କଳ୍ପିତ
କଳ୍ପିତ
"ସୂର୍ଯ୍ୟ ଅସ୍ତଗଲା ପରେ ମୋ ଆଖିର ଜ୍ୟୋତି ଝାପ୍ସା ହେଇଯାଏ । ତୁମେ ମାନ କି ନମାନ ମୁଁ ସତରେ ଅନ୍ଧପ୍ରାୟ । କିନ୍ତୁ ଜାଣ, ମୁଁ ମୋ ଭିତରେ ଆଉ ଗୋଟେ ଦୃଷ୍ଟିର ସନ୍ଧାନ ପାଇଛି । ମୁଁ ତାର ନାଁ ଦେଇଛି ଅନ୍ତଃଦୃଷ୍ଟି । ମୋର ସେହି ଅନ୍ତଃଦୃଷ୍ଟି ମୋତେ ଅନେକ କିଛି ଜିନିଷର ପ୍ରକୃତ ଆକୃତି, ପ୍ରକୃତିକୁ ସ୍ପଷ୍ଟ କରି ମୋ ସାମ୍ନାରେ ରଖିଦିଏ । ତାପରେ ମୁଁ ସୁନ୍ଦର ଗୋଟେ ବାସ୍ତବତାର କଳ୍ପନାରେ ତଲ୍ଲୀନ ହେଇଯାଏ । କଳ୍ପନା ! ତୁମେ ଭାବୁଥିବ କଳ୍ପନା ଗୋଟେ ମିଥ୍ୟା ପ୍ରହେଳିକା । ନାଁ, ତା' ସତ ନୁହେଁ । କଳ୍ପନାରୁ ହିଁ ପ୍ରଗତିର ଆରମ୍ଭ । ",ସେ କହିଚାଲିଥିଲେ, ମୁଁ ବସି ଶୁଣୁଥିଲି ।
ସେ କିଏ ମୁଁ ଆଦୌ ଜାଣିନଥିଲି । ସେ ବାପାଙ୍କ ପାଖକୁ ଆସିଥିଲେ । ତାଙ୍କ କଥାବାର୍ତ୍ତାରୁ ବୁଝିଲି ସେ ଜଣେ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ । ବାପା ସେ ଯାଏଁ ଘରକୁ ଫେରିନଥିଲେ । ସନ୍ଧ୍ୟା ହେଇଆସୁଥିଲା । ଭଦ୍ରଲୋକ ଯିବାକୁ ବ୍ୟସ୍ତ ହେଉଥିଲେ । ଯେହେତୁ ତାଙ୍କ ଆଖିରେ ସମସ୍ୟା ଥିଲା, ମୁଁ ତାଙ୍କୁ ଅଟକାଇ ରଖିବାକୁ ଚାହୁଁନଥିଲି ।
: ଅଙ୍କଲ୍ ବାପାଙ୍କ ଫୋନ୍ ଲାଗୁନି । ଆପଣ ନହେଲେ କାଲି ଆସନ୍ତୁ ।
: ନାଇଁରେ ଝିଅ କାଲି ନୁହେଁ । ଆଜି ହିଁ ମୋର ବୀରେନ୍ଦ୍ର ବାବୁଙ୍କ ସହ କଥା ହେବାଟା ଜରୁରୀ । ଆଜି କୌଣସି ସମାଧାନରେ ନପହଞ୍ଚିଲେ, କାଲି କୁ ହୁଏତ ବହୁତ ବିଳମ୍ବ ହେଇଯାଇପାରେ ।
ମୁଁ ଜାଣିବାକୁ ଚାହୁଁଥିଲି ସମସ୍ୟାଟା କଣ, କିନ୍ତୁ ପଚାରିବାକୁ ଉଚିତ ଭାବୁନଥିଲି । ମୁଁ ଦେଖିଲି ପଶ୍ଚିମ ଆକାଶରେ ସୂର୍ଯ୍ୟ କମଳା ରଙ୍ଗର ବିରାଟ ଏକ ସୁନ୍ଦର ପେଣ୍ଡୁ ପରି ଦିଶୁଛନ୍ତି । ଆଉ କିଛି ସମୟ ପରେ ସେ ଦିଗବଳୟ ସେପଟେ ଲୁଚିଯିବେ । ମୁଁ ଡରିଗଲି । "ଆରେ ଏ ଲୋକ ତ ଏବେ ଆଉ କିଛି ଦେଖିପାରିବେନି ! ସୂର୍ଯ୍ୟ ତ ଏବେ ଅସ୍ତଯିବା ଉପରେ ! "
: ଅଙ୍କଲ୍ ସୂର୍ଯ୍ୟାସ୍ତ ହେଇଯିବ ଏବେ ? ଆପଣ ଏବେ ଘରକୁ ଫେରିବେ କେମିତି ? ଆପଣ ବାପାଙ୍କ ନମ୍ବର୍ ରଖିଥାନ୍ତୁ, ସେ ଥିଲାବେଳେ ଫୋନ୍ କରି ଆସିବେ । ଆଉ ଯଦି ଚାହିଁବେ ମୋତେ ବି ଆପଣଙ୍କ ସମସ୍ୟା କହିପାରନ୍ତି । ମୁଁ ବାପାଙ୍କୁ କହିଦେଇଥିବି ।
: ସମସ୍ୟା ! ସେଇଟା ତ ବିରାଟ ଗୋଟେ ସମସ୍ୟା । ଅନ୍ୟାୟ, ଅତ୍ୟାଚାର ବଢ଼ିଚାଲିଛି । କୃଷକ, ଶ୍ରମିକମାନଙ୍କ ପ୍ରତି ହେଉଥିବା ଶୋଷଣ ଆଜି ଚରମ ସୀମାରେ ପହଞ୍ଚିଛି । ଗରିବଲୋକ ବେଶିରୁ ବେଶି ଗରିବ ହେଉଛି । କିଛି ମୁଷ୍ଟିମେୟ ପୁଞ୍ଜିପତିଙ୍କ ପୁଞ୍ଜି ଅସମ୍ଭବ ଭାବେ ବଢ଼ିଚାଲିଛି । ଦେଶର ଅବସ୍ଥା ବଡ଼ ଜଟିଳ । କେବଳ ଦୁଇ ଚାରିଜଣ ଲୋକ ଠେଙ୍ଗା ଧରି ଗାଈ ଚରେଇଲା ପରି ସାରାଟା ଦେଶବାସୀଙ୍କୁ ସେମାନଙ୍କ ମନ ମୁତାବକ ଦିଗକୁ ଅଡ଼େଇ ନେଉଛନ୍ତି । ନାରୀମାନେ ଏବେ ସବୁଠୁ ବେଶି ଅସୁରକ୍ଷିତ । ଅଳ୍ପ କିଛିଦିନ ପରେ ଏଠି ଆମପରି ସାଧାରଣ ମଣିଷଟେ ଆଉ ମଣିଷପରି ବଞ୍ଚି ପାରିବନାହିଁ । ବୁଝିଲ, ଆଉ ଏଥିରୁ ରକ୍ଷାନାହିଁ । ଆହୁରି ବି ଅନେକ ଅନେକ ସମସ୍ୟା ଅଛି,ସବୁକିଛି ତ ଏକାବେଳେ ତୁମକୁ କହିବା ସମ୍ଭବ ହେଉନି । କହିବି ଆଉଦିନେ । ଝିଅ ଜାଣ, ମୁଁ ଏସବୁର ସ୍ଥାୟୀ ସମାଧାନ ଟେ ଖୋଜୁଛି । ବୀରେନ୍ଦ୍ରବାବୁ ଲେଖକ । ତାଙ୍କର ଅନେକ ଗୁଡ଼ାଏ ଲେଖା ମୁଁ ପଢ଼ିଛି । ପଢ଼ି ଚିଠି ବି ଦିଏ । ମୁଁ ଭାବୁଛି, ତାଙ୍କ ପାଖରେ ନିଶ୍ଚୟ କିଛି ଗୋଟେ ସମାଧାନର ବାଟ ଥିବ ।
: କିନ୍ତୁ ଅଙ୍କଲ୍ ମୁଁ ଭାବୁଛି, ଏ ସମସ୍ୟାର ସମାଧାନ ବାପା ଏକା କରିପାରିବେନି । ଆଉ ଏବେ ତ ସୂର୍ଯ୍ୟାସ୍ତ..
: ଝିଅ, ତୁମେ ତ ଖାଲି ଡ଼ରୁଛ ! ତୁମ ବୟସର ଯୁବକ ଯୁବତୀମାନେ ଯଦି ଏହି ସମସ୍ୟା ପ୍ରତି ଗଭୀର ଦୃଷ୍ଟି ଦିଅନ୍ତେ, ଦେଶଟାର ଗତି କଣ ଏମିତି ଭୁଲ ଦିଗରେ ହୁଅନ୍ତା ? ଆଉ ସୂର୍ଯ୍ୟାସ୍ତ କଥା କହୁଥିଲ ଯେ ! ତୁମେ ଜାଣିନ ବୋଧେ , ମୋ ସୂର୍ଯ୍ୟାସ୍ତ ଏବେ ହୁଏନି । ସେଥିପାଇଁ ଆହୁରି ବହୁତ ସମୟ ବାକି ଅଛି ।
ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଭଦ୍ରଲୋକଙ୍କ ଏତାଦୃଶ ଅଜବ କଥାରେ । ମୁଁ ଉଠିଯିବାକୁ ଚାହୁଁଥିଲି, କିନ୍ତୁ ସେ ମୋତେ ବସାଇ କ୍ୱିବା, ସୋଭିଏତ୍ ଋଷ୍,ଉତ୍ତର କୋରିଆର କାହାଣୀ ଶୁଣାଇଲେ । ସେ ଆହୁରି ମଧ୍ୟ ତାଙ୍କ କଳ୍ପନାର ଭାରତ ବିଷୟରେ ଅନେକ କଥା ମୋତେ କହିଲେ । ଏମିତି ଏମିତିରେ ରାତି ହେଇଗଲା । ବାପା ଫୋନ୍ କରି କହିଲେ ସେ ଆଜି ବଣ୍ଡାଘାଟିରେ ରହିବେ । ଘରକୁ ଫେରିବେନି । ଭଦ୍ରଲୋକ ଏକଥା ଜାଣି ଯିବାକୁ ବାହାରିଲେ । ଯିବା ପୂର୍ବରୁ କହିଗଲେ ସେ ମୋତେ କିଛି ଉପାଦେୟ ପୁସ୍ତକ ଦେବାକୁ ଚାହାଁନ୍ତି , ଆଉଥରେ ଆସିଲେ ନିଶ୍ଚୟ ଆଣିଦେବେ । ତାଙ୍କ ଫୋନ୍ ନମ୍ବର୍ ଦେଇଗଲେ । ସେ ଦ୍ୱାରବନ୍ଧ ପାଖରେ ତାଙ୍କ ଚପଲ୍ ହଳକ ଖୋଜୁ ଖୋଜୁ କହିଲେ, "ବୁଝିଲ ଝିଅ, ଏ ସମୟ ଆଉ ବେଶିଦିନ ନୁହେଁ । ଇଏ ଗୋଟେ ଭୀଷଣ ଗର୍ଭବେଦନାର ସମୟ । ଇୟାପରେ ଯେଉଁ ନୂଆ ସମୟଟି ଜନ୍ମ ନେବ, ତା'ର ଶାସନ ବ୍ୟବସ୍ଥା, ସାମାଜିକ ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଓ ସମତାର ଆଧାରରେ ପରିପୁଷ୍ଟ ହେଇଥିବ । ହଉ ମୁଁ ଆସୁଛି । ଆଉଥରେ ଆସିଲେ ବହି ନେଇ ଆସିବି " ।
ସେ ସେଦିନ ଚାଲିଗଲେ । ପରଦିନ ବି ବାପା ଫେରିନଥିଲେ । ମୁଁ ସୂର୍ଯ୍ୟାସ୍ତ ବେଳକୁ ଛାତ ଉପରେ ବସି ଅସ୍ତଗାମୀ ସୂର୍ଯ୍ୟଙ୍କୁ ବିରାଟ ବିରାଟ ଗଛ ପଛପଟେ ବୁଡିଯାଉଥିବାର ଦେଖୁଥିଲି ଆଉ ଭାବୁଥିଲି ସେହି ଅଙ୍କଲ୍ ଙ୍କ ସୂର୍ଯ୍ୟାସ୍ତ ପ୍ରକୃତରେ ହୁଏ କେତେବେଳେ ? ସେ କଣ ସତରେ ଏକ ଭିନ୍ନ ସମୟର ମଣିଷ ! ଏମିତି କିଛି ଭାବୁ ଭାବୁ ବାପାଙ୍କ ଗାଡିର ହର୍ଣ୍ଣ ଶୁଭିଗଲା । ମୁଁ ତଳକୁ ଦୌଡ଼ି ଆସିଲି । ବାପା ଖୁବ୍ କ୍ଲାନ୍ତ ଥିଲେ, ତାଙ୍କ ମୁହଁରୁ ମୁଁ ଅନୁମାନ କରିନେଲି । କିଛି ପଚାରିପାରିଲିନି ।
ସକାଳୁ ଉଠି ଦେଖିଲି ପୁଣି ଗୋଟେ ନୂଆ ସୂର୍ଯ୍ୟୋଦୟ ଏହି ଗର୍ଭବତୀ ସମୟ ଉପରେ ସୁନେଲି କିରଣ ଢାଳୁଛି ଓ ମୁଁ ସେତିକିବେଳେ ଭାବୁଥିଲି ସେହି ଭଦ୍ରଲୋକ କହିଯାଇଥିବା କିଛି କଥା । "ସତରେ କଣ ନୂଆ ଗୋଟେ ସମୟ ଜନ୍ମ ନେବ ? ସତରେ କଣ ଇଏ ଗୋଟେ ସରିଯାଉଥିବା ଅଵ୍ୟଵସ୍ଥିତ ଯୁଗ ?" ବାପା ପଛରୁ ଆସି ମୋ ପିଠି ଥାପୁଡ଼େଇଦେଲେ । ମୁଁ ବୁଲିପଡିଲି ।
: ଗୁଡ୍ ମର୍ଣ୍ଣିଙ୍ଗ୍ ବାପା ।
: ଭେରୀ ଗୁଡ୍ ମର୍ଣ୍ଣିଙ୍ଗ୍ । ଏତେ ସକାଳୁ ଉଠି ଏଠି କଣ ଭାବୁଛୁ ?
: ବାପା, ତୁମକୁ ସେଦିନ ଯେଉଁ ଫୋନ୍ କରି କହିଥିଲି କେହିଜଣେ ବନ୍ଧୁ ଆପଣଙ୍କ ଅପେକ୍ଷାର ଅଛନ୍ତି ?
: ହଁ । କଣ ହେଲା ?
: ତାଙ୍କ କଥାଗୁଡା ବଡ଼ ଅଜବ ! ସେହି କଥା ପରା ଠିଆ ହେଇ ଭାବୁଥିଲି ।
: କୋଉ କଥା ତାଙ୍କର ତୋତେ ଅଜବ ଲାଗିଲା ?
: ସେ କହୁଥିଲେ ଏ ଯେଉଁ ଏବେର ବ୍ୟବସ୍ଥା, ଇଆର କୁଆଡେ ଶେଷ ସମୟ ଆସି ପହଁଚିଲାଣି ! ଆଉ ଗୋଟେ ନୂଆ ସମୟ ଜନ୍ମ ନେବ । ସମତାରେ ପରିପୁଷ୍ଟ ସୁନ୍ଦର ସମୟଟେ ଜନ୍ମର ଅପେକ୍ଷାରେ । ଏଟା କଣ ସତ ?
: ହଁ ସତ । ସବୁ ସତ । ସେ ତୋତେ 'କଳ୍ପିତ ଏକ ଦୁନିଆଁ ' ଶୀର୍ଷକ କିଛି ବହି ଦେଇଗଲେ କି?
: କଣ ଗୋଟେ ବହି ଆଣିଦେବେ କହୁଥିଲେ ତ ? କିନ୍ତୁ ବାପା, କଳ୍ପନାବିଳାସୀ ଲୋକଙ୍କର ବାସ୍ତବତା ସହ କିଛି ସମ୍ପର୍କ ଥିବା ମୋର କାହିଁ ମନେ ହୁଏନି । ସେ କାଳ୍ପନିକ କାହାଣୀ ବହି ପଢିବାକୁ ମୋର ତ ଆଦୌ ଇଚ୍ଛା ନାହିଁ ।
: କିଏ କହିଲା କଳ୍ପନା ସହ ବାସ୍ତବତାର କିଛି ସମ୍ପର୍କ ନାହିଁ ? କଳ୍ପନାରୁ ହିଁ ଉନ୍ନତି, କଳ୍ପନାରୁ ହିଁ ପ୍ରଗତି, କଳ୍ପନାରୁ ହିଁ ବିକାଶର ଅଙ୍କୁରୋଦ୍ଗମ ହେଇଥାଏ । ମଣିଷ କିଛି ନୂଆ କରିବାର କଳ୍ପନା ନକଲେ, ସ୍ୱପ୍ନ ନଦେଖିଲେ ନୂଆ ସୃଷ୍ଟି କଣ ସମ୍ଭବ ହୁଏ କି?
: ବାପା, ସେ ବି ଏମିତି କିଛି କହୁଥିଲେ ।
: ଜାଣେ । ଅନେକ ଦିନ ତଳେ ତାଙ୍କୁ ଭେଟିଥିଲି । ସେ ଜଣେ ଶିକ୍ଷକ ଓ ଚମତ୍କାର ଚିତ୍ରଶିଳ୍ପୀ । ତାଙ୍କର ସେହି କଳ୍ପନା ଯେତେବେଳେ କାନ୍ଭାସ୍ ରେ ସୁନ୍ଦର ଭାବେ ଉକୁଟି ଉଠେ ମୁଁ ସେଆଡୁ ଆଉ ମୋର ଆଖି ଫେରେଇ ଆଣିପାରେନି ।
ଆମେ କଥା ହେଉଥିଲୁ, ମାଆ ସକାଳ ଜଳଖିଆ ପାଇଁ ତଳକୁ ଡାକିଲେ । ବାପା କଳ୍ପନାର ଦୁନିଆଁ ବସେଇବା କଥା ଭାବୁ ଭାବୁ ମାଆଙ୍କ ଡାକରେ ଅଟକି ଯାଇ ମୋ ହାତ ଧରି ତଳକୁ ଚାଲି ଆସିଲେ । ଆମେ ଉପରୁ ତଳକୁ ପାହାଚ ପାହାଚ ହେଇ ଓହ୍ଲେଇ ଆସିଲୁ ।
କେତେଦିନ ବିତିଗଲା, ସେ ଲୋକ ଆଉ ଆସିଲେନାହିଁ । ଦିନେ ଖରାବେଳେ ବାପାଙ୍କ ନମ୍ବର୍ କୁ ଗୋଟେ ଫୋନ୍ କଲ୍ ଆସିଲା । ବାପା ତରବର ହେଇ ବାହାରିଲେ । ଘରୁ ବାହାରୁ ବାହାରୁ ମୋତେ ଡାକି କହିଲେ, "ଶିଳ୍ପୀ, ସେ ଯେଉଁ ଅଙ୍କଲ୍ ସେଦିନ ଆସିଥିଲେ ମୋତେ ଖୋଜି ଖୋଜି ତାଙ୍କର ଫୋନ୍ ଆସିଥିଲା । ମୋତେ କହିଛନ୍ତି ତୋତେ କହିଦେବା ପାଇଁ ଯେ ଏବେ ତାଙ୍କର ସୂର୍ଯ୍ୟାସ୍ତ ହେବାର ସମୟ ଉପନୀତ । ତୋ ପାଇଁ ଯେଉଁ କେତୋଟି ବହି ରଖିଛନ୍ତି ମୁଁ ଯାଉଛି ଆଣିଆସିବି । "
ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ପଚାରିଲି, " ବାପା, ଏ ଡହ ଡହ ଖରାବେଳେ ସୂର୍ଯ୍ୟାସ୍ତ ! "
ବାପା ମୋ ମୁଣ୍ଡ ଆଉଁସି ଦେଉ ଦେଉ କହିଲେ, "ହଁରେ ବେଳେବେଳେ କାହା ପାଇଁ କେମିତି ଏମିତି ବି ସୂର୍ଯ୍ୟାସ୍ତ ହୁଏ । ଏହି ନିର୍ଧୁମ୍ ଖରାବେଳେ । ନହେଲେ ପୁଣି ତାଙ୍କୁ ଏ ଉତ୍ତାପରୁ ରକ୍ଷା ମିଳିବ କେମିତି ? ଦେଖିବୁ ସବୁ ଠିକ ହେଇଯିବ । ମୁଁ ଆସୁଛି, ମାଆଙ୍କୁ କହିଦେବୁ ।"
ମୁଁ ହାଁ କରି ବାପାଙ୍କ ଯିବା ରାସ୍ତାକୁ କିଛି ସମୟ ଅନେଇରହିଲି । ପୁଣି ଥରେ ସେ ଆଡୁ ମୁହଁ ଫେରେଇ ଆଣି ଆକାଶରେ ଚକଚକ୍ କରୁଥିବା ସୂର୍ଯ୍ୟ ଆଡେ ଟିକେ ଅନେଇ ଦେଇ ଜ୍ୱଳନରେ ଆଖି ବୁଜିଦେଲି । ମୁଁ ସେମିତି ସେହି ବନ୍ଦ ଆଖିରେ ରହିଥିଲି । ମୁଁ ବର୍ତ୍ତମାନ ସମୟରେ ଠିଆହେଇଥିଲି ଓ ଖୁବ ଶୀଘ୍ର ଏକ କଳ୍ପିତ ଦୁନିଆଁର ନୂଆ ଗୋଟେ ସମୟର ସ୍ୱପ୍ନରେ ବୁଡିଗଲି ।