Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susant Purohit

Children Inspirational

3  

Susant Purohit

Children Inspirational

ବାଦାମ ବାଲାର କାହାଣି

ବାଦାମ ବାଲାର କାହାଣି

7 mins
7.3K


    ଯେଉଁମାନେ ଜୀବିକା ନିର୍ବାହ ପାଇଁ ଦୈନିକ ଟ୍ରେନରେ ୫୦କିଲୋମିଟର ଦୂର ଅନ୍ୟ ସହରକୁ ଯାଇ କାର୍ଯ୍ୟ କରନ୍ତି ତାଙ୍କର ଜୀବନ ଶୈଳୀ ହିଁ ନିଆରା ହେଇଥାଏ ।ନା ସେମାନେ ରହୁଥିବା ନିଜ ସହରର ସୁଖ ଦୁଃଖରେ ସମ୍ପୂର୍ଣ ସାମିଲ ହେଇ ପାରନ୍ତି ନା ଚାକରି ସ୍ଥଳର ସହର ସହ । ଜୀବନର ବେସ କିଛି ସମୟ କଟେ ତାଙ୍କର ଟ୍ରେନ ଡବାରେ । ତେବେ ସେଥିରେ ମଧ୍ୟ ଏକ ସ୍ୱତନ୍ତ୍ର ଆନନ୍ଦ ଥାଏ , କେବଳ ଅନୁଭବୀ ତାହା ଜାଣିଥିବେ , ମୋ ପରି , ଆହୁରି ଅନେକେ ।

  ବହୁତ ବର୍ଷ ଆଗର କଥା । ସେତେବେଳେ ଭି ଟ୍ରେନର ସୁବିଧା ଉଭୟ ସହର ମଧ୍ୟରେ ଭଲ ଥିଲା । ଆମେ ଡେଲି ବାଲା ସକାଳ 8 ଟାରେ ଛାଡୁଥିବା ପେସେଞ୍ଜରରେ ବସୁ । ପ୍ରାୟ ଅନେକ ଦିନ ଗୋଟିଏ ଡବାରେ ହିଁ ସମସ୍ତଙ୍କ ପାଇଁ ଜାଗା ହେଇଯାଏ । ସେତେବେଳେ ଟ୍ରେନ ଏତେ ଭିଡ଼ ହଉ ନଥିଲା । ଆମ ଭିତରେ ବେଙ୍କ ଷ୍ଟାଫ, କଚେରୀ ଷ୍ଟାଫ ,ଓକିଲ , ଅଧ୍ୟାପକ ,ଶିକ୍ଷକ, ତହସିଲ ଅଫିସ ଷ୍ଟାଫ , ବ୍ଲକ ଷ୍ଟାଫ ସବୁ ଥିଲେ । ସବୁ ଡେଲି ଯାତ୍ରୀଙ୍କ ଭିତରେ ସ୍ୱାଭାବିକ ଭାବରେ ବନ୍ଧୁତା ହେଇଥାଏ ଓ ତାହା ଆମ କ୍ଷେତ୍ରରେ ଖୁବ ଗଭୀର ଥିଲା । ଆମେ 8,10 ଜଣ ସବୁ ବେଳେ ଏକାଠି ବସୁ । କଥା ବାର୍ତା ଓ ତାସ ଖେଳର ଆସର ଜମେ ।

   ସନ୍ଧ୍ୟା 5 ତା ଟ୍ରେରେ ସମସ୍ତେ ହାଲିଆ ହେଇ ଫେରୁଥିଲେ ମଧ୍ୟ ଆସର ବେସି ଜମେ । ତାସ ସହ ଗପ । ଦଳରେ ଜଣେ ଦୁଇଜଣ ଖୁବ ହାସ୍ୟ କଥା କହି ସମସ୍ତଙ୍କୁ ବେଶ ଆମୋଦ ଦିଅନ୍ତି । ସେତେ ବେଳେ ଆସେ ଟଙ୍କ , ଟଙ୍କଧର ନାୟକ ,ବାଦାମ ବାଲା। ବଡ଼ ବାଉଁଶ ଝୁଡ଼ିରେ ଭଲ ବାଦାମ ଭଜା , ଗୋଟେ ସାନ ତରାଜୁ ଓ ସାଇଜରେ କଟା ହେଇଥିବା ଖବର କାଗଜ ଧରିକି ଆସେ । ସବୁବେଳେ ତା ମୁହଁ ହସ ହସ । ଆମ ସିଟ ପାଖକୁ ଆସି ଖୁସିରେ ପଚାରିବ "ଆଜି ଆଜ୍ଞା କେତେ ଦେମି " ସେ ବାଦାମ ତଉଲି ଏକ ବଡ଼ ଖବର କାଗଜରେ ଦୁଇ ଲମ୍ବ ସିଟ ମଝିରେ ଥୋଇଦେବ ଓ ସାଙ୍ଗରେ ୫,6ଟି ପୁଡ଼ିଆ ଲୁଣ ରଖିଦେଵ । ହରବର ନଥିଲେ ଦିନେ ଦିନେ ପାଖେ ଠିଆ ହେଇ ଆମ କଥା ଶୁଣିବ। ପଦେ ଦୁଇପଦ କଥା ଭି ହେବ । ପୁଣି ତା ବେଉସାକୁ ନେଇ ଆଗେଇବ ।

  ଏହା ଆମର ନିତିଦିନିଆ କଥା । ରବିବାର ଓ ଅନ୍ୟ ଛୁଟି ଛାଡି ସବୁଦିନେ ଏହି ରୁଟିନ । ପ୍ରତି ବର୍ଷ ଅବଶ୍ୟ କିଛି ବଂଧୁ ଅନ୍ୟତ୍ର ବଦଳି ହେଇ ଚାଲିଯାନ୍ତି ଓ କିଛି ନୂଆ ବଂଧୁ ଆସନ୍ତି ।କିନ୍ତୁ ସେହି ଧାରା ଚାଲି ଥାଏ । ନଟ ପାନ ବାଲା , ଟଙ୍କ ବାଦାମ ବାଲା , ଧଳ ଟିଟିଇ , ଏସବୁ ଆମ ଦୈନନ୍ଦିନ ଜୀବନ ଧାରାର ଅଂଶ ପରି ହେଇଯାଇଥାନ୍ତି । 

 ସେଦିନ ଶନିବାର ଥାଏ । ସେମିତି ଭି ବେଙ୍କ ସବୁ ହାଫ ଡେ , ତା ପରେ କୌଣସି ଗଣ୍ଡଗୋଳ କାରଣରୁ ସବୁ ସରକାରୀ ଅଫିସ ଦିନ 12 ଟାରେ ବନ୍ଦ ହେଇଯାଇଥାଏ । ଅନେକ ଡେଲି ବଂଧୁ ବସ ଯୋଗେ ଆଉ କେତେକ 1 ଟାରେ ଛାଡୁଥିବା ଏକ୍ସପ୍ରେସ ଧରି ପଳେଇଥିଲେ । ମୁଁ କିନ୍ତୁ କେତେକ ବାକିଆ କାମ ସାରିବାକୁ ରହିଯାଇଥିଲି । 5ଟା ବେଳେ ଷ୍ଟେସନ ପହଂଚିବା ବେଳେ କେହି ପରିଚିତ ନାହାନ୍ତି ଆଉ ଟ୍ରେନଟି ଭି ପ୍ରାୟ ଖାଲି । ଝରକା ପାଖ ଜାଗା ଦେଖି ବସିଲି । ଟ୍ରେନ ଛାଡିଲା । ଉଦାସ ଲାଗୁଥାଏ । ବେଗରୁ ଖବର କାଗଜ ବାହାର କରି ଆଖି ପକେଇଲି । ଭଲ ଲାଗିଲାନି। ଥୋଇ ଦେଲି । 

  2ଟି ଷ୍ଟେସନ ଗଲା ପରେ ଟଙ୍କ ଆସିଲା । ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖି କହିଲା " ଆରେ ଆଜ୍ଞା !!! ଆପଣ କେନ୍ତା ! ଫେର ଏକଳା ! ସଭେ ଆଏଜ ପଲାଲେ ନ ଯେ ? "

  " କିଛି କାମ ବହୁତ ଦିନରୁ ରହିଯାଇଥିଲା ଟଙ୍କ , ଆଜି ମଉକା ଦେଖି କରିଦେଲି । "

  ବାଦାମ ଏକା ଏକା ଖାଇଲେ ମଜା ଲାଗେନି । ତଥାପି ଟଙ୍କ ମୋ ପାଇଁ ବାଦାମ କିଛି ମୋ ପାଖେ ଦେଇକି ଗଲା । ଓହ୍ଲେଇବାର ଦୁଇଟି ଷ୍ଟେସନ ଆଗରୁ ଗାଡି ଅଟକିବାରୁ ଟଙ୍କ ଫେର ମୋ ପାଖକୁ ଆସିଲା। ବେକ ରୁଝୁଡ଼ି ଖୋଲି ଗାମୁଛା ଢାଙ୍କି ସିଟ ପାଖେ ରଖି ମୋ ସମ୍ନାରେ ବସିଗଲା । ମୁ କହିଲି " କଣ ଆଜି ସରିଗଲା କି ବାଦାମ ? " 

 କହିଲା " ନାଇଁ ଅଜ୍ଞା , ଆଜି ତ ଭିଡ଼ ନାଇଁ । ଫେର ଆପଣ ଏଠି ଏକା ବସିଛନ୍ତି , ବୋର ହଉଥିବେ । ସେଥିପାଇଁ ଚାଲି ଆସିଲି । ବାଦାମ ଦେଇ ଥିଲି ଏବେ ଯାଏ ସାରି ନାହାନ୍ତି ? " 

 " ନାଇଁ ଟଙ୍କ ଏକା ଏକା ଭଲ ଲାଗେନି । କୁହ ଆଜି ତୁମ ନିଜ କଥା ଶୁଣିବା । " 

  ଲକ୍ଷ କଲି ତା ହସ ହସ ମୁହଁରେ ଟିକେ ଉଦାସୀ ଭାବ ଆସିଥିବାର । ଗମ୍ଭୀର ହେଇ ଯାଇ କହିଲା " ମୋର କଥା କାଣା କହେମି ଆଜ୍ଞା , ବହୁତ ଦୁଃଖ ଲଗବା ।ମୋର ବାପା କକା ଇମାନେ 4 ଭାଇ ଥିଲେ । ବୁଡି ଅଂଚଳର କୂପାଶିରା ଆମର ଗାଁ ଥିଲା । ବଢିଆ ଜମି ସମକର ଭାଗେ 7,8 ଏକର ଲେଖା ଆଉ ଗାଁଥି ବଢିଆ ଘର ଥିଲା । ଚାଷ ବାସ ଭଲ ହଉଥିଲା ଆଜ୍ଞା ଆଉ ଖୁସି ଥିଲେ ଗାଁ ଯାକର । ହେତକିବେଳେ ହୀରାକୁଦ ଡେମ ବନବାର ଶୁଣା ଗଲା । ହଠାତ ଦିନେ ସରକାରୀ ବାବୁ ଦୁଇଟା ଆସିକରି ଗାଁଥି କହିଗଲେ ଗାଁର ସଭେ ଉଠିଯିବେ । ସେମାନଙ୍କୁ ଅଲଗା ନ ଘର ବନାବାର ଡ଼ିହି, ଚାଷ ଜମି ଆଉ ପଇସା ଦିଆ ଯିବା । ନପା ଜୁଖା କାମ ଜୋର ଚାଲୁ ହେଇଗଲା । ବଜ୍ର ପଡିଗଲା ଆଜ୍ଞା ଗାଁର ସମକର ମୁଣ୍ଡେ । "

   "ନାଇଁ ଜିମି ବଇଲେ ବାଟ ନାଇଁ।ପାଏନଥି ତ ବୁଡିବା ସବୁ ଇ ଡେମଥି । ନିଜର ଗାଁଠୁ 60 ମାଇଲ ଦୁରେ ସରକାରୀ ଟାଙ୍ଗର ଜଗାଁଥି ଗାଁ ଲୁକ ଙ୍କୁ ଡିହ ଖଣ୍ଡେ ଲେଖା ଆଉ କିଛି ପଇସା ମିଲଲା । କେତେଜଣ ଘର ବନାଲେ ଆଉ କେତେ ଦୁଶ୍ରା ଆଡେ ପଳେଇଗଲେ । ମୋର ବାପା ଆଉ ତାଙ୍କର ମଝିଆ ଭାଇ ଆସିକରି ବଡା କଷ୍ଟେ ଦୁଇବଖରା ଲେଖା ବନାଲେ । ଆଉ ମିଳିଥିବା 3 ଏକର ଲେଖା ଜମି ଚାଷ କଲେ । ହେଲେ ଜମି ଭଲ ନାଇଥାଇ । ଚାଷ ଭଲ ନଇଁ ହେଲା । ଇନ ସେନ ମଜୁରୀ ଭି କଲେ ଆଉ ବଡା କଷ୍ଟେ ରହେଲେ । ହେତକୀ ବେଳେ ମୋର ଜନ୍ମ । ଖାଇବାର କେ ତ ନଇଁ ହଉଥାଇ ପାଠ କାଣା ପଡି ଯାଏତି? ପାଖର ସରକାରୀ ସ୍କୁଲ ନ ମାଇନର ତକ ପଡ଼ିକରି ଛାଡି ଦେଲି ।"

 "ବାପା ସେଟକି ବେଳକେ ବେମାର ଭି ପଡି ବସିଥିଲେନଅ । ସେ ତାଙ୍କର ଗାଁକେ ବହୁତ ଭଲ ପାଉଥିଲେ ଅଜ୍ଞା , ବହୁତ ଝୁରି ହଉଥିଲେ । ସବୁ ବେଳେ କହଁନ ଗାଁ ଆମର କେତେ ସୁନ୍ଦର ଥିଲା ,ଗରିଆ କଂଟାର ପାଏନ କେଡେ ମିଠା ଥିଲା, ଗାଁନ୍ତିଆ ବନ୍ଧରେ କେତେ ମାଛ ମିଳୁଥିଲା , ......ଏନ୍ତା ସବୁ । ଆଉ ସେ ହଠାତ ଦିନେ ଖେତେ ପଡିଗଲେ । ଗାଁ ଲୁକେ ଡାକ୍ତର ନିକେ ନେଲେ , କିନ୍ତୁ ଆଉ ଜୀବନ ନାଇଥାଇ । ହାର୍ଟ ଫେଲ ବୋଲି ଡାକ୍ତର କହେଲ , ହେଲେ ଅଜ୍ଞା ମୁଇ ଜାଣିଛେଁ ତାଙ୍କର ହାର୍ଟ ନିଜର ଦିନୁହା ଗାଁକେ ଝୁରି କରି ଫାଟି ଗଲା । "

   ଏତିକି କହି ନିରବ ହେଇଗଲ ଟିକେ ଟଙ୍କ । ଆଖି ତାର ଓଦା ଜଣା ପଡୁଥାଏ । ହେଲେ କାନ୍ଦୁ ନଥାଏ । ମୁ ଚୁପ ରହିଲି । 

  " କିଛି ଦିନ କକା ବବା ମନେ ସବୁ ସମ୍ଭାଳ ଲେ ହେଲେ ଶେଷକେ ତ ମୋତେ ହିଁ ସମ୍ଭାଳିବାର କେ ହେତା ଅଜ୍ଞା । ମା ଆଉ ବହେଁନ ଟେ କେ ତ ଦେଖମି। ସେ ଦିନୁ ଇ ବେପାର ସୁରୁ କଲି । ନିଜେ ବୁଢ଼ାସମ୍ଭର ଆଡେ ଯାଇକରି ଗାଁ ଠୁ ଚାଷୀ ର ନୁ ମୁଗଫଳି ଘିନି କରି ଆନସି ଆଉ ଘରେ ଭାଜି କରି ବିକ୍ସି । ବନେ ଦୁଇପାଇସା ବାହାର ସି "

 " ସେ ପଇସା ରେ ଆଉ ଜମି ରୁ ମିଳୁଥିବା କର ଧାନ ସଂଗେ ମୋର ମା ଭି ଘର ପାଖେ ଶାଗ ସବଜିର ବାରିଟେ କରିଥିଲା ଆଉ ସେଠୁ ଭି ନେଇକରି ବିକଲେ ଦୁଇପାଇସା ମିଳସି । ବହେନେ କେ ଭଲ ପିଲା ଦେଖି ବିହା କଲୁ ।"

  ଟ୍ରେନ ପାଖକୁ ଆସିଯାଇଥିଲେ ଭି କ୍ରସିଂ ଥିବାରୁ ଶେଷ ଷ୍ଟେସନରେ ଥାଏ । ଏତେ ଲମ୍ବା କାହାଣୀ କହି ଯାଇ ଟଙ୍କ ଟିକିଏ ଚୁପ ହେଇଯାଇଥାଏ । ମୁଁ ବେଗରୁ ବୋତଲ କାଢି ତାକୁ ଦେଲି । ସେ ପାଣିତକ ପିଇ ଦେଇ ମୁହଁ ଗାମୁଛାରେ ପୋଛିଲା । ଟ୍ରେନ ଭି ହୁଇସିଲଦେଇ ଚାଲିବାକୁ ଆରମ୍ଭ କଲା । ଆଉ 10 ମିନିଟ ଭିତରେ ପହଂଚିବି । ଟଙ୍କ ଫେର ଏଇ ଟେନରେ ଫେରି ଯିବ ଘଣ୍ଟେ ପରେ ।

 ମୁ ପଚାରିଲି "ଟଙ୍କ ତମେ ବାହା ସାହା ହେଲ କି ନାଇଁ ? "

  ହସ ଟିଏ ହସି ସେ କହିଲା " ହଁ ଆଜ୍ଞା , ପାଖ ଗାଁ ରେ ଆମର ବୁଡି ଅଂଚଳର ଆଉ ଗୋଟେ ପରିବାରର ଝିଟେ ଥିଲା । ମା କଥା ହେଇକରି ତାକୁ ଠିକ କଲା। ଇହାଦେ ମୋର 2ଟି ପୁଓ । ବଡ଼ଟା 6 ପଢୁଛେ ଆଉ ସାନ ତା 4 । "

 ପଚାରିଲି "ତୁମର ଇ ବାଦାମ ବିକାରେ ଚଲି ଯାଉଛେ ? "

 ଟଙ୍କ କହିଲା " ହଁ ଆଜ୍ଞା ଖାଇବା ପିଇବା ଭଲ ଚାଲୁଛେ , ଭଲ ଦୁଇପଇସା ଖେତ ଆଉ ବାରିରୁ ଭି ମିଳିଯାଏସି ,ଯେ ହେଲେ ଭି .....ଛାଡୁନ " 

   ହଠାତ ନିରବ ଆଉ ଉଦାସ ହେଇଗଲା ଟଙ୍କ ।

 ଟ୍ରେନ ପହଂଚି ଗଲା । ମୁଁ ଓଲହେଇଲି ଘରକୁ ଯିବାକୁ । ଆର ଦିନ ରବିବାର, ତାପର ଦିନ ଭି କି ଛୁଟିଟେ ଥିଲା । ଦୁଇଦିନ ପରେ ଫେର ନିତିଦିନିଆ ଯିବା ଆସିବା ଚାଲିଲା । ତେବେ ଫେରିଲା ବେଳେ ଟଙ୍କ ବାଦାମ ବାଲା ଆଉ ଆସିଲାନି । ଦେହ ବୋଧେ ଖରାପ ଥିବ । କଥା ହେଲୁ । କିଛି ଦିନ ଗଲା । ମୋର ଅନ୍ୟ ଜାଗାକୁ ବଦଳି ହେଇଥିଲା। ମୁ ସେଠିକୁ ଯାଇ ରହିଲି । କିଛି ଦିନ ସାନ୍ଧ୍ୟରେ ନିରୋଳାରେ ମନେ ପଡେ ସେ ଟ୍ରେନ ଯାତ୍ରା ବେଳର କଥା ସ୍ମୃତି ପଟଳରେ ଟ୍ରେନରେ ଫେରିବା ବେଳେ ଶାରଦୀୟ ସନ୍ଧ୍ୟା ବେଳର ସବୁଜ କ୍ଷେତ , ସୁନ୍ଦର ରଙ୍ଗୀନ ଆକାଶ ମନେ ପଡେ । ଉଦାସ ଲାଗେ ।

 ଏମିତି କରି ଦେଖୁ ଦେଖୁ 6 ମାସ ବିତି ଗଲା। ଦିନେ ଟ୍ରେନରେ ଏକା ସଂଗେ ଯାଉଥିବା ଜଣେ ସାଙ୍ଗ ଭେଟ ହେଲେ । କଥା ହଉ ହଉ ଟ୍ରେନ ବେଳର କଥା ପଡିଲା । ମୁଁ ପଚାରିଲି "ସେ ଟଙ୍କ ଆସୁଛି ? "

   ସାଙ୍ଗ ଜଣକ ଗମ୍ଭୀର ହେଇ କହିଲେ ଆଜ୍ଞା ଆପଣ ଜାଣି ନାହାନ୍ତି ? ଟଙ୍କ ଆଉ କେବେ ଆସିଲାନି। ଘରକୁ ରାତିରେ ଫେରି ବେମାର ପଡିଲା । କେନ୍ସର ବହୁତ ବଢିଯାଇଥିଲା । ସରକାରୀ ଡାକ୍ତରଖାନାରେ ପଡିଲା ।ଦିନ 15ଟାରେ ଚାଲି ଗଲା । ଆହା ଭଲ ଲୋକଟେ ଥିଲା । ଏବେ ତା ପୁଅ ଟ୍ରେନରେ ବାଦାମ ବିକୁଛି ଆସି ।...

 ମୋ ଆଖିରେ ଭାସି ଯାଉଥିଲା ତାର ଟ୍ରେନରେ ଶେଷ ଦିନର ଯାତ୍ରା ଆଉ ଶେଷ କଥା ମୋ ସଂଗେ ....ଲୁହ ଭରି ଆସୁଥିଲା ଆଖି । କାମଟେ ଅଛି କହି ସାଙ୍ଗଠୁ ଚାଲି ଆସିଲି ଲୁହ ଲୁଚେଇବାକୁ ।


Rate this content
Log in

Similar oriya story from Children