦାଦାଙ୍କ ପିଲାମାନଙ୍କ ସାଥୀରେ ସ୍କୁଲରେ ନାଁ ଲେଖାହେଲା ବିଦିଆର । ନୀଳ ସାର୍ଟ ଆଉ ମାଟିଆ ପ୍ୟାଣ୍ଟ ପିନ୍ଧା ବିଦିଆର ସ୍କୁଲ ଯିବା ଦେଖି ଛାତିଟା କୁଣ୍ଢେମୋଟ ହେଇ ଯାଉଥିଲା ଝରିର । ହାତଯୋଡି ସେ ମା’ ବୁଢୀ ଜାଗୁଳେଇଙ୍କୁ ପ୍ରାର୍ଥନା କରୁଥିଲା । ମା’ ଦାଦା ଖୁଡିଙ୍କର କୂଳ ଉଜ୍ଜ୍ୱଳ ହେଉ । ମୋ ବିଦିଆକୁ ସେମାନେ ପାଳିପୋଷି ମଣିଷଟିଏ କରୁଛନ୍ତି । ତାଙ୍କୁ କୋଟି ପରମାୟୁ ଦେ ମା’ । ତାଙ୍କ ପିଲାଙ୍କୁ ବଡ ମଣିଷ କର । ଭଲ ମଣିଷ କର । ଖୁଡିଙ୍କଘର କାମ ସବୁ ଆହୁରି ମନ ଲଗାଇ କରୁଥିଲା ସେ ।

ଏଇ ଭିତରେ ସେ ଝରିରୁ ବିଦିଆ ମା’ ହେଇଯାଇଥିଲା । ତା କଳା ବାଳ ଧଳା ହେବାକୁ ଲାଗିଥିଲା । ବିଦିଆ ଯେଉଁ ଦିନ ମାଟ୍ରିକ୍ ପାଶ୍ କଲା ସେକେଣ୍ଡ ଡିଭିଜନରେ, ଭଗିଆ ଦାଦା ଚାରିଟା ଲଡୁ ଆଣି ଦେଇଥିଲେ ତାକୁ । ହସି ହସି କହିଥିଲେ “ବୁଝିଲ ନା ବିଦିଆ ମା’ ତମ ପୁଅ ମାଟ୍ରିକ୍ ପାଶ୍ କରିଛି । ଏବେ ସେ ସହରକୁ ଯିବ କଲେଜରେ ପଢିବ । ତମ ପୁଅ ଚାକିରୀ କରିବାକୁ ହେବ । ତମ ଦୁଃଖ ଗଲା ଜାଣ’’। ଝରିର ତ ଆଖିରୁ ଧାର ଧାର ଲୁହ ବୋହି ଯାଇଥିଲା । ଦାଦାଙ୍କ ପାଦ ଧରି ସେ ମୁଣ୍ଡିଆ ମାରିଥିଲା । କହିଥିଲା ଦାଦା ଆପଣ ନଥିଲେ ଆମ ମା’ ପୁଅଙ୍କର କି ଅବସ୍ଥା ହୋଇଥାନ୍ତା ଖୁଡୀ ଆଉ ଆପଣ ଆମର ଭଗବାନ୍, ଯାହା କରିବା କଥା କରନ୍ତୁ । ଆମେ ମା ପୁଅ ଦି ଜଣ ଚିରଦିନ ଆପଣଙ୍କ ୠଣୀ ହୋଇ ରହିବୁ । ଦାଦାଙ୍କ ସାହାଯ୍ୟ ନେଇ ବିଦିଆ ଭୁବନେଶ୍ୱର ଗଲା କଲେଜରେ ପଢିବାକୁ । ପାଠ ପଢା ସାରି ଯେଉଁଦିନ ସଚିବାଳୟର ଚାକିରୀଟିଏ ପାଇଲା, ବିଦିଆ ମା’ ଖୁସିରେ ପାଗଳ ହୋଇଯାଇଥିଲା । ସାରିଆ ଖୁଡି ଆଉ ଭଗିଆ ଦାଦାଙ୍କୁ ବାରମ୍ବାର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରିଥିଲା । ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲା ବିଦିଆକୁ ମଣିଷଟିଏ କରିଦେଇଥିବାରୁ । ହସି ହସି ଖୁଡୀ କହିଥିଲେ “ଆଲୋ ବିଦିଆ ମା’ ଜାଗୁଳେଇ ତୋ ଡାକ ଶୁଣିଛନ୍ତି । ତୁ ତ ଏତେ ବର୍ଷ ହେଲା ଆମଘର ଖଟି ଖଟି ଆସି ବୁଢୀ ହେଲୁଣି । ଏଣିକି ତୋ ପୁଅ ରୋଜଗାର କରିବ । ତତେ ନେଇ ଭୂବନେଶ୍ୱରରେ ଦେଖିବ ଯେତିକି ଦୁଃଖକଷ୍ଟ ତା ପାଇଁ କରିଛୁ ସେତିକି ସୁଖ ଦେଇ ସେ ତୋ ୠଣ ଶୁଝିବ । ତୁ ଧନ୍ୟ ହୋଇଯିବୁ” ବିଦିଆ ମା’ ମା କାନରେ କିଛି ପଶୁ ନଥିଲା । ସେ ଖାଲି ଭାବୁଥିଲା ସୁନାନାକୀ ବୋହୁଟିଏ ଆଣି ବିଦିଆର ବାହାଘର କରିଦେବ । ସେ ତାର ସଂସାର ନେଇ ତା କାମ ଜାଗାରେ ରହିବ । ଏଠିତ ଖୁଡିଙ୍କ ଦୟାରୁ ସେ ଭଲରେ ଅଛି । ଶାଗ ପଖାଳ ଯାହା ଦି’ଟା ଖାଇ ତା ଜୀବନ କଟିଯାଉଛି । ବିଦିଆ ଚାକିରୀ କଲେ ତା ବାପାର ସେ ଭଙ୍ଗା ଘରଟାକୁ ସଜାଡି ଦେବନି କି? ସେଇଠି ସେ ବିଦିଆର ବାହାଘର କରିବ । କୁନିକୁନି ନାତି ନାତୁଣୀ ଖେଳିବେ ତା ଘର ଅଗଣାରେ । ତା କୋଳ ପୁଣି ଥରେ ପୂର୍ଣ୍ଣ ହେବ । ତା ଶାଶୁଙ୍କ ଭଳି ସେ ବି ଖୁସିରେ ରଖିବ ତା ବୋହୁକୁ । ଚାକିରୀ ପାଇବାର ପ୍ରଥମ ମାସରେ ଆସିଥିଲା ବିଦିଆ । ଗାଁରେ ସମସ୍ତଙ୍କୁ ଗୋଟି ଗୋଟି ପାଦ ଛୁଇଁ ପ୍ରଣାମ କରିଥିଲା । ଭଗିଆ ଦାଦା, ସାରିଆ ଖୁଡୀଙ୍କ ପାଇଁ ଲୁଗାପଟା ମିଠେଇ ସବୁ ଆଣିଥିଲା । ତା ପାଇଁ ଆଣିଥିବା କୁମ୍ଭପକା ସମ୍ବଲପୁରୀ ଶାଢୀଟା ତା ବେକରେ ଗୁଡେଇ ତାକୁ କାଖେଇ ଟେକି ଧରି ନାଚି ଯାଇଥିଲା ଘେରାଏ । ଟୋପା ଟୋପା ଆନନ୍ଦାଶ୍ରୁ ଝରି ପଡିଥିଲା ଝରି ଆଖିରୁ । ମନେ ମନେ ଭାବୁଥିଲା ହତଭାଗାଟା, ତୋର ଏ ସୁଖ ଦେଖିବାକୁ ତୋ ବାପା କି ଜେଜେମା କେହି ହେଲେ ଥାଆନ୍ତେ, ମା’ ବୁଢୀଜାଗୁଳାଇଙ୍କ ପାଖରେ ହାଣ୍ଡିଏ ପଣା ଢାଳିଥିଲା ଝରି । ଦି’ ଦିନ ଗାଁରେ ରହି ଫେରି ଯାଇଥିଲା ବିଦିଆ । କିନ୍ତୁ ଭରି ଦେଇ ଯାଇଥିଲା ଅସୁମାରୀ ସ୍ୱପ୍ନ ଝରି ଆଖିରେ । ଭଙ୍ଗା ଚାଳ ଛପର ଘର କୋଠା ହେବ, ଝରି ଦାଦା ଖୁଡି ଘର କାମ ଛାଡିବ, ବିଦିଆର ବାହାଘର ହୋଇ ସୁନାନାକୀ ବୋହୁ ଆସିବ, କୁନି କୁନି ନାତି ନାତୁଣୀଙ୍କ ଗହଳ ଚହଳରେ ଘର ଅଗଣା ଦୁଲୁକି ଉଠିବ ଇତ୍ୟାଦି ଇତ୍ୟାଦି । ସେଇ ସବୁ ସ୍ୱପ୍ନମାନେ ଅନବରତ ଅନୁରଣିତ ହେଉଥିଲେ ଝରି କାନରେ । ତାକୁ ଆଉ ଅଣ୍ଟା କି ଆଣ୍ଠୁର କଷ୍ଟ ଜଣା ପଡୁ ନଥିଲା । ପାଦ ଦି’ଟା ଚଳ ଚଞ୍ଚଳ ହୋଇ ଉଠୁଥିଲେ । ସବୁବେଳେ ମୁହଁରେ ହସଧାରେ ଲାଗି ରହୁଥିଲା ।

ଏବେ ସବୁ ମାସରେ ବିଦିଆ ଆସୁନଥିଲା । ଦାଦାଙ୍କ ଘର ଫୋନରେ ମଝିରେ ମଝିରେ ଝରି ସାଙ୍ଗେ କଥା ହୋଇ ଭଲ ମନ୍ଦ ବୁଝୁଥିଲା । କେବେ କେମିତି ଆସି ଟଙ୍କା କିଛି ଦେଇ ଯାଉଥିଲା ଝରିକୁ । ପଚାରିଲେ ଉତ୍ତର ଦେଉଥିଲା କାମ ବହୁତ ପଡୁଛି ଲୋ ବୋଉ । ଆସି ହେଉନି । ଧୀରେ ଧୀରେ ଆସିବାର ବ୍ୟବଧାନ ବଢିବାକୁ ଲାଗିଲା । ୟା ଭିତରେ ଦାଦା ଖୁଡି ଦିହେଁ ସ୍ୱର୍ଗବାସୀ ହୋଇ ସାରିଥିଲେ । ତାଙ୍କ ପୁଅମାନେ ଆଉ ଚାଷ ବାସ ନକରି ନିଜ ନିଜର ବ୍ୟବସାୟରେ ଲାଗି ସାରିଥିଲେ । ଝରି ମଧ୍ୟ ବୁଢୀ ହୋଇ ଯାଇଥିବାରୁ ଆଉ ବୋହୁ ମାନଙ୍କ ଚାହିଦା ମୁତାବକ କାମ କରିପାରୁନଥିଲା । ତେଣୁ ସେମାନେ ଅଲଗା ଅଲଗା ଲୋକ ସବୁ ରଖି ସାରିଥିଲେ । ଖାଲି ପୁରୁଣା ସେବକ ବୋଲି ଭାବି ସେମାନେ ତାକୁ ଦି ମୁଠା ଖାଇବାକୁ ଦେଇ ରଖିଥିଲେ ଜାଣ ।

ସେଦିନ ଗାଁର ଧନି ସାହୁ କ’ଣ କାମରେ ଯାଇଥିଲା ଭୂବନେଶ୍ୱର । ସେଠୁ ଫେରି ଝରିକୁ କହିଲା, “ଜାଣିଲୁ ଝରି ନାନୀ, ତୋ ପୁଅଟା ତୋ ହାତରୁ ଗଲା ଜାଣ । ଆଜି ମୁଁ ତାକୁ ମଟର ସାଇକଲରେ ଜଣେ ସ୍ତ୍ରୀ ଲୋକକୁ ପଛରେ ବସାଇ ନେଉଥିବାର ଦେଖିଲି । ତାଙ୍କ କଥାବାର୍ତ୍ତା ରଙ୍ଗ ଢଙ୍ଗ ମତେ ଠିକ୍ ଲାଗିଲା ନାହିଁ । ତୁ ତାକୁ କେତେ କଷ୍ଟରେ ମଣିଷ କରିଛୁ ତା ଆମେ ଗାଁ ବାଲା ସବୁ ଦେଖିଛୁ ଜାଣିଛୁ । ତୁ ଏବେ ବେଳ ଥାଉଁ ଥାଉଁ ତାକୁ ଆକଟ କର, ନହେଲେ ସେ ତିନି ପାଞ୍ଜିରୁ ଯିବ । ଛାତିରେ ଖଟକା ଲାଗିଲା ଝରିର । ସେଦିନ ନଖାଇ ନିପିଇ ଉପାସରେ ରାତିଟା କଟାଇ ଦେଲା । ପରଦିନ ଦାଦାଙ୍କ ଘରକୁ ଯାଇ ତାଙ୍କ ବଡବୋହୂକୁ କହିଲା ଫୋନ୍ କରି ବିଦିଆକୁ କହିବା ପାଇଁ ଯେ ତା’ ମା’ର ଦେହ ଖରାପ ଅଛି । ସେ ଗାଁକୁ ଆସୁ ଯଥାଶୀଘ୍ର ତାକୁ ଦେଖାକରୁ । ଫୋନ୍ ପାଇବାର ଚାରିଦିନ ପରେ ବିଦିଆ ଆସିଲା । ସାଙ୍ଗରେ ଆଣିଥିବା ସେଓ, କମଳା, ଅଙ୍ଗୁର ସବୁ ବୋଉ ପାଖରେ ଧୋଇ ବହେ ଘଷି ଆଉଁଷି ପକେଇଲା । ଝରିକୁ ଲାଗିଲା ଧନି ସାହୁର କଥା ସବୁ ମିଛ, କପୋଳ କଳ୍ପିତ । ତା ବିଦିଆ ଗୋଟାପଣେ ତା’ର ହୋଇଅଛି । ଏଇ ହିଂସୁକୁଟିଆ ଗାଁ ଲୋକେ ବିଦିଆର ସୁଖ ସହି ପାରୁ ନାହାଁନ୍ତି ତ, ସେଇଥି ପାଇଁ ୟାଡୁ ସାଡୁ କହୁଛନ୍ତି । ଆଖିରୁ ଲୁହ ପୋଛି ଉଠି ପଡି କହିଲା, “ବାପାରେ ବୁଢୀ ହୋଇ ଗଲିଣିତ, ଟିକିଏ ଥଣ୍ଡା ଜର ହୋଇଥିଲା, ଏବେ ତତେ ଦେଖି ଦେଲି ମୋର ସବୁ ରୋଗ ଭଲ ହୋଇଯିବ । ତୁ ସେତେବେଳୁ ଆସିଲୁଣି, ରହ ମୁଁ କ’ଣ ଦି ମୁଠା ଫୁଟେଇ ଦିଏ । ଖାଇକି ଶୋଇପଡ, ଥକି ଯାଇଥିବୁ । ରାତିରେ ଖାଇପିଇ ମା ପୁଅ ଶୋଇଲା ବେଳେ ବିଦିଆ କହିଲା, ବୋଉଲୋ ଗୋଟାଏ କଥା ତତେ କହିବି କହିବି ବୋଲି ଭାବୁଛି ହେଲେ ତୁ କାଳେ ରାଗିବୁ ସେଇଥି ପାଇଁ କହି ପାରୁନି । ଶ୍ରଦ୍ଧାରେ ପୁଅର ମୁଣ୍ଡ ଆଉଁସି ଦେଲ ଝରି କହିଲା “ତୁ ମୋର ଏକୋଇରବଳା ବିଶିକେଶନ ତୋ ଛଡା ଏ ଦୁନିଆଁରେ ମୋର ଆଉ କିଏ ଅଛି କିରେ । ମୁଁ ତୋ ଉପରେ କେବେ କ’ଣ ରାଗିଛି ନା ରାଗିବି କ’ଣ କହିବୁ କହୁନୁ” । ଦୀର୍ଘଶ୍ୱାସଟାଏ ପକେଇଲା ବିଦିଆ । ଛେପ ଢୋକି ଅତି ସନ୍ତର୍ପଣରେ କହିଲା ବୋଉ ତୁ ଆଗ ମୋ ମୁଣ୍ଡ ଛୁଇଁ କହ ଯାହା ମୁଁ କହିବି ତୁ ମାନିବୁ । ତେବେ ଯାଇ କହିବି । ଝରିର ହାତକୁ ନିଜ ମୁଣ୍ଡ ଉପରେ ରଖିଲା ବିଦ୍ୟାଧର । ତା ମୁଣ୍ଡକୁ ଆଉଁସି ଦେଲା ଝରି । କହିଲା ମୋ ବାପା, ‘ମୋ ଧନ, ତୋ ଛଡା ମୋର ଆଉ କିଏ ଅଛି? ତୁ ମୋର ଗତି, ତୁ ମୋର ମୁକ୍ତି । ମୋ ସୁନା ବାପାଟା ପରା କ’ଣ କହିବୁ କହ’’ । ବିଦିଆ କହିଲା, ବୋଉ ମୋ ଅଫିସରେ ରମା ବୋଲି ଝିଅଟିଏ କାମ କରେ । ତାର ମୋର ବନ୍ଧୁତାରୁ ସମ୍ପର୍କ ଆରମ୍ଭ ହେଲା । ଏବେ ତାର ଘରଲୋକେ ତା ବାହାଘର ଅନ୍ୟ ଜଣଙ୍କ ସାଙ୍ଗରେ ସ୍ଥିର କରି ଦେଲେ । ମୁଁ ତାକୁ ବହୁତ ଭଲପାଏ ବୋଉ । ତାକୁ ଛାଡି ମୁଁ ବଞ୍ଚିପାରିବିନି । ତେଣୁ ମୁଁ ତାକୁ କୋର୍ଟ ମ୍ୟାରେଜ୍ କରିଛି । ରାମମନ୍ଦିରରେ ଆମେ ପରସ୍ପର ମାଳା ବଦଳ କରି ବାହା ହୋଇଛୁ । ମୁଁ ତାକୁ ମଥାରେ ସିନ୍ଦୁର ଦେଇ ମୋ ସ୍ତ୍ରୀ ଭାବରେ ଗ୍ରହଣ କରିଛି । ତୁ କ’ଣ ତାକୁ ତୋ ବୋହୁ ଭାବରେ ଗ୍ରହଣ କରିବୁନି ବୋଉ? ପିଲାଟି ବେଳରୁ ଯାହା ଯେତେ ବେଳେ ମାଗିଛି ତୁ ମତେ ଦେଇଛୁ । ଏଇ ଛୋଟ ଜିନିଷଟି ତୁ ମତେ ଦେଇ ପାରିବୁନି? ତୋ ପୁଅର ପସନ୍ଦକୁ ତୁ ବୋହୁ ବୋଲି ମାନିବୁନି ବୋଉ? ମୁଁ ଆଜି ଆସିଛି ତତେ ସାଥୀରେ ନେଇଯିବା ପାଇଁ । ପିଲାଟି ଦିନରୁ ବାପାଙ୍କୁ ହରାଇଛି । ତତେ ଆଉ ଏ ବୁଢୀ ବୟସରେ ପରଘରେ କାମ କରିବାକୁ ଦେବି ନାହିଁ । ତୁ ମୋରି ପାଖରେ ଆମ ସାଥୀରେ ରହିବୁ । ଦୁନିଆଁର ସବୁ ସୁଖ ମୁଁ ଦେବି ତତେ । ଜୀବନରେ ବହୁତ କଷ୍ଟ ସହିଲୁଣି । ଆଉ ନୁହେଁ । ତୁ କାଲି ସକାଳୁ ମୋ ସହିତ ଭୁବନେଶ୍ୱର ଚାଲ । ଆମେ ସେଇଠି ସୁଖରେ ରହିବା । ଝରିର କାନମୁଣ୍ଡା ଝାଇଁ ଝାଇଁ ହୋଇ ଯାଉଥିଲା । ତା ପାଦତଳୁ ମାଟି ଖସି ଯାଉଥିଲା । ସେ ଦେଖିଥିବା ସ୍ୱପ୍ନସବୁ ତାସ୍ ଘର ପରି ଭୁଷୁଡି ପଡୁଥିଲା । କୋହ ସବୁ ତଣ୍ଟି ପାଖରେ ଜମାଟ ବାନ୍ଧି ତାକୁ କଥା କୁହାଇ ଦେଇନଥିଲେ । କିଛି ସମୟ ସେମିତି ବିତିଗଲା । ନିଜକୁ ଟାଣ କଲା ଝରି । କୋହ ସବୁକୁ ନୀଳକଣ୍ଠ ହୋଇ ପିଇଗଲା । ଛେପ ଢୋକି ଉତ୍ତର ଦେଲା ବିଦିଆକୁ “ପୁଅରେ ତୋର ଯେଉଁଥିରେ ଖୁସି, ମୋର ବି ସେଥିରେ ଖୁସି । ତୁ ଯଦି ରମାକୁ ବାହା ହୋଇ ଖୁସି ହୋଇଛୁ, ମୁଁ ରାଗିବି କାହିଁକି? ମୋ ଜୀବନ ତ ଆସି ଶେଷ ହେବାକୁ ବସିଲାଣି । ତୁ ମତେ ଯେଉଁଠି ରଖିବୁ, ଯେମିତି ରଖିବୁ, ମୁଁ ସେଇଠି ସେମିତି ରହିବି । ତୋର ସୁଖରେ ମୁଁ ସୁଖୀ । ମୁଁ ନାହିଁ କଲେ ତୁ ଦୁଃଖ କରିବୁ । ତୋର ଦୁଃଖ ଦେଖି କ’ଣ ମୁଁ ବଞ୍ଚିରହି ପାରିବି? ତେବେ ତତେ ବାଧା ଦେବି କାହିଁକି? ଠିକ୍ ଅଛି, ଯଦି ତୁ କହୁଛୁ ଏଠି ନରହି ମୁଁ ତୋ ପାଖରେ ରହିଲେ ତୁ ଖୁସି ହେବୁ ତେବେ ମୁଁ ନିଶ୍ଚୟ ତୋ ସାଥୀରେ ଯିବି । ଅବଶ୍ୟ ଏତେ ଦିନର ସମ୍ପର୍କ ତୁଟେଇ ଗାଁ ଛାଡି ଯିବା ପାଇଁ ମତେ କଷ୍ଟ ହେବ, ତଥାପି ତୋ ସୁଖ ପାଇଁ ମୁଁ ସବୁ କରି ପାରିବି । ରହ କାଲି ସକାଳ ହେଉ ମୁଁ ଭଗିଆ ଦାଦାଙ୍କ ଘରେ ଦିପଦ କଥା ହୋଇ ତାଙ୍କ ମାନଙ୍କ ଘରୁ ମେଲାଣି ନେଇ ଆସିବି । ତାପରେ ଆମେ ଯିବା । ତାକୁ ଜାକି ଧରି ଗେଲ କରି ପକାଇଲା ବିଦିଆ । କହିଲା “ମୋ ବୋଉ ପରି ଏ ସଂସାରରେ କେହି ନାହିଁ । ତୁ ସବୁଠୁ ଭଲ ବୋଉ । ହଁ, ମୁଁ ଭଗିଆ ଦାଦାଙ୍କ ବଡପୁଅ ରବି ଭାଇଙ୍କ ସାଥୀରେ କଥା ହୋଇ ଯାଇଛି । ମୋ ବୋଉ ଆଉ କାହା ଘରେ କାମ କରିବନି । ସେ ମୋ ସାଥୀରେ ଭୂବନେଶ୍ୱର ଯିବ । ସେଠି ରହିବ ମୋ ପାଖରେ । ବହୁତ କଷ୍ଟ କଲା ଜୀବନରେ ଆଉ ନୁହେଁ । ତୁ କିଛି ଚିନ୍ତା କରନା । କାଲି ସକାଳୁ ଉଠି ପ୍ରଥମ ବସ ଧରି ଆମେ ବାହାରିଯିବା । କଟକ ବାଦାମବାଡିରେ ଓହ୍ଲାଇ ଚା ଜଳଖିଆ ଖାଇ ସେଇଠୁ ଯିବା ଭୂବନେଶ୍ୱର । କଟକରୁ ଭୂବନେଶ୍ୱର ଜମା ଗୋଟାଏ ଘଣ୍ଟାର ରାସ୍ତା । ଏଇ ଚାହୁଁ ଚାହୁଁ ପହଞ୍ଚିଯିବା । ତୁ ଖାଲି ତୋ ପିନ୍ଧାଲୁଗା ଦି ଖଣ୍ଡ ବ୍ୟାଗରେ ପୁରେଇଥା, ଆଉ କିଛି ଦରକାର ନାହିଁ ।

ସେଇଆ ହେଲା କାଳୀ ଅନ୍ଧାରୁ ଉଠି ବସ୍ ଧରିଥିଲେ ସେମାନେ । କଟକ ବାଦାମବାଡି ବସଷ୍ଟାଣ୍ଡରେ ଓହ୍ଲାଇ ଚା ବିସ୍କୁଟ ଦିଖଣ୍ଡ ଖାଇଥିଲେ । ତା ପରେ ତ ବିଦିଆ ଯାଇଛି ଯେ ଯାଇଛି ଏ ଯାଏଁ ଫେରିବାକୁ ନାହିଁ । ଜୀବନରେ କେବେ ଗାଁରୁ ପଦାକୁ ଗୋଡ କାଢି ନଥିବା ଝରି ପାଇଁ ସବୁ ସହର ଅଜଣା ଅଚିହ୍ନା । ନୂଆ ଜାଗାରେ ସିଏ କରିବ ବା କ’ଣ? ନାଁ ନିଜ ଗାଁକୁ ଯାଇ ପାରିବ ନା ଭୂବନେଶ୍ୱରରେ ବିଦିଆର ବସା ଠିକଣା ସେ ଜାଣିଛି ଯେ ସେଠିକି ଯିବ । କେମିତି ଏକ ତ୍ରିଶଙ୍କୁ ଅବସ୍ଥାରେ ପଡିଛି ସିଏ, ଭୋକ ଶୋଷରେ ତଣ୍ଟି ଶୁଖି ଯାଉଛି । ପ୍ରାଣ ବିକଳରେ କାନ୍ଦି ଉଠିଲା ସିଏ । ମୋ ବିଦିଆରେ .... କୁଆଡେ ଗଲୁ .... ମୁଁ କ’ଣ କରିବି । ତାର ବୁକୁଫଟା କାନ୍ଦଣା ଶୁଣି ଲୋକ ଜମା ହେବାରେ ଲାଗିଥାନ୍ତି । କିଛି ସମୟ ପରେ ଜଣେ ବାବୁ ବାହାରି ଆସି ପଚାରିଲେ’’ ମାଉସୀ । କ’ଣ ହେଇଛି ତମର? କାହିଁକି କାନ୍ଦୁଛ? ତମ ବିଦିଆ ଗଲା କୁଆଡେ??? ପୂର୍ବର ପାନ ଦୋକାନୀଟି ଫେରିଆସିଥିଲା ସେତେବେଳକୁ । ସେହିଁ ସବୁ କଥା କହିଲା ଦେଖଣାହାରୀଙ୍କୁ । ବାବୁ ଜଣକ ଥିଲେ ଜଣେ ସମାଜସେବୀ । ଆଗରୁ ଅନେକ ଏମିତି ଘଟଣା ଅଙ୍ଗେ ନିଭେଇ ଥିଲେ ସେ । ତେଣୁ ଘଟଣାଟି କ’ଣ ହୋଇପାରେ ସେ ଅନୁମାନ କରିନେଲେ । ସାଙ୍ଗେ ସାଙ୍ଗେ ଫୋନ୍ ଲଗାଇଲେ ନିକଟସ୍ଥ ଦୟାଶ୍ରମକୁ । ବିଦିଆ ମା’କୁ ବୁଝାସୁଝା କରି ଖାଦ୍ୟପେୟ ଦେଇ ସାଷ୍ଟମ କଲେ । ଅଧଘଣ୍ଟା ଭିତରେ ଦୟାଶ୍ରମର ଭ୍ୟାନ୍ ସେଠାରେ ପହଞ୍ଚିଥିଲା । ପାନ ଦୋକାନୀଟିର ସହାୟତାରେ ସମାଜସେବୀ ଜଣକ ବିଦିଆ ମା’କୁ ବୁଝାବୁଝି କରେଇ ନେଇ ଦୟାଶ୍ରମରେ ଛାଡି ଆସିଲେ । ବିଦିଆ ମା’ ଧରିଥିବା ଲୁଗା ପୁଟୁଳିରୁ ଚଉଡା ହେଇଥିବା କାଗଜ ଖଣ୍ଡେ ଖସି ପଡିଲା । ଯେଉଁଥିରେ ଥିଲା ବିଦିଆ ଓରଫ ବିଦ୍ୟାଧର ଲେଖିଥିବା ଦି ଧାଡିର ବାର୍ତ୍ତା “ବୋଉ, ମତେ କ୍ଷମା କରିଦେବୁ । ୟା’ ଛଡା ମୋ ପାଖରେ କୌଣସି ଉପାୟ ନଥିଲା । ଗାଁକୁ ଯିବାକୁ ଚେଷ୍ଟା କରିବୁନି କାରଣ ମୁଁ ଆମ ଘରଡିହ ଖଣ୍ଡକ ରବି ଭାଇଙ୍କୁ ବିକ୍ରି କରିଦେଇ ଆସିଛି” ।

ତୋର ପୁଅ ବିଦିଆ”


Rate this content
Log in

Similar oriya story from Tragedy