Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Inspirational Others

3  

Anil Kumar Parhi

Inspirational Others

ରାତିର ପାଦ

ରାତିର ପାଦ

6 mins
14.6K


ଅନ୍ତୋଦୟ। ଟଙ୍କାକିଆ ଚାଉଳ। ବାର୍ଦ୍ଧକ୍ୟ, ବିଧବା ଭତ୍ତା। ମନରେଗା। ଏପିଏଲ୍, ବିପିଏଲ।

ଇଏ ଜୀବନ।

ଜଙ୍ଗଲ,ଜମି,ଜଳ - ଇଏ ଆବଶ୍ୟକତା। ଦାଉ ସାଜୁଛନ୍ତି ଡେଙ୍ଗୁ, ମେଲେରିଆ, କିଡିନୀ ରୋଗ, ଅପପୁଷ୍ଟି, ଅନାହାର। ମୃତ୍ୟୁ। ହାୟ ମୃତ୍ୟୁ!

ମରିଯିବାଟା ନା ଘଟଣା ନା ଦୁର୍ଘଟଣା। ଏମିତି ବି ତ ଡାହାଣୀ ଚିରୁଗୁଣୀ ସନ୍ଦେହରେ ଗାଁ ଦାଣ୍ଡରେ ଘଟୁଛି ନାରକୀୟ କାଣ୍ଡ। ବଳି ପଡୁଛନ୍ତି ନାବାଳକ/ ନାବାଳିକା। ମରିବାଟା ସ୍ବାଭାବିକ। ବଣ ଭିତରେ ଠାକୁରାଣୀ ଆଗରେ ଦଳେ ଅର୍ଦ୍ଧ ଲଙ୍ଗଳା ଲୋକ ମାଦଳ ବଜେଇ ନାଚିବେ, ସଭ୍ୟ ଦୁନିଆକୁ ଅବୁଝା ଭାଷାରେ ଗାଇବେ କି ବିଳାପ କରିବେ। ସବୁକିଛି ସ୍ବାଭାବିକ ହୋଇଯିବ।

ହେଲେ ଏଇ ସ୍ବାଭାବିକ ଭିତରେ ପ୍ରଶ୍ନଟିଏ ହୋଇ ଠିଆହେବ ଦୀନ ମାଝି। ସେ ପ୍ରଶ୍ନଟାଏ ହେବ କି ପାଲଟିଯିବ ସେ ଅଲଗା କଥା। ଦଳେ କବି, ଭାବୁକ ଟାଇପ୍ ର ବାବୁ କି ରିପୋର୍ଟର ଜଙ୍ଗଲି ମଣିଷଙ୍କ ମୃତ୍ୟୁକୁ ଜଘନ୍ୟ ମାନିବେ। ମାନବିକତାର ଉଲଂଘନ ମଣିବେ। ଯେଉଁ ଅଞ୍ଚଳରେ ସୂର୍ଯ୍ୟ ବି ଘେରାଏ ବୁଲି ଆସିବାକୁ ସମୟ ନଷ୍ଟ ମନେକରେ, ସେଠି ବଡବଡ ଫ୍ଲାସ ଲାଇଟ୍ ଚହଟି ଉଠିବ! ଗଛ ପତ୍ର ଲାଜେଇଯିବେ। ଖବର କାଗଜରେ ବାହାରିବ ବିପନ୍ନତାର ଫଟ।

ପରିବର୍ତ୍ତନ ଆସିବ। ବୋଲ୍ ଡ୍ରୋଜର ଚଢିବ ପାହାଡ ଉପରେ। ନେତାଏ ଆଦିବାସୀ ଆବାସିକ ବିଦ୍ୟାଳୟର ହତା ଭିତରେ ନଳକୂପ, ପାଇଖାନା ଘର ଉଦ୍‌ଘାଟନ କରିବେ।

ବଣମୂଲକର ମହୁଲିଆ ବାସ୍ନା ହଠାତ୍ ଡିଓଡେରାଣ୍ଟରେ ରୂପାନ୍ତରିତ ହୋଇଯିବ।

ଦୀନ ମାଝିର ମଟରସାଇକେଲ ପଛରେ ତା ନୂଆ ମାଇପ ବସିଥିବ, ଗାଡି କରୁଥିବ ପେଁ, ପେଁ।

ମଙ୍ଗଳା ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟ ହତାରେ ଟ୍ୟୁବ୍ ଓ୍ବେଲର ହେଣ୍ଡଲକୁ ଘଡଘଡ ଘଡଘଡ କରି ମାଡୁଛି ରେବା ହିକ୍କା। ପାଣି ବାହାରୁଛି ଚୁରରୁ, ଚୁରରୁ। ମଞ୍ଜୁ, ବୋଲେଇ, ଜିନା ହେରିକା ଜଙ୍ଗଲରୁ କାଠ ସାଉଁଟି ଫେରିବା ପରେ ହଷ୍ଟେଲର ଅନ୍ଧାର ଭିତରେ ଅଦୃଶ୍ୟ।

ଜାଳ ଆସିଲେ ଜଳିବ ଚୁଲୀ।

ଚୁଲୀ ଜଳିଲେ ମାଣ୍ଡିଆ ଫୁଟିବ।

ମାଣ୍ଡିଆ ଫୁଟିଲେ ଆବାସିକ ବିଦ୍ୟାଳୟର ମେଡମ ଡାକିବେ ପାଟିକରି - ଆସ ଗେମ୍ଫିବ। ଅନ୍ଧାର ଭିତରେ ସେ ରେବାର ହାତକୁ ମୁଠେଇ ଧରିବେ। କହିବେ, ଖାଇସାରିଲା ପରେ ଆସିବୁ ମୋ କ୍ବାଟର୍ସ।

ପ୍ରତିଦିନ।

ରେବା ରାତିକୁ ଡରେ, ରାତିର ଏଇ ଖାଇବା ସମୟକୁ ଡରେ। ଡରେ ମେଡେମର ସେହି ପାହାଡ ପରି ବଡ ଏବଂ ନିଦା ଦେହକୁ।

ଏଇଠୁ ଜଙ୍ଗଲ ଭିତରକୁ ଦଶ ମାଇଲ ତା ଗାଁ। ବାପା କିଡନୀ ରୋଗରେ ମରିଯାଇଛି ଦି’ ବର୍ଷ ହେଲା। ଭାଇ ଯାଇଛି ଦାଦନ ଖଟି। ତା ମା ପାଖରେ ଦି ଓଳି ଖାଇବାକୁ ନାହିଁ। ଗାତ ଖୋଳି ଝରଣା ପାଣିକୁ ଠୁଳ କରି, ତାକୁ ଛାଣି ଯେଉଁଠି ଶୋଷ ମେଣ୍ଟେଇବାକୁ ପଡେ, ସେଠି ରହି ହବ!

ତା ମା ରହେ। ତାହାର ଖାଇବା, ପିଇବା ଲୋଡା ପଡେନି କି କଅଣ!

ରେବାର ଏସବୁ ଲୋଡାହୁଏ। ତା'ର ଧୂଳିଧୂସରିତ ଦେହ, ଜଟା ହେଇଯାଇଥିବା କେଶ, କ୍ରମଶଃ ହାରି ଆସୁଥିବା ସାମର୍ଥ୍ୟ ଭିତରେ ଦୀନ ମାଝିର ମଟର ଗାଡି ପେଁପେଁ ହୋଇ ବାଜି ଉଠେ।

ଛାଡ ହୋ ଧାଙ୍ଗିଡୀ ନାଚ।

ଛାଡ ହୋ ମା ଦୁଲାରୀ ଯାତ।

ସେ ଥଅ ହୋଇ ଠିଆ ହୋଇଯାଏ। ଗୋଟେ ଶବ ଉପରେ କୁଦି ପଡି ଗୁଣିଆ କହୁଥାଏ - ଏ ଉଠିବ। ବଞ୍ଚିବ। ମା ଦୁଲାରୀ ବଞ୍ଚେଇବ।

କୁକୁଡା ରକ୍ତ ଛିଟିକି ପଡୁଥାଏ।

ବୋଦାର ଚିତ୍କାର ଜଙ୍ଗଲକୁ ଝୁଣି ପକାଉଥାଏ। ଝୁଣା ଧୁଆଁରେ ଅନ୍ଧାର ଅପରିଷ୍କାର।

ପେଁ କରି ତା ଭିତରେ ବାଜି ଉଠେ ଦୀନ ମାଝି।

ରେବା ଆବାସିକ ବିଦ୍ୟାଳୟ ଛାଡିଯିବାର ନାଁ ଧରେନା।

ମେଡେମ୍ ତାକୁ ଧରି କୋଠରୀରେ ପଶନ୍ତି। କବାଟ ବନ୍ଦ ହୁଏ।

କିଏ ଥାଏ ସେ କୋଠରୀରେ! ଇଲୋ ବୋଉଲୋ। କିଏ ସେଇଟା। ଯାହାର ଛାଇ ବଢିବଢି କାନ୍ଥ ଟପିଯାଏ, ତାରାମାନଙ୍କୁ ଛୁଏଁ! କିଏ ସେ? ରେବା ଚିତ୍କାର କରେ। କରି ଥକ୍କିଯାଏ। ଥକ୍କାପଣକୁ ସହିନିଏ। ବାହାରକୁ ବାହାରିବା ବେଳକୁ କେଇ ଯୋଡା କାକୁସ୍ଥ ଆଖି ତାକୁ ଚାହିଁ ରହିଥାନ୍ତି! ସେ ନୀରବରେ ଚାଲିଯାଏ।

ତା ବାପା କିଡିନୀ ରୋଗରେ ମଲା। ଭାଇ ଦାଦନ ଗଲା। ସେମାନେ ରହିଥିଲେ ଜଙ୍ଗଲ ଭିତରୁ ଦଳେ ବନ୍ଧୁକଧାରୀ ଲୋକ ଆସିଥାନ୍ତେ, ଉଠେଇ ନେଇଥାନ୍ତେ ନହେଲେ ଗୁଳି କରି ହତ୍ୟା କରିଥାନ୍ତେ। ସେଥିରୁ ବଞ୍ଚିଥିଲେ ପୁଲିସ ଆସିଥାନ୍ତା, ହାଜତରେ ପୂରେଇଥାନ୍ତା, ଏନକାଉଣ୍ଟର ନାଁରେ ଗୁଳି ମାରିଥାନ୍ତା।

ରେବାର ଚଉଦ ବର୍ଷର ଦେହରେ ଏତେବେଳେ ପେଁ କରି ଶବ୍ଦ ହୁଏ।

ମାଗିବା ଭଲ ନା ଛଡେଇ ନେବା ଭଲ?

ନା ହାସଲ କରିବା ଠିକ୍!

ସେ ବରାବର ଏହି ହାସଲ କରିବା ପାଖରେ ଅଟକାଯାଏ। ଯଦିଓ ଏ ଆବାସିକ ବିଦ୍ୟାଳୟରେ ପଞ୍ଚମ ଯାଏ ବ୍ୟବସ୍ଥା। ତା ପରେ କେଉଁଠି କିଛି ନାହିଁ।

ଏତିକି ପାଠ ଭିତରେ କ’ଣ କ’ଣ ହାସଲ କରିହେବ? କଣ!

ହାସଲ କରିହେବ କି ସେଇ ନେତା ଗିରି! ଦିନେ, ଧୋବଧାଉଳିଆ ବାବୁ ଜଣେ ତାଙ୍କ କୁଡିଆରେ ପହଞ୍ଚିଲେ। ତା ମା ଚାଞ୍ଚ ପାରିଦେଲା। ସେ ବସିଲେ।

ମା କୁମ୍ଭରେ ପାଣିଦେଲା।

ସେ କହିଲେ - ନାଇଁ ନାଇଁ, ଆଜି ତୋର୍ ଘରେ କାଞ୍ଜି ପିଇମି।

କହିଲେ, ଦାଦନରୁ ପୁଅକୁ ଫେରେଇ ଆଣିବେ।

ସେଇ ନେତା ଗିରି ପଞ୍ଚମ ପାଠ ଭିତରେ ହବ!

ଦି'ଜଣ ବାବୁ ଆସିଲେ, ଗୋରୀଗୋରୀ ସୁନ୍ଦରୀ ମେଡେମମାନେ। ଟିକିନିଖି କଥା ପଚାରିଲେ। ଫଟୋ ଉଠେଇଲେ। କେତେ କଥା ଲେଖିକି ନେଲେ। ଗାଡିରେ ବସି ଅଜଣା ଚଢେଇ ପରି ଉଡିଗଲେ ଫୁରର୍।

ପଞ୍ଚମ ପାଠ ପରେ ସେହି ବାବୁ ବାବୁଆଣୀ ହୋଇପାରିବ ତ ରେବା!

ରେବା ରହିଯିବ କି ନାଲ ଭାଜି ଆଉ ଅଣ୍ଡା ଝୋଳ ଲୋଭରେ, ଏଇଠି, ଏଇ ବିଦ୍ୟାଳୟରେ ଝାଡୁଦାର ନହେଲେ ରୋଷେୟା ହୋଇ! ଏତକ ବି କୋଉ କମ୍ କଥା ଯେ! ଏଇ ମଶା, ମାଓ ଅଞ୍ଚଳକୁ ଆସେ କିଏ!

ବେଳେବେଳେ ସରକାରଙ୍କ ତରଫରୁ ଅଣ୍ଡା ଆସେ। ଡାଲି କି ଆଳୁ ଆସେ। ଯେମିତି ଆସେ ସେମିତି ଗାୟବ ହୋଇଯାଏ! ମେଡେମଙ୍କୁ କୁଆଡେ କୁହାବୁଲା କରି ରଖିଛନ୍ତି ସରକାରେ। ମେଡେମଙ୍କ ଗିରସ୍ତ ଆସେ, ପିଲାଏ ଘଷା ମୋଡା କରନ୍ତି। ବଣୁଆ କୁକୁଡା ତରକାରୀ ହୁଏ!

ସରକାର ଏଠି ସମସ୍ତଙ୍କୁ କୁହା ବୁଲା କରି ରଖେଇଛନ୍ତି।

ଡାକ୍ତର କୁହା ବୁଲା ଶୁଣନ୍ତି ନାଇଁ।

କିଛି ପୁଲିସ ହରଦମ ବଦଳି ପାଇଁ ଦୌଡନ୍ତି।

ମାଷ୍ଟ୍ର ଘରେ ରହି ଦରମା ବାରି ଦିନ ଆସନ୍ତି।

ଦୀନ ମାଝିର ମଟର ଗାଡି ଏସବୁ ସଂକଟ ଭିତରେ ବାଟ କାଟି ଆଗକୁ ବଢେ।

ତା ନୂଆ ମାଇପ ପାନ ଖାଇଲାଣି।

ପାନ ଛେପକୁ ଦାନ୍ତ ସନ୍ଧିରେ ଫିକ୍ କରି ପକାଏ।

ତା ନାଲି ଶାଢିର କାନି ଉଡୁଥାଏ ଫରଫର। କୁଆଡେ ଯାଏ ସେ ନିଇତି! ରେବା କିନ୍ତୁ ପ୍ରାୟ ପଶେ ମେଡେମଙ୍କ କୋଠରୀରେ। କୋଠରୀ ଭିତରଟାରେ ଗୋଟେ କଳାପିଆ ଲେମ୍ଫ ଜଳୁଥାଏ। ବଡ ଲମ୍ପଟ ସେ ଆଲୁଅ। ଖାଲି ଛାଇ ତିଆରି କରେ। ବହୁତ ବଡ ଛାଇ। ସେ ଛାଇ ରେବାକୁ ଉଠେଇ ନିଏ।

ରେବା ଦେଖିପାରେନା, ଚିହ୍ନିପାରେନା। କିଏ ସେ!

ଆଉ କିଏ ବି ଚିତ୍କାର କରେ।

ତୁନି ପଡେ।

ପରଦିନ ସ୍କୁଲରେ ଆଉ କେହି ନାହିଁ। କେବଳ ମେଡେମ। କି ବହି, କି ପାଠ! ମେଡେମ କହନ୍ତି - ସରକାର ତମ ପାଇଁ ଲାଖ୍ ଲାଖ୍ ଖର୍ଚ୍ଚ କରୁଛନ୍ତି। ତମେ ଗୁଡାକ ଯୋଉ ଅନାର୍ଯ୍ୟକୁ ସେହି ଅନାର୍ଯ୍ୟ!

ମେଡେମଙ୍କ ଘର ସମୁଦ୍ର ଆଡେ। ଏଠି ତାଙ୍କୁ ମଶା କି ମାଓ ଡର ଲାଗେନା? କେଜାଣି!

ରେବା ଜାଣେ ଏଇ ସମୁଦ୍ର ପାଖରେ ରହନ୍ତି ମନ୍ତ୍ରୀ, ବାବୁ ବାବୁଆଣୀ। ସେଠି ମଶା ନାଇଁ, ମାଓ ନାଇଁ। ସେଠି ଗଛ ନାଇଁ, ଛାଇ ନାଇଁ। ସେଠି ପୁଲିସି, ଡାକ୍ତର ଦଳକୁ ଦଳ। ସେହି ସହରକୁ ପଞ୍ଚମ ପାଠ ଭିତରେ ହାସଲ କରିହବ କି?

କୋଡିଏ ମାଇଲ୍ ଦୂର ଏଇଠୁ ସରକାର ଘର। ସେଇଠି ପହଁଚିବାକୁ ହେବ। ମଞ୍ଜୁ, ବୋଲେଇ, ଜିନା ହେରିକାଙ୍କୁ ସାଙ୍ଗରେ ନେଇ ଯିବାକୁ ହେବ। ହାସଲ କରିବାକୁ ହେବ। ପଥ ଦୁର୍ଗମ। ଚାଲିବାକୁ ତ ହବ! ବଣୁଆ ପାଦ, କଣ୍ଟାଝଟା ମାନିବ ନାଇଁ। ଧାରୁଆ ପଥର ଉପରେ ପଥର ପରି ଠିଆହେବ। ନହେଲେ ଏ ମାଣ୍ଡିଆ ଜାଉ, ଛାଇର ଦାଉ ଭିତରୁ ମୁକୁଳି ହେବନି।

ସେହି କୋଠରୀ ଭିତରେ କିଏ ତାକୁ ମାଡିବସେ। ମୋଡିଦିଏ। ମଚକିଦିଏ। ସେ ଗୋଟେ ଅଟା ପିଣ୍ଡୁଳା ପରି ଆକୃତି ବଦଳାଉଥାଏ।

ସେ କରେ କଣ! କିଏ ତାକୁ କ’ଣ କରାଏ! ସେ ଆଖି ମୁଦି ପଡିଥାଏ! ଓଃ, କି କଷ୍ଟ!

ବୋଲେଇ କହେ - ଆମେ ପାରିବାନି।

ମଞ୍ଜୁ କହେ - ଆମେ ପାରିବା କି?

ଦିନେ ମେଡେମ ଶୋଇପଡିଥାନ୍ତି। ତିରିଶ ଯୋଡା ନାତିଦୀର୍ଘ ପାଦ ହଠାତ୍ ବଣର ନିସ୍ତବ୍ଧତାକୁ ଧ୍ଵସ୍ତ କରି ମାଡି ଚାଲିଲେ। କୋଡିଏ ମାଇଲ୍! ହାସଲ କରିବାର ନିଶା। କଳା ଛାଇ, ମାଣ୍ଡିଆ ଜାଇକୁ ପରାଜିତ କରିବାର ନିଶା।

ମେଡେମ ପଛେପଛେ। ତାଙ୍କର ପୃଥୁଳକାୟ ଶରୀରରେ ଫୂର୍ତ୍ତି ନଥିଲା। ସେ ପଛରେ ପଡିଯାଉଥିଲେ।

କୁଆଡେ ଗଲେ ମାଓ! ଯେଉଁମାନେ ଜନସେବକ ବୋଲି ମିଛ ଆସ୍ଫାଳନ କରନ୍ତି! ଯେଉଁମାନେ କେବଳ ବନ୍ଧୁକର ଭାଷା ବୁଝନ୍ତି!

କୁଆଡେ ଗଲା ଧୋବଧାଉଳିଆଙ୍କ ଅତର ମରା ପ୍ରତିଶୃତି!

ରେବାର ବାହିନୀ ଯେମିତି ପରାଧୀନତା ଭିତରୁ ସ୍ଵାଧୀନତା ଆଡକୁ ଧାଇଁ ଚାଲିଥିଲା। ଗୋଟେ ସିଷ୍ଟମ୍ କୁ ମାରିବାକୁ ହେବ!

ଚଉଦ ବର୍ଷର ରେବା ଜାଣିନଥିଲା ଯେ ସିଷ୍ଟମ ମରେନାହିଁ।

ସିଷ୍ଟମ୍ ଗୋଟିଏ ଜୋକ।

ରେବାର ବାହିନୀ ଅନ୍ଧାରକୁ ପାଦରେ ଦଳି ଚାଲିଥିଲେ। ବୁଦା ମୂଳରେ ଲୁଚିଥିବା ଓ ଚକଚକ କରୁଥିବା ଆଖି କେଇଟା ସ୍ତବ୍ଧ!

ବହୁ ପଛରୁ ମେଡେମଙ୍କ ନିବେଦନ ଶୁଭୁଥିଲା।

ପାଦ ଅବସ ହୋଇଉଠୁଥିଲା।

ପେଟ ଖାଁଖାଁ ଡାକୁଥିଲା।

କିଏ କହୁଥିଲା - ଫେରି ଚାଲ। ଫେରିଚାଲରେ ପିଲେ। ଆଗରେ ବାଘ ଦାନ୍ତ, ହାତୀର ଶୁଣ୍ଢ। ଆଗରେ ଗଭୀର ଗର୍ତ୍ତ। ଉଚ୍ଚ ପାହାଡ।

ରେବା ଶୁଣୁନଥିଲା କିଛି।

ନାତିଦୀର୍ଘ ପାଦମାନଙ୍କରୁ ବାହାରୁଥିବା ରକ୍ତର ଗୋଟାଏ ନିଶା ଥିଲା। ରକ୍ତର ବାସ୍ନା ମତୁଆଲା କରୁଥିଲା।

ପ୍ରତିଟି ଯନ୍ତ୍ରଣା ପାଦକୁ କ୍ଷିପ୍ର କରାଉଥିଲା।

ଏଇତ ସିନ୍ଦୂରା ଫାଟି ଆସିଲାଣି। ଗୋଟାଏ ପରିଷ୍କାରପଣ ଯେମିତି ରେବକୁ ଜାବୁଡି ଧରୁଥିଲା।

ହେଇ ଦିଶୁଛି ସରକାରର ଘର!

ଏଇ ତ ପାଖରେ!

ରେବା ଚିତ୍କାରକଲା - ଚାଲ, ଚାଲ। ପାଦ ଉଠାଅ।

ପାଦ ଉଠୁଥିଲା।

ସରକାରଙ୍କ ଘର ଆଗରେ ଦୁଇଟି ଚେୟାରରେ ବସିଥିଲେ ସରକାର ଆଉ !! କିଏ ସେ! ମେଡେମ୍!! ଏତେ ପଛରେ ପଡିଥିବା ମେଡେମ ତାଙ୍କ ଆଗରୁ ସରକାର ପାଖରେ ପହଞ୍ଚିଗଲେ! କେମିତି!

ସରକାର ନିର୍ଦ୍ଦେଶ ଦେଲେ ଚପରାସୀକୁ। ପିଲାମାନଙ୍କ ପାଇଁ ଚା’, ବିସ୍କୁଟ ଯୋଗାଡ କର। ପିଲାମାନଙ୍କ ଉଦ୍ଦେଶ୍ୟରେ କହିଲେ - ଯାଅ, ନଳକୂପର ପାଣିରେ ମୁହଁ ଧୋଇ ଆସ।

ସକାଳର ଖରା ତୀକ୍ଷ୍ଣ ଲାଗୁଥିଲା ରେବାକୁ। ସେ ବିସ୍କୁଟ ଖାଇଲା। ଚା’ ପିଇଲା। ସମସ୍ତେ ପିଇଲେ। ସରକାରଙ୍କ ଲନ୍ ର ଘାସ ଉପରେ ବସିଲେ।

ଦୀନ ମାଝି ମଟରଗାଡିର ପେଁପେଁ ରେବାର କାନରେ ବାଜିଲା।

ସାଇବ! ମାୟବାପ୍! ରେବା କହିଆସୁଥିଲା। ସରକାର ହାତ ଦେଖାଇ ବସିବାକୁ କହିଲେ। ବସ, ବସ। ମୁଁ ସବୁ ଜାଣେ। ପ୍ରକୃତରେ ତମ ପିଲାମାନଙ୍କ ସହିତ ତମ ମାଡାମଙ୍କୁ ବି ମୁଁ ଧନ୍ୟବାଦ ଦେବି। କହିଲେ ସରକାର।

ମୁଁ ତମ ମାଡାମଙ୍କ ପରି ଲୋକ ପାଇଁ ଗର୍ବିତ। ନହେଲେ, ରାତି ଅଧ ରେ ତମମାନଙ୍କୁ ସାଙ୍ଗରେ ନେଇ କୋଉ ସ୍ତ୍ରୀ ତା ସ୍ବାମୀ ବିରୁଦ୍ଧରେ ଅଭିଯୋଗ କରିବାକୁ ଆସିଥାନ୍ତା!

ରେବା ପୁଣି ଉଠୁଥିଲା। ସରକାର ବସିବାକୁ ନିର୍ଦ୍ଦେଶ ଦେଲେ। ମୁଁ ଜାଣେ ଝିଅ ତମ ସହିତ କଣ ଘଟିଛି। ସେହି ନରାଧମ, ପାଷାଣ୍ଡକୁ ଗିରଫ୍ କରିବାପାଇଁ ମୁଁ ଅଡର ଦେଇ ସାରିଛି!

ରେବାର ଆଖି ଢିମାଢିମା ହୋଇଯାଉଥିଲା। ସେ ଦୀର୍ଘକାୟ ଛାଇ କଣ ମେଡେମଙ୍କ ଗିରସ୍ତର! ସେ କିଛି ଭାବି ହେଲା ଏବଂ କହିବାକୁ ଚାହିଁଲା।

ମେଡେମ ପାଟି ଖୋଲିଲେ - ତୁନି ରହ। ପାଟି ଖୋଲିଲେ ଦେଖିବୁ!

ମୁଁ ଜାଣେ, କହିଲେ ସରକାର, ସରକାରୀ ଖାଦ୍ୟ ବାଟମରଣା ହେଉଛି। ତମେ ମାଣ୍ଡିଆ ଜାଉ ଖାଉଛ। ଏଥର ସେମିତି ହବନାହିଁ। ସିଧାସଳଖ ମାଡାମ ଆମ ସହିତ ଯୋଗାଯୋଗ ରଖିବେ।

କୋଡିଏ କିଲୋମିଟର ଦୂରରୁ ଆସିଥିବା ପିଲାଏ ତାଳି ମାରିଲେ।

ଦେଖ ପିଲାମାନେ, ତମେମାନେ ମୋ ପାଖକୁ ସିଧା ନଆସି ତମ ମାଡାମଙ୍କୁ ଅଭିଯୋଗ ଜଣାଅ। ସେ ଆମକୁ ଜଣେଇବେ। ତମେ ପରା ଏ ଦେଶର ଭବିଷ୍ୟତ। ତମ ଭିତରୁ କିଏ ଡାକ୍ତର ହବ, କିଏ ପାଇଲଟ୍ ହବ। ମନଦେଇ କେବଳ ପାଠ ପଢ। ସରକାର କହିଲେ। ତାପରେ ସେ କାହାକୁ ନିର୍ଦ୍ଦେଶ ଦେଲେ - ପିଲାମାନଙ୍କ ଫେରିବା ପାଇଁ ମିନିବସ୍ ଟେ ଯୋଗାଡ କରିଦିଅ। ସେ ନମସ୍କାର ଜଣେଇ ଭିତରକୁ ଚାଲିଗଲେ।

ରେବା ବସିଥିଲା ସ୍ଥାଣୁ ହୋଇ।

ସେହି ଛାଇଟି କ୍ରମଶଃ ପରିଷ୍କାର ହୋଇ ମେଡେମର ରୂପ ନେଉଥିଲା!

ରେବାର କାନ ପାଖରେ ଯେମିତି ଦୀନ ମାଝିର ମଟରଗାଡି ଗଳାଫଟେଇ ଚିତ୍କାର କରୁଥିଲା।

ଦୁଇ କାନକୁ ଦୁଇ ହାତରେ ଚାପି ଧରିଥିଲା ରେବା!!

..................... ଶେଷ ......................

ବରିଷ୍ଠ ଅଧ୍ୟାପକ ଇଂରାଜୀ ବିଭାଗ

ସାରାଂଶ,ପ୍ଲଟ ନମ୍ବର - 179/2129

କଲ୍ୟାଣୀନଗର,ପାତ୍ରପଡା ,ଭୁବନେଶ୍ବର - 751019


Rate this content
Log in

Similar oriya story from Inspirational