Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି

ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି

5 mins
9.8K


ଶଶି କାନ୍ତ ବାବୁ, ବୟସ ସତୁରି-ରିଟାର୍ଡ ପ୍ରଫେସର।ପୂରା ନାମ ଶଶୀକାନ୍ତ ଦାସ। ପିଲାମାନେ ସମସ୍ତେ ବିଦେଶରେ। କେବେ କେବେ ବର୍ଷେ ଛଅ ମାସରେ ଘରକୁ ଆସନ୍ତି। ଘରେ ସ୍ତ୍ରୀ। ଚାକରାଣୀ ଆସେ ରୋଷେଇ ଦି’ଟା କରି ଦେଇ ଚାଲିଯାଏ। ବୁଢ଼ା ବୁଢୀ ଯେତେବେଳେ ଇଚ୍ଛା କରନ୍ତି ଦି’ଟା ଖାଆନ୍ତି, ନହେଲେ ଦିନେ ଦିନେ ସେଇମିତି ଶୋଇ ପଡ଼ନ୍ତି। ଗାଡି ଖଣ୍ଡେ ଅଛି, କେବେ ଡ୍ରାଇଭରକୁ ଡାକି ବନ୍ଧୁ ଘର ଆଡ଼େ ବୁଲି ଆସନ୍ତି। ଯେବେ ପିଲାମାନେ ଆସନ୍ତି ଖୁସିରେ ଗୋଡ଼ ତଳେ ଲାଗେ ନାହିଁ। ସେମାନେ ଦିନେ ଦୁଇ ଦିନ ରହି, ପୁଣି ଶ୍ୱଶୁର ଘର, ପିଲାଙ୍କ ପାଠ ପଢା ଓ ଚାକିରୀ ବାହାନା କରି ଶୀଘ୍ର ଫେରି ଯାଆନ୍ତି। ପୁଣି ଯୋଉ କଥାକୁ ସେଇ କଥା। ସେଇ ଏକଲାପଣ। ଏକଲା ଭୂତ ଗୋଡ଼ାଇ ଖାଏ। ମନ ଚାହେଁ ଆତ୍ମିକତା, ଟିକିଏ ଆତ୍ମୀୟତା। ଗୋଟାଏ ବନ୍ଧୁ ।ମନ ଡାକେ ଟିକିଏ କାହାର ସାହଚର୍ଯ୍ୟ ମିଳନ୍ତା କି?

ନିତେଇ ବାବୁ ପେଶାରେ ଲେଖକ ବୟସ ଚାଳିଶି। କର୍ମ ସଂସ୍ଥାନଟା – ପାଖ ଅଫିସରେ କିରାଣୀ। ହେଲେ ଉଭୟଙ୍କ ଭିତରେ ବନ୍ଧୁତା ଭାରି ଘନିଷ୍ଠ । ନିତେଇ ବାବୁ ଚାକିରୀରୁ ଟିକିଏ ଫୁରୁସତ୍ ପାଇଲେ ବୁଢ଼ା ଘର ଆଡ଼େ ମାଡ଼ି ଯାଆନ୍ତି। ବେଶ୍ କିଛି ବାର୍ତ୍ତାଳାପ ହୋଇଯାଏ। ନହେଲେ ନିତେଇ ବାବୁ ନିଜ ସ୍କୁଟିରେ ବସେଇ ବୁଢ଼ାକୁ ମାର୍କେଟ ନେଇ ଯାଆନ୍ତି। ପାର୍କରେ ବସି ଗପ ସପ ଚାଲେ, ଫେରିବା ବାଟରେ ମଧ୍ଯ ମାର୍କେଟିଂ ହୋଇ ଯାଏ। ଭଲ ମନ୍ଦ କାମ ମଧ୍ୟ ସାଙ୍ଗ ହୋଇ କରନ୍ତି। ବୁଢ଼ାର ସୁବିଧା ଅସୁବିଧାକୁ ନିତେଇ ବାବୁ ସବୁ ବେଳେ ତୟାର୍। ତେଣୁ ଅନ୍ୟ ମାନେ କହି ହୁଅନ୍ତି – ବୁଢ଼ା ସାଙ୍ଗକୁ ଟୋକା ସାଙ୍ଗ ବନ୍ଧୁତା ବେଶ୍ ନିବିଡ଼। ଆଉ କେହି ତାଚ୍ଛଲ୍ୟ କରନ୍ତି – ବୁଢ଼ା ସାଙ୍ଗକୁ ଟୋକା ପ୍ରୀତି।

ବନ୍ଧୁତା ମାନେନା ବୟସର ବାଧା ବନ୍ଧନ ।ମନ ସହିତ ମନ ମିଶି ଗଲେ ବନ୍ଧୁତାର ସୂତ୍ରପାତ ହୁଏ। ହେଲେ ବନ୍ଧୁତା ରଖିବା ସବୁଠାରୁ କାଠିକର ପାଠ। ମନଟା ଅସ୍ଥିର। ସ୍ଥିର ହୋଇ ଗୋଟେ ଯାଗାରେ ବେଶୀ ଦିନ ଲାଖି ରହେ ନାହିଁ । ସେ ଖାଲି ବାୟା ଚଢେଇ ଭଳି ଘୂରି ବୁଲିବାକୁ ଲାଗେ। ଗୋଟେ ଯାଗାରୁ ମନ ଭରି ଗଲେ ଅନ୍ୟତ୍ର ଚାଲିଯାଏ। ପୁଣି ଏହି ମନ ଅମନ ହେଲେ କଥା ସରିଗଲା। ସବୁ ବିଗାଡି କି ରଖି ଦେଇଥିବ। ଯେତେ ବୁଝାଇଲେ ଆଉ ଅବୁଝା ମନକୁ ବୁୁଝାଇ ହୁଏ ନାହିଁ। ତେଣୁ ମନର ସଂହିତା ପଢିବା ମାନବ ପକ୍ଷେ ସହଜ ହୁଏ ନାହିଁ। ସେଥିସକାଶେ ସର୍ବକାଳୀନ ସର୍ବଜନ ସହ ସମ୍ପର୍କ ରଖିବା କଷ୍ଟକର ନୁହଁ, ଦୁଃସାଧ୍ୟ।

ଦୁଇ ବନ୍ଧୁ ହାବୁଡ ଖାଇଗଲେ ଦୁନିଆଟା ଯାକର ଘଟଣା କାହାଣୀର ରୂପ ନିଏ। କେମିତି ଦୁନିଆଟା ଚାଲିଛି ଓ ଚାଲିବା ଦରକାର ତା’ର ଔଚିତ୍ୟକୁ ନେଇ ଗୋଟେ ଦରବାର ବସେ। ଜଣେ ବକ୍ତା ଆଉ ଜଣେ ଶ୍ରୋତା। ପୁଣି ପାଳି ବଦଳି ଗଲେ ଭୂମିକାଟି ଓଲଟି ପଡେ। ଶ୍ରୋତା ବକ୍ତା ଓ ବକ୍ତା ଶ୍ରୋତା ହୋଇ ଯାଆନ୍ତି। ତେବେ ଔଚିତ୍ୟକୁ ନେଇ ସବୁବେଳ ପ୍ରଶ୍ନବାଚୀ ଛିଡା ହୁଏ, କିନ୍ତୁ ସମସ୍ୟାର ନିଷ୍କର୍ଷ ପାଇଁ ଉଦ୍ୟମ ଜାରି ରହେ। ଗୋଟାଏ ସିଦ୍ଧାନ୍ତରେ ନପହଁଞ୍ଚିଲା ପର୍ଯ୍ୟନ୍ତ ଯୁକ୍ତି ଓ କଥା କଟାକଟି ଚାଲିଥାଏ। ତା’ଭିତରେ କପେ ଦୁଇ କପ ଚା ହୋଇଯାଇଥାଏ। ମିସେସ୍ ଦାସ ଆଲୋଚନାର ମୂକ ସାକ୍ଷୀ। ମଝିରେ ମଝିରେ ମୁରୁକି ହସା ଦେଉଥାନ୍ତି, ନହେଲେ ମୁଣ୍ଡ ଟୁଙ୍ଗାରି ସମ୍ମତି ଦେଉଥାନ୍ତି ବା ଚା କପେ ଆଣି ଦିଅନ୍ତି।

ନିତେଇ ବାବୁ ସବୁଦିନେ ପ୍ରାୟ ଆସନ୍ତି। କିଛି ନହେଲେ ବୁଢ଼ା ଘର ଆଡ଼େ ଟିକିଏ ମୁହଁ ଦେଖାଇ ଚାଲିଯାଆନ୍ତି। କିନ୍ତୁ ଦିନେ ଅଧେ ନଆସିଲେ ବୁଢାଙ୍କର ମୁଡ୍ ଅପ୍ ହୋଇଯାଏ। ସେ ଖାଲି ଚିଡିଚିଡ଼ା ହୁଅନ୍ତି। ମିସେସ୍ ଦାସ ବୁଝାଇ କହନ୍ତି – ନିତେଇ ବାବୁଙ୍କର ଆଉ କ’ଣ ଛୁଆ ପିଲାଙ୍କ କାମ କିଛି ନାହିଁ ଯେ, ସେ ଖାଲି ଚବିଶି ଘଣ୍ଟା ତୁମ ପାଖରେ ବସିଥିବେ? କ’ଣ ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ ଥିବ ସେଇଥି ପାଇଁ ଅଟକି ଯାଇଥିବେ। ବୁଢ଼ାର କିନ୍ତୁ ମୁହଁ ଛିଞ୍ଚଡା ଓ ବିରକ୍ତି ନିତେଇ ବାବୁର ଅନୁପସ୍ଥିତିକୁ ସ୍ପଷ୍ଟ ଜାହିର୍ କରିଥାଏ।

* * * *

ସେଦିନ ଦୁଇ ବନ୍ଧୁ ଟିକିଏ ଖୋଲା ପବନରେ ମନକୁ ହାଲୁକା କରିବା ପାଇଁ ବ୍ୟସ୍ତ ବହୁଳ ଜୀବନଠାରୁ ନିଜକୁ ଦୁରେଇ ନେଇ ଗୋଟେ ପାର୍କର ନିଭୃତ କୋଣରେ ଯାଇ ବସି ପଡିଥାନ୍ତି। ସ୍ଵଭାବ ସୁଲଭ ଢଙ୍ଗରେ ଆରମ୍ଭ ହେଲା ସେମାନଙ୍କର ବିତର୍କ – ଆଜି ଗୋଟାଏ ନୂଆ ଟପିକ୍ (ବିଷୟ) ଉପରେ। ଦେଶ ବିଦେଶର ଖବର ଅନ୍ତର ଓ ପରେ ସାମାଜିକ ବିଧି ବ୍ୟବସ୍ଥାକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ଓ ତହୁଁ ବିତର୍କ। କିନ୍ତୁ ସେଦିନର ବିତର୍କ ଥିଲା ନିଆରା। ଉଭୟ ଉଭୟଙ୍କର ବିଚାରକୁ ସଠିକ୍ ସିଦ୍ଧ କରିବା ପାଇଁ ଏକ ରକମର ଲଢ଼ି ଯାଇଥିଲେ। ଜଣେ ଅନ୍ୟ ଜଣକୁ “ତୁମେ କିଛି ଜାଣି ନାହଁ” ର- ତାଚ୍ଛଲ୍ୟ ଓ କଟାକ୍ଷ । ବୋଧହୁଏ ସେଦିନ ସହିବାର ସୀମା ଟିକିଏ ଅତିକ୍ରମ କରୁଥାଏ। ଏକ ନିଶ୍ଚିତ ଝଡ଼ର ଆଭାସ ମିଳୁଥାଏ। ତେଣୁ ଉଭୟ ନିଜ ଜିଦରେ ଅଟଳ। ତହୁଁ ମନ ଫଟାଫଟି ।କିଛି ସମୟ ନୀରବତା ପରେ ସେହି ନୀରବତା ଭିତରେ ଇସାରାରେ ଇସାରାରେ ସାଙ୍ଗ ହୋଇ ଘରକୁ ପ୍ରତ୍ୟାବର୍ତ୍ତନ। ଆଉ କେହି କାହା ପାଇଁ ମୁହଁ ଖୋଲି ନାହାଁନ୍ତି କି କେହି କାହା ପାଖକୁ ଯାଇ ନାହାଁନ୍ତି। ବେଶ୍ କିଛି ଦିନ ବିତିଗଲା।

କିନ୍ତୁ ଏମିତି କାହିଁକି ହୁଏ, ଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ ସମ୍ପର୍କଟି ଅଚିରେ କେମିତି ଭାଙ୍ଗିଯାଏ,ପୁଣି ଗୋଟିଏ ମାତ୍ର ଝଟକାରେ, ସମ୍ପର୍କରେ ଜମାଟ ବାନ୍ଧି ଯାଇଥିବା ଆସ୍ତରଣ କି ନିଶ୍ଚିହ୍ନ ହୋଇପାରେ -ମନରେ ଏମିତି କିଛି ପ୍ରଶ୍ନ। ବେଳେବେଳେ ଏହିଭଳି ଗୋଟେ ଅଧେ ମୂଲ୍ୟହୀନ ପ୍ରସଙ୍ଗ ଜୀବନର ବହୁ ମୂଲ୍ୟ ନେଇଯାଏ ଏଭଳି ଅମୂଳକ ପ୍ରଶ୍ନର ମୂଳ ଖୋଜିବାକୁ ଯାଇ ମଣିଷ ଗୋଟାଏ ବିରାଟ ଶୂନ୍ ବା big zero ନିକଟରେ ପହଞ୍ଚେ, ଯେଉଁ ଶୂନ୍ ଟା ଦିନେ ଭାରତୀୟ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟ ଖୋଜି ବାହାର କରିଥିଲେ। ଯେଉଁ ଶୂନ୍ ର ମୂଲ୍ୟ ଆକଳନ କରିବା ଦୁର୍ବୋଧ୍ୟ ପ୍ରତୀତ ହୁଏ….

ନିତେଇ ବାବୁ ଘରେ ଶୋଇଥାନ୍ତି। ବିଲେଇଟା ଏପଟ ସେପଟ ହୋଇ ଖଡଖାଡ କରିବାରୁ ନିଦ୍ରାର ସୁଷୁପ୍ତି ଭାଙ୍ଗି ଗଲା। ବିଲେଇଟା ଉପରେ ବିରକ୍ତି ଭାବ ପରିପ୍ରକାଶ ଘଟିବା ପୂର୍ବରୁ କାହାର ଗୋଟାଏ କୋଳାହଳ ଓ କ୍ରନ୍ଦନରୋଳର କ୍ଷୀଣପ୍ରଭ ସ୍ଵର ଝଙ୍କାର ତାଙ୍କର ଚେତନାକୁ ବିପର୍ଯ୍ୟସ୍ତ କରି ଗଢି ତୋଳି ସାରିଥିଲା।ଧୀରେ ଧୀରେ ଝରକା ଆଡ଼େଇ ପୁଣି ଅସ୍ପଷ୍ଟ ହେବାରୁ କବାଟ ଖୋଲି ଶବ୍ଦ ଧୋନୀର ଦିଗ ଭାଗ ନିର୍ଣ୍ଣୟ କରିବାକୁ ଲାଗିଲେ। ହଠାତ୍ ଏକ ଅଜଣା ଆତଙ୍କରେ ଦେହଟା ଶିହରିତ ହୋଇ ଉଠୁଥିଲା। ପିନ୍ଧିଲା ଲୁଗାଟାକୁ ଅଣ୍ଟିରେ ଗୁଡାଇ ଦେଇ ସେ ଧାଇଁ ଗଲେ ସେଇ ଆଡକୁ, ଯେଉଁ ଆଡୁ ଶବ୍ଦଟା ଭାସି ଆସୁଥିଲା କର୍ଣ୍ଣଗୁହା ଭେଦି। ଯାଇ ଯାହା ଦେଖିଲେ ନିଜକୁ ବିଶ୍ବାସ କରି ପାରିଲେ ନାହିଁ।ତାଙ୍କ ବନ୍ଧୁ ଶୋଇ ରହିଥିଲେ ଗୋଟାଏ ନିଘୋଡ଼ ନିଶ୍ଚିତ ନିଦ୍ରାରେ। ନିଶ୍ଚଳ, ନିରୁତ୍ତର ମୁଦ୍ରାରେ। କାନ୍ଦ ବୋବାଳି ତାଙ୍କ କର୍ଣ୍ଣ ତନ୍ତ୍ରିକୁ ଭେଦି ତାଙ୍କୁ ଧିକ୍କାରୁ ଥାଏ, ଧିକ୍କାରୁ ଥାଏ ତାଙ୍କର ବନ୍ଧୁତ୍ୱ ଓ ବନ୍ଧୁ ପଣିଆକୁ। ସେ ବନ୍ଧୁଙ୍କ ଠାରୁ ଆହୁରି ନୀରବ ପାଲଟି ଯାଉଥିଲେ । ସତେକି ମୂକ ବା ବଧିର।

ଲେଖନୀ ମୁନ ବାରମ୍ବାର ଅଟକି ଯାଉଥିବାରୁ ତା’ପରର କାହାଣୀ ଲେଖିବାକୁ ସେ ଅନାଗ୍ରହ, ତଥାପି… ।ସବୁ କାହାଣୀର ଆରମ୍ଭ ଓ ଇତି ଯେଉଁଠି ସେଇଠି ପହଞ୍ଚିଗଲା ପରେ ଆଉ ପାଟିରେ ଉତ୍ତର ନଥାଏ କି ଧମନୀରେ ବଳ। ସବୁ କେମିତ ଜଡ଼, ନିସ୍ପନ୍ଦ, ନିର୍ବିକାର।

ସେଇ କୋଳାହଳମୟ ଭାବ ବିହ୍ୱଳପୂର୍ଣ୍ଣ ମୁହୂର୍ତ୍ତରେ ମୁହୂର୍ତ୍ତକ ପାଇଁ ନୀରବରେ ନିତେଇ ବାବୁ ଭାବନା ରାଜ୍ୟରେ କ୍ଷଣିକ ପାଇଁ ହଜି ଯାଇ ଭାବୁଥାନ୍ତି – “ମଣିଷ ବୃଥା ଅହମିକାକୁ ନେଇ ଲଢ଼େ। ହାରିବା ଜିତିବାକୁ ନେଇ ବେଶ୍ କିଛି ସଂଘର୍ଷ କରେ। କିନ୍ତୁ କ’ଣ ସେହି ହାରିବା ଜିତିବାର ମାନେ? ପ୍ରକୃତରେ କିଏ ଜିତେ ଓ କିଏ ହାରେ? ଜିତିବାଟା ଖାଲି ହାରିବାରେ ଯାଏ ନାହିଁ କି? ହାରିବାଟା ବି ବେଳେବେଳେ ଜିତିବା ଠାରୁ ଅଧିକ ଆନନ୍ଦପ୍ରଦ ହୋଇଥାଏ। ସେଦିନ ହାରିବାର ଆତ୍ମଗ୍ଲାନି ନେଇ ମୁଁ ମୁହଁ ମୋଡି ରହିଲି। ଆଜି ହାରିଗଲେ ବନ୍ଧୁ ଜୀବନ ସଂଗ୍ରାମରେ। ହାରିଗଲି ମୁଁ ବନ୍ଧୁଙ୍କୁ ହରାଇ, ହାରିଗଲା ଆମ ବନ୍ଧୁତା ଚୀରଦିନ ପାଇଁ – ସେ କି ଜିତିବା? ଯେଉଁ ଜିତିବା ଦେଇଥାଏ ନୟନରେ ଭରି ଅଶ୍ରୁ ଦିବା ନିଶି…. ।”

ତାଙ୍କ ଉପରେ ଦୃଷ୍ଟି ପଡ଼ିବା କ୍ଷଣି ମିସେସ୍ ଦାସ ଆହୁରି କୋଡ଼ି ଛେଚି ହୋଇ କାନ୍ଦିଉଠିଲେ ।କହିଲେ-” ତୁମ ବନ୍ଧୁ ଆଜି ଆଉ ନାହାଁନ୍ତି। ତୁମକୁ ଝୁରି ଝୁରି ଚାଲିଗଲେ। କେଉଁଠି ଟିକିଏ ଖଡକିନା ଶବ୍ଦ ହେଲେ, ହେଇ ନିତେଇ ବାବୁ ଆସିଲେଣି କହି, ଦୌଡ଼ି ଯାଇ ଦାଣ୍ଡ କବାଟ ଖୋଲି ଦେଖୁଥିଲେ। ପୁଣି ତୁମକୁ ନପାଇ ମୁହଁ ଶୁଖେଇ ଗୁମ୍ ହୋଇ ବସି ରହୁଥିଲେ। ରାତିରେ କ’ଣ ହେଲା କେଜାଣି- ନିତେଇ ବାବୁ! ନିତେଇ ବାବୁ!! ବୋଲି ବାଉଳି ହେଉଥିଲେ। ହଠାତ୍ ଚୁପ ହୋଇଗଲେ। ମୁଁ ହଲାଇ ଦେଖେ ତ ଆଉ ନା… ହାଁ… ନ୍ତି..। ”

ନିତେଇ ବାବୁଙ୍କ ଆଖିରୁ ବୋହି ଆସୁଥିଲା ଝର ଝର ହୋଇ ଦୁଇ ଧାର ଲୁହ। ଲୋଟି ଯାଉଥିଲେ ଶବଟା ଉପରେ ଗୋଟାଏ ସଂଗୁପ୍ତ ବେଦନାରେ।

ଶାନ୍ତି ଅନୁସନ୍ଧିତ୍ସୁ ଶାନ୍ତିର ଠିକଣା

ପାଇବାକୁ ମନେ ହେଜି

ଖୋଜି ଯାଇଛନ୍ତି କେଉଁ ଦିଗେ ହଜି

ପାଉନାହିଁ କାହିଁ ଆଜି...


Rate this content
Log in